କୂଅରେ ଗୋଟାଏ ବେଙ୍ଗ ରହି ମନେ ମନେ ଗର୍ବ କରୁଥିଲା ଯେ କୂଅଠାରୁ ଆଉ ବଡ଼ କିଛି ନାହିଁ । କୂଅରେ ପହଁରି ସେ ବେଶ ଆନନ୍ଦ ପାଏ ଓ ପୋକ ଜୋକ ଆସି ପଡ଼ିଲେ ତାଙ୍କୁ ଖପ୍ କରି ମାଡ଼ି ବସି ଖାଇଯାଏ । ସମୁଦ୍ରର ଏକ ବେଙ୍ଗ ଆସି କୂଅରେ ପଡ଼ିଲା । କୂଅ ବେଙ୍ଗ ଭାବିଲା, ଶିକାର ଆସି ଯାଇଚି । ଲମ୍ଫ ଦେଇ ତା ପାଖରେ ପଡ଼ିଚି ତ ଦେଖିଲା, ସେ ତା’ଠାରୁ ଏକ ବଡ଼ ବେଙ୍ଗଟିଏ । କୂଅ ବେଙ୍ଗର ବର୍ଣ୍ଣ କଳା । ଏ ବେଙ୍ଗ ତା’ଠାରୁ ତୋଫା । ଟିକିଏ ହଳଦିଆ ରଙ୍ଗ । ସେ ଚମକି ପଡ଼ିଲା । ମାତ୍ର ସେ ତାକୁ ଭୟ କରୁଚି, ଏଇଟା ଧରା ପଡ଼ିଗଲେ, ତାର ମାନ ସମ୍ମାନ ଚାଲିଯିବ । ସେ କୂଅଟାର ରାଜା କି ନା !
ଖୁବ୍ ଗମ୍ଭୀର ଭାବରେ ସେ ମୋଟା ଗଳାରେ ସାଗରର ବେଙ୍ଗକୁ ପଚାରିଲା, “ତୁମେ କିଏ ହୋ, କାହିଁକି ଏଠାକୁ ଆସିଚ ?”
ସମୁଦ୍ରବେଙ୍ଗ କହିଲା, “ମୁଁ ସମୁଦ୍ରରେ ଥିଲି । ବୁଲୁ ବୁଲୁ ଏଠାକୁ ଚାଲି ଆସିଲି ।”
କୂଅବେଙ୍ଗ ପଚାରିଲା, “ସମୁଦ୍ର କେତେ ବଡ଼ ?”
ଆଗନ୍ତୁକ ବେଙ୍ଗ କହିଲା, “ବହୁତ ବଡ଼ ।”
କୂଅ ବେଙ୍ଗ ଦୁଇ ଗୋଡ଼ ମେଲାଇ ଦେଇ କହିଲା, “ଇଆଠାରୁ ବଡ଼ ?”
ସମୁଦ୍ର ବେଙ୍ଗ କହିଲା, “ଏହାଠାରୁ ବହୁତ ବଡ଼ ।”
କୂଅ ବେଙ୍ଗ କୂଅ ନନ୍ଦର ଏ ପାଖରୁ ସେ ପାଖକୁ ଡେଇଁ କହିଲା, “କ’ଣ ଏତେ ବଡ଼ ?”
ସମୁଦ୍ର ବେଙ୍ଗ କହିଲା, “ଏଇଟା କଣ? ଏହାଠାରୁ ବହୁତ ବହୁତ ବଡ଼ ।“
କୂଅ ବେଙ୍ଗ ସମୁଦ୍ର ବେଙ୍ଗ ସହିତ କଜିଆ ଆରମ୍ଭ କରିଦେଲା । “ତୁ ମୂର୍ଖ, ମିଥ୍ୟାବାଦୀ । ଏ କୂଅ ଭିତରେ ମୁଁ ଅନେକ ଦିନ ଧରି ଅଛି । ଏହାଠାରୁ କିଛି ବଡ଼ ଥାଇ ନ ପାରେ ।”
ସମୁଦ୍ର ବେଙ୍ଗ କହିଲା, “କୂଅ ଉପରକୁ ଉଠି ଆସ, ପାଖରେ ସମୁଦ୍ର ଅଛି ଦେଖିପାରିବ । କିଏ ମୂର୍ଖ, ମିଛୁଆ ଜଣାପଡ଼ିଯିବ ।”
କୂଅ ବେଙ୍ଗ କହିଲା, “ହ୍ୟାପ, ବାହାରୁ ଆସି ମୋତେ ଢମ ଦେଖାଉଚି । ଏ କୂଅ ଛାଡ଼ି ମୁଁ ଚାଲିଯିବି, ଆଉ ତୁ ଏଠି ରହିବୁ ।” ସମୁଦ୍ର ବେଙ୍ଗ ଦେଖିଲା, ଏହା ସହିତ ଯୁକ୍ତିକରି ଲାଭ ନାହିଁ । ସେ ଚୁପ୍ ହୋଇ ଚାଲିଗଲା ।