ମହାକାଶରେ କୁନିଚାନ୍ଦ
୧୯୫୭ ମସିହା ଅକ୍ଟୋବର ମାସ ୪ ତାରିଖ । ମହାଶୂନ୍ୟରେ ଏକ କୁନିଚାନ୍ଦର ପ୍ରବେଶ ! ସାରା ଦୁନିଆରେ ଭାରି ଚହଳ। ଋଷର ବିଜ୍ଞାନୀମାନେ ଏହାକୁ ପଠାଇଥିଲେ । ଆମେରିକାରେ ଖୁବ୍ ଭାଳେଣି ପଡ଼ିଗଲା ।
ଚନ୍ଦ୍ର ପୃଥିବୀର ଏକ ଉପଗ୍ରହ। ମାତ୍ର ଏହା ପ୍ରାକୃତିକ । ପୃଥିବୀର ଚତୁର୍ଦ୍ଦିଗରେ ଏହା ପରିକ୍ରମା କରେ । ସେହିପରି ଏହି କୁନିଚାନ୍ଦଟି ହେଉଛି ଏକ ଉପଗ୍ରହ । ପୃଥିବୀର ଚତୁର୍ଦ୍ଦିଗରେ ଏହା ଘୁରିବୁଲେ । ଏହା କୃତ୍ରିମ, ମନୁଷ୍ୟନିର୍ମିତ ।
ଆକାଶରେ ଉଡ଼ିବା ଯେମିତି ଥିଲା ମଣିଷର ବହୁଦିନର ସ୍ୱପ୍ନ । ଜହ୍ନରାଜ୍ୟକୁ ଯିବା, ମଙ୍ଗଳ, ଶୁକ୍ର ପ୍ରଭୃତି ଗ୍ରହକୁ ଯିବା ସେମିତି ମନୁଷ୍ୟର ଆଶା ଓ ଅଭିଳାଷ । ସେହିସବୁ ଗ୍ରହ ଉପଗ୍ରହରେ କ’ଣ ସବୁ ଅଛି ? ତାର ଜଳବାୟୁ, ମାଟି, ପାଣି, ପବନ ଆଦି କିପରି? ତାର ଖଣିଜ ପଦାର୍ଥ, ନଦୀ, ପାହାଡ଼ ପ୍ରଭୃତି କେମିତି ? ଏସବୁ ଦେଖିବା ଓ ଜାଣିବା ପାଇଁ ତାର କେତେ କଳ୍ପନା, କେତେ ଆଶା ।
ମାତ୍ର ଏଥିପାଇଁ ବହୁ ବାଧାବିଘ୍ନ । ପରିସ୍ଥିତିସବୁ ପ୍ରତିକୂଳ । ମନୁଷ୍ୟର ଶକ୍ତିସାମର୍ଥ୍ୟ ଓ ସମ୍ବଳ ମଧ୍ୟ ସୀମିତ । ବହୁ କବି ଓ ସାହିତ୍ୟିକ କେତେ କଳ୍ପନା ନେଇ ଏ ସବୁ ବିଷୟରେ ଲେଖିଛନ୍ତି । ବିଜ୍ଞାନୀମାନେ ମଧ୍ୟ ବହୁ ସ୍ୱପ୍ନ ଦେଖିଛନ୍ତି । ଅନେକ ତ ଏଥିପାଇଁ ଚେଷ୍ଟା କରି ମୃତ୍ୟୁମୁଖରେ ପଡ଼ିଛନ୍ତି । କେତେ ଦଣ୍ଡ ଓ ଯନ୍ତ୍ରଣା ସହିଛନ୍ତି । ମାତ୍ର ମନୁଷ୍ୟର ଆଶା ବୈତରଣୀ ନଦୀ । ତାର ଉଦ୍ୟମର ଅନ୍ତ ନାହିଁ, ତାର ସ୍ୱପ୍ନ ପାଇଁ ରାତ୍ରିର ଅଭାବ ନାହିଁ ।
ବାଧା ଓ ସୁବିଧା
ସବୁଠୁଁ ବଡ଼ ପ୍ରାକୃତିକ ପ୍ରତିବନ୍ଧକ ହେଉଛି ପୃଥିବୀର ମାଧ୍ୟାକର୍ଷଣ ଶକ୍ତି । ପୃଥିବୀ ସମସ୍ତ ପଦାର୍ଥକୁ ତା ଆଡ଼କୁ ଆକର୍ଷଣ କରେ । ଏମିତିକି ଉପରକୁ ଫିଙ୍ଗିଥିବା କୌଣସି ପଦାର୍ଥ କିଛି ସମୟ ପରେ ଫେରିଆସି ଭୂପୃଷ୍ଠରେ ପଡ଼େ । ସେଥିପାଇଁ ଇସାକ୍ ନିଉଟନ ଗଛରୁ ଆତ ଖସି ପଡ଼ିବାରେ ବିସ୍ମିତ ହୋଇଥିଲେ ଏବଂ ଏଥିରୁ ମାଧ୍ୟାକର୍ଷଣ ଶକ୍ତିର ଅସ୍ତିତ୍ୱ କଳନା କରିଥିଲେ । ବ୍ୟୋମଯାନ ଏପରିକି ଶକ୍ତିଶାଳୀ ଗାଇଡେଡ ମିଜାଇଲ (Guided Missile) ବା କ୍ଷେପଣାସ୍ତ୍ର ମଧ୍ୟ ଏହି ମାଧ୍ୟାକର୍ଷଣର ନିଗୂଢ଼ ବନ୍ଧନକୁ ଛିଣ୍ଡାଇ ଯାଇପାରେ ନାହିଁ ।
ଏଥିପାଇଁ ରକେଟର ବା ହାବେଳିର ସାହାଯ୍ୟ ନିଆଯିବା ଦରକାର ପଡ଼ିଲା । ଏଥିରେ ବାରୁଦର ପ୍ରଚୁର ବ୍ୟବହାର ହେଉଥିଲା । ଚୀନ ଓ ଭାରତରେ ଯେଉଁ ହାବେଳି ଯାନ ବା କ୍ଷେପଣାସ୍ତ୍ରର ଚିନ୍ତା କରାଗଲା, ହାଇଦର ଓ ଟିପୁ ସୁଲତାନ ଇଂରେଜମାନଙ୍କ ବିରୁଦ୍ଧରେ ତାକୁ ପ୍ରୟୋଗ କରିଥିଲେ । ଶତୃପକ୍ଷ ଏହାଦ୍ୱାରା ଚମତ୍କୃତ ଓ ଭୀତତ୍ରସ୍ତ ହୋଇଥିଲା । ସେମାନେ ଶତୃସୈନ୍ୟଙ୍କ ଉପରେ ଏହା ବଳରେ ଅଗ୍ନିବର୍ଷା କରିପାରିଥିଲେ । ଏହା ପରେ ୟୁରୋପରେ ଏହି ହାବେଳିର ବ୍ୟବହାର ହୋଇଥିଲା ଏବଂ ବିଭିନ୍ନ ଦେଶର ସୈନ୍ୟମାନେ ଏହାର ଉପଯୋଗ କରିଥିଲେ ।
ରକେଟ ଯାନ
ମହାକାଶରେ ରକେଟ ଯାନର ବ୍ୟବହାର କଳ୍ପନାତୀତ ଥିଲା । ପ୍ରଥମେ ଜଣେ ଫରାସୀ କଥାକାର ଜୁଲେସ ବର୍ଣ୍ଣି ୧୮୬୫ ମସିହାରେ ତାଙ୍କର ପୁସ୍ତକ “ପୃଥିବୀରୁ ଚନ୍ଦ୍ରକୁ” ରେ ଏହି ବିଷୟରେ ସୂଚନା ଦେଇଥିଲେ । ବାରୁଦକୁ ଜାଳେଣି ରୂପେ ବ୍ୟବହାର କରି ଚନ୍ଦ୍ରଯାତ୍ରା କରିହେବ, ଏହା ସେ ବର୍ଣ୍ଣନା କରିଥିଲେ । ବର୍ଣ୍ଣିଙ୍କ ଏହି ଚିନ୍ତାଧାରା ଋଷର ଜଣେ ସ୍କୁଲଶିକ୍ଷକ କନଷ୍ଟାଣ୍ଟିନ ଟୋକୋଭଷ୍କିଙ୍କ ମନକୁ ଛୁଇଁଥିଲା । ସେ ଦରିଦ୍ର ପରିବାରରେ ଜନ୍ମଗ୍ରହଣ କରିଥିଲେ ଏବଂ ତାଙ୍କର ଉଚ୍ଚଶିକ୍ଷା ନଥିଲା । ମାତ୍ର ସ୍ୱାଧ୍ୟୟନ ଫଳରେ ବିଶେଷଜ୍ଞାନ ଅର୍ଜନ କରିଥିଲେ ଏବଂ ପଦାର୍ଥ ବିଜ୍ଞାନର ଅଧ୍ୟାପନା କରିବାକୁ ସମର୍ଥ ହୋଇଥିଲେ । ସେ ଗଣିତ ସାହାଯ୍ୟରେ ଦେଖାଇ ଦେଇଥିଲେ ଯେ ରକେଟକୁ ବ୍ୟବହାର କରି ମନୁଷ୍ୟ ତାର ମହାକାଶ ଯାନରେ ଚନ୍ଦ୍ରଲୋକକୁ ଯାତ୍ରା କରିପାରିବ । ରାଇଟ ଭାଇମାନେ (Wright Brothers) ୧୯୦୩ ମସିହାରେ ଉଡ଼ାଜାହାଜ ଉଡ଼ାଇବାରେ ସଫଳ ହେଲାବେଳେ, ଟୋକୋଭଷ୍କି ତାଙ୍କର ଏହି ନୂତନ ତଥ୍ୟକୁ ମୁଦ୍ରଣାକାରରେ ପ୍ରକାଶ କରିଥିଲେ । ସେ ମଧ୍ୟ ଜଣାଇଥିଲେ ଯେ ସୌରଶକ୍ତିର ଉପଯୋଗ କରି ମନୁଷ୍ୟ ଭୂପୃଷ୍ଠରୁ ହଜାର ହଜାର କିଲୋମିଟର ଦୂରରେ ନଗରମାନ ସୃଷ୍ଟି କରିବ ଏବଂ ସେହିସବୁ ନଗର ପୃଥିବୀକୁ ପରିକ୍ରମା କରିବ । ସେ ପୁଣି କହିଥିଲେ ଯେ ପୃଥିବୀ ମନୁଷ୍ୟର ଦୋଳି । ମାତ୍ର ଏହି ଦୋଳିରେ ସେ ବେଶୀଦିନ ରହିପାରିବ ନାହିଁ ।
ଟୋକୋଭଷ୍କିଙ୍କର ସମସାମୟିକ ନିକୋଲାଇ କିବାଲଚିକ ଅଳ୍ପ ବୟସରୁ ଜଣେ ବିପ୍ଳବୀ ଭାବରେ ପରିଚିତ ହୋଇଥିଲେ । ସେ ବୋମା ତିଆରି କରି ଋଷର ସମ୍ରାଟ ଜାରଙ୍କ ରେଳଗାଡ଼ିକୁ ଧ୍ୱଂସ କରିବାକୁ ଷଡ଼ଯନ୍ତ୍ର କରିବା ଅଭିଯୋଗରେ ମୃତ୍ୟୁଦଣ୍ଡର ଆଦେଶ ପାଇଥିଲେ । ସେତେବେଳେ ତାଙ୍କୁ ମାତ୍ର ୨୭ ବର୍ଷ ବୟସ ଏବଂ ମୃତ୍ୟୁଦଣ୍ଡକୁ ଅପେକ୍ଷା କଲାବେଳେ ରକେଟ ବିଜ୍ଞାନ ଉପରେ ଲେଖାଲେଖି କରିଥିଲେ । ସେଥିରେ ସେ ବାରୁଦ ସାହାଯ୍ୟରେ ମନୁଷ୍ୟ ମହାକାଶଯାତ୍ରା କରିପାରିବ, ଏହାର ସୂଚନା ଦେଇଥିଲେ । ତାଙ୍କର ଏହି ପ୍ରସ୍ତାବକୁ ବିଜ୍ଞାନୀଗଣ ପରୀକ୍ଷା କରି ଦେଖିବାକୁ ନିବେଦନ କରିଥିଲେ । ମାତ୍ର ଏହି କଥା ୧୯୧୭ ଅକ୍ଟୋବର ବିପ୍ଳବ ପର୍ଯ୍ୟନ୍ତ କାହାର ଦୃଷ୍ଟିକୁ ଆସିନଥିଲା ।
ତରଳ ଇନ୍ଧନ
ଆମେରିକାର ପଦାର୍ଥ ବିଜ୍ଞାନୀ ରବର୍ଟ ହୁଚିଙ୍ଗ ଗୋଡ଼ାଡ଼ ରକେଟ ବିଜ୍ଞାନର ବିକାଶରେ ଖୁବ ସହାୟକ ହୋଇଥିଲେ । ମାତ୍ର ରକେଟ ଚଳାଇବା ପାଇଁ ସେ ବାରୁଦ ବଦଳରେ ଏକ ତରଳ ଇନ୍ଧନ ଅଧିକ ସୁବିଧାଜନକ ହେବ ବୋଲି ପରାମର୍ଶ ଦେଇଥିଲେ । ୧୯୨୬ ମସିହା ମାର୍ଚ୍ଚ ୧୬ ତାରିଖରେ ସେ ପ୍ରଥମେ ତରଳ ଇନ୍ଧନ ପରିଚାଳିତ ରକେଟ ଛାଡ଼ିଥିଲେ । ଏହା ମାତ୍ର ୫୬ ମିଟର ଦୂରତା ଯାତ୍ରା କରିଥିଲେ ହେଁ ସେ ଏହା ଦ୍ୱାରା ମହାଶୂନ୍ୟ ଯାତ୍ରାର ଶୁଭ ଉଦ୍ଘାଟନ କରିଥିଲେ ।
ଏହି ସମୟରେ ଜର୍ମାନୀର ହର୍ମାନ ଓ ବେର୍ଥ ମହାଶୂନ୍ୟ ଯାତ୍ର ସମ୍ପର୍କରେ ଗଭୀର ଚିନ୍ତା କରିଥିଲେ। ସେ ୧୯୨୩ ମସିହାରେ ରକେଟ ଓ ମହାକାଶ ଅଭିଯାନ ବିଷୟରେ ଏକ ପୁସ୍ତକ ରଚନା କରିଥିଲେ। ମନୁଷ୍ୟ ମହାଶୂନ୍ୟରେ ବସତି ସ୍ଥାପନ କରି ପାରିବାର ସ୍ୱପ୍ନ ଦେଖିଥିଲେ । ତାଙ୍କର ପୁସ୍ତକ ୟୁରୋପର ବିଭିନ୍ନ ଦେଶରେ ଖୁବ ଲୋକପ୍ରିୟ ହୋଇଥିଲା ଏବଂ ସେସବୁ ଦେଶରେ “ରକେଟ ସମାଜ” ସ୍ଥାପିତ ହୋଇଥିଲା ।
ଋଷ ଓ ଜର୍ମାନୀରେ ରକେଟ ବିଜ୍ଞାନର ବିକାଶ ଘଟିଥିବା ଦ୍ୱିତୀୟ ବିଶ୍ୱଯୁଦ୍ଧ କାଳରେ ଶହଶହ ବିଜ୍ଞାନୀ ଏ ଦିଗରେ କ୍ରମାଗତ ଭାବରେ ପରୀକ୍ଷା ନିରୀକ୍ଷାମାନ ସଙ୍ଗଠନ କରିଥିଲେ । ଏହା ଫଳରେ ସେମାନେ ଭି-୨ (V-2) ନାମକ ଏକ ଶକ୍ତିଶାଳୀ ରକେଟ ଯାନ ତଥା କ୍ଷେପଣାସ୍ତ୍ର ଉତ୍ପଦନ କରିବାକୁ ସମର୍ଥ ହୋଇଥିଲେ । ୧୯୪୨ ମସିହାରେ ପ୍ରଥମ ଭି-୨ ରକେଟଟି ପରୀକ୍ଷା କରାଯାଇଥିଲା । ଏହାପରେ ଋଷର ବୈଜ୍ଞାନିକଗଣ ଉନ୍ନତ ରକେଟ ପ୍ରସ୍ତୁତିରେ ମନୋନିବେଶ କରିଥିଲେ ।
କୃତ୍ରିମ ଉପଗ୍ରହ – ଋଷର ଅପୂର୍ବ ସଫଳତା
ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଜର୍ମାନୀର ପ୍ରସିଦ୍ଧ ବୈଜ୍ଞାନିକମାନେ ଡକ୍ଟର ଓର୍ଣ୍ଣହର ଭନବ୍ରାଉନଙ୍କ ନେତୃତ୍ୱରେ ଆମେରିକା ଯୁକ୍ତରାଷ୍ଟ୍ରକୁ ପଳାଇ ଯାଇଥିଲେ । କେତେଜଣ ଜର୍ମାନୀ ବୈଜ୍ଞାନିକ ଋଷକୁ ମଧ୍ୟ ଯାତ୍ର କରିଥିଲେ । ଏହି ବୈଜ୍ଞାନିକଗଣ ଋଷ ଓ ଆମେରିକାରେ ଉଚ୍ଚ ଗବେଷଣା କରିଥିଲେ । ଏହି ସବୁ ଉଦ୍ୟମ ଫଳରେ ୧୯୫୭ ଅକ୍ଟୋବର ୪ ତାରିଖରେ ସୋଭିଏତ ଋଷ ମହାଶୂନ୍ୟକୁ ସ୍ପୁଟନିକ୍ ନାମକ ଆଉ ଏକ କୃତ୍ରିମ ଉପଗ୍ରହ ମହାକାଶକୁ ପଠାଇଥିଲା ।
୧୯୫୮ ମସିହାର ଶେଷଭାଗରେ ଆମେରିକା “ସ୍କୋର” ନାମକ ଏକ ଉପଗ୍ରହକୁ ଅନ୍ତରୀକ୍ଷକୁ ପଠାଇଥିଲା । ସେଥିରେ ରାଷ୍ଟ୍ରପତି ଆଇଜେନହାଓରଙ୍କର ଏକ ବଡ଼ଦିନବାର୍ତ୍ତା ଟେପରେକର୍ଡ଼ରେ ପଠାଯାଇିଲା । ବିଶ୍ୱବାସୀଙ୍କ ଉଦ୍ଦେଶ୍ୟରେ ଉକ୍ତ ଉପଗ୍ରହରୁ ତାହା ସଂପ୍ରସାରିତ ହୋଇଥିଲା । ୧୯୬୦ ମସିହାରେ ଆମେରିକା “କୋରିୟର” ନାମକ ଏକ ଉପଗ୍ରହକୁ ମହାକାଶକୁ ଉତ୍କ୍ଷେପଣ କରିଥିଲା । ଏହା ପୃଥିବୀରୁ ପ୍ରେରିତ ରେଡ଼ିଓ ସଂକେତ ଗ୍ରହଣ କରୁଥିଲା ଏବଂ ପରେ ତାକୁ ସଂପ୍ରସାରଣ କରୁଥିଲା । ତାକୁ ବିଶ୍ୱବାସୀମାନେ ଶୁଣିପାରିଥିଲେ । ଏହି ସବୁ କୃତ୍ରିମ ଉପଗ୍ରହ ସାରା ଜଗତର ବିଜ୍ଞାନ ଜଗତରେ ଆଲୋଡ଼ନ ସୃଷ୍ଟି କରିଥିଲା ଏବଂ ମାନବସଭ୍ୟତାରେ ଏକ ନୂତନ ଯୁଗର ଅଭ୍ୟୁଦୟ ଘଟାଇଥିଲା ।
୧୯୪୫ ମସିହାରେ ଇଂଲଣ୍ଡର ବିଖ୍ୟାତ ପଦାର୍ଥବିଦ୍ ଆର୍ଥର ଡି. କ୍ଲାର୍କ ଗୋଟିଏ ପୁସ୍ତକରେ ମହାକାଶଯାତ୍ରା ବିଷୟରେ ଗଭୀର ଆଲୋଚନା କରିଥିଲେ । ସେଥିରେ ସେ ସୂଚନା ଦେଇଥିଲେ ଯେ ଗୋଟିଏ କୃତ୍ରିମ ଉପଗ୍ରହ ୨୨,୩୦୦ ମାଇଲ ବା ପ୍ରାୟ ୩୩,୪୫୦ କି.ମି. ଉଚ୍ଚରେ ରହି ପୃଥିବୀର ସାଧାରଣ ଗତିରେ ତାକୁ ପ୍ରଦକ୍ଷିଣ କରିବ ଏବଂ ଏହା ଫଳରେ ଭୂପୃଷ୍ଠ ସହିତ ଏହାର ଏକ ସ୍ଥିର ଗତି ବା ସ୍ଥିରାବସ୍ଥା ବଜାୟ ରଖିପାରିବ। ଏହାକୁ ଭୂସ୍ଥିର ଗତି (Geostationary position) କୁହାଯାଇଥାଏ । କ୍ଲାର୍କଙ୍କ ମତରେ ପୃଥିବୀ ଉପରେ ଏହିପରି ସମାନ ଦୂରତାରେ ମହାକାଶରେ ତିନୋଟି ଉପଗ୍ରହ ରଖାଗଲେ, ସମଗ୍ର ବିଶ୍ୱ ସଂଚାରିତ ହୋଇପାରିବ ।
କୃତ୍ରିମ ଉପଗ୍ରହ ଏକ ଭୂସ୍ଥିର କକ୍ଷରେ ପୃଥିବୀକୁ ପରିକ୍ରମା କରିଥାଏ । ଏହା ପ୍ରାୟ ୩୬ ହଜାର କି.ମି. ଉପରେ ରହି ପ୍ରତି ସେକେଣ୍ଡରେ ତିନି କି.ମି. ବେଗରେ ଚବିଶ ଘଣ୍ଟାରେ ଥରେ ପୃଥିବୀକୁ ପ୍ରଦକ୍ଷିଣ କରିପାରେ । ଏବେ ହଜାର ହଜାର ସଂଖ୍ୟାରେ ଉପଗ୍ରହ ମହାକାଶକୁ ପଠାଯାଇଛି । ଏକା ସୋଭିଏତ ଋଷ ଏକ ହଜାରରୁ ଅଧିକ ଉପଗ୍ରହ ମହାଶୂନ୍ୟକୁ ଛାଡ଼ିସାରିଛି । ସେଥିରୁ କେତୋଟି ଜୀବିତ, ମାତ୍ର ଅଧିକାଂଶ ମୃତ ।
ଗାଗାରିନ୍ଙ୍କ ମହାକାଶଯାତ୍ରା
ଯୁକ୍ତରାଷ୍ଟ୍ର ଆମେରିକା ଏତିକିବେଳେ ମହାକାଶକୁ କୃତ୍ରିମ ଉପଗ୍ରହ ପଠାଇବାରେ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିଲା । ଋଷ୍ର ୟୁରି ଗାଗାରିନ୍ ହେଲେ ପୃଥିବୀର ପ୍ରଥମ ମହାକାଶଯାତ୍ରୀ । ସେ ୧୯୬୧ ଏପ୍ରିଲ ୧୨ ତାରିଖରେ ମହାକାଶକୁ ଯାଇଥିଲେ । ରକେଟ୍ ଚାଳିତ ଭୋସ୍ତକ-୧ ମହାକାଶ ଯାନରେ ସେ କୃତିତ୍ୱ ଲାଭ କରିଥିଲେ । ସେ ମହାକାଶରେ ୧୦୮ ମିନିଟ୍ କାଳ କଟାଇ ପୃଥିବୀକୁ ପରିକ୍ରମା କରିଥିଲେ। ଏହି ଭୋସ୍ତକ ଯାନ ଗୋଟିଏ କୃତ୍ରିମ ଉପଗ୍ରହ କହିଲେ ଭୁଲ୍ ହେବ ନାହିଁ । ଗାଗାରିନ୍ ତାଙ୍କର ଐତିହାସିକ ମହାକାଶ ଯାତ୍ରାର ବିବରଣୀ ଖୁବ୍ ସରସ ଓ ସାର୍ଥକ ଭାବରେ ନିଜ ଭାଷାରେ ଦେଇ ଯାଇଛନ୍ତି । ସେଥିରୁ କେତେକ ଅଂଶ ହେଲା-
“ଦୂରରୁ ପୃଥିବୀର ରୂପ କେତେ ସୁନ୍ଦର ଦେଖାଗଲା । ବଡ଼ ବଡ଼ ନଦୀ ପାହାଡ଼, ସବୁଜ ସମତଳ ଅଞ୍ଚଳ କି ଉଜ୍ଜଳ । ସୂର୍ଯ୍ୟ କିରଣରେ ଆଲୋକିତ ଶସ୍ୟ କ୍ଷେତ୍ରମାନ ସ୍ପଷ୍ଟ ଭାବରେ ଦେଖିପାରିଲି। ମୁଁ ହଠାତ୍ ପାଟିକରି ଉଠିଲି- ସତେ କି ସୁନ୍ଦର!”
“ମହାକାଶଯାନଟି ତାର କକ୍ଷ ପଥରେ ଘୂରିବାରେ ଲାଗିଲା । ମୋର କିଛି ଓଜନ ନ ଥିଲା ପରି ଲାଗିଲା । ପ୍ରଥମେ ମୋତେ ଟିକିଏ ଅସ୍ୱସ୍ତିକର ଲାଗିଲା । ତାପରେ ମୁଁ ଏଥିରେ ଅଭ୍ୟସ୍ତ ହୋଇଗଲି।”
“ଭୋସ୍ତକ ଯାନଟି ଘଣ୍ଟାକୁ ୨୮ ହଜାର କିଲୋମିଟର ବେଗରେ ଘୂରି ବୁଲିଲା । ଏହି ବେଗକୁ ତୁମେ ସହଜରେ ଅନୁମାନ କରିପାରିବ ନାହିଁ ।”
“ଯାନଟିରେ ଖଞ୍ଜାଯାଇଥିବା ଯନ୍ତ୍ରପାତି ସବୁ ଆପେ ଆପେ କାର୍ଯ୍ୟ କରିବାରେ ଲାଗିଲା । ମୁଁ ମଧ୍ୟ ସେ ସବୁକୁ ପରଖିନେଲି । ଦେଖିଲି ସବୁ ସୁରୁଖୁରୁରେ ଚାଲିଛି । ଏବେ ବେଳ ହୋଇଗଲା । ତଳକୁ ଆସିବାକୁ ହେବ ।”
“କ୍ରମେ ଯାନଟିର ବେଗ କମିଗଲା । ଏହା ବାୟୁମଣ୍ଡଳରେ ବହଳ ସ୍ତର ମଧ୍ୟ ଦେଇ ଖସିବା ପରି ଜଣାପଡ଼ିଲା । ଏହାର ବାହାରଟା ଖୁବ୍ ତାତି ଯାଇଥିଲା । ଲାଲ୍ ଟହ ଟହ ଦେଖାଗଲା । କିନ୍ତୁ ଭିତର କି ଥଣ୍ଡା।”
“ପୃଥିବୀ ଆଡ଼କୁ ନିଆଁ ହୁଳା ପରି ଭୋସ୍ତକ ଯାନଟି ଖସିବାରେ ଲାଗିଲା । ମୋ ଦେହର ଓଜନ ବଢ଼ିବାରେ ଲାଗିଲା । ବାୟୁର ଚାପ ମଧ୍ୟ ବଢ଼ିଲା । ଏମିତିକି ଉପରକୁ ଯିବା ବେଳଠାରୁ ଓହ୍ଲାଇବା ବେଳେ ଏହା ଅଧିକ ବୋଧ ହେଲା । ଯାନଟି ଘୂରିବାରୁ ମୁଁ ବ୍ୟସ୍ତ ହୋଇପଡ଼ିଲି । ମାତ୍ର ତାହା ଶିଘ୍ର ଠିକ୍ ହୋଇଗଲା ।”
“ଭୋସ୍ତକ ଆସ୍ତେ ଆସ୍ତେ ପୃଥିବୀ ଉପରକୁ ଖସିଲା । ମୁଁ ନିର୍ଦ୍ଦିଷ୍ଟ ସ୍ଥାନରେ ନିରାପଦରେ ଓହ୍ଲାଇଲି ।”
ଗାଗାରିନ୍ଙ୍କର ଏହି ସଫଳତାର କାହାଣୀ ସାରା ପୃଥିବୀରେ ଚମକ ସୃଷ୍ଟି କରିଦେଲା । ମହାକାଶଯାତ୍ରା ପାଇଁ ମନୁଷ୍ୟକୁ ନୂଆ ବଳ ଓ ସାହସ ଯୋଗାଇଲା । ଉପଗ୍ରହର ଉପାଦେୟତା ଓ କାର୍ଯ୍ୟଦକ୍ଷତା ସମ୍ପର୍କରେ ମନୁଷ୍ୟକୁ ନୂତନ ଜ୍ଞାନ ଓ ବିଶ୍ୱାସ ଜନ୍ମାଇଲା ।
ଆମେରିକାର ମହାକାଶଯାତ୍ରୀ
ସେହି ବର୍ଷ ଆମେରିକାର ପ୍ରଥମ ମହାକାଶଯାତ୍ରୀ ଆଲାନ୍ ସେଫାର୍ଡ଼ ମହାଶୂନ୍ୟକୁ ଯାଇଥିଲେ । ସେଠାରେ ସେ ୧୬ ମିନିଟ୍ କାଳ କଟାଇ ପୃଥିବୀକୁ ଫେରି ଆସିଥିଲେ । ତାହା ପରବର୍ଷ ଜୁଲାଇ ମାସରେ ଆଉ ଜଣେ ମାର୍କିନ୍ ମହାକାଶଯାତ୍ରୀ ମହାଶୂନ୍ୟକୁ ଯାଇ ୧୫ ମିନିଟ୍ ମଧ୍ୟରେ ପୃଥିବୀକୁ ବାହୁଡ଼ିଥିଲେ ।
୧୯୬୧ ଅଗଷ୍ଟ ୬ ତାରିଖରେ ଋଷ୍ର ଜେର୍ମନ୍ ତିତଭ ଭୋସ୍ତକ-୨ ଯାନରେ ମହାଶୂନ୍ୟକୁ ଯାଇଥିଲେ । ସେଠାରେ ସେ ୨୫ ଘଣ୍ଟା ରହି ଅନେକ ବୈଜ୍ଞାନିକ କାର୍ଯ୍ୟ କରିଥିଲେ । ପୃଥିବୀ ପରିକ୍ରମା କରି ନାନା ପ୍ରକାର ପରୀକ୍ଷା ନିରୀକ୍ଷା କରିଥିଲେ । ସେଠାରେ ସେ ଗୋଟିଏ ଫିଲିମ୍ ମଧ୍ୟ ଉଠାଇଥିଲେ । ନିଜର ନିତ୍ୟକର୍ମମାନ ସେ ସେହି ମହାକାଶରେ ରହି ସମାପନ କରିଥିଲେ ।
୧୯୬୨ ମସିହାରେ ମାର୍କିନ୍ ମହାକାଶଚାରୀମାନେ ମହାଶୂନ୍ୟକୁ ଯାତ୍ରା କରିଥିଲେ । କୃତ୍ରିମ ଉପଗ୍ରହରେ ସେମାନେ ପୃଥିବୀକୁ ପରିକ୍ରମା କରିଥିଲେ । ସେମାନେ ନିଜେ ମଝିରେ ମଝିରେ ଯାନଟିକୁ ଚଳାଇଥିଲେ । ସେହିବର୍ଷ ଦୁଇଜଣ ଋଷ୍ ମହାକାଶଯାତ୍ରୀ ଆଗପଛ ହୋଇ ଦୁଇଟି ଯାନରେ ଯାଇ ପାଖାପାଖି ବୁଲିଥିଲେ । ପରସ୍ପର କଥାବାର୍ତ୍ତା ହୋଇଥିଲେ ।
ଯୋଗାଯୋଗ ଉପଗ୍ରହ
୧୯୬୨ ମସିହାରେ “ଟେଲଷ୍ଟାର” ନାମକ ଏ ଉପଗ୍ରହ ମହାକାଶକୁ ପଠାଯାଇଥିଲା । ଏଥିରେ କେତେକ ଯୋଗାଯୋଗ ଯନ୍ତ୍ରପାତି ରଖାଯାଇଥିଲା । ତା’ ସାହାଯ୍ୟରେ ପୃଥିବୀରୁ ପ୍ରେରିତ ବାର୍ତ୍ତା ସଂଗୃହୀତ, ପରିବର୍ଦ୍ଧିତ ଓ ପୁନଃସଞ୍ଚାରିତ ହେଉଥିଲା ଯଥାସମୟରେ । ଏହି ଉପଗ୍ରହର ବ୍ୟାବସାୟିକ ସଫଳତା ଆଶାପ୍ରଦ । ଏହିସବୁ ଉପଗ୍ରହ ପୃଥିବୀକୁ ଅଳ୍ପ ଦୂରରେ ପରିକ୍ରମା କରୁଥଲେ । ତେଣୁ ଉପଗ୍ରହଟି ଦିଗ୍ବଳୟ ଅତିକ୍ରମ କଲାମାତ୍ରେ ଯୋଗାଯୋଗ ବାଧାପ୍ରାପ୍ତ ହେଉଥିଲା ।
ପ୍ରଥମେ ଯେଉଁ କୃତ୍ରିମ ଉପଗ୍ରହ ଏହି ବାଧାକୁ ଅତିକ୍ରମ କରି ପାରିଥିଲା, ତାହା ଦେହରୁ ସିନ୍କୋମ ଏବଂ ଯାହା ୧୯୬୩ ମହାଶୂନ୍ୟକୁ ଉତ୍କ୍ଷେପଣ କରାଯାଇଥିଲା । ବିଷୁବ ରେଖା ଉପରେ ୩୫,୮୦୦ କି.ମି. ବା ୨୨,୩୦୦ ମାଇଲ୍ ଉଚ୍ଚତାରେ ଏହି ଉପଗ୍ରହକୁ ଅବସ୍ଥାପିତ କରାଯାଇଥିଲା । ଏହା ପୃଥିବୀର ଗତି ସହିତ ସମତାଳ ରଖି ନିଜ କକ୍ଷରେ ବିଶ୍ୱ ପରିକ୍ରମା କରୁଥିଲା । ଏହା ଫଳରେ ଏହା ଭୂସ୍ଥିର (Geostationary) ଥିଲା । ଅର୍ଥାତ୍ ଏହି ଉପଗ୍ରହ ପୃଥିବୀକୁ ପରିକ୍ରମା କରୁଥିଲେ ହେଁ ପୃଥିବୀର ଗତି ସହିତ ତାହା ସମାନ ଥିବାରୁ ଏହା ଯୋଗାଯୋଗ ଦୃଷ୍ଟିରୁ ସ୍ଥିର ଥିଲା । ଏହି ସୁଯୋଗ ଫଳରେ ଏହି ଉପଗ୍ରହ ନିରନ୍ତର ପୃଥିବୀ ସହିତ ଯୋଗାଯୋଗ କରିପାରୁଥିଲା । ତେଣୁ ଟେଲିଭିଜନ, ରେଡିଓ ଓ ଟେଲିଫୋନ୍ ସେବା ସହଜ ଓ ସମ୍ଭବ ହେଲା ।
ଇଣ୍ଟଲଷ୍ଟାର୍ଟ
୧୯୬୫ ମସିହାରେ “ଇଣ୍ଟଲଷ୍ଟାଟ୍ ନାମକ ଏକ କୃତ୍ରିମ ଉପଗ୍ରହ ମହାକାଶକୁ ପଠାଯାଇଥିଲା । ଏହା ସାହାଯ୍ୟରେ ଆନ୍ତର୍ଜାତୀୟ ଯୋଗାଯୋଗର ସୁବିଧା କରାଯାଇଥିଲା । ଏହି ଉପଗ୍ରହ ପ୍ରଭାତୀ ପକ୍ଷୀ ବା Early Bird ନାମରେ ସୁପରିଚିତ । ଏହା ଆନ୍ତର୍ଦେଶୀୟ ଯୋଗାଯୋଗ କ୍ଷେତ୍ରରେ ବିପ୍ଳବ ଆଣିଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ । ବିଭିନ୍ନ ଦେଶରେ ଟେଲିଭିଜନ ଓ ଟେଲିଫୋନ୍ ସେବା କ୍ଷେତ୍ରରେ ଏହି ଉପଗ୍ରହ ଖୁବ୍ ସହାୟକ ହୋଇଥିଲା । ତାପରେ ଏହିପରି ଆଉ ଅନେକ କୃତ୍ରିମ ଉପଗ୍ରହ ମହାକାଶକୁ ପଠାଯାଇଛି । ଏବେ ଇଣ୍ଟଲ ସାର୍ଟ ନାମକ ଏକ ଆନ୍ତର୍ଜାତୀୟ ଦୂର ସଞ୍ଚାର ସଂସ୍ଥା (International Telecommunication organisation) ଏ ଦିଗରେ ଖୁବ୍ ସୁପରିଚିତ ଓ ସୁପ୍ରତିଷ୍ଠିତ ହୋଇପାରିଛି ।
ସାଇଟ୍ (SITE)
ଆମେରିକାର ରାଷ୍ଟ୍ରୀୟ ମହାକାଶ ବଗେଷଣା ସଂସ୍ଥା (NASA) ୧୯୭୪ ମସିହାରେ ଏକ ଶକ୍ତିଶାଳୀ କୃତ୍ରିମ ଉପଗ୍ରହକୁ ମହାକାଶକୁ ପ୍ରେରଣ କରିଥିଲା । ଉପଗ୍ରହ ଯୋଗାଯୋଗ କ୍ଷେତ୍ରରେ ଏହା ଏକ ଉଲ୍ଲେଖଯୋଗ୍ୟ ଭୂମିକା ଗ୍ରହଣ କରିଥିଲା । ପୂର୍ବେ ଉପଗ୍ରହ ଯୋଗାଯୋଗ ପାଇଁ ଭୁପୃଷ୍ଠରେ ଖୁବ୍ ଜଟିଳ ଓ ବିରାଟ କେନ୍ଦ୍ରମାନ ଆବଶ୍ୟକ ହେଉଥିଲା । ଏହି କେନ୍ଦ୍ରଗୁଡ଼ିକୁ ଭୂପୃଷ୍ଠସ୍ଥିତ (Terrestrial) କୁହାଯାଉଥିଲା । ଏହା ଥିଲା ଖୁବ୍ ବ୍ୟୟସାଧ୍ୟ ଏବଂ ସାଧାରଣ ସଂସ୍ଥା ବା ବ୍ୟକ୍ତିବିଶେଷଙ୍କ ବ୍ୟବହାର ପାଇଁ ଥିଲା ଅନୁପଯୁକ୍ତ । ମାତ୍ର କୃତ୍ରିମ ଉପଗ୍ରହ ଫଳରେ ଉନ୍ନତିଶୀଳ ରାଷ୍ଟ୍ର ଗୁଡ଼ିକରେ ଦୂରଦର୍ଶନ, ରେଡ଼ିଓ ଓ ଟେଲିଫୋନ୍ ସେବା ସହଜ ଓ ଶସ୍ତା ହୋଇପାରିଲା । ପ୍ରାଥମିକ ବିଦ୍ୟାଳୟଠାରୁ ଆରମ୍ଭ କରି ଡାକ୍ତରଖାନା ପର୍ଯ୍ୟନ୍ତ ସର୍ବତ୍ର ଏହି ସେବାର ସମ୍ପ୍ରସାରଣ ସମ୍ଭବ ହେଲା ।
୧୯୭୪ ମସିହା ମେ ମାସ ୩୦ ତାରିଖରେ ଏହି ଉପଗ୍ରହ (ATS-F ବା VI) ଯୁକ୍ତରାଷ୍ଟ୍ର ଆମେରିକାର କେପ୍ କାନଭୋରାଲଠାରେ ମହାକାଶକୁ ଉତ୍କ୍ଷେପଣ କରାଗଲା । ଏହାର ଓଜନ ଥିଲା ୩୧୦୦ ପାଉଣ୍ଡ ବା ପ୍ରାୟ ୧୫୦୦ କେଜି ଏବଂ ଭୂପୃଷ୍ଟରୁ ୨୨,୩୦୦ ମାଇଲ ବା ପ୍ରାୟ ୩୫,୮୦୦ କିମି ଉଚ୍ଚତାରେ ଏହା ପୃଥିବୀକୁ ପରିକ୍ରମା କଲା । ଏହାର ଗତି ପୃଥିବୀର ଗତି ସହିତ ସମାନ ହୋଇଥିବାରୁ ଏହା ସର୍ବଦା ନିର୍ଦ୍ଦିଷ୍ଟ ସ୍ଥାନରେ ଅବସ୍ଥାପିତ ହେଲା ପରି ଜଣାପଡୁଥିଲା । ଏହାକୁ ଭୂମିର ସ୍ଥିତି (Geostationary Position) ବୋଲି କୁହାଗଲା । ତେଣୁ ଯୋଗାଯୋଗ ଦୃଷ୍ଟିରୁ ଏହା ଖୁବ୍ ସୁବିଧାଜନକ ହେଲା ।
ଏହି ଉପଗ୍ରହ ୧୯୭୫ ଅଗଷ୍ଟ ମାସରୁ ୧୯୭୬ ଜୁଲାଇ ମାସ ପର୍ଯ୍ୟନ୍ତ ଭାରତର ଶିକ୍ଷା, ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ, ଜାତୀୟ ସଂହତି ପ୍ରଭୃତି ସମ୍ପର୍କରେ ଦୂରଦର୍ଶନ କାର୍ଯ୍ୟକ୍ରମର ସମ୍ପ୍ରସାରଣ ପାଇଁ କାର୍ଯ୍ୟ କରୁଥିଲା। ଏହି ପରିକଳ୍ପନାକୁ ଉପଗ୍ରହ ଶିକ୍ଷାମୂଳକ ଦୂରଦର୍ଶନ ପରୀକ୍ଷା (Satellite Instructional Television Experiment) ବା SITE କୁହାଯାଉଥିଲା । କାରଣ ସାରା ପୃଥିବୀରେ ପ୍ରଥମ ଥର ପାଇଁ କୃତ୍ରିମ ଉପଗ୍ରହକୁ ବିଧିବଦ୍ଧ ଭାବରେ ଶିକ୍ଷାମୂଳକ ଟେଲିଭିଜନ କାର୍ଯ୍ୟକ୍ରମ ସଞ୍ଚାରଣ ପାଇଁ ବିନିଯୋଗ କରାଯାଇଥିଲା । ପୁଣି ଯୁକ୍ତରାଷ୍ଟ୍ର ଆମେରିକା ବର୍ଷକ ପାଇଁ ଏହି ଅଭୂତପୂର୍ବ ପରୀକ୍ଷାର ସମ୍ପାଦନ ପାଇଁ ଧାର ସୂତ୍ରରେ ଭାରତକୁ ଦେଇଥିଲା।
ଏହି ପ୍ରସିଦ୍ଧ “ସାଇଟ୍” ପ୍ରକଳ୍ପ ଅନୁସାରେ ଭାରତର ଛଅଟି ରାଜ୍ୟ (ଆନ୍ଧ୍ର ପ୍ରଦେଶ, ବିହାର, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଓଡ଼ିଶା ଓ ରାଜସ୍ଥାନ)ର ୨୪୦୦ ଗ୍ରାମ ବଛାଯାଇ ଟେଲିଭିଜନ ସେଟ୍ ଯୋଗାଇ ଦିଆଯାଇଥିଲା । ଦିନବେଳା ପ୍ରାଥମିକ ବିଦ୍ୟାଳୟ ଓ ରାତ୍ରିରେ ଗୋଷ୍ଠୀ ବିକାଶ କାର୍ଯ୍ୟକ୍ରମମାନ ସମ୍ପ୍ରସାରିତ ହେଉଥିଲା । ଏହି କାର୍ଯ୍ୟରେ ଭାରତ ଓ ରାଜ୍ୟ ସରକାର ମିଳିମିଶି ଶିକ୍ଷକ ତାଲିମ ଠାରୁ ଆରମ୍ଭ କରି ଟେଲିଭିଜନ କାର୍ଯ୍ୟକ୍ରମର ପ୍ରସ୍ତୁତି ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟର ସଙ୍ଗଠନ କରୁଥିଲେ ।
ବହୁ ଅନୁଷ୍ଠାନ ଓ ବିଶ୍ୱବିଦ୍ୟାଳୟ ଏହି ଦୂରଦର୍ଶନ କାର୍ଯ୍ୟକ୍ରମର ମୂଲ୍ୟାୟନ କରିଥିଲେ । ଶିକ୍ଷା ଓ ଗୋଷ୍ଠୀ ବିକାଶ ଉପରେ ଏହି ସବୁ କାର୍ଯ୍ୟକ୍ରମର ପ୍ରଭାବ କିପରି ପଡ଼ିଥିଲା, ତାର ଅନୁଧ୍ୟାନ କରିଥିଲେ । ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ବୃଦ୍ଧି ଠାରୁ ଆରମ୍ଭ କରି ଭାଷାଜ୍ଞାନର ଉନ୍ନତି ପର୍ଯ୍ୟନ୍ତ ବହୁଦିଗରେ ପରିବର୍ତ୍ତନ ପରିଲକ୍ଷିତ ହୋଇଥିଲା । ଗ୍ରାମ ବିକାଶରେ ମଧ୍ୟ ଦୂରଦର୍ଶନ କାର୍ଯ୍ୟକ୍ରମର ବିଶେଷ ପ୍ରଭାବ ଅନୁଭୂତ ହୋଇଥିଲା । କୃତ୍ରିମ ଉପଗ୍ରହ ପରି ଏକ ଅତ୍ୟାଧୁନିକ ବୈଜ୍ଞାନିକ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବାରେ ଅପୂର୍ବ ସାଫଲ୍ୟ ଓ ଅଭିଜ୍ଞତା ମିଳିଥିଲା।
ଋଷ୍-ଆମେରିକା ପ୍ରତିଯୋଗିତା
ଋଷ୍ ଓ ଆମେରିକା ମଧ୍ୟରେ ପ୍ରତିଯୋଗିତା ଚାଲିଲା । ବାଣ ରୋଷଣି ପରି ମହାକାଶ ଯାତ୍ରାରେ ସେମାନଙ୍କର ବାଜି ଲାଗିଥିଲା । ବହୁ କୃତ୍ରିମ ଉପଗ୍ରହ ମହାଶୂନ୍ୟକୁ ପଠାଯାଇ ପରୀକ୍ଷାନିରୀକ୍ଷା ସଙ୍ଗଠିତ ହୋଇଥିଲା । ମନୁଷ୍ୟର ମହାକାଶଯାତ୍ରା ପାଇଁ ଏବଂ ଯୋଗାଯୋଗ କ୍ଷେତ୍ରରେ କୃତ୍ରିମ ଉପଗ୍ରହର ଉପଯୋଗିତା ଓ କାର୍ଯ୍ୟକାରିତା ପାଇଁ ଏହି ପ୍ରତିଯୋଗିତା ପଥ ପରିଷ୍କାର କରି ଦେଇଥିଲା ।
୧୯୬୩ ଜୁନ୍ ମାସରେ ଭୋସ୍ତକ-୬ ଯାନରେ ପ୍ରଥମ ମହିଳା ମହାକାଶଚାରୀ ଭାଲେନ୍ତିନା ତେରିସ୍କୋଭା ମହାଶୂନ୍ୟକୁ ଯାଇଥିଲେ । ତା ପୂର୍ବରୁ ଭୋସ୍ତକ-୫ରେ ମହାକାଶକୁ ଭାଲେରୀ ବାଇକୋଭାସ୍କି ଯାଇଥିଲେ। ଭାଲେନ୍ତିନା ମହାଶୂନ୍ୟରେ ବହୁ ପରୀକ୍ଷାନିରୀକ୍ଷା କରିଥିଲେ । ସେ ୪୯ ଥର ପୃଥିବୀ ପରିକ୍ରମା କରି ଅନ୍ୟ ମହାକାଶଯାନର ଯାତ୍ରୀ ଭାଲେରୀଙ୍କ ସହିତ କଥାବାର୍ତ୍ତା କରିଥିଲେ ।
୧୯୬୪ ମସିହାରେ ଋଷ୍ର ତିତଭ, ଇୟେଗୋରଭ ଓ କୋମରଭ ନାମକ ତିନିଜଣ ମହାକାଶଚାରୀ ଗୋଟିଏ ଗୋଟିଏ ଯାନରେ ମହାଶୂନ୍ୟକୁ ଯାତ୍ରା କରିଥିଲେ । ସେମାନେ ପ୍ରାୟ ୨୪ ଘଣ୍ଟା ମହାକାଶରେ ଅତିବାହିତ କରି ପୃଥିବୀକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।
୧୯୬୫ ମସିହାରେ ଋଷ୍ର ପାଭେଲ୍, ବେଲୟେଭ ଓ ଆଲେନ୍ସିସ୍ ନରଓନଭ ଗୋଟିଏ ମହାକାଶ ଯାନରେ ମହାଶୂନ୍ୟକୁ ଯାତ୍ରା କରିଥିଲେ । ସେମାନେ ପୃଥିବୀକୁ ୧୭ ଥର ପ୍ରଦକ୍ଷିଣ କରିଥିଲେ । ଏହି ସମୟରେ ଲିଓନଭ ମହାକାଶଯାନରୁ ବାହାରି ମହାଶୂନ୍ୟରେ ୧୦ ମିନିଟ୍ କାଳ ବୁଲିଥିଲେ । ସେ ଦଉଡ଼ିଟିଏ ଧରି ପାଣିରେ ପହଁରିଲା ପରି ମହାକାଶଯାନରେ ଲାଗିଥିବା ଫିତାଟିକୁ ଧରି ମହାକାଶରେ ବିଚରଣ କରିଥିଲେ ।
ସେହି ବର୍ଷ ଆମେରିକା ମହାକାଶଯାତ୍ରୀମାନେ ଦୁଇ ତିନି ଥର ମହାଶୂନ୍ୟକୁ ଯାଇଥିଲେ ଏବଂ ପୃଥିବୀକୁ ପରିକ୍ରମା କରିବା ମଧ୍ୟରେ ବହୁ ପରୀକ୍ଷାନିରୀକ୍ଷା କରିଥିଲେ । ସେମାନେ ମହାଶୂନ୍ୟରେ ଦୁଇଟି ଯାନକୁ ଏକାଠି ଯୋଡ଼ି ପାରିଥିଲେ । ଏଡ଼ୱାଡ଼ ହ୍ୱାଇଟ୍ ନାମକ ଜଣେ ମାର୍କିନ୍ ମହାକାଶଚାରୀ ନିଜ ଯାନରୁ ବାହାରି ମହାଶୂନ୍ୟରେ ଭ୍ରମଣ କରିଥିଲେ ।
ଚନ୍ଦ୍ରଦେଶକୁ ଯାତ୍ରା
୧୯୬୬ ମସିହା ଫେବୃୟାରୀ ୩ ତାରିଖରେ ସୋଭିଏତ୍ ଋଷ୍ ଗୋଟିଏ ମହାକାଶଯାନକୁ ଚନ୍ଦ୍ରକୁ ପଠାଇବାରେ ସଫଳ ହୋଇଥିଲା । ଏହି ଯାନ ଲୁନା-୯ ଚନ୍ଦ୍ର ଉପରେ ଓହ୍ଲାଇ ସେଠାରୁ ବହୁ ଚିତ୍ର ଉଠାଇ ଭୂପୃଷ୍ଟକୁ ପଠାଇଥିଲା ।
କୃତ୍ରିମ ଉପଗ୍ରହରେ ଆମେରିକାର ମହାକାଶଯାତ୍ରୀମାନେ ପୃଥିବୀ ପରିକ୍ରମା କରିବା ସଙ୍ଗେ ସଙ୍ଗେ ଚନ୍ଦ୍ରପାଖରୁ ତାର ପ୍ରାକୃତିକ ତଥା ଭୌଗୋଳିକ ଅବସ୍ଥା ପର୍ଯ୍ୟବେକ୍ଷଣ କରିଥିଲେ । ଅନେକ ଦୃଷ୍ଟିରୁ ଫଟୋଚିତ୍ରମାନ ଉଠାଇ ସେଗୁଡ଼ିକର ଅନୁଧ୍ୟାନ କରିଥିଲେ ଏବଂ ଚନ୍ଦ୍ରରାଜ୍ୟର ବାସ୍ତବ ଅବସ୍ଥା ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲେ । ଯେଉଁ ଯାନରେ ସେମାନେ ଏ ଦିଗରେ ବିଶେଷ ସଫଳତା ଅର୍ଜନ କରିଥିଲେ ତାହା ହେଲା ଜେମିନୀ ।
୧୯୬୬ ଖ୍ରୀଷ୍ଟାବ୍ଦ ସେପ୍ଟେମ୍ବର ମାସରୁ ଆମେରିକା ଆଉ ଏକ ନୂତନ ଧରଣର ମହାକାଶଯାନ ବ୍ୟବହାର କରିଥିଲା, ତାର ନାମ ହେଲା ଆପୋଲୋ । ଏହି ଉପଗ୍ରହ ସାହାଯ୍ୟରେ ମନୁଷ୍ୟ ମହାଶୂନ୍ୟରେ ପରିକ୍ରମା କଲା ଏବଂ ଚନ୍ଦ୍ରଦେଶରେ ନିଜର ପାଦ ଦେଇପାରିଲା ।
୧୯୬୯ ମସିହା ମାର୍ଚ୍ଚ ମାସରେ ଆମେରିକାର ତିନିଜଣ ମହାକାଶଚାରୀ ଜେମ୍ସ ମ୍ୟାକ୍, ଡେଭିଡ୍ ଷ୍କଟ୍ ଓ ସୋଆଇକଟ୍ ଆପୋଲୋ-୯ ରେ ମହାଶୂନ୍ୟକୁ ଯାଇଥିଲେ । ସେଠରେ ସେ ନିଜ ଯାନ ସହିତ ଏକ ଚନ୍ଦ୍ରଯାନ ଯୋଡ଼ିଥିଲେ । ସୋଆଇକଟ୍ ମହାଶୂନ୍ୟରେ ୨ ଘଣ୍ଟା ଚାଲିଥିଲେ ଏବଂ ଆପୋଲୋ ଯାନରୁ ଚନ୍ଦ୍ରଯାନ ଓ ଚନ୍ଦ୍ରଯାନରୁ ଆପୋଲୋ ୯ କୁ ଯିବା ଆସିବା କରି ପାରିଥିଲେ । ଏହି ମହାକାଶ ଯାତ୍ରୀମାନେ ଚନ୍ଦ୍ର ଠାରୁ ମାତ୍ର ୧୫ କିମି ଦୂରରେ ଥାଇ କେଉଁ ସ୍ଥାନରେ ମନୁଷ୍ୟ ଓହ୍ଲାଇ ପାରିବ, ତାର କଳ୍ପନା କରିଥିଲେ ।
ସେହି ବର୍ଷ ଆପୋଲୋ-୧୦ ଉପଗ୍ରହ ଚନ୍ଦ୍ରର ଆହୁରି ନିକଟକୁ ଯାଇଥିଲା । ଚନ୍ଦ୍ରପୃଷ୍ଠର ଅବସ୍ଥା ଓ ଜଳବାୟୁ ସମ୍ପର୍କରେ ପ୍ରତ୍ୟକ୍ଷ ଜ୍ଞାନ ଓ ଅନୁଭୂତି ସଂଗ୍ରହ କରିବାରେ ସୁବିଧାଜନକ ହୋଇଥିଲା । ଏହା ପରେ ଚନ୍ଦ୍ର ପୃଷ୍ଠରେ ଓହ୍ଲାଇବା ପାଇଁ ମନୁଷ୍ୟ ପକ୍ଷେ ସହଜ ହୋଇଥିଲା ।
ଜହ୍ନ ରାଇଜରେ ମଣିଷ
୧୯୬୯ ମସିହା ଜୁଲାଇ ୧୬ ତାରିଖ ମଣିଷ ଜାତିର ଇତିହାସରେ ଏକ ସ୍ମରଣୀୟ ଦିବସ । ସେଦିନ ମନୁଷ୍ୟର ବହୁଦିନର ସ୍ୱପ୍ନ ସାର୍ଥକ ହୋଇଥିଲା । ଆମେରିକାର ତିନିଜଣ ମହାକାଶଯାତ୍ରୀ ନିଲ ଆର୍ମଷ୍ଟ୍ରଙ୍ଗ୍, ମାଇକେଲ୍ କଲିନ୍ସ ଓ ଏଡୁଇନ୍ ଆଲ୍ଡ୍ରିନ୍ ଆପୋଲୋ-୧୧ ଉପଗ୍ରହରେ ଜହ୍ନ ରାଇଜକୁ ଯାତ୍ରା କରିଥିଲେ । ଗୋଟିଏ ଶକ୍ତିଶାଳୀ ରକେଟ୍ ସାହାଯ୍ୟରେ ଏହି ମହାକାଶଯାନକୁ ଉତ୍କ୍ଷେପଣ କରା ଯାଇଥିଲା । ଏଥି ସହିତ ଗୋଟିଏ ଚନ୍ଦ୍ରଯାନ ସଂଯୁକ୍ତ ହୋଇଥିଲା ।
ଭୂପୃଷ୍ଠକୁ ଛାଡ଼ିବାର ଅଢ଼େଇ ଘଣ୍ଟା ପରେ କୃତ୍ରିମ ଉପଗ୍ରହଟି ମହାଶୂନ୍ୟରେ ପହଞ୍ଚିଥିଲା ଏବଂ ନିଜର କକ୍ଷ ପଥରେ ଘୂରିବୁଲିଲା । ସେଠାରୁ ଚନ୍ଦ୍ରଯାନ “ଇଗଲ୍” ବିଚ୍ଛିନ୍ନ ହୋଇ ଚନ୍ଦ୍ର କକ୍ଷପଥରେ ପହଞ୍ଚିଲା। ସେଥିରେ ଥିଲେ ଆର୍ମଷ୍ଟ୍ରଙ୍ଗ୍ ଓ ଆଲ୍ଡ୍ରିନ୍ । ଚନ୍ଦ୍ରଯାନଟି ପ୍ରାୟ ରାତି ୨ଟାରେ ଚନ୍ଦ୍ରଦେଶରେ ଓହ୍ଲାଇଲା । ମହାକାଶଚାରୀମାନେ ଆମେରିକାର କେପ୍ କେନେଡ଼ି ମହାକାଶ ଗବେଷଣା କେନ୍ଦ୍ରର କର୍ମଚାରୀମାନଙ୍କ ସହିତ କଥାବାର୍ତ୍ତା କରିଥିଲେ । ସେମାନେ ଚନ୍ଦ୍ରଯାନରେ ପ୍ରାୟ ୬ ଘଣ୍ଟା କାଳ ବିଶ୍ରାମ ନେଇଥିଲେ ।
୧୯୬୯ ମସିହା ଜୁଲାଇ ୨୧ ତାରିଖ ସକାଳ ୮ଟା । ଆର୍ମଷ୍ଟ୍ରଙ୍ଗ୍ ପ୍ରଥମେ ଗୋଟିଏ ସିଡ଼ିରେ ଚନ୍ଦ୍ରଯାନରୁ ଓହ୍ଲାଇଲେ । ଚନ୍ଦ୍ର ଦେଶରେ ନିଜର ବାମ ପାଦଟି ରଖି ଅପୂର୍ବ ଆନନ୍ଦରେ ସେ ବିହ୍ୱଳ ହୋଇ ପଡ଼ିଥିଲେ । ଯେଉଁ ଜହ୍ନ କବିର କଳ୍ପନାରେ ଥିଲା ଏବଂ ମାଆର ପିଲାକୁ ବୁଝାଇବା ପାଇଁ ଏକ ବାହାନା ଥିଲା, ସେ ଆଜି ମଣିଷର ପାଦତଳକୁ ଆସିପାରିଲା । କି ଅସମ୍ଭବ କଥା ସମ୍ଭବ ହୋଇପାରିଲା ସତେ !!
ଜହ୍ନ ରାଇଜରେ ଆର୍ମଷ୍ଟ୍ରଙ୍ଗ ପ୍ରଥମେ ଖୁବ୍ ଧୀର ଭାବରେ ଚାଲିଲେ । କାରଣ ମାଧ୍ୟାକର୍ଷଣ ଶକ୍ତିଠାରୁ ଚନ୍ଦ୍ରର ସେହି ଶକ୍ତି ମାତ୍ର ଛଅଭାଗରୁ ଏକଭାଗ । ଜହ୍ନଭୂଇଁରେ ସେ ଚାଲି ଓ ତାର ଦୃଶ୍ୟମାନ ଦେଖି ଆନନ୍ଦିତ ହେଲେ । ସେ ଯଥାର୍ଥରେ କହିଥିଲେ – “ଗୋଟିଏ ମଣିଷ ପାଇଁ ଏହା ଏକ ଛୋଟ ପାହୁଣ୍ଡ । ମାତ୍ର ମଣିଷ ଜାତି ପାଇଁ ଏହା ଏକ ମସ୍ତବଡ଼ ଲମ୍ଫ ପ୍ରଦାନ ।” ସାରା ଜଗତ ଏହି ଘଟଣାରେ ଆଚମ୍ବିତ ହେଲେ । ଆମେରିକାର ରାଷ୍ଟ୍ରତି ନିକ୍ସନ୍ ସେହି ମହାକଶଚାରୀଙ୍କୁ ଅଭିନନ୍ଦନ ଜଣାଇ କହିଥିଲେ – ଚନ୍ଦ୍ରରେ ତୁମ ଦୁଇଜଣଙ୍କର ପହଞ୍ଚିବା ମଣିଷ ଜାତିର ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ । ଏହି ଗୌରବପୂର୍ଣ୍ଣ ସଫଳତାରେ ଆମେ ଗର୍ବିତ ।
କିଛି ସମୟ ପରେ ଆଲ୍ଡ୍ରିନ୍ ଚନ୍ଦ୍ରଯାନରୁ ଓହ୍ଲାଇଥିଲେ । ସେମାନେ ସାଥିହୋଇ ସେଠାରେ ବୁଲାବୁଲି କଲେ । କେତେ ପ୍ରକାର ପରୀକ୍ଷା ନିରୀକ୍ଷା କଲେ । ସେଠାରେ ଧୂଳିବାଲି ପଥରରେ ଖେଳିବା ଓ ସେଗୁଡ଼ିକୁ ସାଉଁଟିବାକୁ ସେମାନଙ୍କର ମନ ହେଲା । ଚନ୍ଦ୍ର ପୃଷ୍ଠରେ ସେମାନେ କେତେକ ସନ୍ତକ ଓ ଯୁକ୍ତରାଷ୍ଟ୍ର ଆମେରିକାର ଜାତୀୟ ପତାକା ରଖିଥିଲେ । ଚନ୍ଦ୍ରକୁ ପ୍ରଦକ୍ଷିଣ କରୁଥିବା ଆପୋଲୋ-୧୧ ମହକାଶଯାନରେ କଲିନ୍ସ ରହି ସେମାନଙ୍କ ସହିତ ବେତାରରେ କଥାବାର୍ତ୍ତା ହେଉଥିଲେ । ପୃଥିବୀକୁ ମଧ୍ୟ ସେମାନେ ସେମାନଙ୍କ ଅନୁଭୂତିର ବିବରଣୀମାନ ଜଣାଉଥିଲେ ।
ଆଲଡ୍ରିନ୍ ଓ ଆର୍ମଷ୍ଟ୍ରଙ୍ଗ ଚନ୍ଦ୍ରଯାନ ଇଗଲ୍କୁ ଫେରି ଆସିଲେ ଏବଂ ଘରବାହୁଡ଼ା ପାଇଁ ପ୍ରସ୍ତୁତ ହେଲେ । କଲିନ୍ସଙ୍କୁ ମହାକାଶଯାନଟିକୁ ଏଥିପାଇଁ ପ୍ରସ୍ତୁତ ରଖିବାକୁ କୁହାଗଲା । କାରଣ ଏହି ମୂଳ ଯାନ ସହିତ ଚନ୍ଦ୍ରଯାନଟିକୁ ଯୋଡ଼ିବା କଠିନ ବ୍ୟାପାର ଥିଲା । ତେବେ ସେହି କାର୍ଯ୍ୟଟି ସୁରୁଖୁରୁରେ ହୋଇଗଲା । ଆଲ୍ଡ୍ରିନ୍ ଓ ଆର୍ମଷ୍ଟ୍ରଙ୍ଗ ଗୋଟିଏ ସଂକୀର୍ଣ୍ଣ ରାସ୍ତାରେ ମୂଳଯାନ ଭିତରକୁ ପ୍ରବେଶ କରିଥିଲେ । ଜହ୍ନ ରାଇଜରୁ ନେଇଥିବା ବାଲି ଗୋଡ଼ି ଓ ପଥର ସେଠାରେ ରଖିଲେ । ଜହ୍ନଯାନଟିକୁ ମୂଳଯାନରୁ ଅଲଗା କରି ଦିଆଗଲା ।
ଏବେ ମୂଳଯାନଟି ବିଜୁଳୀ ବେଗରେ ଭୂପୃଷ୍ଠକୁ ଆସିବାରେ ଲାଗିଲା । ଟେଲିଭିଜନ୍ରେ ଲକ୍ଷ ଲକ୍ଷ ଲୋକ ସେମାନଙ୍କର ଘର ବାହୁଡ଼ା ଦୃଶ୍ୟ ଦେଖିବାରେ ଲାଗିଲେ । ଶେଷରେ ପ୍ରଶାନ୍ତ ମହାସାଗରରେ ମୂଳଯାନଟି ଓହ୍ଲାଇଲା । ମହାକାଶଯାତ୍ରୀମାନଙ୍କୁ ଉଦ୍ଧାର କରିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା ହୋଇଥିଲା । ହେଲିକପ୍ଟରରୁ ରବର ଭେଳା ସାହାଯ୍ୟରେ ଉଦ୍ଧାରକାରୀମାନେ ସେମାନଙ୍କୁ ସମୁଦ୍ର ଭିତରୁ ସାଉଁଟି ନେଇଥିଲେ । ରାଷ୍ଟ୍ରପତି ନିକ୍ସନ୍ ସେମାନଙ୍କୁ ସମ୍ବର୍ଦ୍ଧନା ଜଣାଇ କହିଥିଲେ – ଆପଣମାନଙ୍କ ଚନ୍ଦ୍ରଯାତ୍ରା ପୃଥିବୀ ଇତିହାସର ଏକ ଅଭୁଲା ଘଟଣା । ଆପଣମାନଙ୍କ ସଫଳତା ସମସ୍ତଙ୍କୁ ନିକଟତର କରିପାରିଛି ।
ମହାକଶଚାରୀମାନଙ୍କୁ ଗୋଟିଏ ଉଡ଼ାଜାହାଜରେ ହଷ୍ଟନ୍ ମହାଶୂନ୍ୟ ଗବେଷଣା କେନ୍ଦ୍ରକୁ ନିଆଯାଇଥିଲା । ସେମାନେ ଚନ୍ଦ୍ର ପୃଷ୍ଠରେ କୌଣସି ରୋଗ ଜୀବାଣୁ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି କି ନାହିଁ ଜାଣିବା ପାଇଁ ସେମାନଙ୍କୁ ଗୋଟିଏ ସ୍ୱତନ୍ତ୍ର ଗୃହରେ ୧୬ ଦିନ ପାଇଁ ରଖାଯାଇଥିଲା । ନିଜର ସ୍ତ୍ରୀ ପିଲା, ବାପାମାଆ ଦୂରରୁ ସେମାନଙ୍କୁ ସାକ୍ଷାତ କଲେ । ପରେ କେତେକ ପରୀକ୍ଷାରୁ ଜଣାପଡ଼ିଲା ଯେ ଜହ୍ନ ରାଇଜରେ କୌଣସି ରୋଗ ଜୀବାଣୁ ନାହାନ୍ତି । ବିଜ୍ଞାନୀମାନେ ଜହ୍ନ ରାଇଜରୁ ଅଣାଯାଇଥିବା ପଦାର୍ଥ ଗୁଡ଼ିକୁ ପରୀକ୍ଷାନିରୀକ୍ଷା କରିଥିଲେ । ସେଥିରୁ ଚନ୍ଦ୍ରରେ କୌଣସି ଜୀବସତ୍ତାର ସନ୍ଧାନ ମିଳି ନଥିଲା ।
୧୯୬୯ ମସିହା ନଭେମ୍ବର ମାସ ୧୪ ତାରିଖରେ ଆପୋଲୋ-୧୨ ମହାକାଶଯାନକୁ ପ୍ରେରଣ କରାଯାଇଥିଲା । ସେଥିରେ କନରାଡ୍, ଆଲାନ୍ ବିନ୍ ଓ ରିଚାର୍ଡ଼ ଗର୍ଡ଼ନ – ଏହି ତିନି ଜଣ ମହାକାଶଚାରୀ ଯାଇଥିଲେ । ପ୍ରଥମ ଦୁଇଜଣ ନିରାପଦରେ ଚନ୍ଦ୍ର ପୃଷ୍ଠରେ ଓହ୍ଲାଇଥିଲେ । ସେମାନେ ନାନା ପ୍ରକାର ପରୀକ୍ଷାନିରୀକ୍ଷା ଓ ଅନୁଧ୍ୟାନ କରିଥିଲେ । ଗର୍ଡ଼ନ୍ ମୂଳ ଉପଗ୍ରହରେ ରହି ପୃଥିବୀ ପ୍ରଦକ୍ଷିଣ କରିଥିଲେ । ସେହି ମାସ ୨୪ ତାରିଖରେ ସେମାନେ ପୃଥିବୀକୁ ଫେରି ଆସିଥିଲେ।
୧୯୭୦ ଏପ୍ରିଲ୍ ୧୨ ତାରିଖରେ ଆପୋଲୋ ୧୩ ସାହାଯ୍ୟରେ ଲଭେଲ୍, ଫ୍ରେଡ଼ଏଇସ୍ ଓ ଜନସ୍ପିରିଟ୍ ମହାକାଶଯାତ୍ରା କରିଥିଲେ । ଏପ୍ରିଲ ୧୪ ତାରିଖରେ ସେଥିରେ ଏକ ସାଂଘାତିକ ଯାନ୍ତ୍ରିକ ତ୍ରୁଟି ଦେଖି ସେମାନେ ଶଙ୍କାକୁଳ ହୋଇ ପଡ଼ିଥିଲେ । ସେମାନଙ୍କୁ ପୃଥିବୀକୁ ଫେରି ଆସିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସେମାନେ ଚନ୍ଦ୍ରରେ ପହଞ୍ଚିବାକୁ ବିଫଳ ହୋଇଥିଲେ । ମାତ୍ର ଭୂପୃଷ୍ଠକୁ ନିରାପଦରେ ଫେରି ଆସିବାକୁ ସଫଳ ହୋଇଥିଲେ।
ରଙ୍ଗୀନ୍ ଟେଲିଭିଜନ୍ରେ ଚନ୍ଦ୍ରଦୃଶ୍ୟ
୧୯୭୧ ମସିହା ଫେବୃୟାରୀ ୫ ତାରିଖରେ ଆପୋଲୋ ୧୪ ମହାକାଶ ଯାନଟିରେ ଆଲାନ୍ ବି ସେଫାର୍ଡ଼, ଷ୍ଟୁଆର୍ଟ ଏ. ରୁଜା ଓ ଏଡ଼ଗାର ଡି. ମିଚେଲ୍ ଚନ୍ଦ୍ରଦେଶକୁ ଯାତ୍ରା କରିଥିଲେ । ସେଫାର୍ଡ଼ ଓ ମିଚେଲ୍ ଚନ୍ଦ୍ରଯାନରେ ଜହ୍ନ ରାଇଜକୁ ଗଲେ ଓ ଷ୍ଟୁଆର୍ଟ ରୁଜା ମୂଳଯାନରେ ରହି ପରିକ୍ରମା କଲେ । ଚନ୍ଦ୍ରଯାତ୍ରୀମାନେ ଚନ୍ଦ୍ରପୃଷ୍ଠରେ ସମସ୍ତ ପରୀକ୍ଷା ନିରୀକ୍ଷା କରିଥିଲେ ଏବଂ ଗୋଟିଏ ଦୁଇ ଚକିଆ ଗାଡ଼ି ବ୍ୟବହାର କରିଥିଲେ । ପ୍ରଥମ ଥର ପାଇଁ ଚନ୍ଦ୍ରଦେଶର ସମସ୍ତ ଦୃଶ୍ୟ ରଙ୍ଗୀନ୍ ଟେଲିଭିଜନ୍ରେ ବିଶ୍ୱବାସୀମାନେ ଦେଖି ଚମତ୍କୃତ ହୋଇଥିଲେ ।
୧୯୭୧ ମସିହା ଜୁଲାଇ ୨୬ ତାରିଖରେ ମହାକାଶ କେନ୍ଦ୍ର କେପ୍କେନେଡ଼ି ଠାରୁ ପ୍ରକାଣ୍ଡ ମହାକାଶଯାନ ଅପୋଲୋ ୧୫ ଯାତ୍ରାରମ୍ଭ କଲା । ଡେଭିଡ଼୍ ଆର ସ୍କଟ୍, ଆଲଫ୍ରେଡ଼୍ ଏମ୍. ଓଡ଼ିନ୍ ଓ ଜେମ୍ସ ବି. ଇର୍ଉଇନ୍ ଥିଲେ ଏଥିରେ ମହାକାଶଯାତ୍ରୀ । ଓଡ଼ିନ୍ ମୂଳଯାନରେ ଚନ୍ଦ୍ରକୁ ପରିକ୍ରମା କଲେ । ସ୍କଟ ଓ ଇର୍ଉଇନ୍ ଚନ୍ଦ୍ରଯାନରେ ଯାଇ ଜହ୍ନ ରାଇଜରେ ଓହ୍ଲାଇଲେ । ଏକ କମ୍ପ୍ୟୁଟର୍ ଓ ଗୋଟିଏ କ୍ୟାମେରା ସେଥିରେ ଖଞ୍ଜା ଯାଇଥିଲା । ସେମାନେ ସେଗୁଡ଼ିକର ବ୍ୟବହାର କରିଥିଲେ ।
ଚନ୍ଦ୍ର ଉପରେ ମଟରଗାଡ଼ି
୧୯୭୧ ମସିହା ଜୁଲାଇ ୩୧ ତାରିଖରେ ସେମାନେ ଗାତ ଖୋଳିବା, ମାଟି ପରୀକ୍ଷା କରିବା, ଯନ୍ତ୍ରପାତି ଖଞ୍ଜିବା, ପାଣିପାଗ ନିରୀକ୍ଷଣ କରିବା, ଫଟୋ ଉଠାଇବା, ମାଟିପଥର ସଂଗ୍ରହ କରିବା ପ୍ରଭୃତି କାମରେ ଲାଗିଗଲେ । କିଛି ସମୟ ଚନ୍ଦ୍ରଯାନରେ ଶୋଇପଡ଼ିଲେ । ତା ପରଦିନ ଏକ ମଟର ଗାଡ଼ି ଚଳାଇ ବିଭିନ୍ନ ସ୍ଥାନକୁ ଗଲେ । ସେମାନେ ସେଠାରେ ବିଭିନ୍ନ ବୈଜ୍ଞାନିକ ପରୀକ୍ଷାନିରୀକ୍ଷା କଲେ । ସେଠାରୁ ଅପୂର୍ବ ପ୍ରାକୃତିକ ଦୃଶ୍ୟମାନ ଦେଖି ସେମାନେ ମୁଗ୍ଧ ହୋଇପଡ଼ିଲେ । ସେହି ବର୍ଷ ଅଗଷ୍ଟ ୮ ତାରିଖରେ ସେମାନେ ପୃଥିବୀକୁ ଫେରି ଆସିଥିଲେ ।
ଆପୋଲୋ ୧୭ ମହାକାଶ ଯାନ ୧୯୭୧ ମସିହା ଡିସେମ୍ବର ମାସରେ ୧୩ ଦିନ ପାଇଁ ଚନ୍ଦ୍ର ଅଭିମୁଖେ ଯାତ୍ରା କରିଥିଲା । ଏଥିରେ ହାରିସନ୍ ସ୍ମିଟ୍, ଇଉଜିନି କେର୍ନାନ୍ ଓ ରୋନାଲଡ଼୍ ଇଭାନ୍ସ ମହାକାଶ ଯାତ୍ରୀ ହୋଇଥିଲେ। ପ୍ରଥମ ଦୁଇଜଣ ଚନ୍ଦ୍ରଯାନରେ ଯାଇ ଜହ୍ନ ରାଇଜରେ ଓହ୍ଲାଇଥିଲେ । ସେଠାରେ ସେମନେ ନାନା ପ୍ରକାର ଜଟିଳ ଯନ୍ତ୍ରପାତି ସାହାଯ୍ୟରେ ପରୀକ୍ଷନିରୀକ୍ଷା କରିଥିଲେ । ଚନ୍ଦ୍ର ଦେଶରେ ସେମାନେ ମୋଟ ୭୫ ଘଣ୍ଟା ରହିଥିଲେ । ସେଠାରେ ଚାଲିବାରେ ଓ ମଟର ଚଳାଇବାରେ ୨୨ ଘଣ୍ଟାରୁ ଅଧିକ ସମୟ କଟାଇଥିଲେ । ସେମାନେ ମୋଟ ୧୨୫ କେ.ଜି. ଓଜନର ନୂଆ ଓ ପୁରୁଣା ଚନ୍ଦ୍ରଶିଳା ସଂଗ୍ରହ କରିଥିଲେ । ଚନ୍ଦ୍ର ପୃଷ୍ଠରେ ସେମାନେ ଏକ ସ୍ମାରକୀ ରଖି ଆସିଥିଲେ ଯେଉଁଥିରେ ଲେଖା ହୋଇଥିଲା – ଆମେ ଯେଉଁ ଶାନ୍ତି ମନୋଭାବ ନେଇ ଏଠାକୁ ଆସିଥିଲୁ, ସେହି ଶାନ୍ତି ସାରା ମଣିଷ ଜାତିର ଜୀବନକୁ ଚିରଉଜ୍ଜଳ କରୁ ।
ଚନ୍ଦ୍ର ଯନ୍ତ୍ରମଣିଷ
ଯୁକ୍ତରାଷ୍ଟ୍ର ଆମେରିକାର ବିଜ୍ଞାନୀମାନେ ମନୁଷ୍ୟକୁ ମହାକାଶକୁ ପଠାଇ ଓ ଚନ୍ଦ୍ରରାଜ୍ୟରେ ପହଞ୍ଚାଇ ବିଭିନ୍ନ ପ୍ରକାର ଗବେଷଣା କାର୍ଯ୍ୟ କରୁଥିଲା ବେଳେ ସୋଭିଏତ୍ ଋଷ୍ ଯନ୍ତ୍ରମଣିଷକୁ ଏହି କାର୍ଯ୍ୟରେ ନିଯୁକ୍ତ କରିଥିଲା । ଋଷ୍ ଲୁନା-୧୬ ନାମକ ଏକ ମହାକାଶଯାନ ୧୯୭୦ ମସିହା ସେପ୍ଟେମ୍ବର ୧୨ ରେ ଚନ୍ଦ୍ରକୁ ପଠାଇଥିଲା । ସେଥିରେ ଲୁନାଖୋଦ୍ ନାମକ ଏକ ରୋବଟ୍ ବା ଯନ୍ତ୍ରମଣିଷ ପଠାଇଥିଲା । ତାହା ଚନ୍ଦ୍ରଶିଳା ଖୋଳି ପୃଥିବୀକୁ ବୁହାଇ ଆଣିଥିଲା । ଚନ୍ଦ୍ର ରାଇଜରୁ ସେ ମୋଟ ୮୫ ଗ୍ରାମ୍ ଓଜନର ଧୂଳି ଆଣି ପାରିଥିଲା । ବିଭିନ୍ନ ପ୍ରକାର ଫଟୋ ଉଠାଇଥିଲା ଏବଂ ନାନା ପ୍ରକାର ପରୀକ୍ଷାନିରୀକ୍ଷା କରିଥିଲା । ଏହି ଚନ୍ଦ୍ରଶିଳାର ରଙ୍ଗ ଇଷତ୍ ଲାଲ୍ ଓ ସବୁଜ । ଏହାକୁ ପରୀକ୍ଷା କରି ବୈଜ୍ଞାନିକମାନେ ୪୫୦ କୋଟି ବର୍ଷ ତଳର ବୋଲି ମତ ଦେଇଥିଲେ । ଏହିପରି ଲୁନ-୧୨ ଓ ଲୁନା-୧୪ ରେ ଋଷ୍ ବଗିଯାନ ପଠାଇ ପୂର୍ବରୁ ନାନା ପରୀକ୍ଷା କରିଥିଲା ।
ଏହାପରେ ଲୁନା-୧୭ ନାମକ ଏକ ମନୁଷ୍ୟହୀନ ଯାନ ଋଷ୍ର ବୈଜ୍ଞାନିକଗଣ ଚନ୍ଦ୍ରକୁ ପଠାଇଥିଲେ ୧୯୭୦ ମସିହା ନଭେମ୍ବର ୧୭ ତାରିଖରେ । ଏଥିରେ ଲୁନାଖୋଦ୍-୧ ନାମକ ଏକ ଯନ୍ତ୍ରମଣିଷ ଯାଇଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହା ଏକ ଆଠଚକିଆ ବଗି ଯେଉଁଥିରେ ତିନୋଟି ଟେଲିଭିଜନ କ୍ୟାମେରା ଠାରୁ ଆରମ୍ଭ କରି ମାଟି ଖୋଳିବା ଯନ୍ତ୍ରମାନ ଖଞ୍ଜା ଯାଇଥିଲା ।
ସୂର୍ଯ୍ୟ କିରଣରୁ ଏହି ଯନ୍ତ୍ର ମଣିଷ ଶକ୍ତି ସଂଗ୍ରହ କରୁଥିଲା । ପ୍ରଥମ ୫ ଦିନରେ ଏହି ବଗି ୧୯୭ ମିଟର ଦୂର ଯାଇଥିଲା ଏବଂ ପୃଥିବୀର ବୈଜ୍ଞାନିକମାନଙ୍କ ସହିତ ସମ୍ବାଦ ଓ ତଥ୍ୟ ବିନିମୟ କରୁଥିଲା । ଚନ୍ଦ୍ର ରାଜ୍ୟରେ ୧୪ ଦିନକୁ ନେଇ ଗୋଟିଏ ଦୀର୍ଘ ଦିନ ଓ ତା’ପରେ ୧୪ ରାତିକୁ ନେଇ ଗୋଟିଏ ଦୀର୍ଘ ରାତ୍ରି ହୋଇଥାଏ । ଲୁନାଖୋଦ୍ ଦୀର୍ଘଦିନରେ ସକ୍ରିୟ ହୋଇପଡ଼େ ଏବଂ ଦୀର୍ଘରାତ୍ରିରେ ନିଷ୍କ୍ରିୟ ହୋଇ ଶୋଇପଡ଼େ । ସେ ଚନ୍ଦ୍ରଦେଶରେ ମୋଟ ୧୦,୫୪୦ ମିଟର ବୁଲି ୫୦୦ ଟି ସ୍ଥାନରେ ଭୂମିଖୋଳି ପରୀକ୍ଷା କରିଥିଲା ଏବଂ ୨୦ ହଜାର ଚିତ୍ର ପୃଥିବୀକୁ ପଠାଇଥିଲା । ୧୯୭୧ ଅକ୍ଟୋବର ମାସରେ ଲୁନାଖୋଦ୍-୧ ର କାର୍ଯ୍ୟ ଶେଷ ହୋଇଥିଲା ।
ଏହାପରେ ଋଷ୍ ଲୁନା-୧୮ ଓ ଲୁନା-୧୯ ଚନ୍ଦ୍ର ରାଇଜକୁ ପଠାଇଥିଲା । ଏହା ଚନ୍ଦ୍ର ପାର୍ବତ୍ୟ ଓ ମରୁ ଅଞ୍ଚଳରୁ ନାନା ପ୍ରକାର ତଥ୍ୟ ସଂଗ୍ରହ କରିଥିଲା । ଶେଷରେ ୧୯୭୨ ମସିହା ଫେବୃଆରୀ ୧୪ ରେ ଲୁନା-୨୦ ଚନ୍ଦ୍ରକୁ ପ୍ରେରଣ କରାଯାଇଥିଲା । ଫେବୃୟାରୀ ୨୧ ରେ ଏହା ଜହ୍ନ ରାଇଜରେ ଓହ୍ଲାଇ ଖୋଳିବାରେ ଲାଗିଥିଲା ଏବଂ ଫେବୃୟାରୀ ୨୩ ରେ ଋଷ୍ ବିଜ୍ଞାନୀମାନଙ୍କ ନିର୍ଦ୍ଦେଶ ପାଇ ଭୂପୃଷ୍ଠକୁ ଫେରି ଆସିଥିଲା । ମାତ୍ର ସାଥିରେ ସେ ଆଣିଥିଲା ବହୁ ମୂଲ୍ୟବାନ ଚନ୍ଦ୍ରଧୂଳି ଯାହାର ଗୁରୁତ୍ୱ ଅସୁମାରି ।
ମହାଶୂନ୍ୟରେ ଘାଟୀ ବା ଷ୍ଟେସନ୍
ମହାକାଶ ଗବେଷଣା କ୍ଷେତ୍ରରେ ସୋଭିଏତ୍ ଋଷ୍ର ଏକ ଉଲ୍ଲେଖଯୋଗ୍ୟ କୃତିତ୍ୱ ହେଲା – ମହାଶୂନ୍ୟରେ କୃତ୍ରିମ ଉପଗ୍ରହର ଗୋଟିଏ ଘାଟୀ ପ୍ରତିଷ୍ଠା । ରେଳଷ୍ଟେସନ୍ରେ ଗୋଟିଏ ଅଫିସ୍ ରହି ଟ୍ରେନ୍ ଗୁଡ଼ିକ ମଧ୍ୟରେ ସଂଯୋଗ ସ୍ଥାପନ କରିଥାଏ । ସେଗୁଡ଼ିକୁ ପାଣି କୋଇଲା ଯୋଗାଇବାର ବ୍ୟବସ୍ଥା କରେ । ଇଞ୍ଜିନ୍ ଓ ଅନ୍ୟାନ୍ୟ ଯନ୍ତ୍ରପାତିର ପରଖ କରେ । ଯାତ୍ରୀମାନେ ସେଠାରେ ଓହ୍ଲାନ୍ତି ଓ ବସନ୍ତି । ମାଲ୍ ଲଦାଯାଏ ଏବଂ ଓହ୍ଲାଯାଏ । ସେମିତି କୃତ୍ରିମ ଉପଗ୍ରହ ଗୁଡ଼ିକ ପାଇଁ ମହାକାଶରେ ଏକ ଷ୍ଟେସନ ପ୍ରତିଷ୍ଠିତ ହୋଇଛି । ୧୯୭୧ ମସିହା ଏପ୍ରିଲ ୧୯ ରେ ଏ ଦିଗରେ ଏକ ପ୍ରାଥମିକ ପଦକ୍ଷେପ ନିଆଯାଇଥିଲା ।
ସେହି ବର୍ଷ ଏପ୍ରିଲ ୨୪ ତାରିଖରେ ସୋୟୁଜ୍-୧୦ ନାମକ ଏକ ମହାକାଶଯାନ ତିନିଜଣ ଯାତ୍ରୀଙ୍କୁ ନେଇ ଉପରକୁ ଉଠିଥିଲା । ପ୍ରାୟ ଘଣ୍ଟା ଧରି ପୃଥିବୀକୁ ୩୦ ଥର ପରିକ୍ରମା କରିଥିଲା । ଏପ୍ରିଲ୍ ୨୫ ତାରିଖରେ ଯାନଟି ପୂର୍ବରୁ ଥିବା ସାଲ୍ୟୁଟ୍ ସହିତ ସଂଯୁକ୍ତ ହୋଇଥିଲା । ବୈଜ୍ଞାନିକଗଣ ଉକ୍ତ ଉପଗ୍ରହ ମଧ୍ୟରେ ସାଢ଼େ ୫ ଘଣ୍ଟା ରହି ବିଭିନ୍ନ ପରୀକ୍ଷା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟ କରିଥିଲେ । ତା’ପରେ ସେମାନେ ନିରାପଦରେ ପୃଥିବୀକୁ ଫେରି ଆସିଥିଲେ ।
ଉପଗ୍ରହ ମଧ୍ୟରେ ସଂଯୋଗ ଓ ଦୁର୍ଯୋଗ
୧୯୭୧ ମସିହା ଜୁନ୍ ୬ ତାରିଖରେ ସୋୟୁଜ୍-୧୧ ମହାକାଶକୁ ପ୍ରେରିତ ହେଲା । ଏଥିରେ ମଧ୍ୟ ତିନିଜଣ ମହାକାଶଯାତ୍ରୀ ଯାଇଥିଲେ । ସେମାନେ ମହାଶୂନ୍ୟରେ ଦୁଇମାସ କାଳ ପୃଥିବୀକୁ ପରିକ୍ରମା କରିଥିଲେ । ଆଉ ଏକ କୃତ୍ରିମ ଉପଗ୍ରହ ସାଲ୍ୟୁଟ୍ ମଧ୍ୟରେ ପ୍ରବେଶ କରିବା ଯୋଜନା କରାଯାଇଥିଲା । ସେହି ଯୋଜନା ଅନୁସାରେ ସାଲ୍ୟୁଟ୍ ସହିତ ସୋୟୁଜ୍ର ଯୋଗାଯୋଗ ହୋଇଥିଲା । ମହାକାଶଯାତ୍ରୀମାନେ ସୋୟୁଜ୍ରୁ ବାହାରି ସାଲ୍ୟୁଟ୍ ମଧ୍ୟରେ ପ୍ରବେଶ କଲେ । ତା ମଧ୍ୟରେ ମହାକାଶ ଗବେଷଣା ପାଇଁ ସମସ୍ତ ସୁବିଧା ସୁଯୋଗ ରହିଥିଲା । ସେମାନେ ୨୪ ଦିନ କାଳ ତା ମଧ୍ୟରେ ରହି ବହୁ ପରୀକ୍ଷାନିରୀକ୍ଷା କରିଥିଲେ । ଚାରାଗଛ କେତୋଟି ସେଠାରେ ସେମାନେ ବଢ଼ାଇଥିଲେ । ଅନେକ ଫଟୋଚିତ୍ର ଉଠାଇଥିଲେ । ଶେଷରେ ସେମାନେ ପୃଥିବୀକୁ ଫେରି ଆସୁଥିଲେ । ମାତ୍ର ଦୁର୍ଭାଗ୍ୟକୁ ଭୂପୃଷ୍ଠରେ ପହଞ୍ଚିବାର ମାତ୍ର ୩୦ ମିନିଟ୍ ପୂର୍ବରୁ ଯାନରେ ବାୟୁର ଚାପ ଖୁବ୍ ବଢ଼ିଗଲା । ମହାକାଶ ଯାତ୍ରୀମନେ ନିଜ ନିଜ ଆସନରେ ବସିଥିବା ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଏହି ଦୁର୍ଘଟଣା ଯୋଗୁଁ ସାରା ଦୁନିଆରେ ଶୋକର ଛାୟା ଖେଳି ଯାଇଥିଲା ।
ଋଷ୍-ଆମେରିକା ସହଯୋଗ
୧୯୭୫ ମସିହା ଜୁଲାଇ ୧୭ ତାରିଖ । ମହାକାଶ ଗବେଷଣାର ଇତିହାସରେ ଏକ ସ୍ମରଣୀୟ ଦିବସ । ସେଦିନ ଋଷ୍-ଆମେରିକା ମଧ୍ୟରେ ଥିବା ପ୍ରତିଯୋଗିତା ପରିବର୍ତ୍ତେ ସହଯୋଗର ସୂତ୍ରପାତ ହୋଇଥିଲା । ଋଷ୍ର କୃତ୍ରିମ ଉପଗ୍ରହ ସୋୟୁଜ୍ ଓ ଆମେରିକାର କୃତ୍ରିମ ଉପଗ୍ରହ ଆପୋଲୋ ମଧ୍ୟରେ ସମ୍ପର୍କ ସ୍ଥାପିତ ହୋଇଥିଲା ମହାଶୂନ୍ୟରେ । ଉଭୟ ଦେଶର ବୈଜ୍ଞାନିକଗଣ ମିଳିମିଶି ତିନିଦିନ କାଳ କେତେକ ଗବେଷଣା କାର୍ଯ୍ୟ କରିଥିଲେ । ଉଭୟ ଉପଗ୍ରହ ଗୋଟିଏ ପରି କାର୍ଯ୍ୟ କରୁଥିଲେ ।
ମାର୍କିନ୍ ବିଜ୍ଞାନୀମାନେ ଋଷ୍ର ବନ୍ଧୁମାନଙ୍କୁ ଏବଂ ଋଷୀୟ ବୈଜ୍ଞାନିକଗଣ ମାର୍କିନ୍ ବନ୍ଧୁମାନଙ୍କୁ ନିମନ୍ତ୍ରଣ କରିଥିଲେ । ସେମାନେ ଏକାଠି ଖିଆପିଆ କରିଥିଲେ । ସୁଖଦୁଃଖ ଓ ଭାବର ଆଦାନ ପ୍ରଦାନ କରିଥିଲେ । ସେମାନଙ୍କ ଜ୍ଞାନ ଓ କୌଶଳର ମିଶ୍ରଣରେ ମହାକାଶ ଗବେଷଣା କାର୍ଯ୍ୟର ଅଗ୍ରଗତି ଘଟିଥିଲା ।
ଋଷ୍-ଭାରତ ସହଯୋଗ
ବିଶ୍ୱର ପ୍ରଥମ ମହାକାଶଚାରୀ ୟୁରି ଗାଗାରିନ୍ ୧୯୬୯ ରେ ଭାରତ ଭ୍ରମଣରେ ଆସଥିଲେ । ଋଷ୍ ମହାକାଶଯାତ୍ରୀଙ୍କ ସହିତ ଜଣେ ଭାରତୀୟ ମହାକାଶକୁ ଯାଆନ୍ତୁ ବୋଲି ସେ ପ୍ରସ୍ତାବ ଦେଇଥିଲେ । ୧୯୮୦ ମସିହାରେ ଋଷ୍ ରାଷ୍ଟ୍ରପତି ବ୍ରେଜ୍ନେଭ୍ ଭାରତକୁ ଆସିଥିଲା ବେଳେ ସେହି ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାକୁ ଚାହିଁଥିଲେ । ଭାରତୀୟ ବିମାନ ବାହିନୀର ୧୨୦ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ବହୁ କଠିନ ପରୀକ୍ଷାନିରୀକ୍ଷା ପରେ ଦୁଇଜଣଙ୍କୁ ବଛା ଯାଇଥିଲା । ସେମାନେ ହେଲେ ରବିଶ୍ ମାଲହୋତ୍ରା ଓ ରାକେଶ୍ ଶର୍ମା । ସେମାନେ ଦେଢ଼ ବର୍ଷ କାଳ ଋଷ୍ରେ ରହି ବିଭିନ୍ନ ପ୍ରକାର ତାଲିମ ପାଇ ମହାକାଶ ଯାତ୍ରା ପାଇଁ ପ୍ରସ୍ତୁତ ହେଲେ ।
ଶେଷରେ ରାକେଶ୍ ଶର୍ମାଙ୍କୁ ଭାରତର ପ୍ରଥମ ମହାକାଶଯାତ୍ରୀ ହେବାର ସୌଭାଗ୍ୟ ମିଳିଲା । ୧୯୮୪ ମସିହା ଏପ୍ରିଲ୍ ୩ ତାରିଖ ସନ୍ଧ୍ୟା ସାଢ଼େ ୬ ଟାରେ ଋଷ୍ର ବୈକାନୁର୍ ରକେଟ୍ କ୍ଷେପଣକେନ୍ଦ୍ରରୁ ସୋୟୁଜ-୧୧ କୃତ୍ରିମ ଉପଗ୍ରହ ଯାତ୍ରା କରିଥିଲା । ସେଥିରେ ଋଷ୍ର ମହାକାଶଚାରୀ ୟୁରି ମାଲିସେଭ୍ ଓ ଚେନ୍ନାଡ଼ି ଷ୍ଟ୍ରାକଲୋଭ୍ଙ୍କ ସହିତ ରାକେଶ୍ ଶର୍ମା ଯାଇଥିଲେ । ମାତ୍ର ୯ ମିନିଟ୍ ପରେ ମହାକାଶଯାତ୍ରୀମନେ ଲକ୍ଷ୍ୟସ୍ଥଳରେ ପହଞ୍ଚିଥିଲେ ।
ପୂର୍ବରୁ ମହାକାଶରେ ଘୁରି ବୁଲୁଥିବା ସାଲ୍ୟୁଟ୍-୭ ଗବେଷଣାକେନ୍ଦ୍ର ସହିତ ଏହା ମିଳିତ ହୋଇଥିଲା । ସେଥିରେ ଆଗରୁ ତିନିଜଣ ବୈଜ୍ଞାନିକ ପରୀକ୍ଷାନିରୀକ୍ଷା କରୁଥିଲେ । ସେମାନଙ୍କ ସହିତ ସୋୟୁଜ୍-୧୧ର ମହାକାଶଯାତ୍ରୀମାନେ ଯୋଗ ଦେଲେ । ସେମାନେ ପରସ୍ପରକୁ ଆନନ୍ଦରେ କୁଣ୍ଢାଇ ପକାଇଥିଲେ । ଏହି ଚିତ୍ରଗୁଡ଼ିକୁ ପୃଥିବୀବାସୀମାନେ ଟେଲିଭିଜନ୍ରେ ଦେଖି ଖୁବ୍ ଆନନ୍ଦିତ ହୋଇଥିଲେ ।
ଉପଗ୍ରହ ମଧ୍ୟରେ ବହୁ ପରୀକ୍ଷାନିରୀକ୍ଷା
ସାତଦିନ ମଧ୍ୟରେ ସେମନେ ୯ ଥର ଭାରତ ଉପରେ ଉଡ଼ିଯାଇଥିଲେ । ସେହି ସମୟରେ ରାକେଶ୍ ଆମ ଦେଶର ବହୁ ଫଟୋ ଉଠାଇଥିଲେ । ସେଥିରୁ ପ୍ରାକୃତିକ ସମ୍ପଦ, ପାଣିପାଗ, ପରିବେଶ ସମ୍ପର୍କରେ ଅନ୍ୟାନ୍ୟ ତଥ୍ୟ ସଂଗୃହୀତ ହୋଇପାରିଥିଲା । ରାକେଶଙ୍କ ସହିତ ଅନ୍ୟ ମହାକାଶ ଯାତ୍ରୀମାନଙ୍କ ପୋଷାକ ଥିଲା ଧଳା ଓ ନୀଳର ମିଶ୍ରିତ ରଙ୍ଗ । ପୋଷାକର ବାମ ହାତରେ ଭାରତ ଓ ଋଷ୍ର ପତାକା ଥିଲା । ସେମାନଙ୍କ ପଛକୁ ଥିଲା ୭ଟି ଘୋଡ଼ା ଟାଣୁଥିବା ସୂର୍ଯ୍ୟଙ୍କ ରଥର ଚିହ୍ନ । କୃତ୍ରିମ ଉପଗ୍ରହ ମଧ୍ୟରେ ଖାଇବା ପାଇଁ ଭାରତୀୟ ଋଷୀୟ ଖାଦ୍ୟଦ୍ରବ୍ୟମାନ ନିଆଯାଇଥିଲା । ବିଜୁଳି ଚାଳିତ ଷ୍ଟୋଭ୍ରେ ସେମାନେ ରୋଷେଇ ମଧ୍ୟ କରୁଥିଲେ । ପ୍ରତିଦିନ ସେମାନେ ସାଙ୍ଗ ହୋଇ ୪ ଥର ଖିଆପିଆ କରୁଥିଲେ ।
ସାରାଜଗତରେ ସୁନ୍ଦର
ମହାକାଶରେ ସେମାନେ କୃତ୍ରିମ ଉପଗ୍ରହ ଭିତରେ ଥାଇ ଭାରତୀୟ ସାମ୍ବାଦିକମାନଙ୍କର ବହୁ ପ୍ରଶ୍ନର ଉତ୍ତର ଦେଇଥିଲେ । ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସେମାନଙ୍କୁ ଦେଶବାସୀଙ୍କ ପକ୍ଷରୁ ସଦିଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ସେମାନଙ୍କ ଠାରୁ ମହାକାଶର ଅନୁଭୂତି ସମ୍ପର୍କରେ ଅନେକ କଥା ବୁଝିବା ମଧ୍ୟରେ ସେ ଗୋଟିଏ ପ୍ରଶ୍ନ ପଚାରିଥିଲେ – “ମହାଶୂନ୍ୟରୁ ଭାରତ କିପରି ଦେଖାଯାଉଛି?”
ରାକେଶ୍ ହସି ହସି ଉତ୍ତର ଦେଇଥିଲେ – “ସାରା ଜଗତରେ ସୁନ୍ଦର” (ସାରା ଜାହାଁ ସେ ଆଚ୍ଛା…)
ସେମାନେ ଏପ୍ରିଲ ୧୧ ତାରିଖରେ ପୃଥିବୀକୁ ଫେରି ଆସିଥିଲେ । ଋଷ୍ ଓ ଭାରତର ଲୋକମାନେ ସେମାନଙ୍କୁ ଉଚ୍ଛ୍ୱସିତ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଉଭୟ ଦେଶର ସରକାର ସେମାନଙ୍କୁ ବହୁ ଉଚ୍ଚ ଉପାଧୀ ଓ ସମ୍ମାନ ପ୍ରଦାନ କରିଥିଲେ । ଋଷ୍ ମହାକାଶଯାତ୍ରୀଙ୍କ ସହିତ ରାକେଶ୍ଙ୍କୁ ‘ଅଶୋକ ଚକ୍ର’ ଓ ରବିଶ୍ ମାଲହୋତ୍ରାଙ୍କୁ ‘କୀର୍ତ୍ତିଚକ୍ର’ ଉପାଧୀ ଦିଆଯାଇଥିଲା । ରାକେଶ୍ ଭାରତର ପ୍ରଥମ ମହାକାଶ ଯାତ୍ରୀ ଭାବରେ ଦେଶର ଗୌରବ ଓ ସମ୍ମାନ ବୃଦ୍ଧିରେ ବିଶେଷ ସହାୟକ ହୋଇଛନ୍ତି ।