• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଅନ୍ୟାନ୍ୟ»କୃତ୍ରିମ ଉପଗ୍ରହ; ସୁବିଧା ଓ ସମ୍ଭାବନା
ଅନ୍ୟାନ୍ୟ

କୃତ୍ରିମ ଉପଗ୍ରହ; ସୁବିଧା ଓ ସମ୍ଭାବନା

ଜଗନ୍ନାଥ ମହାନ୍ତିBy ଜଗନ୍ନାଥ ମହାନ୍ତିFebruary 18, 2020No Comments10 Mins Read
Facebook Twitter Pinterest Reddit LinkedIn Tumblr Email
Share
Facebook Twitter Pinterest Reddit Email

ଯୋଗାଯୋଗରେ ବେତାଳ

କୃତ୍ରିମ ଉପଗ୍ରହ ଆଧୁନିକ ବିଶ୍ୱର ଏକ ବିରାଟ ଉଦ୍ଭାବନ । ଏହା ମାନବ ସମାଜର ବିକାଶ ପାଇଁ ପ୍ରଶସ୍ତ ପଥ ଉନ୍ମୁକ୍ତ କରିଦେଇଛି । ଏହା ସାହାଯ୍ୟରେ ଆଜିକାଲି ବହୁ ଅସମ୍ଭବ କାର୍ଯ୍ୟ ସମ୍ଭବ ହୋଇପାରିଛି । ମଣିଷର ଚନ୍ଦ୍ର ଅଭିଯାନଠାରୁ ଆରମ୍ଭ କରି ଗ୍ରହଗ୍ରହାନ୍ତର ଯାତ୍ରା ଯାଏ, ଏଥିଯୋଗୁଁ ସଫଳ ହୋଇପାରିଛି । ସାରା ଦେଶରେ ଦୂରଦର୍ଶନ କାର୍ଯ୍ୟକ୍ରମର ସୁବିଧା ହୋଇପାରିଛି । ଗୋଟିଏ ଦେଶରେ ଘଟୁଥିବା ବା ସଂଗଠିତ ହେଉଥିବା ବିଶେଷ ଘଟଣା ତଥା ଉତ୍ସବ କୃତ୍ରିମ ଉପଗ୍ରହ ଯୋଗୁଁ ଅନ୍ୟ ଦେଶର ଲୋକମାନେ ଦେଖି ପାରୁଛନ୍ତି । ଦୂରଦୂରାନ୍ତର ଟେଲିଫୋନ୍‌ ସେବା ବ୍ୟବସ୍ଥା, ଭବିଷ୍ୟତ ପାଣିପାଗର ସୂଚନା, ଭୂସର୍ବେକ୍ଷଣ ଇତ୍ୟାଦି ଅତି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଗୁଡ଼ିକ ଏହି ଅଦ୍ଭୁତ ମନୁଷ୍ୟ କୃତି ଦ୍ୱାରା ସମ୍ପାଦିତ ହୋଇପାରିଛି । ମାତ୍ର ଏହି କୃତ୍ରିମ ଉପଗ୍ରହ କ’ଣ ଓ କିପରି ଏହି ସବୁ କାର୍ଯ୍ୟ କରିପାରୁଛି, ତାହା ଅନେକେ ଜାଣିପାରି ନଥିବେ । ସତେ ଯୋଗାଯୋଗ କ୍ଷେତ୍ରରେ ଏହା ବେତାଳ ପରି କାର୍ଯ୍ୟ କରୁଛି !

କୃତ୍ରିମ ଉପଗ୍ରହ କ’ଣ?

ଆମେ ଜାଣୁ ଯେ ସୂର୍ଯ୍ୟର ଚତୁଃପାର୍ଶ୍ୱରେ ଗ୍ରହଗୁଡ଼ିକ ପରିକ୍ରମା କରିଥାନ୍ତି । ଗୋଟିଏ ଗୋଟିଏ ଗ୍ରହର ଚତୁର୍ଦ୍ଦିଗରେ ଏକ ବା ଏକାଧିକ କ୍ଷୁଦ୍ରଗ୍ରହ ଘୂରିବୁଲୁଥାନ୍ତି । ଚନ୍ଦ୍ର ସେହିପରି ପୃଥିବୀର ଚତୁଃପାର୍ଶ୍ୱରେ ଘୂରିବୁଲୁଛି । ଏହା ଗୋଟିଏ ଉପଗ୍ରହ ଏବଂ ଏହାକୁ ପ୍ରାକୃତିକ ଉପଗ୍ରହ କୁହାଯାଏ ।

ମାତ୍ର ମନୁଷ୍ୟ ଆଜିକାଲି ଶହ ଶହ ଉପଗ୍ରହ ନିର୍ମାଣ କରି ମହାଶୂନ୍ୟରେ ଘୂରାଉଛି । ସେଗୁଡ଼ିକ ମଧ୍ୟରୁ ଅଧିକାଂଶ ପୃଥିବୀର ଚତୁଃପାର୍ଶ୍ୱରେ ଘୂରିବୁଲୁଛନ୍ତି । ସେଗୁଡ଼ିକୁ କୃତ୍ରିମ ଉପଗ୍ରହ କୁହାଯାଏ । କିନ୍ତୁ ଏଗୁଡ଼ିକ ଚନ୍ଦ୍ର ପରି ଏକ ଏକ ପାର୍ଥିବ ଗୋଲକ ନୁହନ୍ତି । ଏହା ଏକ ଯାନ୍ତ୍ରିକ ବ୍ୟବସ୍ଥା । ଏହା ବିଭିନ୍ନ ଆକାର ପ୍ରକାରର ହୋଇଥାଏ ।

କୃତ୍ରିମ ଉପଗ୍ରହ ଭିତରେ ସୂକ୍ଷ୍ମାତିସୂକ୍ଷ୍ମ ବହୁ ପ୍ରକାର ଯନ୍ତ୍ରପାତି ଖଞ୍ଜା ଯାଇଥାଏ । ଏହିସବୁ ଯନ୍ତ୍ରଗୁଡ଼ିକ ସାହାଯ୍ୟରେ ମହାଶୂନ୍ୟରେ ବହୁ କୃତ୍ରିମ ଉପଗ୍ରହ ନାନା ଧରଣର ସଂକେତ ମାଧ୍ୟମରେ ଧରାପୃଷ୍ଠକୁ ପ୍ରେରଣ କରିଥାଏ । ପୃଥିବୀର ବୈଜ୍ଞାନିକଗଣ ବିଭିନ୍ନ ଶକ୍ତିଶାଳୀ ଯନ୍ତ୍ର ସାହାଯ୍ୟରେ ସେଗୁଡ଼ିକୁ ବିଶ୍ଳେଷଣ କରି ବହୁ ମୂଲ୍ୟବାନ ବିବରଣୀ ସଂଗ୍ରହ କରିଥାନ୍ତି । ଏପରିକି ଅନେକ ଫଟୋଚିତ୍ର ଉପଗ୍ରହ ସାହାଯ୍ୟରେ ସଂଗୃହୀତ ହୋଇଥାଏ । ଏସବୁଥିରୁ ଜଳବାୟୁ, ପ୍ରାକୃତିକ ସମ୍ପଦ ପ୍ରଭୃତି ସମ୍ପର୍କରେ ବହୁ ମୂଳ୍ୟବାନ ତଥ୍ୟ ଓ ସୂଚନା ମିଳିଥାଏ।

ଏହା କିପରି କାର୍ଯ୍ୟ କରେ ?

କୃତ୍ରିମ ଉପଗ୍ରହ ମହାଶୂନ୍ୟକୁ କିପରି ଯାଏ ଏବଂ ସେଠାରେ ରହି କେତେ ବର୍ଷ ପାଇଁ କିପରି କାର୍ଯ୍ୟ କରେ, ଏହା ଆଶ୍ଚର୍ଯ୍ୟର ବିଷୟ । ତେବେ ବୈଜ୍ଞାନିକମାନେ ନିଜର ବୁଦ୍ଧି କୌଶଳରେ ଏହା ସାଧନ କରିଥାନ୍ତି । ଆମେ ଜାଣୁ ଯେ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ବଳରେ ସବୁ ପଦାର୍ଥକୁ ନିଜ ଆଡ଼କୁ ଆକର୍ଷଣ କରେ । ସେଥିପାଇଁ ଉପରକୁ ଆମେ ନିକ୍ଷେପ କରୁଥିବା ପଦାର୍ଥ ଭୂପୃଷ୍ଠକୁ ଖସିପଡ଼େ । ପୃଥିବୀ ଉପରିସ୍ଥ ସମସ୍ତ ପଦାର୍ଥକୁ ସେ ନିଜ ଆଡ଼କୁ ଟାଣୁଥିବାରୁ ଭୂପୃଷ୍ଠରେ ସବୁ ପଦାର୍ଥ ରହେ । ଆକାଶକୁ ସେଗୁଡ଼ିକ ଚାଲିଯାଏ ନାହିଁ ବା ତଳକୁ ଖସିପଡ଼େ ନାହିଁ । ସୁତରାଂ ସାଧାରଣତଃ ମାଧ୍ୟାକର୍ଷଣ ଶକ୍ତିର ବନ୍ଧନକୁ ଏଡ଼ାଇ କୌଣସି ପଦାର୍ଥ ପକ୍ଷେ ମହାଶୂନ୍ୟକୁ ଯିବା କଠିନ । ଯଦି ଜୋର ଖଟାଇ ଆମେ କୌଣସି ପଦାର୍ଥକୁ ମହାକାଶକୁ ପଥାଇଥାଉ, ତାହା ପୁଣି ତଳକୁ ଖସିପଡ଼େ ।

ଯଦି ଆମେ କୌଣସି ପଦାର୍ଥକୁ ମହାଶୂନ୍ୟ ମଧ୍ୟକୁ ଠେଲିଦେବାକୁ ଚାହୁଁ, ତେବେ ତାକୁ ଖୁବ୍‌ ବଳପ୍ରୟୋଗ କରିବାକୁ ହେବ, ଯାହା ଫଳରେ ଏହା ପୃଥିବୀର ମାଧ୍ୟାକର୍ଷଣ ଶକ୍ତିର ବନ୍ଧନକୁ ଅତିକ୍ରମ କରିପାରିବ । ଥରେ ସେହି ପଦାର୍ଥ ମହାଶୂନ୍ୟକୁ ଚାଲିଗଲେ, ଆଉ ଫେରି ଆସିବା କଷ୍ଟ । ମାତ୍ର ଏହି ବଳର ପରିମାଣ କଳନା କରିବା କଷ୍ଟକର । ବୈଜ୍ଞାନିକମାନେ କହନ୍ତି ଯଦି କୌଣସି ପଦାର୍ଥରେ ଘଣ୍ଟାକୁ ୨୫,୦୦୦ ମାଇଲ୍‌ ବା ପ୍ରାୟ ୩୭,୦୦୦ କି.ମି.ରୁ ଅଧିକ ବେଗ (ପଳାୟନ ବେଗ-Escape Velocity) ଦେଇ ପାରିବା, ତେବେ ତାହା ପୃଥିବୀର ଆକର୍ଷଣ ଶକ୍ତିକୁ ଅତିକ୍ରମ କରି ମହାଶୂନ୍ୟକୁ ଚାଲିଯାଇ ପାରିବ।

ଏଥିପାଇଁ ରକେଟର ପ୍ରବଳ ଶକ୍ତିକୁ ଉପଯୋଗ କରାଯାଇଥାଏ । ଶକ୍ତିଶାଳୀ କ୍ଷେପଣାସ୍ତ୍ର ଓ ରକେଟ୍‌କୁ ପୃଥିବୀ ପୃଷ୍ଠରେ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଯିବା ପାଇଁ ବା କୌଣସି ପଦାର୍ଥକୁ ଟାଣି ନେବା ପାଇଁ ସମର୍ଥ ହୋଇଥାଏ । ମାତ୍ର ମାଧ୍ୟାକର୍ଷଣ ଶକ୍ତିକୁ ଅତିକ୍ରମ କରି ମହାଶୂନ୍ୟରେ ପ୍ରବେଶ କରିବା ସମ୍ଭବ ହୁଏ ନାହିଁ । ଏଥିପାଇଁ ବହୁସ୍ତରୀୟ ରକେଟ୍‌ର ସାହାଯ୍ୟ ନିଆ ଯାଇଥାଏ । ଅର୍ଥାତ୍‌ ଗୋଟିଏ ପରେ ଗୋଟିଏ ରକେଟ୍‌ କାର୍ଯ୍ୟକାରୀ ହୋଇ ଶେଷରେ କୃତ୍ରିମ ଉପଗ୍ରହକୁ ମହାଶୂନ୍ୟ ପଥରେ ଅବସ୍ଥାପିତ କରିଥାଏ । ଏହି ତ୍ରିସ୍ତରୀୟ ରକେଟ୍‌ ବ୍ୟବସ୍ଥାରେ ପ୍ରଥମେ ଯେଉଁ ରକେଟ୍‌ଟି କାର୍ଯ୍ୟ କରେ, ତାହା ସବୁଠାରୁ ବଡ଼ । ତେଣୁ ଏହାକୁ କୁହାଯାଏ ବୁଷ୍ଟର ରକେଟ୍‌ । ଦ୍ୱିତୀୟ ରକେଟ୍‌ଟି ଅପେକ୍ଷାକୃତ୍ର କ୍ଷୁଦ୍ର ଓ ତୃତୀୟଟି ଆହୁରି କ୍ଷୁଦ୍ର ହୋଇଥାଏ ।

କୃତ୍ରିମ ଉପଗ୍ରହକୁ ଭୂପୃଷ୍ଠରୁ ପ୍ରଥମେ ଛଡ଼ାଗଲା ବେଳେ ବୁଷ୍ଟର ରକେଟ୍‌ରେ ଅଗ୍ନି ସଂଯୋଗ ହୋଇଥାଏ । ଏହା ଫଳରେ କୃତ୍ରିମ ଉପଗ୍ରହ ସହିତ ଅନ୍ୟ ଦୁଇଟି ରକେଟ୍‌ ଭୂପୃଷ୍ଠରୁ ୬୦/୭୦ କି.ମି. ଉଚ୍ଚକୁ ଉଠିଯାଏ । ମାତ୍ର ବୁଷ୍ଟର ରକେଟ୍‌ଟି ଜଳିଯାଇ ଖସିପଡ଼େ । ତାପରେ ପରେ ଦ୍ୱିତୀୟ ରକେଟ୍‌ଟି ବିସ୍ଫୋରିତ ହୁଏ ଏବଂ କୃତ୍ରିମ ଉପଗ୍ରହ ସହିତ ତୃତୀୟ ରକେଟ୍‌ଟି ଭୂପୃଷ୍ଠରୁ ପ୍ରାୟ ୩୦୦ କି.ମି. ଉଚ୍ଚକୁ ନେଇଯାଏ । ତାପରେ ଏହା ପୋଡ଼ିଯାଇ ଖସିପଡ଼େ ଏବଂ ତୃତୀୟ ରକେଟ୍‌ଟି କାର୍ଯ୍ୟକାରୀ ହୁଏ । ଏହା ଫଳରେ କୃତ୍ରିମ ଉପଗ୍ରହ ପୃଥିବୀଠାରୁ ପ୍ରାୟ ୩୬,୦୦୦ କି.ମି. ଉଚ୍ଚତାକୁ ଚାଲିଯାଏ । ଏହି ଯେଉଁ ତିନୋଟି ରକେଟ୍‌ କାର୍ଯ୍ୟ କରେ, ତାହା ଖୁବ୍‌ ଶୀଘ୍ର ଗୋଟିଏ ପରେ ଗୋଟିଏ ବିସ୍ଫୋରିତ ହୋଇଥାଏ ଏବଂ ଏଥିରେ କାଳବିଳମ୍ବ ଘଟେ ନାହିଁ ।

ମହାଶୂନ୍ୟରେ କୃତ୍ରିମ ଉପଗ୍ରହଟି ପହଞ୍ଚି ତାର ନିର୍ଦ୍ଦିଷ୍ଟ କକ୍ଷପଥରେ ରହେ ଏବଂ ପୃଥିବୀକୁ ପରିକ୍ରମା କରେ । କୃତ୍ରିମ ଉପଗ୍ରହର କକ୍ଷପଥ ଭୂପୃଷ୍ଠରୁ କେତେଦୂର ଉପରେ, ତା ଉପରେ ନିର୍ଭର କରେ ଏହାର ପୃଥିବୀକୁ ପ୍ରଦକ୍ଷିଣ କରିବା ସମୟ । ଧରାଯାଉ, ପୃଥିବୀ ଠାରୁ ଚନ୍ଦ୍ରର ଦୂରତା ୩୮୪,୦୦୦ କି.ମି. । ତେଣୁ ଏହା ପୃଥିବୀକୁ ଥରେ ପ୍ରଦକ୍ଷିଣ କରିବା ପାଇଁ ୨୬ ଦିନ ୮ ଘଣ୍ଟା ଲାଗେ । ସେମିତି ୩୬,୦୦୦ କି.ମି. ଉଚ୍ଚତାରେ ରହି କୃତ୍ରିମ ଉପଗ୍ରହ ପୃଥିବୀ ପରିକ୍ରମା କରିବା ପାଇଁ ୨୪ ଘଣ୍ଟା ଦରକାର କରେ । ଆମେ ଜାଣୁ ଯେ ପୃଥିବୀ ପଶ୍ଚିମରୁ ପୂର୍ବକୁ ଘୂରେ ଏବଂ ଏଥିପାଇଁ ତାକୁ ୨୪ ଘଣ୍ଟା ଲାଗେ । ତେଣୁ କୃତ୍ରିମ ଉପଗ୍ରହ ଯଦି ମହାଶୂନ୍ୟରେ ରହି ୩୬,୦୦୦ କି.ମି. ଉଚ୍ଚ କକ୍ଷପଥରେ ପଶ୍ଚିମରୁ ପୂର୍ବକୁ ପରିକ୍ରମା କରେ ତାକୁ ସେହି ୨୪ ଘଣ୍ଟା ସମୟ ଲାଗିବ । ତେଣୁ ପୃଥିବୀର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଥିବା ବ୍ୟକ୍ତିକୁ ଉପଗ୍ରହ ସ୍ଥିର ରହିଲା ପରି ଜଣା ପଡ଼ିବ । ଏହାକୁ କୃତ୍ରିମ ଉପଗ୍ରହର ଭୂସ୍ଥିର ଗତି କୁହାଯାଏ । ଏହି ଗତି ମଣିଷର ଯୋଗାଯୋଗ କ୍ଷେତ୍ରରେ ଖୁବ୍‌ ସୁବିଧାଜନକ ହୋଇଥାଏ ।

ପ୍ରାକୃତିକ ସମ୍ବଳର ସର୍ବେକ୍ଷଣ, ଦୂରଦର୍ଶନ, ଟେଲିଫୋନ୍‌ ଓ ଆଗୁଆ ପାଣିପଗ ସୂଚନା ଇତ୍ୟାଦି କାର୍ଯ୍ୟ ପାଇଁ ଏହି ଗତି ସହାୟକ ହୁଏ । ଉତ୍‌କ୍ଷେପଣ ସମୟରେ କୃତ୍ରିମ ଉପଗ୍ରହର ଓଜନ ଅଧିକ ଥାଏ ଏବଂ ମହାଶୂନ୍ୟ କକ୍ଷପଥରେ ତାହା ଅବସ୍ଥାପିତ ହେଲାବେଳକୁ ବହୁତ କମି ଯାଇଥାଏ । ଉଦାହରଣ ସ୍ୱରୂପ, ଇନ୍‌ସାଟ୍‌ ଉପଗ୍ରହଟି ଭୂପୃଷ୍ଠରୁ ଯିବାବେଳେ ପ୍ରାୟ ୧,୧୫୦ କି.ଗ୍ରା. ଓଜନ ଥିଲା ବେଳେ କକ୍ଷପଥରେ ପରିକ୍ରମା କଲାବେଳକୁ ତାର ଓଜନ ୫୮୦ କି.ଗ୍ରା.କୁ କମି ଯାଇଥିଲା । କୃତ୍ରିମ ଉପଗ୍ରହ ଓ ଏହାର ଯନ୍ତ୍ରପାତିକୁ ସକ୍ରିୟ ରଖିବା ପାଇଁ ସୌରଶକ୍ତିର ସାହାଯ୍ୟ ନିଆଯାଇଥାଏ । ଏଥିରେ ଥିବା ଫଳକମାନ (Panels) ସୂର୍ଯ୍ୟ ଆଡ଼କୁ ରହି ସୌରଶକ୍ତି ସଂଗ୍ରହ କରିଥାଏ ଏବଂ ସେଥିରୁ ଆବଶ୍ୟକ ବିଦ୍ୟୁତ୍‌ ଶକ୍ତି ପ୍ରସ୍ତୁତ କରାଯାଇ କୃତ୍ରିମ ଉପଗ୍ରହ ଓ ଏହାର ଯନ୍ତ୍ରପାତିକୁ କାର୍ଯ୍ୟକ୍ଷମ କରେ । କୃତ୍ରିମ ଉପଗ୍ରହ ମହାଶୂନ୍ୟରେ ପ୍ରାୟ ୫/୭ ବର୍ଷ ଏହିପରି କାର୍ଯ୍ୟକ୍ଷମ ରହିବା ପାଇଁ ନିର୍ମିତ ହୋଇଥାଏ ।

କୃତ୍ରିମ ଉପଗ୍ରହର କାର୍ଯ୍ୟ ଓ ପ୍ରକାରଭେଦ

କୃତ୍ରିମ ଉପଗ୍ରହକୁ ମାନବ ସମାଜର ବିଭିନ୍ନ ପ୍ରକାର ସେବାରେ ଉପଯୋଗ କରା ଯାଇଥାଏ । ଭୂପୃଷ୍ଠରୁ ପ୍ରାୟ ୩୬,୦୦୦ କି.ମି. ଉଚ୍ଚରେ ରହି ଏହା ଏକ ଶକ୍ତିଶାଳୀ ଟାୱାର ଭାବରେ କାର୍ଯ୍ୟ କରିଥାଏ । ଏହି ଉଚ୍ଚତାରୁ ପୃଥିବୀର ପ୍ରାୟ ଏକ ତୃତୀୟାଂଶ ଅଞ୍ଚଳକୁ ବିଭିନ୍ନ ପ୍ରକାର ସୁଯୋଗ ମିଳିଥାଏ । ତେଣୁ ସମାନ ଦୂରତାରେ ମହାଶୂନ୍ୟରେ ତିନୋଟି କୃତ୍ରିମ ଉପଗ୍ରହ ସ୍ଥାପିତ ହେଲେ ସମଗ୍ର ବିଶ୍ୱ ସହିତ ଏହି ଯୋଗାଯୋଗ ସେବାର ସୁବିଧା କରା ଯାଇଥାଏ ।

କୃତ୍ରିମ ଉପଗ୍ରହ ଏକ ବିସ୍ତୃତ ଭୂଖଣ୍ଡରେ ସଞ୍ଚାର ତଥା ଯୋଗାଯୋଗର ସାଧନ ହୋଇପାରିଛି । ଦୂରଦର୍ଶନ ସେବାରେ ଏହା ଏକ ବିପ୍ଳବ ଆଣିପାରିଛି । ଅଳ୍ପ କେତେ ବର୍ଷ ପୂର୍ବେ ଟେଲିଭିଜନର ଚିତ୍ର ଶହେ କି.ମି.ରୁ ଅଧିକ ଦୂରକୁ ପଠାଇବା କଷ୍ଟକର ଥିଲା । ଏବେ କିନ୍ତୁ ଲଣ୍ଡନଠାରୁ ପ୍ରଚାରିତ କାର୍ଯ୍ୟକ୍ରମ ଲରମ୍ଭାରେ ଦେଖି ହେଉଛି । ଏମିତିକି ନୂଆଦିଲ୍ଲୀରେ ଏକ ଆନ୍ତର୍ଜାତୀୟ ସମ୍ମେଳନ ହେଲେ ନିଉୟର୍କର ଟେଲିଭିଜନ ସେଟ୍‌ରେ ସିଧା ଦେଖି ହେଉଛି । ସମ୍ପ୍ରତି ଇନ୍‌ସାଟ୍‌ ଉପଗ୍ରହ ଯୋଗୁଁ ସମଗ୍ର ଭାରତବର୍ଷରେ ଦୂରଦର୍ଶନ କାର୍ଯକ୍ରମର ଅଭୂତପୂର୍ବ ପ୍ରସାର ଘଟିପାରୁଛି । ଅଲିମ୍ପିକ୍‌, ଏସିଆଡ଼୍‌ ଆଦି ଆନ୍ତର୍ଜାତୀୟ ଓ ଆଞ୍ଚଳିକ କ୍ରୀଡ଼ା ପ୍ରତିଯୋଗିତାର ସିଧା ପ୍ରସାରଣ ସମ୍ଭବ ହୋଇପାରିଛି ।

ସାରା ଜଗତରେ ତାର ବ୍ୟବସ୍ଥାରେ ଆଜିକାଲି ଉଲ୍ଲେଖଯୋଗ୍ୟ ଅଗ୍ରଗତି ଘଟିଛି । ଟେଲିଫୋନ୍‌ ସେବାର ପ୍ରସାର ସହଜସାଧ୍ୟ ହୋଇପାରିଛି । ଆଗେ ଆମେ ଦୂରଦୂରାନ୍ତର ଫୋନ୍‌ କରିବାକୁ ଘଣ୍ଟା ଘଣ୍ଟା, କେତେବେଳେ ଦିନ ଦିନ ଅପେକ୍ଷା କରିବାକୁ ପଡୁଥିଲା । ଏବେ ଆମେ କୌଣସି ଟେଲିଫୋନ୍‌ ବାର୍ତ୍ତା ଆମ ଘରୁ ବା ସ୍ଥାନୀୟ ଟେଲିଫୋନ୍‌ କେନ୍ଦ୍ରରୁ ପଠାଉଛୁଁ । ସେଠାରୁ ମାଇକ୍ରୋୱେଭ୍‌ ସାହାଯ୍ୟରେ ଉପଗ୍ରହ ସଞ୍ଚାର କେନ୍ଦ୍ରକୁ ପଠାଯାଏ । ସେଠାରୁ କୃତ୍ରିମ ଉପଗ୍ରହ ସଞ୍ଚାର କେନ୍ଦ୍ର ସାହାଯ୍ୟରେ ଦେଶ ବିଦେଶର ନିର୍ଦ୍ଦିଷ୍ଟ ସ୍ଥାନକୁ ଉକ୍ତ ବାର୍ତ୍ତା ଆସି ଉଦ୍ଦିଷ୍ଟ ଟେଲିଫୋନ୍‌ରେ ଶୁଣାଯାଏ । ଏତେ କଥା କିନ୍ତୁ ଆଖି ପିଛୁଳାକେ ଘଟିଯାଏ । ସେଥିପାଇଁ କେଟୋଟି ସେକେଣ୍ଡ ମଧ୍ୟ ଯଥେଷ୍ଟ ! ଏହା ଫଳରେ ଭୁବନେଶ୍ୱରରୁ ଭବାନୀପାଟଣା ମଧ୍ୟରେ ଆମେ ଟେଲିଫୋନ୍‌ରେ କଥାବାର୍ତ୍ତା କରିବାକୁ ଯେତିକି ସମୟ ଲାଗେ, ପାଟଣାରୁ ପ୍ୟାରିସ୍‌ ସହରର କୌଣସି ଲୋକ ସହିତ ଯୋଗାଯୋଗ କରିବାରେ ତାଠାରୁ ଅଧିକ ସମୟ ଲାଗେ ନାହିଁ । ଟେଲିଫୋନ୍‌ ସେବା ସତେ କେତେ ସହଜ ଓ ସୁବିଧାଜନକ ହୋଇଛି ।

କୃତ୍ରିମ ଉପଗ୍ରହ ଯୋଗୁଁ ପୃଥିବୀ ଆଜି ସଙ୍କୁଚିତ ହୋଇଯାଇଛି । ଯୋଗାଯୋଗ ଯେପରି ସହଜସାଧ୍ୟ ହୋଇପାରିଛି । ପାଣିପାଗ ସମ୍ପର୍କରେ ନିର୍ଭୁଲ ଭବିଷ୍ୟତ ସୂଚନା ପାଇବା ସେମିତି ସୁବିଧାଜନକ ହୋଇଛି । ବିଲାତ, ଆମେରିକା, ଋଷ୍‌, ଜାପାନ ପ୍ରଭୃତି ଦେଶ ଗୁଡ଼ିକ ଆଗେ ଯେତେ ଦୂରରେ ଥିଲା ପରି ଲାଗୁଥିଲା, ଏବେ ଆଉ ସେତେ ଦୂର ବୋଲି ବୋଧ ହେଉ ନାହିଁ । ପ୍ରାକୃତିକ ପରିବେଶ ସମ୍ପର୍କରେ ପୂର୍ବରୁ ଆବଶ୍ୟକ ତଥ୍ୟ ମିଳିପାରିଲେ ମନୁଷ୍ୟ ହୁସିଆର ହୋଇପାରିବ । ବଙ୍ଗୋପସାଗରରେ ବାତ୍ୟା ଦେଖାଦେଲେ ପୁରୀ ଓ ଚିଲିକାରେ ମତ୍ସ୍ୟଜୀବୀ ଯତ୍ନବାନ୍‌ ହେବେ । ଭାରତ ମହାସାଗର ଉପରେ ଲଘୁଚାପ ସୃଷ୍ଟି ହେଲେ ତାର ଗତିପଥକୁ ଚାହିଁ ଆମେ ଆବଶ୍ୟକ ପଦକ୍ଷେପ ନେଇପାରିବା।

କୃତ୍ରିମ ଉପଗ୍ରହରେ ଥିବା କ୍ୟାମେରା ଆକାଶରେ ଥିବା ବାଦଲର ଫଟୋ ଚିତ୍ର ଉଠାଇ ପାରିଥାଏ ଏବଂ ସେଥିରେ ଥିବା ଯନ୍ତ୍ରପାତି ପାଣିପାଗ ସମ୍ପର୍କରେ ଅନ୍ୟାନ୍ୟ ବହୁ ତଥ୍ୟ ପରିବେଷଣ କରିଥାଏ। ଝଡ଼, ତୋଫାନ, ବୃଷ୍ଟିପାତ ଆଦିର ଭାବୀ ସୂଚନା ବହୁ ଦୁର୍ଘଟଣାରୁ ମଣିଷକୁ ରକ୍ଷା କରିଥାଏ । ଭାରତ ପରି କୃଷିପ୍ରଧାନ ଦେଶରେ ଏହିପରି ପାଣିପାଗ ଆଗରୁ ଜାଣିବାର ସୁବିଧା ଏକ ଅମୂଲ୍ୟ ଆଶୀର୍ବାଦ ।

ଭୂପୃଷ୍ଠ ଓ ଭୂଗର୍ଭର ପ୍ରାକୃତିକ ସମ୍ପଦର ସର୍ବେକ୍ଷଣ କୃତ୍ରିମ ଉପଗ୍ରହର ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ । ପ୍ରକାଣ୍ଡ ଅଞ୍ଚଳବ୍ୟାପୀ ପାହାଡ଼ ଜଙ୍ଗଲର ଅବସ୍ଥା ଓ ପରିମାଣ, ନଦୀର ଗତିପଥ ପରିବର୍ତ୍ତନ, ଭୂମିକ୍ଷୟ ଆଦି ସମ୍ପର୍କରେ ଏଥିରୁ ସୂଚନାମାନ ମିଳିଥାଏ । ଅବସ୍ଥିତି ଓ ପରିମାଣ ବିଷୟରେ କୃତ୍ରିମ ଉପଗ୍ରହ ଉପାଦେୟ ତଥ୍ୟମାନ ଯୋଗାଇଥାଏ । ଏହି ସବୁ ପ୍ରାକୃତିକ ଅବସ୍ଥା ଜାଣିଲେ ମନୁଷ୍ୟ ଅସୁବିଧାର ନିରାକରଣ ପାଇଁ ଆବଶ୍ୟକ ପଦକ୍ଷେପ ନେଇଥାଏ । ଉଦାହରଣ ସ୍ୱରୂପ, ଅରଣ୍ୟର ହ୍ରାସ ହେଉଥିବା ଜାଣି ନୂତନ ଜଙ୍ଗଲ ସୃଷ୍ଟି କରିବା ବା ନଦୀର ଗତିପଥ ପରିବର୍ତ୍ତନ ହେଉଥିବାରୁ ତାର ପ୍ରତିରୋଧକ ବ୍ୟବସ୍ଥା କରିବା କିମ୍ବା ଭୂମିକ୍ଷୟ ହେଉଥିବା ଅଞ୍ଚଳର କଳନା କରି ତାର ପ୍ରତିକାର କରିବା ସମ୍ଭବ ହୋଇପାରୁଛି ।

କୃତ୍ରିମ ଉପଗ୍ରହ ଅନ୍ତରୀକ୍ଷରେ ରହି ବହୁ ବୈଜ୍ଞାନିକ ପରିକ୍ଷାନିରୀକ୍ଷା କରିଥାଏ । ମନୁଷ୍ୟ ଏପରି ସ୍ଥାନରେ ଦୀର୍ଘ ସମୟ ରହି ପରୀକ୍ଷାନିରୀକ୍ଷା କରିବା ସମ୍ଭବ ହୋଇନଥାଏ । କୃତ୍ରିମ ଉପଗ୍ରହ ଦ୍ୱାରା ପ୍ରେରିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓ ଫଟୋରୁ ବିଜ୍ଞାନୀମାନେ ବାସ୍ତବ ଅବସ୍ଥା ସମ୍ପର୍କରେ କଳନା କରିଥାନ୍ତି । ବିଶେଶ ଭାବରେ ମନୁଷ୍ୟ କୌଣସି ଗ୍ରହ ଉପଗ୍ରହକୁ ଯିବା ପୂର୍ବରୁ କୃତ୍ରିମ ଗ୍ରହ ପଥ ପ୍ରଦର୍ଶକ ଭାବରେ କାର୍ଯ୍ୟ କରିଥାଏ । ଚନ୍ଦ୍ରକୁ ଯିବା ପୂର୍ବରୁ ମନୁଷ୍ୟ କୃତ୍ରିମ ଗ୍ରହ ପଠାଇ ସେଠାର ପ୍ରାକୃତିକ ଅବସ୍ଥା ସମ୍ପର୍କରେ ସଠିକ୍‌ ଧାରଣା କରିଥିଲା । ଏବେ ସେହି ପରି ମନୁଷ୍ୟ କୃତ୍ରିମ ଗ୍ରହ ପଠାଇ ମଙ୍ଗଳ ଓ ଶୁକ୍ର ଗ୍ରହ ବିଷୟରେ ଆନୁଷଙ୍ଗିକ ତଥ୍ୟ ସଂଗ୍ରହ କରିଥାନ୍ତି । ମନୁଷ୍ୟ ଭବିଷ୍ୟତରେ ଯେଉଁ ଗ୍ରହାନ୍ତର ଯାତାର ସ୍ୱପ୍ନ ଦେଖୁଛି, ସେଥିରେ କୃତ୍ରିମ ଗ୍ରହ ହିଁ ତାର ପ୍ରଧାନ ସମ୍ବଳ।

ଆଧୁନିକ ରାଷ୍ଟ୍ରଗୁଡ଼ିକ କୃତ୍ରିମ ଉପଗ୍ରହକୁ ସାମରିକ ଓ ଗୁପ୍ତଚର କାର୍ଯ୍ୟରେ ଲଗାଉଛନ୍ତି । ସୁଦୂର ଅନ୍ତରୀକ୍ଷରେ ରହି ବିଭିନ୍ନ ଯାନ ଓ କ୍ଷେପଣାସ୍ତ୍ର (Missile) ପରି ଅସ୍ତ୍ରଶସ୍ତ୍ର ସମ୍ପର୍କରେ ଏହା ତଥ୍ୟ ଯୋଗାଇ ପାରୁଛି । ଫଳତଃ ସମ୍ପୃକ୍ତ ରାଷ୍ଟ୍ରଗୁଡ଼ିକ ପୂର୍ବରୁ ସତର୍କ ହୋଇ ପାରୁଛନ୍ତି । ଶତ୍ରୁ ରାଷ୍ଟ୍ରରେ ସାମରିକ ସ୍ଥିତି, ସୈନ୍ୟ ଓ ଯାନର ପରିଚାଳନା ପ୍ରଭୃତି ବିଷୟରେ କୃତ୍ରିମ ଗ୍ରହଠାରୁ ସୂଚନାମାନ ମିଳିପାରୁଛି । ଭୂଗର୍ଭରେ କେଉଁ ଦେଶ ଆଣବିକ ପରୀକ୍ଷା କଲେ ତାହା ଅନ୍ତରୀକ୍ଷରେ ପରିକ୍ରମା କରୁଥିବା କୃତ୍ରିମ ଉପଗ୍ରହ ପାଖରେ ଅଗୋଚର ବା ଅଛପା ରହେ ନାହିଁ ।

ଭବିଷ୍ୟତର ସମ୍ଭାବନା

ଅନ୍ତରୀକ୍ଷରେ କୃତ୍ରିମ ଉପଗ୍ରହକୁ ମନୁଷ୍ୟ ଆଜିକାଲି ଯେମିତି ଗବେଷଣାଗାର ରୂପେ ବ୍ୟବହାର କରୁଛି, ସେମିତି ଭବିଷ୍ୟତରେ ଏହାକୁ ଗ୍ରହାନ୍ତର ଯାତ୍ରା ପାଇଁ ଇନ୍ଧନ ଇତ୍ୟାଦି ସଂଗ୍ରହର କେନ୍ଦ୍ର ଭାବରେ ବ୍ୟବହାର କରିବାକୁ ଯାଉଛି । ଋଷ୍‌, ଆମେରିକା ପ୍ରଭୃତି ରାଷ୍ଟ୍ରଗୁଡ଼ିକ ଅନ୍ତରୀକ୍ଷ କେନ୍ଦ୍ରମାନ ପ୍ରତିଷ୍ଠା କରି ଏ ଦିଗରେ ବହୁ ଅଗ୍ରଗତି ସାଧନ କଲେଣି । କେବଳ ଇନ୍ଧନ ସଂଗ୍ରହ ନୁହେଁ, କୃତ୍ରିମ ଉପଗ୍ରହ ଓ ଏହାର ଯନ୍ତ୍ରପାତିକୁ ମରାମତି କରିବା ପାଇଁ ଏହି ସବୁ ଅନ୍ତରୀକ୍ଷ ଷ୍ଟେସନ ବ୍ୟବହୃତ ହୋଇପାରୁଛି । ଅନ୍ତରୀକ୍ଷର ଭାରହୀନ ଅବସ୍ଥା ଶିଳ୍ପ, ସ୍ୱାସ୍ଥ୍ୟ, କୃଷି ଇତ୍ୟାଦି କ୍ଷେତ୍ରରେ କି ପ୍ରକାର ପ୍ରଭାବ ପକାଇବ ବା ସେହି ସବୁ କ୍ଷେତ୍ରରେ ମନୁଷ୍ୟ କି କି ସୁବିଧା ସୁଯୋଗ ଲାଭ କରି ପାରିବ, ତାର ପରୀକ୍ଷାନିରୀକ୍ଷା ଦ୍ରୁତଗତିରେ ସମ୍ପାଦିତ ହେଉଛି।

କୃତ୍ରିମ ଉପଗ୍ରହ ମନୁଷ୍ୟ ସମାଜର ସେବା କରିବା ପାଇଁ ଉଦ୍ଦିଷ୍ଟ । ମାତ୍ର ବହୁ ସଂଖ୍ୟାରେ ଏଗୁଡ଼ିକୁ ମହାଶୂନ୍ୟକୁ ପଠାଇ ମନୁଷ୍ୟ ନିଜ ପାଇଁ କେତେକ ବିପଦ ସୃଷ୍ଟି କରୁଛି । କୃତ୍ରିମ ଉପଗ୍ରହ ଗୁଡ଼ିକ ମଧ୍ୟରେ ଧକ୍କା ଘଟି ବା ସ୍ୱତଃ ବିସ୍ଫୋରଣ ଘଟି ମନୁଷ୍ୟର ନିରାପତ୍ତାକୁ ବିପନ୍ନ କରୁଛି । ଏଗୁଡ଼ିକୁ ଗୁପ୍ତଚର କାର୍ଯ୍ୟରେ ଲଗାଇ ରାଷ୍ଟ୍ରଗୁଡ଼ିକର ନିରାପତ୍ତା କ୍ଷେତ୍ରରେ ବହୁ ସମସ୍ୟା ସୃଷ୍ଟି ହେଉଛି । ନିୟନ୍ତ୍ରଣହୀନ ଭାବରେ କୃତ୍ରିମ ଉପଗ୍ରହର ପ୍ରସ୍ତୁତି ଓ ଉତ୍‌କ୍ଷେପଣ ମନୁଷ୍ୟ ସମାଜ ପାଇଁ ବିପଜ୍ଜନକ ହୋଇଛି । କୃତ୍ରିମ ଉପଗ୍ରହର ପ୍ରସ୍ତୁତି ଓ ପ୍ରେରଣ ବିଶେଷ ବ୍ୟୟବହୁଳ । ତେଣୁ ଦରିଦ୍ର ଦେଶଗୁଡ଼ିକ ଏଥିରେ ମାତି ନିଜର ଅତ୍ୟାବଶ୍ୟକ ବିକାଶକୁ ବାଧାପ୍ରାପ୍ତ କରାଇବା ଅନୁଚିତ ।

ଅବଶ୍ୟ ମନୁଷ୍ୟର ପ୍ରାୟ ପ୍ରତ୍ୟେକ କାର୍ଯ୍ୟର ଭଲ ଓ ମନ୍ଦ ବିଭାବ ରହିଛି । ତାର ପ୍ରତି ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର ଓ ଉଦ୍ଭାବନର ଉଭୟ ଉପକାର ଓ ଅପକାର ରହିଛି । ମନୁଷ୍ୟର ବ୍ୟବହାର ଉପରେ ଏହା ନିର୍ଭର କରେ । କୃତ୍ରିମ ଉପଗ୍ରହକୁ ଉପଯୁକ୍ତ ଭବରେ ଉପଯୋଗ କରିପାରିଲେ ମନୁଷ୍ୟର ସୁଖଶାନ୍ତିର ବିକାଶ ଘଟିବ ଓ ନୂତନ ସ୍ୱର୍ଣ୍ଣଯୁଗ ଉନ୍ମୋଚିତ ହୋଇପାରିବ ।

ତାରକା ଯୁଦ୍ଧ

ପୃଥିବୀରେ ପ୍ରଳୟ କାଣ୍ଡ ସୃଷ୍ଟି କରିବା ପାଇଁ ମନୁଷ୍ୟ ଯେମିତି ବିଜ୍ଞାନ ବଳରେ ତାଣ୍ଡବ ନୃତ୍ୟ ରଚନା କରୁଛି ! ବିପଜ୍ଜନକ ମାରଣାସ୍ତ୍ରଗୁଡ଼ିକର ଉଦ୍ଭାବନ ଓ ଉତ୍ପାଦନ କରିବା ସଙ୍ଗେ ସଙ୍ଗେ ସେ କୃତ୍ରିମ ଉପଗ୍ରହ ସାହାଯ୍ୟରେ ସେଗୁଡ଼ିକୁ ଆହୁରି ବ୍ୟାପକ ଓ ଭୟଙ୍କର କରାଇବାରେ ଲାଗିଛି । ମହାକାଶରେ କୃତ୍ରିମ ଉପଗ୍ରହର ସାମରିକ କେନ୍ଦ୍ରମାନ ପ୍ରତିଷ୍ଠା କରି ସେହିଠାରୁ ସମରସଜ୍ଜା ଓ ଆକ୍ରମଣ ତଥା ପ୍ରତିଆକ୍ରମଣ କରାଇବା ହେଉଛି ତାରକାଯୁଦ୍ଧ ବା ଏସ୍‌.ଡି.ଆଇ (Strategic Defence Initiative) । ଏହି କେନ୍ଦ୍ରମାନ ଯନ୍ତ୍ରମାନବ ବା ରୋବଟ (Robot) ଦ୍ୱାରା ନିୟନ୍ତ୍ରିତ ହେବ ଏବଂ ପ୍ରଳୟଙ୍କରୀ ଆଣବିକ ତଥା ଉଦ୍‌ଜାନିକ କ୍ଷେପଣାସ୍ତ୍ର, ଲେଜର୍‌ ଆଦି ଦ୍ୱାରା ସୁସଜ୍ଜିତ ହେବ ।

ଏହି ପ୍ରକଳ୍ପର ଏକ ପ୍ରଧାନ ବିଭାଗ ହେଲା ଉପଗ୍ରହ ବିଧ୍ୱଂସକ ଶସ୍ତ୍ରବ୍ୟବସ୍ଥା (Anti Satellite Weapon) । ପ୍ରଥମେ ଶହ ଶହ କି.ମି. ଦୂରସ୍ଥ ମୃତ ଉପଗ୍ରହ ପାଖକୁ କ୍ଷେପଣାସ୍ତ୍ର ପଠାଇ ତାକୁ ଧ୍ୱଂସ କରାଯାଇଥିଲା । ସମ୍ପ୍ରତି ଇରାକ୍‌ର ଶକ୍ତିଶାଳୀ ସ୍କଡ୍‌ (Scud) କ୍ଷେପଣାସ୍ତ୍ରକୁ ପାଟ୍ରିଅଟ୍‌ ମିଜାଇଲ୍‌ (Patriot Missile) ଦ୍ୱାରା ଆକାଶ ଦେଶରେ ବିଧ୍ୱସ୍ତ କରାଯାଇ ପାରିଥିଲା । ଫଳରେ ଏହି ପ୍ରକଳ୍ପର ସଫଳତା ପ୍ରମାଣିତ ହୋଇପାରିଛି । ଆମ ପୌରାଣିକ ଯୁଗରେ ଅଗ୍ନି ଅସ୍ତ୍ର, ବଜ୍ର ଅସ୍ତ୍ର ପ୍ରଭୃତି ଅତି ଭୟଙ୍କର ଶସ୍ତ୍ରଗୁଡ଼ିକୁ ଆକାଶ ମଣ୍ଡଳରେ ବିଧ୍ୱଂସକାରୀ ଅସ୍ତ୍ରଦ୍ୱାରା ଧ୍ୱଂସ କରାଯାଉଥିଲା । ଆଜି ଯୁକ୍ତରାଷ୍ଟ୍ର ଆମେରିକା ଏହି ପ୍ରକାର ମହାଶୂନ୍ୟରେ ଥିବା ଉପଗ୍ରହ ତଥା କ୍ଷେପଣାସ୍ତ୍ର ଗୁଡ଼ିକୁ ଧ୍ୱଂସ କରିଦେବାରେ ସଫଳତା ଅର୍ଜନ କରିଛି ।

ଗତ ଇରାକ୍‌ ଯୁଦ୍ଧରେ ବ୍ୟବହୃତ ପ୍ୟାଟ୍ରିଅଟ୍‌ ମିଜାଇଲ୍‌ର ଅପୂର୍ବ ସଫଳତା ଆମେରିକାକୁ ପୂର୍ବରୁ ଆଲୋଚିତ ତାରକା ଯୁଦ୍ଧ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାରେ ଅଧିକ ଉତ୍ସାହିତ କରିଛି । ରାଷ୍ଟ୍ରପତି ରେଗନ୍‌ଙ୍କ ସମୟରେ ପ୍ରସ୍ତାବିତ ଓ ବହୁ ସମାଲୋଚିତ ଏହି ତାରକାଯୁଦ୍ଧ ପ୍ରକଳ୍ପ ସମ୍ପ୍ରତି ରାଷ୍ଟ୍ରପତି ବୁଶ୍‌ଙ୍କ ଦ୍ୱାରା ବିଧିବଦ୍ଧ ଭାବରେ ପରୀକ୍ଷିତ ଓ ସମ୍ପାଦିତ ହେବାର ଆଶା ଉଜ୍ଜ୍ୱଳ ହୋଇଉଠିଛି । ଏହାକୁ ମୁଖ୍ୟତଃ ପ୍ରତିରକ୍ଷାମୂଳକ କହୁଥିଲେ ହେଁ ବାସ୍ତବରେ ଏହା ଆକ୍ରମଣାତ୍ମକ କାର୍ଯ୍ୟରେ ନିଯୁକ୍ତ ହେବା ଅସମ୍ଭବ ନୁହେଁ । ଫଳରେ ଆନ୍ତର୍ଜାତିକ ସ୍ତରରେ ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତା ହ୍ରାସ ପାଇବାକୁ ଯାଉଥିଲା ବେଳେ ବହୁଗୁଣିତ ହେବ । ତେଣୁ ବିଶ୍ୱଶାନ୍ତି ବିଘ୍ନିତ ହେବା ସ୍ୱାଭାବିକ୍‌ ।

ବିଜ୍ଞାନ ମନୁଷ୍ୟକୁ ଆଜି ଏହିପରି ବହୁ ଅଭୂତପୂର୍ବ ଓ ଅଦୃଷ୍ଟପୂର୍ବ ଶକ୍ତିରେ ବଳୀୟାନ୍‌ କରିଛି । ତାର ଅପୂର୍ବ ଶକ୍ତି ସାମର୍ଥ୍ୟକୁ ସେ ମଣିଷର ସୁଖଶାନ୍ତି ଓ ସମୃଦ୍ଧି କ୍ଷେତ୍ରରେ ସଦୁପଯୋଗ କରିପାରିଲେ ଧନ୍ୟ ହୋଇପାରିବ । ଏହି ଧରାପୃଷ୍ଠରେ ସେ ସ୍ୱର୍ଗର ସନ୍ଧାନ ଓ ଅବତରଣ କରାଇ ପାରିବ ଏବଂ ନିଜେ ଦେବତ୍ୱ ଓ ଅମରତ୍ୱ ଲାଭ କରିପାରିବ । ନଚେତ ମନୁଷ୍ୟ ଆସୁରିକ ଓ ପୈଶାଚିକ ପ୍ରବୃତ୍ତିରେ ପରିଚାଳିତ ହୋଇ ଭୂପୃଷ୍ଠରେ ନାରକୀୟ କାଣ୍ଡମାନ ରଚନା କରି ସମସ୍ତ ସୁଖଶାନ୍ତି ଓ ସମୃଦ୍ଧିକୁ ଅଚିରେ ଧୂଳିସାତ୍‌ କରିଦେବ ।

Jaganath Mohanty Books Jaganath Mohanty odia Story Odia Story
Share. Facebook Twitter Pinterest LinkedIn Tumblr Reddit Email
Previous Articleଆମ ଦେଶରେ କୃତ୍ରିମ ଉପଗ୍ରହର୍ ଜୟଯାତ୍ରା
Next Article ବର୍ଣ୍ଣବୋଧ
ଜଗନ୍ନାଥ ମହାନ୍ତି

Related Posts

ଅଭିନବ ବିବାହ

March 16, 2023

ବୋକା ନା ବିବେକୀ?

March 1, 2023

ଘୋରକର ଉଦାରତା

February 1, 2023

ମହାଭାରତ

January 26, 2023

ମହାରାଜାଙ୍କ କଳା

December 21, 2022

ଶକରକନ୍ଦ

December 12, 2022
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.