• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»Krushnabatara
ଗଳ୍ପ

Krushnabatara

Liza SBy Liza SAugust 15, 2022No Comments8 Mins Read
Facebook Twitter Pinterest Reddit LinkedIn Tumblr Email
Krushnabatara
Krushnabatara
Share
Facebook Twitter Pinterest Reddit Email

ବିବାହ ପରେ ବରକନ୍ୟା ନେଇ ଶ୍ରୀକୃଷ୍ଣ ଓ ବଳରାମ ବାହୁଡି ଯିବା କଥା । କିନ୍ତୁ ରୁକ୍ମୀଙ୍କ ସାଥି ରାଜାମାନେ ରୁକ୍ମୀକୁ କହିଲେ “ଏ ଭାବରେ ନ ହରେଇଲେ ମଧ୍ୟ ଅନ୍ୟ ଭାବରେ ଆମେ ତାଙ୍କୁ ହରାଇ ଅପମାନ ଦେବା । ସେଥିପାଇଁ ଅନେକ ଉପାୟ ଅଛି ।”

ରୁକ୍ମୀ ପଚାରିଲେ “ଆଚ୍ଛା କି ଉପାୟ ଅଛି କହିଲ?”

“ଆପଣ କ’ଣ ଜାଣନ୍ତି ନାହିଁ ବଳରାମ ଦ୍ୟୁତ କ୍ରୀଡାରେ ଧୂରନ୍ଧର ଓ ସେଥିପାଇଁ ସେ ବି ସଦା ସର୍ବଦା ଆଗ୍ରହ ଦେଖାନ୍ତି । ଦ୍ୟୁତକ୍ରୀଡା ସକାଶେ ତାଙ୍କୁ ଆହ୍ୱାନ କଲେ, ସେ ଅତି ଆନନ୍ଦରେ ଖେଳିବାକୁ ଆସିବେ । ଆଉ ଆପଣ ବୋଧହୁଏ ଜାଣନ୍ତି ନାହିଁ ଦ୍ୟୁତକ୍ରୀଡାର ଅନ୍ୟ ଏକ ଦିଗ ହେଉଛି ଛଳନା । ଆଉ ସେହି ଛଳନା ବଳରେହିଁ ଆମେ ତାଙ୍କୁ ହରାଇବା । ତା’ପରେ ଦେଖିବା ତାଙ୍କର ରୂପ । କ’ଣ ଆପଣ ଏଥିରେ ସମ୍ମତ ତ?”

ରୁକ୍ମୀ କହିଲେ “ନିଶ୍ଚୟ । ମୁଁ ତ କେବଳ କୃଷ୍ଣ ଓ ବଳରାମଙ୍କର ପରାଜୟହିଁ ଚାହେଁ; ତାହା ପଛେ ଯେଉଁ ଭାବରେ ହେଉନା କାହିଁକି ।” ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ବଳରାମଙ୍କୁ ଦ୍ୟୁତକ୍ରୀଡା ପାଇଁ ଡକାହେଲା ।

କ୍ରୀଡା ଆରମ୍ଭ ହେଲା । ଦଶହଜାର ସ୍ୱର୍ଣ୍ଣମୁଦ୍ରା ବାଜି ରଖି ବଳରାମ ହାରିଗଲେ । ତା’ପରେ ସେ ବାରମ୍ବାର ହାରିଲେ । ସେ ଏଥିରୁ କିଛିବି ବୁଝି ପାରିଲେ ନାହିଁ । ଶେଷକୁ ଥରେ ଲକ୍ଷେ ସ୍ୱର୍ଣ୍ଣମୁଦ୍ରା ରଖି ସେ ଜିତିଗଲେ । କିନ୍ତୁ ଦୁଷ୍ଟ ରୁକ୍ମୀ କହିଲେ, “ଏଥରକ ମଧ୍ୟ ମୋର ଜିତାପଟ । କାରଣ ବଳରାମ କ’ଣ ଦ୍ୟୁତିକ୍ରୀଡାର ମହତ୍ୱ ବୁଝିବେ? ବଳରାମ ତ ତାଙ୍କ ପିଲାଦିନୁ ଗୋପାଳମାନଙ୍କ ସହିତ ବଢିଛନ୍ତି । ଏଣୁ ତାଙ୍କର ଦ୍ୟୁତକ୍ରୀଡା ପାଇଁ ଆବଶ୍ୟକ ହେଉଥିବା ଗଭୀର ଜ୍ଞାନ ମୋଟେ ନାହିଁ । କାରଣ ମୁଁ ଏଠାରେ ଜିତିଛି ଆଉ ସେ ବୁଝିପାରୁ ନାହାଁନ୍ତି, କହୁଛନ୍ତି କ’ଣ ନା ମୁଁ ହାରିଛି?”

ଉପସ୍ଥିତ ଜଣେ ରାଜା କହିଲେ, ଠିକ୍ ଠିକ୍, ଏଥର ମଧ୍ୟ ରୁକ୍ମୀ ଯାହା କହୁଛନ୍ତି ତାହା ପୁରାପୁରି ସତ୍ୟ ।”

ବଳରାମ ଟିକିଏ ରାଗିଯାଇ ସେ ଉପସ୍ଥିତ ରାଜାମାନଙ୍କୁ କହିଲେ, “ଆପଣମାନେ ତ ଏଠାରେ ଉପସ୍ଥିତ ଅଛନ୍ତି, କୁହନ୍ତୁ ତ ନ୍ୟାୟ କ’ଣ? ସମସ୍ତଙ୍କ ସମକ୍ଷରେ ମୁଁ ଜିତିଲି ଆଉ ସେ କହୁଛନ୍ତି କ’ଣ ନା ତାଙ୍କର ବିଜୟ ।”

ବଳରାମଙ୍କ କଥା ଶୁଣି ରାଜାମାନେ ତଳକୁ ମୁହଁ କରି ନୀରବରେ ବସି ରହିଲେ; ସେମାନଙ୍କର ଏପରି ବ୍ୟବହାର ଦେଖି ବଳରାମ ବହୁତ କ୍ରୋଧାନ୍ୱିତ ହେଲେ ।

ରୁକ୍ମୀ କହିଲେ, “ମୋର ବିଜୟ ଉପରେ କ’ଣ କାହାର କିଛି ସନ୍ଦେହ ଅଛି? ଆପଣ କେବଳ ଧନର ମୋହରେ ପଡି ଏପରି ମିଥ୍ୟାର ଆଶ୍ରୟ ନେଉଛନ୍ତି ।”

ବଳରାମ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହେଲେ । ଏପରି କଂଚାମିଛ ତାଙ୍କ ଉପରେ ଆରୋପ କରାଯାଉଛି ଯେ ଏହାର ଉତ୍ତର ସେ କ’ଣ ଦେବେ ତାହା ସେ କିଛି ଠିକ୍ କରିପାରିଲେ ନାହିଁ । ଏହି ସମୟରେ ଏକ ଆକାଶବାଣୀ ହେଲା, “ବଳରାମ ଯାହା କହୁଛନ୍ତି ତାହା ଠିକ୍ । କିନ୍ତୁ ରୁକ୍ମୀଙ୍କ କଥା ସମ୍ପୂର୍ଣ୍ଣ ମିଥ୍ୟା । ଯେଉଁମାନେ ଧନ ଲୋଭରେ ମିଥ୍ୟାଚାରକୁ ଆଶ୍ରୟ କରୁଛ ସେମାନଙ୍କୁ ଏହାର ପରିଣାମ ଦିନେ ନା ଦିନେ ନିଶ୍ଚୟ ଭୋଗିବାକୁ ହେବ – ଏକଥା ଭୁଲିଯାଅ ନାହିଁ ।”

ତଥାପି ମଧ୍ୟ କେହି କିଛି ହେଲେବି କହିଲେ ନାହିଁ । ଆକାଶବାଣୀ ହେବା ପରେ ବଳରାମଙ୍କୁ ଆଉ କିଏ ସମ୍ଭାଳୁଛି । ପଶାକାଠି ଓ ଗୋଟି ହାତରେ ଥିଲା ତାକୁ ଜୋର୍ରେ ସେ ଫୋପାଡିଲେ । ରୁକ୍ମୀକୁ ରକ୍ଷା କରିବା ପାଇଁ ରାଜାମାନେ ଦୌଡି ଆସି ବଳରାମଙ୍କୁ ଆକ୍ରମଣ କଲେ । ସେତେବେଳକୁ ତ ବଳରାମ ରାଗରେ ଲାଲ୍ ପଡିଯାଇଥା’ନ୍ତି ସେ ଏକେଲାହିଁ ସମସ୍ତଙ୍କୁ ପିଟିବାକୁ ଆରମ୍ଭ କଲେ । ଅଳ୍ପ ସମୟ ମଧ୍ୟରେ ରାଜାମାନେ ପ୍ରାଣହାରି ପଡିଲେ । ମାତ୍ର ରୁକ୍ମୀ କୌଣସି ମତେ ବଂଚିଗଲେ ।
ତା’ପରେ ବଳରାମ ନିଜ ସ୍ଥାନକୁ ଫେରି ଆସି ଶ୍ରୀକୃଷ୍ଣଙ୍କୁ ଏସବୁକଥା କହିଲେ । ଶ୍ରୀକୃଷ୍ଣ ନୀରବ ରହିଲେ, ସେ ଏଥିଲାଗି ତାଙ୍କୁ ଦୋଷ ଦେଲେନାହିଁ ବା ପ୍ରଶଂସା ମଧ୍ୟ କଲେନାହିଁ । କିନ୍ତୁ ଅନ୍ୟ ଯାଦବମାନେ ତାଙ୍କ ବୀରତ୍ୱର ବହୁତ ବହୁତ ପ୍ରଶଂସା କଲେ । ପରଦିନ ବରକନ୍ୟା ଧରି ସେମାନେ ଦ୍ୱାରକା ଅଭିମୁଖେ ପ୍ରତ୍ୟାବର୍ତ୍ତନ କଲେ ।

ବଳରାମଙ୍କର ଅସାମାନ୍ୟ ବଳ ଓ ପରାକ୍ରମ ଥିଲା । ଦଶହଜାର ହାତୀଙ୍କର ବଳ ସହିତ ଭୀମଙ୍କର ବଳ ବି ସମାନ ଥିଲା । ସେ ମଧ୍ୟ ବଳରାମଙ୍କର ଶିଷ୍ୟ ଥିଲେ । ଦୁର୍ଯ୍ୟୋଧନ ଓ ଭୀମ ଏ ଦୁହିଁଙ୍କର ଗଦାଯୁଦ୍ଧ ଶିକ୍ଷା ପାଇଁ ବଳରାମ ଥିଲେ ଗୁରୁ । ଥରେ ଶ୍ରୀକୃଷ୍ଣଙ୍କର ଅନ୍ୟତମ ପୁତ୍ର ଶାମ୍ବ ଦୁର୍ଯ୍ୟୋଧନଙ୍କ କନ୍ୟା ଲକ୍ଷ୍ମଣା ସହିତ ବିବାହ କରିବାକୁ ଇଚ୍ଛା ପ୍ରକାଶ କଲେ । ଦୁହେଁ ଦୁହିଁଙ୍କୁ ବିବାହ କରିବା ପାଇଁ ଚୁକ୍ତିବଦ୍ଧ ହେଲେ । ଏ କଥାରେ ଗୁରୁଜନମାନେ ହୁଏତ ସମ୍ମତ ହେବେନାହିଁ – ଏଇ କଥା ଭାବି ସେ ଦୁହେଁ ଘର ଛାଡି ପଳାଇଲେ । ତା’ପରେ ହସ୍ତିନାପୁରର ସୈନ୍ୟମାନେ ସେମାନଙ୍କୁ ଅଧା ରାସ୍ତାରୁ ଧରି ଆଣିଲେ । ଦୁର୍ଯ୍ୟୋଧନ ଶାମ୍ବଙ୍କୁ କାରାଗୃହରେ ବନ୍ଦୀ କରି ରଖିଲେ । ଏ ସମ୍ବାଦ ପାଇ ବଳରାମ ତାଙ୍କ ସାଙ୍ଗରେ କିଛି ଯାଦବସୈନ୍ୟ ନେଇ ହସ୍ତିନାପୁରରେ ଆସି ପହଁଚିଲେ । କିନ୍ତୁ ସୈନ୍ୟମାନଙ୍କୁ କିଛି ଆଦେଶ ଦେବା ପୂର୍ବରୁହିଁ ନିଜର ହଳ ଧରି ସମଗ୍ର ରାଜ୍ୟକୁ ତାଡି ନେଇ ଯମୁନା ଜଳରେ ଫିଙ୍ଗି ଦେବାକୁ ସେ ଚାହୁଁଥିଲେ । ସେତେବେଳେ ଭୟଙ୍କର ବିପଦ ବିଷୟ ଜାଣିପାରି ଦୁର୍ଯ୍ୟୋଧନ ତାଙ୍କର କୃତ କର୍ମ ପାଇଁ ବଳରାମଙ୍କ ପାଖରେ କ୍ଷମା ଚାହିଁଲେ । କିନ୍ତୁ ସେତେବେଳକୁ ବଳରାମ ଟିକିଏ ମାଟି ତାଡି ଦେଇଥିଲେ । ସେହି ଦିନଠାରୁ ସେ ରାଜ୍ୟଟି ବଙ୍କା ହୋଇ ରହିଛି । ତା’ପରେ ଦୁର୍ଯ୍ୟୋଧନ ବଳରାମଙ୍କୁ ଖୁସି କରିବାକୁ ଚେଷ୍ଟା କଲେ । ତାଙ୍କୁ ସେ ପ୍ରଣାମ କରି ଉଆସ ଭିତରକୁ ନେଇଗଲେ । ନାନା ପ୍ରକାର ଉପହାର ସବୁ ଦେଇ ତାଙ୍କ ରାଗକୁ ସେ ଶାନ୍ତି କଲେ । ତା’ପରେ ଶାମ୍ବ ଓ ଲକ୍ଷ୍ମଣାଙ୍କର ବିବାହ ହେଲା ଓ ଦୁଇ ପକ୍ଷ ଶାନ୍ତ ହେଲେ ।

ସେହି ସମୟରେ ନରକାସୁର ପ୍ରାଗ୍ଜ୍ୟୋତିଷପୁରରେ ବାସ କରୁଥାଏ । ସେ ତ ତା’ ତପସ୍ୟାବଳରେ ବ୍ରହ୍ମାଙ୍କୁ ସନ୍ତୁଷ୍ଟ କରାଇ ନାନା ପ୍ରକାର ବରପ୍ରାପ୍ତ କରିଥାଏ । ତା’ ସହିତ ଯୁଦ୍ଧ କରିବାକୁ ବଡ ବଡ ଯୋଦ୍ଧାମାନେ ମଧ୍ୟ ଡରି ଯାଉଥା’ନ୍ତି । ସେ ଯୁଦ୍ଧ କରି ଅନେକ ରାଜ୍ୟକୁ ନିଜ ଅଧିନରେ ରଖିଲା । ଦିନକୁ ଦିନ ତା’ର ଅତ୍ୟାଚାର ବୃଦ୍ଧି ପାଇବାରେ ଲାଗିଲା ।

ଥରେ ସେ ତା’ ସୈନ୍ୟବଳ ନେଇ ଇନ୍ଦ୍ରପୁରୀ ଆକ୍ରମଣ କଲା । ଇନ୍ଦ୍ର ଓ ଅନ୍ୟାନ୍ୟ ଦେବତାଗଣ ମଧ୍ୟ ସେ ଯୁଦ୍ଧରେ ଯୋଗ ଦେଲେ । ହେଲେ ନରକାସୁରର ଯୁଦ୍ଧ କୌଶଳକୁ କେହିବି ଟପି ପାରିଲେ ନାହିଁ । ଅନେକ ଦିନ ଧରି ଯୁଦ୍ଧ ଚାଲିଲା । ଅନ୍ୟାନ୍ୟ ଅସୁରବୀରମାନେ ମଧ୍ୟ ଆସି ନରକାସୁରକୁ ସହାୟତା କରୁଥା’ନ୍ତି । ବହୁଦିନ ଧରି ସେମାନଙ୍କ ଯୁଦ୍ଧ ଚାଲିଲା । ଦେବତାମାନେ ହାରି ନଗଲେ ମଧ୍ୟ କ୍ଳାନ୍ତ ହୋଇ ଯୁଦ୍ଧ ଛାଡି ଦୂରେଇ ଗଲେ । ନରକାସୁର ଇନ୍ଦ୍ରାସନରେ ବସି ସୁନ୍ଦରୀ ଅପ୍ସରା ଉର୍ବଶୀକୁ କହିଲା, “ମୁଁ ହେଉଛି ଏବେ ଏ ସ୍ୱର୍ଗ ରାଜ୍ୟର ରାଜା । ନୃତ୍ୟଗୀତ ପ୍ରଦର୍ଶନ କରି ମୋର ମନୋରଞ୍ଜନ କରିବା ହେଲା ତୁମମାନଙ୍କର ପ୍ରଧାନ କାମ ।”

ଉର୍ବଶୀ ହସି ହସି କହିଲେ, “ଓଃ ଏଇ କଥା ତ, ଯେତେବେଳେ ଋଷି ମୁନିମାନେ ଆପଣଙ୍କୁ ଯଜ୍ଞରେ ଯଜ୍ଞଭାଗ ଦେବେ ସେତେବେଳେ ମୁଁ ମଧ୍ୟ ଆପଣଙ୍କୁ ଇନ୍ଦ୍ର ବୋଲି ଭାବି ନୃତ୍ୟ ଗୀତ ପ୍ରଦର୍ଶନ କରିବି ।”

ସେମାନଙ୍କର ଏହିକଥାକୁ ନରକାସୁର ସ୍ୱୀକାର କଲା । ସ୍ୱର୍ଗ ରାଜ୍ୟରୁ ବାହୁଡିବା ବେଳେ ସେ ଅନେକ ଗନ୍ଧର୍ବକନ୍ୟା, ଦେବକନ୍ୟା, କିନ୍ନରୀ ଇତ୍ୟାଦିଙ୍କୁ ହରଣ କରି ନେଲା । ଅଦିତିଙ୍କ କର୍ଣ୍ଣକୁଣ୍ଡଳ ସେ ନେଇଗଲା, ଏହିପରି ଭାବେ ସେ ବହୁ ଅତ୍ୟାଚାର କରି ଚାଲିଥାଏ ।

ନିଜ ରାଜ୍ୟକୁ ଲେଉଟି ଆସି ସେ ପ୍ରଥମେ ବଡ ବଡ ଅସୁରବୀରମାନଙ୍କୁ ତା’ ରାଜ୍ୟର ଚାରି ଦିଗରେ ଜଗାଇଲା । ଫଳରେ ତା’ ରାଜ୍ୟ ସୁରକ୍ଷିତ ରହିଲା । ତା’ପରେ ପୁଣି କେତେକ ଅସୁରବୀରଙ୍କୁ ଧରି ଦିଗ୍ବିଜୟରେ ସେ ବାହାରିଲା ।

ଏଥରକ ତା’ର କୋପଦୃଷ୍ଟି ଋଷିମୁନିଙ୍କ ଉପରେ ଯାଇ ପଡିଲା । ସେମାନେ ଯଜ୍ଞ କରିବା ସମୟରେ ନରକାସୁର ସେଠାରେ ପହଁଚି ଭୀଷଣ ଚିତ୍କାର କରି କହିଲା, “ତୁମେମାନେ ଏ ପୂଜା କାହାର କରୁଛ? ଏ ମନ୍ତ୍ରଧ୍ୱନି କାହାପାଇଁ କରୁଛ?”

ତହୁଁ ଋଷିମାନେ ଉତ୍ତର ଦେଲେ, “ଆମେ ବେଦପାଠ କରୁଛୁ ଓ ଯଜ୍ଞରେ ଦେବତାମାନଙ୍କୁ ସନ୍ତୁଷ୍ଟ କରୁଛୁ ।”

ନରକାସୁର କହିଲା “ଏବେ ମୋ ବ୍ୟତୀତ ଦେବତା ଆଉ କେହିବି ନାହିଁ । ବୋଧହୁଏ ତୁମେମାନେ କେହି ଶୁଣିନାହଁ ମୋ ସହିତ ବହୁଦିନ ଧରି ଯୁଦ୍ଧ କରି କରି ଦେବତାମାନେ କ୍ଳାନ୍ତ ହୋଇ ହାରିଯାଇ କାପୁରୁଷଙ୍କ ପରି ଯୁଦ୍ଧ ଛାଡି ଓ ସ୍ୱର୍ଗରାଜ୍ୟ ଛାଡି ଯାଇ ଲୁଚିଲେ? ତା’ପରେ ମଧ୍ୟ ତମେମାନେ ପୁଣି ସେହି ଦେବତାମାନଙ୍କର ଉପାସନା କରୁଛ? ଶତଧିକ୍ ତୁମର ସେ ଯଜ୍ଞକୁ ଓ ତା’ର ସେ ଯଜ୍ଞଭାଗକୁ । ତଥାପି ମଧ୍ୟ ମୁଁ ପୁଣିଥରେ ତୁମକୁ ଚେତାବନୀ ଦେଉଛି ମୋ କଥା ମାନ ନହେଲେ ପରିଣାମ ବଡ ଭୟଙ୍କର ହେବ । ଏବେ ଶୁଣିରଖ । ମୁଁ ହେଉଛି ସ୍ୱର୍ଗ ରାଜ୍ୟର ଅଧିକାରୀ । ତେଣୁ ତୁମେ ସମସ୍ତେ ଯଜ୍ଞଭାଗ ଗୁଡିକ ମୋତେହିଁ ସମର୍ପଣ କର ଅର୍ଥାତ୍ ମୁଁ ହିଁ ତୁମର ପ୍ରଭୁ ।”

ଋଷିମାନେ କହିଲେ “ଏହା କିପରି କଥା । ଆମେ ତ ସେସବୁ ଯୁଦ୍ଧ ବିଷୟରେ କୌଣସି ଖବର ଶୁଣିନାହୁଁ । ଆମର ଚିରାଚରିତ ରୀତି ଅନୁସାରେ ଆମେ ଯଜ୍ଞଭାଗ ସବୁ କେବଳ ଇନ୍ଦ୍ର ଓ ଅନ୍ୟ ଦେବତାମାନଙ୍କୁହିଁ ଅର୍ପଣ କରୁଛୁ । ଏବେ ପୁଣି ତାହା ଅନ୍ୟଥା ହେବ କିପରି? ଆମେ କିପରି ବା ତୁମ କଥାକୁ ଏତେ ସହଜରେ ସ୍ୱୀକାର କରିନେବୁ?”

ନରକାସୁର ରାଗିଯାଇ କହିଲା କ’ଣ ତୁମେ ସବୁ ମୋତେ ଅସ୍ୱୀକାର କରି ଦେବତାମାନଙ୍କୁ ଯଜ୍ଞଭାଗ ଦେବ । ଆଚ୍ଛା ଏବେ ମୋର ଆଉ କୌଣସି ଦୋଷ ନାହିଁ । ନିଜ କୃତ ପାପର ପରିଣାମ ଭୋଗ କର । ତା’ପରେ ସେ ତା’ ସେନାପତିକୁ ଆଦେଶ ଦେଲା, “ସେମାନଙ୍କ ଯଜ୍ଞ ସବୁ ଧ୍ୱଂସ କରିଦିଅ; ଏହି ଉଦ୍ଧତ ମୁନିଋଷିମାନଙ୍କୁ ପିଟି ପିଟି ଜବତ କରିଦିଅ ।” ଶେଷରେ ତାହାହିଁ ହେଲା । ଅଚିରେ ସେ ଅସୁରର କଥା ପୂରଣ ହେଲା । ଋଷିମାନେ କଷ୍ଟପାଇ ସେଠାରୁ ଛିନ୍ନଛତ୍ର ହୋଇ ପଳାଇଲେ ।

ଋଷିମାନେ ଅସୁରଙ୍କ ଦ୍ୱାରା ଅତ୍ୟାଚାରିତ ହୋଇ ଆର୍ତ ଚିତ୍କାର କରୁଥା’ନ୍ତି । କେହି କେହି ମଧ୍ୟ ମରିଗଲେ । ସେସବୁ ଦୃଶ୍ୟ ପରମାନନ୍ଦଦାୟକ ଦୃଶ୍ୟ ହେଉଥାଏ ନରକାସୁର ପାଇଁ । ଆତ୍ମସନ୍ତୋଷରେ ତା’ର ମନ ଭରି ଉଠୁଥାଏ । ଏହିପରି କିଛି ସମୟ ଚାଲିଲା । ଋଷିମାନେ ଦୃଷ୍ଟିରୁ ସମ୍ପୂର୍ଣ୍ଣ ଭାବରେ ଅନ୍ତର ହେବା ପର୍ଯ୍ୟନ୍ତ ସେ ବସିରହି ସବୁ ଦେଖୁଥାଏ ।

ତା’ପରେ ବଶିଷ୍ଠ, ବାମଦେବ, ଜାବାଳୀ ଓ ଭରଦ୍ୱାଜ ଆଦି ମୁନିମାନେ ଏକାଠି ବସି ବିଚାର କଲେ, କିପରି ଏହି ଦୁଷ୍ଟ ରାକ୍ଷସ ହାତରୁ ସେମାନେ ସେମାନଙ୍କ ଯଜ୍ଞ ରକ୍ଷା କରିବେ । ବହୁ ସମୟ ବିଚାର, ଆଲୋଚନା ପରେ ଶେଷକୁ ସେମାନେ ମନସ୍ଥ କଲେ ଯେ ଏକାଠି ହୋଇ ସେମାନେ ପରମପୁରୁଷ ଶ୍ରୀକୃଷ୍ଣଙ୍କ ନିକଟରେ ଯାଇ ଗୁହାରି କରିବେ । କେବଳ ସେହିଁ ଆମ ଋଷିମୁନି, ଦେବତା ଆଦିଙ୍କୁ ଏହି ଭୟଙ୍କର ରାକ୍ଷସ କବଳରୁ ଉଦ୍ଧାର କରିପାରିବେ । ତା’ପରେ ସେମାନେ ଦ୍ୱାରକା ଅଭିମୂଖେ ଚାଲିଲେ । ସେମାନେ ଅନେକ ଦିନ ଧରି ଚାଲି ଚାଲି ବହୁତୀର୍ଥ ପର୍ଯ୍ୟଟନ କରୁଥା’ନ୍ତି । ଅବଶେଷରେ ସେମାନେ ଭଗବାନ୍ ଶ୍ରୀକୃଷ୍ଣଙ୍କର ରାଜ୍ୟ ଦ୍ୱାରକାରେ ଯାଇ ପହଁଚିଲେ ।

ନଗରୀର ରାଜପଥରେ ସେମାନେ ଚାଲୁ ଚାଲୁ ବିଶ୍ୱକର୍ମା ନିର୍ମାଣ କରିଥିବା ଦ୍ୱାରକାର ସୌନ୍ଦର୍ଯ୍ୟ ଦେଖି ମୁଗ୍ଧ ହେଉଥା’ନ୍ତି । ସେମାନଙ୍କର ମନେହେଲା ଦ୍ୱାରକାର ସୌନ୍ଦର୍ଯ୍ୟ ଓ ବୈଭବ ସ୍ୱର୍ଗଠାରୁ ମଧ୍ୟ ମହତର । ତା’ପରେ ସେମାନେ ଯାଇ ଶ୍ରୀକୃଷ୍ଣଙ୍କର ରାଜନଅରର ଦ୍ୱାରଦେଶରେ ପହଁଚି ଦ୍ୱାରରକ୍ଷୀକୁ କହିଲେ, “ଦୟାକରି ଭଗବାନ୍ ଶ୍ରୀକୃଷ୍ଣଙ୍କୁ ଖବର ଦିଅ ଯେ କେତେକ ଋଷି ବଦରୀବନରୁ ଆସିଛନ୍ତି ଓ ତାଙ୍କୁ ସେମାନେ ତୁରନ୍ତ ଦେଖା କରିବାକୁ ଚାହାଁନ୍ତି ।

ଶ୍ରୀକୃଷ୍ଣ ଋଷିମାନଙ୍କର ଆଗମନର ସମ୍ବାଦ ପାଇବା ମାତ୍ରେ ପ୍ରଦ୍ୟୁମ୍ନଙ୍କୁ ଡାକି ଆଦେଶ ଦେଇ କହିଲେ, “ଯାଅ, ତୁରନ୍ତ ସେ ଋଷିମାନଙ୍କୁ ଆଦର ପୂର୍ବକ ସ୍ୱାଗତ କରି ଭିତରକୁ ନେଇଆସ ।”

ପ୍ରଦ୍ୟୁମ୍ନ ଋଷିମାନଙ୍କୁ ଭିତରକୁ ନେଇ ଆସିଲେ ଓ ସେମାନଙ୍କୁ ପାଦ୍ୟ, ଅର୍ଘ୍ୟ ଆଦି ଦେଇ ଭଗବାନ୍ ଶ୍ରୀକୃଷ୍ଣ ସେମାନଙ୍କର ଯଥୋଚିତ ସତ୍କାର କଲେ । ତା’ପରେ ସେ ଅତି ନମ୍ର ଭାବରେ ସେମାନଙ୍କ ଆଗମନ କାରଣ ଜିଜ୍ଞାସା କଲେ ।

ମୁନିଋଷିମାନେ ଭଗବାନ୍ ଶ୍ରୀକୃଷ୍ଣଙ୍କୁ ଦର୍ଶନ କରି ଏତେ ମୁଗ୍ଧ ହୋଇଗଲେ ଯେ ସେମାନଙ୍କ ମୁଖରୁ ଆଉ କିଛିବି କଥା ବାହାରୁ ନଥାଏ । ମନେ ମନେ ନାନା ପ୍ରକାର ଭାବରେ ସେମାନେ ଚିନ୍ତା କରୁଥା’ନ୍ତି । ସେମାନେ ଭାବୁଥା’ନ୍ତି ପରମପୁରୁଷଙ୍କର ତ ଦର୍ଶନ ହୋଇଗଲା । ସେ ତ ସର୍ବଜ୍ଞ, ତାଙ୍କୁ ଆଉ କ’ଣ ବା କୁହାଯାଇପାରେ?

ଶ୍ରୀକୃଷ୍ଣ ଅଳ୍ପ ହସି ପଚାରିଲେ, “ମହାତ୍ମାମାନେ, ଆପଣଙ୍କ ଯଜ୍ଞ ସବୁ ଭଲରେ ଚାଲୁଛି ତ? ଆଶ୍ରମମାନଙ୍କରେ ଆପଣମାନେ ଶାନ୍ତିରେ ବାସ କରୁଛନ୍ତି ତ? ସବୁ କିଛି କୁଶଳ ତ? ମୁଁ ଆପଣମାନଙ୍କୁ ଏକତ୍ର ଦର୍ଶନ କରି ନିଜକୁ କୃତାର୍ଥ ମଣୁଛି । ଏବେ ଯଦି ଆପଣଙ୍କର କିଛି ଇଚ୍ଛା ଥାଏ ବା ମୋ ପ୍ରତି କୌଣସି ଆଦେଶ ଥାଏ, ତେବେ ଦୟାକରି ନିଃସଙ୍କୋଚର ସହ ତାହା ପ୍ରକାଶ କରନ୍ତୁ । ମୁଁ ତା’ର ପ୍ରତିକାର ପାଇଁ ସମସ୍ତ ପ୍ରକାର ଚେଷ୍ଟା କରିବି । ସତ୍ୟ ଓ ଧର୍ମ ପାଇଁ ଜୀବନ ଉତ୍ସର୍ଗ କରିବାକୁ ମୁଁ ମଧ୍ୟ କଦାପି ପଶ୍ଚାତପଦ ହେବି ନାହିଁ ।”

ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ ମନଗଢା ବା କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। କିଛି କାହାଣୀରେ କିଛି ମାତ୍ରାରେ ସତ୍ୟତା ଥିଲେ ମଧ୍ୟ ତାହା ମନଗଢା କଥା ଦ୍ୱାରା ବର୍ଣ୍ଣିତ ଏବଂ ବଢ଼େଇ ଚଢେଇ ଲିଖିତ । ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ ମାନିବା ଅନୁଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ ଏବଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।

New odia story Odia Gapa Odia Story
Share. Facebook Twitter Pinterest LinkedIn Tumblr Reddit Email
Previous ArticleSabata Maa
Next Article Eka bhagaban
Liza S

Related Posts

ମା’ର ଋଣ

March 28, 2023

କୁଶଳଙ୍କ କୌଶଳ

March 27, 2023

ବୀର ହନୁମାନ

March 26, 2023

ବନ୍ଧୁମିଳନ

March 25, 2023

ବୀଣାର ବିବାହ

March 24, 2023

ପଦବୀର ବଳ

March 23, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.