(ରାଗ: କେଦାର କାମୋଦୀ)
କ୍ଷମାନୁକମ୍ପାଧର ହେ
କ୍ଷୀରସାଗରସମ୍ଭବାକୁଚକୁମ୍ଭଯୁଗଳ ପରିରମ୍ଭଚତୁର ହେ ।ପଦ।
କ୍ଷିତିଚକ୍ରବାଳ ମହାଭୀତି ନିବାରଣ ହେ
ଶ୍ରୁତିଶିରଅବତଂସାକୃତି ଶ୍ରୀଚରଣ ହେ
ମରାଳବିହରଣ, –କରାର୍ଚ୍ଚିତ ଚରଣ, ଧରାଭାରହରଣ, ଚରାଚର ଶରଣ,
ତରାବର କିରଣ, –ବରାବର ଚରଣ, ନଖାଂଶୁ ସୁରଗଣଶିଖାଭରଣ ହେ ।୧।
କ୍ଷଣେ ହେଲେ ନାମକୁ ନ ଭଣେ ମୁଁ ତୁମ୍ଭର ହେ
ଜଣେ ତ ହେବାରୁ ପାପିଗଣେ ବିଶ୍ୱମ୍ଭର ହେ
ମନା ନ କର ହିତ, ଅନାଦର ରହିତ, –ଅନାଉଣି ନିରତ, ଚୂନା କରୁ ଦୂରିତ,
ଅନାରତ ମୋ ଚିତ୍ତ, ମନାସୁଛି ଅହିତ, ଜନାର୍ଦ୍ଦନ ପତିତଜନାବହିତ ହେ ।୨।
କ୍ଷମ ତ ମୁଁ ନୁହେ ଅନୁପମ–ଅନୁଭାବ ହେ
ଯମ ଦଣ୍ଡରୁ ମୋ ରକ୍ଷା କେମନ୍ତଟି ହେବ ହେ
ଜଳାକରଭବନ, –ବଳାସୁଖ ଭୁବନ, –ବଳାହିତ ରତନ, ବଳାବରଜ, ଜନ–
କଳାପର ବୃଜିନ, ଦଳା ସୁକୃତଧନ, –ବଳାଢ୍ୟ ମୁନିମନ, –କଳାପି–ଘନ ହେ ।୩।
କ୍ଷମାଧିପ ଜଗଦ୍ଦେବ ସମାପନ କରେ ହେ
ଶ୍ରମାର୍ତ୍ତ ହେବାରୁ ଭବ ଭ୍ରମାତିଶୟରେ ହେ
ବ୍ୟଥା ନିବହ ହର, ପ୍ରଥା ଚଳୁ ମିହିର, –ପଥାନ୍ତରକୁ ହର, ରଥାଦିରୁ ଅମର-,
ମଥାମଣି ନିକର, ରଥାଙ୍ଗଯୁତ କର, କଥା ବିନୟ ମୋର ବୃଥା ନ କର ହେ ।୪।