(ରାଗ: କେଦାର)
ଖେଳଲୋଳଖଞ୍ଜନାଖି କି ସାହସ କଲୁ ରେ,
ଖରାପ ତୁ ହେଲୁରେ ॥
ଖର୍ବ ହୋଇ ସୁରତରୁକୁସୁମ ବାଞ୍ଛିଲୁ ରେ,
ଖେଦବୀଜ ନିଜ ହୃଦ କେଦାରେ ବିଞ୍ଚିଲୁରେ ॥୧॥
ଖିଆଲ ପରି କି ଧନ ମନରେ ଭାଳିଲୁ ରେ,
ଖଳିକାର ନୋହିଁ କଳା ନାଗକୁ ଚାଳିଲୁରେ ॥୨॥
ଖରା ସ୍ମରି ଝାଉଁଳିବା ଶ୍ରୀଅଙ୍ଗ ପାଇଲୁ ରେ,
ଖମଣିମଣ୍ଡଳକୁ ତୁ କର ବଢାଇଲୁରେ ॥୩॥
ଖାଇ ଦେଇ କି ଅମଳ ଅଚେତା ହୋଇଲୁ ରେ,
ଖାରା ଖଣ୍ଡାଧାରା ଖଟ ବିଚାରି ଶୋଇଲୁରେ ॥୪॥
ଖଟେ ଅଷ୍ଟଦୁର୍ଗନାଥ ତୋ ପଦେ ପହିଲୁ ରେ,
ଖଣ୍ଟ କରେ ଧନ ଦେଇ ପଦେ ନ କହିଲୁରେ ॥୫॥