କେତେ ଛନ୍ଦ ଜାଣେଲୋ ସହି ନନ୍ଦରାଜାର ଟିକି ପିଲାଟି ।
ଟିକି ପିଲା ବୋଲି ଯାହାକୁ ବୋଲନ୍ତି ଚିରି ପକାଇଲା ବକାର ପାଟି ।।
ଜନମକାଳେ ଏନ୍ତୁଡିଶାଳେ କୁଆଁ କୁଆଁ ହୋଇ ରାବିଲା ଛଳେ ।
ରହିଣ କୋଳରେ କ୍ଷୀର ସହିତରେ ପୁତନା ଅସୁରୀ ପ୍ରାଣ ନେଲାଟି ।।
ନ କରିଣ ଦକା ନାଶିଲା ଆଶଙ୍କା ଚନ୍ଦନ ପଟିଆ ଚିତ୍ତ ଚମକା ।
ଶକଟା ଧେନୁକା ବକା ସର୍ପ ଦଳି ବନର ଅନଳ ଗିଳିଦେଲାଟି ।।
ଇନ୍ଦ୍ର ବିବାଦେ ନିର୍ଘାତ ନାଦେ ଶିଳା ବରଷିଲା ଅତି ପ୍ରମାଦେ ।
ଦେଖିଛ ତ ହାଦେ ବିନା ଅବସାଦେ ମନ୍ଦର ଗିରିକି ଟେକି ଥିଲାଟି ।।
ସ୍ନାହାନ କାଳେ ଯମୁନା ଜଳେ ନନ୍ଦ ବୁଡିଗଲା ବୋଲି ଅଥଳେ ।
କଉତୂକ କରି ତାହାଙ୍କୁ ଉଦ୍ଧରି ଗୋପରେ ପତାକା ଉଡାଇଲାଟି ।।
ସେଦିନ କଂସ ହୋଇଣ ରୋଷ କଳେ ପଦ୍ମ ପାଇଁ ଦେଲା ଆଦେଶ ।
ପଦ୍ମ ତୋଳା ରସ କରିଣ ପ୍ରକାଶ ବଳେ ଛଳେ କାଳି ଦଳିଦେଲାଟି ।।
ବିସ୍ତାରି ପାଟି ଖାଇଲା ମାଟି ମାଆ ଯଶୋବନ୍ତୀ ଛାଟରେ ପିଟି ।
ଆକଟନ୍ତେ ଥରେ ତା ପେଟ ଭିତରେ ଅଶେଷ ବ୍ରହାଣ୍ଡ ଦେଖାଇଲାଟି ।।
କେ ଜାଣେ ଲୋ ମା ତାହାର ମହିମା ବତ୍ସା ହରିନେଲା ସେ ବେଦବ୍ରହ୍ମା ।
କହେ ବନମାଳୀ ତାକୁ ପୁଣି ଛଳି ଲକ୍ଷେ ଧେନୁବତ୍ସା ଜାତ କଲାଟି ।।