• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»Kanya-Manon
ଗଳ୍ପ

Kanya-Manon

Liza SBy Liza SJune 20, 2022No Comments7 Mins Read
Facebook Twitter Pinterest Reddit LinkedIn Tumblr Email
Odia-Story-Kanya-Manon
Odia-Story-Kanya-Manon
Share
Facebook Twitter Pinterest Reddit Email

ନିଶା ଗରଜୁଥାଏ, ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରେ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ ।

କିନ୍ତୁ ରାଜା ବିକ୍ରମାର୍କ ତିଳେ ମାତ୍ର ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ । ତେବେ ସେ ତାକୁ ତାଙ୍କ କାନ୍ଧରେ ପକାଇ ସେହି ଶୂନ୍ଶାନ୍ ଶ୍ମଶାନ ପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ବେତାଳ କହିଲା, “ରାଜନ୍, ତୁମ ଚେଷ୍ଟା ସବୁଥର ବିଫଳ ହୋଇଛି; ତଥାପି ବି ତୁମେ ସେଥିରୁ କ୍ଷାନ୍ତ ହେଉନାହଁ ଏହା ଦେଖି ମୋତେ ଭୀଷଣ ଆଶ୍ଚର୍ଯ୍ୟ ଲାଗୁଛି । ବୁଦ୍ଧିମାନ୍ ହୋଇଥିବା ଯୋଗୁଁ କେହି କେହି ତର୍କ କରିବାକୁ ଓ ସବୁଥିର କାରଣ ଖୋଜିବାକୁ ଯାଇ ଅଜବ ଢଙ୍ଗରେ ବ୍ୟବହାର କରନ୍ତି । ମୋର ମନେହୁଏ ତୁମେ ବି ଠିକ୍ ସେଇମାନଙ୍କ ପରି ନିଜ କଥାକୁ ଆଂଟ କରି ଧରିଛ । ଉଦାହରଣ ସ୍ୱରୂପ ମୁଁ ତୁମକୁ ବିଜୟପୁରୀର ରାଜକୁମାରଙ୍କ କାହାଣୀ ଶୁଣାଇବି, ମନଦେଇ ତାହା ଶୁଣ, ଶୁଣିଲେ ତମ ଶ୍ରମଭାର ଲାଘବ ମନେ ହେବ ।”

“ଏହାପରେ ସେ ବେତାଳ ଗପିଲା : ବିଜୟପୁରୀର ରାଜା ବିଦ୍ୟାଧରଙ୍କର ବହୁଦିନ ଧରି କୌଣସି ସନ୍ତାନ ସନ୍ତତି ନଥିଲେ; ତେଣୁ ସମସ୍ତେ ସେ ରାଜାଙ୍କୁ ଦ୍ୱିତୀୟ ବିବାହ ପାଇଁ ପ୍ରସ୍ତାବ ଦେଲେ । କିନ୍ତୁ ରାଜା କୌଣସି ମତେ ସେଥିରେ ରାଜି ହେଲେ ନାହିଁ । ରାଜା ଓ ରାଣୀ ଦୁହେଁ ଅନେକ ପୂଜା ଓ ବାର ବ୍ରତ କରିବା ପରେ ହଠାତ୍ ଜଣାପଡିଲା ରାଣୀ ମା’ ହେବାକୁ ଯାଉଛନ୍ତି । ଯଥା ସମୟରେ ରାଣୀଙ୍କର ଦୁଇଟି ଯାଆଁଳା ପୁଅ ହେଲେ । ସେହି ପୁଅମାନଙ୍କର ନାମ ଜୟ ଓ ବିଜୟ ରଖାଗଲା । କ୍ରମେ ପିଲା ଦୁଇଟି ବଡ ହେଲେ ଓ ସମସ୍ତ ପ୍ରକାର ବିଦ୍ୟାରେ ପାରଙ୍ଗମ ହୋଇ ଉଠିଲେ ।

କିଛି ବର୍ଷ ପରେ ରାଜା ତାଙ୍କ ବଡ ପୁଅକୁ ରାଜସିଂହାସନରେ ବସାଇ ନିଜେ ବାନପ୍ରସ୍ଥ ଆଚରଣ କରିବାକୁ ଚାହିଁଲେ । ଏ ବିଷୟରେ ରାଜା ସମସ୍ତିଙ୍କର ମତ ମାରିଲେ । ପ୍ରଧାନମନ୍ତ୍ରୀ କହିଲେ, “ମଣିମା, ଦୁହେଁ ତ ଯୋଗ୍ୟ; କିନ୍ତୁ ପ୍ରଥା ଅନୁସାରେ ଜ୍ୟେଷ୍ଠ ରାଜପୁତ୍ରଙ୍କୁ ଆପଣ ସିଂହାସନ ଦିଅନ୍ତୁ ।”

ସେହିଦିନ ରାଜା ତାଙ୍କର ଦୁଇପୁତ୍ରଙ୍କୁ ଡକାଇ କହିଲେ, “ଏବେ ତ ମୋର ବୟସ ବଢି ଗଲାଣି । ମଁ ତୁମ ଦି’ଜଣଙ୍କର ବିବାହ ଏକ ସଙ୍ଗେ କରିଦେବାକୁ ଚାହେଁ । ପୁଣି ଜୟର ରାଜ୍ୟାଭିଷେକ ମଧ୍ୟ ହେବ । ତା’ପରେ ମୁଁ ଏକ ନିର୍ଜନ ସ୍ଥାନକୁ ଯାଇ ସେଠାରେ ଶାନ୍ତିରେ ସମୟ ବିତାଇବି । ସେଥିପାଇଁ ମୁଁ ପଡୋଶୀ ରାଜ୍ୟର ରାଜକନ୍ୟାମାନଙ୍କର ଚିତ୍ରପଟ ମଗାଉଛି ତା’ମଧ୍ୟରୁ ତୁମେ ଦୁହେଁ ନିଜ ନିଜ ଲାଗି କନ୍ୟା ପସନ୍ଦ କରିନେବ ।”

ଜୟ କହିଲେ, “ବାବା, ମୋତେ କ୍ଷମା କରନ୍ତୁ । ମୁଁ ଆମ ମୁଖ୍ୟମନ୍ତ୍ରୀଙ୍କ ଝିଅକୁ ବିବାହ କରିବାକୁ ପସନ୍ଦ କରି ସାରିଛି!”

ରାଜା ଜୟଙ୍କର କଥା ଶୁଣି ଚମକି ଉଠିଲେ କିନ୍ତୁ ସେ ଚୁପ୍ ରହିଲେ । କାରଣ ସେ ଜାଣନ୍ତି ପୁଅ ଟିକିଏ ଜିଦ୍ଖୋର୍, ସେ ତା’ ମନରେ ଯାହା ଧରିଥିବ ସେଇଆ । ତେଣୁ ସେ ସାନ କୁମାରଙ୍କୁ ପଚାରିଲେ, “ପୁଅ, ତୁମେ କିଛି କହିବାକୁ ଚାହଁ କି?”

“ବାବା, ଏଥିପାଇଁ ମୋତେ ଦୁଇଦିନ ସମୟ ଦିଅନ୍ତୁ ।” ଏତିକି କହି ସେ ସେଠାରୁ ଚାଲିଗଲେ ।

ପରଦିନ ପିତାଙ୍କ ପାଖକୁ ଯାଇ ସେ କହିଲେ, “ମୁଁ ପୃଥିବୀର ସର୍ବାପେକ୍ଷା କୋମଳ ଝିଅକୁହିଁ ବିବାହ କରିବାକୁ ଚାହେଁ । ସେହିପରି ଏକ ରାଜକୁମାରୀଙ୍କର ଚିତ୍ରପଟ ଆପଣ ମୋତେ ଅଣାଇ ଦିଅନ୍ତୁ ।”

ମାସକ ମଧ୍ୟରେ ଅନେକ ରାଜକୁମାରୀଙ୍କର ଚିତ୍ରପଟ ସବୁ ଆସିଗଲା । ସେମାନଙ୍କ ମଧ୍ୟରୁ କୁମାର ବିଜୟ ତିନୋଟି ଚିତ୍ରପଟ ବାଛିଲେ ଯଥା; ଭୁବନଗିରି, ଉଦୟଗିରି ଓ ଚନ୍ଦ୍ରଗିରିର ତିନି ରାଜକୁମାରୀଙ୍କର । ତା’ପରେ ସେ ରାଜାଙ୍କୁ କହିଲେ, “ବାବା, ମୁଁ ଏଇ ତିନିଜଣଙ୍କ ମଧ୍ୟରୁ ଜଣକୁ ବିବାହ କରିବି । ଏମାନଙ୍କ ସହିତ ମୁଁ କଥା ହେବି, ତା’ପରେ ଯାହାକୁ ଯୋଗ୍ୟ ଦେଖିବି ତାକୁହିଁ ଆପଣଙ୍କର ବୋହୁ ବାଛିବି । ଆପଣ ଏହି ତିନି ରାଜ୍ୟକୁ ସୂଚନା ଦିଅନ୍ତୁ ଯେ ମୁଁ ସେଠାକାର ରାଜକୁମାରୀମାନଙ୍କୁ ଭେଟିବାକୁ ଯାଉଛି ।”
ରାଜା ବୁଝିପାରିଲେ ନାହିଁ ଯେ ବିଜୟ କାହିଁକି ସର୍ବଶ୍ରେଷ୍ଠ କୋମଳ ସ୍ୱଭାବର କନ୍ୟା ଚାହୁଁଛି; ଯାହାହେଉ ବିଜୟର ଇଚ୍ଛା ଅନୁସାରେ ରାଜା ସେହି ସବୁ ରାଜ୍ୟମାନଙ୍କୁ ବିଜୟର ଯିବା ବିଷୟ ଜଣାଇ ଦେଲେ ।

ବିଜୟ ପ୍ରଥମେ ଭୁବନଗିରି ଗଲେ । ବିଜୟଙ୍କୁ ଦେଖି ସେଠାକାର ରାଜା ବହୁତ ଖୁସି ହେଲେ, ରାଜଭବନକୁ ତାଙ୍କୁ ନେଇଗଲେ, ବହୁତ ଅତିଥି ସତ୍କାର କଲେ ଓ ରାଜକୁମାରୀଙ୍କୁ ଦେଖା କରାଇବାର ସମସ୍ତ ବନ୍ଦୋବସ୍ତ ବି କଲେ ।

କିଛି ସମୟ ପରେ ରାଜକୁମାରୀଙ୍କ ପରିଚାରିକା ଆସି କହିଲା, “କ୍ଷମା କରିବେ ରାଜକୁମାରୀ ଏବେ ଶୋଇଛନ୍ତି । ବାସ୍ତବରେ କାଲି ମୟୁର ପୁଚ୍ଛଟିଏ ତାଙ୍କ ଉପରେ ପଡିଯିବାରୁ ତାଙ୍କ ଦେହର ପୀଡା ଯୋଗୁଁ ସେ ସାରା ରାତି ଶୋଇପାରି ନାହାଁନ୍ତି । ଏବେ ତ କିଛି ସମୟ ଆଗରୁହିଁ ତାଙ୍କୁ ନିଦ ହୋଇଛି । ସଂଧ୍ୟାକୁ ସେ ନିଦରୁ ଉଠିଲେ ରାଜକୁମାରଙ୍କ ସହ ଦେଖା କରିବେ ।”

ସଂଧ୍ୟାକୁ ରାଜକୁମାରୀଙ୍କ ସହ ବିଜୟଙ୍କର ଦେଖା ହେଲା । ଦୁହେଁ ଉଦ୍ୟାନରେ କିଛି ସମୟ ପାଇଁ ବୁଲିଲେ । ବିଜୟ ବୁଲୁ ବୁଲୁ କହିଲେ, “ଯଦି ଆମର ବିବାହ ହୁଏ ତେବେ ବିବାହ ଦିନ ତୁମେ ନୀଳ ରଙ୍ଗର ଶାଢୀ ପିନ୍ଧିବ ।”

ରାଜକୁମାରୀ ଉତ୍ତର ଦେଲେ “ନା, ଲାଲ୍ ରଙ୍ଗ ମୋର ପସନ୍ଦ । ତେଣୁ ବିବାହ ଦିନ ମୁଁ ଲାଲ୍ ରଙ୍ଗର ଶାଢୀହିଁ ପିନ୍ଧିବି ।”

ବିଜୟ ପଚାରିଲେ “ବିବାହ ସମାପ୍ତ ହେବା ପରେ ପରେ ତୁମେ ପ୍ରଥମେ ମୋ ପିତାଙ୍କର ନା ତୁମ ପିତାଙ୍କର ପାଦବନ୍ଦନା କରିବ?”

ରାଜକୁମାରୀ କହିଲେ, “ମୋ ପିତାଙ୍କୁହିଁ ପ୍ରଥମେ ପ୍ରଣାମ କରିବି ।”

ବିଜୟ ପଚାରିଲେ “ବିବାହ ଭୋଜିରେ ତୁମେ ମୋ ପସନ୍ଦ ଅନୁସାରେ ଖାଦ୍ୟ ଖାଇବ ନା ନାହିଁ?”

ରାଜକୁମାରୀ କହିଲେ “ପ୍ରଥମେ ମୁଁ ମୋ ପସନ୍ଦ ଅନୁସାରେ ଖାଦ୍ୟ ଖାଇବି ।”

ଏହିପରି ନାନା କଥାବାର୍ତ୍ତା ପରେ ବିଜୟ ଉଦୟଗିରି ରାଜ୍ୟକୁ ପ୍ରସ୍ଥାନ କଲେ । ସେଠାରେ ରାଜା କେବଳ ନାମକୁ ମାତ୍ର ଥିଲେ । ପ୍ରକୃତରେ ରାଣୀହିଁ ରାଜ୍ୟ ଚଳାଉଥିଲେ । ସେ ବିଜୟଙ୍କର ଖୁବ୍ ସତ୍କାର କଲେ ।

ବହୁତ ସମୟ ଧରି ଅପେକ୍ଷା କଲେ ମଧ୍ୟ ବିଜୟ ରାଜକୁମାରୀଙ୍କର କୌଣସି ଦେଖା ପାଇଲେ ନାହିଁ । ତେଣୁ ରାଣୀଙ୍କୁ ସେ ପଚାରିଲେ, “ରାଜକୁମାରୀଙ୍କ ସହ କ’ଣ ଦେଖା ହୋଇପାରିବ ନାହିଁ?”

ତାଙ୍କ କଥା ଶୁଣି ରାଣୀଙ୍କ ମୁହଁ ହଠାତ୍ ତଳକୁ ହୋଇଗଲା । ସେ କହିଲେ, “ପୁଅ କିଛି ଭାବିବ ନାହିଁ, ଉପରବେଳା ତୁମ ସହିତ ତା’ର ଦେଖା ହେବ । ସକାଳେ ଚନ୍ଦନ ଓ ଲହୁଣୀ ମିଶା ହୋଇ ଝିଅର ଦେହରେ ପ୍ରଲେପ ଦିଆଯାଉଥିଲା ସେଥିରେ ଚନ୍ଦନର ଛୋଟ ଅଣୁଟିଏ ଝିଅର ଗାଲରେ ଲାଗିଯିବାରୁ ବୈଦ୍ୟ ଡକା ହୋଇଛନ୍ତି । ବୈଦ୍ୟ ଔଷଧ ଦେଇଛନ୍ତି ଓ ସେ ଶୋଇଛି । ତେଣୁ ଏବେ ଦେଖା ହେବା ଆଉ ସମ୍ଭବ ନୁହେଁ ।”

ସଂଧ୍ୟାବେଳକୁ ରାଜକୁମାରୀଙ୍କ ସହିତ ଦେଖା ହେଲା । ବିଜୟ ପୂର୍ବପରି ଏକ ପ୍ରକାର ପ୍ରଶ୍ନ ଏହାଙ୍କୁ ମଧ୍ୟ କଲେ । ପ୍ରଥମ ପ୍ରଶ୍ନର ଉତ୍ତରରେ ସେ କହିଲେ, “ଠିକ୍ ଅଛି ଆପଣଙ୍କ କଥା ଅନୁସାରେ ବିବାହ ଦିନ ମୁଁ ନୀଳ ଶାଢୀହିଁ ପିନ୍ଧିବି ।” ଦ୍ୱିତୀୟ ପ୍ରଶ୍ନର ଉତ୍ତରରେ ସେ କହିଲେ, “ବିବାହ ପରେ ମୁଁ ପ୍ରଥମେ ଆପଣଙ୍କ ପିତାଙ୍କୁ ପ୍ରଣାମ କରିବି ।” ତୃତୀୟ ପ୍ରଶ୍ନର ଉତ୍ତରରେ ସେ କହିଲେ, “ଆପଣଙ୍କ କଥା ଅନୁସାରେ ମୁଁ ପ୍ରଥମେ ଆପଣଙ୍କ ପସନ୍ଦର ଜିନିଷ କିଛି ଖାଇବି, ପରେ ପଛେ ମୋ ପସନ୍ଦର ଜିନିଷ ମୁଁ ଖାଇବି ।” ଏସବୁ ଉତ୍ତର ସେ ଲଜ୍ଜାରେ ସଙ୍କୁଚିତ ହୋଇ ଅଳ୍ପ ହସି ମଧୁର ସ୍ୱରରେ ଦେଉଥିଲେ ।

ତା’ପରେ ବିଜୟ ଚନ୍ଦ୍ରଗିରିକୁ ଗଲେ । ସେଠାରେ ମଧ୍ୟ ତାଙ୍କୁ ରାଜାଙ୍କ ତରଫରୁ ଖୁବ୍ ସଂବର୍ଦ୍ଧନା ଦିଆଗଲା । ସ୍ୱୟଂ ରାଜା ଓ ରାଣୀ ବିଜୟଙ୍କୁ ସ୍ୱାଗତ କରି ରାଜପ୍ରାସାଦକୁ ନେଇଗଲେ । ସେଠାରେ ମଧ୍ୟ ରାଜାରାଣୀ ତାଙ୍କୁ କହିଲେ, “ପୁଅ କିଛି ଖରାପ୍ ଭାବିବ ନାହିଁ, ସଂଧ୍ୟା ବେଳକୁ ଝିଅ ସହିତ ତୁମର ସାକ୍ଷାତ ହେବ ।”

ବିଜୟ ଅଳ୍ପ ହସି କହିଲେ, “ମନେହୁଏ ଆପଣ ତିଥି ନକ୍ଷତ୍ର ଦେଖି ଏସବୁ ପାଇଁ ସମୟ ଧାର୍ଯ୍ୟ କରିଛନ୍ତି ।”

ରାଣୀ ତାଙ୍କ ଆଖିରୁ ଲୁହ ପୋଛି କହିଲେ “ନାହିଁ ପୁଅ ସେପରି କିଛି ନୁହେଁ; କଥା କ’ଣ କି ସକାଳୁ ଝିଅ ମନ୍ଦିରକୁ ଯାଇ ସେଠାରୁ ଫେରୁଥିଲା । ବହୁତ ପବନ ବହୁଥିଲା ଯେ ଫୁଲଟିଏ ଝିଅର ମଥା ଉପରେ ପଡିଗଲା । ଝିଅକୁ ଜ୍ୱର ହୋଇ ଯାଇଛି, ତା’ର ମଥା ବିନ୍ଧୁଛି । ସେ ଅସୁସ୍ଥ ।”

ସଂଧ୍ୟାବେଳକୁ ବିଜୟଙ୍କର ରାଜକୁମାରୀଙ୍କ ସହିତ ଦେଖା ହେଲା ଓ ସେ ତାଙ୍କୁ ପୂର୍ବପରି ତିନୋଟି ପ୍ରଶ୍ନ ପଚାରିଲେ, ପ୍ରଥମ ପ୍ରଶ୍ନର ଉତ୍ତରରେ ସେ କହିଲେ, “ଶାଢୀର ରଙ୍ଗ ପାଇଁ ମୋର କିଛି ଚିନ୍ତା ନାହିଁ । ମୁଁ କେବଳ ଏତିକି ଚାହେଁ ଯେ ଶାଢୀଟି ଖୁବ୍ ହାଲ୍କା ଓ ପତଳା ହୋଇଥିବ । କାରଣ ଶାଢୀର ଓଜନ ମୁଁ ମୋଟେ ସହ୍ୟ କରି ପାରେନାହିଁ ।”

ଦ୍ୱିତୀୟ ପ୍ରଶ୍ନର ଉତ୍ତରରେ ସେ କହିଲେ, “ନଇଁ ନଇଁ ଏତେଥର ପ୍ରଣାମ କଲେ ମୋର ଅଂଟା ଭାଙ୍ଗିପଡିବ ତେଣୁ ସମସ୍ତିଙ୍କୁ ମୁଁ ଥରେ ମାତ୍ର ହାତରେ ନମସ୍କାର କରିଦେବି ।”

ତୃତୀୟ ପ୍ରଶ୍ନର ଉତ୍ତରରେ ସେ କହିଲେ, “ଖାଦ୍ୟ ବିଷୟ ମୋର ବଶରେ ନାହିଁ । ମୋ ପରିଚାରିକାମାନେ ଯାହା ଖୁଆଇ ଦେବେ ମୁଁ ତାହାହିଁ ଖାଇବି ।”

ରାଜକୁମାର ବିଜୟ ଏବେ ରାଜ୍ୟକୁ ଫେରି ଆସି ପିତାଙ୍କୁ କହିଲେ, “ବାବା ମୁଁ ଚନ୍ଦ୍ରଗିରିର ରାଜକୁମାରୀଙ୍କୁ ବିବାହ କରିବାକୁ ଚାହେଁ । ମୁଁ ଜାଣିପାରିଲି ଯେ ସାରା ପୃଥିବୀରେ ବୋଧହୁଏ ସେ ହିଁ ଅତ୍ୟନ୍ତ କୋମଳ ।”

ଗଳ୍ପ ସେତିକିରେ ଶେଷ କରିସାରି ବେତାଳ ବିକ୍ରମଙ୍କୁ ପଚାରିଲା, “ରାଜନ୍, କୌଣସି ପୁରୁଷ ଯେତେବେଳେ ପତ୍ନୀ ପସନ୍ଦ କରେ ସେ ସୌନ୍ଦର୍ଯ୍ୟ ବା ସଦଗୁଣ ଅଛି ନା ନାହିଁ ଦେଖେ । କିନ୍ତୁ କୋମଳତା ଦେଖି କନ୍ୟା ବାଛିବା ଏକ ହାସ୍ୟାସ୍ପଦ କଥା । ବିଜୟର ଏପରି କରିବା ପଶ୍ଚାତରେ କି କାରଣ ଥାଇପାରେ? ଏସବୁ ବିଷୟରେ ଭାବିଚିନ୍ତି ଉତ୍ତର ଦିଅ । ଉତ୍ତର ଜାଣିକିବି ତମେ ଯଦି ଚୁପ୍ ରହିବ, ତେବେ ତୁମ ଶୀର ସ୍କନ୍ଧଚ୍ୟୁତ ହେବ ।”

ରାଜା ବିକ୍ରମ କହିଲେ, “କେତୋଟି ମାତ୍ର ମୁହୂର୍ତ୍ତ ସାନ ହୋଇଥିବା ଯୋଗୁଁ ବିଜୟଙ୍କର ସମସ୍ତ ଯୋଗ୍ୟତା ଥାଇ ମଧ୍ୟ ସେ ସିଂହାସନରୁ ବଞ୍ଚିତ ହେଲେ । ଅଥଚ ଜୟ ସିଂହାସନ ପାଇଲେ ଓ ଏକ ସାଧାରଣ ପରିବାରର ଝିଅକୁ ମଧ୍ୟ ସେ ବାହା ହେଲେ, ତେଣୁ ବିଜୟଙ୍କର ସ୍ତ୍ରୀ ମଧ୍ୟରେ ଏପରି କିଛି ବିଶିଷ୍ଟତା ଥିବା ଉଚିତ୍ ଯଦ୍ୱାରା ସର୍ବଦା ତାଙ୍କର ଶ୍ରେଷ୍ଠତ୍ୱ କିଛିଟା ପ୍ରତିପାଦନ ହେବ ଓ ସ୍ତ୍ରୀ ପାଇଁ ସ୍ୱାମୀ ନିଜକୁ ଗୌରବାନ୍ୱିତ ମଣିବେ । ସେ ନିଜେ ରାଣୀ ନହେଲେ ମଧ୍ୟ ନିଜକୁ କେବେବି ଛୋଟ ମଣିବେ ନାହିଁ । କାରଣ ଫୁଲଟିଏ ଯାହାକୁ କଷ୍ଟଦିଏ ସେ କିପରି ରାଜକାର୍ଯ୍ୟ ମଥାରେ ନେବେ? ନିଜର ବିଶିଷ୍ଟତାହିଁ ତାଙ୍କୁ ତୃପ୍ତି ଦେବ । ଏହା ସେ ରାଜପରିବାରର ଶାନ୍ତି ଓ ସଂହତି ପାଇଁହିଁ କରିଛନ୍ତି । ଏପରି କ୍ଷେତ୍ରରେ ରାଜକୁମାର ବିଜୟଙ୍କର ବିବେକର ଅଭାବ ବା ବ୍ୟବହାରିକ ବୁଦ୍ଧିର ଅଭାବ ବୋଲି ଆମେ କହିପାରିବା ନାହିଁ ।”

ରାଜା ବିକ୍ରମ ଉତ୍ତର ଦେବା ଯୋଗୁଁ ତାଙ୍କର ମୌନ ଭଙ୍ଗ ହେଲା । ତେଣୁ ଶବ ସହିତ ବେତାଳ ପୁଣି ପୂର୍ବ ବୃକ୍ଷରେ ଯାଇ ଝୁଲି ପଡିଲା ।

New odia story Odia Gapa Odia Story
Share. Facebook Twitter Pinterest LinkedIn Tumblr Reddit Email
Previous ArticleApurbanka-parkrama
Next Article Bichitra-Chikitsha
Liza S

Related Posts

ମା’ର ଋଣ

March 28, 2023

କୁଶଳଙ୍କ କୌଶଳ

March 27, 2023

ବୀର ହନୁମାନ

March 26, 2023

ବନ୍ଧୁମିଳନ

March 25, 2023

ବୀଣାର ବିବାହ

March 24, 2023

ପଦବୀର ବଳ

March 23, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.