୧୯୯୦ ମସିହା ଅଗଷ୍ଟ ଦୁଇ ତାରିଖ । ମୁସଲମାନଙ୍କର ମହରମ ପର୍ବ । ସବୁଆଡ଼େ ଛୁଟି ହୋଇଥିଲେ ହେଁ ଗୌହାଟୀ ବିଶ୍ୱବିଦ୍ୟାଳୟର ତାଲିମ କାର୍ଯ୍ୟ ବନ୍ଦ ନ ଥିଲା । ଦଶଟା ବେଳେ ମୋର ଭାଷଣ ଦେବା କଥା । ତେଣୁ ମୁଁ ପୂର୍ବଦିନ ସନ୍ଧ୍ୟାରେ କାମାକ୍ଷା ଦର୍ଶନରେ ଯିବା ପାଇଁ ତାଲିମ ମହାବିଦ୍ୟାଳୟର ନିର୍ଦ୍ଦେଶକ ଡକ୍ଟର ଶର୍ମାଙ୍କୁ କହିଥିଲି । ମାତ୍ର ସେ ଆଜି ସକାଳେ ଯିବା ପାଇଁ ପରାମର୍ଶ ଦେଇଥିଲେ । କାରଣ ତାଙ୍କର ଉଦ୍ଦେଶ୍ୟ ହେଲା କାମାକ୍ଷାଙ୍କ ଦର୍ଶନ ପୂର୍ବରୁ କୌଣସି ଖାଦ୍ୟ ଗ୍ରହଣ କରାଯାଏ ନାହିଁ । ତେଣୁ ସକାଳ ସାଢ଼େ୭ଟାରେ ମୁଁ ପ୍ରସ୍ତୁତ ହୋଇଥିବି । କାର୍ ଆସି ମୋତେ ଅତିଥିଶାଳାରୁ ନେବ । ମୁଁ ଏହି ପ୍ରସ୍ତାବ ଆନନ୍ଦରେ ଗ୍ରହଣ କରିନେଲି ।
ମାତ୍ର ସକାଳୁ ନିତ୍ୟକର୍ମ ସାରି ଅପେକ୍ଷା କରିଛି । ଚତୁର୍ଦ୍ଦିଗରୁ ପ୍ରବଳ ବର୍ଷା ଓ ବତାସ ଘୋଟି ଆସିଲା । କଳାହାଣ୍ଡିଆ ମେଘ ସହିତ ଭୟଙ୍କର ଘଡ଼ଘଡ଼ି । ମଝିରେ ମଝିରେ ମୁଣ୍ଡ ଉପରେ ଚଡ଼ଚଡ଼ି ପଡ଼ିଗଲା ପରି ଲାଗୁଥାଏ । ଏହି ଅବସ୍ଥାରେ ବିଚରା ଡ୍ରାଇଭର କାର୍ କେମିତି ଆଣିବ ? ହତାରେ ଆଣ୍ଠୁଏ ପାଣି । ଅତିଥି ଭବନ ବାରଣ୍ଡାରେ ମଧ୍ୟ ଖୁବ୍ ବର୍ଷା । ଆସାମର ଚେରାପୁଞ୍ଜିରେ ବର୍ଷାପାତ କଥା ମନେ ପଡ଼ିଲା । ଏଠାରେ ସର୍ବାଧିକ ବର୍ଷା ହୁଏ ବୋଲି ଆମେ ଭୁଗୋଳ ବହିରେ ପଢ଼ିଥିଲୁ ।
୮ଟା ୧୫ମିନିଟରେ ବର୍ଷା ଟିକିଏ କମିବାରୁ କାର୍ ପହଞ୍ଚିଲା । ଆମେ କାମାକ୍ଷା ଦର୍ଶନରେ ବାହାରିଲୁ । ମାଲିଗାଓଁ ବଜାର ମଧ୍ୟରେ କାର୍ ଚାଲିଲା । ଉଚ୍ଚରୁ ଉଚ୍ଚତର ବଣ ପାହାଡ଼ିଆ ରାସ୍ତାରେ ଉଠିଲା । ଡ୍ରାଇଭର ନାଁ କୁତବ୍ । ମୁସଲମାନ ପିଲାଟିଏ । ଖୁବ ପରିଶ୍ରମୀ ଓ ଚତୁର । ତା‘ର ବ୍ୟବହାର ମଧ୍ୟ ଭଲ ।
ସବୁଜ ସୁନ୍ଦର ପ୍ରକୃତି ମଧ୍ୟରେ ଅମେ ଉପରକୁ ଉଠିଲୁ । ଆମ ରହଣି ସ୍ଥାନରୁ କାମାକ୍ଷା ମନ୍ଦିର ପ୍ରାୟ ୧୦ କିଲୋମିଟର । ବଣ ପାହାଡ଼ିଆ ରାସ୍ତା ହୋଇଥିବାରୁ ସମ୍ଭବତଃ ଗତକାଲି ଶର୍ମା ସନ୍ଧ୍ୟା ଦର୍ଶନ ପାଇଁ ଉପଦେଶ ଦେଇନଥିଲେ ।
ଆମକୁ ଏବେ ଆଗକୁ ୩/୪ କିଲୋମିଟର ଯିବାକୁ ହେବ ମନ୍ଦିର ପାଖରେ ପହଞ୍ଚିବା ପାଇଁ । ପୂରା ଉଠାଣି ରାସ୍ତା । ହଠତ ଗାଡ଼ିଟି ରହିଗଲା । କ‘ଣ ଅସୁବିଧା ପରୀକ୍ଷା ନିରୀକ୍ଷା କରିବାରେ କୁତବ୍ ବିଚରା ଲାଗିଗଲା । ଶେଷରେ କହିଲା – ତେଲ ଆଦୌ ନାହିଁ । ମୁଁ ପଚାରିଲି କ‘ଣ କରିବା ? କାହାକୁ ମାଗିବା ?
ବହୁଗାଡ଼ି ସେଇ ରାସ୍ତାରେ ଯାଉଥିଲେ । କିନ୍ତୁ ଆଜିର ମହର୍ଗ କାଳରେ କାହାକୁ ତେଲ ମାଗିବାକୁ ମନ ହେବ ! କୁତବ୍ ଗାଡ଼ି ପଛ ଡିକି ଖୋଲିଲା ପ୍ଲାଷ୍ଟିକ ପାଇପ ଲଗାଇ ଯାହା ତଳତଳିଆ ପେଟ୍ରୋଲ ରହିଯାଇଥିଲା, ଗୋଟିଏ ବୋତଲକୁ ବାହାର କଲା । ଆଗ ବନେଟ ଖୋଲି ଇଞ୍ଜିନ ପାଖରେ ସେଇ ବୋତଲକୁ ଗୋଟିଏ କନାଧଡ଼ିରେ ମଜବୁତ କରି ବାନ୍ଧିଲା । ଗାଡ଼ି ଚାଲିଲା । ମାତ୍ର କେଉଁଠି ପୁଣି ସରିଯିବ ! ତାହା ହିଁ ମୋର ଚିନ୍ତା ହେଲା । ଆଖପାଖରେ ଆଉ ତେଲଟାଙ୍କି ନାହିଁ । ଖାଲି ପାହାଡ଼ ଆଉ ଜଙ୍ଗଲ ।
ଯାହା ହେଉ ମନ୍ଦିର ପାଖରେ ପହଞ୍ଚିଲୁ । ସେଠାରେ ଜଣେ ପଣ୍ଡା ଯୁବକ ମୋତେ ଦର୍ଶନ କରାଇଦେବେ ବୋଲି କହିଲେ । ବହୁ ପଣ୍ଡା ଲାଲବସ୍ତ୍ର ପିନ୍ଧି ସେଠାରେ ଭିଡ଼ ଜମାଇ ଥା‘ନ୍ତି । କୁତବ୍ ପଚାରିଲା ‘ମୁଁ ଯିବି‘ ?
ମାତ୍ର ମୁଁ ଦେଖିଲି ସେ ଗାଧୁଆପାଧୁଆ କରିନାହିଁ । କିଏ କ‘ଣ ବାଧା ସୃଷ୍ଟି କରୁଥିବେ । ତେଣୁ ମୁଁ ପଚାରିଲି – “ତୁମେ କେବେ ମନ୍ଦିର ଭିତରକୁ ଯାଇଛ ?” ସେ କହିଥିଲା – “ହଁ, ଏହାତ ଦିଲ୍ କା ବାତ୍ (ହୃଦୟର କଥା) !”
ମୁଁ କହିଲି – ହଁ ଠିକ କଥା । ମନ ସଫାଥିଲେ ଗଡ଼ିଆ ଗଙ୍ଗା । ଯଦି ଭିତରକୁ ଯିବାକୁ ଚାହୁଁଛ ଆସିପାର ।
ତାର ଟିକିଏ କୁନ୍ଥାଇବା ଅବସ୍ଥା ଦେଖି ମୁଁ କହିଲି – ତେବେ ତୁମେ ଗାଡ଼ି ପାଖରେ ଥାଅ । ମୁଁ ଦର୍ଶନ କରି ଶୀଘ୍ର ଚାଲି ଆସୁଛି । ପଣ୍ଡା ମହାଶୟ ଆଗେ ଆଗେ ଚାଲିଲେ । ମୁଁ ତାଙ୍କ ପଛେ ପଛେ ଗଲି । ପ୍ରଥମେ ସେ ଏକ ପୋଖରୀ କୂଳରେ ପହଞ୍ଚିଲେ । ସେଠାରେ କିଛି ଜଳ ପୁଷ୍ପାଞ୍ଜଳି ପରି ଧରିଲି । ସେ ମନ୍ତ୍ର ପଢ଼ି ମୋତେ ଦୋହରାଇବାକୁ କହିଲେ । ମୁଁ ତାହା କଲାପରେ ପାଖରେ ଥିବା ଗଣେଶ ଓ ଭୈରବୀଙ୍କ ଦର୍ଶନ ମଧ୍ୟ କରାଇଲେ । ଏହି ପୁଷ୍କରିଣୀର ନାମ ସୌଭାଗ୍ୟକୁଣ୍ଡ, ଯେଉଁଠି ପ୍ରଥମେ ଯାତ୍ରୀମାନେ ତର୍ପଣ କରନ୍ତି ।
ତାପରେ ଆମେ ପାହାଚରେ ତଳ ଉପର ହୋଇ କିଛିବାଟ ଗଲୁ । ଅନେକ ପ୍ରକାର ଘର, ମନ୍ଦିର, ଚଉତରା ଆଦି ବିଭିନ୍ନ ସମୟରେ ତିଆରି ହୋଇଥିବାର ଜଣାଗଲା । କୌଣସି ଯୋଜନା ବା ନିର୍ଦ୍ଦିଷ୍ଟ ଧାରା ସେଥିରେ ଥିଲା ପରି ଜଣାଗଲା ନାହିଁ । ଦେବଦେବୀ ଓ ଅନ୍ୟାନ୍ୟ ମୂର୍ତ୍ତିମାନ ମଧ୍ୟ କଞ୍ଚା ହାତରେ ହେଲାପରି ଲାଗିଲା । ଅବଶ୍ୟ ବହୁ କାଳରୁ ସେଗୁଡ଼ିକ ତିଆରି ହୋଇ ଆସିଛି । ମୋଟାମୋଟି ସେ ସବୁ କାରୁକଳାରେ ବିଶେଷ ସୌନ୍ଦର୍ଯ୍ୟର ସୂଚନା ମିଳିଲା ନାହିଁ ।
ଦର୍ଶନ ପାଇଁ ସେତେବେଳକୁ ଯାତ୍ରୀମାନଙ୍କର ଲମ୍ବାଧାଡ଼ି ଲାଗିଯାଇଛି । ପ୍ରବଳ ବର୍ଷାପରେ ମଧ୍ୟ ମଝିରେ ମଝିରେ ଝିପ୍ ଝିପ୍ ବର୍ଷା ହେଉଛି । ତୀର୍ଥଯାତ୍ରୀଙ୍କର ଉତ୍ସାହ ଓ ନିଷ୍ଠାର ଅଭାବ ନାହିଁ । ପ୍ରାୟ ଦେଢ଼ ଶହ ଯାତ୍ରୀଙ୍କ ପଛରେ ମୁଁ ଠିଆ ହୋଇଥିଲି । ତିରୁପତିଙ୍କଠାରେ ଧାଡ଼ି ଲାଗିଲା ପରି ମନେ ହେଲା । ଧାଡ଼ି ଆଗେଇ ଚାଲିଥାଏ ଧୀର ମନ୍ଥର ଗତିରେ ।
ମୁଁ ଆସ୍ତେ ଆସ୍ତେ ଆଗେଇବାରେ ଲାଗିଥାଏ । ମନ ଟିକିଏ ଅସ୍ଥିର ହେଉଥାଏ । ସମୟରେ ଫେରି ବକ୍ତୃତା ଦେବାକୁ ହେବ । ମୁଁ ଧାଡ଼ିରେ ଠିଆ ହେବା ପୂର୍ବରୁ କିଛି ଭୋଗ ଓ ଫୁଲମାଳଟିଏ କିଣିଥିଲି । ତାକୁ ପଣ୍ଡା ନିଜ ପାଖରେ ରଖିଥା‘ନ୍ତି । ସେ ଏପଟ ସେପଟ ହୋଇ ଯାତ୍ରୀ ଅନ୍ୱେଷଣରେ ଥା‘ନ୍ତି । ଥରେ ସେ ଆସି ଜଣଙ୍କୁ ଦେଖାଇ କହିଲେ, “ଏଇ ମୋର ଭାଇ । ସେ ଆପଣଙ୍କର ପୂଜାର୍ଚ୍ଚନା କରିଦେବ” ।
ମୋର ହଁ କି ନାଁ କହିବାର ଚାରା ନ ଥିଲା । ତେଣୁ ମୁଁ ମୁଣ୍ଡ ଟୁଙ୍ଗାରିଲି । ସମ୍ଭବତଃ ୯ଟାରୁ ସାଢ଼େ ଦଶଟା ବାଜିଲାଣି । ଧାଡ଼ିରେ ସେମିତି ଗତି କରିବାରେ ଲାଗିଥାଉ । ଭାରି ଭିଡ଼, ଖୁବ୍ ଗହଳି ! କାମାକ୍ଷା ମନ୍ଦିର ଭିତରେ ପ୍ରବେଶ କରିବା ମାତ୍ରେ ଦେଖିଲି ଦୁଇଟି ମୂର୍ତ୍ତି ପୂଜା ହେଉଛନ୍ତି । ଅଷ୍ଟଧାତୁରେ ସେଗୁଡ଼ିକ ଗଢ଼ା । କାମେଶ୍ୱରୀ ବାମେଶ୍ବରୀ ନାମରେ ସେମାନେ ଖ୍ୟାତ । ସେମାନଙ୍କୁ ହରଗୌରୀ ମଧ୍ୟ କହନ୍ତି ।
ମନ୍ଦିର ମଧ୍ୟରେ ଧାଡ଼ିମାନ ବଙ୍କାଟଙ୍କା ହୋଇ ଲମ୍ବିବାରେ ଲାଗିଛି । ମନ୍ଦିର କାନ୍ଥରେ ବହୁ ଦେବଦେବୀ ଓ ପୌରାଣିକ ଚରିତ୍ରଙ୍କର ମୂର୍ତ୍ତି । ତା‘ ମଧ୍ୟରେ ଦ୍ରୋଣାଚାର୍ଯ୍ୟ ଓ ରାଜାରାଣୀଙ୍କ ମୂର୍ତ୍ତି ମଧ୍ୟ ରହିଛି । ଲକ୍ଷ୍ମୀ, ସରସ୍ୱତୀ, ମଙ୍ଗଳା, କଳ୍କୀ ଅବତାର, ଶ୍ରୀରାମଚନ୍ଦ୍ର, ଯୁଧିଷ୍ଠିର, ବଟୁ ଭୈରବ, ନୀଳକଣ୍ଠ ମହାଦେବ, ନନ୍ଦୀ, ଭୃଙ୍ଗୀ, କପିଳମୁନି, ମାନସ ଦେବୀ, କୁମାରୀ ଦେବୀ ଆଦି ପୂଜା ପାଉଛନ୍ତି । ଏହା ବ୍ୟତୀତ କୁଚବିହାର ମହାରାଜା, ମହାରାଣୀଙ୍କ ମୂର୍ତ୍ତି ରଖାଯାଇଛି ।
ଯଥା ସମୟରେ ମୋର ପଣ୍ଡା ସେଠାରେ ପହଞ୍ଚି ଭୋଗରାଗ କରାଇଲେ । ପୁଣି ତଳକୁ ଦଶୋଟି ପାହାଚ ପାରି ହେବା ପରେ ଆମେ ଆଉ ଗୋଟିଏ ମନ୍ଦିର ମଧ୍ୟରେ ପହଞ୍ଚିଲୁ । ଖୁବ୍ ଭିଡ଼ । ସଂକୀର୍ଣ୍ଣ ସ୍ଥାନ । ବର୍ଷାଦିନେ ମଧ୍ୟ ଭାରି ଗରମ । ପୂଜା ଅର୍ଚ୍ଚନା ଶେଷ ହେଲା । ସେତେବେଳକୁ ମନ ମୋର ଭାରି ଛଟପଟ ହେଲାଣି । ପୁଣି ବକ୍ତୃତା କାମ ରହିଛି । ବେଳ ହେଲାଣି । ସିଧାବାଟ ଦେଖି ଚାଲିଆସିବାକୁ ଚାହିଁଲେ ବି ପଣ୍ଡାଙ୍କର ଅନୁରୋଧ ସେଇଧାଡ଼ି ଧରି ଧିରେ ସୁସ୍ଥେ ଯିବା ପାଇଁ ।
ଦର୍ଶନ ସାରି ମନ୍ଦିର ଭିତରୁ ବାହାରିଲି । ମନ୍ଦିର ହତାରେ କାଳୀ, ତାରା, ଭୁବନେଶ୍ୱରୀ, ଭୈରବୀ, ଚ୍ଛିନ୍ନମସ୍ତା, କୋଟିଲିଙ୍ଗ, ଆଘୋର ଆଦି ଦେବଦେବୀଙ୍କର ସାନବଡ଼ ମନ୍ଦିର ରହିଛି । ମାତ୍ର ମୁଁ ଶୀଘ୍ର ସେ ସବୁ ପରିକ୍ରମା କରିଦେଲି । ସେଠାରେ ଚାକୁଣ୍ଡା ଗଛରୁ ଆରମ୍ଭ କରି ସବୁ ଜାତିର ଗଛଲତା । ଭଲ ଫଳ ଧରିଥିବା ନଡ଼ିଆ ଗଛମାନ ଦେଖି ମୁଁ ଆଶ୍ଚର୍ଯ୍ୟ ହେଲି । ଗୋଟିଏ ନିରୀହ ବୋଦାଛୁଆକୁ ଭିଡ଼ି ଭିଡ଼ି ଜଣେ ପଣ୍ଡା କୁଆଡ଼େ ନେଉଥିବାର ଦେଖିଲି । ସମ୍ଭବତଃ ତାକୁ ବଳି ପକାଇବେ । ମାତ୍ର ପରେ ପରେ ଦେଖିଲି ଅନେକ ବୋଦା ସେଠାରେ ବୁଲୁଛନ୍ତି । ଧଳା ଓ ମାଟିଆ ପାରା ବହୁ ସଂଖ୍ୟାଏ ସେଠାରେ ଉଡ଼ି ବୁଲୁଥିଲେ । ଝରଣାର କୁଳୁ କୁଳୁ ଶବ୍ଦ ଶୁଭୁଥିଲା । ମୋ ସାଥୀରେ ଜଣେ ଯୁବକ ସବୁ ପୂଜାର୍ଚ୍ଚନା ବେଳେ ସାଥୀ ହୋଇଥିଲେ । ସେ ଆସାମର ଶିବସାଗର ଅଞ୍ଚଳରୁ ପ୍ରଥମଥର ପାଇଁ ଆସିଥିଲେ ।
ବାଟ କେତେ ତାଙ୍କୁ ପଚାରିବାରୁ ସେ ନିର୍ଦ୍ଦିଷ୍ଟ ଭାବରେ କହିପାରିଲେ ନାହିଁ । ତେଣୁ ବସ୍ରେ କେତେ ଭଡ଼ା ଦେଇ ଆସିଲେ ପଚାରିବାରୁ ସେ ୮୦ ଟଙ୍କା ଖର୍ଚ୍ଚ କଲେ ବୋଲି କହିଲେ । ତେବେ ବିଳମ୍ବ ହୋଇଥିବାରୁ ପଣ୍ଡାଙ୍କୁ ଦକ୍ଷିଣା ଦେଇ ଓ ମୋର ଭୋଗତକ ତାଙ୍କଠାରୁ ସଂଗ୍ରହ କରି କାର୍ ପାଖକୁ ଧାଇଁଲି । କୁତବ୍ ପାଖରେ କେଉଁଠି ଥିଲା, ଚାଲି ଆସିଲା । ଆମେ ଟିକେ ଟିକେ ଚାହିଁବାରୁ ସେ କହିଲା – ଚାଲନ୍ତୁ ଆଗେ ତଳକୁ ଗଡ଼ି ଯିବା । ସେଠାରେ ବଜାରରେ ଖାଇବା ।