ମଣ୍ଟୁ ଛୋଟ ପିଲାଟିଏ । ବୟସ ତା‘ର ଦଶ କି ବାର ବର୍ଷ ହେବ । କ‘ଣ ହୋଇଛି କେଜାଣି, ସେ ଯାହା ଖାଉଚି, ତା ଦେହରେ ଲାଗୁନି । ଯେଉଁଠି ବସୁଛି ସେହିପରି ବସି ରହୁଛି । ତା‘ର ସାଙ୍ଗ ପିଲାମାନେ ଦୌଡ଼ା ଦୌଡ଼ି ଖେଳାଖେଳି ହୁଅନ୍ତି, ତାକୁ କିନ୍ତୁ ସେ ସବୁ ଭଲ ଲାଗେ ନାହିଁ । ତା‘ର ଦେହ ଶୁଖି ଶୁଖି କାଠ ହୋଇଗଲାଣି ।
ତା‘ର ମା‘ କେତେ ମାନସିକ, କେତେ ପୂଜା କଲେ । ପଣ୍ଡିତ ପ୍ରତିଦିନ ଆସି କେତେ ଝଡ଼ାଝଡ଼ି ଫୁଙ୍କାଫୁଙ୍କି କଲେ । କେତେ ଡେଉଁରିଆ ଦେଲେ । କିନ୍ତୁ କିଛି ଫଳ ହେଲା ନାହିଁ । ସାଇ ପଡ଼ିଶା କହିଲେ, ସେ ଡରିଛି; କିଏ କହିଲା, ସେ ଭେଟଣା ହୋଇ ଯାଇଛି । କିଏ କହିଲା, ଭଲ ଗୁଣିଆ ଆଣିବାକୁ ହେବ । ଆଉ ପୁଣି କେହି ପରାମର୍ଶ ଦେଲେ, ଭଲ ଡାକ୍ତର ବା ବୈଦ୍ୟଙ୍କ ପାଖକୁ ନେଇ ଦେଖାଅ ।
ମଣ୍ଟୁର ଗାଁର ଚାରିପାଖରେ ତିନି କୋଶ ଆକ୍ରାନ୍ତରେ କୌଣସି ଡାକ୍ତର, ବୈଦ୍ୟ ନ ଥିଲେ । କ‘ଣ କରାଯିବ ? ଦିନେ ସକାଳେ ତା‘ର ବାପା ତାକୁ ନେଇ ଚାରି କୋଶ ଦୂରରେ ଥିବା ଜଣେ କବିରାଜଙ୍କ ଘରେ ପହଞ୍ଚିଲେ । କବିରାଜ ବୁଢ଼ା ଲୋକ, କିନ୍ତୁ ଖୁବ୍ ନାମଜାଦା । ସେ ମଣ୍ଟୁର ଦେହ ଖରାପ ହୋଇଥିବାର ସମସ୍ତ ଘଟଣା ଶୁଣିଲେ । ତା‘ପରେ ତାକୁ ପରୀକ୍ଷା କରି ଗୋଟିଏ ଔଷଧ ଦେଲେ । ପୁଣି କହିଲେ, “ଆଉ ଦିନେ ଆସ । ସେ କ‘ଣ ଖାଇବ, ତାହା ମୁଁ କହିଦେବି ।“
ମଣ୍ଟୁର ବାପା କହିଲେ, “କବିରାଜ ମହାଶୟ, ମୋର ଘର ଏଠାରୁ ଚାରି କୋଶ ଦୂରରେ । ଏ ପିଲାଟିକୁ ଧରି ଏଠାକୁ ଆସିବା ମୋ ପକ୍ଷରେ ବଡ଼ କଷ୍ଟକର ।“
କବିରାଜ ଉତ୍ତର ଦେଲେ, “ହୋଇପାରେ । କିନ୍ତୁ ଆଉ ଦିନେ ଆସିଲେ ଯାଇ ମୁଁ ଖାଇବା କଥା କହିବି ।“
ଚାରି ପାଞ୍ଚ ଦିନ ପରେ ମଣ୍ଟୁର ବାପା ତାକୁ ନେଇ କବିରାଜଙ୍କ ଘରକୁ ଗଲେ । କବିରାଜ ପୁଣି ଥରେ ତାକୁ ପରୀକ୍ଷା କଲେ । ତା‘ପରେ ସେ କ‘ଣ ଖାଇବ ନ ଖାଇବ, ସବୁ ବୁଝାଇ କହିଲେ । ଗୋଟିଏ କଥା ବିଶେଷ କରି କହିଲେ, ଗୁଡ଼ ଖାଇବାକୁ ଦେବ ନାହିଁ । ଯେପରି ଗୁଡ଼ ନ ଖାଏ । ମାସକ ଭିତରେ ମଣ୍ଟୁର ଦେହ ଭଲ ହୋଇଯିବ ।
ମଣ୍ଟୁ ଓ ତା‘ର ବାପା ଚାଲି ଆସିଲେ । କବିରାଜଙ୍କର ଜଣେ ଛାତ୍ର ଏହି ଦୁଇ ଦିନଯାକ ସେଠାରେ ଉପସ୍ଥିତ ଥିଲା । କବିରାଜଙ୍କ କଥା ଶୁଣି ତା‘ ମନରେ ଏକ ପ୍ରଶ୍ନ ହେଲା । ସେ କବିରାଜଙ୍କୁ ପଚାରିଲା, “ରୋଗୀ କ‘ଣ ଖାଇବ ନ ଖାଇବ, ସେ କଥା କ‘ଣ ଆପଣ ପ୍ରଥମ ଦିନ କହିପାରି ନ ଥାନ୍ତେ ? କେବଳ ଏତିକି କହିବାପାଇଁ ରୋଗୀ ପିଲାଟିକୁ ଚାରି ଚାରି କୋଶ ବାଟ ଚଲାଇ ଆଣିଲେ ।“
କବିରାଜ କହିଲେ, “ନାଇଁ,ନାଇଁ, ଏହାର ଗୋଟାଏ ଅର୍ଥ ଅଛି । ସେ ଦିନ ମୋ ଘରେ ଅନେକ ଗୁଡ଼ ମାଠିଆ ଥିଲା । ସେ ଦିନ ମୁଁ ଯଦି ତାକୁ ଗୁଡ଼ ଖାଇବାପାଇଁ ମନା କରିଥା‘ନ୍ତି, ସେ ମୋ କଥାରେ ବିଶ୍ୱାସ କରି ନ ଥାନ୍ତା । ଭାବିଥାନ୍ତା, କବିରାଜଙ୍କ ଘରେ ଏତେ ଗୁଡ଼ ମାଠିଆ, କବିରାଜ ନିଶ୍ଚୟ ଗୁଡ଼ ଖାଆନ୍ତି । ସେଥିରେ ତାଙ୍କର ଦୋଷ ହେଉ ନାହିଁ । କେବଳ ମୁଁ ଖାଇଲେ ଦୋଷ ହେବ ? ତା‘ ଆରଦିନ ସବୁ ଗୁଡ଼ ମାଠିଆକୁ ମୁଁ ଏ ଘରୁ ଉଠାଇ ନେଇଛି । ବର୍ତ୍ତମାନ ମୁଁ ଯାହା କହିଲି ସେଥିରେ ତା‘ର ନିଶ୍ଚୟ ବିଶ୍ୱାସ ହେବ ।“
କବିରାଜଙ୍କର କଥା ଶୁଣି ଛାତ୍ର ଅବାକ୍ ହୋଇଗଲା । ସେ ବୁଝି ପାରିଲା, ନିଜେ ପାଳନ ନ କରି ମୁହଁରେ ଉପଦେଶ ଦେଲେ, ତା‘ର କୌଣସି ଫଳ ହୁଏ ନାହିଁ ।