• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଅନ୍ୟାନ୍ୟ»ଜାତୀୟକବି ବାଞ୍ଛାନିଧି ଆଉ ରକ୍ତ ତୀର୍ଥ ଇରମ
ଅନ୍ୟାନ୍ୟ

ଜାତୀୟକବି ବାଞ୍ଛାନିଧି ଆଉ ରକ୍ତ ତୀର୍ଥ ଇରମ

ଜଗନ୍ନାଥ ମହାନ୍ତିBy ଜଗନ୍ନାଥ ମହାନ୍ତିFebruary 17, 2020No Comments7 Mins Read
Facebook Twitter Pinterest Reddit LinkedIn Tumblr Email
Share
Facebook Twitter Pinterest Reddit Email

“ଦେଶଜାତି ପ୍ରୀତି ସରସ୍ୱତୀ ନଦୀ,
ବହୁଛି ଇରମେ ଶତମାର୍ଗ ଭେଦି ।

ଏ ଅନ୍ତ ସଲିଳା ସମଗ୍ର ଭାରତେ,
ଜାତୀୟତା ଧାରେ ବହିବ ନିରତେ ।

ଜାତୀୟ କବିତା ତରୀ ଇରମରେ,
ଭାସିଯିବ ଦିନେ ଦେଶ ଦେଶାନ୍ତରେ । ”

୧୯୨୧ ମସିହାରେ ଉତ୍କଳମଣି ଗୋପବନ୍ଧୁ ଇରମଠାରେ ଗୋଟିଏ ସାଧାରଣ ସଭାରେ ଏଇ ଗୀତଟି ଗାଇଥିଲେ । ବାଲେଶ୍ୱର ଜିଲ୍ଲାର ବାସୁଦେବପୁର ଥାନାରେ ଗୋଟିଏ ସାଧାରଣ ଗାଁ ଇରମ । କିନ୍ତୁ ଦେଶର ସ୍ୱାଧୀନତା ନିମନ୍ତେ ତାର ଦାନ କେତେ ଅସାଧାରଣ ! ଏଇ ଗାଁର ପୁଅ ବାଞ୍ଚାନିଧି ମହାନ୍ତି ଧୀରସ୍ଥିର, ଶାନ୍ତ ଆଉ ସରଳ । କିନ୍ତୁ ସେ ଦେଶରୁ ବିଦେଶୀମାନଙ୍କୁ ତଡ଼ିବା ପାଇଁ ବିପ୍ଳବ ସୃଷ୍ଟି କରିଥିଲେ । ନିଆଁ ହୁଳା ପରି କବିତା ବୋଲି ସେ ମତାଇଥିଲେ ଏ ଜାତିକୁ, ତତାଇଥିଲେ ଏହାର ଜନସାଧାରଣଙ୍କୁ, ଚେତାଇ ଦେଇଥିଲେ ଫିରଙ୍ଗ ଫଉଜଙ୍କୁ ।

ଗାଅ ସ୍ୱାଧୀନ ଭାରତ, ସ୍ୱାଧୀନ ଭାରତ
ସ୍ୱାଧୀନ ସ୍ୱାଧୀନ, ସ୍ୱାଧୀନରେ !
ଗାଏ ଏସାଗର, ଭୁଧର, ଅମ୍ବର ଚୁମ୍ବିତ
ଭାଲ ହିମାଳୟ ଗିରିବର କମ୍ପିତ
ସ୍ୱାଧୀନ ସ୍ୱାଧୀନ, ସ୍ୱାଧୀନରେ ।
କମ୍ପେ ବିନ୍ଧ୍ୟଗିରି କାନନ କୁଞ୍ଜେ,
ଲମ୍ପେ ନିର୍ଝରିଣୀ ପ୍ରପାତ ପୁଞ୍ଜେ,
ଚପଳା ଚମକେ ଗଗନେ ପୁଲକେ
ନୀରଦ ବିଲୀନରେ ।

ପାବନୀ ଗଙ୍ଗା ଯମୁନା ସଙ୍ଗେ
ସିନ୍ଧୁ ମହାନଦୀ କାବେରୀ ରଙ୍ଗେ
ପ୍ଲାବିତ ଭୁବନ, ସୁରଧୂନୀ ଶୋଭନ,
ସୂଚିତ ସ୍ୱାଧୀନରେ….

ଜାତୀୟତାଭରା ଗୀତ ଗାଇ ଗାଇ ସେ ଖାଲି ଇରମ ଗାଁ କିମ୍ବା ସେଇ ଅଞ୍ଚଳରେ ନୁହେଁ, ସାରା ଓଡ଼ିଶାରେ ଜାତୀୟ କବି ଭାବରେ ପରିଚିତ ଥିଲେ । ସଭାସମିତିରେ, ମେଳା ମଉଚ୍ଛବରେ ସେ ଏପରି ଗୀତ ଗାଇ ଲୋକଙ୍କ ଭିତରେ ଜାଗରଣ ଆଣୁଥିଲେ । ସାଙ୍ଗେ ସାଙ୍ଗେ ଗୀତ ଲେଖି ବାଟେଘାଟେ ଗାଉଥିଲେ ବୋଲି ତାଙ୍କୁ ମଧ୍ୟ ଚାରଣ କବି କୁହାଯାଉଥିଲା । ତାଙ୍କର ଗୀତ ସବୁରି ମନ‌କୁ ଯେମିତି ପାଉଥିଲା, ସବୁରି ପ୍ରାଣକୁ ଜାତୀୟତା ଭାବରେ ସେମିତି ରସାଇ ଦେଉଥିଲା । ତାଙ୍କର ଗୋଟିଏ ଦେଶବନ୍ଦନା ଗୀତ ହେଲା ..

ଧନ-ଜନ-ଯୁକ୍ତା ଭାରତ ମାତା
ନମୋ ନମୋ ଜନନୀ ଶ୍ରୀଚରଣେ !
ସନ୍ତାନ ବନ୍ଦେ ପ୍ରେମାନନ୍ଦେ,
ଯା’ ଚିତ୍ତ କରୁଣା ମା’ ଶରଣେ ।
ବନ୍ଧନେ ଅନ୍ତର କାତର ଅତି,
ମୁକତି କାମେ ଆମେ ଦେଇଛୁ ମତି
ଚାହାଁ ସନ୍ତାନ ସନ୍ତ‌ତି ସଞ୍ଚରଣେ ।
ନମୋ ନମୋ ଜନନୀ ଶ୍ରୀଚରଣେ ।

ବାଞ୍ଚାନିଧିଙ୍କର ଗୀତରେ କି କାଉଁରୀ ଶକ୍ତି ଥିଲା କେଜାଣି, ଚାଲିଯିବା ଲୋକ ଠିଆହୋଇ ଶୁଣୁଥିଲା । ନିରୀହ ଡରକୁଳା ମଣିଷଙ୍କୁ ବି ଦେଶମାତା ପାଇଁ ଜୀବନ ଦେବାକୁ ଜଗାଇ ଦେଉଥିଲା । ଖଦି ଲୁଗା ପିନ୍ଧିବା ପାଇଁ ଗାନ୍ଧିଜୀଙ୍କର ଡାକରାକୁ ସେ ଗାଏଁ ଗାଏଁ, ଘରେ ଘରେ ପ‌ହ‌ଞ୍ଚାଇ ପାରିଥିଲେ ତାଙ୍କ କବିତା ବଳରେ । ସେ ସଭା ସମିତିରେ, ବଜାର ହାଟରେ ବୁଲି ବୁଲି ଗାଉଥିଲେ —

ଖଦି ପିନ୍ଧିବି ମୁଁ ସେ ଯେତେ ମୋଟା ହେଉ
ହସିବ ଦେଖି ଯେ ମୋତେ ହସୁଥାଉ ।
ମୋ ଦେଶ ତିଆରି ଧନ କରିବି ଅତି ଯତନ
ଆଦରେ କିଣିବି ଯେତେ ଦର ହେଉ ।

ଗାଁ ମାଟିର ଦୀନଦରିଦ୍ର ରୁପକୁ ଦେଖାଇ ସେ ଏଥି ପାଇଁ ଫିରିଙ୍ଗ ସରକାର‌କୁ ଦାୟୀ କରୁଥିଲେ । ଲୋକଙ୍କ ଦୁଃଖଦୁର୍ଦ୍ଦଶା ନିଜେ ହାଡ଼େ ହାଡ଼େ ଅନୁଭବ କରିଥିଲେ ଆ‌ଉ ତାକୁ ଅତି ଆନ୍ତରିକତାର ସ‌ହିତ ତାଙ୍କ କବିତାରେ ପ୍ରକାଶ କରିଥିଲେ । ସେଥିରୁ ଗୋଟିଏ ପଦ ହେଲା –

କାହୁଁ ଅଇଲେ ବିଦେଶରୁ ବେପାରୀ
ସବୁ ସାଇଲେ ଆମେ ହେଲୁ ଭିକାରୀ ।

ଆମ ସମାଜରେ ଯେତେ ଦୋଷତ୍ରୁଟି ରହିଥିଲା ବା ଏବେ ଅଛି, ତାଙ୍କୁ ସେ ଗୋଟି ଗୋଟି କରି ଲୋକ‌ଙ୍କୁ ଦେଖାଇ ଦେଇଥିଲେ । ମନ‌କୁ ଛୁଇଁଲା ଭଳି ଭାଷାରେ ସେ ଦୁଃଖଦରଦ ଭରା ଭାବ ଫୁଟାଇ ଲୋକମାନଙ୍କୁ ବୁଝାଇ ଦେଉଥିଲେ । ଜାତିଭେଦ, ମହାଜନି ଅତ୍ୟାଚାର, ସ୍ତ୍ରୀଜାତି ପ୍ରତି ଅବ‌ହେଳା କୌଣସିଟି ତାଙ୍କ କବିତାରୁ ବାଦ ଯାଇ ନ ଥିଲା । ସେ ଏମିତିକି ଏଥି ପାଇଁ ନିଜେ ଗୋଟିଏ ଥିଏଟର୍ ଦଳ ଗଢ଼ିଥିଲେ । ପାଲା, ଯାତ୍ରା, ଦାସକାଠିଆ ଦଳ ତାଙ୍କଠାରୁ ଏଇ କବିତା ମାନ ନେଇ ଗାଏଁ ଗାଏଁ ବୋଲୁଥିଲେ । ତାଙ୍କ କବିତାମାନ ଶୁଣି କାହାରି ଦେହରେ ଛୁଞ୍ଚି ଗଳି ଯା‌ଉଥିଲା ତ କାହାର ପଥର ପରି ମନ‌କୁ ତରଳାଇ ଦେଉଥିଲା । କାହାର ମନ ସମାଜର ଦୋଷ ଦେଖି ଛି ଛି କରୁଥିଲା ତ କାହାର ହୃଦୟ ସ‌ହାନୁଭୂତିରେ ଜରସର ହୋଇ ଯା‌ଉଥିଲା ।

କିନ୍ତୁ ହାୟ ସେ ମାତ୍ର ୪୧ଟି ବର୍ଷ ବଞ୍ଚିଥିଲେ । ଏତିକି ସମୟରେ ସେ କେତେ କାମ କରି ଯାଇଛନ୍ତି ସତେ ! ୧୮୯୭ ମସିହା ଏପ୍ରିଲ ମାସ ୨୦ ତାରିଖରେ ତାଙ୍କର ଜନ୍ମ । ୧୯୩୮ ମସିହା ଏପ୍ରିଲ ମାସ ୧୯ ତାରିଖରେ ତାଙ୍କର ମୃତ୍ୟୁ । ପୁଣି ବସନ୍ତ ରୋଗରେ, ଯାହା ସେତେବେଳେ ଥିଲା ମହାମାରୀ କିନ୍ତୁ ଏବେ ସେ ରୋଗକୁ ଆଜି ଦେଖାଇଦେଲେ ପୁରସ୍କାର ମିଳିବ ବୋଲି କୁହା ଯା‌ଉଛି । ସେତେବେଳେ ଏଇ ସବୁ ରୋଗରେ ପୋକମାଛି ପରି ଲୋକେ ମରୁଥିଲେ । ବାଞ୍ଚାନିଧି ଅଧିକାଂଶ ସମୟ ଭଦ୍ରକରେ କଟାଇଥିଲେ ଆଉ ସ୍ୱାଧିନତା ଆନ୍ଦୋଲନ ପାଇଁ ନିଜ ଜୀବନ‌କୁ ପାଣି ଛଡ଼ାଇ ଦେଇଥିଲେ । ଜାତୀୟକବି ବାଞ୍ଚାନିଧି ସ୍ୱାଧିନତା ଆନ୍ଦୋଲନର ଜଣେ ଟାଣୁଆ କର୍ମୀ । ଜଣେ ନେତା ଭାବରେ ସେ ବି କାମ କରିଥିଲେ । ସଭାସମିତିରେ ଗାଁ ଦାଣ୍ଡରେ ବୁଲି ସେ ଲୋକମାନଙ୍କୁ କଥା କହି, ଗୀତ ଗାଇ ଗୋରା ଶାସନ ବିରୁଦ୍ଧରେ କାର୍ଯ୍ୟ କରିଥିଲେ । ସମାଜରୁ ସବୁ ଦୋଷ ଦୁର୍ନୀତି ପୋଛି ସରସ ସୁନ୍ଦର କରିବା ପାଇଁ ସେ ଦିନରାତି ଭୋକଶୋଷ ଭୁଲି କାମ କରିଥିଲେ । ତେଣୁ ତାଙ୍କ ଗାଁ ଇରମରୁ ଅନେକ ନେତା ଇଲମ ପାଇଥିଲେ, ଅନେକ କର୍ମି ବାହାରି ଥିଲେ ଦେଶର ମୁକ୍ତିପାଇଁ କାର୍ଯ୍ୟ କରିବାକୁ ସେମାନଙ୍କ ଯୋଗୁଁ ଇରମ ଅଞ୍ଛଳ, ସୁଦେବପୁର ଥାନା ସଦାବେଳେ ସ୍ୱାଧିନତାର ଆନ୍ଦୋଳନରେ ଉତ୍‌ଥଳ ହେଉଥିଲା । ଜାତୀୟତାର ସୁଅ କୂଳ ଲଙ୍ଗି ଚଉଦିଗକୁ ଉଛୁଳି ଉଠିଥିଲା ।

ବାଞ୍ଛାନିଧିଙ୍କ ମୃତ୍ୟୁ ପରେ ତାଙ୍କଠାରୁ ଇଲମ ପାଇଥିବା ଇରମ ଅଞ୍ଚଳର ନେତା ଓ କର୍ମୀମାନେ ଦୁଇଟି ଦଳରେ ବାଣ୍ଟି ହୋଇଗଲେ । ଗୋଟିଏ ଦଳର ନାଁ ହେଲା “ଶାନ୍ତିସେନା’ ଓ ଅନ୍ୟ ଦଳଟିର ନାଁ ହେଲା “ବାନରସେନା”। ଶାନ୍ତିସେନାର ମନ୍ତ୍ର ହେଲା “କର ବା ମର” ଆଉ ବାନର ସେନାଙ୍କର ମନ୍ତ୍ର ହେଲା “ମାର ବା ମର”। ଉଭ‌ୟଙ୍କର ବାଟରେ ତଫାତ୍ ଥିଲେହେଁ ଲକ୍ଷ୍ୟରେ ଏକା ଥିଲେ । ଫିରିଙ୍ଗି ସରକାରକୁ ହଟାଇ ଏଇ ଦେଶକୁ ସ୍ୱାଧୀନ କରିବା ଥିଲା ସବୁରି ଅନ୍ତରର କଥା ।

ଏଇ ସେନାଦଳ ଖଜଣା ନ ଦେବାକୁ ଲୋକମାନଙ୍କୁ ମତାଇଲେ । କାହାର ବହୁତ ଧାନ ଥିଲେ, ଭୋକିଲା ଲୋକମାନଙ୍କୁ କରଜ ଦେବାକୁ ବାଧ୍ୟ କରୁଥିଲେ । ଜମିଦାର, ସାହୁକାର, ମହାଜନ, ୟୁନିୟନର ସଭାପତି ଆଉ ଗୋରା ହାକିମଙ୍କ ଚାକର ବୋଲକରାମାନଙ୍କୁ ସେମାନେ ଭାରି ହଇରାଣ ହରକତ କଲେ । ଥରେ ୟୁନିୟନ ସଭାପତି ଓ ଜମିଦାରଙ୍କ ଉପରେ ରାଗି ଲୋକ ମାନେ ତାଙ୍କ ଘରେ ଲୁଟ୍‌ପାଟ୍ କଲେ। ସେମାନେ ବାସୁଦେବପୁର ଥାନାକୁ ଏହା ଜଣାଇଦେଲେ । ସ୍ୱାଧୀନତା ଲଢେଇରେ ମିଶି କେତେକ ନେତା ଓ କର୍ମୀ ଜେଲଦଣ୍ଡ ଭୋଗୁଥିଲେ । ଆଉ କେତେକ ଗାନ୍ଧୀଜୀଙ୍କ “ଭାରତ ଛାଡ଼” ଆନ୍ଦୋଳନରେ ଯୋଗ ଦେଇ ଜେଲ୍‌କୁ ଯାଇଥିଲେ।

ଜମିଦାର ଓ ସଭାପତିଙ୍କ ଠାରୁ ଏତଲା ପାଇ ବାସୁଦେବପୁର ଥାନାରେ ୧୪୪ ଧାରା ଜାରି ହୋଇଗଲା । ସଭାସମିତି କରିବାକୁ ମନା ହେଲା । ଇରମ ଅଞ୍ଚଳରେ ଲୋକମାନଙ୍କୁ ଆନ୍ଦୋଳନ ଯୋଗୁଁ ଶାନ୍ତିଭଙ୍ଗର ଆଶଙ୍କା କରି ଥାନାରୁ ପୋଳିସମାନେ ଗୁଳିବନ୍ଧୁକ ଆଉ ଠେଙ୍ଗା ବାଡି ଧରି ଜମିଦାର ଓ ସଭାପତିଙ୍କ ଘରକୁ ଛୁଟିଲେ । ଇରମ ଲୋକମାନଙ୍କୁ ଭଲକରି ଶିକ୍ଷାଟାଏ ଦେବାକୁ ସେମାନ‌ଙ୍କ ମନ ।

ବାସୁଦେବ ପୁର ଥାନାରୁ ଇରମକୁ ଯିବା ବାଟରେ ଗୋଟିଏ ନଦୀ ପଡ଼େ । ତାର ନାଁ ଗଭେଇନାଳ ବା ଶାଶୁ-ବୋହୁ ନଦୀ । ଏହା ଯେମିତି ଗଭୀର, ସେମିତି ଓସାରିଆ । ସେତେବେଳେ ପୁଣି ବର୍ଷା ଋତୁ । ନଦୀରେ ଅଥଳ ପାଣି । ଏହାକୁ ପାରି ହେବା ପାଇଁ ଗୋଟିଏ ନାଆ ପଡ଼ି ଥାଏ । ନଦୀର ଦକ୍ଷିଣ ଦିଗରେ ପୋଳିସମାନେ ହାତହତିଆର ଧରି ଜମା ହୋଇଗଲେ । ଆରକୁଳରେ ନାଆଟି ଥିଲା ।

ପୋଲିସମାନେ ନାଆ ଆଣିବାକୁ ହୁକୁମ ଦେଲେ କିନ୍ତୁ ନାଉରିଆ ସେମାଙ୍କ କଥା ଶୁଣିଲା ନାହିଁ । ସ୍ୱାଧୀନତା ନ୍ଦୋଳନର ନେତାମାନେ ନାଆ ନ ନେବାକୁ ବତାଇଦେଲେ । କିନ୍ତୁ ନାଆକୁ ସେ କୂଳକୁ ନ ନେଲେ ପୋଳିସମାନେ ଗୁଳି ମାରିଦେବେ ବୋଲି ଧମକ ଦେଲେ । ତେଣୁ ଭୟରେ ନାଉରିଆ ନାଆ ସିନା ଆର କୁଳକୁ ନେଲା, ଅନ୍ୟ ମାନଙ୍କୁ ହୁସିୟାର କରିଦେବା ପାଇଁ ତା ପାଖରେ ଥିବା ଶଙ୍ଖକୁ ଫୁଙ୍କି ଦେଲା, ସେତେବେଳେ ଶଙ୍ଖ ଧ୍ୱନି ଶୁଭସୂଚକ ନ ଥିଲା, ତାହା ଥିଲା ବିପଦ ଘଣ୍ଟି । ଲୋକେ ଏହାକୁ ଶୁଣି ବିପଦର ଆଶଙ୍କା କରି ଏକାଠି ତାର ମୁକାବିଲା କରିବାକୁ ମେଳଣ ପଡ଼ିଆରେ ଜମା ହୋଇଗଲେ । ଏଠାକୁ ବଲଞ୍ଚା, ଗଉ‌ଡ଼ୁ , ଉହାଡ଼, ସୁଆଁ, ଜଗନ୍ନାଥପୁର, ଦାରାପୁର, ଶଙ୍ଖାରୁ ପ୍ରଭୃତି ଗାଁରୁ ଶହ ଶହ ଲୋକ ଛୁଟିଲେ ।

୧୯୪୨ ମସିହା ସେପ୍ଟେମ୍ବେର ମାସ ୨୮ ତାରିଖ । ଦିନ ପ୍ରାୟ ଦଶଟା ହେବ । ଇରମ ମେଳଣ ପଢ଼ିଆରେ ଅସମ୍ଭବ ଲୋକ ଗହଳି । ସବୁରି ଭିତରେ ଉତ୍ତେଜନା ଓ ରାଗରୋଷ ଗୁମୁରି ଉଠୁଥିଲା । ପୋଲିସମାନଙ୍କର ବିଛଣା, ଲୁଗାପଟା ସବୁକୁ ବୁହାଇ ଗାଁ ଚୌକିଦାର ସେ ପଟେ ଯାଉଥିଲା ବେଳେ ଲୋକେ ତା ଉପରେ ଚଢ଼ାଉ କରିଥିଲେ । ଏଥିଯୋଗୁ ପୋଲିସ ଦଳ ଆହୁରି ବେଶୀ ରାଗି ଯାଇଥିଲେ ।

ଏଣେ ମେଳଣ ପଡ଼ିଆ ଆମ୍ବଗଛ ତଳେ ହଜାର ହଜାର ଲୋକଙ୍କର ଭିଡ଼ । ଉଭୟ ବାନର ସେନା ଓ ଶାନ୍ତି ସେନା ମିଶି ଲୋକମାନଙ୍କୁ ଗାଦ୍ଧିଜୀ

ଗୋପବନ୍ଧୁ, ବାଞ୍ଚାନିଧି ପ୍ରଭୃତି ନେତାମାନଙ୍କ କଥା ଶୁଣାଉଥିଲେ । ସେଠାରେ ପୋଲିସମାନେ ପହଞ୍ଚି ଆଗେ ଶୁନ୍ୟକୁ ଗୁଳି ଆବାଜ କଲେ । ଲୋକମାନଙ୍କୁ ହୁରୁଡ଼େଇ ଦେବା ଏହାର ଉଦ୍ଦେଶ୍ୟ ଥିଲା । କିନ୍ତୁ ଲୋକମାନେ ଏଥିରେ ଡରି ନଯାଇ ଆହୁରି ବେଶୀ ସଂଖ୍ୟାରେ ସେଠାରେ ପହଞ୍ଚିଲେ ଆଉ ବକ୍ତାମାନେ ଅଧିକ ଜୋରରେ ବକ୍ତୃତା ଦେଲେ ।

କ୍ରମେ ସଭାସ୍ଥଳ ସରଗରମ ହୋଇ ଉଠିଲା । ସେଠାକୁ ପଡ଼ିଥିବା ତିନୋଟି ରାସ୍ତାମୁଣ୍ଡରେ ରହି ପୋଲିସମାନେ ଗୁଳିବର୍ଷା କଲେ । ଗଡ଼ୁମ୍ ଗୁଡ଼ୁମ୍ ବନ୍ଧୁକ ଶବ୍ଦରେ ଆକାଶ ପୃଥିବୀ କମ୍ପି ଉଠିଲା । ଏହା ଫଳରେ ଲୋକେ ଆଉ ମେଳଣ ପଡ଼ିଆକୁ ଯାଇ ଆସି ପାରିଲେ ନାହିଁ । ସବୁ ବାଟ ବନ୍ଦ ହୋଇଗଲା । ଗୁଳି ମାଡ଼ରେ ବହୁ ନିରୀହ ଲୋକ ଟଳି ପଡ଼ିଲେ । ହାତରୁ ସେମାନଙ୍କର ଖସି ପଡ଼ିଲା କେତେ ତ୍ରିରଙ୍ଗା ପତାକା । ଅନ୍ୟମାନଙ୍କ ତୁଣ୍ଡରେ ସେହିପରି ଶୁଭିଲା- ମାହାତ୍ମା ଗାନ୍ଧୀ କି ଜୟ । ଗୋପବନ୍ଧୁକୀ ଜୟ, ବନ୍ଦେ ମାତରମ୍, ଇନକିଲାବ ଜିନ୍ଦାବାଦ୍ ! ପୁଣି ହେଲା ଗୁଳିବର୍ଷା ଗୁଡ଼ୁମ୍, ଗୁଡ଼ୁମ୍, ଗୁଡ଼ୁମ୍ ।

ମେଳଣ ପଡ଼ିଆରେ ଛୁଟିଲା ରକ୍ତରେ ନ‌ଦୀ । ଶାଗୁଆ ଘାସ ଉପରେ ଦିଶିଲା ଲାଲ ରକ୍ତର ଦାଗ । କୁଢ଼ କୁଢ଼ ଶବର ଗଦା, ଆହତମାନଙ୍କର କରୁଣ କାନ୍ଦକଟା, ହଟ୍ଟଗୋଳରେ ଚଉଦିଗ ଉଚ୍ଛୁଳି ପଡ଼ିଲା । ପୁଣି ସବୁ ଶୂନଶାନ୍ । ମାଡ଼ି ଆସିଲା ରାତି । ଘୋଟି ଆସିଲା କଳାକିଟିକିଟି ଅନ୍ଧାର । ଦିଶିଲା ନାହିଁ ମୁହଁକୁ ମୁହଁ । କି ଭୟାଭହ ଅବସ୍ଥା ସତେ !

ଆମ୍ବତୋଟାର ଅମା ଅନ୍ଧାର ଭିତରେ ଦିଶିଲା ମିଞ୍ଜି ମିଞ୍ଜି କେତୋଟି ଲଣ୍ଠନର ଆଲୁଅ । ଶବଗୁଡ଼ିକ ମଧ୍ୟରେ ଦେଖାଗଲା ଗୋଟିଏ ତେର ଚଉଦ ବର୍ଷର ପିଲାର ଶବ । ସେଇ ପିଲାଟିର ନାଁ ବିଜୁଳି । ତା ପାଖରେ ପଡ଼ିଥିଲା ଗୋଟିଏ ତ୍ରିରଙ୍ଗା ପତାକା । ରକ୍ତରେ ତାହା ଜଡ଼ସଡ଼ ହୋଇ ଯାଇଥିଲା । ଜାତି ପାଇଁ ସେଇ କଅଁଳ ମନର ପିଲାଟି ମଧ୍ୟ ଶହୀଦ ହୋଇ ଯାଇଥିଲା । ତାର ପ୍ରିୟ ମାଟି ମାଆକୁ ଦେଇଥିଲା ରକ୍ତର ଶ୍ରଦ୍ଧାଞ୍ଜାଳି । ବିଜୁଳି ତାର ନାମ ଅନୁସାରେ ସବୁରିଙ୍କୁ ଆଲୁଅ ଦେଇ ନିଜେ ଅନ୍ଧାରରେ ହଜିଯାଇଥିଲା ।

ପ୍ରକୃତରେ କେତେ ଜଣ ସେଦିନ ପ୍ରାଣବଳି ଦେଇଥିଲେ ତାର ଇୟତ୍ତା ରହିଲା ନାହିଁ । ଇଂରେଜ ସରକାର ହିସାବ ଦେଲେ – ମୋଟ ୨୯ ଜଣ ସେଦିନ ଗୁଳି ଚୋଟରେ ଜୀବନ ଦେଲେ । ତାପର ଦିନଠାରୁ ଚାଲିଲା ପୋଳିସର ଦମନଲୀଳା । ଚାରିଆଡ଼େ ଖେଳିଗଲା କୋକୁଆ ଭୟ ।

ଗୋଟିଏ ଗାଁର ଏତେ ଲୋକ ପୋଲିସ ଗୁଳିରେ ଟଳି ପଡିଲେ ସେଦିନ ମାଟି ମାଆର ମୁକତି ପାଇଁ । ସେଥିପାଇଁ ଇରମ ଉତ୍କଳମଣି ଗୋପବନ୍ଧୁ କଥାରେ ହୋଇଛି ଜାତି ପ୍ରେମର ସରସ୍ୱତୀ ନଦୀ । ଜାତୀୟତାର ସୁଅ ମାଟିତଳର ପାଣି ପରି ସେଠାରେ ଝରି ଉଠିଥିଲା । ସାରାଦେଶରୁ ଆତ୍ମବଳିର ଆଦର୍ଶ ଦେଖାଇ ଇରମ ହୋଇ ଥିଲା ରକ୍ତ ତୀର୍ଥ ! ଆମେ ଆଜି ଗାଇବା ‌‌-

ଜାତୀୟକବି ବାଞ୍ଚାନିଧି ଆଜି ନାହିଁରେ ନାହିଁ, ଇରମକୁ କଲା ମୁକ୍ତି ପାଗଳ ସେହିରେ ସେହି ପିଲାଠାରୁ ବୁଢ଼ା ଜାତି ପାଇଁ ଦେଲେ ଜୀବନ ବଳି, ଅଧୀନତାର ଅନ୍ଧାର ଭିତରେ ସ୍ୱାଧୀନତାର ଦିହୁଡ଼ିଜାଳି। ଅସୁଝା ତାଙ୍କର ଜାତୀୟ ଋଣ, ଅଭୁଲା ତାଙ୍କର ଅବଦାନ, ମଥା ନୁଆଁଇ ମିନତି ଜଣାଉଁ, ଘେନା ହେଉ ଆମ ବନ୍ଦନ ।

Jaganath Mohanty Books Jaganath Mohanty odia Story Odia Story
Share. Facebook Twitter Pinterest LinkedIn Tumblr Reddit Email
Previous Articleଅମର ଶହୀଦ୍ ଲକ୍ଷ୍ମଣ ନାୟକ
Next Article ଜାତିର ଶହୀଦ ରଘୁ-ଦିବାକର
ଜଗନ୍ନାଥ ମହାନ୍ତି

Related Posts

ଅଭିନବ ବିବାହ

March 16, 2023

ବୋକା ନା ବିବେକୀ?

March 1, 2023

ଘୋରକର ଉଦାରତା

February 1, 2023

ମହାଭାରତ

January 26, 2023

ମହାରାଜାଙ୍କ କଳା

December 21, 2022

ଶକରକନ୍ଦ

December 12, 2022
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.