ପ୍ରାୟ ପଚାଶ ବର୍ଷ ତଳର କଥା । ଇଂରେଜ ସରକାରଙ୍କ ବୋଲକରା ଆଉ ହାତବାରିଶି ହୋଇ କେତେଗୁଡ଼ିଏ ରାଜା ସେତେବେଳେ ଛୋଟ ଛୋଟ ରାଜ୍ୟ ଶାସନ କରୁଥାନ୍ତି । ସେଇ ରାଜ୍ୟଗୁଡ଼ିକୁ ଗଡ଼ଜାତ କୁହାଯାଉଥିଲା । ଇଂରେଜ ଶାସନରେ ରହିଥିବା ଅଞ୍ଚଳଗୁଡିକୁ ଖାସମାହାଲ ବା ମୋଗଲବନ୍ଦୀ କୁହାଯାଊଥିଲା । ମୋଗଲବନ୍ଦୀ ଅଞ୍ଚଳରେ ଇଂରେଜ ହାକିମ ଓ କର୍ମଚାରୀମାନେ ଶାସନ କାର୍ଯ୍ୟ ଚଳଉଥିଲେ । ଗଡ଼ଜାତମାନଙ୍କରେ ରାଜରାଜୁଡ଼ାମାନେ ବେପରୁଆ ହୋଇ ଶାସନ କରୁଥିଲେ ।
୧୯୩୮ ମସିହା । ଢେଙ୍କାନାଳ, ନୀଳଗିର, ତାଳଚେର ପ୍ରଭୃତି ଗଡ଼ଜାତରେ ସେତେବେଳେ ଖୁବ୍ ଖରାପ ଶାସନ ଚାଲିଥିଲା । ଲୋକମାନଙ୍କ ଉପରେ ଅତ୍ୟାଚାର ଓ ଜୁଲମ ସୀମା ଟପିଥିଲା । ରାଜାଙ୍କର ବିବାହବ୍ରତ, ଶୁଦ୍ଧି-ଶ୍ରାଦ୍ଧ, ପର୍ବପର୍ବାଣିମାନଙ୍କରେ ପ୍ରଜାମାନଙ୍କୁ ଦୁଧ, ଘିଅ, ଦହି, ଛେନା, ପନିପରିବା ପ୍ରଭୃତି ଭେଟି ଦେବାକୁ ପଡ଼ୁଥିଲା । ଏଥିପାଇଁ ରାଜାଙ୍କର ଲୋକେ ପ୍ରଜାମାନଙ୍କଠାରୁ ସେସବୁ ଜୋରଜବରଦସ୍ତ ଆଦାୟ କରୁଥିଲେ । ସେଥିରେ କାହାର ଓଜରଆପତ୍ତି ଶୁଣାଯାଉ ନଥିଲା ।
ଅନେକ ଗଡ଼ଜାତର ରାଜାଙ୍କୁ ବାଟ ବତାଇବାକୁ, ବୁଦ୍ଧି ଶିଖାଇବାକୁ ଆଉ ହାତରେ ରଖିବାକୁ ଇଂରେଜ ସରକାର ଜଣେ ଲେଖାଁ ଗୋରା ପଲିଟିକାଲ ଏଜେଣ୍ଟ ବା ରାଜନୀତିକ ଦୂତ ରଖୁଥିଲେ । ଏଇ ଏଜେଣ୍ଟମାନେ ତାଙ୍କ ଅଧୀନସ୍ଥ ଗଡ଼ଜାତମାନଙ୍କରେ ଗସ୍ତକରୁଥିଲେ ଆଉ ସବୁ ଖବର ଅନ୍ତର ବୁଝୁଥିଲେ । ସେମାନେ ରାଜାମାନଙ୍କୁ ମନ୍ତ୍ରଣା ଦେଉଥିଲେ ଆଉ ଘଣ୍ଟ ଘୋଡ଼ାଉଥିଲେ । ସେମାନେ ଗସ୍ତ କଲାବେଳେ ରାଜାମାନେ ତ ଯାହା ସୁବିଧାମାନ ଯୋଗାଇ ଦେଉଥିଲେ, ପ୍ରଜାମାନଙ୍କଠାରୁ ମଧ୍ୟ କୁକୁଡ଼ା, ଖାସି, ବୋଦା, ଦୁଧିଆଳି ଗାଈ ଆଉ ଅନ୍ୟାନ୍ୟ ଭଲମନ୍ଦ ଆଦାୟ କରାଯାଉଥିଲା । ଲୋକଙ୍କର ଦେବାକୁ ବଳ ପାଉ ବା ନପାଉ ସେମାଙ୍କୁ ବାଧ୍ୟ କରାଯାଉଥିଲା ।
ଋଣପୁଋରେ ଲୋକମାନଙ୍କର ଦୂଃଖ ଆଊ ଅତ୍ୟାଚାର କଥାରେ କହି ହେବ ନାହିଁ । ସେମାନେ ରାଜାଙ୍କର ବେଠି ବେଗାରି କରି ଆଉ ଭେଟିମାଗଣା ଦେଇ ସର୍ବସ୍ୱାନ୍ତ ହେଉଥିଲେ । ନାନା ପ୍ରକାର ଅଭାବ ଅସୁବିଧାରେ ପଡ଼ି ସେମାନେ ହନ୍ତସନ୍ତ ହେଉଥିଲେ । ନିଜ ବାଡ଼ି ବଗିଚାରେ ପନିପରିବା, ଫୂଲ ଫଳ ଚାଷକରିବା,ନିଜ ପୋଖରୀରେ ମାଛଚାଷ କରିବା, ନିଜ ଜାଗାରେ କୁଅ ଗାଡ଼ିଆ ଖୋଳାଇବା ମନାଥିଲା । କୋଠା, ଚାନ୍ଦିନି କରିବା, ଯାଊଁଳି କବାଟ ଲଗାଇବା ଏମିତିକି ପାହାଚ କରିବା ଥିଲା ଲୋକଙ୍କର ସ୍ୱପ୍ନରକଥା । ଦେଉଳ ତୋଳିବା ମଧ୍ୟ ଅସମ୍ଭବ ଥିଲା । ବିବାହ ବ୍ରତ ପାଇଁ ସବାରି, ପାଲିଙ୍କି, ବଡ଼କାଠ, ତୂଋଈ ମହୁରୀ, ମଶାଲ, ଘୋଡା ଆଦି ବ୍ୟବହାର କରିବାରେ କଠିନ କଟକଣା ଥିଲା । ପୁଅ ଝିଅଙ୍କୁ ହାତକୁ ଦିହାତ କରିବାରେ ଆଊ ପୋଷିଆଁ ପୁଅ କରିବାରେ ରାଜାଙ୍କର ଅନୁମତି ଦରକାର ଥିଲା । ରାଜାଙ୍କର ଯାନି ଯାତ୍ରା, ମେଳା ମଉଚ୍ଛବରେ ଯୋଗ ଦେବାକୁ ପ୍ରଜାମାନଙ୍କୁ ବାଧ୍ୟ କରାଯାଊଥିଲା । ଧୋବା,କୁମ୍ଭାର, କମାର, ମାହାର ପ୍ରଭୁତି ଧନ୍ଦା ପାଇଁ ରାଜାଙ୍କୁ ପାଊଣା ଦେବାକୁ ପଡ଼ୁଥିଲା । ସେମାନେ ରାଜାଙ୍କର ଏସବୁ ଜିନିଷପତ୍ର ଯାହା ଦରକାର ପଡ଼ୁଥିଲା, ମାଗଣାରେ ଯୋଗାଇବାକୁ ବାଧ୍ୟ ହେଉଥିଲେ । ସଭାସମିତି କରି କୌଣସି କଥା ଆଲୋଚନା କରିବା ତ ଦୂରର କଥା, ଖବରକାଗଜ ଖଣ୍ଡେ ପଢ଼ିବାକୁ ମଧ୍ୟ ମନା ଥିଲା ।
ଏସବୁ ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ଋଣପୁରର ଲୋକମାନେ ସ୍ୱର ଉଠାଇଲେ । ରାଜାଙ୍କ ଶାସନ ବିରୁଦ୍ଧରେ ପ୍ରଜା ଆନ୍ଦୋଳନ ତେଜି ଉଠିଲା । ଏଥି ପାଇଁ ଲୋକଙ୍କର ଏକ ସଂଗଠନ “ପ୍ରଜାମଣ୍ଡଳ” ଗଢ଼ାହେଲା । ଏକ ବିରାଟ ସାଧାରଣ ସଭାରେ ଗୋଟିଏ ଦାବିପତ୍ର ଗ୍ରହଣ କରାଗଲା । ”ପ୍ରଜାମଣ୍ଡଳକୀ ଜୟ” ନାଦରେ ଆକାଶପବନ କମ୍ପିଉଠିଲା । ଏହା ଥିଲା ଲଙ୍କାରେ ହରିଶବ୍ଦ । ରଣପୁର ରାଜ୍ୟର ନିରୀହ ମୂକ ଓ ଦଳିତ ଜନସାଧାରଣଙ୍କ ରଣ ହୁଙ୍କାର ! ରାଜା ଆଉ ତାଙ୍କର ପାଖ ଲୋକଙ୍କ ଅତ୍ୟାଚାର ବିରୁଦ୍ଧରେ ଦୃଢ଼ ପ୍ରତିବାଦ !
ଏସବୁରେ ନେତୃତ୍ୱ ନେଇଥିଲେ ଯୁବକ ରଘୁନାଥ ମହାନ୍ତି । ତାଙ୍କର ଜନ୍ମ ୧୯୧୦ ମସିହା ଜୁଲାଇ ୧୮ ତାରିଖରେ । ତାଙ୍କର ପିତାମାତା
ଥିଲେ ନଟବର ମହାନ୍ତି ଓ ଲାବଣ୍ୟ ଦେବୀ । ଋଣପୁର ଥାନାର ବାଦଭୁଇଁ ଗାଁରେ ତାଙ୍କର ଜନ୍ମ । ୧୯୩୭ ମସିହାରେ ସେ ରେଭେନ୍ସା କଲେଜରେ ଆଇ.ଏ. ପଢ଼ୁଥିଲେ । ଛାତ୍ର ଅବସ୍ଥାରେ ମଧ୍ୟ ସମାଜର ଦୁଃଖ ସୁଖ, ଅନ୍ୟାୟ ଅତ୍ୟାଚାର ସମ୍ପର୍କରେ ଲେଖାଲେଖି କରୁଥିଲେ । ଆଇ.ଏ ପଢ଼ିଲାବେଳକୁ ତାଙ୍କର ୭ଖଣ୍ଡି ବହି ମଧ୍ୟ ଅରୁଣୋଦୟ ପ୍ରେସରୁ ପ୍ରକାଶ ପାଇଥିଲା । ସେ ଦେଶବାସୀଙ୍କର ଦୁଃଖକଷ୍ଟ ସହି ପାରିଲେ ନାହିଁ । ପାଠପଢ଼ା ଛାଡ଼ି ସେ ପ୍ରଜାମଣ୍ଡଳ ଗଢ଼ିଲେ ଏବଂ ତାର ସମ୍ପାଦକ ହେଲେ । ତାଙ୍କ ଉପରେ ଲୋକଙ୍କର ସବୁ ଭରସା !
ଏହି କାର୍ଯ୍ୟରେ ତାଙ୍କୁ ସବୁପ୍ରକାର ସାହାଯ୍ୟ କରିଥିଲେ ଦିବାକର ପରିଡ଼ା । ୧୯୧୧ ମସିହା ନଭେମ୍ବର ମାସ ୩୦ ତାରିଖରେ ତାଙ୍କର ଜନ୍ମ । ତାଙ୍କର ପିତା ହରିହର ପରିଡ଼ା ଆଉ ମାତା ତାରାଦେବୀ । ସେଇ ରଣପୁର ଥାନା ଗଡ଼ବାଣୀ ଗାଁରେ ତାଙ୍କର ଘର । ୧୯୩୭ ମସିହାରେ ସେ “ସମାଜ” ପ୍ରେସରେ କାର୍ଯ୍ୟ କରୁଥିଲେ । ରଘୁନାଥ ଓ ଦିବାକର ଦୁଇଜଣ ଏସବୁ କାମରେ ଆଗୁଆ । ସେମାନେ କାୟା ସାଥିରେ ଛୟାପରି । ସେମାନଙ୍କର ଏକମନ,ଏକପ୍ରାଣ ।
ପ୍ରଜାମଣ୍ଡଳ ଗଠନ ପରେ ରାଜାଙ୍କର ରାଗ ପଞ୍ଚମକୁ ଉଠିଗଲା । ତାଙ୍କର ପାଖଲୋକେ ଚଣ୍ଡୀ ଚିରିଗୁଣୀ ପରି ମାତିଗଲେ । ମଣ୍ଡଳର ନେତାମାନଙ୍କର ଘର ଖାନତଲାସ ଚାଲିଲା । ସେମାନଙ୍କର ଜମି ବାଜ୍ୟାପ୍ତି ହେଲା । ଜେଲଜରିମାନା ଦଣ୍ଡସବୁ ମିଳିଲା । ଆଖିବୁଜା ମାଡ଼ ଧମକ ଦିଆଗଲା । ଅତ୍ୟାଚାର ଭୟରେ ନେତାମାନେ ସେମାନଙ୍କର ପିଲାପିଲିଙ୍କୁ ଖୋର୍ଦ୍ଧା ଖାସମାହାଲରେ ରଖିଦେଲେ । ହେଲେ ସେମାନେ ଏଥିରେ ଦବିଗଲେ ନାହିଁ । ଲୋକମାନେ ସଭାସମିତି କଲେ । ପଟୁଆରରେ ଯାଇ “ପ୍ରଜାମଣ୍ଡଳକୀ,ଜୟ”, “ମହାତ୍ମା ଗାନ୍ଧିକୀ ଜୟ,” “ଅନ୍ଧାରୀ ଶାସନ ଲୋପ ପାଉ,” “ଅତ୍ୟାଚାରୀ ଶାସନ ଉଠିଯାଉ” ଧ୍ୱନି କଲେ । ଚଉଦିଗରେ ମଣିଷର ସୁଅ ଛୁଟିଲା । ବଣ ପାହାଡ଼ କମ୍ପିଉଠିଲା ।
୧୯୩୯ ମସିହା ଜାନୁଆରୀ ୪ ତାରିଖ ଋଣପୁର ଗଡ଼ରେ ପ୍ରବଳ ଜନସମୁଦ୍ର । ତା ଆରଦିନ ୫ ତାରିଖରେ ଜନସାଧାରଣଙ୍କ ଦାବି ଦରବାରରେ ପେଶ୍ କରାଗଲା । ସେତେବେଳେ ପଲିଟିକାଲ ଏଜେଣ୍ଟ୍ ଥିଲେ ମେଜର ବେଜେଲ୍ଗେଟ୍। ସେ ସେତେବେଳେ ନୟାଗଡ଼ରେ ରହିଥିଲେ । ରଣପୁରରେ ସଙ୍ଗୀନ ଅବସ୍ଥା ଶୁଣି ଅଳ୍ପ କେତେକ ସୈନ୍ୟଙ୍କ ସହିତ ସେ ତରବର ହୋଇ ସେଠାକୁ ଆସୁଥିଲେ । ବାଟରେ ପଡ଼ିଲା ଲୋଧାଚୁଆଁ ଗାଆଁ । ସେଠାରେ ରାସ୍ତା ଉପରେ ପଡ଼ିଥିଲା କଟା ଗଛ ସବୁ । ହେଲେ ଗାଁରେ ମଣିଷ ତ ମଣିଷ, ବିଲେଇ ଛୁଆଟିଏ ବି ନ ଥିଲା ।ପିଲା ମାଇପେ ଖୋର୍ଦ୍ଧା ଅଞ୍ଚଳକୁ ଆଉ ପୁରୁଷମାନେ ରଣପୁର ଗଡ଼କୁ ଚାଲି ଯାଇଥିଲେ ।
ସେଠାରେ କେବଳ ଦୁଇ ଜଣ ଜଗୁଆଳି ଥା’ନ୍ତି । କଟାଗଛ ସବୁକୁ ଆଡ଼େଇ ଦେବାକୁ ହୁକୁମ ହେଲା । ସେମାନେ ତାଙ୍କୁ ବେଖାତିର କରି ଶୁଣିଲେ ନାହିଁ । ସେମାନଙ୍କୁ ତେଣୁ ଗୁଲି ମାଡ଼ ହେଲା । ସୀପେହିମାନେ ଗଛସବୁ ରାସ୍ତା ଉପରୁ କାଢ଼ି ଦେଲେ । ବେଜେଲ୍ଗେଟ୍ ସାହେବ ରଣପୁର ଚାଲିଲେ ।
ରଣପୁର ଗଡ଼ରେ ଲୋକ ଭରପୁର । ଥାଳି ଛାଡ଼ି ଦେଲେ ଥାଳି ଚାଲିଯିବ । ବେଜେଲ୍ଗେଟ୍ ପହଞ୍ଚିବାରୁ ତାଙ୍କୁ ସମସ୍ତେ ଘେରିଗଲେ । ତାଙ୍କର ଗାଡ଼ି ଅଟକି ରହିଲା । ଆହତ ଜଗୁଆଳିଙ୍କୁ ଲୋଧାଚୁଆଁରୁ ଆଣୁଥିବା ଶଗଡ଼ଗାଡ଼ି ସେଠାରେ ପହଞ୍ଚିଲା । ସେମାନଙ୍କୁ ଟାଙ୍ଗି ଡ଼ାକ୍ତରଖାନା ନେବାର ଥିଲା । ମାତ୍ର ବେଜେଲ୍ଗେଟ୍ ସେଇ ଗାଡ଼ି ସବୁ ଯିବାକୁ ବାରଣ କଲେ । ଏଣେ ଲୋକେ ତାଙ୍କ କଥା ଶୁଣିଲେ ନାହିଁ । ଆହତ ଲୋକଙ୍କୁ ସେଠାରୁ ନେବାକୁ ସେମାନେ ବାହାରିଲେ । ଖୁବ ଧସ୍ତା ଧସ୍ତି ହେଲା । ହଠାତ୍ ସାହେବ ତାଙ୍କ ରିଭଲଭରରେ ଅର୍ଜୁନ ରାଉତ ନାମକ ଜଣେ ଲୋକକୁ ଗୁଳି କରି ପକାଇ ଦେଲେ । ଆଉ ଗୁଳି କରିବା ପୁର୍ବରୁ ରଘୁନାଥ ଓ ଦିବାକର କହି ଉଠିଲେ- ଭାଇ ମାନେ, ଆଉ ଛାଡ଼ନ୍ତୁ ନାହିଁ । ସାହେବକୁ ଶିକ୍ଷା ଦିଅ । ଭଲ କରି ପାନେ ଦେଇଦିଅ । ସେ ଦରମରା କରି ଥିବା ଆମର ଭାଇଙ୍କୁ ଚିକିତ୍ସା ପାଇଁ ଛାଡ଼ିଲା ନାହିଁ । ପୁଣି ଅନ୍ୟ ଭାଇକୁ ଗୁଳି କରି ପକାଇ ଦେଲାଣି । ଆଉ ରକ୍ଷା ନାହିଁ । ଲଗାଅ । ଭାଇମାନେ, ଲଗାଅ ।
ସେତେବେଲେ ଲୋକ ତ ତାତି କରି ଥିଲେ । ଏଇ କଥା ରେ ସେମାନେ ମାତିଗଲେ । ରକ୍ତ ଯେମିତି ଟକ୍ ଟକ୍ କରି ଫୁଟି ଉଠିଲା । ମଇଁଷି ଶିଙ୍ଗ ଫଟା, ଯୁଝିଲା ବେଳକୁ ଗୋଟା । ବିଜୁଳି ବେଗରେ ସମସ୍ତେ ସାହେବଙ୍କୁ ଘେରିଗଲେ । ଯାହାର ହାତରେ ଯାହା ପଡ଼ିଲା । ଠେଙ୍ଗାବାଡି ଇଟାପଥର । ବେଜେଲ୍ଗେଟଙ୍କୁ ପିଟି ପିଟି ଲୋକେ ମାରିଦେଲେ । ରଘୁନାଥ, ଦିବାକର ଓ ଅନ୍ୟମାନଙ୍କୁ ବନ୍ଦୀ କରାଗଲା । ଜଣେ ଗୋରା ଜଜ୍ଙ୍କୁ ଦୌରାଜଜ୍ ଭାବରେ ନିଯୁକ୍ତି ଦିଆଗଲା । ଏହି ମୋକଦ୍ଦମା ବିଚାର କରିବାକୁ ସେ ରହିଲେ । ଦୁଇତିନି ବର୍ଷଧରି ଏଇ ମୋକଦ୍ଦମାର ବିଚାର ଚାଲିଲା । ଶେଷରେ ରାୟ ଦିଆଗଲା । ରଘୁନାଥ ଓ ଦିବାକରଙ୍କୁ ଫାଶି ହୁକୁମ ହେଲା । ୧୧ ଜଣ ଲୋକଙ୍କୁ ଯାବଜ୍ଜୀବନ କଳାପାଣି ଦଣ୍ଡ ମିଳିଲା । ଆଉ ଦୁଇଜଣଙ୍କୁ ଦୁଇବର୍ଷ ପାଇଁ ଜେଲଦଣ୍ଡ ଦିଆଗଲା ।
୧୯୪୧ ମସିହା ଅପ୍ରେଲ ୪ ତାରିଖ । ବିହାର ଭାଗଲପୁର ଜେଲ୍ରେ ରଘୁନାଥ ଓ ଦିବାକରଙ୍କୁ ଫାଶି ଦିଆଗଲା । ଭାରତ ସାରା ଦୁଃଖର ଛାୟା ଖେଳିଗଲା । ଲୋକମାନେ ରାଗରେ ନିଆଁ ବାଣ ହୋଇଗଲେ । ସ୍ୱାଧୀନତା ପାଇଁ ଋଘୁ-ଦିବାକର ଜୀବନ ଦେଇଥିଲେ । ତେଣୁ ସେମାନଙ୍କର ସାହସ ଓ ତ୍ୟାଗ କୋଟି କୋଟି ଲୋକଙ୍କୁ ସ୍ୱାଧୀନତା ଲଢ଼େଇରେ ଅସୁମାରି ବଳ ଓ ଦମ୍ଭ ଯୋଗାଇଥିଲା ।
ବେଜେଲ୍ ଗେଟ୍ ହତ୍ୟାକାଣ୍ଡ କେବଳ ଭାରତରେ ନୁହେଁ, ଇଂଲଣ୍ଡରେ ମଧ୍ୟ ଚହଳ ପକାଇ ଦେଇଥିଲା । ବିଲାତିର ଖବରକାଗଜ ଆଉ ପାର୍ଲାମେଣ୍ଟରେ ଖୁବ୍ ଆଲୋଚନା ଓ ସମାଲୋଚନା ହେଲା । ସେତେବେଳେ ଶାସନ ଦାୟିତ୍ୱରେ ଥିବା ଜାଠଦଳ ନିର୍ବାଚନରେ ହଟିଗଲେ । ବିରୋଧୀ ଶ୍ରମିକ ଦଳ ବହୁ ସଂଖ୍ୟାରେ ଭୋଟ ପାଇ ଜୟ ଲାଭ କଲା । ସେଇଦଳର ନେତା ବିଲାତର ପ୍ରଧାନ ମନ୍ତ୍ରୀ ହୋଇ ଭାରତକୁ ସ୍ୱାଧୀନତା ଦେବାକୁ ନିଷ୍ପତ୍ତି ନେଲେ । ତାପରେ ୧୯୪୬ ମସିହା ଅଗଷ୍ଟ ୧୫ ତାରିଖରେ ଭାରତବର୍ଷ ସ୍ୱାଧୀନ ହେଲା । ବିଦେଶୀ ଶାସନର କଳାଅନ୍ଧାର ଲୁଚିଗଲା । ମୁକ୍ତିର ସୂର୍ଯ୍ୟ ହସିହସି ଉଇଁ ଉଠିଲେ ।
ପ୍ରତିବର୍ଷ ଅପ୍ରେଲ ୪ ତାରିଖଟିକୁ ସ୍ମରଣୀୟ ତିଥି, ଆତ୍ମଦାନର ଦିବସ ଭାବରେ ଆମେ ପାଳି ଗାଇଥାଉ-
ରଘୁଦିବାକରରେ ରଘୁ ଦିବାକର
ଅନ୍ଧାରୀ ରାଇଜେ ଉଇଁ ଆଲୁଅର ଆଭା ନେଇ
ଜାଳି ଦେଲେ ମୁକତି-ମଶାଲରେ
ରଘୁ ଦିବାକାର…
ଦେଶ ପାଇଁ ଢାଳିଲେ ଜୀବନ
ମୂକ ତୁଣ୍ଡେ ଭାଷା ଫେଇ ଦୁରୁବଳେ ବଳ ଦେଇ
କରି ଗଲେ ଆତ୍ମବଳି ଦାନ!
କୋଟି କୋଟି କରୁ ନମସ୍କାର!
ଜାତିର ଶହୀଦ୍ ସିଏ ଦେଶ ମାତା ଯୋଗ୍ୟ ପୁଏ
ଆମର ସେ ରଘୁ ଦିବାକର…
ଜାଳିଦେଲେ ମୁକତି ମଶାଲ…