• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଅନ୍ୟାନ୍ୟ»ଜାତିର ବିକାଶରେ ଭାଷାର ଭୂମିକା
ଅନ୍ୟାନ୍ୟ

ଜାତିର ବିକାଶରେ ଭାଷାର ଭୂମିକା

Subrat Kumar PrustyBy Subrat Kumar PrustyFebruary 16, 2020No Comments10 Mins Read
Facebook Twitter Pinterest Reddit LinkedIn Tumblr Email
Share
Facebook Twitter Pinterest Reddit Email

ମାନବସଭ୍ୟତାରେ ଏକ ଉନ୍ନତ ଜାତିର ପରିଚୟ ହେଉଛି ସେହି ଜାତିର ଅଧିବାସୀଙ୍କ ମୁଖରେ ଉଚ୍ଚାରିତ ହେଉଥିବା ଭାଷା | ଆମେ ସେହି ଜାତିକୁ ସେତେ ଉନ୍ନତ ବୋଲି କାହିବା, ଯେଉଁ ଜାତିର ଭାଷା ସାମାଜର ସବୁ ପ୍ରକାର ଆବଶ୍ୟକତା ପୂରଣ କରିବାରେ ସାହାଯ୍ୟ କରିଥାଏ | ଭାଷା ମଧ୍ୟ ମଣିଷ ଭଳି ଗତିଶୀଳ, ଚଳଚଞ୍ଚଳ । ପ୍ରବାହମାନ ନଦୀଧାରା ଭଳି ସ୍ୱଚ୍ଛ, ମନୋହର ଓ ଲାଳିତ୍ୟପୂର୍ଣ୍ଣ । ପୁଣି ଭାଷାକୁ ଜୀବିତ ରଖେ ଏହାର ବ୍ୟବହାରିକ ଦିଗ । ଅର୍ଥାତ୍ ଗୋଟିଏ ଭାଷାକୁ ଯେତେ ବ୍ୟବହାର କରାଯିବ ସେ ଭାଷା ସେତେ ସ୍ୱଚ୍ଛ,ସତେଜ ଓ ଦୀର୍ଘଜୀବୀ ହୋଇ ରହିବ । କେବଳ ଉଚ୍ଚାରଣ ନୁହଁ, ଆଚରଣରେ ମଧ୍ୟ ଭାଷା ବଞ୍ଚିଥାଏ । ମଣିଷ ସମାଜର ଦୈନନ୍ଦିନ ଆବଶ୍ୟକତା, ଯଥା-ବିଜ୍ଞାନ, କାରିଗରୀ, ଚିକିତ୍ସା, ନ୍ୟାୟ, ପ୍ରଶାସନକ୍ଷେତ୍ର ହିଁ ଏହି ଆଚରଣର ଗୋଟିଏଗୋଟିଏ ବିନ୍ଦୁ । ଯଦି ଆଚରଣରେ ଭାଷାର ପ୍ରୟୋଗ ନ ରହେ, ତେବେ ସେ ଭାଷା ଯେତେ ଉନ୍ନତ ହୋଇଥିଲେ ମଧ୍ୟ ତାହାର ମୃତ୍ୟୁ ଅବଶ୍ୟାମ୍ଭାବୀ । ପୁଣି ଯଦି ଗୋଟିଏ ଭାଷାଭାଷୀଙ୍କ ମଧ୍ୟରେ ସ୍ୱାଭିମାନର ବୀଜ ଅଙ୍କୁରିତ ହୋଇଉଠେ, ତେବେ ସେ ଭାଷା ମୃତ ହୋଇ ମଧ୍ୟ ପୁନଃ ଜାଗରିତ ହୋଇ ଉଠିବ । ଦୃଷ୍ଟାନ୍ତରୂପେ ବିଶ୍ୱର ଦୁଇ ପ୍ରାଚୀନଭାଷା- ସଂସ୍କୃତ ଓ ହିବ୍ରୁକୁ ନେଇପାରିବା । ବୈଦିକକାଳରୁ ଆରମ୍ଭ ହୋଇଥିବା ସଂସ୍କୃତଭାଷା ପ୍ରଥମ ଶତାବ୍ଦୀ ବେଳକୁ କୁଶାଣ ଶାସନ କାଳରେ ବୌଦ୍ଧଧର୍ମର ପ୍ରଚାର ଓ ପ୍ରସାରର ଭାଷା ଭାବରେ ଗୃହୀତ ହେଲା । ମାତ୍ର ଚତୁର୍ଥ ଶତାବ୍ଦୀ ବେଳକୁ ଗୁପ୍ତବଂଶୀ ଶାସକଙ୍କ ପ୍ରୋତ୍ସାହନରେ ଏହାର ସାଂସ୍କୃତିକ ବିକାଶ ଘଟି ଚିକିତ୍ସା, ବିଜ୍ଞାନ, ଗଣିତ, ଭୁଗୋଳ, ସାହିତ୍ୟ, ସଂସ୍କୃତି, କାରିଗରୀ ବିଦ୍ୟା, ନ୍ୟାୟ, ପ୍ରଶାସନରେ ବହୁଳ ବ୍ୟବହାର ଘଟିଥିଲା । ପରବର୍ତ୍ତୀ କାଳରେ ଶାସନଗତ ବିଶୃଙ୍ଖଳାର ସୁଯୋଗ ନେଇ ବିଦେଶୀଙ୍କଦ୍ୱାରା ଦୀର୍ଘଦିନ ଧରି ଭାରତ ଶାସିତ ହେଲା । ଶାସନ କ୍ଷେତ୍ରରେ ପାର୍ଶୀ ଓ ଇଂରାଜୀ ଭାଷାର ବିପୁଳ ବ୍ୟବହାର ଆଜି ସଂସ୍କୃତଭାଷାର ଅସ୍ତିତ୍ୱକୁ ସଂକଟାପନ୍ନ ଅବସ୍ଥାରେ ପକାଇଛି । ଠିକ୍ ସେହିପରି ହିବ୍ରୁ ଭାଷା । ପ୍ରାଚୀନ ବାଇବେଲ ଲେଖାଯାଇଥିବା ଏହି ଭାଷା ଖ୍ରୀଷ୍ଟପୂର୍ବ ଏକାଦଶ ଶତାବ୍ଦୀ ବେଳକୁ ବିକଶିତ ହୋଇଥିଲେ ମଧ୍ୟ ପରବର୍ତ୍ତୀ କାଳରେ ବାରମ୍ବାର ବିଦେଶୀ ଆକ୍ରମଣର ଶିକାର ହେବାଦ୍ୱାରା ଏହା ସଂପୂର୍ଣ୍ଣ ଭାବରେ ଲୋପ ପାଇଯାଇଥିଲା । ମାତ୍ର ବିଂଶ ଶତାବ୍ଦୀର ପ୍ରଥମ ଭାଗରେ ଇହୁଦୀଜାତି ଏକତ୍ରୀକରଣ ଘଟିବାରୁ ନିଜପାଇଁ ଇସ୍ରାଏଲ୍ ନାମକ ନୂତନ ଦେଶ ଗଠନକଲେ । ଏହାପରେ ଅତୀତର ସେହି ଗୌରବମୟ ମାତୃଭାଷା ହିବ୍ରୁକୁ ପୁନରୁର୍ଦ୍ଧାର କରିବାକୁ ଇହୁଦୀ ଜାତି ଆଗେଇଆସି ଏହାକୁ ନିଜର ରାଷ୍ଟ୍ରଭାଷା ଭାବେ ଗ୍ରହଣ କଲେ । ଏବେ ଏହାର ଲିପିକ୍ଷେତ୍ରରେ ସାମାନ୍ୟ ପରିବର୍ତ୍ତନ କରି ୧୯୨୬ ମସିହାରୁ ଆରବୀ ବଦଳରେ ରୋମାନ ଲିପିକୁ ଗ୍ରହଣ କରିନେଇଛନ୍ତି । ଅତୀତର ଏହି ସମୃଦ୍ଧଭାଷା ସଂପୂର୍ଣ୍ଣ ଲୋପ ପାଇଯାଇଥିଲା । ମାତ୍ର ଇହୁଦୀଜାତିଠାରେ ସ୍ୱାଭିମାନ ଜାଗରିତ ହେବାରୁ ବର୍ତ୍ତମାନ ତାହା ଜୀବନଲାଭ ସହିତ ଇସ୍ରାଏଲ୍ ଭଳି ପ୍ରାକୃତିକ ସମ୍ବଳହୀନ ଏକ ବାଲୁକାପୂର୍ଣ୍ଣ ଗରିବ ରାଷ୍ଟ୍ରକୁ ସମୃଦ୍ଧଶାଳୀ ରାଷ୍ଟ୍ର ଭାବେ ବିଶ୍ୱ ମାନ୍ୟତା ପ୍ରଦାନ କରିବାରେ ସହାୟକ ହୋଇଛି ।

ଏହି ପରିପ୍ରେକ୍ଷୀରେ ଆଉ ଦୁଇଟି ଭାଷା ଗ୍ରୀକ ଓ ଇଂରାଜୀକୁ ଦୃଷ୍ଟାନ୍ତ ରୂପେ ନିଆଯାଇପାରେ । ପୃଥିବୀ ଇତିହାସରେ ସମୃଦ୍ଧନଗର ଭାବେ ବିଖ୍ୟାତ ଛୋଟିଆ ଗ୍ରୀସଦେଶର ମାତୃଭାଷା ‘ଗ୍ରୀକ୍’ରେ ହିଁ ବିଶ୍ୱର ଦୁଇ ପ୍ରାଚୀନ ମହାକାବ୍ୟ ‘ଇଲିଆଡ଼’ ଓ ‘ଓଡ଼େଶୀ’ ରଚିତ ହୋଇଥିଲା । ଦିନଥିଲା ଏହା କେବଳ ସମଗ୍ର ୟୁରୋପ ମହାଶେରେ ନୁହେଁ, ବରଂ ଆଲେକଜାଣ୍ଡାରଙ୍କ ଯୋଗୁଁ ଏହିଭାଷା ଭାରତ ପର୍ଯ୍ୟନ୍ତ ବିସ୍ତୃତ ଥିଲା । ବାଇବେଲର ନିଉଟେଷ୍ଟାମେଞ୍ଚ ଏହିଭାଷାରେ ଲିଖିତ । ତେବେ ଗ୍ରୀକ୍‌ମାନଙ୍କ ରାଜନୈତିକ କ୍ଷମତା ହ୍ରାସହେବା ସହିତ ସେମାନଙ୍କ ସାମ୍ରାଜ୍ୟ ଓ ଭାଷାର ସୀମା ମଧ୍ୟ ସଂକୁଚିତ ହୋଇଗଲା । ବର୍ତ୍ତମାନ ଗ୍ରୀକ୍‌ଭାଷା ଗ୍ରୀସଦେଶ ମଧ୍ୟରେ ସୀମାବଦ୍ଧ ।

ସେହିଭଳି ମଧ୍ୟ ଜର୍ମାନଭାଷା ପରିବାରର ଇଂଲିଶ-ଫ୍ରିଜିଆନ୍ ଭାଷା ଅନ୍ତର୍ଭୁକ୍ତ ଇଂରାଜୀଭାଷା ଷୋଡ଼ଶ ଶତାବ୍ଦୀରୁ ବିକଶିତ ହେବା ଆରମ୍ଭ କରି ଏବେ ସମଗ୍ର ବିଶ୍ୱ ଭାଷା ହେବାରେ ଗୌରବ ଲାଭ କରିଛି ।

ପ୍ରାଦେଶିକଭାଷା ମଧ୍ୟରେ ଆମ ପଡ଼ୋଶୀ ବଙ୍ଗଳାଭାଷା ଏକ ଭିନ୍ନ ଉଦାହରଣ ସୃଷ୍ଟି କରିଛି । ତିନିଶହ ବର୍ଷ ତଳେ ବଙ୍ଗଳାଭାଷାର ଅସ୍ତିତ୍ୱ ନ ଥିଲା । ଦୀର୍ଘଦିନର ମୁସଲମାନ ଶାସନ ଯୋଗୁଁ ତଥା ପଡ଼ୋଶୀ ଆସାମ ଓ ଓଡ଼ିଶାର ସୁଦୃଢ଼ ହିନ୍ଦୁ ଶାସନ ଯୋଗୁଁ ହୁଗୁଳିଠାରୁ କାଳାଦନ ନ‌ଦୀ ମଧ୍ୟସ୍ଥ ବିସ୍ତୀର୍ଣ୍ଣ ଭୂଖଣ୍ଡରେ ପାର୍ଶୀ, ଉର୍ଦ୍ଧୁ, ଓଡ଼ିଆ, ଅସାମିୟା ମିଶା ବିକୃତ ବଙ୍ଗଳାଭାଷା କଥିତ ହେଉଥିଲା । ବିଭିନ୍ନି ଅଞ୍ଚଳରେ ଭିନ୍ନଭିନ୍ନ ଢଙ୍ଗରେ ଏହାସବୁ ଉଚ୍ଚାରିତ ହେଉଥିଲା । ଯେମିତି ଢାକା, ସିଲହଟ, ଅଗରତାଲା, କୁଚବିହାର, ବର୍ଦ୍ଧମାନ, ହୁଗୁଳି, ମଇମନସିଂହ, ପୁରୁଲିଆ ଅଞ୍ଚଳର ଲୋକେ ଅନ୍ୟ ଅଞ୍ଚଳର କଥା କହିପାରୁ ନ ଥିଲେ କିମ୍ବା ବୁଝିପାରୁ ନ ଥିଲେ । ଏହି ଭାଷାଗୁଡ଼ିକ ଅନିର୍ଦ୍ଧିଷ୍ଟ ଭାବରେ ଘୂରି ବୁଲୁଥିଲା ନିଜନିଜ ଅକାଳରେ । ସେତେବେଳେକୁ ଓଡ଼ିଆ ଓ ଆସାମ ଭାଷା ସମୃଦ୍ଧ ହୋଇ ସାରିଲେଣି । ବଙ୍ଗଳା କେବଳ କଥିତଭାଷା ରୂପେ ଆତ୍ମପରିଚୟ ଖୋଜିବାରେ ବ୍ୟସ୍ତ ଥିଲା । ଯଦି ଏହି ସମୟରେ ଅସାମିୟା ଓ ଓଡ଼ିଆଭାଷା ବଙ୍ଗଳାର ଏହି ଉପଭାଷାଗୁଡ଼ିକୁ ପ୍ରଭାବିତ କରି ନିଜ ନିୟନ୍ତ୍ରଣରେ ରଖିପାରନ୍ତେ, ତେବେ ବଙ୍ଗଳାଭାଷା ସୃଷ୍ଟି ହୋଇ ନ ଥାନ୍ତା । କିନ୍ତୁ ଇଂରେଜ ଉପନିବେଶ ସାମ୍ରଜ୍ୟ କଲିକତାଠାରେ ସୃଷ୍ଟି ହେବାଦ୍ୱାରା ଏହି ନଗରୀରେ ଆତ୍ମପ୍ରକାଶ କାଲା ଏକ ଶିକ୍ଷିତ, ମଧ୍ୟବିତ ବଙ୍ଗଳାଗୋଷ୍ଠୀ । ଏମାନେ ନିଜ ପରିଚୟ ଖୋଜିବାକୁ ଯାଇ ନିଜକୁ ବଙ୍ଗାଳୀ ଓ ନିଜର ଭାଷା ବଙ୍ଗଳା ବୋଲି ଘୋଷଣା କଲେ । ଇଂରାଜୀ ସାହିତ୍ୟ ଢାଞ୍ଚାରେ ଏହି ଭାଷାରେ ସୃଷ୍ଟିକଲେ ସାହିତ୍ୟ । ଏହା ହେଲା ବଙ୍ଗ ଶିକ୍ଷାଦାନବ୍ୟବସ୍ଥାର ମାଧ୍ୟମ । ପ୍ରଥମ କରି ବଙ୍ଗଳା ସମାଜର କେନ୍ଦ୍ରବିନ୍ଦୁ କଲିକତାଠାରେ ସ୍ଥାପିତ ହୁଏ, ଯାହା ଆଡ଼କୁ ଆକର୍ଷିତ ହୋଇ ଆସନ୍ତି ତଥାକଥିତ ସେହି ଖେଚୁଡ଼ି ବଙ୍ଗ ଉପଭାଷାଗୁଡ଼ିକ । ଫଳରେ କଲିକତା ବଙ୍ଗଳାଭାଷାର ମର୍ଯ୍ୟାଦା ବଢ଼ିଲା । ତଦନୁସାରେ ଆୟତନ ମଧ୍ୟ ବଢ଼ିଲା । ଯିଏ ଯେଉଁ ଅଞ୍ଚଳର ହୋଇଥାଉନା କାହିଁକି କଲିକତାର ମାନକ ବଙ୍ଗଳାଭାଷାକୁ ସମ୍ମାନ ଦେବାକୁ ହେବ – ଏହି ଚିନ୍ତାଧାରାଦ୍ୱାରା ବଙ୍ଗଳାଜାତିରେ ଯେଉଁ ସାମାଜିକ ଅଙ୍ଗୀକାରବଦ୍ଧତା ସୃଷ୍ଟି ହେଲା, ତଦ୍ୱାରା ସର୍ବଭାରତୀୟ ସ୍ତରରେ ସେମାନଙ୍କର ଆତ୍ମମର୍ଯ୍ୟାଦା ବୃଦ୍ଧି ହେବା ସହିତ ଏକ ସ୍ୱାଭିମାନୀ ଶିକ୍ଷିତଜାତି ଭାବରେ ନିଜର ନୂତନ ପରିଚୟ ସୃଷ୍ଟି କଲେ । ସେମାନଙ୍କୁ ବେଶି ଭାବପ୍ରବଣ କରି ଆହୁରି ମର୍ଯ୍ୟାଦାବନ୍ତ କରିଥିଲା ବଙ୍ଗଭଙ୍ଗ ଆନ୍ଦୋଳନ । ଏପରିକି ଧାର୍ମକ ବିଭେଦରୁ ପୂର୍ବବଙ୍ଗ ବିଚ୍ଛିନ୍ନ ହୋଇଗଲେ ମଧ୍ୟ ବଙ୍ଗଳାଭାଷା ପ୍ରତି ଅନୁରକ୍ତି କମି ନଥିଲା । ପୂର୍ବବଙ୍ଗ ମୁସଲମାନଙ୍କ ଓଠରୁ ଯେତେବେଳେ ବଙ୍ଗଳାଭାଷାକୁ ଛଡ଼ାଇ ଉର୍ଦ୍ଦୁଭାଷା ପ୍ରଚଳନପାଇଁ ପାକିସ୍ତାନ ସରକାର ୨୧ ମାର୍ଚ୍ଚ ୧୯୪୮ରେ ଘୋଷଣା କଲେ, ଏହାର ଦୃଢ଼ ପ୍ରତିବାଦ କରି ମୃତ୍ୟୁକୁ ଆଲିଙ୍ଗନ କରିବାକୁ ସହସ୍ର ସଂଖ୍ୟାର ପୂର୍ବବଙ୍ଗବାସୀ ମୁସଲମାନବଙ୍ଗଳୀ ପଛାଇଲେ ନାହିଁ । ଜାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ଭାଷା ପ୍ରତି ବଙ୍ଗଳୀଙ୍କର ଏହି ମୋହ ହିଁ ଦୁଇଶହ ବର୍ଷ ଭିତରେ ବିଶ୍ୱର ପ୍ରମୁଖ ଭାଷା ମାନ୍ୟତା ପାଇପାରିବା ସହ ୨୧ ଫେବୃଆରୀ ୧୯୫୨(୮ ଫାଲ୍ଗୁନ ୧୩୫୯)ରେ ଢାକା ବିଶ୍ୱବିଦ୍ୟାଳୟ ପରିସର ମଧ୍ୟରେ ପାକିସ୍ତାନୀ ପୋଲିସଙ୍କ ଗୁଳିଚାଳନାରେ ମୃତ୍ୟୁ ଲାଭ କରିଥିବା ଶହୀଦଙ୍କ ପ୍ରତି ସମ୍ମାନ ଜଣାଇ ମାତୃଭାଷାପାଇଁ ଜୀବନ ଦେଇଥିବା ମୁସଲମାନ ବଙ୍ଗବାସୀଙ୍କ ସ୍ମୃତିରେ ଏହି ଦିବସକୁ ବିଶ୍ୱ ମାତୃଭାଷା ଦିବସ ଭାବେ ପଳନ କରିବାକୁ ଜାତିସଂଘ ଘୋଷଣା କରିଛି । ଏତିକରେ ବଙ୍ଗଭାଷୀ ସନ୍ତୁଷ୍ଟ ହୋଇନାହାନ୍ତି । ବାଙ୍ଗଳାଭାଷାକୁ ଜାତିସଂଘର ଭାଷା ଭାବରେ ଗ୍ରହଣ କରିଯିବାପାଇଁ ଦାବି କରିବା ସହ ଏହା କିପରି କାର୍ଯ୍ୟକାରୀ ହେବ, ସେହି ପ୍ରୟାସ ଆରମ୍ଭ କଲେଣି ବଙ୍ଗଳାଦେଶର ବଙ୍ଗଭାଷୀଗଣ । ଅଥଚ ଭାରତର ବଙ୍ଗବାସୀ ନିଜର ଏହି ଗୌରବକୁ ଗୁରୁତ୍ୱ ନ ଦେଇ ଇଂରାଜୀ ମୋହରେ ଆମଭଳି ପୀଡିତ ଅଛନ୍ତି ।

 

ଆଉ ଏକ ସମୃଦ୍ଧ ଅର୍ଥାତ ବର୍ତ୍ତମାନ ମୃତ ଅବସ୍ଥାରେ ପଡ଼ି ରହିଥିବା ‘ମୈଥିଳୀ’ ଭାଷା ସଂପର୍କରେ ଆଲୋଚନା କରାଯାଇପାରେ । ବର୍ତ୍ତମାନର ବିହାର ରାଜ୍ୟ ଅନ୍ତର୍ଭୁକ୍ତ ମିଥିଳା ଅଞ୍ଚଳରେ ବାସ କରୁଥିବା ଏହି ଜାତିର ମାତୃଭାଷା ହେଉଛି ମୈଥିଳୀ । ଏହା ଓଡ଼ିଆଭଷା ସହ ବହୁ ପରିମାଣରେ ମିଶିଯାଏ । ଚତୁର୍ବ୍ଦଶ ଶତାବ୍ଦୀର ମୈଥିଳୀ କବି ଜ୍ୟୋତିରିଶ୍ୱର କବି ଶେଖରାଚାର୍ଯ୍ୟଙ୍କ ‘ବର୍ଣ୍ଣ ରତ୍ନାକର’ ଗ୍ରନ୍ଥରେ ଲିଖିତ ବହୁ ଶବ୍ବ, ଯଥା-ହାଡ଼ି,ତେଲି,ଚମାର,ଏସନ,ମୁହଁ,ହାଥ,ଭଣ୍ଡାରୀ,ବାରିକ,ମୁଖିଆ,ମାଣ୍ଡି,ଚାଉଳ,ଖିରିସା,ବୋଡ଼ି,ପଣ,କାହାଣ,ପରିଡ଼ା,ରାଉଳ,ଢୋଲ,ଧାମସା,ଅନ୍ଧାର ଆଦି ଅସଂଖ୍ୟ ଶବ୍ଦ ଏବେମଧ୍ୟ ଓଡ଼ିଆଙ୍କ ଓଠରେ ଉଚ୍ଚାରିତ । ଏହି ଭାଷାର କବି ବିଦ୍ୟାପତିଙ୍କ ରଚିତ’ପଦାବଳୀ’ ସତେ ଯେପରି ଓଡ଼ିଆଭାଷାରେ ଲେଖାଯାଇଛି । ମୈଥିଳୀ ଓ ଓଡ଼ିଆ ଭାଷାର ଏହି ସମାନତାପାଇଁ ବୋଧହୁଏ ମଧ୍ୟଯୁଗୀୟ ବହୁ ଓଡ଼ିଆକବି ମୈଥିଳୀ ଓ ଭୋଜପୁରୀ ଭାଷାରେ ପ୍ରଚୁର କାବ୍ୟକବିତା ସୃଷ୍ଟି କରିଯାଇଛନ୍ତି । ଓଡ଼ିଆ ପରି ଏହାର ଅଛି ସମୃଦ୍ଧ ଭାଷା ଓ ସାହିତ୍ୟର ବିଭବ,ଥଲା ମଧ୍ୟ ଏକ ସ୍ୱତନ୍ତ୍ର ଲିପି । ମଧ୍ୟଯୁଗୀୟ ମୁସଲମାନ ଶାସନ ପରେ ଏହାର ରାଜନୈତିକ ସୀମା ଲୋପ ପାଇଥିଲା । ଇଂରେଜଶାସନବେଳେ ଏହାର ସାମାଜିକ ଓ ସାଂସ୍କୃତିକ ସୀମା ଲୋପ ପାଇଗଲା । ଇଂରେଜଶାସନବେଳକୁ ନୂଆ ଚେହେରାରେ ଆତ୍ମପ୍ରକାଶ କରୁଥିବା ଅପରିଚିତ ବଙ୍ଗଳାଭାଷା ଏହାର ଲିପି ଅଧିକାର କରି ନିଜର ବୋଲି ଦାବି କଲେ । ଯାହା ଏବେ ବଙ୍ଗଳାଲିପି ଭାବେ ଚିହ୍ନିତ । ଆମେ ଓଡ଼ିଆଏ ବର୍ତ୍ତମାନ ଯେପରି ଓଡ଼ିଆ ବ୍ୟାକରଣ ନାମରେ ସଂସ୍କୃତ ବ୍ୟାକରଣ ପଢୁଛୁ,ଠିକ୍ ସେହିପରି ଏହି ମୈଥିଳୀଭାଷୀ ହିନ୍ଦୀ ବ୍ୟାକରଣ ପଢୁଛନ୍ତି । ହିନ୍ଦୀ ରାଷ୍ଟ୍ରଭଷା ମାନ୍ୟତା ପାଇବାର ବ୍ୟାପକ ପ୍ରଚାର ମାଧ୍ୟମରେ ଏମାନଙ୍କୁ ରୋଜଗାର ଯୋଗାଇଦେବାର ଲୋଭ ଦେଖାଇ ଉତ୍ତର ଭାରତର ୪୬ଟି ସମୃଦ୍ଧ ଭାଷା ସହିତ ମୈଥିଳୀଭାଷା ନିଜକୁ ହିନ୍ଦୀ ଭିତରେ ହଜାଇ ଦେଇଛି । ଏପରିକି ଏହାର ଦୁଇଟି ଉପଭାଷା’ଅଙ୍ଗିକା’ ଓ ‘ବଜ୍ଜିକା’ ମୈଥିଳୀଭାଷା ସହ ପରିଚୟ ଛିଣ୍ଡାଇ ଆମ ସମ୍ବଲପୁରଭାଷାଭଳି ସ୍ୱତନ୍ତ୍ର ମାନ୍ୟତା ଦାବି କଲେଣି । ଏହାର ଏକମାତ୍ର କାରଣ ହେଉଛି ମୈଥିଳୀଭାଷା ବର୍ତ୍ତମାନ ସମୟରେ ରୋଜଗାର ଦେଇପାରୁ ନଥିବାରୁ ଆଜିର ମିଥିଳାଶିଶୁ ନିଜ ମାତୃଭାଷାକୁ ଘୃଣା କରୁଛି । ଏହା ବ୍ୟତୀତ ଏହି କୋମଳମତି ମୈଥିଳୀ ଶିଶୁଗଣଙ୍କୁ କିପରି ନିଜ ମାତୃଭାଷାରେ ଶିକ୍ଷା ଦିଆ ନ ଯିବ ସେହି ପରିସ୍ଥିତି ସୃଷ୍ଟି କଲେଣି ହିନ୍ଦୀଭାଷୀ । ନିଜଭାଷାରେ ଶିକ୍ଷା ନ ପାଇବାରୁ, ରୋଜଗାରର ମାଧ୍ୟମ ନିଜ ମାତୃଭାଷା ନ ହେବାରୁ ବିଭିନ୍ନ ପ୍ରଲୋଭନ ଭିତରେ ଜଡ଼ ପାଲଟି ଯାଇଥିବା ମିଥିଳା ଶିଶୁ ନିଜ ମାତୃଭାଷା ମୈଥିଳୀ ଉପରୁ ଆସ୍ଥା ହରାଇ ବସିଛି ।

ତେଣୁ ଓଡ଼ିଆଭାଷା ସହିତ ସମକାଳରେ ବିକାଶ ଲାଭ କରି ପ୍ରଚୁର ଉନ୍ନତ ସାହିତ୍ୟ ସୃଷ୍ଟି କରିଥିବା ମୈଥିଳୀଭାଷା ଯୁଗୋପଯୋଗୀ ହୋଇ ରୋଜଗାରର ମାଧ୍ୟମ ନ ପାଲଟିବାରୁ ଆଜି ନିଜର ଭୂମି, ଲିପି, ବ୍ୟାକରଣ ଏବଂ ଶେଷରେ ନିଜର ସତ୍ତାକୁ ହରାଇ ବସିଛି ନିଜ ଉତ୍ତରପୁରୁଷଙ୍କ ଦ୍ୱାରା । ଫଳରେ ଏକ ଉନ୍ନତ ବଳିଷ୍ଠ ଭାଷାରୁ ମୈଥିଳୀ ଉପଭାଷାରେ ପ‌ହ‌ଞ୍ଚି ଏବେ ମୃତଭାଷା ଘୋଷଣା ହେବାକୁ କେତୋଟି ବର୍ଷର ଅପେକ୍ଷାରେ ଅଛି ।

ଏହି ଛଅଟି ଭାଷା ଦୃଷ୍ଟାନ୍ତରୁ ଜଣାପଡ଼େ ଭାଷା ଯେତେ ଉନ୍ନତ ଓ ବୈଜ୍ଞାନିକ ପଦ୍ଧତିଯୁକ୍ତ ହୋଇଥିଲେ ମଧ୍ୟ ଯଦି ବ୍ୟବ‌ହାରିକ କାର୍ଯ୍ୟରେ ନ ଲାଗିବ, ସେ ଭାଷା ନିଶ୍ଚିତ ଭାବରେ ଲୋପ ପାଇଯିବ । ଅଥଚ ଗୋଟିଏ ଭାଷା ବିଜ୍ଞାନସମ୍ମତ ହୋଇ ନ ଥିଲେ ମଧ୍ୟ, ଯଦି ଶାସକୀୟ ପୃଷ୍ଠପୋଷକତା ପାଇ ସାଧାରଣ ଜନତାଙ୍କ ବ୍ୟବ‌ହାର ଉପ‌ଯୋଗୀ ହୁଏ; ତେବେ ସେ ଭାଷା ଗତିଶୀଳ, ଜୀବନ୍ତ ତ‌ଥା ଜନସାଧାରଣରେ ଆଦୃତ ହୋଇପାରିବ ।

ଦୁଃଖର କଥା ଗୋଟିଏ ଜାତିର ଉତ୍‌ଥାନ ଓ ପତନରେ ମାତୃଭାଷାର ମୁଖ୍ୟ ଭୂମିକା ଥିବାବେଳେ ଆମେ ଓଡ଼ିଶାବାସୀ ଏ ପର୍ଯ୍ୟନ୍ତ ଏହି ସତ୍ୟଠାରୁ ବ‌ହୁ ଦୂରରେ ଅଛୁ । ଶୋଷକ ବଣିକ ଇଂରେଜ‌ଜାତି ଆମ‌ମାଟି ଛାଡି ଚାଲିଗଲେ ମଧ୍ୟ ସେମାନଙ୍କ ଶାସନପଦ୍ଧତିକୁ ଅନୁସରଣ କରୁଥିବା ଆମ ପ୍ରଶାସନିକବ୍ୟବସ୍ଥା ଏ ପର୍ଯ୍ୟନ୍ତ ସେମାନଙ୍କ ଭାଷା ଇଂରାଜୀକୁ ଜାବୁଡିଧରିଛି । ସବୁଠାରୁ ଦୁଃଖର ବିଷୟ ଆମ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ଦିଆଯାଇଥିବା ୨୨ଟି ଭାରତୀୟ ଭାଷା ତାଲିକା ମଧ୍ୟରେ ଓଡିଆ ଭାଷା ଥିବାବେଳେ ଇଂରାଜୀଭାଷାର ନାମ ନାହିଁ । ସମଗ୍ର ଭାରତବର୍ଷର ସଂଘୀୟ ବ୍ୟବସ୍ଥା ଅନ୍ତର୍ଭୁକ୍ତ ରାଜ୍ୟଗଣ ନିଜନିଜ ରାଜ୍ୟରେ ମାତୃଭାଷାକୁ ପ୍ରାଥମିକଠାରୁ ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ସମଗ୍ର ଶିକ୍ଷାକ୍ଷେତ୍ରରେ ପ୍ରଚଳନ କରିବା ସହ ବିଭିନ୍ନ ସରକାରୀ ଓ ବେସରକାରୀ ନିଯୁକ୍ତି କ୍ଷେତ୍ରରେ ମାତୃଭାଷାକୁ ଗୁରୁତ୍ୱ ଦେଉଛନ୍ତି । ଏପରିକି କେନ୍ଦ୍ରସରକାର ମଧ୍ୟ ସର୍ବଭାରତୀୟ ନିଯୁକ୍ତି କ୍ଷେତ୍ରରେ ମାତୃଭାଷାକୁ ପ୍ରାଥମିକତା ଭାବେ ଗ୍ରହଣ କରିଛନ୍ତି । କେବଳ ଓଡ଼ିଶାରାଜ୍ୟ ଏହି ନିୟମକୁ ଏପର୍ଯ୍ୟନ୍ତ ବ୍ୟତିକ୍ରମ କରିଆସୁଛି ।

ଭାଷାକୁ ନେଇ ସ୍ୱତନ୍ତ୍ର ପ୍ରଦେଶ ଗଠନ ହେବା, ବାର୍ଷିକ ବଜେଟ୍ ଓଡ଼ିଆଭାଷାରେ ପ୍ରସ୍ତୁତ କରିବା, ମାତୃଭାଷାକୁ ରାଜ୍ୟଭାଷା ଭାବେ ସରକାରୀସ୍ତରରେ ଘୋଷଣା କରିବା ଭଳି ଦୃଷ୍ଟାନ୍ତ ସର୍ବଭାରତୀୟ ସ୍ତରରେ ଓଡ଼ିଆଜାତି ପ୍ରଥମକରି ସୃଷ୍ଟି କରିଥିଲା । ମାତ୍ର କେତେକ ହାତଗଣତି ଧନାଢ୍ୟଙ୍କ ବାଳୁଙ୍ଗାପିଲା ଓ ସରକାରୀ ଚାକିରିଆଙ୍କ ଇଂରେଜୀ ମାଧ୍ୟମ ବିଦ୍ୟାଳୟରେ ପଢ଼ୁଥିବା ପିଲାମାନଙ୍କୁ ଥଇଥାନ କରିବାପାଇଁ ଦୁର୍ନିତି ଓ ଅପସଂସ୍କୃତିର ବାହକ ଥିବା ଇଂରାଜୀଭାଷାକୁ ଓଡ଼ିଶାରେ ସମସ୍ତପ୍ରକାର ନିଯୁକ୍ତିର ଏକମାତ୍ର ପଥ ଭାବେ ଗ୍ରହଣ କରାଯାଇଛି । କାଳେ ଭାଷା ଓ ଜାତିପ୍ରେମୀ ଓଡ଼ିଆ ଜନସାଧାରଣ ଏହାର ପ୍ରତିବାଦ କରିବେ, ଏହାକୁ ପ୍ରତିହତ କରିବାପାଇଁ “ବିଶ୍ୱଭାଷା ଇଂରାଜୀ ପଢ଼ିଲେ ଗରିବଓଡ଼ିଆ ପିଲା ସବୁଥିରେ ପାରଦର୍ଶୀ ହୋଇପାରିବ” ବୋଲି ଭୁଲ୍‌ଧାରଣା ଆମ ସ୍ୱଳ୍ପଶିକ୍ଷିତ ଓଡ଼ିଆଙ୍କ ମୁଣ୍ଡରେ ଭର୍ତ୍ତି କରାଇଦେଲେ । କେବଳ ସେତିକି ନୁହେଁ, କଥା କହି ଶିଖି ନ ଥିବା ଅଜ୍ଞାନ ଶିଶୁ ଖେଳିବା ବୟସରେ ଇଂରାଜୀ, ହିନ୍ଦୀ, ସଂସ୍କୃତ ଭଳି ଆଉ ତିନୋଟି ଭାଷା ଶିଖିବାପାଇଁ  ବାଧ୍ୟ କରାଯାଇ ତା’ଠାରେ ଥିବା ମାତୃଭାଷା ଶିକ୍ଷା ଆଗ୍ରହକୁ ହତ୍ୟା କରିଦିଆଯାଉଛି ।

ଆମ ଶିକ୍ଷିତବର୍ଗ ଗୋଟିଏ ସତ୍ୟକୁ ସର୍ବଦା ଆଡେଇ ଯାଉଛନ୍ତି । ଶିଶୁଟି ଗୋଟିଏ ଭାଷା କହୁଥିବାବେଳେ ଆଉ ଗୋଟିଏ ଭାଷାରେ ଶିକ୍ଷାଗ୍ରହଣ କରିବାଦ୍ୱାରା ତା’ର ମାନସିକ ସନ୍ତୁଳନ ରହି ନ ଥାଏ । ସେ କହୁଥିବା ତା’ର ମାତୃଭାଷାକୁ ଅଯଥାବୋଝ ବୋଲି ଭାବେ । ସେ ଅନୁଭବ କରେ ଏହି ଭାଷାରେ ଗେଲ କରାଯାଇପାରେ, ମାତ୍ର ଶିଷାଲାଭ କରିହୁଏ ନାହିଁ କିମ୍ୱା କୌଣସି ଗୁରୁତ୍ୱପୂର୍ଣ୍ଣ ଚର୍ଚ୍ଚା ହୁଏନାହିଁ । ଏହିକାରଣରୁ ମାତୃଭାଷା ଶିକ୍ଷାପ୍ରତି ଥିବା ମମତା ଆପେଆପେ ତା’ଠାରୁ ଅନ୍ତର୍ହିତ ହୋଇଯାଉଛି । ଆତ୍ମବିଶ୍ୱାସ ସ୍ୱତଃ ଭାଙ୍ଗି ଯାଉଥିବାରୁ ଭାଷା ପ୍ରତି ତା’ର ଥିବା ଆବେଗ ଧୀରେଧୀରେ ଲୋପ ପାଇଯାଉଛି । ଆଜିର ଓଡ଼ିଆ ପିଲାମାନେ ଓଡ଼ିଆ ସଂଖ୍ୟା ଗଣି ପାରିବେ ନାହିଁ, ଓଡ଼ିଆ ମାସ, ଋତୁ, ଗ୍ରହ ଓ ନକ୍ଷତ୍ରର ନାମ କହିପାରିବେ ନାହିଁ, ଦଶଟି ଫୁଲ, ପାଞ୍ଚଟି ମାଛ, କୋଡ଼ିଏଟି ଗଛ କିମ୍ବା ସାତଟି ରଙ୍ଗର ନାମ ଚଟ୍‌କରି କହିପାରିବେ ନାହିଁ । ଏମାନଙ୍କ ଭିତରୁ କେତେକ ଭଲ ଇଂରାଜୀ କହିପାରନ୍ତି, ତେଲୁଗୁ, ତାମିଲ, ବଙ୍ଗଳା ବି କହିପାରନ୍ତି; ମାତ୍ର ଏହିଭାଷା ମଧ୍ୟରେ ଥିବା ପ୍ରଭେଦ ଜାଣନ୍ତି ନାହିଁ । ପିଲାଟିବେଳରୁ ଓଡ଼ିଆଭାଷା ପ୍ରତି ତା’ର ଚାରିପଟେ ଘୁରିବୁଲୁଥିବା ମାତା ପିତା, ସାଙ୍ଗସାଥି, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉଦାସୀନ ଓ ଉପହାସିତ ଭାବ ଦେଖି ସେ ଶଙ୍କିତ ହୋଇପଡ଼େ । ମା’ର ଭାଷା ପ୍ରତି ଆଗ୍ରହ, ଅନୁରକ୍ତି ଥିଲେ ମଧ୍ୟ ତା’ର ମନରେ ଦୃଢ଼ ଧାରଣା ସୃଷ୍ଟି ହୁଏ ଯେ ନିଜ ମାତୃଭାଷା ବଳରେ ସେ ମଣିଷ ହୋଇପାରିବ ନାହିଁ । ରୋଜଗାର ମିଳିବ ନାହିଁ । ଏଥିପାଇଁ ସେ ଅନ୍ୟର ଭାଷା ଶିଖିବାକୁ ହେବ । ଇଂରାଜୀ ବିଶ୍ୱଭାଷା ହୋଇଥିବାରୁ ବିଶ୍ୱସ୍ତରରେ ନିଜପାଇଁ ସ୍ଥାନ ସୁରକ୍ଷିତ ରଖିପାରିବ । ଆଉ ହିନ୍ଦୀ ଭାରତର ରାଷ୍ଟ୍ରଭାଷା (ନିକଟରେ ଗୁଜୁରାଟ ଉଚ୍ଚନ୍ୟାୟାଳୟ ରାୟ ଦେଇଛନ୍ତି ଯେ ହିନ୍ଦୀ ରାଷ୍ଟ୍ରଭାଷା ନୁହେଁ, ଏହା ସର୍ବଭାରତସ୍ତରୀୟ କାର୍ଯ୍ୟାଳୟର ଭାଷା । ଏହା ଭାରତର ପ୍ରମୁଖ ୨୨ଟି ଭାଷା ମଧ୍ୟରୁ ଅନ୍ୟତମ । ତେବେ ସବୁ ଭାଷାଭାଷୀ ରାଜି ହେଲେ ଏହା ରାଷ୍ଟ୍ରଭାଷାର ମାନ୍ୟତା ପାଇବ) ହୋଇଥିବାରୁ ବିଶାଳ ଭାରତ ଭୂଖଣ୍ଡରେ ନିଯୁକ୍ତିର ଅସୁବିଧା ନାହିଁ କିନ୍ତୁ ଓଡ଼ିଆରେ ପଢ଼ିଲେ ଓଡ଼ିଶାରେ ମଧ୍ୟ କୌଣସି ନିଯୁକ୍ତି ମିଳିବ ନାହିଁ । ତେଣୁ ସଂସ୍କାରପାଇଁ ସଂସ୍କୃତ, ମା’ର ଭାଷା ଓଡ଼ିଆ, ଦେଶର ଭାଷା ହିନ୍ଦୀ ଆଉ ରୋଜଗାରର ଭାଷା ଇଂରାଜୀ -ଏହି ଚାରିଟି ଭାଷାକୁ ଶିଶୁଟି ଶିଖିବାପରେ ଯେଉଁ ଖେଚୁଡ଼ି ବାକ୍ୟ ପରଷୁଛି, ତାହା କୌଣସି ଭାଷାର ମୂଳ ମଂଜକୁ ତ ଧାରଣ କରିପାରୁ ନାହିଁ, ଭାଷାଦ୍ୱାରା ଅନ୍ୟ ବିଷୟ ଯଥା- ବିଜ୍ଞାନ, ଗଣିତ ଓ ଇତିହାସ, ଭୂଗୋଳ ଭଳି ସମାଜବିଜ୍ଞାନକୁ ମଧ୍ୟ ଠିକ୍ ଭାବରେ ଉପସ୍ଥାପନ କରି ନ ପାରି ସର୍ବଭାରତୀୟ ପ୍ରତିଯୋଗିତା କ୍ଷେତ୍ରରେ ପଛରେ ପଡ଼ିଯାଉଛି । ଫଳରେ ପ୍ରଚୁର ପ୍ରାକୃତିକ ସଂପଦ ଥାଇ ଧନରେ ଗରିବ ହୋଇଥିବା ଏହି ରାଜ୍ୟ ଜ୍ଞାନରେ ମଧ୍ୟ ଗରିବ ହୋଇ ରହିବାକୁ ବାଧ୍ୟ ହେଉଛି ।

ଆଜିର ବୈଶ୍ୱିକରଣ ଦୁନିଆରେ ଆମପାଇଁ ସବୁ ଭାଷାର ଗୁରୁତ୍ୱ ରହିଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଇଂରେଜ ଉପନିବେଶ ଶାସନର ଲୋପ ହେବା ଯୋଗୁଁ ଇଂରାଜୀଭାଷା ବିଶ୍ୱଭାଷାର ପରିଚୟ ହରାଇ ବର୍ତ୍ତମାନ କେବଳ ୧୧ଟି ରାଷ୍ଟ୍ରର ଭାଷା ଭାବେ ସୀମାବଦ୍ଧ । ଓଡ଼ିଶାର ଉଚ୍ଚଶିକ୍ଷିତ ବ୍ୟକ୍ତିଗଣ ନିଜର ଏହି ଅଜ୍ଞତାକୁ ଘୋଡ଼ାଇବାକୁ ଯାଇ ଇଂରାଜୀକୁ ବିଶ୍ୱଭାଷାର ଆଖ୍ୟା ଦେବାସହ ଏହାକୁ ଶିଖିଲେ ଆମ ପିଲାମାନଙ୍କୁ ଚାକିରି ସବୁଠି ମିଳିବବୋଲି ମିଛଧାରଣା ସୃଷ୍ଟିକରି ମାତୃଭାଷା ଶିକ୍ଷାଠାରୁ ଦୂରେଇ ଦେଉଛନ୍ତି । ବିଦେଶୀଭାଷା ଶିକ୍ଷା କରାଇ ଏମାନେ କେବଳ ଆମ ଜାତୀୟତାକୁ ହତ୍ୟା କରୁନାହାନ୍ତି ବରଂ ଶୋଷଣର ଜାଲକୁ ଆହୁରି ଦୃଢ଼ କରିବାରେ ଲାଗିଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହି ସତ୍ୟକୁ ଆମ ଶିକ୍ଷିତଗଣ ଜାଣି ମଧ୍ୟ ନ ଜାଣିଲାପରି ଅଭିନୟ କରିବାରେ ଲାଗିଛନ୍ତି ଓ ନିଜ ପିଲାମାନଙ୍କୁ ଏହି ଭୁଲ୍ ପଥର ପଥିକ ସଜାଇ ସେମାନଙ୍କ ମୌଳିକ ସୃଜନଶକ୍ତିକୁ ହତ୍ୟା କରି ଚାଲିଛନ୍ତି । ଏହି ମୁଷ୍ଟିମେୟଙ୍କ ପଦ ଅନୁସରଣ କରିଚାଲିଛନ୍ତି ଅଗଣିତ ସାଧାରଣ ଶ୍ରେଣୀ ବିନା ପ୍ରଶ୍ନରେ, ଅଯଥା ଆନୁଗତ୍ୟରେ । ଏପରି କ୍ଷେତ୍ରରେ ଜାତୀୟତାଭାବ ସୃଷ୍ଟି୍ଦ୍ୱାରା ଜାତିବିକାଶରେ ପ୍ରମୁଖ ଭୂମିକା ନେଉଥିବା ମାତୃଭାଷାକୁ ଯେଉଁଜାତି ଅବହେଳା କରୁଛି ସେ ଜାତି କେବେ ମଧ୍ୟ ଉନ୍ନତି କରିପାରିବ ନାହିଁ । ଯାହାର ସର୍ବତ୍କୃଷ୍ଟ ପ୍ରମାଣ ଆମ ଓଡ଼ିଶା ରାଜ୍ୟ ଓ ଓଡ଼ିଆ ଜାତି ।

(ପାକିସ୍ତାନ ସରକାର ପୂର୍ବବଙ୍ଗରେ ବଙ୍ଗଳା ବଦଳରେ ଉର୍ଦ୍ଧୁଭାଷା ପ୍ରଚଳନ କରିବା ନିଷ୍ପତ୍ତିକୁ ବିରୋଧ କରି ୨୧ ମାର୍ଚ୍ଚ ୧୯୪୮ରୁ ୨୧ ଫେବୃୟାରୀ ୧୯୫୨ ପର୍ଯ୍ୟନ୍ତ ବ୍ୟାପକ ଗଣଆନ୍ଦୋଳନ ହୋଇଥିଲା । ଏହିଦିନି ଢାକା ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ସଭା ଉପରକୁ ପୋଲିସ ଗୁଳି ଚାଳନା କରିବାରୁ କେତେକ ଛାତ୍ରଙ୍କ ସହ ସାଧାରଣ ଜନତା ଟଳି ପଡିଲେ । ମାତୃଭାଷାପାଇଁ ଶହୀଦ ହୋଇଥିବା ଏହି ମୃତକଙ୍କ ସ୍ମୃତିରେ ଶହୀଦ ସ୍ତମ୍ଭ ନିର୍ମାଣ କରାଗଲା । ଏହି ଦିବସକୁ ମଧ୍ୟ ଜାତିସଙ୍ଘ ମାତୃଭାଷା ଦିବସରୂପେ ଘୋଷଣା କରିବାରୁ ବିଶ୍ୱବାସୀ ପ୍ରତିବର୍ଷ ୨୧ ଫେବୃୟାରୀକୁ ମାତୃଭାଷା ଦିବସ ରୂପେ ପାଳନ କରୁଛନ୍ତି ।)

Odia Story Subrat Kumar Prusty Books Subrat Odia Story
Share. Facebook Twitter Pinterest LinkedIn Tumblr Reddit Email
Previous Articleଲଢ଼ିବା ନା ଲିଭିବା ?
Next Article କେତେ ପ୍ରାଚୀନ ଆମ ଓଡ଼ିଆ ଭାଷା
Subrat Kumar Prusty

Related Posts

ଅଭିନବ ବିବାହ

March 16, 2023

ବୋକା ନା ବିବେକୀ?

March 1, 2023

ଘୋରକର ଉଦାରତା

February 1, 2023

ମହାଭାରତ

January 26, 2023

ମହାରାଜାଙ୍କ କଳା

December 21, 2022

ଶକରକନ୍ଦ

December 12, 2022
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.