ଜଣେ ବିଧବାର ଗୋଟିଏ ଛୋଟ ପୁଅ ଥିଲା । ତାର ନାମ ଜଟିଳ । ଜଟିଳ ଗାଁଠାରୁ ଦୂରରେ ଗୁରୁଙ୍କ ପାଠଶାଳାକୁ ପଢ଼ିବାକୁ ଯାଏ । ବିଧବା ବଡ଼ ଗରିବ ଥିଲା । ତାର ନିଜର ହୋଇ କେହି ନ ଥିଲେ । ଜଟିଳ ପାଟଶାଳାକୁ ଯିବାବେଳେ ଏକ ବଣ ଭିତର ଦେଇ ଯାଏ । ଛୋଟ ପିଲା, ବଣ ଭିତର ଦେଇ ଗଲାବେଳେ ତାକୁ ଭାରି ଡର ଲାଗେ । ଦିନେ ମା’ ପାଖରେ କାନ୍ଦି କାନ୍ଦି ସେ କହିଲା, “”ଏକୁଟିଆ ପାଠଶାଳାକୁ ଯିବାକୁ ମୋତେ ଭୟ ଲାଗୁଛି । ମୋ ସାଙ୍ଗରେ ଜଣେ ଲୋକ ପଠା । ତା ନ ହେଲେ ପଢ଼ିବାକୁ ଯିବି ନାହିଁ ।
ଜଟିଳ କଥାରେ ମା ମନରେ ଦୁଃଖ ହେଲା । କହିଲା, “ମୁଁ ଲୋକ କେଉଁଠି ପାଇବିରେ ପୁଅ ! ବଣରେ ତୋର ଜଣେ ଭାଇ ଅଛି । ତାର ନାମ ମଧୁସୂଦନ । ଭୟ ହେଲେ ତାକୁ ଡାକିବୁ । ସେ ତୋ ସାଙ୍ଗରେ ଯିବ ।”
ମା’ କଥା ଶୁଣି ଜଟିଳ ମନରେ ଆନନ୍ଦ ହେଲା । ପାଠଶାଳା ଯିବା ବାଟରେ ସେ ଦିନ ବଣ ଭିତରେ ସେ ଖୁବ୍ ପାଟିକରି ଡାକିଲା, “ମଧୁସୂଦନ ଭାଇ, ହେ ମଧୁସୂଦନ ଭାଇ, ଆସ, ମୋତେ ଭାରି ଡର ଲାଗୁଛି ।”
କେହି ଆସୁନାହିଁ, କେହି ଜବାବ ଦେଉନାହିଁ ଦେଖି ଜଟିଳ ଆହୁରି ବଡ଼ ପାଟିକରି ଡାକିବାକୁ ଲାଗିଲା । ତାର ବିଶ୍ୱାସ, ମଧୁସୂଦନ ଭାଇ ନିଶ୍ଚୟ ଆସିବେ ।
ଜଟିଳର ସରଳ ଭକ୍ତିରେ ଭଗବାନ ଆଉ ରହି ପାରିଲେ ନାହିଁ । ସେ ଗୋଟିଏ ଛୋଟ ବାଳକ ରୂ ଧରି ହସି ହସି ଜଟିଳ ପାଖରେ ପହଞ୍ଚି କହିଲେ, “ଆରେ ଭାଇ, ମୁଁ ଆସୁଛି ଯେ ।” ଜଟିଳର କି ଆନନ୍ଦ! ପ୍ରତିଦିନ ମଧୁସୂଦନ ଭାଇ ପାଠଶାଳା ଯାଏଁ ଆସେ ଏବଂ ଫେରିବାବେଳେ ଘର ଯାଏଁ ତାକୁ ବାଟେଇ ଦେଇ ଯାଏ । ଦୁଇ ଜଣଙ୍କ ଭିତରେ କେତେ କଥାଭାଷା, କେତେ ଖେଳ, କେତେ ଆନନ୍ଦ । ଏହିପରି ଦିନ ଚାଲିଯାଏ ।
ତା’ ପରେ ଦିନେ ଗୁରୁଙ୍କର ମା’ ମରିଗଲେ । ଗୁରୁ ମା’ଙ୍କର ଶ୍ରାଦ୍ଧ କରିବେ । ଛାତ୍ରମାନେ ନିଜର ଶକ୍ତି ଅନୁଯାୟୀ, ଯାହା ପାରନ୍ତି ଗୁରୁଙ୍କୁ ଦେଉଛନ୍ତି । କିଏ ଚାଉଳ ଦେଉଛି, କିଏ ଦୁଧ ଦେଉଛି, କିଏ ଦେଉଛି ଖଲି ପତ୍ର, ଏହିପରି ସମସ୍ତେ ଦେଉଛନ୍ତି । ଗୁରୁ ଜଟିଳକୁ ଡାକି ପଚାରିଲେ, “ଜଟ, ତୁ କ’ଣ ଦେବୁରେ?”
ଜଟିଳ କହିଲା, “ଆଜ୍ଞା, ମା’କୁ ପଚାରି କହିବି ।”
ପାଠଶାଳାରୁ ଫେରି ଜଟିଳ ମା’କୁ ସବୁ କଥା କହିଲା । ଶୁଣି ମା କହିଲା, “ବାପା ଗୁରୁଙ୍କୁ ଦେବାପାଇଁ ଆମର କିଛି ନାହିଁ । ଆମେ ଅତି ଗରିବ । ତୁ ତୋର ମଧୁସୂଦନ ଭାଇକୁ ଏ କଥା କହ ।”
ଜଟିଳ ଖୁବ୍ ବୁଝିବା ସୁଝିବା ପିଲା ଥିଲା । ମା’ର ଦୁଃଖ ସେ ଜାଣିପାରେ । ପରଦିନ ପାଠଶାଳାକୁ ଯିବା ବାଟରେ ମଧୁସୂଦନ ଭାଇକୁ ଗୁରୁଙ୍କ କଥା କହିଲା । ମଧୁସୂଦନ ଭାଇ କହିଲେ, “”କେବେ ଗୁରୁମା’ଙ୍କର ଶ୍ରାଦ୍ଧ ?
ଜଟିଳ କହିଲା “”କାଲି ।
“”ଆଚ୍ଛା, ଗୁରୁଙ୍କୁ କହିଦେବୁ, ଶ୍ରାଦ୍ଧରେ ଯେତେ ଦହି ଦରକାର, ସବୁ ତୁ ଦେବୁ, ମଧୁସୂଦନ ଭାଇ କହିଲେ ।
ପାଠଶାଳାକୁ ଯିବାପରେ ଗୁରୁ ପଚାରିଲେ, “”ଜଟ, କ’ଣ ଦେଉଚୁ ? ତୋର ମା’ କ’ଣ କହିଲା ।
ଜଟିଳ ଉତ୍ତର ଦେଲା, “”ଆଜ୍ଞା, ଶ୍ରାଦ୍ଧରେ ଯେତେ ଦହି ଲାଗିବ, ସବୁ ମୁଁ ଦେବି ।
ଗୁରୁ କହିଲେ, “”ଜଟ ପରି ଭଲପିଲା ଆଉ କେହି ନାହିଁ । ତେବେ ବାପା, ଗୋଟାଏ କଥା ଶୁଣ୍ । ଯେପରି ଡେରି ହେବ ନାହିଁ । କାଲି ଶ୍ରାଦ୍ଧଟିକି ?
“”ଆଜ୍ଞା, କାଲି ସକାଳେ ଦେଇଯିବି ।
ଜଟିଳ କହିଲା, “”ଶ୍ରାଦ୍ଧଦିନ ସବୁ ପିଲା ମିଶି ଗୁରୁଙ୍କୁ ସାହାଯ୍ୟ କରୁଛନ୍ତି, ଜଟିଳର ଦେଖା ନାହିଁ । ଗୁରୁ ଭାରି ଚିନ୍ତିତ ହୋଇପଡ଼ିଛନ୍ତି । ଦହି ନ ଆସିଲେ ସବୁ ପଣ୍ଡ ହୋଇଯିବ । ନା, ଗୋଟାଏ ପିଲା କଥାରେ ବିଶ୍ୱାସ କରିବା ଠିକ୍ ହୋଇ ନାହିଁ ।
ଜଟିଳ ସେହି ସମୟରେ ଦହି ନେଇ ଆସିଲା । ତାକୁ ଆସିବାର ଦେଖି ଜଣେ ପିଲା ଗୁରୁଙ୍କୁ ଡାକି କହିଲା, “”ଗୁରୁ, ଏଇ ଯେ ଜଟିଳ ଆସୁଛି ଏବଂ ଏକ ମସ୍ତବଡ଼ ଦହି ହାଣ୍ଡି ନେଇ ଆସୁଛି !
ଜଟିଳ ହାତରେ ଛୋଟ ଆଟିକାଟିଏ ଦେଖି ଗୁରୁ ରାଗରେ ଲାଲ ପଡ଼ିଗଲେ । କହିଲେ “”ଶ୍ରାଦ୍ଧରେ ସବୁ ଦହି ତୁ ଦେବୁ ନା ? ଆଉ ଦହି କୁଆଡେ଼ ଗଲା !
“”ଆଜ୍ଞା, ମୁଁ ଛୋଟ କିନା, ବେଶୀ ଦହି ଆଣି ପାରି ନ ଥାନ୍ତି । ସେଥିାଇଁ ମଧୁସୂଦନ ଭାଇ ମୋତେ ଏ ଛୋଟ ଦହି ଆଟିକାଟି ଦେଇଛନ୍ତି, ଏଥିରେ ସମସ୍ତଙ୍କର ହୋଇଯିବ ଯେ ।
ଜଟିଳର ଏ କଥା ଶୁଣି ଗୁରୁ ଆହୁରି ରାଗିଗଲେ । ଜୋର୍ରେ ଜଟିଳ ହାତରୁ ଆଟିକାଟିକୁ ଟାଣିନେଇ ଗୋଟିଏ ପିଲା ହାତରେ ଦେଇ କହିଲେ, “”ଯାଅ, ଏ ଦହିକୁ ଆଉ ଗୋଟିଏ ପାତ୍ରରେ ରଖି ଆଟିକାଟାକୁ ହତଭାଗାକୁ ଫେରାଇଦିଅ ।
“”ମୋର ମା’ ଶ୍ରାଦ୍ଧ ତୁ ପଣ୍ଡ କରିଛୁ ବୋଲି କହି ଗୁରୁ ଜଟିଳକୁ ମାରିବାକୁ ଲାଗିଲେ । ଜଟିଳ ମାଡ଼ରେ ମୂର୍ଚ୍ଛା ହୋଇପଡ଼ିଲା । ଏହି ସମୟରେ ଆହୁରି ଏକ ଘଟଣା ଘଟିଲା । ଯେଉଁ ପିଲାଟି ଦହି ରଖିବାକୁ ଯାଇଥିଲା, ସେ ଆସି କହିଲା, “”ବଡ଼ ଆଶ୍ଚର୍ଯ୍ୟର କଥା, ଗୁରୁଦେବ, ଯେତେ ଦହି କାଢ଼ିଲେ ବି ଆଟିକାର ଦହି ସରୁ ନାହିଁ ।
“”କିରେ, କ’ଣ କହୁଚୁ, ଗୁରୁ ଆଶ୍ଚର୍ଯ୍ୟ ହୋଇ ପଚାରିଲେ ।
“ହଁ, ଗୁରୁଦେବ, ଆଟିକାରୁ ଯେତେ ଦହି ଢାଳୁଛି, ଆଟିକା ସେହିପରି ପୂରି ରହିଛି ।”
“ତା’ହେଲେ ଜଟିଳ ଠିକ୍ କଥା କହୁଥିଲା, ଆହା, ପିଲାଟିକୁ କି କଷ୍ଟ ଦେଲି । ଆରେ କିଏ କେଉଁଠି ଅଛ, ତା ମୁହଁରେ ପାଣି ଛିଞ୍ଚି ଦିଅ । ପଙ୍ଖାରେ ବିଞ୍ଚିଦିଅ ।”
ସମସ୍ତେ ମିଶି ଜଟିଳର ମୁହଁରେ, ଆଖିରେ ପାଣି ଛିଞ୍ଚିଲେ । ଦୁଇ ଜଣ ତାକୁ ପଙ୍ଖାରେ ବିଞ୍ଚିବାକୁ ଲାଗିଲେ । କିଛି ସମୟ ପରେ ଜଟିଳ ଆଖି ଖୋଲିଲା ।
ଗୁରୁ ଆଦରରେ ତାକୁ କୋଳ କରି କେତେ ବାପ ଧନ କହି ପଚାରିଲେ, “”ଆଚ୍ଛା, ଜଟ, ଏ ଦହି ତୁ କେଉଁଠାରୁ ପାଇଲୁ ?
“”ମୋର ମଧୁସୂଦନ ଭାଇଙ୍କଠାରୁ ।
“”ତୋର ମଧୁସୂଦନ ଭାଇ ? ସେ କେଉଁଠି ଥା’ନ୍ତି ?
“”ଆଜ୍ଞା, ସେହି ବଣରେ ଥା’ନ୍ତି ।
“”ଆଚ୍ଛା, ତୋର ମଧୁସୂଦନ ଭାଇଙ୍କ ସହିତ ଥରେ ମୋର ଦେଖା କରାଇ ପାରିବୁ ?
“”କାହିଁକି ପାରିବି ନାହିଁ ? ଆସନ୍ତୁ ମୋ ସାଙ୍ଗରେ ।
ଛାତ୍ରମାନଙ୍କ ସଙ୍ଗେ ଗୁରୁ ଜଟିଳର ପଛେ ପଛେ ଚାଲିଲେ । ବଣକୁ ଯାଇ ଜଟିଳ ବଡ଼ ପାଟିରେ ମଧୁସୂଦନ ଭାଇ ବୋଲି ଡାକିବାକୁ ଲାଗିଲା । କିନ୍ତୁ ଆଜି ମଧୁସୂଦନ ଭାଇଙ୍କର ଦେଖା ନାହିଁ । ଜଟିଳର ମହାଚିନ୍ତା ହେଲା । କାନ୍ଦି କାନ୍ଦି ପୁଣି ସେ ଡାକିବାକୁ ଲାଗିଲା । ସେତେବେଳେ ଯାଇ ଦୂରରୁ ମଧୁସୂଦନ ଭାଇଙ୍କର କଥା ଶୁଣାଗଲା, “”ଜଟିଳ, ଆଜି ମୁଁ ଆସି ପାରିବି ନାହିଁ, ତୁ ସରଳ ବିଶ୍ୱାସରେ ମୋତେ ପାଇଥିଲୁ । ତୋର ଗୁରୁଙ୍କର ଓ ଅନ୍ୟମାନଙ୍କର ସେ ବିଶ୍ୱାସ ନାହିଁ । ତେଣୁ ସେମାନେ ମୋତେ ଦେଖିପାରିବେ ନାହିଁ । ସେମାନେ ଚାଲିଗଲେ ମୁଁ ତୋ’ ପାଖକୁ ଚାଲି ଆସିବି ଯେ !