ଜଣେ ଗଭୀର ବନ ମଧ୍ୟରେ ଶବସାଧନା କରୁଥିଲା । ସେ ବହୁତ ଭୟଙ୍କର ଦୃଶ୍ୟ ଦେଖିବାକୁ ଲାଗିଲା । ଶେଷରେ ଗୋଟାଏ ବାଘ ଆସି ତାକୁ ନେଇଗଲା ।
ଆଉ ଗୋଟାଏ ଲୋକ ବାଘ ଭୟରେ ଗଛ ଉପରେ ଚଢ଼ି ଯାଇଥିଲା । ଶବ ଓ ତା ପାଖରେ ବହୁ ପୂଜା ଉପକରଣ ଥୁଆ ହୋଇଥିବାର ଦେଖି ସେ ଶବ ଉପରେ ବସି ଜପ କରିବାକୁ ଆରମ୍ଭ କଲା ।
ଅଳ୍ପ ସମୟ ଜପ କରିଚି, ମା ପ୍ରସନ୍ନ ହୋଇ ତାକୁ ଦେଖା ଦେଲେ ଏବଂ ବର ମାଗିବାପାଇଁ କହିଲେ ।
ଲୋକଟି ଆଶ୍ଚର୍ଯ୍ୟ ହୋଇ ମା‘ଙ୍କର ପାଦପଦ୍ମରେ ଦଣ୍ଡପ୍ରଣାମ କରି କହିଲା, “ମା, ଗୋଟିଏ କଥାପଚାରିବି । ତୋର କାଣ୍ଡ ଦେଖି ମୁଁ ଅବାକ୍ ହୋଇଯାଉଚି । ଯେଉଁ ବ୍ୟକ୍ତି ଏତେ ପୂଜା ଉପକରଣ ସଂଗ୍ରହ କରି ଏତେଦିନ ଧରି ତୋର ପୂଜା କରୁଥିଲା, କଠୋର ସାଧନା କରୁଥିଲା, ତା‘ପ୍ରତି ତୋର ଦୟା ହେଲା ନାହିଁ, ତାକୁ ବାଘ ନେଇଗଲା । ଆଉ ମୁଁ ଧ୍ୟାନ, ଭଜନ, ଜପ, ସାଧନା, ଜ୍ଞାନ, ଭକ୍ତି କିଛି ଜାଣି ନାହିଁ । ଏପରି ଜଣେ ଅଧମ ପ୍ରତି ତୋର ଏତେ ଦୟା !”
ଭଗବତୀ ହସି ହସି ଉତ୍ତର ଦେଲେ, “ବାପ, ତୋର ଜନ୍ମ ଜନ୍ମାନ୍ତରର କଥା ସ୍ମରଣ ନାହିଁ । ତୁ ଜନ୍ମ ଜନ୍ମ ଧରି ମୋତେ ପାଇବାପାଇଁ ତପସ୍ୟା କରୁଥିଲୁ । ସେହି ପୁଣ୍ୟ ବଳରେ ଆଜି ଏପରି ଯୋଗାଯୋଗ ସମ୍ଭବ ହେଲା । ମୋର ଦର୍ଶନ ପାଇଲୁ । ଏବେ କ‘ଣ ମାଗୁଛୁ ମାଗ ।“
ଲୋକଟି କହିଲା, “ମା, ତୋର ଦର୍ଶନ ହେଲାପରେ ଆଉ କିଛି ମୋର ମାଗିବାର ଇଚ୍ଛା ନାହିଁ ।“