ବହୁଦିନ ପୂର୍ବର କଥା । ଚୀନ୍ରେ ଦୁଇଭାଇ ଥା’ନ୍ତି । ବଡ ବହୁତ କ୍ରୁର ସ୍ୱଭାବର, ମାତ୍ର ଛୋଟ ଭାଇ ଖୁବ୍ ବୁଦ୍ଧିମାନ ଓ ପରୋପକାରୀ ।
ସେମାନଙ୍କର ପିତାଙ୍କର ସ୍ୱର୍ଗବାସ ପରେ ବଡ ଭାଇ ଲିଆଙ୍ଗ୍ ସବୁ ସମ୍ପତ୍ତି ସାନ ଭାଇ ଚିଆଙ୍ଗ୍ଠାରୁ ନେଇଗଲା ଓ ସୁଧରେ ସବୁ ଟଙ୍କା ଲଗାଇ ଆନନ୍ଦରେ ଥାଏ । ସାନକୁ ସେ କିଛିବି ହେଲେ ସମ୍ପତ୍ତି ଦେଇ ନଥାଏ । ତଥାପି ମଧ୍ୟ ସାନଭାଇକୁ ଗ୍ରାମବାସୀମାନେ ଖୁବ୍ ଭଲ ପାଉଥିବାରୁ ତା’ର ଅଭାବ ବୋଲି ଗୋଟେ ଜିନିଷ କିଛି ନଥାଏ । ସେ ଭାଇକୁ କିଛି କୁହେ ନାହିଁ ତା’ ଦୁଃଖରେ ସିଏ ଥାଏ ।
ଚିଆଙ୍ଗ୍ ଗାଁର ସର୍ଦ୍ଦାର ଘରେ କାମଦାମ କରୁଥାଏ ଓ ଗୋଟିଏ ଛୋଟିଆ କୁଡିଆରେ ସେ ରହୁଥାଏ । ସର୍ଦ୍ଦାରର ଝିଅ ତ ଚିଆଙ୍ଗ ପ୍ରତି ବେଶ୍ ଅନୁରକ୍ତ ଥାଏ । କିନ୍ତୁ ସେ ଠିକ୍ ଜାଣିଥିଲା ଯେ ଚିଆଙ୍ଗ୍ ଅତ୍ୟନ୍ତ ଗରୀବ ହୋଇଥିବା ଦୃଷ୍ଟିରୁ ତା’ ସର୍ଦ୍ଦାର ବାପା ତା’ର ବିବାହ ଚିଆଙ୍ଗ୍ ସହ କେବେବି କରିବେ ନାହିଁ । ତଥାପି ମଧ୍ୟ ସେ ଝିଅଟି ଚିଆଙ୍ଗ୍ର ଭଲ ମନ୍ଦ କଥାସବୁ ବୁଝୁଥାଏ ।
ଦିନେ ସେ ତା’ ନିଜ ଗ୍ରାମରୁ ଅନ୍ୟ ଏକ ଗ୍ରାମକୁ କିଛି ଭାର ବୋହି ନେଇଯାଉଥାଏ । ସେ ପାହାଡି ରାସ୍ତା ଉପରେ ବୁଲୁଥାଏ । ବର୍ଷା ହେବା ଯୋଗୁଁ ପାହାଡ ଉପର ରାସ୍ତା ଖୁବ୍ ଖସଡା ହୋଇଥାଏ ଯାଉ ଯାଉ ହଠାତ୍ ତା’ର ଗୋଡ ଖସଡି ସେ ପଡିଗଲା । ଦେଖିଲା ଭାର ଭିତରେ କେବଳ ତରଳ ଚିନି ଥିଲା । ସବୁ ଗୁଡିକ ତା’ ଦେହ ଉପରେ ଅଜାଡି ହୋଇ ବୋହିଗଲା । ଆଉ ପବନ ବାଜି ସେସବୁ ଦେହରେହିଁ ଶୁଖିଗଲା । ଏତେ ଅଠା ଲାଗିଗଲା ଯେ ସେ ଆଉ ସେଠାରୁ ଉଠି ପାରିଲା ନାହିଁ ।
କିଛି ସମୟ ପରେ କେତେକ ପିଶାଚ ଆସି ସେଠାରେ ପହଁଚିଲେ । ଚିଆଙ୍ଗ୍କୁ ଦେଖି ସେମାନେ ଅତି ଆନନ୍ଦରେ ପାଟିକଲେ, “ଦେଖିଲଣି ଏଠି ଚିନିରେ ତିଆରି ଏକ ପିତୁଳା ପଡିଛି, ଚାଲ ଆମେ ଏବେ ତାକୁ ଭାଙ୍ଗି ଭୁଙ୍ଗି ଖାଇବା ।” ଏତିକି କହି ଦେହରେ ଶୁଖିଯାଇଥିବା ଚିନିରୁ ଖଣ୍ଡେ ଭାଙ୍ଗି ଖାଇଲେ ଓ ଆହୁରି ଆନନ୍ଦରେ ସେମାନେ ନାଚିଲେ । ଶେଷରେ ସେମାନଙ୍କ ରାଜା ଦୁଇସିଂଘବାଲା ପିଶାଚ ଆସି ସେଠାରେ ପହଁଚିଲା ଓ କିଛି ଭାଙ୍ଗି ଖାଇଲା । ତା’ପରେ ସେ କହିଲା, “ଚାଲ, ଧର ଗୁମ୍ପାରେ ୟାକୁ ନେଇ ରଖିବା । ପରେ ଖାଇବା । ଏବେ ମୋର ସେ ଯାଦୁକାରୀ ଘଂଟିଟି ନେଇ ଆସ ।”
ତତକ୍ଷଣାତ୍ ପିଶାଚ ରାଜାର ଆଦେଶ ପାଳନ ହେଲା । ଚିଆଙ୍ଗ୍ ଜୀବନ ନ ଥିବାର ଛଳନା କରି ସେମିତି ପଡି ରହିଥାଏ ଓ ସବୁ ଶୁଣୁଥାଏ । ସେ ଶୁଣିଲା ଯେ ପିଶାଚ ସେହି ଯାଦୁକାରୀ ଘଂଟିକୁ ଯାହା ଆଦେଶ ଦେଇ ବଜାଇ ଦେଉଥାଏ ତତ୍କ୍ଷଣାତ୍ ସେହି ଖାଦ୍ୟ ଆସି ଯାଉଥାଏ । ତା’ପରେ ସେମାନେ ଖେଳିବାକୁ ବାହାରିଗଲେ । ଏହି ସୁଯୋଗ ଦେଖି ଚିଆଙ୍ଗ୍ ଯାଦୁକାରୀ ଘଂଟିଟି ଚଟାପଟ୍ ଧରି ନିଜ ପୋଷାକ ଭିତରେ ଲୁଚାଇ ଦେଲା ଓ ଶୀଘ୍ର ଶୀଘ୍ର ବାହାରି ପଳାଇଲା ।
ତା’ ପରଠାରୁ ସେ ସେଥିରୁ ଯାହା ଯାହା ଖାଦ୍ୟଦ୍ରବ୍ୟ ଚାହେଁ ତାହା ପାଏ । ଜୀବିକା ନିର୍ବାହ କରିବା ତା’ ପାଇଁ ଆଉ ଏକ ସମସ୍ୟା ହୋଇ ରହିଲା ନାହିଁ । ସେ ଅବଶ୍ୟ ଚାଷବାସ କରୁଥାଏ; କିନ୍ତୁ ଯାଦୁଘଂଟି ଦ୍ୱାରା ଖାଦ୍ୟ ତିଆରି ପାଇ ସେ ଅତି ଆନନ୍ଦରେ ଥାଏ । ଏକଥା ବିଶେଷ କେହି ଜାଣିଲେ ନାହିଁ । ଖାଲି ସର୍ଦ୍ଦାରର ଝିଅ ଜାଣିଲା । କ୍ରମେ ସର୍ଦ୍ଦାର ଘରର ସମସ୍ତେ ଏ ବିଷୟରେ ଜାଣିଲେ । ଚିଆଙ୍ଗ୍ ଘଂଟି ବଜାଇ ଯେଉଁ ସବୁ ସୁସ୍ୱାଦୁ ଖାଦ୍ୟଦ୍ରବ୍ୟ ସୃଷ୍ଟି କରୁଥାଏ, ତାହା ସାରା ପରିବାରର ଲୋକେ ଅତ୍ୟନ୍ତ ଆନନ୍ଦରେ ଖାଉଥାନ୍ତି । ଏସବୁ କଥା ଧୀରେ ଧୀରେ ପ୍ରଘଟ ହୋଇଗଲା । ଫଳରେ ଲିଆଙ୍ଗ୍ ମଧ୍ୟ ଏକଥା ଶୁଣିଲା । ତା’ ମନ ଭିତରେ ଈର୍ଷ୍ୟା ଆସିଲା । ତେଣୁ ସେ ମଧ୍ୟ ତା’ ମନରେ ଭାବିଲା କି ବଣକୁ ଯାଇ ପିଶାଚମାନଙ୍କଠାରୁ ସେପରି କିଛି ଆଣି ପାରିଲେ ତା’ର ମଧ୍ୟ ଭାଗ୍ୟ ଖୋଲିଯିବ । ସିଏ ଯାହା ଶୁଣିଥିଲା ଠିକ୍ ସେହିପରି କଲା । ଦେହରେ ତରଳ ଚିନି ସବୁ ବୋଳି ଗୋଟାଏ ପଥର ଉପରେ ପଡି ରହିଥାଏ । ପିଶାଚମାନେ ତାକୁ ଦେଖିବା ମାତ୍ରେ ଚିତ୍କାର କରି ପରସ୍ପରକୁ କହିଲେ, “ଆରେ ଦେଖିଲଣି, ଆମ ଘଂଟିଚୋର ପୁଣି ଆସି ଯାଇଛି । ଚାଲ ତାକୁ ଧରି ଖାଇବା ।”
ଲିଆଙ୍ଗ୍ ସେତେବେଳକୁ ବୁଝିଲା କି ସେ ଦେଖିବାକୁ ଚିଆଙ୍ଗ୍ ଭଳି ହୋଇଥିବାରୁ ପିଶାଚମାନେ ତାକୁ ଚିଆଙ୍ଗ୍ ବୋଲି ଭାବି ଭୁଲ୍ କରି ବସିଛନ୍ତି । କିନ୍ତୁ ସେ ଏବେ କରିବ ବା କ’ଣ? ସେ ତ ଅଚେତ୍ ହୋଇ ରହିଥିବାର ଅଭିନୟ କରୁଥିଲା । କଥା କହି ସେମାନଙ୍କ ଭୁଲ୍ ସେ କିପରି ବା ଭାଙ୍ଗିବ?
ପିଶାଚମାନେ ତାକୁ ଗୁମ୍ଫା ଭିତରକୁ ନେଇଗଲେ । ତା’ପରେ ପିଶାଚ ରାଜା କହିଲା, “ଗୋଟାଏ ବଡ ହାଣ୍ଡି ନେଇଆସ ଓ ତାକୁ ତା’ ଭିତରେ ରଖି ପାଣି ପୁରାଅ । ତା’ପରେ ସେହି ହାଣ୍ଡିକୁ ଚୁଲିରେ ବସାଇ ଦିଅ ।”
ସେହିପରି କରାଗଲା । ପାଣି ଗରମ ହେବାରୁ ଲିଆଙ୍ଗ୍କୁ ବହୁତ କଷ୍ଟ ହେଲା । ସେ ହାଣ୍ଡି ଭିତରୁ ବାହାରକୁ ଡେଇଁପଡି ଦୌଡିଲା । ପିଶାଚମାନେ ମଧ୍ୟ ତା’ ପଛରେ ଦୌଡି ଦୌଡି ତାକୁ ଧରିଲେ ଓ ତାକୁ ପୁଣି ଗୁମ୍ଫା ଭିତରକୁ ଟାଣି ଟାଣି ନେଇ ଆସିଲେ । ସେଠାରେ ପିଶାଚରାଜା କହିଲା, “ତା’ର ନାକକୁ ଟାଣି ଟାଣି ଲମ୍ବା କରିଦେଇ ଛାଡିଦିଅ, ତେବେ ଅନ୍ୟମାନେ ତାକୁ ଦେଖି ଆଉ କେବେବି ମଧ୍ୟ ଏପରି ଚୋରୀ କରିବାକୁ ସାହସ କରିବେ ନାହିଁ ।”
ଲିଆଙ୍ଗ୍କୁ ଧରି ଜଣକ ପରେ ଜଣେ ତା’ର ନାକ ଟାଣିବାରେ ଲାଗିଲେ । ନାକ ପ୍ରାୟ ସାତହାତ ଲମ୍ବା ହୋଇଗଲା । ତା’ପରେ ସେମାନେ ତାକୁ ଦୁଇଚାରିଟା ବିଧା ମାରି ଗୁମ୍ଫା ବାହାରକୁ ଫୋପାଡି ଦେଲେ । ବିଚରା ଲିଆଙ୍ଗ୍ କୌଣସି ମତେ ନିଜର ପ୍ରାଣ ବଂଚାଇ ଘୁସୁରୀ ଘୁସୁରୀ ଘରକୁ ଗଲା ।
ଏତେ ରାତିଯାଏଁ ଲିଆଙ୍ଗ୍ ନ ଆସିବାରୁ ତା’ ସ୍ତ୍ରୀ ବହୁତ ବ୍ୟସ୍ତ ହୋଇ ଅପେକ୍ଷାରେ ଥାଏ । ଲିଆଙ୍ଗ୍ କବାଟରେ କରାଘାତ କରିବାକୁ ତା’ ସ୍ତ୍ରୀ ଖୁସିରେ ଆସି କବାଟ ଫିଟାଇବାରୁ ଲିଆଙ୍ଗ୍ କହିଲା, “ଓହୋ, ମୋ ନାକ ଉପରେ କାହିଁକି ଠିଆ ହେଲ?”
“ଆରେ, ପାଗଳ ନା କ’ଣ? ଏପରି ଅଜବ କଥା କ’ଣ କହୁଛ?” ଏହା କହି ତା’ ସ୍ତ୍ରୀ ଲିଆଙ୍ଗ୍କୁ ଚାହିଁଦେଇ ବିସ୍ମିତ ହୋଇଗଲା ।
ସତରେ ଲିଆଙ୍ଗ୍ର ସାତହାତ ଲମ୍ବର ନାକ ତଳେ ଘୁସୁରୁଥିଲା । ଲିଆଙ୍ଗ୍ ତାକୁ ଗୋଟାଇ ନେଇ ମୋଡିମାଡି ହାତରେ ଧରି ଘର ଭିତରେ ପଶିଲା ।
ତା’ ସ୍ତ୍ରୀ ଉତ୍କଣ୍ଠା ସହକାରେ ପଚାରିଲା “କଥା କ’ଣ? ତୁମର ଏଭଳି ଦୁର୍ଦ୍ଦଶା କିପରି ହେଲା?”
ତା’ପରେ ଲିଆଙ୍ଗ୍ ତା’ ସ୍ତ୍ରୀକୁ ସବୁକଥା ଗୋଟିଗୋଟି କରି କହିଲା । ତା’ ସ୍ତ୍ରୀ ବଡ ଦୁଃଖିତ ହୋଇ ଚିଆଙ୍ଗ୍ ପାଖକୁ ଦୌଡିଲା । ସେଠାରେ ପହଁଚି ସେ ଚିଆଙ୍ଗ୍କୁ ସବୁ କଥା କହିଲା । ଚିଆଙ୍ଗ୍ କହିଲା, “ଭାଉଜ, ତମେ ଘରକୁ ଯାଅ ମୁଁ ଯାଇ ଲୁଚି ଲୁଚି ସେହି ପିଶାଚଙ୍କ ଗୁମ୍ଫାରୁ ଖବର ସଂଗ୍ରହ କରେ, ଯଦି ଏହାର କୌଣସି ପ୍ରତିକାର ଥାଏ ।”
ଲିଆଙ୍ଗ୍ର ସ୍ତ୍ରୀ ଘରକୁ ଫେରିଗଲେ । ଏଣେ ଚିଆଙ୍ଗ୍ ଗୁମ୍ଫା ନିକଟରେ ଯାଇ ପହଁଚିଲା । ଲୁଚି କରି ସେ ପିଶାଚମାନଙ୍କର ବାର୍ତ୍ତାଳାପ ଶୁଣୁଥାଏ । ଅନ୍ୟାନ୍ୟ କଥାବାର୍ତ୍ତା ମଧ୍ୟରେ ପିଶାଚ ରାଜା କହିଲା, “ଆରେ, ସେ ମୂର୍ଖର ନାକର ଅବସ୍ଥା କ’ଣ ହେଲା? ବିଚାରା । ସେ ଯଦି ଜାଣିଥା’ନ୍ତା ତେବେ ଯାଦୁକାରୀ ଘଂଟିକୁ ବଜାଇ ବଜାଇ କେହି କହିଲେ ତା’ର ନାକଟା ଛୋଟ ହୋଇଯା’ନ୍ତା ।”
ଏତିକି ଶୁଣି ଚିଆଙ୍ଗ୍ ଘରକୁ ଦୌଡିଲା । ଘରେ ପହଁଚି ଯାଦୁକାରୀ ଘଂଟି କାଢି ସେ ତା’ ଭାଇଘରକୁ ଦୌଡିଲା । ସର୍ଦ୍ଦାରର ଝିଅ ବାଟରେ ତାକୁ ଦେଖି ପକାଇଲା । ସେ ପଚାରିଲା, “କଥା କ’ଣ? କାହିଁକି ଏମିତି ଦୌଡୁଛ?” ଚିଆଙ୍ଗ୍ ତାକୁ ଲିଆଙ୍ଗ୍ର ସମସ୍ତ ହାଲ ଶୁଣାଇ କହିଲା କି ତା’ ନାକ ଛୋଟ ହୋଇଯାଉ ବୋଲି କହି ଘଂଟି ବଜାଇଲେ ନାକ ଛୋଟ ହୋଇଯିବ ।
ଝିଅଟି ଟିକିଏ ଚିନ୍ତା କରି କହିଲା, “ଆମେ ଆଜିଯାଏଁ ଭାବିଥିଲୁ ସେ ଘଂଟିରୁ ଖାଲି ଖାଦ୍ୟଦ୍ରବ୍ୟ ମିଳେ । ହେଲେ ବର୍ତ୍ତମାନ ବୁଝାଗଲା, ସେ ଘଂଟିର ଅନ୍ୟ ଶକ୍ତି ମଧ୍ୟ ରହିଛି ।” ଏହା କହି ସେ ଚିଆଙ୍ଗ୍ ହାତରୁ ଘଂଟିଟି ନେଇ ଚିଆଙ୍ଗ୍ର କୋଠରୀ ଭିତରକୁ ଯାଇ କହିଲା, “ଆମକୁ ହଜାରେ ସୁନାଇଟା ଦିଅ ।” ସଙ୍ଗେ ସଙ୍ଗେ ସେ କୋଠରୀ ଭିତରେ ହଜାରେ ସୁନାଇଟା ଦେଖା ଦେଲା । ତା’ପରେ ଝିଅଟି ପୁଣି ଚିଆଙ୍ଗ୍କୁ ଘଂଟିଟି ଦେଇଦେଲା । ଚିଆଙ୍ଗ୍ ତା’ଭାଇ ଘରକୁ ଗଲା । ଲିଆଙ୍ଗ୍ ବିଚାରା ସାତହାତ ଲମ୍ବ ନାକ ଧରି ବସିଥାଏ । କ’ଣ କରିବ? ଚିଆଙ୍ଗ୍ ଭାଇ ପାଖରେ ପହଁଚି ତାକୁ ସବୁ କଥା କହିଲା ।
ଭାଇର ପୁଣି ମନ ଖୁସି । ଚିଆଙ୍ଗ୍ ଧୀରେ ଧୀରେ ଯାଦୁ ଘଂଟି ବଜାଇ କହିଲା, “ଛୋଟ ହୋଇଯା” । ତା’ପରେ ହାତେ ନାକ କମିଗଲା । ତା’ପରେ ଦ୍ୱିତୀୟଥର ଘଂଟି ବାଜିବାରେ ଦ୍ୱିତୀୟ ହାତ ନାକ କମିଲା । ତା’ପରେ ତୃତୀୟ । ଚତୁର୍ଥ ହେବା ପୂର୍ବରୁ ଲିଆଙ୍ଗ୍ର ସ୍ତ୍ରୀ ବିରକ୍ତ ହୋଇ ହଠାତ୍ ସେହି ଯାଦୁଘଂଟିଟି ଛଡାଇ ନେଇ କହିଲା, “ବହୁତ ଧୀରେ ଧୀରେ କହୁଛ, ଦିଅ ମୁଁ ଶୀଘ୍ର ଶୀଘ୍ର କୁହେ ।” ଏତିକି କହି ସେ ଘଂଟିଟି ବଜାଇବାରେ ଲାଗିଲା ଓ “ଛୋଟ ହୋଇଯା” “ଛୋଟ ହୋଇଯା” ବୋଲି ମଧ୍ୟ କହିଚାଲିଲା । ତା’ପରେ ଲିଆଙ୍ଗ୍ର ନାକ ଏତେ ଛୋଟ ହେଇଗଲା ଯେ ନାକକଟା ହେବା ପରି ଦିଶିଲା । ଏଣେ ଯାଦୁଘଂଟିଟି ବି ହାତରୁ ପଡି ଭାଙ୍ଗିଗଲା । ତେଣେ ତା’ ନାକଟି ବି ବଡ ବିକୃତ ଦିଶିଲା, ଯାଦୁଘଂଟିଟି ବି ନଷ୍ଟ ହେଲା । ଚିଆଙ୍ଗ୍ ଦୁଃଖ କରି କହିଲା, “ଟିକିଏ ଡେରି ସହି ପାରିଲନି ଭାଉଜ! ସର୍ବନାଶ କଲ ।” ଭାଉଜ ଖାଲି ଦୁଃଖ ଓ ପଶ୍ଚାତାପ କରି କାନ୍ଦିଲା ।
ଏହା ଭିତରେ ହଜାରେ ସୁନାଇଟା ବଳରେ ଚିଆଙ୍ଗ୍ ସେ ମୁଲକର ସବୁଠାରୁ ବଡ ଧନୀ ଲୋକ ହୋଇଯାଇଥାଏ । ଗାଁ ସର୍ଦ୍ଦାର ବା ବର୍ତ୍ତମାନ ତା’ ସହ ଝିଅ ବାହାଘର କରିବାକୁ କାହିଁକି ଭଲା ଅମଙ୍ଗ ହୁଅନ୍ତା?