୧୪୯୦ ମସିହାର ଏକ ଘଟଣା । ମହାରାଜା ବିଶ୍ୱସିଂହ ଆହୋମ ରାଜାଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲେ । ଯୁଦ୍ଧ ଯାତ୍ରା ହେଲା । ଥରେ ଭୟଙ୍କର ଘନ ଜଙ୍ଗଲ ମଧ୍ୟରେ ସେ ଓ ତାଙ୍କ ଭାଇ ଶିବସିଂହ ବାଟବଣା ହୋଇଗଲେ । ସେମାନେ ସୈନ୍ୟମାନଙ୍କଠାରୁ ଅଲଗା ହୋଇଗଲେ । ସେମାନେ ନୀଳାଚଳ ପାହାଡ଼କୁ ଆସିଲେ । ଖୁବ୍ ଭୋକ ଶୋଷରେ ସେମାନେ ଅସ୍ଥିର ହୋଇପଡ଼ିଲେ । କିପରି ସେହି ଜଙ୍ଗଲରୁ ଉଦ୍ଧାର ପାଇବେ, ତା’ର ଉପାୟ ପାଇଲେ ନାହିଁ । ଦେବୀଙ୍କୁ ପୂଜା କଲେ । ଅନ୍ଧାର ମଧ୍ୟରେ ଆଲୁଅର ରେଖା ଖେଳିଗଲା । ଦୈବୀଶକ୍ତି ବଳରେ ସେମାନେ ଜଳ ଓ ଖାଦ୍ୟ ପାଇଲେ । ଗୋଟିଏ ଗଛ ମୂଳରେ ଶାନ୍ତିରେ ଶୋଇଗଲେ । ଗୋଟିଏ ବୁଢ଼ି ଆସି ସେଠାରେ ଦେବୀଙ୍କ ପୂଜା କଲେ । ସେ କହିଲେ ଯେଉଁ ଲୋକ ପବିତ୍ର ଭକ୍ତି ଭାବରେ ଏଠାରେ ପୂଜା ଆରାଧନା କରିବ, ତା’ର ମନସ୍କାମନା ପୂର୍ଣ୍ଣ ହେବ । ଏହା ଶୁଣି ସେମାନେ ବସିପଡ଼ି ଦେବୀଙ୍କ ପ୍ରାର୍ଥନା କରିଥିଲେ ।
କାଂମାକ୍ଷାଙ୍କ କଲ୍ୟାଣରୁ ସୈନ୍ୟମାନଙ୍କ ସହିତ ସେମାନଙ୍କର ସାକ୍ଷାତ ହେଲା । ସେମାନଙ୍କ ରାଜ୍ୟ ବିପଦମୁକ୍ତ ହେଲା । ଲୋକମାନେ ସୁଖୀ ଓ ଧନୀମାନୀ ହେଲେ । କିପରି ସେ ଦେବୀଙ୍କର ଉପକାର ସୁଝିବେ ପଚାରିବାକୁ ସେ ଛାଗବଳି, ସିନ୍ଦୁର, କର୍ପୁର, ପୁଷ୍ପ, ରକ୍ତବର୍ଣ୍ଣର ବସ୍ତ୍ର ଇତ୍ୟାଦି ସମର୍ପଣ କରିବାକୁ ପରାମର୍ଶ ଦେଲେ । ରାଜା ସୁଖଶାନ୍ତିରେ ରାଜ୍ୟ ଶାସନ କଲେ । ପଣ୍ଡିତମାନଙ୍କ ପରାମର୍ଶ କରି ଦେବୀଙ୍କ ମହିମା ବିସ୍ତାରରେ ମନ ଦେଲେ । ସେ ପ୍ରଥମେ ଦେବୀଙ୍କ ପାଇଁ ଗୋଟିଏ ଇଟାର ମନ୍ଦିର ତୋଳାଇଥିଲେ । ଗୋଟିଏ ସୁନାର ମନ୍ଦିର ନିର୍ମାଣ କରିବାକୁ ଦେବୀ ଆଦେଶ ଦେଲେ । ମାତ୍ର ତାହା କରିବା ରାଜାଙ୍କ ପକ୍ଷେ ସମ୍ଭବ ହେବ ନାହିଁ ବୋଲି ଜଣାଇଲେ । ତାଙ୍କୁ ସେଥିପାଇଁ ସ୍ୱପ୍ନରେ ନିର୍ଦ୍ଦେଶ ହେଲା ପ୍ରତି ଇଟା ଉପରେ ରତିଏ ସୁନା ରଖ । ତା’ଉପରେ ଆଉ ଏକ ଇଟା ବସାଇ ମନ୍ଦିର ନିର୍ମାଣ କର ।
ଏକ ସୁନ୍ଦର ମନ୍ଦିର ଗଢ଼ି ଉଠିଲା । ସେଠାରେ ଦେବୀ କାମାକ୍ଷା ପୂଜା ପାଇଲେ । ମହାରାଜା ବିଶ୍ୱସିଂହଙ୍କ ପରେ ତାଙ୍କ ପୁଅ ନରନାରାୟଣ ରାଜୁତି କଲେ । ତାଙ୍କ ଭାଇ ମହାବୀର ଚିଲାରାୟଙ୍କୁ ସେ ସେନାପତି କରିଥିଲେ । ସେ ଅନ୍ୟତ୍ର ଯୁଦ୍ଧରେ ନିଯୁକ୍ତ ଥିଲାବେଳେ କଳାପାହାଡ଼ ଆକ୍ରମଣ କରିଥିଲା । ବଙ୍ଗର ନବାବ ସୁଲେମାନଙ୍କ ଦ୍ୱାରା ଚିଲାରାୟ ବନ୍ଦୀ ହୋଇଥିଲେ । ସେ ମହାମାୟାଙ୍କୁ ମନେ ପକାଇଲେ । ସ୍ୱପ୍ନରେ ତାଙ୍କୁ ଜଣାଇ ଦିଆଗଲା ନବାବଙ୍କ ମାଆଙ୍କୁ କାଲି ସାପ କାମୁଡ଼ିବ । ରାଜ୍ୟର ସବୁ ଡାକ୍ତର କବିରାଜ ତାଙ୍କୁ ଭଲ କରିବାରେ ଲାଗିବେ । ଶେଷରେ ସେମାନେ ଫେଲ୍ ମାରି ତୁମ ପାଖକୁ ଆସିବେ । ତୁମେ ତାଙ୍କୁ ଭଲ କରିବ ।
ସତକୁ ସତ ତା’ ଆରଦିନ ମା’ଙ୍କୁ ସାପ କାମୁଡ଼ିଦେଲା । ଚିଲାରାୟଙ୍କ ଚିକିତ୍ସାରେ ସେ ଭଲ ହେଲେ । ସେଦିନଠାରୁ ଚିଲାରାୟଙ୍କ ସହିତ ନବାବଙ୍କର ସଦ୍ଭାବ ବଢ଼ିଥିଲା । ଚିଲାରାୟ ନିଜ ସୈନ୍ୟମାନଙ୍କ ସହିତ ନିଜ ରାଜ୍ୟକୁ ଫେରିଥିଲେ । ରାଜା ମନ୍ଦିରର ମରାମତି କଲେ, ଭଲ ଭାବରେ ତାଙ୍କର ପୂଜାଋଜାର ବ୍ୟବସ୍ଥା କଲେ । ସେଥିପାଇଁ ମଧ୍ୟ ବହୁ ଜମିବାଡ଼ି ଖଞ୍ଜିଥିଲେ ।
ଏହିପରି ବହୁ ରାଜାଜମିଦାରଙ୍କ ସାହାଯ୍ୟ ଓ ଜନସାଧାରଣଙ୍କ ସ୍ନେହ ଓ ଭକ୍ତିବଳରେ କାମାକ୍ଷା ପୀଠରେ ବହୁ ଉନ୍ନତି ହେଲା । ଆସାମରେ ଏକ ବଡ଼ ଘଟଣା ହେଲା ଏଠାରେ ରାଜା ପ୍ରଜାମାନଙ୍କର ଧର୍ମ ଭାଷା ଓ ଚଳଣି ନିଜର କରି ନେଇଥିଲେ । ଆକ୍ରମଣ କରିବାକୁ ଆସି ଆରୋହୀମାନେ ଏଠାରେ ଶାସକ ହୋଇଥିଲେ । ସେମାନେ ଆସାମର ସାହିତ୍ୟ, ଭାଷା ଓ ଧର୍ମର ଉନ୍ନତିରେ ସହାୟକ ହୋଇଥିଲେ । ଶଙ୍କରଦେବ ଆସି କେତେକ ସାଧୁସନ୍ଥଙ୍କ ଉଦ୍ୟମରେ ଆସାମରେ ବୈଷ୍ଣବଧର୍ମ ଅତି ଲୋକପ୍ରିୟ ହୋଇଥିଲା । ଜନସାଧାରଣଙ୍କ ମଧ୍ୟରେ ଏହା ଆଦର ଲାଭ କରିଥିଲା ।