ଈଶ୍ୱରଙ୍କୁ ଯେ ପ୍ରକୃତରେ ପ୍ରେମକରେ, ସେ ତାଙ୍କଠାରୁ କିଛି ହେଲେ ଚାହେଁ ନାହିଁ । ସେ କେବଳ ନିର୍ମଳ ପ୍ରେମପାଇଁ ପ୍ରାର୍ଥନା କରେ । ସେ କୌଣସି କ୍ଷମତା ବା ଅଲୌକିକ ଶକ୍ତି ଆଶା କରେ ନାହିଁ ।
ଅଲୌକିକ ଶକ୍ତି ହାସଲ କରିଥିବା ଜଣେ ବ୍ୟକ୍ତି ସମୁଦ୍ର କୂଳରେ ବସିଥିଲା । ଏହି ସମୟରେ ଗୋଟିଏ ଝଡ଼ ଆସିଲା । ପବନଟା ତାକୁ ଅସ୍ୱସ୍ତିକର ବୋଧହେବାରୁ ସେ କହିଲା, “”ଝଡ଼ ବନ୍ଦ ହୋଇଯାଉ । ତା‘ର କଥା ଅପୂର୍ଣ୍ଣ ରହିଲା ନାହିଁ । ସେହି ସମୟରେ ସମୁଦ୍ରରେ ଗୋଟିଏ ଜାହାଜ ଯାଉଥିଲା । ହଠାତ୍ ପବନ ବନ୍ଦ ହୋଇଯିବାରୁ ଜାହାଜଟି ଓଲଟିଯାଇ ବୁଡ଼ିଗଲା । ଯାତ୍ରୀମାନେ ପ୍ରାଣ ହରାଇଲେ ଏବଂ ସେମାନଙ୍କର ମୃତ୍ୟୁର କାରଣ ହୋଇଥିବା ଏହି ଲୋକଠାରେ ପାପ ଲାଗିଲା । ଏହି ପାପ ଯୋଗୁଁ ସେ ତା’ର ଅଲୌକିକ ଶକ୍ତି ହରାଇବସିଲା ଏବଂ ନରକଗାମୀ ହେଲା ।
ଏକଦା ଜଣେ ସାଧୁ ଏହିପରି ଅଦ୍ଭୁତ ଶକ୍ତି ଲାଭ କରିଥିଲେ । ଏଥିପାଇଁ ସେ ଭାରି ଗର୍ବ ଅନୁଭବ କରୁଥିଲେ । କିନ୍ତୁ ସେ ଜଣେ ଉତ୍ତମ ଲୋକ ଥିଲେ ଏବଂ କଠୋର ସାଧନା ମଧ୍ୟ କରୁଥିଲେ ।
ଦିନେ ଭଗବାନ ଜଣେ ସନ୍ନ୍ୟାସୀର ଛଦ୍ମବେଶରେ ତାଙ୍କ ପାଖକୁ ଆସି କହିଲେ, “”ମହାଭାଗ, ମୁଁ ଶୁଣିଛି ଯେ, ଆପଣ ଅସାଧାରଣ ଶକ୍ତି ହାସଲ କରିଛନ୍ତି !
ସାଧୁଜଣକ ଛଦ୍ମବେଶରେ ଥିବା ଭଗବାନଙ୍କୁ ଆଦର ଅଭ୍ୟର୍ଥନା କଲେ ଏବଂ ବସିବାକୁ ଆସନ ଦେଲେ ।
ଠିକ୍ ଏହି ସମୟରେ ଗୋଟିଏ ହାତୀ ସେହି ବାଟରେ ଚାଲିଗଲା । ଭଗବାନ, ଯେ କି ସନ୍ନ୍ୟାସୀ ବେଶରେ ଥିଲେ, ସେ ସାଧୁଙ୍କୁ କହିଲେ, “”ମହାରାଜ, ଆପଣ ଯଦି ଇଚ୍ଛା କରନ୍ତି, ଏ ହାତୀଟିକୁ ମାରିଦେଇ ପାରିବେ ?
ସାଧୁ କହିଲେ, “”ହଁ, ଏହା ସମ୍ଭବ ।
ଏହା କହି ସେ ମୁଠାଏ ଧୂଳି ନେଲେ । କିଛି ମନ୍ତ୍ର ଉଚ୍ଚାରଣ କଲେ ଏବଂ ସେ ଧୂଳିକୁ ହାତୀ ଉପରକୁ ପକାଇ ଦେଲେ । ନିରୀହ ପ୍ରାଣୀଟି କିଛି ସମୟ ଯନ୍ତ୍ରଣାରେ ଛଟପଟ ହୋଇ ତା’ପରେ ପଡ଼ି ମରିଗଲା ।
ଭଗବାନ୍ କହିଲେ; “”ଆପଣଙ୍କର କି ଶକ୍ତି ! ଆପଣ ହାତୀଟିକୁ ମାରି ଦେଲେ ।
ସାଧୁ ହସିଲେ ।
ପୁଣି ଭଗବାନ କହିଲେ, “”ବର୍ତ୍ତମାନ ଆପଣ ଆଉଥରେ ସେ ହାତୀକୁ ଜୀବଦାନ ଦେଇପାରିବେ ?
“”ତା’ବି ସମ୍ଭବ, ସାଧୁ ଉତ୍ତରଦେଲେ ।
ସେ ପୁଣି ମୁଠାଏ ମନ୍ତ୍ର-ଧୂଳି ହାତୀ ଉପରକୁ ପକାଇଦେଲେ । ପ୍ରାଣୀଟି ଅଳ୍ପ ସମୟ ଏପାଖ ସେପାଖ ହେଲା ଏବଂ ବଞ୍ଚି ଉଠିଲା ।
ତା’ପରେ ଭଗବାନ କହିଲେ, “”ଆପଣଙ୍କର ଶକ୍ତି ଅତି ଅଦ୍ଭୁତ । କିନ୍ତୁ ଗୋଟିଏ କଥା ମୁଁ ପଚାରି ପାରେ କି ? ଆପଣ ହାତୀକୁ ମାରି ପୁଣି ବଞ୍ଚାଇ ଦେଇଛନ୍ତି । ହେଲେ ଏଥିରେ ଆପଣଙ୍କର କ’ଣ ଲାଭ ହେଲା ? ଏହା ଫଳରେ ଆପଣ ନିଜକୁ ଉଚ୍ଚ ବୋଲି ଅନୁଭବ କରୁଛନ୍ତି କି ? ଈଶ୍ୱରଙ୍କୁ ଜାଣିବାପାଇଁ ଏହା ଆପଣଙ୍କୁ ସକ୍ଷମ କରିଛି କି ? ଏତିକି କହି ଭଗବାନ ଅନ୍ତର୍ଦ୍ଧାନ ହୋଇଗଲେ ।
ଧର୍ମର ମାର୍ଗ ଅତି ସୂକ୍ଷ୍ମ । କାମନା, ବାସନାର ସାମାନ୍ୟତମ ଚିହ୍ନ ଯଦି ଥାଏ, କେହି ଈଶ୍ୱରଙ୍କୁ ଚିହ୍ନି ପାରିବ ନାହିଁ । ଯଦି ସୂତାର ଅତି ସୂକ୍ଷ୍ମ ତନ୍ତୁ ମଧ୍ୟ ପଦାକୁ ବାହାରି ଥାଏ, ତେବେ ତାହା ଛୁଞ୍ଚିର କଣାରେ ପଶିବ ନାହିଁ ।
ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଥିଲେ, “”ସଖା, ଯଦି ତୁମେ ମୋତେ ଲାଭ କରିବାକୁ ଚାହଁ, ତେବେ ଆଠଟି ଅଲୌକିକ ଶକ୍ତି ମଧ୍ୟରୁ ତୁମର ଗୋଟିଏ ହେଲେ ଯଦି ଥାଏ; ତୁମେ କୃତକାର୍ଯ୍ୟ ହୋଇପାରିବ ନାହିଁ । ଏହା ହେଉଛି ସତ୍ୟ ।
ଅଦ୍ଭୁତ ଶକ୍ତି ମନରେ ନିଶ୍ଚୟ ଗର୍ବ ଆଣିବ ଏବଂ ଏହି ଗର୍ବ ବଳରେ ମଣିଷ ଈଶ୍ୱରଙ୍କୁ ଭୁଲିଯିବ ।
ଅହଂଭାବସଂପନ୍ନ ବ୍ୟକ୍ତି କେବେହେଲେ ଈଶ୍ୱରଙ୍କୁ ଲାଭ କରିାରିବ ନାହିଁ । ଅହଂଭାବ ଗୋଟିଏ ଖୁବ୍ ଉଚ୍ଚ ହୁଙ୍କାପରି, ଯେଉଁଠାରେ ବର୍ଷାପାଣି ଜମି ରହିାରିବ ନାହିଁ । ତଳକୁ ଗଡ଼ିଯିବ । ତେଣୁ ସେଠାରେ କିଛି ଫସଲ ହୋଇପାରିବ ନାହିଁ । ନିମ୍ନ ଭୂମିରେ ଜଳ ଜମେ । ସେହିଠାରେ ହିଁ ବୀଜ ଅଙ୍କୁରିତ ହୁଏ ଏବଂ ବୃକ୍ଷରେ ପରିଣତ ହୁଏ । ତା’ପରେ ବୃକ୍ଷ ଫଳ ଧାରଣକରେ ।