ଥରେ ଜଣେ ଧନୀଲୋକ ତାଙ୍କର ଚାକରକୁ ଡାକି ତାକୁ ଗୋଟିଏ ହୀରାଖଣ୍ଡ ଦେଲେ ଓ କହିଲେ, “ଏହାକୁ ବଜାରକୁ ନେଇଯାଅ, ଏବଂ କିଏ ଏହାର କେତେ ମୂଲ କରିବ, ତାହା ମୋତେ ଆସି କହିବ । ପ୍ରଥମେ ମୂଲ କରିବାପାଇଁ ବାଇଗଣବେପାରୀ ପାଖକୁ ନେଇଯାଅ ।“
ଚାକର ହୀରାଖଣ୍ଡ ଧରି ବାଇଗଣ ବେପାରୀ ପାଖରେ ପହଞ୍ଚିଲା ଓ କେତେ ମୂଲ୍ୟ ଦେଇ ସେ ଏଇ ହୀରାକୁ ନେଇପାରିବ ବୋଲି ପଚାରିଲା । ବାଇଗଣ ବେପାରୀ ହୀରାକୁ ନିଜ ହାତରେ ଧରି ବହୁତ ଏପାଖ ସେପାଖ କରିବା ପରେ କହିଲା, “ଭାଇ, ନଅ କିଲୋ ବାଇଗଣ ଦେଇ ମୁଁ ଏହାକୁ କିଣି ନେଇ ପାରିବି ।“
ଚାକର କହିଲା “ଆଚ୍ଛା, ଆଉ ଟିକିଏ ବଢ଼ାଇ ଦିଅ; ଦଶ କିଲୋ ଦିଅ ।“
ବାଇଗଣ ବେପାରୀ ମୁଣ୍ଡ ହଲାଇ ଉତ୍ତର ଦେଲା “ନା, ବଜାର ଦର ଯାହା, ତା‘ଠାରୁ ମୁଁ ବେଶି କହିଚି । ଯଦି ତୁମକୁ ସେ ଦର ପୋଷଉ ନାହିଁ, ତା‘ହେଲେ ଫେରାଇ ନିଅ ।“
ଚାକରଟି ହସିଦେଇ ଫେରି ଆସିଲା । ମୁନିବକୁ କହିଲା, “ଆଜ୍ଞା, ବାଇଗଣ ବେପାରୀ ନଅ କିଲୋରୁ ଗୋଟିଏ କିଲୋ ମଧ୍ୟ ଅଧିକା ଦେବାପାଇଁ ରାଜି ହେଲା ନାହିଁ । ସେ କହିଲା, ଏହାର ବଜାର ମୂଲ ନଅ କିଲୋ ବାଇଗଣରୁ କମ୍ ।“
ଧନୀଲୋକ କହିଲା, “ତା‘ହେଲେ ଲୁଗାବେପାରୀ ପାଖକୁ ନେଇଯାଅ । ବାଇଗଣ ବେପାରୀ ହୀରାର ମୂଲ୍ୟ କ‘ଣ ବୁଝିବ ?”
ଚାକର ଲୁଗାବେପାରୀ ପାଖକୁ ଯାଇ ହୀରା ଦେଖାଇ ପଚାରିଲା, “ଏହାକୁ କିଣିବ କି ? କେତେ ମୂଲ୍ୟ ଦେବ ?”
ବେପାରୀ କହିଲା, “ହଁ, ଭଲ ଜିନିଷଟିଏ । ଏଥିରେ ଗୋଟିଏ ସୁନ୍ଦର ଅଳଙ୍କାର ହେବ । ମୁଁ ଏଥିପାଇଁ ନଅ ଶହ ଟଙ୍କା ଦେବାକୁ ରାଜି ଅଛି ।“
ଚାକର କହିଲା, “ଆଚ୍ଛା, ଭାଇ ଆଉ କିଛି ବଢ଼ାଇ ଦିଅ । ହଜାରେ ଟଙ୍କା ଦିଅ ।“
ଲୁଗାବେପାରୀ ମନା କଲା । କହିଲା, “ଆଉରି ବେଶି ଦର କର ନାହିଁ । ବଜାର ଦର ଯାହା, ତା‘ଠାରୁ ମୁଁ ବେଶି କହି ଦେଇଛି । ଇଚ୍ଛା ଅଛି ତ ଦିଅ, ନ ହେଲେ ନାହିଁ ।“
ହସି ହସି ଚାକରଟି ପୁଣି ତା‘ର ମୁନିବ ପାଖକୁ ଫେରି ଆସିଲା ।
“ଆଜ୍ଞା, ଲୁଗାବେପାରୀ ନଅଶ‘ ଟଙ୍କାରୁ ଗୋଟିଏ ଟଙ୍କା ଅଧିକ ଦେବାକୁ ରାଜି ନୁହେଁ, ବଜାର ଦରଠାରୁ ଅଧିକ ଦେଉଛି ବୋଲି ସେ କହିଲା ।“
ଧନୀଲୋକ ଏଥର ଚାକରକୁ ଜଣେ ଅଳଙ୍କାର ବ୍ୟବସାୟୀ ପାଖକୁ ପଠାଇଲେ । ବ୍ୟବସାୟୀଟି ହୀରାଖଣ୍ଡକୁ ଦେଖିବାମାତ୍ରେ କହିଲା, “ମୁଁ ଏହାକୁ ଲକ୍ଷେ ଟଙ୍କା ଦେଇ କିଣି ନେବାକୁ ପ୍ରସ୍ତୁତ ଅଛି ।“
ଯାହାର ପୁଞ୍ଜି ଯେତିକି, ସେ ସେହି ଅନୁସାରେ ମୂଲ୍ୟ ସ୍ଥିର କରେ । ରାମଚନ୍ଦ୍ର ଜଣେ ଅବତାର ପୁରୁଷ ବୋଲି ମାତ୍ର ବାର ଜଣ ଋଷି ଚିହ୍ନି ପାରିଥିଲେ । ଅବତାର ପୁରୁଷଙ୍କୁ ସମସ୍ତେ ଚିହ୍ନି ପାରନ୍ତି ନାହିଁ । କେହି ତାଙ୍କୁ ସାଧାରଣ ଲୋକ, କେହି ବା ତାଙ୍କୁ ସାଧୁ ପୁରୁଷ ବୋଲି ମନେକରନ୍ତି । ଖୁବ୍ ଅଳ୍ପ ଲୋକ ତାଙ୍କୁ ଅବତାର ବୋଲି ଗ୍ରହଣ କରିନିଅନ୍ତି ।