କୁସ୍ତିରେ ହନୁମାନ ସିଂର ଏତେ ନାମ ଡାକ ନ ଥିଲେ ମଧ୍ୟ ସେ କିଛି କମ୍ ନ ଥିଲା । ତା’ର ଗୋଟିଏ ବଡ଼ ଗୁଣ ଥିଲା, ଯେତେ ବଡ଼ ପହିଲିମାନ ଆସୁ ନା କାହିଁକି, ସେ ତା’ ସହିତ ଲଢ଼ିବାପାଇଁ ଭୟ କରୁ ନ ଥିଲା ।
ଥରେ ଜଣେ ନାମଜାଦା ପଞ୍ଜାବୀ ପହିଲିମାନ ସହିତ ହନୁମାନ ସିଂର ଲଢେ଼ଇ ହେଲା । ପଞ୍ଜାବୀ ପହିଲିମାନ ଦେଖିବାକୁ ଯେପରି ବଳିଷ୍ଠ, କୁସ୍ତିରେ ମଧ୍ୟ ସେହିପରି ଜଣେ ଓସ୍ତାଦ । ତା’ ସହିତ କୁସ୍ତି ଲଢ଼ିବା ସହଜ କଥା ନ ଥିଲା ।
କୁସ୍ତିର ଦିନ ଠିକ୍ ହୋଇଗଲା । କୁସ୍ତିର ପନ୍ଦର ଦିନ ଆଗରୁ ପଞ୍ଜାବୀ ପହିଲିମାନ ଘିଅ, ମାଂସ, ବାଦାମ, ପେସ୍ତା ଖାଲି ଏଇଆ ଖାଇଲା । ଅନ୍ୟ ପକ୍ଷରେ ହନୁମାନ ସିଂ କିଛି ଦିନ ଧରି ଖୁବ୍ କମ୍ ଖାଇ ଭକ୍ତି ଭାବରେ ମହାବୀରଙ୍କ ନାମ ଜପ କରିବାକୁ ଲାଗିଲା । ହନୁମାନ ସିଂର ଦେହରେ ମଇଳା ଲୁଗା ଏବଂ ଦେଖିବାକୁ ପଞ୍ଜାବୀ ପରି ସେ ଏତେ ହୃଷ୍ଟ ପୁଷ୍ଟ ନୁହେଁ ।
ପଞ୍ଜାବୀ କୁସ୍ତିବାଲା ଓ ହନୁମାନ ସିଂକୁ ଦେଖି ଲୋକେ ଭାବିବାକୁ ଲାଗିଲେ, କୋଉଠି ପଞ୍ଜାବୀ, କୋଉଠି ହନୁମାନ ସିଂ । ହନୁମାନ ସିଂ ଆଦୌ ଜିଣି ପାରିବ ନାହିଁ । ହନୁମାନ ସିଂର ବନ୍ଧୁମାନେ ପଞ୍ଜାବୀ ସହିତ ଲଢ଼ିବାପାଇଁ ତାକୁ ମନା କରିବାକୁ ଲାଗିଲେ । କେହି କେହି କହିଲେ, “ହନୁମାନ! ଘିଅ, ଦୁଧ, ବାଦାମ, ପେସ୍ତା ଖାଇବା ଆରମ୍ଭ କରିଦିଅ, ତା’ ନ ହେଲେ ତୁମେ ପାରିବ ନାହିଁ ।” କିନ୍ତୁ ହନୁମାନ ସିଂ କାହା କଥାରେ କାନ ଦେଲା ନାହିଁ । ଉପବାସ କଲା, ଗଙ୍ଗାସ୍ନାନ କଲା ଓ ମହାବୀରଙ୍କ ନାମ ଜପ କରିବାକୁ ଲାଗିଲା ।
ଦେଖୁ ଦେଖୁ କୁସ୍ତିର ଦିନ ଆସିଗଲା । କୁସ୍ତି ଦିନ ପଞ୍ଜାବୀ ପହିଲିମାନ ଘିଅ, ମାଂସ ଓ ନାନା ପ୍ରକାର ବଳକାରକ ଖାଦ୍ୟ ଖାଇଲା । ଏପଟେ ହନୁମାନ ସିଂ ଖାଡ଼ା ଉପବାସ ରହିଗଲା । କୁସ୍ତି ଦେଖିବାପାଇଁ ଚାରିଆଡ଼େ ଲୋକାରଣ୍ୟ । ବଡ଼ ବଡ଼ ଲୋକ ସବୁ କୁସ୍ତିର ବିଚାରକ । ପଞ୍ଜାବୀ ପହିଲିମାନ କୁସ୍ତିର ଆଖଡ଼ାରେ ଯାଇ ଠିଆହେଲା । ତା’ର ବିଶାଳ ବପୁ ଦେଖି ଦର୍ଶକମାନେ ଅବାକ୍ ହୋଇଗଲେ । ଅନ୍ୟଦିଗରେ ହନୁମାନ ସିଂ ଧୀରେ ଧୀରେ କୁସ୍ତି ଜାଗାରେ ଯାଇ ଠିଆହେଲା । କିନ୍ତୁ ହନୁମାନ ସିଂ ଆଜି ଯେପରି ଜଣେ ନୂଆ ଲୋକ, ଆଖିରେ ତା’ର ଉଜ୍ଜ୍ୱଳ ଦୀପ୍ତି । ମୁହଁରେ ତା’ର ଏକ ଶାନ୍ତ, ସ୍ଥିର ଭାବ ।
କୁସ୍ତି ଆରମ୍ଭ ହୋଇଗଲା । ଅଧିକାଂଶ ଦର୍ଶକ ମନେକଲେ, ହନୁମାନ ସିଂ ହାରିଯିବ । କିନ୍ତୁ କି ଆଶ୍ଚର୍ଯ୍ୟର କଥା ! ଅଳ୍ପ ସମୟ ମଧ୍ୟରେ ହନୁମାନ ସିଂ ପଞ୍ଜାବୀ ପହିଲିମାନକୁ ହରାଇ ଦେଲା । ବେକରେ ବିଜୟର ମାଳା ପିନ୍ଧି ହନୁମାନ ସିଂ ଚାଲି ଆସିଲା । ପଞ୍ଜାବୀ ପହିଲିମାନ ଓ ତା’ର ବନ୍ଧୁମାନେ ଆଦୌ ବୁଝି ପାରିଲେ ନାହିଁ ଯେ, କିପରି ହନୁମାନ ସିଂ ଦୁଇ ମିନିଟ୍ ସମୟ ମଧ୍ୟରେ ଏତେ ବଡ଼ ପହିଲିମାନକୁ ହରାଇ ଦେଇ ପାରିଲା । ଶରୀରର ଶକ୍ତି ବା ମନର ଶକ୍ତିଠାରୁ ଆହୁରି ଗୋଟିଏ ବଡ଼ ଜିନିଷ ଅଛି । ତାହା ହେଉଛି, ଆତ୍ମାର ଶକ୍ତି । ତାହା ଥରେ ମନୁଷ୍ୟ ଭିତରେ ଜାଗି ଉଠିଲେ, ଘିଅ, ମାଂସ, ବାଦାମ, ପେସ୍ତାର ଶକ୍ତି ତା’ ପାଖରେ ଅତି ସାମାନ୍ୟ ହୋଇଥାଏ ।