ଜଣେ ଗୁରୁ ଥିଲେ । ତାଙ୍କ ଶିଷ୍ୟର ଗୋଟିଏ କପଡ଼ା ଦୋକାନ ଥିଲା । ପୋଥି ବାନ୍ଧିବାପାଇଁ ଗୁରୁଙ୍କର ଖଣ୍ଡେ ଛିଟ କନା ଦରକାର ହେଲା । ଗୁରୁ ଶିଷ୍ୟ ପାଖକୁ ଯାଇ କନା ଖଣ୍ଡେ ମାଗିଲେ ।
ଶିଷ୍ୟ କହିଲା, “ଗୁରୁଦେବ, ଏଇ ତ ସେଦିନ କଟା ପାଟକନା ଖଣ୍ଡେ ପଡ଼ିଥିଲା । ଜଣେ ମାଗିଲା, ତାକୁ ଦେଇଦେଲି । ଏବେ ତ ଆଉ କନା ନାହିଁ । ଯାହା ହେଉ, ଏଥର ବଳକା କଟା କନା ଥିଲେ, ମୁଁ ରଖିଥିବି । ଆପଣ ମଝିରେ ମଝିରେ ଆସି ବୁଝି ଯାଉଥିବେ ।“
ଗୁରୁ ମଧ୍ୟ ସେଥିରେ ରାଜି ହୋଇ ଚାଲିଗଲେ । କିନ୍ତୁ ଶିଷ୍ୟର ସ୍ତ୍ରୀ ଥିଲା, ଗୁରୁଙ୍କର ପରମ ଭକ୍ତ । ସେ ଘର ଭିତରେ ରହି ସବୁ ଶୁଣୁ ଥିଲା । ଗୁରୁ ଚାଲିଯିବାର ଦେଖି ସେ ଲୋକ ପଠାଇ ତାଙ୍କୁ ଡକାଇ ଆଣିଲା । ପଚାରିଲା, “ଆପଣ କଣ ମାଗୁଥିଲେ କି ?”
ଗୁରୁ ସବୁ କଥା ଖୋଲି କହିଲେ ।
ଶିଷ୍ୟର ସ୍ତ୍ରୀ କହିଲା, “ଠିକ୍ ଅଛି । ଆପଣ ଯା‘ନ୍ତୁ । ଆପଣଙ୍କୁ ଆସିବାକୁ ପଡ଼ିବ ନାହିଁ । କାଲି ଆପଣଙ୍କ ଘରେ ଛିଟ କନା ପହଞ୍ଚି ଯାଇଥିବ ।” ଗୁରୁ ଖୁସି ହୋଇ ଚାଲିଗଲେ ।
ରାତିରେ ଶିଷ୍ୟ ଦୋକାନ ବନ୍ଦ କରି ଘର ଭିତରକୁ ଆସିଲା ।
ସ୍ତ୍ରୀ କହିଲା । “ତୁମେ କଣ ଦୋକାନ ବନ୍ଦ କରି ଆସିଚ ?”
ଶିଷ୍ୟ କହିଲା, “ହଁ । କାହିଁକି, କଣ ହେଲା ?”
ସ୍ତ୍ରୀ କହିଲା, ” ତା‘ହେଲେ ତୁମେ ଏବେ ଫେରିଯାଇ ମୋ‘ପାଇଁ ଦୋକାନ ଖୋଲି ଦି‘ଖଣ୍ଡ ଛିଟ କନା ନେଇ ଆସ ।“
ଶିଷ୍ୟ କହିଲା, “ରାତିରେ କଣ? ମୁଁ କାଲି ତୁମପାଇଁ ଦି‘ଖଣ୍ଡ ଭଲ ଛିଟ କନା ନେଇ ଆସିବି ।“
ସ୍ତ୍ରୀ କହିଲା, “ତା‘ହବନି । ଏବେ ସାଙ୍ଗେ ସାଙ୍ଗେ ଆଣ ।“
ସ୍ୱାମୀ କହିଲା, “କି ? କାଲି ଆଣିଲେ ହବନ– କାଲି ମୁଁ ଦି‘ଖଣ୍ଡ ଭଲ ଛିଟ କନା ନେଇ ଆସିବି ।“
ସ୍ତ୍ରୀ କହିଲା, ” ନା, ନା, ସେ କଥା ହବ ନାହିଁ । ଏବେ ମୋର ଛିଟ କନା ଦରକାର ।“
ସ୍ୱାମୀ ଦେଖିଲା, ଗୁରୁଙ୍କୁ ତ ବୁଝାଇଦେଲି, ସେ ବୁଝି ଚାଲିଗଲେ । ଇଆର କଥା ଭାଙ୍ଗିବା ସହଜ ନୁହେଁ । ଏ ଗୁରୁଙ୍କର ଗୁରୁ, ମହାଗୁରୁ । ସେ ସଙ୍ଗେ ସଙ୍ଗେ ଯାଇ ସେଇ ରାତିରେ ଦୋକାନ ଖୋଲି ଦି‘ଖଣ୍ଡ ଛିଟ କନା ନେଇ ଆସିଲା ।
ସ୍ତ୍ରୀ ଗୁରୁଙ୍କ ପାଖକୁ ଛିଟ କନା ପଠାଇ ଦେଇ ଖବର ଦେଲା, “ଆପଣଙ୍କର ଯାହା ଦରକାର, ଏଣିକି ମୋତେ କହିବେ ।“