ଡକ୍ଟର ଶର୍ମା ଓ ଦୁଇଜଣ ତାଲିମ ପାଉଥିବା ଅଧ୍ୟାପକଙ୍କ ସହିତ ଗୌହାଟୀ ବଜାରକୁ ଗଲି । ବ୍ରହ୍ମପୁତ୍ର ନଦୀ ପାର୍ଶ୍ୱରେ ବହୁବାଟ ଗଲୁ । ଖୁବ୍ ଏକ ଉଚ୍ଚସ୍ଥାନରେ ଆସାମର ରାଜଭବନ । ତାକୁ ସାମନା କରି ଏକ ତ୍ରିତାରକା ହୋଟେଲ । ତା‘ପାଖକୁ ଯାଇ ଦେଖିଲି ବ୍ରହ୍ମପୁତ୍ର ନଦୀର କେଡ଼େ ଶୋଭା । ଦୁଇକୂଳ ଖାଇ ଦେଇ ନଦୀ ଜଳ ଯେକୌଣସି ସମୟରେ ସୀମା ଟପିବାର ଆଶଙ୍କା ।
ସେଠାରୁ ବନ୍ଧୁମାନେ ମୋତେ ନଦୀ ମଧ୍ୟରେ ଥିବା ଏକ ତୋଟାକୁ ଦେଖାଇ ଦେଲେ । ତା‘ ହେଉଛି ‘ଉମାନନ୍ଦ‘ । ସେଠାରେ ଏକ ପ୍ରସିଦ୍ଧ ଶିବମନ୍ଦିର ରହିଛି । ଗୋଟିଏ ଛୋଟ ଦ୍ୱୀପ ପରି ବ୍ରହ୍ମପୁତ୍ର ନଦୀ ମଧ୍ୟରେ ତାହା ଅବସ୍ଥିତ । ମହାଦେବଙ୍କ ନାମ ଭସ୍ମାଚଳ । ଦିନେ ମହାଦେବଙ୍କ ଆଖିରୁ ରାଗର ନିଆଁ ବାହାରିଥିଲା । ତାହା କାମଦେବକୁ ଜାଳିପୋଡ଼ି ପାଉଁଶ କରିଥିଲା । ଶିବରାତ୍ରୀ ଦିନ ଏଠାରେ ବଡ଼ ମେଳା ହୁଏ । ଏଠାରେ ଥିବା ମନ୍ଦିର ମଧ୍ୟରେ ଅନାଦି ଶିବଲିଙ୍ଗ, ରୂପାର ଷଣ୍ଢ, ପାଞ୍ଚୋଟି ମୁହଁ ଓ ଦଶୋଟି ହାତଥିବା ଉମାନନ୍ଦଙ୍କ ମୂର୍ତ୍ତି ।
ସେହିପରି ବ୍ରହ୍ମପୁତ୍ର ନଦୀ ମଝିରେ ଉମାନନ୍ଦଠାରୁ ଦକ୍ଷିଣକୁ ଅଛି ଉର୍ବଶୀକୁଣ୍ଡ । ଏଠାରେ ଗାଧୋଇଲେ ବହୁ ଧର୍ମ ମିଳିଥାଏ । ଗୌହାଟୀ ଉତ୍ତରକୁ ବ୍ରହ୍ମପୁତ୍ରର ଆରପାଖରେ ଅଛି ଅଶ୍ୱକ୍ଲାନ୍ତା ନାମକ ଏକ ସ୍ଥାନ । ଭଗବାନ ବିଷ୍ଣୁ କଚ୍ଛପ ରୂପରେ ଏଠାରେ ଗୋଟିଏ ମନ୍ଦିରରେ ପୂଜା ପାଆନ୍ତି । ପାହାଡ଼ ଉପରେ ଗୋଟିଏ ସ୍ଥାନରେ ନାରାୟଣ ସାପଶେଜରେ ଶୋଇଥିବାର ଦୃଶ୍ୟ । ଏଠାରେ ନାରାୟଣଙ୍କ ପଦଚିହ୍ନ ପଡ଼ିଥିବାର ଦେଖାଯାଏ । ହିନ୍ଦୁମାନେ ଏଠାରେ ପିଣ୍ଡଦାନ କରିଥାଆନ୍ତି । ଗୌହାଟୀରୁ ୧୦ କିଲୋମିଟର ଦୂରରେ ବଶିଷ୍ଠାଶ୍ରମ ନାମକ ଏକ ଦର୍ଶନୀୟ ସ୍ଥାନ ରହିଛି । କାମାକ୍ଷା ପାହାଡ଼ର ବହୁ ପାହାଡ଼ି ଝରଣା ଝରି ଆସିଛି । ଜଳପ୍ରପାତ, ଶ୍ୟାମଳ ଗଛଲତା ଇତ୍ୟାଦି ସେଠାରେ ଭରି ରହିଛି । ବଶିଷ୍ଠ ଏଠାକୁ ଗଙ୍ଗାକୁ ବୁହାଇ ଆଣିଥିଲେ । କଣ୍ୱଋଷିଙ୍କ ଆଶ୍ରମ ମଧ୍ୟ ସେଠାରେ ଥିଲା । ଅଶ୍ୱକ୍ଲାନ୍ତାର ପୌରାଣିକ ଗୁରୁତ୍ୱ କହି ଶର୍ମା ଜଣାଇଲେ ଯେ ଶ୍ରୀକୃଷ୍ଣ ରୁକ୍ମିଣୀଙ୍କୁ ସାଥୀରେ ନେଇ ଚାଲିଗଲାବେଳେ ଉକ୍ତ ସ୍ଥାନରେ ତାଙ୍କର ଅଶ୍ୱଟି କ୍ଳାନ୍ତ ହୋଇପଡ଼ିଥିଲା । ସେମାନେ ସେଠାରେ କିଛି ସମୟ ବିଶ୍ରାମ ନେଇଥିଲେ । ଏହି ପବିତ୍ର ସ୍ମୃତିକୁ ଧରି ସେଇ ସ୍ଥାନଟି ପବିତ୍ର ହୋଇଛି ।
ଆମେ ହାଇକୋର୍ଟ ପାଖକୁ ଯାଇ ସେଠାରୁ ପୁଣି ଉମାନନ୍ଦର ଦୃଶ୍ୟ ଦର୍ଶନ କଲୁ । ପ୍ରବଳ ଜଳସ୍ରୋତ । ବହୁ ବଡ଼ ନାବ ଓ ଷ୍ଟିମର ବ୍ରହ୍ମପୁତ୍ର କୂଳରେ ଥାଏ ଏବଂ ଅନେକ ଭାସି ଚାଲିଥାଏ । ସେଠାରୁ ଆମେ ଗୌହାଟୀ ବଜାର ଭିତରକୁ ଯାଇଥିଲୁ । କେତେକ ଦୋକାନ ବଜାର ଦେଖିଲୁ । ମୁଁ ଆସାମୀ ଚା‘ ଓ ବାଉଁଶ ତିଆରି ହସ୍ତଶିଳ୍ପ କେତୋଟି କିଣିଲି । କିଛି ଜଳଖିଆ ଖାଇବା ପରେ ଟ୍ରେନିଂ ନେଉଥିବା ଅଧ୍ୟାପକମାନେ ମୋତେ ପାନସୁପାରି ଦେଲେ । ଖାଇଲା ପରେ ପାନସୁପାରି ଅତିଥିଙ୍କୁ ଦେବା ଏଠାରେ ଏକ ପ୍ରଥା । ଆଗରୁ ଆମର ବି ଏହି କଥା ଥିଲା । ମୁଁ ତାକୁ ଖାଇ ଗୁଆର କଞ୍ଚାରସ ଢ଼ୋକି ଦେଲି । ତା‘ଫଳରେ ଏହା ମୋ ଛାତିରେ ଲାଗି ନିଶ୍ୱାସ ନେବାରେ କି କଷ୍ଟ ! ଶ୍ୱାସରୁଦ୍ଧ ହେବା ପରି ଲାଗିଲା । ଗୋଟିଏ ଦୋକାନକୁ ଯାଇ ପାଣି ଗ୍ଲାସେ ପିଇଦେବାରୁ ଟିକିଏ ଭଲ ଲାଗିଲା । କଞ୍ଚା ଗୁଆର ରସ ଭାରି କଷାଳିଆ । ପାଣି ପିଇ ଟିକିଏ ଆଶ୍ୱସ୍ତ ହେଲି ।