ସଜଳପୁର ଗାଁରେ ସମସ୍ତେ କହୁଥାନ୍ତି, “ନାରାୟଣ ଯେତିକି ସତ୍, ସେତିକି ସେ ସାହସୀ ମଧ୍ୟ । ସେ କେବେବି କାହାକୁ ଖୋସାମଦ କରେ ନାହିଁ । କାହାରି ପାଖକୁ ସେ କେବେବି ସାହାଯ୍ୟ ପାଇଁ ଯାଏ ନାହିଁ, କିନ୍ତୁ ସର୍ବଦା ଅନ୍ୟକୁ ସାହାଯ୍ୟ କରିବାକୁ ସେ ପ୍ରସ୍ତୁତ ଥାଏ ।”
ଏଭଳି ମନ୍ତବ୍ୟ ଶୁଣିଲେ ଖାଲି ଜଣେ ଲୋକର ଗାତ୍ର ଦାହ ହେଉଥାଏ । ସେ ହେଲେ ଗାଁର ସବୁଠାରୁ ଧନବାନ ବ୍ୟକ୍ତି ମହେନ୍ଦ୍ରବାବୁ । ସେ କହୁଥାନ୍ତି, “ନାରାୟଣର ବାପା ଆମ ସିରସ୍ତାରେ କାମ କରୁଥିଲା । ଆମରି ଘରୁ ଯାହା ଦରମା ପାଉଥିଲା, ନାରାୟଣ ସେଇଥିରେହିଁ ମଣିଷ ହୋଇଛି!”
ଲୋକେ କହୁଥାନ୍ତି, “ସେ ଯାହାହେଉ, ତା’ ବାପା କାମ କରୁଥିଲେ, ଆୟ କରୁଥିଲେ । ଆପଣଙ୍କ ପାଖରେ କାମ ନକରିଥିଲେ ଆଉ କେଉଁଠାରେ କରିଥାନ୍ତେ!”
ମହେନ୍ଦ୍ରବାବୁ କହୁଥାନ୍ତି “କିନ୍ତୁ ନାରାୟଣ ଯେ ଆଜି ଏତେ ଗର୍ବୀ ହୋଇଛି, ତାହା ପଛରେ ଆମରି ପରିବାରର ଅବଦାନ ଅଛି । କିନ୍ତୁ ନାରାୟଣକୁ ଦେଖ, ସେ କେବେବି ଥରେହେଲେ ସେ ବିଷୟ ମନେ ପକାଏ ନାହିଁ!”
ଏକଥାର ବିଶେଷ ମୂଲ୍ୟ ନଥିଲେ ବି ଏହା କହି ସେ ସନ୍ତୋଷ ଲାଭ କରୁଥାନ୍ତି ।
କଥା ହେଲା, ମହେନ୍ଦ୍ରବାବୁଙ୍କ ପାଖରେ ଗାଁର ପ୍ରାୟ ସବୁ ଲୋକ କୌଣସି ନା କୌଣସି କାରଣରେ ଋଣୀ ରହିଥିଲେ, କିନ୍ତୁ ନାରାୟଣ କେବେବି ତାଙ୍କ ପାଖରୁ କୌଣସି ସାହାଯ୍ୟ ଭିକ୍ଷା କରି ନାହିଁ । ଏହା ମହେନ୍ଦ୍ରବାବୁଙ୍କୁ ଭାରି ଅସ୍ୱସ୍ତିକର ଲାଗୁଥାଏ ।
ସବୁଦିନ ଉପରଓଳି ଗାଁର ଥିଲାବାଲା ଲୋକେ ଗାଁ ମଝି ବରଗଛ ମୂଳ ଚଉତରା ଉପରେ ମହେନ୍ଦ୍ରବାବୁଙ୍କୁ ଘେରି ବସୁଥାନ୍ତି । ସେଠାରେ ଦୁନିଆ ଯାକର ଗପ ପଡୁଥାଏ । ଅବଶ୍ୟ ମହେନ୍ଦ୍ରବାବୁହିଁ ସବୁଠାରୁ ବେଶି ଗପୁଥାନ୍ତି । କାରଣ ସେ ଧନୀଲୋକ । ଏଣୁ ସମସ୍ତେ ତାଙ୍କ କଥା ଶୁଣିବାକୁ ବାଧ୍ୟ । ସେ ଯାହା କହୁଥାନ୍ତି, ସେସବୁ ସାଧାରଣତଃ ନିଜ ବଡେଇ ।
ଦିନେ ଏମିତି ବୈଠକ ଚାଲିଛି, ନାରାୟଣ ହଠାତ୍ ସେଠାରେ ଆସି ପହଁଚିଗଲା । ସେ ମହେନ୍ଦ୍ରବାବୁଙ୍କୁ ନମସ୍କାର କରି କହିଲା, “ବାବୁ, ମୁଁ ଆଜି ଆପଣଙ୍କଠୁଁ କିଛି ସହାୟତା ଚାହେଁ ।”
ଏହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହେଲେ । ଏଣେ ମହେନ୍ଦ୍ରବାବୁଙ୍କ ମୁହଁରେ ତୃପ୍ତି ଓ ଗର୍ବ ଫୁଟି ଉଠିଲା । ଯେଉଁ ନାରାୟଣ କେବେ କାହାଠୁଁ କିଛି ହେଲେ ବି ଚାହେଁ ନାହିଁ ବୋଲି ସମସ୍ତେ କହିଥାନ୍ତି, ସେ ଆଜି ତାଙ୍କ ସହାୟତା ମାଗୁଛି!
ମହେନ୍ଦ୍ରବାବୁ ଗମ୍ଭୀର ହୋଇ କହିଲେ “ନାରାୟଣ କ’ଣ ଦରକାର? ମୋ ଦେଇ ଯାହା ହୋଇ ପାରିବ, ତାହା ତ ମୁଁ ନିଶ୍ଚୟ କରିବି ।”
“ମୋର ଘର ମରାମତି ହେବାର ଅଛି । ବର୍ଷା ଋତୁ ପୂର୍ବରୁ ସେ କାମଟି ହେବା ନିହାତି ଜରୁରୀ । ସେଥିପାଇଁ ମୋର ତିନିଶହ ଟଙ୍କା ପ୍ରୟୋଜନ…”
ନାରାୟଣ ଆଉ କିଛି କହିବା ପୂର୍ବରୁ ମହେନ୍ଦ୍ରବାବୁ ତାକୁ କହିଲେ, “ଆରେ ନାରାୟଣ, ଏଇ କଥା? ସନ୍ଧ୍ୟାବେଳେ ଘରକୁ ଆସିବୁ । ଟଙ୍କା ନେଇଯିବୁ ।”
ନାରାୟଣ କହିଲା “ନା ଆଜ୍ଞା, ଆପଣଙ୍କୁ ସେ ଟଙ୍କା ଦେବାକୁ ପଡିବ ନାହିଁ । ମୁଁ ତ ମହାଜନଠୁଁ ଟଙ୍କା ଆଣିବି । ତା’ ସହ କଥା ହୋଇ ସାରିଛି । ସେ ଖାଲି ଜଣେ ବିଶିଷ୍ଟ ଲୋକ ମୋ ତରଫରୁ ଜାମିନ୍ ରହିବେ, ଏତିକି ଚାହେଁ । ଆପଣ ଜାମିନ୍ ହେବେ, ମୋର ଏହାହିଁ ଅନୁରୋଧ ।”
ମହେନ୍ଦ୍ରବାବୁ ବୁଝାଇଲେ “ଜାମିନ୍ ହେବା କ’ଣ ଦରକାର? ତୋର ବା ମହାଜନଠୁଁ ଟଙ୍କା ଆଣିବା କ’ଣ ଦରକାର? ମୁଁ ପରା ତୋତେ ଟଙ୍କା ଦେବି ବୋଲି କହିଲି!”
ନାରାୟଣ କହିଲା “ବାବୁ, ଆପଣଙ୍କଠୁ ଟଙ୍କା ନେବାରେ ବହୁତ ଅସୁବିଧା ଅଛି ।”
ମହେନ୍ଦ୍ରବାବୁ ବୁଝାଇ କହିଲେ “କ’ଣ ଅସୁବିଧା? ମୁଁ ତ ବର୍ତ୍ତମାନ ଦେବାକୁ ପ୍ରସ୍ତୁତ । ଜାମିନ୍ ଦରକାର ନାହିଁ କି ସୁଧ ବି ଚାହେଁନା ।”
ନାରାୟଣ ଅଳ୍ପ ହସି କହିଲା, “ସେଇଟା ତ ଅସୁବିଧା! ସୁଧ ନଦେଇ ଟଙ୍କା ନେଲେ ମୋତେ ଭାରି ଅଡୁଆ ଲାଗିବ । ମହାଜନ ଟଙ୍କା ଦେଉ, ସୁଧ ନେଉ । ଆପଣ ଖାଲି ଜାମିନ୍ ରହନ୍ତୁ ।”
ମହେନ୍ଦ୍ରବାବୁ ଦେଖିଲେ, ନାରାୟଣକୁ ବୁଝାଇବା ଆଦୌ ସମ୍ଭବ ନୁହେଁ । ସୁତରାଂ ସେ ହସି ହସି କହିଲେ, “ଆଚ୍ଛା ନାରାୟଣ, ଗାଁରେ ଏତେ ବିଶିଷ୍ଟ ଲୋକ ଥାଉ ଥାଉ ତୁ ମୋତେ କାହିଁକି ଜାମିନ୍ ହେବା ପାଇଁ କହୁଛୁ?”
ମହେନ୍ଦ୍ରବାବୁ ଏହା ଆଶା କରୁଥିଲେ ଯେ, ନାରାୟଣ ସମସ୍ତଙ୍କ ଆଗରେ କହିବ କି ସେ ହେଲେ ସବୁଠାରୁ ନିର୍ଭରଯୋଗ୍ୟ ଲୋକ, ସବୁଠାରୁ ମାନ୍ୟଗଣ୍ୟ ଲୋକ, ସେ ଜାମିନ୍ ହେଲେ ଟଙ୍କା ଦେବାପାଇଁ ସେ ମହାଜନର ଆଉ ତିଳେ ମାତ୍ର ଦ୍ୱିଧା ରହିବ ନାହିଁ – ଏମିତି କିଛି ।
କିନ୍ତୁ ନାରାୟଣ କହିଲା, “ବାବୁ, କାରଣ ତ ଅବଶ୍ୟ ଅଛି । କିନ୍ତୁ ସେକଥା କହିବା କ’ଣ ଦରକାର?”
ମହେନ୍ଦ୍ରବାବୁ ଜିଗର କରି ପଚାରିଲେ “ନା, ନା, କହିଲେ କ’ଣ କ୍ଷତି?”
ନାରାୟଣ କହିଲା “ଯଦି ଆପଣ ନିଶ୍ଚୟ ଶୁଣିବେ, ତେବେ ମୁଁ ତାହା ଅବଶ୍ୟ କହିବି । କିନ୍ତୁ ବର୍ତ୍ତମାନ ନୁହେଁ । ଆଉ ଦିନେ ।”
ମହେନ୍ଦ୍ରବାବୁ ମହାଜନ ପାଖକୁ ଲୋକ ପଠାଇଲେ । ମହାଜନ ଆସିଲା । ସେ କହିଲେ, “ନାରାୟଣଙ୍କୁ ଟଙ୍କା ଦିଅ । ସେ ପରିଶୋଧ ନକରି ପାରିଲେ ମୁଁ ସେତକ ଦେବି ।”
ମହାଜନ ନାରାୟଣକୁ ଟଙ୍କା ଦେଇଦେଲା ।
ମାସକ ପରେ ନାରାୟଣ ମହାଜନର ଟଙ୍କା ପରିଶୋଧ କରିଦେଲା ଓ ମହେନ୍ଦ୍ରବାବୁ ପାତ୍ରମିତ୍ର ପରିବୃତ ହୋଇ ବସିଥିବା ବେଳେ ତାଙ୍କୁ ଆସି ସେ ଖବର ଦେଲା ।
ମହେନ୍ଦ୍ରବାବୁ ଆଶ୍ଚର୍ଯ୍ୟ ହୋଇ ପଚାରିଲେ “ଏଡେ ଶୀଘ୍ର ଋଣ ପରିଶୋଧ କରିଦେଲୁ? କେମିତି?”
ନାରାୟଣ କହିଲା “କଥା କ’ଣ କି, ଏ ଗରୀବ ଲୋକଟି ଅଳ୍ପ ଅଳ୍ପ ସଂଚୟ କରି ଜଣେ ସଜ୍ଜନଙ୍କଠିଁ ଜମା ରଖୁଥିଲା । ସେ ସଜ୍ଜନ ଗୋଟାଏ ଅସୁବିଧାରେ ପଡି ମୋ ଜମା ଟଙ୍କାରୁ କିଛି ଖର୍ଚ୍ଚ କରି ଦେଇଥିଲେ । ସେଥିପାଇଁ ମୋତେ କରଜ କରିବାକୁ ହେଲା । ସେ ଯେମିତି ମୋତେ ମୋ ଟଙ୍କା ଦେଇଦେଲେ ମୁଁ ସେମିତି ତାକୁ ନେଇ ମହାଜନକୁ ଦେଇଦେଲି ।”
ମହେନ୍ଦ୍ରବାବୁ ପଚାରିଲେ “କିଏ ସେ ସଜ୍ଜନ?”
ନାରାୟଣ କହିଲା “ବାବୁ, ମୁଁ ତାଙ୍କ ନାମ କହିବି ନାହିଁ । ସେ ଜଣେ ପ୍ରକୃତରେ ସଜ୍ଜନ । ମୋର ହଠାତ୍ ଟଙ୍କା ଦରକାର ପଡିବ ବୋଲି ସେ ଜାଣି ନଥିଲେ । ତେଣୁ ତାକୁ ସେ ଖର୍ଚ୍ଚ କରି ଦେଇଥିଲେ ।”
ମହେନ୍ଦ୍ରବାବୁ ପଚାରିଲେ “ଆଚ୍ଛା, ସେଦିନ ମୁଁ ଯେଉଁ ପ୍ରଶ୍ନଟି ପଚାରିଥିଲି, ତା’ର ଉତ୍ତର ଦେବୁ ନାହିଁ? ଏତେ ଲୋକ ଥାଉ ଥାଉ ତୁ ମୋତେ କାହିଁକି ଜାମିନଦାର୍ ରୂପେ ବାଛିଲୁ?”
ନାରାୟଣ ଇତସ୍ତତଃ କରି କହିଲା, “ସମସ୍ତଙ୍କ ଆଗରେ ଏ ପ୍ରଶ୍ନର ଉତ୍ତର ଦେବାକୁ ହେବ? କାରଣଟି ଗୋପନୀୟ । ଆପଣଙ୍କୁ ଏକାନ୍ତରେ କହିଲେ ଚଳିବ ନାହିଁ?”
ମହେନ୍ଦ୍ରବାବୁ ଉତ୍ସାହରେ କହିଲେ “ନା, ନା, ସମସ୍ତଙ୍କ ଆଗରେ କହିଲେ କ’ଣ କ୍ଷତି?”
ନାରାୟଣ କହିଲା “ବାବୁ, ଆପଣ ଅନେକ ସମୟରେ କହିଥାନ୍ତି, ମୋ ବାପା ଆପଣଙ୍କ ସିରସ୍ତାରେ ଚାକିରୀ କରୁଥିଲେ । ଅର୍ଥାତ୍ ମୁଁ ଆପଣଙ୍କ ପ୍ରତି କୃତଜ୍ଞ ରହିବା ଉଚିତ୍ । ତେଣୁ ଆପଣଙ୍କୁ ଜାମିନଦାର୍ କରି ମୁଁ ସେହି କୃତଜ୍ଞତା ପ୍ରକାଶ କଲି ।”
ମହେନ୍ଦ୍ରବାବୁ ପଚାରିଲେ “ତୋ କଥା ମୁଁ ମୋଟେ ବୁଝି ପାରୁନାହିଁ । ଏଥିରେ କିପରି କୃତଜ୍ଞତା ପ୍ରକାଶ କଲୁ?”
ନାରାୟଣ ବିସ୍ତାର ପୂର୍ବକ କହିଲା “ଏକଥା ତ ସମସ୍ତେ ଜାଣନ୍ତି ଯେ ମୁଁ କେବେବି କାହାରି ସାହାଯ୍ୟ ଭିକ୍ଷା କରେ ନାହିଁ । ମୋ ଭଳି ଲୋକ ଯେତେବେଳେ ସର୍ବ ସମକ୍ଷରେ ଆପଣଙ୍କ ସହାୟତା ମାଗିଲା, ଏହା କ’ଣ ଆପଣଙ୍କର ସୌଭାଗ୍ୟ ନୁହେଁ? ଆପଣଙ୍କୁ ଭାଗ୍ୟବାନ ବୋଲି ପ୍ରମାଣ କରି ମୁଁ ଆପଣଙ୍କ ପ୍ରତି କୃତଜ୍ଞତା ପ୍ରକଟ କଲି ।”
ଏଣେ ମହେନ୍ଦ୍ରବାବୁଙ୍କ ମୁହଁ ତିନ୍ତୁଳି ଖାଇଲା ଭଳି ଦିଶିଲା । ତେଣେ ଅନ୍ୟ ସମସ୍ତେ ହସ ଚାପି ରଖିଲେ ।