(ରାଗ: କାମୋଦୀ )
ଘେନାଇ ଆମ୍ଭେ ଯେତେ କହିଲୁ ରେ, ଘେନିଲୁ ନାହିଁ ବାଳା ପହିଲୁ ରେ,
ଘୃତଘଟକୁ ଶିଖି-ଶିଖା ପାଖରେ ରଖି ଶିରୀଷଦେହା ଏହା ସହିଲୁରେ ॥ପଦ॥
ଘସ୍ରନାଥନନ୍ଦନା ଅନାଉଣିକି ମନ କରୁଁ ଯେ ଥାଉଁ ହଟି ଚାହିଁଲୁ ରେ,
ଘଟୀସରିକି କରେ ନାହିଁ କି ବିବେକରେ ମହାର୍ଣ୍ଣବରେ ଅବଗାହିଲୁରେ ॥୧॥
ଘୋଟି କିତବମୂଳ ଘୋରି ଘୋର ଜାଙ୍ଗଳ ଗରଳତୁଲେ ତାହା ପିଇଲୁ ରେ,
ଘୁମାଇବାର ସମ୍ଭବିଲା ନାହିଁ କି ଆମ୍ଭ ସୁଯୋଗୁଁ ସିନା ବଞ୍ଚିଅଇଲୁରେ ॥୨॥
ଘେନି ଘେନାଇ ଯାଇ କହିବ ସମଜାଇ ଘଟିଲେ ଆମ୍ଭେ ଏକ ଜୀଇଲୁ ରେ,
ଘଟନା ବିରହରେ ଅବଶ୍ୟ ତ ଜହରେ ତୋ ଘେନି ଆତ୍ମଘାତି ହୋଇଲୁରେ ॥୩॥
ଘୋଳାରେ ପଛେ ମରୁ ଆଜୁ ତୋ ହୁକୁମରୁ ନିକୁଞ୍ଜ ଦଉଡ଼କୁ ରହିଲୁ ରେ,
ଘାଣ୍ଟି ହେଉଛୁ ମାତ୍ର ଆନୀଳଶତପତ୍ରନେତ୍ରା ଯା ଆମ୍ଭବଶ ନୋହିଲୁରେ ॥୪॥
ଘନେ ଚପଳାଲୀଳା ଚାହିଁ ଘନକୁନ୍ତଳା ତୁ କି ଏ ଅଭିଲାଷ ବହିଲୁ ରେ,
ଘାରି ଦେଲୁକି ରସେ ଅଷ୍ଟଦୁର୍ଗେଶ ଭାଷେ ଅବଶ୍ୟ ମୋହନକୁ ମୋହିଲୁରେ ॥୫॥