ଡକ୍ଟର ଶର୍ମା କହିଲେ – ଆପଣ ବାଟରେ ବହୁତ ହଇରାଣ ହୋଇଥିବେ । ଏବେ ସେ ସବୁ ଦୁଃଖ ଭୁଲି ଯା’ନ୍ତୁ । ତାଙ୍କ କାରରେ ଆମେ ସାଥୀ ହୋଇ ଗୌହାଟୀ ବିଶ୍ୱବିଦ୍ୟାଳୟକୁ ଗଲୁ । ସେଠାରେ ଅତିଥି ଭବନ (ଗେଷ୍ଟ ହାଉସ)ରେ ମୋର ରହିବା ବ୍ୟବସ୍ଥା ହେଲା । କିଛି ସମୟ ଦୁଃଖ ସୁଖ ହେଲା ଭିତରେ ସେ କହିଲେ – ଦୁଇ ଦିନ ଧରି ମୁଁ ଖୁବ ଚିନ୍ତାରେ ପଡ଼ିଥିଲି । ଆପଣ ଆସି ପାରିବେ କି ନାହିଁ । ଏଠାରେ ଗଣ୍ଡଗୋଳ । ପୁଣି ଏଇ କେତେ ଦିନ ପରେ ଦିଲ୍ଲୀରେ ଆମର ମିଟିଂ । ସେଥିପାଇଁ ନାନା ପ୍ରସ୍ତୁତି ।
ମୁଁ କିନ୍ତୁ ଆସାମକୁ ଆସିବା ପାଇଁ ମୋର ଆଗ୍ରହ ଏବଂ ଆସିଲା ପରେ ଖୁବ ଆନନ୍ଦ ପ୍ରକାଶ କଲି । ସେ ମଧ୍ୟ ଖୁସି ହେଲେ । କାମାକ୍ଷା ଷ୍ଟେସନରୁ ବିଶ୍ୱବିଦ୍ୟାଳୟ ୧୦ କିଲୋମିଟର ଦୂର । ମାତ୍ର ଅତିଥିଭବନଠାରୁ ତାହା ଜମା ୪ କିଲୋମିଟର । ତେବେ ଘଣ୍ଟାକ ପରେ ଗାଡ଼ି ପଠାଇଦେବେ କହି ସେ ନିଜ ଘରକୁ ଗଲେ ।
ମୁଁ ଘଣ୍ଟାକ ମଧ୍ୟରେ ନିତ୍ୟକର୍ମ ସାରିଦେଲି । ୩ଟାରେ ମୋତେ ଗୋଟିଏ ଭାଷଣ ଦେବାକୁ ହେବ । ମୁଁ ଦୁଇଟା ମଧ୍ୟରେ ଗାଧୁଆ ପାଧୁଆ ସାରି ପ୍ରସ୍ତୁତ ହୋଇଗଲି । ମାତ୍ର ଡ୍ରାଇଭର ଆସିବାରେ ବିଳମ୍ବ ହେବାରୁ ମୁଁ ବାହାରକୁ ଆସି ବୁଲାବୁଲି କଲି । ଦୂର ଦିଗବଳୟରେ ସୁନୀଳ ଉଚ୍ଚ ପାହାଡ଼ ଲମ୍ବି ଯାଇଛି । ମଥାନରେ ତା’ର କଳାହାଣ୍ଡିଆ ବାଦଲର ବୋଝ । ହତାରେ ସନ୍ତସନ୍ତିଆ ଭୂଇଁ । ପଙ୍କ କାଦୁଅଭରା । ସେଠାରେ କେହି ଯତ୍ନ ନେଲାପରି ଜଣାଗଲା ନାହିଁ । ତେବେ ହତା ମଝିରେ ଗୋଲାପ, ହେନା ଆଦି ଫୁଲଗଛମାନ ମୁଣ୍ଡଟେକି ଠିଆ ହୋଇଛନ୍ତି ।
ଦୁଇଟା ପନ୍ଦର ମିନିଟରେ କାର ଆସିଲା । ମୁଁ ବିଜ୍ଞାନ କେନ୍ଦ୍ରର କ୍ୟାଣ୍ଟିନରେ କିଛି ଖାଇ ତାଲିମ କେନ୍ଦ୍ରକୁ ଗଲି । ସେଠାରେ କିଛି ସମୟ ବସିଲା ପରେ ଶର୍ମା ଆସିଲେ । କୋଅର୍ଡ଼ିନେଟର ଭଟ୍ଟାଚାର୍ଜୀ ଶ୍ରେଣୀରେ କ’ଣ ଆଲୋଚନା କରୁଥିଲେ । ଆସିଲେ । ଗୋଟିଏ ଗ୍ରୁପ ଫଟୋ ଉଠାଇବାର ଆୟୋଜନ । ମୋତେ ସେମାନେ ବସିବାକୁ ଅନୁରୋଧ କଲେ । ଫଟୋ ଉଠିଲା ।
ତା‘ପରେ ଡକ୍ଟର ଶର୍ମା ସମସ୍ତଙ୍କ ସହ ମୋର ପରିଚୟ କରାଇଦେଲେ । ମୁଁ ମଧ୍ୟ ପ୍ରଥମ କରି ଆସାମ ଯାଇଥିବାରୁ ଆନନ୍ଦ ପ୍ରକାଶ କଲି । ଦୁଇ ପଡ଼ୋଶୀ ରାଜ୍ୟ ଓଡ଼ିଶା ଓ ଆସାମ । ସେମାନଙ୍କ ଭାଷା, ଧର୍ମ, ଆଚରଣ, ଚଳଣି ଆଦିରେ ଖୁବ୍ ସାମଞ୍ଜସ୍ୟ । ଶିକ୍ଷା ଓ ଦର୍ଶନ ସମ୍ପର୍କରେ ଭାଷଣ ଦେଲି । ଶେଷରେ ଆଲୋଚନା ହେଲା । କେନ୍ଦ୍ର ମାଧ୍ୟମିକ ଶିକ୍ଷାବୋର୍ଡର ଆଞ୍ଚଳିକ ଅଧିକାରୀ ଫୁକନ୍ବାବୁ ମଧ୍ୟ ଆଲୋଚନାରେ ଯୋଗଦେଲେ ।
ତା‘ପରେ ଆମେ ଡକ୍ଟର ଶର୍ମାଙ୍କ ବସାକୁ ଗଲୁ । ସେଠାରେ କଥାବାର୍ତ୍ତ ହେଲୁ । ପରସ୍ପର ଘରଦ୍ୱାର, ପିଲାପିଲିଙ୍କ ପଢ଼ାପଢ଼ି ସମ୍ପର୍କରେ ସୁଖଦୁଃଖ ହେଲୁ । ଆସାମ ବିଶେଷ କରି ଗୌହାଟୀ ସହର ବିଷୟରେ ଆଲୋଚନା କଲୁ । ଆସମର ଆଗକାଳର କଥା । ଆସାମ ପୌରାଣିକ ଯୁଗରେ ପ୍ରାଗ୍ଜ୍ୟୋତିଷପୁର ନାମରେ ବିଖ୍ୟାତ ଥିଲା । କାଳିଦାସଙ୍କ କାବ୍ୟ କବିତା ଏବଂ ଅନ୍ୟାନ୍ୟ ସଂସ୍କୃତ ଶାସ୍ତ୍ରମାନଙ୍କରେ ଏହାକୁ କାମରୂପ ବୋଲି ବର୍ଣ୍ଣନା କରାଯାଇଛି । ସମୁଦ୍ର ଗୁପ୍ତଙ୍କର ଏକ ଶିଳାଲିପିରେ (୫ମ ଶତାବ୍ଦୀ) ଏହାର ନାମ କାମରୂପ ବୋଲି କୁହାଯାଇଛି । ଦଶମ ଶତାବ୍ଦୀରେ ଲିଖିତ କାଳିକା ପୁରାଣରେ ପ୍ରାଗ୍ଜ୍ୟୋତିଷ ବା କାମରୂପର ବର୍ଣ୍ଣନା ରହିଛି । ୧୬ଶ ଶତାବ୍ଦୀର ଯୋଗିନୀତନ୍ତ୍ରରେ କାମରୂପର ସୀମା ସରାହଦ ଆଦି ଭୌଗଳିକ ଅବସ୍ଥିତି ସୁନ୍ଦର ଭାବରେ ଦିଆଯାଇଛି । ନେପାଳଠାରୁ ବ୍ରହ୍ମପୁତ୍ରର ମୁହାଣଯାଏ ଏକ ବିରାଟ ଭୁଖଣ୍ଡ କାମରୂପ ବୋଲି କୁହାଯାଇଛି । ସେଥିରୁ ଆଜିକାଲିର ଆସାମ ସହିତ ଉତ୍ତର ବଙ୍ଗର କୁଚବିହାର, ରଙ୍ଗପୁର, ଜଳପାଇଗୁଡ଼ି, ଦିନାଜପୁର ଆଦି କାମରୂପ ମଧ୍ୟରେ ଥିଲା ବୋଲି ଜଣାପଡ଼େ ।
‘ଆସାମ‘ ନାମକରଣ କିପରି ହେଲା ? ଏହି ପ୍ରଶ୍ନ ସବୁରି ମନରେ ଉଙ୍କି ମାରିବା ସ୍ୱାଭାବିକ । ୧୩ଶ ଶତାବ୍ଦୀରେ ଆହୋମ ନାମକ ଆଦିବାସୀ ଜାତି ବ୍ରହ୍ମପୁତ୍ର ଉପତ୍ୟକାକୁ ବର୍ମା ଆଡ଼ୁ ଆକ୍ରମଣ କରିଥିଲେ । ସେମାନେ ସେତେବେଳେ ଏଠାକୁ ଶାସନ କରୁଥିବା ଲୋକମାନଙ୍କୁ ହଟାଇ ରାଜପଣ କରିଥିଲେ । ସେମାନଙ୍କର ନାମ ଅନୁସାରେ ଆସାମ ନାମକରଣ ହୋଇଛି ବୋଲି କୁହାଯାଏ । ଆହୋମମାନେ ପରେ ହିନ୍ଦୁଧର୍ମ ଗ୍ରହଣ କରିଥିଲେ ଏନଂ ଆସାମୀ ଭାଷା ବ୍ୟବହାର କରିଥିଲେ ।
ସେତେବେଳେ ଆସାମରେ ଗୋସେଇଁ ନାମରେ ଏକ ବୈଷ୍ଣବ ଶ୍ରେଣୀ ଥିଲେ । ଆହୋମମାନେ ଗୋସେଇଁମାନଙ୍କଠାରୁ ଦୀକ୍ଷା ଗ୍ରହଣ କରିଥିଲେ । ସେମାନେ ପ୍ରଥମେ ମାତ୍ର ଏକ ହଜାର ଆସିଥିଲେ । ଅନୁକୂଳ ପରିବେଶରେ କେତୋଟି ବର୍ଷରେ ସେମାନେ ଲକ୍ଷାଧିକ ହୋଇଥିଲେ । ଆଉ କେତେକଙ୍କ ମତରେ ଏଠାରେ ଆଦିମ ଅଧିବାସୀମାନେ ଏହି ଭୂଇଁ ଉଚ୍ଚନୀଚ ପାହାଡ଼, ଉପତ୍ୟକା, ନଦୀନାଳର ଦେଶ ହୋଇଥିବାରୁ ଏହାକୁ ‘ଆସାମ‘ ବା ଅସମାନ କହନ୍ତି । ଏଥିରୁ ନାମ ଆସାମ ହୋଇଛି ।
ପୁରାଣମାନଙ୍କରେ କୁହାଯାଇଛି, ଏଠାରେ ଆଦିମ ଅଧିବାସୀ ଥିଲେ କିରାତ, ନିଷାଦ, କିନ୍ନର ଆଦି ଉପଜାତିର ଲୋକ । ଏମାନଙ୍କୁ ମ୍ଳେଚ୍ଛ ବା ଅସୁର ବୋଲି ମଧ୍ୟ କୁହାଯାଇଛି । ତା‘ପରେ ଆର୍ଯ୍ୟ, ମଙ୍ଗୋଲିୟ, ଚୀନ ଆଦି ବହୁଜାତି ଓ ସମ୍ପ୍ରଦାୟର ଲୋକ ଆସି ଏଠାରେ ବାସ କଲେ । ନାଗା, ଗାରୋ, ଖାସି, ଜୟନ୍ତିଆ ଆଦି ଅଧିବାସୀମାନେ ପାହାଡ କୋଳରେ ବହୁଯୁଗରୁ ରହି ଆସିଛନ୍ତି । ସେହିପରି ଆଉ ଏକ ଜାତିର ଆସିବାସୀ ହେଲେ ‘ବୋଡ଼ୋ‘ । ସେମାନଙ୍କ ଭାଷାରେ ବୋଡ଼ୋର ଅର୍ଥ ମଣିଷ । ସେମାନଙ୍କ ମଧ୍ୟରୁ ଅଧିକାଂଶ କାମରୂପ ଜିଲ୍ଲାର ପଶ୍ଚିମ ଭାଗରେ ବାସ କରନ୍ତି । ସେମାନଙ୍କୁ ‘ମେକ‘ (ସମ୍ଭବତଃ ‘ମ୍ଲେଚ୍ଛ‘ରୁ ହୋଇଛି) କହନ୍ତି । ଯେଉଁମାନେ ଏହାର ପୂର୍ବରେ ବାସ କରନ୍ତି, ସେମାନଙ୍କୁ କାଚାରୀ (ସମ୍ଭବତଃ ‘କାଚାର‘ ଅଞ୍ଚଳର) କୁହାଯାଏ ।
ବୋଡ଼ୋମାନେ ବିସ୍ତୃତ ଅଞ୍ଚଳ ଅଧିକାର କରି ରାଜୁତି କରୁଥିଲେ । ନଦୀକୂଳମାନଙ୍କରେ ଘରଦ୍ୱାର କରିଥିଲେ । ନିଜ ଭାଷାରେ ନଦୀଗୁଡିକର ନାମକରଣ କରିଥିଲେ । ପଶ୍ଚିମରୁ ଆର୍ଯ୍ୟ ଓ ପୂର୍ବରୁ ଆହୋମମାନେ ଆସିଥିଲେ । ଏକ ତାଇ ବା ସାନ ସମ୍ପ୍ରଦାୟ ଆହୋମ ବଂଶରେ ରାଜପଣ କଲେ । ଏହି ବଂଶର ରାଜା ପ୍ରଥମ ଜୟଧ୍ୱଜ ସିଂହ (୧୬୪୮ – ୧୬୬୩) ହିନ୍ଦୁ ଧର୍ମ ଗ୍ରହଣ କରିଥିଲେ ।
ରାମାୟଣ ଓ ମହାଭାରତରେ ଆସାମର ଅଧିବାସୀଙ୍କ ବିଷୟରେ ବହୁ ବର୍ଣ୍ଣନା ରହିଛି । ଆସାମର ଭୌଗଳିକ ଅବସ୍ଥିତି, ଏହାର ଭାଷା, ଧର୍ମ ଆଦିର ବହୁ ବର୍ଣ୍ଣନା ରହିଛି ।