ଠିକ୍ ପାଞ୍ଚ ବର୍ଷ ବୟସରେ ମୋର ବିଦ୍ୟାରମ୍ଭ ହୋଇଥିଲା । ସେତେବେଳେ ମୋର ଜେଜେବାପାଙ୍କର ଆଦେଶକ୍ରମେ ବୈଦିକ ରୀତି ଅନୁସାରେ କର୍ଣ୍ଣବେଧ ମଧ୍ୟ ହୋଇଥିଲା । ନରସିଂହ ମିଶ୍ର ନାମକ ଜଣେ ଶିକ୍ଷକ ମୋତେ ବର୍ଣ୍ଣବୋଧ ପଢ଼ାଇବାକୁ ଲାଗିଲେ । ଆମ ଗୃହର ଅଳ୍ପ ଦୂରରେ ଗୋଟିଏ ଉଚ୍ଚ ପ୍ରାଥମିକ ସ୍କୁଲ୍ (ଆଧୁନିକ ଶ୍ୟାମସୁନ୍ଦର ରାଜଗୁରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ)ରେ ମୋର ନାମ ଲେଖାହେଲା । ଶ୍ରୀ ନରସିଂହ ମିଶ୍ର ସେଇ ସ୍କୁଲ୍ର ଜଣେ ଶିକ୍ଷକ ଏବଂ ପ୍ରତ୍ୟହ ରାତି ଠିକ୍ ୭ଟା ବେଳେ ଆମ ଘରକୁ ଆସି ସେ ମୋତେ ଓ ମୋର ଜଣେ ଗରିବ ସାଙ୍ଗକୁ ପଢ଼ାଉଥାଆନ୍ତି । ଏଠାରେ ଗୋଟିଏ ଅତି କୌତୂହଳ ବିଷୟ ଉଲ୍ଲେଖ ନକରି ରହିପାରୁନାହିଁ । ଯେଉଁ ଗରିବ ଛାତ୍ରଟି ମୋ ସଙ୍ଗେ ପଢ଼ିବାକୁ ଆସନ୍ତି, ତାଙ୍କୁ ମାସିକ କିଛି କିଛି ପାରିଶ୍ରମିକ ଦିଆଯାଉଥିଲା । କେବଳ ସେତିକି ନୁହେଁ, ମୋର ଜେଜେ ମା’ ପର୍ବପର୍ବାଣି ବେଳେ ଯେତେସବୁ ଖଜା ପିଠା ହୁଏ, ସେଥିରୁ କିଛି ସେ ପିଲାକୁ ଦିଅନ୍ତି । ଜେଜେମାଆଙ୍କର ଶ୍ରଦ୍ଧା ତା’ ପ୍ରତି କାହିିଁକି ଏତେ ହୋଇଥିଲା, ତାହାର କାରଣ ସେତେବେଳେ ମୁଁ ବୁଝି ପାରୁ ନଥିଲି । କିନ୍ତୁ ବହୁ ବର୍ଷ ପରେ କଳାହାଣ୍ଡିରେ ମୁଁ ଗୋଟିଏ ସମ୍ୱାଦ ପାଇ ତାହାର ମର୍ମ ବୁଝି ପାରିଲି । ଆମେ ପଢ଼ିଲାବେଳେ ଯେତେବେଳେ କିଛି ଦୁଷ୍ଟାମି କରୁ କିମ୍ୱା ପଢ଼ାରେ ଭୁଲ୍ଭାଲ୍ ହୁଏ, ସେତେବେଳେ ମୋ ପିଠିରେ ବେତ୍ରାଘାତ ନହୋଇ ନରସିଂହ ମିଶ୍ରଙ୍କ ବେତ୍ର ସେହି ଗରିବ ଛାତ୍ରର ପିଠିରେ ଦାଗ ଦେଇଥାଏ । ମୋ ସାଥୀ ପିଲାଟି ସେତେବେଳେ କାନ୍ଦିକାନ୍ଦି କହେ, ‘ଆଉ ମୁଁ କେବେ ଏମିତି କରିବିନି, ମୋତେ ମାରନି ।’ କିମ୍ୱା ମୋ ଦୋଷରୁ ଯଦି ସେ ମାଡ଼ ଖାଇଥାଏ, କହେ, ‘ଆଜ୍ଞା ମୁଁ କରିନି । ବାବୁ କରିଛନ୍ତି ।’ (ସେ ମୋତେ ବାବୁ ବୋଲି ଡାକେ) ହାୟ ! କି ନିର୍ମମ ବିଧାନ ସେ ! ମୁଁ ଦୋଷ କଲି ଅଥଚ ଅନ୍ୟ ଜଣେ ଶିଶୁ ନିର୍ମମ ମାଡ଼ ଖାଇ ମୋତେ ଚେତାଇ ଦେଉଛି ଦୁଷ୍ଟାମି ନକରିବାକୁ । କଳାହାଣ୍ଡିରେ ଯେଉଁ ସମ୍ୱାଦଟି ମୁଁ ପାଇିଲି ତାହା ହେଉଛି, ଗଡଜାତ ରାଜାମାନଙ୍କର ପିଲାମାନେ ଯେତେବେଳେ ପାଠ ପଢ଼ିବାକୁ ଯାଆନ୍ତି ତାଙ୍କ ସହିତ ଏପରି କେତୋଟି ନିରୀହ ବେତନଭୋଗୀ ଛାତ୍ରଙ୍କୁ ପଠାଇ ଦିଆଯାଏ । ରାଜକୁମାରଙ୍କ ଦୁଷ୍ଟାମିଯୋଗୁଁ ଯେଉଁ ଶାସ୍ତି ଦିଆଯାଏ ତାହା ସେହି ଗରିବ ଛାତ୍ରଙ୍କୁ ମିଳେ । ଅର୍ଥାତ୍ ଦୁଷ୍ଟାମି କଲେ ଯେଉଁ ଦଣ୍ଡ ତାହା ରାଜକୁମାରମାନଙ୍କ ସମ୍ମୁଖରେ ଆଦର୍ଶ ରୂପେ ଦେଖାଇ ଦିଆଯାଏ । ଅର୍ଥାତ୍ ରାଜକୁମାରମାନଙ୍କ ଶାରୀରିକ କଷ୍ଟ କିଛି ହୁଏ ନାହିଁ । ଠିକ୍ ସେହି ନୀତିରେ ମୋ ସାଙ୍ଗ ପିଲାଟି ମଧ୍ୟ ନିଯୁକ୍ତ ହୋଇଥିବାର ଜଣାଯାଏ । ତେଣୁ ମୋର ଜେଜେମା ସେଥିର କ୍ଷତିପୂରଣ ରୂପେ ସେ ପିଲାଟିକୁ ସନ୍ତୋଷ କରିବାକୁ ଜାମା, ଲୁଗାପଟା ଓ ଖଜାପିଠା ଦେଇ ସ୍ନେହ କରନ୍ତି ।
ଦିନେ ସେହି ଗରିବ ଛାତ୍ରକୁ ବେତ୍ରାଘାତ ହେଲା, ଯାହାକି ତା’ ପକ୍ଷରେ ଅସମ୍ଭାଳ । ପରଦିନ ସକାଳୁ ସେ କାନ୍ଦି କାନ୍ଦି ମୋ ପାଖକୁ ଆସି କହିଲା, ‘ବାବୁ ! ଏ ମାଷ୍ଟ୍ରଟା ବଡ଼ ଦୁଷ୍ଟ । ଏହାକୁ ଏଥର ତଡ଼ିଦେବା ।’ ମୁଁ ଆଶ୍ଚର୍ଯ୍ୟ ହୋଇ ପଚାରିଲି, ‘କିପରି ?’ ସେ କହିଲା, ‘ଦେଖ’ । ସେ ପାଠ ପଢ଼ାଉଥିବେ, ସେତିକିବେଳକୁ ମୁଁ ଦୀପଟା ଫୁଙ୍କିଦେବି, ଅନ୍ଧାର ହେଲେ ତୁମେ ତାର ଆଙ୍ଗୁଠି କାମୁଡ଼ିଦେବ ।’ ମୁଁ ଟିକିଏ ଚମକି ପଡ଼ିଲି । ଏହା କିପରି ସମ୍ଭବ ? ସେ କହିଲା , ‘ନରସିଂହ ମିଶ୍ର ପର୍ଶୁରାମପୁର ଗାଁରୁ ଆସି ପାରଳାଖେମୁଣ୍ଡିରେ ପିଲାମାନଙ୍କୁ ବାଡ଼ୋଉଛି । ଆମେ ସବୁ ପିଲାଏ ଏକଥା ବିଚାର କରିଛୁ । ଏହାକୁ ଏଠାରୁ ଘଉଡ଼ି ଦେବା ।’ ସେଦିନ ରାତିରେ ଠିକ୍ ଆମର ମସୁଧା ଅନୁସାରେ ଦୀପ ଲିଭିଲା ଓ ନରସିଂହ ମିଶ୍ରଙ୍କ କାଣି ଆଙ୍ଗୁଠିରେ ମୋର ଚୋଟ ବସିଲା । ଶିକ୍ଷକ ଅବାକ୍ । ଅପ୍ରତ୍ୟାଶିତ ଘଟଣାରେ ସେ ଆମକୁ ମାରିବେ କ’ଣ, ଦଉଡ଼ି ଘରକୁ ପଳାଇଗଲେ ।
ମୋର ମନେ ଅଛି, ବ୍ରତ-ବେଶରେ ଅର୍ଥାତ୍ ମୁଣ୍ଡରେ ମୁକୁଟ ପିନ୍ଧି, ହଳଦିଆ ପାଟ ଓ ଦୀର୍ଘ ଦଣ୍ଡ ଧରି ଯେତେବେଳେ ମୁଁ ରୁଷାଣି ଗଲି, ଠିକ୍ ସେଇ ବେଶରେ ରାଜନବରକୁ ମୋତେ ନେବାକୁ ଜେଜେବାପା ପ୍ରସ୍ତାବ କଲେ । ବୋଧେ ମହାରାଜା କୃଷ୍ଣଚନ୍ଦ୍ର ଦେବଙ୍କ ଇଚ୍ଛାକ୍ରମେ ଏ ପ୍ରସ୍ତାବ ହୋଇଥିଲା । ଯଥା ସମୟରେ ଜେଜେବାପାଙ୍କ ସଂଗେ ମୁଁ ନଅରକୁ ଯାଇ ଯେତେବେଳେ ବୁଢା ରଜା ପ୍ରତାପରୁଦ୍ରଙ୍କ ସମ୍ମୁଖରେ ଉପସ୍ଥିତ ହେଲି, ସେ ମୋତେ ଚାହିଁ ଜେଜେବାପାଙ୍କୁ ପଚାରିଲେ, ‘ମୁକୁଟର ତାତ୍ପର୍ଯ୍ୟ କ’ଣ ? ରାଜାମାନେ ସିନା ମୁକୁଟ ପିନ୍ଧନ୍ତି ? ବ୍ରାହ୍ମଣମାନଙ୍କର ମୁକୁଟରେ କି ଅଧିକାର ?’ ଜେଜେବାପା ଉତ୍ତର ଦେଇ କହିଲେ, ‘ରାଜାଙ୍କ ମୁକୁଟ ରତ୍ନମଣ୍ଡିତ । କାରଣ ସେ ରାଜବିଭବର ଅଧିକାରୀ । କିନ୍ତୁ ବ୍ରାହ୍ମଣର ମୁକୁଟ ତାଳପତ୍ର, ଯେହେତୁ ସେ ପୋଥିର ଅଧିକାରୀ । ଯେ ଯେଉଁ ବିଷୟରେ ପାରଙ୍ଗମ, ତା’ର ସେହି ବିଷୟ ହିଁ ପ୍ରତୀକ ରୂପେ ଚିହ୍ନିତ ହୁଏ ।’ ଏହା ପରେ ରାଜା ପଚାରିଲେ, ‘ବ୍ରାହ୍ମଣର ଯଜ୍ଞୋପବୀତ ଏବଂ ବ୍ରହ୍ମଗଣ୍ଠିର ତାତ୍ପର୍ଯ୍ୟ କ’ଣ ?’ ଜେଜେବାପା ଉତ୍ତର ଦେଲେ, ‘ବ୍ରତ ଶବ୍ଦର ମୂଳ ଅର୍ଥ ହେଉଛି ବ୍ରହ୍ମଚର୍ଯ୍ୟ ରକ୍ଷା । ଏହାର ସୁରକ୍ଷାପାଇଁ ଯେଉଁ ସଂକଳ୍ପ ତାହା ହିଁ ବ୍ରହ୍ମଗଣ୍ଠି ଅର୍ଥାତ୍ ଆଜିଠାରୁ ବାଳକ ପ୍ରତିଜ୍ଞା କରୁଛି ଯେ, ସେ କୌଣସିମତେ ବ୍ରହ୍ମଚର୍ଯ୍ୟ ଦୀକ୍ଷାରୁ ସ୍ଖଳିତ ହେବନାହିଁ । ଏହି ବ୍ରତ ପାଳନ ହିଁ ବ୍ରାହ୍ମଣମାନଙ୍କ ବ୍ରତର ମୂଳ ନୀତି ।’ ରାଜା ପଚାରିଲେ- ‘ଦଣ୍ଡଧାରଣ ଓ ବଳ୍କଳ ପିନ୍ଧିବାର ଉଦ୍ଦେଶ୍ୟ କ’ଣ ?’ ଜେଜେବାପା ଉତ୍ତର ଦେଲେ- ‘ପୂର୍ବେ ଦଣ୍ଡୀ ଭିକ୍ଷୁ ଓ ସନ୍ନ୍ୟାସୀମାନେ ଲଣ୍ଡିତ ମସ୍ତକରେ ଦଣ୍ଡଧାରଣ କରି ଯେପରି ଯାତ୍ରା କରୁଥିଲେ, ତାହାର ଅନୁକରଣରେ ବର୍ତ୍ତମାନ ଏ ବାଳକ ଗୁରୁଗୃହକୁ ପ୍ରେରିତ ହେବାର ଏ ନିଦର୍ଶନ ।’ ରାଜା ଅତି ଆନନ୍ଦରେ ପଚାରିଲେ- ‘ଏ ତ ଗୁରୁଗୃହକୁ ଯାଉଛି; କିନ୍ତୁ ଫେର୍ ନିଜ ଗୃହକୁ ନେଉଛ କିପରି ?’ ଏଠାରେ ଜେଜେବାପା ଟିକିଏ ହସି ଦେଇ କହିଲେ- ‘ପୂର୍ବର ସେ କଥା ପୁରାଣରେ ଲୁଚିଗଲାଣି । ସେଇ ପ୍ରାଚୀନ ପ୍ରଥାର ଏହା ଗୋଟିଏ ଧ୍ୱଜ ମାତ୍ର । ଏବେ ପିଲାର ମାମୁ ତାକୁ ଫେରାଇବାକୁ ଦଉଡ଼ି ଯାଇ ଘରକୁ ନେଇ ଆସିବା ପ୍ରଥା ସମାଜରେ ନୂଆରେ ଯୋଡ଼ି ଦିଆଯାଇଛି । ଏଇ ପ୍ରଥାକୁ ଆମେ ରୁଷାଣି କହୁ ।’ ରାଜା ଥିଲେ ଜଣେ ନୈଷ୍ଠିକ ଶିବ ଭକ୍ତ ଓ ପଣ୍ଡିତ । ସେ ଟିକିଏ ବିରସ ହୋଇ କହିଲେ, ‘ଆହା ! କେଡେ଼ ଉନ୍ନତ ଯୁଗଟି ଆମ ଦେଶରୁ ଚାଲିଗଲା ?’
୧୯୨୧ ମସିହାରେ ଏଠାରେ ଅସହଯୋଗ ଆନ୍ଦୋଳନ ତୀବ୍ରତର ହେଲା । ଠିକ୍ ସେ ବର୍ଷ ମହାତ୍ମାଗାନ୍ଧୀ ନିଜେ ତାଙ୍କର ପ୍ରଚାର ଉଦ୍ଦେଶ୍ୟରେ ପାରଳାଖେମୁଣ୍ଡି ଆସିିଥିଲେ । ମୁଁ ଠିକ୍ ତାଙ୍କର ପଛପଟେ ଚାଲିଥାଏ । ମୋ ସାଙ୍ଗକୁ ଆଉ ଦୁଇଜଣ ପିଲା ମଧ୍ୟ ହାତକୁ ହାତ ଛନ୍ଦିିଲେ । କିନ୍ତୁ ଜନତାର ଚାପ ଏତେ ପରିମାଣରେ ଆମ ପଛଆଡ଼ୁ ପଡ଼ିଲା ଯେ, ମୁଁ ଆଉ ସମ୍ଭାଳି ନପାରି ମହାତ୍ମାଙ୍କ ପିଠି ଆଡ଼କୁ ଠେଲି ହୋଇଗଲି । ସେ ମୋ ଆଡେ଼ ଚାହିଁ ସ୍ମିତହାସ୍ୟ କରି ହିନ୍ଦୀରେ କହିଲେ- ‘ଛୋକରା ! ତୁ ନିଜକୁ ନିଜେ ତ ସମ୍ଭାଳି ପାରୁନାହୁଁ । ମୋତେ ସମ୍ଭାଳିବୁ କିପରି ?’ ଗୋଟିଏ ଦିନର କଥା ଆଜି ମୋର ସ୍ମରଣ ହେଉଛି । ଆମ ଗୃହ ବାରଣ୍ଡାରେ କେତେଜଣ ଛାତ୍ରଙ୍କ ସଂଗେ ମୁଁ ବସି ଗପସପ କରୁଥାଏ । ସେତିକିବେଳେ ଗୋଟିଏ ଭିକାରି ବାଳକ ଛିଣ୍ଡା ଲୁଗା ଖଣ୍ଡିଏ ପିନ୍ଧି, ମଇଳା ବୁକୁଚାଟିଏ ଧରି ଆମ ଆଡ଼କୁ ଆସିଲା, ବୋଧେ କିଛି ଭିକ୍ଷା ଆମଠାରୁ ପାଇବା ଆଶାରେ । ପିଲାଟି ଗୌରବର୍ଣ୍ଣ, ସୁସ୍ଥ ସବଳ, କିନ୍ତୁ ତା’ର ମୁହଁ ଅନାହାରକ୍ଲିଷ୍ଟ ଓ ଶୁଷ୍କ । ତାକୁ ଦେଖି କେଜାଣି କାହିଁକି ମୋ ମନରେ କୌତୂହଳ ହେଲା । ପଚାରିଲି- ‘ଘର ତୁମର କେଉଁଠି ?’ ସେ କହିଲା, ‘ଖଲ୍ଲିକୋଟ’ ।
ମୁଁ- ‘ନାମ ?’
ସେ- ‘ବ୍ରହ୍ମଚାରୀ ମୁଇଁ ।’
ମୁଁ- ‘ବାପା ମା କିଏ ଅଛନ୍ତି ?’
ସେ – ‘ମୋର କେହି ନାହାନ୍ତି । ବୁଢ଼ୀ ମା ଥିଲେ ସେ ମରିଗଲେ; ମୁଁ ଅନାଥ ଭିକାରି ।’
ମୁଁ- ‘ତୁମ ବୟସ ?’
ସେ- ‘ବାର ବର୍ଷ ।’
ମୁଁ- ‘ଆଚ୍ଛା, ଆମେ ଯଦି ସବୁପ୍ରକାର ସାହାଯ୍ୟ କରୁ ତୁମେ ପାଠ ପଢ଼ିବ ?’
ସେ- ହଁ, ନିଶ୍ଚୟ ପଢିବି ।
ଏକଥା ଶୁଣି ମୁଁ ଆମର ସଂଗୀମାନଙ୍କୁ ଚାହିଁ ଉତ୍ତେଜିତ ସ୍ୱରରେ କହିଲି, ‘ଆସ ! ଆମେ ସମସ୍ତେ ମିଶି ଏ ପିଲାଟିକୁ ଚାନ୍ଦା କରି ପଢ଼ାଇବା । ଯଦି ଗୋଟିଏ ଗରିବ ଛାତ୍ରକୁ ମଣିଷ କରାଇ ପାରିବା ତେବେ ଆମମାନଙ୍କର ଦାନ ସାର୍ଥକ ହେବ ।’ ଏହା ଶୁଣି ମୋର ସଙ୍ଗୀମାନେ ସମସ୍ତେ ଉତ୍ସାହିତ ହେଲେ । କିଏ ବହିପତ୍ର ଦେଲା ତ କିଏ ଜାମା ଲୁଗା ତା’ପାଇଁ ଆଣି ଦେଲା । ମୁଁ ତା’ର ଖିଆପିଆର ବନ୍ଦୋବସ୍ତ କରିଦେଲି, ରାଧାକାନ୍ତ ମଠ ମହନ୍ତଙ୍କୁ ଅନୁରୋଧ କରି । ଆଉ ତା’ର ଦରମାପାଇଁ ସ୍କଲାର୍ସିପ୍ ମଧ୍ୟ ବନ୍ଦୋବସ୍ତ କଲି । ଦିନେ କଲେଜ୍ରେ ଗୋଟିଏ ବିରାଟ ସଭାରେ ମହାରାଜା ଭାଷଣ ଦେଇ ଆହ୍ୱାନ କଲେ, ‘ଯେଉଁ ଛାତ୍ରମାନେ ସମର ଶିକ୍ଷା କରିବାକୁ ଇଚ୍ଛା କରନ୍ତି ସେମାନେ ଠିଆ ହୁଅନ୍ତୁ । ମୁଁ ତାଙ୍କୁ ସରକାରଙ୍କଠାରେ ସୁପାରିଶ ପତ୍ର ଦେଇ ମାନ୍ଦ୍ରାଜ ପଠାଇଦେବି ।’ ଯୁଦ୍ଧର କଥା ଶୁଣି କେହି ଛାତ୍ର ମହାରାଜାଙ୍କ ଆହ୍ୱାନର ଉତ୍ତର ଦେଲେ ନାହିଁ । ଆମେ ସମସ୍ତେ ପରସ୍ପର ମୁହଁକୁ ଚାହାଁଚାହିଁ ହେଲୁ । ସେତିକିବେଳେ ଦେଖାଗଲା ଯେ, ଟିକିଏ ଦୂରରେ ଗୋଟିଏ ଗୌରବର୍ଣ୍ଣ ସୁସ୍ଥସବଳ ବାଳକ ମହାରାଜାଙ୍କ ଆଡ଼କୁ ଚାହିଁ ଠିଆ ହୋଇଛି । ସେ ହେଉଛି ଆମର ଅନୁଗୃହୀତ ବ୍ରହ୍ମଚାରୀ ମୁଇଁ ।
ମୋର ମନେପଡ଼ୁଛି, ୧୯୪୩ ମସିହାରେ ପୁରୀରୁ ମୁଁ ପାରଳାଖେମୁଣ୍ଡି ଫେରୁଥାଏ । ଖୋର୍ଦ୍ଧା ଷ୍ଟେସନ୍ରେ ମୁଁ ମାନ୍ଦ୍ରାଜ୍ ମେଲ୍କୁ ଅପେକ୍ଷା କରିଥାଏ । ସେତେବେଳେ ଗୋଟିଏ ସ୍ପେଶାଲ୍ ମିଲିଟାରୀ ଗାଡ଼ି ମାନ୍ଦ୍ରାଜ ଆଡ଼ୁ ଆସି ଖୋର୍ଦ୍ଧାରେ ପହଞ୍ଚିଲା । ପ୍ଲାଟଫର୍ମରେ ମୁଁ ଛିଡ଼ାହୋଇଛି । ହଠାତ୍ ସେ ଗାଡ଼ିର ଏକ ସ୍ୱତନ୍ତ୍ର କାମେରାରୁ ଜଣେ ସାହେବ ଓହ୍ଲାଇ ମୋ ଆଡ଼କୁ ଆସିଲେ । ମୁଁ ବାଟରୁ ଟିକିଏ ଆଡେଇ ହୋଇ ଯାଉଛି । ମୋର ହାତ ଦୁଇଟିକୁ ସେ ଧରି ପକାଇ ନମସ୍କାର କଲେ । ମୁଁ ଅବାକ୍ । ଏ କିଏ ? ମୋତେ କାହିଁକି ଅଭିନନ୍ଦନ କରୁଛନ୍ତି ? ମୁଁ ଆଶ୍ଚର୍ଯ୍ୟ ହୋଇ ତାଙ୍କ ମୁହଁକୁ ଚାହିଁଥାଏ । ମିଲିଟାରୀ ଡ୍ରେସ୍ ମଣ୍ଡିତ ଜଣେ ଉଚ୍ଚ କର୍ମଚାରୀ ସେ । ଗୋରା ତକ୍ତକ୍ ସୁସ୍ଥ ସବଳକାୟ । ସେ ହ୍ୟାଟ୍ ଖଣ୍ଡିକ ବାହାର କରି ସ୍ପଷ୍ଟ ଓଡ଼ିଆରେ କହିଲେ, ‘ଚିହ୍ନି ପାରୁନ ? ମୁଁ ପରା ତମର ସେହି ପଦାଶ୍ରିତ ବ୍ରହ୍ମଚାରୀ ମୁଇଁ । ତୁମରି କରୁଣାରୁ ମୁଁ ଆଜି ଏହି ଲେଫଟ୍ନାଣ୍ଟ ପଦବୀରେ ବରିତ ହୋଇ ପାରିଛି ।’ ମୁଁ ଆଶ୍ଚର୍ଯ୍ୟ ହେଲି ।
ବିଶିଷ୍ଟ ଗବେଷକ ଓ ଐତିହାସିକ ପଦ୍ମଶ୍ରୀ ସତ୍ୟନାରାୟଣ ରାଜଗୁରୁଙ୍କ ଆତ୍ମଜୀବନୀ ‘ମୋ ଜୀବନ ସଂଗ୍ରାମ’ରୁ ଉଦ୍ଧୃତ ।