• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଅନ୍ୟାନ୍ୟ»ଜାତି ଜାଗୃତି ଓ ପ୍ରଗତି»ଏ କଳଙ୍କିତ ଅଧ୍ୟାୟର ଶେଷ ହେବ କେବେ?
ଜାତି ଜାଗୃତି ଓ ପ୍ରଗତି

ଏ କଳଙ୍କିତ ଅଧ୍ୟାୟର ଶେଷ ହେବ କେବେ?

Subrat Kumar PrustyBy Subrat Kumar PrustyFebruary 13, 2020No Comments10 Mins Read
Facebook Twitter Pinterest Reddit LinkedIn Tumblr Email
Share
Facebook Twitter Pinterest Reddit Email

ଗୋଟିଏ ଜାତିର ଶିକ୍ଷା ବ୍ୟବସ୍ଥା ହିଁ ସେହି ଜାତିର ଉତ୍ଥାନ ପତନର ଦିଗ ନିର୍ଣ୍ଣୟ କରିଥାଏ । ତେଣୁ କୁହାଯାଏ-‘ଯେଉଁ ଜାତିର ଶିକ୍ଷା ଯେତେ ଉନ୍ନତ ସେହି ଜାତି ସେତେ ସମୃଦ୍ଧ ।’ ଦିନ ଥିଲା ଆମର ଏହି ଓଡ଼ିଆ ଜାତି ଉଚ୍ଚକୋଟୀର ଶିକ୍ଷା ବ୍ୟବସ୍ଥା ଯୋଗୁଁ କେବଳ କାବେରୀରୁ ବ୍ରହ୍ମପୁତ୍ର ନ‌ଦୀ ପର୍ଯ୍ୟନ୍ତ ବିସ୍ତୃତ ଭୂ-ଭାଗର ଅଧୀଶ୍ୱର ହୋଇ ନ ଥିଲା, ବରଂ କଳିଙ୍ଗ ସାଗର (ବର୍ତ୍ତମାନର ବଙ୍ଗୋପସାଗର) ପାରହୋଇ ମିଆଁମାର, ମାଳୟ, କାମ୍ବୋଡିଆ, ଭିଏତ୍‌ନାମ, ବାଲି, ଜାଭା, ସୁମାତ୍ରା ଆଦି ଭୂ-ଖଣ୍ଡର ଅଧିବାସୀଙ୍କୁ ଶିକ୍ଷିତ କରାଇବା ସହ ସେଠାକାର ଶାସନ କ୍ଷମତା ହାତକୁ ନେଇ ବିଶ୍ୱର ସର୍ବପ୍ରଥମ ଉପନିବେଶ ସୃଷ୍ଟିକାରୀ ଦେଶ ଭାବରେ ଇତିହାସ ପୃଷ୍ଠାରେ ସ୍ଥାନ ପାଇପାରିଥିଲା । ଏହି ଶିକ୍ଷାବଳରେ ୧ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ୟୁରୋପ ମହାଦେଶର ଏକ ଛୋଟ ଦ୍ୱୀପ ଇଂଲଣ୍ଡ ସମଗ୍ର ବିଶ୍ୱକୁ ଶାସନ କରିପାରିଥିଲା । ଆଉ ଏବେ ଆମେରିକା ପ୍ରତ୍ୟକ୍ଷରେ ନ ହେଲେ ବି ପରୋକ୍ଷ ଭାବରେ ବିଶ୍ୱକୁ ଶାସନ କରୁଛି ।

ଅଥଚ ଆମ ଓଡ଼ିଶା ଏକ ଗଣତାନ୍ତ୍ରିକ ସଂଘୀୟ ରାଷ୍ଟ୍ରର ପ୍ରମୁଖ ରାଜ୍ୟ ହୋଇଥିଲେ ମଧ୍ୟ ତଥା ଏହାର ପ୍ରକୃତି, ପରମ୍ପରା, ମାନବିକ ଚାଲିଚଳଣି, ଚିନ୍ତାଧାରା ଆଦି ଅତି ଉଚ୍ଚକୋଟୀର ହୋଇଥିଲେ ମଧ୍ୟ, ବିଗତ କିଛିବର୍ଷ ଧରି ଆମ ରାଜ୍ୟର ଶିକ୍ଷାମନ୍ତ୍ରୀମାନଙ୍କର ଖାମଖିଆଲି ମନୋଭାବ ଯୋଗୁଁ ଉଚ୍ଚଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବାଦ୍ୱାରା କେବଳ ଓଡ଼ିଆ ମେଧାବୀଗଣଙ୍କ ମେଧାକୁ ହତ୍ୟା କରାଯାଉନାହିଁ, ବରଂ ଏମାନଙ୍କୁ ଏକବିଂଶ ଶତାବ୍ଦୀରେ ଚନ୍ଦ୍ରରେ ପାଦ ରଖିବାକୁ ସ୍ୱପ୍ନ ଦେଖୁଥିବା ବିଶ୍ୱର ଅନ୍ୟାନ୍ୟ ଛାତ୍ରଛାତ୍ରୀଙ୍କ ସହ ତାଳ ଦେଇ ନ ପାରି ଦାନା ମୁଠାଏ ଯୋଗାଡ଼ କରିବାରେ ଅହରହ ସଂଘର୍ଷ କରିବାକୁ ବାଧ୍ୟ କରାଯାଉଛି । ଫଳରେ ପ୍ରଚୁର ପ୍ରାକୃତିକ ସମ୍ପଦ ଏବଂ ଉପଯୁକ୍ତ ମାନବସମ୍ବଳ ଥାଇ ମଧ୍ୟ ଓଡ଼ିଶା ଆଜି ବିଶ୍ୱର ଏକ ଗରିବ ରାଜ୍ୟ ଭାବରେ ଚିହ୍ନିତ ହେଉଛି ।

ଆମ ଶିକ୍ଷାମନ୍ତ୍ରୀ କେତେ ପାରିବାର :

ସ୍ୱାଧୀନତା ପରଠାରୁ ଆମେ ଅନେକ ଉଚ୍ଚଶିକ୍ଷାମନ୍ତ୍ରୀ ପାଇଛୁ । ମାତ୍ର ଏମାନେ ଶିକ୍ଷାକୁ କେବେ ଉଚ୍ଚ ଆସନ ଦେଇନାହାନ୍ତି । ତା’ ହୋଇଥିଲେ ଓଡ଼ିଶାରୁ ଏପର୍ଯ୍ୟନ୍ତ ବର୍ଷକୁ ମାତ୍ର ହାତଗଣତି ଡାକ୍ତର ବାହାରୁ ନ ଥାନ୍ତେ, କିମ୍ବା ଭଲ ଅଧ୍ୟାପକ, ଇଞ୍ଜିନିୟର, ବୈଜ୍ଞାନିକଙ୍କର ଅଭାବ ଓଡ଼ିଶାରେ ହୋଇ ନ ଥାନ୍ତା । କେବଳ ସ୍ୱର୍ଗତଃ ବନମାଳୀ ପଟ୍ଟନାୟକ ଶିକ୍ଷାମନ୍ତ୍ରୀ ଭାବରେ କିଛି ନୂଆ ପରମ୍ପରା ସୃଷ୍ଟି କରି ନିଜ କାର୍ଯ୍ୟକ୍ଷତାର ପ୍ରମାଣ ଦେଖାଇଥିଲେ । ଏହାପରେ ଉଚ୍ଚଶିକ୍ଷା ବିଭାଗ ନୀଚ୍ଚଶିକ୍ଷାରେ ପରିଣତ ହୋଇ ମେଧାମାରଣ ଯଜ୍ଞରେ ନିୟୋଜିତ ଅଛି । ଯଦିଓ ଆମ ବୁଦ୍ଧିଜୀବୀଗଣ ମୂକ ଓ ନୀରବ, ତଥାପି ନିଜଆଡ଼ୁ ଏହି ମନ୍ତ୍ରୀଗଣ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ସଫେଇ ଦେଇ ନିଜକୁ ଦୋଷମୁକ୍ତ ବୋଲି ପ୍ରମାଣ କରିବାକୁ ଚେଷ୍ଟା କରନ୍ତି ।

ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ଶିକ୍ଷା ବିଭାଗ ପ୍ରତି ଆଗ୍ରହ କେତେ ?

ପ୍ରବାଦ ଅଛି “ମାଙ୍କଡ଼ ହାତରେ ରଙ୍କରତନ, ନଚେଇ ନଚେଇ ନେଲା ତା’ ପ୍ରାଣ ।” ଓଡ଼ିଶାର ମିଳିତ ସରକାର ଗଠିତ ହେବାପରେ ବିଜେପି ଦଳ ହାତରେ ଉଚ୍ଚଶିକ୍ଷା ବିଭାଗ ଟେକିଦେବାରୁ ଯେଉଁ ବ୍ୟକ୍ତିଜଣକୁ ଏହି ବିଭାଗର ଜଣେ କ୍ୟାବିନେଟ୍ ମନ୍ତ୍ରୀ ଭାବରେ ଅବସ୍ଥାପିତ କରାଗଲା, ସେ ବ୍ୟକ୍ତିଙ୍କ ଯୋଗ୍ୟତା, ଦକ୍ଷତା ତଥା ଶିକ୍ଷାବିଭାଗ ପ୍ରତି ସକାରାତ୍ମକ ଦୃଷ୍ଟିଭଙ୍ଗୀ ସଂପର୍କରେ ବିଚାର କରାଗଲା ନାହିଁ । ଫଳରେ ସେ ମହାଶୟ ଜଣକ ୪ କୋଟି ଲୋକଙ୍କ ଆସ୍ଥା ଓ ବିଶ୍ୱାସକୁ ପାଦରେ ଦଳିଦେଇ ଯେଉଁ ରାଜ୍ୟର ମନ୍ତ୍ରୀ ହୋଇଛନ୍ତି ତାହାର ସର୍ବାଙ୍ଗୀନ ଉନ୍ନତି ଚିନ୍ତା ନ କରି, ପ୍ରଥମରୁ ହିଁ ଚିନ୍ତା କରିଥିଲେ ପୂର୍ବଥର ପରି ଏଥର କିପରି ନିଜ ପକେଟ୍ ପୂରଣ କରିବେ । ତେଣୁ ଉଚ୍ଚଶିକ୍ଷା ଭଳି ଏକ ଦେବାଳିଆ ସଂସ୍ଥାର ଚିର ଦୁହାଁଯାଇ କିପରି ଉକ୍ରୃଷ୍ଟ ଦୁଗ୍ଧ ଅମଳ କରାଯାଇପାରିବ, ସେ ସଂପର୍କରେ ଖୋଳତାଡ଼ ଆରମ୍ଭ କରିଦେଲେ ଆମ ଏହି ଉଚ୍ଚଶିକ୍ଷା ମନ୍ତ୍ରୀ ମହୋଦୟ । ଫଳରେ ଓଡ଼ିଶାର ଗ୍ରାମାଞ୍ଚଳର ଗରିବ, ଖଟିଖିଆଙ୍କ ଝାଳରେ ନିର୍ମିତ ହୋଇଥିବା ମହାବିଦ୍ୟାଳୟଗୁଡ଼ିକର ଶିକ୍ଷାବ୍ୟବସ୍ଥା କିପରି ଉନ୍ନତ ହେବ, ସେ ବିଷୟରେ କୌଣସି ବ୍ୟବସ୍ଥା ନ କରି, ଏଠାରେ ମାଗଣାରେ ଖଟୁଥିବା ଶିକ୍ଷକ, କର୍ମଚାରୀଙ୍କ ଅବସ୍ଥା କଥା ଚିନ୍ତା ନ କରି, ଉଚ୍ଚଶିକ୍ଷା ସଂସ୍କାର ନାମରେ ସହରମାନଙ୍କରେ ଶିକ୍ଷା ପ୍ରଦାନର କୌଣସି ଭିତ୍ତିଭୁମି ନ ଥାଇ ୨୫ ଲକ୍ଷ ଟଙ୍କା ବିନିମୟରେ ଗୋଟିଏ ଗୋଟିଏ +୨ ଆବାସିକ ବିଜ୍ଞାନ ମହାବିଦ୍ୟାଳୟ ଖୋଲିବାକୁ ଅନୁମତି ଦେଲେ; ଯେଉଁଗୁଡ଼ିକ ପାଲଟିଯାଇଛନ୍ତି ଗୋଟିଏ ଗୋଟିଏ ଶୋଷଣକରା ମେସିନ୍ । ଧନୀ ବାପାମା’ଙ୍କ ମୁର୍ଖ ଓ ବାଳୁଙ୍ଗା ସନ୍ତାନଗଣଙ୍କୁ ଉଚ୍ଚଶିକ୍ଷାର ଭଲ ଡିଗ୍ରୀଟିଏ ଦେଇ ପ୍ରଚୁର ଅର୍ଥ ସଂଗ୍ରହ କରିବା କୌଶଳଦ୍ୱାରା ନିଜପାଇଁ ସିନା ପ୍ରଚୁର ଅର୍ଥ ସଂଗ୍ରହ କରିନେଲେ, ମାତ୍ର ଉଚ୍ଚ ମାଧ୍ୟମିକ ଶିକ୍ଷାବ୍ୟବସ୍ଥାକୁ ସାମଗ୍ରିକ ଭାବରେ ଅବହେଳା କରିବାରୁ ଗାଁ’ ଗହଳର ଅସଂଖ୍ୟ ମେଧାବୀ ଯେ ଅକାଳରେ ମଉଳି ଯାଉଛନ୍ତି ବିଗତ ୪ ବର୍ଷ ଧରି, ସେ ବିଷୟରେ ନା ଆମ ମନ୍ତ୍ରୀ ଚିନ୍ତା କଲେ, ନା ଏହି ପିଲାମାନଙ୍କର ବାପାମାଆମାନେ ।

ଅର୍ଥ ଅଭାବ ଆଳରେ ନିଯୁକ୍ତି ବନ୍ଦ :

ଉଚ୍ଚଶିକ୍ଷା ବ୍ୟବସ୍ଥା ହିଁ କୁଶଳୀ ଓ ଯୁଗୋପଯୋଗୀ ମାନବସମ୍ବଳ ପ୍ରସ୍ତୁତ କରେ, ସେଥିପାଇଁ କୋଠାରୀ ଆୟୋଗ (୧୯୬୪-୬୬) ମତ ଦେଇଥିଲେ-“ଭାରତର ଭାଗ୍ୟ ତା’ର ଶ୍ରେଣୀକକ୍ଷରେ ତିଆରି ହେଉଛି ।” ଜାତୀୟ ଶିକ୍ଷାନୀତି (୧୯୮୬) ମଧ୍ୟ ମତ ଦେଇଥିଲେ-“କୌଣସି ଲୋକ ଶିକ୍ଷକଙ୍କ ସ୍ତରକୁ ଅତିକ୍ରମ କରିପାରିବ ନାହିଁ ।” ଅର୍ଥାତ୍ ଜଣେ ଉପଯୁକ୍ତ ସୁଶିକ୍ଷିତ ଓ ପରିମାର୍ଜିତ ଛାତ୍ର ଗଠନପାଇଁ ଜଣେ ଶିକ୍ଷକର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ । ଶିକ୍ଷକଙ୍କର ମାନସିକ ସ୍ଥିତି ହିଁ ଶିକ୍ଷା ଓ ଶିକ୍ଷାର୍ଥୀକୁ ପ୍ରଭାବିତ କରେ ।

ଅଥଚ ଆମ ମାନ୍ୟବର ଉଚ୍ଚଶିକ୍ଷାମନ୍ତ୍ରୀ ଏ ବିଷୟରେ ଚିନ୍ତା କରିବାକୁ ହୁଏତ ସମୟ ପାଇନାହାନ୍ତି । ବୋଧହୁଏ ଧ୍ୟାନ ଦେଇନାହାନ୍ତି ୧୪୫ ବର୍ଷ ତଳେ ସଂଗଠିତ ଓଡ଼ିଆ ମାରଣ ଯଜ୍ଞର ଦୁଇ ପୁରୋଧା ପ୍ରତ୍ନତ‌ତ୍ତ୍ୱବିଦ୍ ରାଜେନ୍ଦ୍ରଲାଲ ମିତ୍ର ଓ ଶିକ୍ଷକ କାନ୍ତିଚନ୍ଦ୍ରଙ୍କର ସେ ଉତ୍ତରପୁରୁଷ ବୋଲି । ତା’ ହୋଇ ନ ଥିଲେ ରାଜଧାନୀକୁ ଛାଡ଼ି ବାକି ସମସ୍ତ ସରକାରୀ ଓ ବେସରକାରୀ ମହାବିଦ୍ୟାଳୟ, ସମସ୍ତ ବିଶ୍ୱବିଦ୍ୟାଳୟରୁ ଡିଏଫ୍ଆଇଡି ନିର୍ଦ୍ଦେଶିତ ଅସଂଖ୍ୟ ଅଧ୍ୟାପକ, ପ୍ରଫେସର ପଦବୀ ଉଚ୍ଛେଦ ପରେ ମଧ୍ୟ, ଆହୁରି ଖାଲି ଥିବା ୨୦୦୦ରୁ ଊର୍ଦ୍ଧ୍ୱ ପଦବୀ ପୂରଣପାଇଁ ପଦକ୍ଷେପ ନେବାକୁ ବିଧାନସଭାରେ ବାରମ୍ବାର ଘୋଷଣା କରିଥିଲେ ବି, ତାହା ନ କରି ଆମ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ସଂପୂର୍ଣ୍ଣ ଧ୍ୱଂସ କରିବାର ପ୍ରାଥମିକ ପ୍ରୟାସ ଆରମ୍ଭ କରି ନ ଥାନ୍ତେ ।

କେବଳ ସେତିକି ନୁହେଁ, ସରକାରୀ ମହାବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟାପକଗଣ ଦରମା ଠିକ୍ ସମୟରେ ପାଉଥିଲେ ମଧ୍ୟ ଏମାନଙ୍କ କାର୍ଯ୍ୟ କରିବାର ଦକ୍ଷତା ବୃଦ୍ଧିପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ । ଯଦିଓ ଏମାନେ ଦରମା ବାବଦକୁ ପ୍ରଚୁର ଅର୍ଥ ପାଉଛନ୍ତି, ଏମାନେ କେବଳ ଶ୍ରେଣୀ ଶିକ୍ଷା ମଧ୍ୟରେ ଆବଦ୍ଧ ରହି ଘୋଷା ବଳଦ ପରି ନିର୍ଦ୍ଧିଷ୍ଟ ପାଠ୍ୟକ୍ରମକୁ ଅନୁସରଣ କରି ଚାଲିଛନ୍ତି । ଏଥିସହିତ ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି ହୋଇ ନ ଥିବାରୁ ଅଧ୍ୟକ୍ଷ ଦାୟିତ୍ୱରେ ଥିବା କାମଚଳା ଅଧ୍ୟକ୍ଷ ଅନୁଷ୍ଠାନର ବିକାଶପାଇଁ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରୁନାହାନ୍ତି, ଫଳରେ ନାମକୁ ମାତ୍ର ଶିକ୍ଷା ବ୍ୟବସ୍ଥା ବଞ୍ଚି ରହିଛି ।

ଶିକ୍ଷାନୁଷ୍ଠାନ ବଳରେ ଶିକ୍ଷା ପ୍ରଶାସନ ପ୍ରୀତି :

ଶିକ୍ଷାପାଇଁ ପ୍ରଚୁର ଅର୍ଥ ଖର୍ଚ୍ଚ ହେଉଛି ବୋଲି କହୁଥିବାବେଳେ, ଶିକ୍ଷକ ଓ ଶିକ୍ଷାନୁଷ୍ଠାନଗୁଡ଼ିକର ନିୟନ୍ତ୍ରଣପାଇଁ ଗଠିତ ବୃହତ ଶିକ୍ଷା ପ୍ରଶାସନପାଇଁ ଯେଉଁ ପ୍ରଚୁର ଅର୍ଥ ଖର୍ଚ୍ଚ ହେଉଛି ସେ ସଂପର୍କରେ ଉଚ୍ଚଶିକ୍ଷାମନ୍ତ୍ରୀଙ୍କ କୌଣସି ପଦକ୍ଷେପ ନାହିଁ ଏବଂ ଗୁଡ଼ିଏ ଅନାବଶ୍ୟକ ଉପବିଭାଗକୁ ଉଠାଇ ଦେଇ ବାର୍ଷିକ ପ୍ରାୟ ୩୦ କୋଟି ଟଙ୍କା ସଞ୍ଚୟ କରିବାପାଇଁ ଶିକ୍ଷାମନ୍ତ୍ରୀଙ୍କୁ ଦେଖାଗଲାନାହିଁ, ଅଥଚ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ୍ୱାରା ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ଶିକ୍ଷକ ନିଯୁକ୍ତି ସଂପର୍କିତ ଘୋଷିତ ବୈଧତା ଆଇନ-୧୯୯୨ ଦ୍ୱାରା ବୈଧ ହୋଇଥିବା ୧୨୬୫ ଜଣ ଅଧ୍ୟାପକଙ୍କ ମଧ୍ୟରୁ ୧୧୬୯ ଜଣଙ୍କୁ ପୂର୍ଣ୍ଣ ଅନୁଦାନ ଦିଆଯାଉଥିବା ବେଳେ ଅମଲାମାନଙ୍କ ପେଞ୍ଚପାଞ୍ଚରୁ ବଞ୍ଚିତ ବାକି ୯୬ ଜଣ ଅଧ୍ୟାପକ ଦୀର୍ଘ ୧୮ବର୍ଷ ବିତିଯାିଇଥିଲେ ମଧ୍ୟ କୌଣସି ଅର୍ଥ ପାଇପାରିନାହାନ୍ତି । ବାରମ୍ବାର ଆନ୍ଦୋଳନ ଓ ନ୍ୟାୟାଳୟର ସାହାଯ୍ୟ ନେବାପରେ ଏବେ ସେହି ବଞ୍ଚିତ ଅଧ୍ୟାପକଙ୍କୁ ମାତ୍ର ୪୦% ବ୍ଲକ୍ ଗ୍ରାଣ୍ଟ ଦେବା କେଉଁ ନ୍ୟାୟିକ ପଦକ୍ଷେପ ? ପୁନଶ୍ଚ ଏହି ୯୬ ଜଣଙ୍କ ମଧ୍ୟରୁ ୪ ଜଣଙ୍କୁ ଅନ୍ୟ ଉପାୟରେ ପୂର୍ଣ୍ଣ ଅନୁଦାନ ଯୋଗାଇଦେଇ ଉଚ୍ଚଶିକ୍ଷାମନ୍ତ୍ରୀ ନିଜର ପାରିଲାପଣିଆର ଆଉ ଏକ ପ୍ରମାଣ ଦେଖେଇେଇଛନ୍ତି । ନିରୀହ ଅଧ୍ୟାପକଗଣ ଓ ତାଙ୍କ ପରିବାରକୁ ହଇରାଣ କରି ଖୋଲାଖୋଲି ଭାବେ ନ୍ୟାୟାଳୟର ନିର୍ଦ୍ଦେଶକୁ ଆହ୍ୱାନ ଦେଉଥିବା ଏହି କରିତ୍କର୍ମା ଶିକ୍ଷାମନ୍ତ୍ରୀ ମହୋୟ କ’ଣ ପ୍ରମାଣିତ କରିବାକୁ ଚାହିଁଥିଲେ ଯେ-‘ମୁଁ ହେଉଛି ରାଜା, ଆଉ ମୁଁ ହେଉଛି ରାଜ୍ୟ ।’

କେବଳ ସେତିକି ନୁହେଁ, ଏହି ସମୟରେ ଏହିଭଳି ଅସଂଖ୍ୟ ଅଧ୍ୟାପକ କର୍ମଚାରୀଗଣ ନ୍ୟାୟାଳୟର ଆଶ୍ରୟ ନେଇ ନିଜେ ନିଜର ପ୍ରାପ୍ୟ ହାସଲପାଇଁ ପ୍ରସ୍ତୁତି ଚଳାଇବାଦ୍ୱାରା ଶିକ୍ଷା କାର୍ଯ୍ୟରେ ଯେଉଁ ବାଧା ସୃଷ୍ଟି ହେଉଛି, ସେ ସଂପର୍କରେ ଉଚ୍ଚଶିକ୍ଷାମନ୍ତ୍ରୀ କେବେ ଚିନ୍ତା କରିଛନ୍ତି କି ?

ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟରେ ଫାଇଲ୍ ମିଳୁନାହିଁ :

ସବୁଠୁ ବିଡ଼ମ୍ବନାର ବିଷୟ ହେଲା ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟରେ ଯଦି କୌଣସି ଫାଇଲ ଖୋଜିବ ତାହା ମିିଳିବ ନାହିଁ । ଏବେ ୫ ଜଣ ଅଧ୍ୟାପକ/ଅଧ୍ୟାପିକା ନିଜ ଦରମା ସଂପର୍କରେ ଜାଣିବାପାଇଁ ୨୮ ।୨ ।୨୦୦୭ରେ ଆବେନ କରିଥିଲେ । ମାତ୍ର ୧୦ ।୦୫ ।୨୦୦୭ରେ ନିର୍ଦ୍ଦେଶାଳୟର ଚିଠି ସଂଖ୍ୟା ୨୧୫୩୪ରେ ଆବେଦନକାରୀଙ୍କୁ ଜଣାଇ ଦିଆଗଲା ଯେ ଉକ୍ତ ୫ ଜଣଙ୍କ ଅଧ୍ୟାପକ/ଅଧ୍ୟାପିକାଙ୍କ ଫାଇଲ୍ ମିଳୁନାହିଁ । ଏଥିପାଇଁ ଆମେ କାହାକୁ ଦାୟୀ କରିବା ? ଏଠାରେ ଯଦିବା ଆମେ କିରାଣୀକୁ ଦୋଷ ଦେବା, ତେବେ ଉଚ୍ଚଶିକ୍ଷା ବିଭାଗ ଯେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଆୟତ୍ତରେ ନାହିଁ, ତାହା ଏହି କ୍ଷୁଦ୍ର ଉାହରଣରୁ ଜଣାପଡୁନାହିଁକି ?

ତଥାପି ସଂସ୍କାରବାଦୀ !

ନିଜ ପାପ ଘୋଡ଼ାଇବା ଉଦ୍ଦେଶ୍ୟରେ ଅଭିଭାବକ ଓ ବୁଦ୍ଧିଜୀବୀଙ୍କୁ ପ୍ରଭାବିତ କରିବାପାଇଁ ଉଚ୍ଚଶିକ୍ଷା କ୍ଷେତ୍ରରେ କେତୋଟି ସଂସ୍କାରମୂଳକ ପଦକ୍ଷେପ ଘୋଷଣା କରିଛନ୍ତି- (କ) ଅଧ୍ୟାପକଙ୍କ ଶିକ୍ଷାଦାନ ସଂପର୍କରେ ବିଦ୍ୟାର୍ଥୀଙ୍କ ମତଦାନ (ଖ) ଏକକ ପୋଷାକ ପିନ୍ଧା, (ଗ) ସାର୍ଟିଫିକେଟ୍ ପ୍ରଦାନ ମେଳା (ଘ) ଭଲ ଖେଳାଳୀଙ୍କୁ ମହାଦ୍ୟାଳୟ ତରଫରୁ ଭତ୍ତା ପ୍ରଦାନ । ଏ ମଧ୍ୟରୁ କେବଳ ଏକକ ପୋଷାକ ପିନ୍ଧା ନିୟମଟି ଆମ ସାମାଜିକ ଚଳଣୀଦ୍ୱାରା ସ୍ୱୀକୃତ ହୋଇଥିବାରୁ ଏହି ଉଦ୍ୟମ ସଫଳ ହୋଇଥିବାବେଳେ ଅନ୍ୟଗୁଡ଼ିକ କେବଳ ଘୋଷଣାରେ ହିଁ ରହିଛି । ତେବେ ଅଧ୍ୟାପକଙ୍କ ବଳି, ଟ୍ୟୁସନ ବନ୍ଦ, କପି କଲେ କଲେଜକୁ ଅନୁଦାନ ବନ୍ଦ ଭଳି ଘୋଷଣାଦ୍ୱାରା ଏହି କାର୍ଯ୍ୟ ସବୁ ବନ୍ଦ ହେବା ବଳରେ, ବରଂ ଅଧିକ ମାତ୍ରାରେ ଖୋଲାଖୋଲି ଭାବରେ ଚାଲିଛି ଶିକ୍ଷାମନ୍ତ୍ରୀଙ୍କୁ ବିଭିନ୍ନ ଉପାୟରେ ସନ୍ତୁଷ୍ଟ କରି ।

ତେବେ ଆମ ଶିକ୍ଷାମନ୍ତ୍ରୀ ଏ ‘ଅତର ଛିଞ୍ଚା’ ସଂସ୍କାରରେ ବିଭୋର ହୋଇ ଆବଶ୍ୟକଥିବା ପ୍ରକୃତ ସଂସ୍କାରକୁ ଭୁଲି ଯାଇଛନ୍ତି । ଯଥା- ଶିକ୍ଷା ବ୍ୟବସ୍ଥାର ଉନ୍ନତି, ଶିକ୍ଷାଦାନ ପଦ୍ଧତିର ବିକାଶ, ଶିକ୍ଷକ ଅଭାବ ପୂରଣ ଓ ମୌଳିକ ଭିତ୍ତିଭୂମି ପ୍ରତି ଦୃଷ୍ଟିନିକ୍ଷେପ ଇତ୍ୟାଦି ।

ଓଡ଼ିଆ ଭାଷା ହତ୍ୟା : ବଙ୍ଗାଳୀ ରକ୍ତର ଆହ୍ୱାନ :

୧୪୫ ବର୍ଷ ତଳେ ଓଡ଼ିଶା ମାଟିରେ ପ୍ରଶାସନିକ ବିଶୃଙ୍ଖଳାର ସୁଯୋଗ ନେଇ କେତେକ ହୀନବୁଦ୍ଧି ବଙ୍ଗାଳୀଙ୍କ ଚକ୍ରାନ୍ତ ଯୋଗୁଁ ନଅଙ୍କ ଦୁର୍ଭିକ୍ଷ ଭଳି ଭୟଙ୍କର ଖାଦ୍ୟାଭାବ ସୃଷ୍ଟି କରାଯାଇ ସ୍ୱାଭିମାନୀ ଓଡ଼ିଆ-ଗଣହତ୍ୟା କରିବାରେ ସଫଳ ହୋଇଥିଲେ । ଏତିକିରେ ଶାନ୍ତ ନ ହୋଇ ଏହି ଚକ୍ରାନ୍ତକାରୀ ଦଳ ଓଡ଼ିଶା ମାଟିରେ ଓଡ଼ିଆ ଭାଷା, ସାହିତ୍ୟ, କଳା, ସଂସ୍କୃତିକୁ ଲୋପ କରିବାକୁ ଆଗେଇ ଆସିଥିଲେ । “କିଏ କହିଲା ଜଗନ୍ନାଥ ମନ୍ଦିର, କୋଣାର୍କ ମନ୍ଦିର ଆମ ବଙ୍ଗାଳୀ ଶିଳ୍ପୀ ଗଢ଼ିଛନ୍ତି । କିଏ କହିଲା-କବି ଜୟଦେବ, ସାରଳା, ଜଗନ୍ନାଥ ଦାସ ହେଉଛନ୍ତି ଆମର । ଆଉ କିଏ କହିଲା-ଓଡ଼ିଆ ଏକ ସ୍ୱତନ୍ତ୍ର ଭାଷା ନୁହେଁ, ଏହା ବଙ୍ଗଳାଭାଷାରୁ ସୃଷ୍ଟି… ଇତ୍ୟାଦି ଇତ୍ୟାଦି ।”

 

ତଥାପି ନଅଙ୍କ ଦୁର୍ଭିକ୍ଷରେ ଭାଙ୍ଗି ଯାଇଥିବା ମେରୁଦଣ୍ଡ ଆଉ ଅସ୍ଥିପଞ୍ଜରାକୁ ଧରି ଯେଉଁ କେତେକ ଓଡ଼ିଆ ବଞ୍ଚିଥିଲେ, ସେମାନଙ୍କଦ୍ୱାରା କେବଳ ଓଡ଼ିଆ ଭାଷା ଓ ସଂସ୍କୃତି ବଞ୍ଚି ନ ଥିଲା, ବରଂ ଓଡ଼ିଆ ଜାତି ନିଜପାଇଁ ଗୋଟିଏ ସ୍ୱତନ୍ତ୍ର ପ୍ରଦେଶ ଗଠନ କରିପାରିଥଲା; ଯାହା ଆଜି ପର୍ଯ୍ୟନ୍ତ ଭାରତର କୌଣସି ରାଜ୍ୟର ଅଧିବାସୀ କରିପାରିନାହାନ୍ତି ।

ଅଥଚ ଏହିଭଳି ଏକ ଗୌରବମୟ ରାଜ୍ୟର ଉତ୍ତରାଧିକାରୀ ହୋଇ ଆମେ ଯେଉଁ ବ୍ୟକ୍ତିକୁ ଉଚ୍ଚଶିକ୍ଷାମନ୍ତ୍ରୀର ଦାୟିତ୍ୱ ଦେଲେ, ସେ ବ୍ୟକ୍ତି ଆମ ଭାଷାର ବିକାଶ କରିବା ପରିବର୍ତ୍ତେ ଏହି ଭାଷା ଲୋପପାଇଁ ସର୍ବପ୍ରଥମେ ପଦକ୍ଷେପ ନେଇଥିଲେ । ପିଲାଙ୍କ ଆଗ୍ରହ ନାହିଁ କହି ୧୩୯ଟି ମହାବିଦ୍ୟାଳୟରୁ ଓଡ଼ିଆ ଭାଷାଶିକ୍ଷା ବ୍ୟବସ୍ଥା ହଟାଇ ୧୩୦ ବର୍ଷ ତଳେ ହୋଇଥିବା ଭାଷା ବିଲୋପର ଅଧୁରା ସ୍ୱପ୍ନକୁ ପୂର୍ଣ୍ଣ କରିବାରେ ଲାଗିପଡିଲେ । ମାତ୍ର ଆମ ପଖାଳଖିଆ ବୁଦ୍ଧିଜୀବୀଙ୍କ ନିଦ ଟିକେ ଭାଙ୍ଗିବାରୁ ଯଦିଓ ଏହି ଘୋଷଣାକୁ ସେ ପ୍ରତ୍ୟାହାର କରିନେଲେ, ମାତ୍ର ଶିକ୍ଷା ବ୍ୟବସ୍ଥାରେ ଥିବା ବାଧ୍ୟତାମୂଳକ ‘ଓଡ଼ିଆ’ ଭାଷା ଶିକ୍ଷା ସହିତ ସଂସ୍କୃତକୁ ଯୋଗ କରିଦେବାରୁ ଅଧିକ ନମ୍ବର ଲୋଭରେ ଆମ ଉଚ୍ଚମାଧ୍ୟମିକ ଛାତ୍ରଛାତ୍ରୀଗଣ ଆଉ ଓଡ଼ିଆ ନ ପଢ଼ି ସଂସ୍କୃତଭାଷାକୁ ପଢ଼ିବାରେ ଲାଗିଲେ । ଅଭିଭାବକ ଗଣ ମଧ୍ୟ ଚୁପ୍ ।

ମାତୃଭାଷା ହତ୍ୟାକାରୀକୁ କ୍ଷମା !

ଓକିଲିଆ ବୁଦ୍ଧିରେ ପାରଙ୍ଗମ ଆମ ଉଚ୍ଚଶିକ୍ଷାମନ୍ତ୍ରୀ ଓଡ଼ିଆଭାଷା ବିଲୋପପାଇଁ ଏହି ଯେଉଁ ହାଲୁକା ବିଷ ପ୍ରୟୋଗ କଲେ, ତଦ୍ୱାରା ଆଗାମୀ ୨୦ ବର୍ଷ ଧରି ଓଡ଼ିଶାର ଉଚ୍ଚଶିକ୍ଷା ବ୍ୟବସ୍ଥା ତା’ର ପୂର୍ବସ୍ଥିତିକୁ ଫେରିପାରିବ ନାହିଁ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଶିକ୍ଷାମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ଯଦି ତାଙ୍କ ଜାତିଭାଇଙ୍କ ରାଜ୍ୟରେ ଲାଗୁ କରିଥାନ୍ତେ କିମ୍ବା ଭାରତର ଅନ୍ୟ କୌଣସି ରାଜ୍ୟରେ ଲାଗୁ କରିଥାନ୍ତେ, ତେବେ ହୁଏତ ମନ୍ତ୍ରୀଙ୍କ ଶରୀର ସହିତ ନାମ ମଧ୍ୟ ଧରାପୃଷ୍ଠରୁ ଲୋପ ପାଇଯାଇଥାନ୍ତା । କାରଣ ଏବେ ମାତୃଭାଷା ହିଁ ସବୁ ରାଜ୍ୟର ଏକ ମୁଖ୍ୟ ଅସ୍ତ୍ର ଓ ରୋଜଗାରର ମାଧ୍ୟମ ପାଲଟି ଯାଇଛି । ଆମ ଅପାରଗତା ଯୋଗୁଁ ଭାଷାକୁ ନେଇ ଭୂମିଟିଏ ପାଇଛୁ ସିନା, ଏହି ଭାଷାକୁ ଏପର୍ଯ୍ୟନ୍ତ ରୋଜଗାରର ମାଧ୍ୟମ ଭାବେ ଗ୍ରହଣ କରାଇପାରିନାହୁଁ । ଯାହା ଫଳରେ ଆମେ ଗରିବ ଓ ଆମ ଭବିଷ୍ୟତ ବଂଶଧର ମଧ୍ୟ ଗରିବ ଭାବେ ଚିହ୍ନିତ ହେବାକୁ ଯାଉଛନ୍ତି । କେବଳ ସେତିକି ନୁହଁ ଆଜି ସମଗ୍ର ବିଶ୍ୱ ବିଜ୍ଞାନ, ଅର୍ଥନୀତିକୁ ନେଇ ପରିଚାଳିତ ହେଉଥିବାବେଳେ ଓଡ଼ିଶାର ୯୯ଟି କଲେଜରୁ ଅର୍ଥନୀତି, ଗଣିତ, ପରିସଂଖ୍ୟାନ, ଭୂଗୋଳ

ଆଦି ପ୍ରମୁଖ ବିଷୟଗୁଡ଼ିକୁ ଉଠାଇ ଦିଆଯାଇ ଶିକ୍ଷା ବ୍ୟବସ୍ଥାର କେଉଁ ଦିଗକୁ ଶକ୍ତିଶାଳୀ କରାଯାଇଛି, ତାହା ବିଚାରଯୋଗ୍ୟ ।

ମାତୃଭାଷାକୁ ହତାଦର କାହିଁକି ?

ଆଜି ସମଗ୍ର ଭାରତବର୍ଷରେ ଯେଉଁ କେତୋଟି ପ୍ରମୁଖ ଭାଷା ପ୍ରଚଳିତ ହେଉଛି, ସେହି ରାଜ୍ୟର ପିଲାମାନେ ନିଜନିଜର ମାତୃଭାଷାଦ୍ୱାରା ରାଜ୍ୟ ତଥା ଜାତୀୟ ସ୍ତରର ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ଏବଂ ଡାକ୍ତର, ଇଞ୍ଜିନିୟର ମ୍ୟାନେଜମେଣ୍ଟପାଇଁ ରାଜ୍ୟ ଓ ଜାତୀୟ ସ୍ତରରେ ଅନୁଷ୍ଠିତ ହେଉଥିବା ବିଭିନ୍ନ ପ୍ରବେଶିକା ପରୀକ୍ଷା ଦେଇ କୃତିତ୍ୱ ହାସଲ କରୁଥିବାବେଳେ, ଆମ ରାଜ୍ୟର ଛାତ୍ରଛାତ୍ରୀଗଣ କେବଳ ଇଂରାଜୀ ଭାଷାକୁହିଁ ଜାବୋଡ଼ି ଧରିଛନ୍ତି । ଏପରିକି ୧୫ ।୧୨ ।୨୦୦୪ରେ ପାର୍ଲାମେଣ୍ଟ ପ୍ରଶ୍ନୋତ୍ତର କାଳରେ ଲୋକସଭା ସଦସ୍ୟ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଆଇଆଇଟି ପ୍ରବେଶିକା ପରୀକ୍ଷାରେ ଅନ୍ୟାନ୍ୟ ଭାଷା ସହ ଓଡ଼ିଆ ଭାଷାକୁ ପରୀକ୍ଷାର ମାଧ୍ୟମ ରୂପେ ଗ୍ରହଣ କରାଯାଉ ବୋଲି ଦାବି ଜଣାଇଥିଲେ । ଏପର୍ଯ୍ୟନ୍ତ ଓଡ଼ିଆ ଭାଷା ଏହି ମାନ୍ୟତା ପାଇନାହିଁ ଶୁଣି ମାନ୍ୟବର ବାଚସ୍ପତି ବିସ୍ମିତ ହେବା ସହ ଏହାକୁ ଗମ୍ଭୀରତାର ସହ ବିଚାର କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଫଳ କ’ଣ ହେଲା କେଜାଣି, ଏ ବିଷୟରେ ମାନ୍ୟବର ଲୋକସଭା ସଦସ୍ୟ କିମ୍ବା ଆମ ବୁଦ୍ଧିଜୀବୀ ଓଡ଼ିଆଗଣ ଆଉ ଖୋଳତାଡ଼ କରିନାହାନ୍ତି । ଫଳରେ ଇଂରେଜୀ ଭାଷାରେ ଦୁର୍ବଳ ହେଲେ ମଧ୍ୟ ଆମ ଦେହ ଓ ମନରୁ ଇଂରେଜୀ ଗୋଲାମୀ ଗନ୍ଧ ଏପର୍ଯ୍ୟନ୍ତ ଯାଉନାହିଁ । ଫଳରେ ଗାଁ’ ଗହଳରେ ବଣମଲ୍ଲୀ ଭଳି ଆମ ମେଧାବୀ ଛାତ୍ରଛାତ୍ରୀଗଣ ଅକାଳରେ ଝରିପଡ଼ିବା ହିଁ ସାର ହେଉଛି ।

ଶିକ୍ଷାମନ୍ତ୍ରୀଙ୍କ କାଳରେ ଶିକ୍ଷାର ମାନ :

ଭାରତର ଶିକ୍ଷା ଅନୁଷ୍ଠାନମାନଙ୍କ ମାନ ନିର୍ଦ୍ଧାରଣପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ସହଯୋଗୀ ସଂସ୍ଥା, ଜାତୀୟ ସ୍ୱୀକୃତି ଓ ମୂଲ୍ୟାଙ୍କନ ପରିଷଦ ବା ନାକ୍ କମିଟି ଆଠଟି ଗୁଣାତ୍ମକ ମାନ- ଏ++, ଏ+,ଏ, ବି++, ବି+, ବି, ସି++, ସି+,ସି ନିର୍ଦ୍ଧାରଣ କରିଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟ ସ୍ୱୟଂଶାସିତ ମହାବିଦ୍ୟାଳୟ ତଥା ବିଶ୍ୱବିଦ୍ୟାଳୟର ମାନ ନିର୍ଣ୍ଣୟ କରି ଉତ୍କଳ ସମ୍ବଲପୁର ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପାଇଁ ଯଥାକ୍ରମେ ବି++, ବି+ ଓ ବି ମାନ ନିର୍ଦ୍ଧାରିତ କରିଥିଲାବେଳେ ରେଭେନ୍ସା, ଗଙ୍ଗାଧର ଓ ଖଲ୍ଲିକୋଟ କଲେଜପାଇଁ ଯଥାକ୍ରମେ ଏ,ବି ଓ ବି+ ମାନ ନିର୍ଣ୍ଣୟ କରିଛନ୍ତି । ବାକି ସମସ୍ତ ସରକାରୀ ଓ ବେସରକାରୀ ମହାବିଦ୍ୟାଳୟର ସ୍ତର ସର୍ବନିମ୍ନ ବୋଲି ନାକ୍ କମିଟି ମତ ଦେଇଛନ୍ତି । ଅର୍ଥାତ୍ ଭାରତବର୍ଷରେ ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ, ଯାହାର ଉଚ୍ଚଶିକ୍ଷା ବ୍ୟବସ୍ଥା ସବୁଠାରୁ ନିମ୍ନମାନର । ଯାହାକୁ ଆମେ ଅନୁଭବ କରୁଥିଲେ ମଧ୍ୟ କହିପାରୁ ନ ଥିଲେ, ତାହା ଆଜି ନାକ୍ କହିଛି । ତଥାପି ଆମେ ନିରୁତ୍ତର, ପ୍ରତିକ୍ରିୟାହୀନ ।

ଏହି ୫ବର୍ଷ ହେଉଛି ଓଡ଼ିଶା ଉଚ୍ଚଶିକ୍ଷା ବିଭାଗପାଇଁ କଳଙ୍କର ବର୍ଷ । ଅର୍ଥ ଯୋଗାଡ଼ରେ ବ୍ୟସ୍ତ ଆମର ଏହି ତଥାକଥିତ ଉଚ୍ଚଶିକ୍ଷାମନ୍ତ୍ରୀ ଓଡ଼ିଶାରୁ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ଧ୍ୱଂସ କରିବାର ଯେଉଁ କାର୍ଯ୍ୟ ଆରମ୍ଭ କରିଥିଲେ, ତାହାର ଆଜି ଦୃଢ଼ ଜବାବ୍ ଦେଇସାରିଛନ୍ତି ତାଙ୍କରି ଅଞ୍ଚଳର ଜନସାଧାରଣମାନେ ଭୋଟ ମାଧ୍ୟମରେ । ୧୫ ବର୍ଷ ତଳେ ଧତଡ଼ା ସ୍କୁଟର ଚଳାଇ ଭଙ୍ଗା ଟାଇଲ ଛପର ଘରେ ଓକିଲାତି କରୁଥିବା ଜଣେ ବ୍ୟକ୍ତି ଆଜି କଳାଟଙ୍କାର ଗାଦି ଉପରେ ଛିଡ଼ାହୋଇ ନଗରର ଉପକଣ୍ଠରେ ଏକ ବିଶାଳ ସୁଦୃଶ୍ୟ ଭବନରେ ବିଳାସିତ ଜୀବନଚର୍ଯ୍ୟା ଅତିବାହିତ କରି ଓଡ଼ିଆଙ୍କୁ ଭୂଆଁ ଭୁଲାଇବାର ସ୍ୱପ୍ନ ଖେୁଥିବା ଏହି ବ୍ୟକ୍ତିଙ୍କୁ ସଂସ୍କୃତିସଂପନ୍ନ ସ୍ୱାଭିମାନୀ କଟକବାସୀ ପ୍ରତ୍ୟାଖ୍ୟାତ କରିଛନ୍ତି । ଆଉ ସେଇଥିପାଇଁ ନିଜ କଲାକର୍ମର ପ୍ରାୟଶ୍ଚିତ ସ୍ୱରୂପ ମନ୍ତ୍ରୀପଦ ତ୍ୟାଗ କରିଛନ୍ତି । କିନ୍ତୁ ତଥାପି ଏହି ୫ବର୍ଷର କାର୍ଯ୍ୟକାଳ ମଧ୍ୟରେ ଓଡ଼ିଆ ଜନଜୀବନ, ଓଡ଼ିଆ ଶିକ୍ଷା ବ୍ୟବସ୍ଥା, ଓଡ଼ିଆ ଭାଷା କ୍ଷେତ୍ରରେ ସେ ଯେଉଁ ସଂକଟ ସୃଷ୍ଟି କରିଯାଇଛନ୍ତି, ତାହା ପୂରଣ କରିବାକୁ ଆଉ କେତେ ଯେ ବର୍ଷ ଲାଗିବ, ଆମ ନିରୀହ ଓଡ଼ିଶାବାସୀ ସ୍ଥିର କରନ୍ତୁ ଓ ଏହିଭଳି ଓଡ଼ିଆ ଜାତିର ପ୍ରଗତି ପ୍ରତି ପିଠି ଖୋଉଥିବା ନେତାମାନଙ୍କୁ ଆଗାମୀ ସାଧାରଣ ନିର୍ବାଚନରେ ପ୍ରତ୍ୟାଖ୍ୟାନ କରିବାପାଇଁ ମାନସିକ ପ୍ରସ୍ତୁତି ଆରମ୍ଭ କରନ୍ତୁ । ଯାହାଫଳରେ ଏକ ସୁସ୍ଥ ସୁନ୍ଦର ସଂସ୍କୃତିସମ୍ପନ୍ନ ଓଡ଼ିଶା ଗଢ଼ି ଉଠିବ । ଆମେ ଆମର ପୂର୍ବ ଗୌରବ ଫେରି ପାଇବା ।

Odia Story Subrat Kumar Prusty Books Subrat Odia Story
Share. Facebook Twitter Pinterest LinkedIn Tumblr Reddit Email
Previous Articleଓଡ଼ିଆଙ୍କ ରକ୍ତ ଥଣ୍ଡା ହେଲାଣି!
Next Article ଆମେ ନିଶ୍ଚିତ ପାରିବା
Subrat Kumar Prusty

Related Posts

ଅଭିନବ ବିବାହ

March 16, 2023

ବୋକା ନା ବିବେକୀ?

March 1, 2023

ଘୋରକର ଉଦାରତା

February 1, 2023

ମହାଭାରତ

January 26, 2023

ମହାରାଜାଙ୍କ କଳା

December 21, 2022

ଶକରକନ୍ଦ

December 12, 2022
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.