ଦୁଃଖନାଶନ ହେ ସୁଖ ନ ପାଇଲି ଦିନେ ।
ବେଳକୁ ବେଳତ ପ୍ରବଳ ହେଉଛି ବିଜୁଳି ଯେସନେ ଘନେ । ।
ଅନାଥର ନାଥ ନୀଳଗିରି ନାଥ ଜଗନ୍ନାଥ ଲକ୍ଷ୍ମୀ ସାଇଁ ।
ଅରକ୍ଷିତକୁ ତ ରଖି ଦେଉନାହଁ ଭବଜଳରେ ଭସାଇ ।।
ଆହେ ହରି ମୁହିଁ ସହି ନ ପାରଇ ଅନ୍ତର ବେଦନା ମାନ ।
ଯେଣୁ କହି ତୁମ୍ଭେ ଦୟା ନ କଲ ପ୍ରଭୁ ଆତଙ୍କନାଶନ ।।
ଏଡେ ନିଷ୍ଠୁରତା ହେଲ ମୋହ ଭଳି ଦୁଃଖୀଜନ ହୀନଠାରେ ।
ହୀନଜନମାନେ ଗୁହାରି କରନ୍ତି ନ ଶୁଣ କି ତୁମ୍ଭେ ବାରେ ।।
ପୋଡୁ ମୋ ଅଦୃଷ୍ଟ ଅନ୍ନ ବସ୍ତ୍ର କଷ୍ଟ ଏଡେ ବଡ ପ୍ରଭୁ ଥାଉଁ ।
ବନମାଳୀ ବୋଲେ ଚଞ୍ଚଳ ମୋ ମନ ପଦ୍ମପାଦେ ତୁମ୍ଭ ରହୁ ।।