ନିଉକୁଚବିହାର ପଡ଼ିଲା । ବଙ୍ଗଳା ମଧ୍ୟରେ ଟ୍ରେନ୍ ଚାଲିଲା । ତିସ୍ତାନଦୀ ଅତିକ୍ରମ କଲୁ । ଖୁବ୍ ବଡ଼ ନଦୀଟିଏ । ଜଳପାଇଗୁଡ଼ି ପରେ ନିଉଜଳପାଇଗୁଡ଼ି ଷ୍ଟେସନ ପଡ଼ିଲା । କଣ୍ଡକ୍ଟରବାବୁ ସେଠାରେ ମୋଠାରୁ ବିଦାୟ ନେଲେ । ମୁଁ ସିଟ୍ରୁ ଉଠି ତାଙ୍କ ହାତରେ ମୋ ହାତ ମିଳାଇଲି ।
ବହୁ ସଂଖ୍ୟାରେ ସପୁରୀ ସେଠାରେ ବିକ୍ରୀ ହେଉଅଛି । ସେଥିରୁ କିଛି କିଣିଦେଲି । ଦିଗହଜା ସପୁରୀ କ୍ଷେତମାନ ଲମ୍ବିଯାଇଥିଲା । ପ୍ରଥମେ ମୁଁ ତ ତାହା ସପୁରୀ କିଆରୀ ବୋଲି ଜାଣିପାରି ନ ଥିଲି । ସ୍ଥାନୀୟ ଯାତ୍ରୀମାନଙ୍କୁ ପଚାରି ଏହା ବୁଝିଲି । ବାଉଁଶ ଗଛ ମଧ୍ୟ ଲଗାଇ ବଡ଼ବଡ଼ କିଆରି କରାଯାଇଛି । ସପୁରୀ, ବାଉଁଶ ପ୍ରଭୃତିର କ୍ଷେତ ମୋ ପାଇଁ ନୂଆ ଥିଲା ।
ନଳିତା ଚାଷ ପରେ ଧାନ ଚାଷର ଆୟୋଜନ ଚାଲିଛି । ଗାଈ ମଇଁଷି ଦଳଦଳ ହୋଇ ଚରୁଛନ୍ତି । ଗାଈଆଳ ପିଲା ମଇଁଷି ଉପରେ ବସିଛନ୍ତି ଖୁବ୍ ଆରାମରେ । ଗୋଟିଏ ଜାଗାରେ ଦେଖିଲି ଦୁଇଟି ପିଲା ଗୋଟିଏ ବଡ଼ ମଇଁଷି ପିଠିରେ ବସି ତାସ ପାଲି ପକାଉଛନ୍ତି । ମଇଁଷି ନିଶ୍ଚିନ୍ତରେ ତା‘ର ଚରିବାରେ ଲାଗିଛି । ଧାଇଁଥିବା ବସ୍ଗୁଡ଼ିକର ଛାତ ଉପରେ ଯାତ୍ରୀମାନେ ବସିଛନ୍ତି । କିଶାନଗଞ୍ଜ ଠାରେ ତ ଦେଖିଲି ଟ୍ରେନ ଛାତ ଉପରେ ଶହ ଶହ ଲୋକ ବସିଛନ୍ତି । ରେଳ ରାସ୍ତାକଡରେ ଆକାଶିଆ ଗଛ ଗୁଡ଼ିକର ଶୋଭା ଖୁବ୍ ସୁନ୍ଦର ଦିଶୁଛି । ନାଲି ନଳିତା କିଆରୀର ଶୋଭା ଭାରି ଭଲ ଲାଗିଲା ।
ମାଲ୍ଦାଠାରେ ଟ୍ରେନ ରହିଲା । ସେତେବେଳେ ସନ୍ଧ୍ୟା ୮ଟା । କିଛି ଆମ୍ବ କିଣିଲି । ଘଣ୍ଟାକ ପରେ ଯାହା କିଛି ରାତ୍ରୀଭୋଜନ କରି ବିଶ୍ରାମ ନେଲି । ହାଓଡ଼ା ଷ୍ଟେସନରେ ଭୋର ହେଲା । ନିତ୍ୟକର୍ମ ସାରି ସେଠାରେ ଉଠିଥିବା ଓଡ଼ିଆ ଯାତ୍ରୀମାନଙ୍କ ସହ ସୁଖ ଦୁଃଖ ହେଲି । ଶୁଣିଲି, ବାଲେଶ୍ୱର ପାଖରେ ଗତକାଲି ଗୋଟିଏ ଦୁର୍ଘଟଣା ଘଟିଥିଲା । ସେଥିପାଇଁ ଧଉଳି ଏକ୍ସପ୍ରେସ୍ ବନ୍ଦ ହୋଇଛି ।
ପରିଚିତ ଅଞ୍ଚଳ ମଧ୍ୟରେ ଟ୍ରେନ୍ ଆଗେଇ ଚାଲିଲା । ଶ୍ୟାମଳ ଧାନକ୍ଷେତ, ନଦୀନାଳ, ବଣପାହାଡ଼, ଧାଇଁଛନ୍ତି ସତେ ଯେମିତି ଓଡ଼ିଶାର ଗାଆଁ ଗଣ୍ଡାରେ ଥିବା ଟୁବି ଗଡ଼ିଆ, ବାଡ଼ି ବଗିଚା, ବାଉଁଶ ବଣ, ନଳିତା କିଆରି, ପାଠଶାଳା ଆଦି ମନରେ ଆନନ୍ଦ ଭରିଦେଲା । ଭୁବନେଶ୍ୱରଠାରେ ଟ୍ରେନ ଅପରାହ୍ନ ଗୋଟାଏ ବେଳେ ପହଞ୍ଚିଲା । ଆମେ ସବୁ ନିଜ ନିଜ ବାଟରେ ଘରବାହୁଡ଼ା ହେଲୁ ।