ଜଣେ ସ୍ତ୍ରୀ ଲୋକ ନିଜର ଭଉଣୀ ସାଙ୍ଗରେ ଦେଖା କରିବାକୁ ଗଲା । ସେତେବେଳେ ତା‘ର ଭଉଣୀ ସୂତା କାଟୁଥିଲା । ବହୁ ପ୍ରକାର ରେଶମର ସୂତା । ନିଜ ଭଉଣୀ ଆସିଥିବା ଦେଖି ସେ ସାଙ୍ଗେ ସାଙ୍ଗେ ଉଠି ପଡ଼ିଲା ଏବଂ ଖୁସି ହୋଇ କହିଲା, “ତୁ ଆସିଛୁ ଦେଖି ମୋର ଆନନ୍ଦ ଆଜି କହିଲେ ନ ସରେ । ଯାଇ ତୋ ପାଇଁ ଜଳଖିଆର ବ୍ୟବସ୍ଥା କରୁଚି ।” ଭଉଣୀ ଜଳଖିଆ ଆଣିବାପାଇଁ ଚାଲିଗଲା । ନାନା ରକମ, ନାନା ରଙ୍ଗର ରେଶମୀ ସୂତାର ଗୁଣ୍ଡି ସବୁ ଦେଖି ଏ ଭଉଣୀର ଲୋଭ କହିଲେ ନ ସରେ । ସେ ଗୋଟାଏ ସୂତା ଗୁଣ୍ଡି ଆଣି କାଖରେ ଜାକି ରଖିଦେଲା ।
ଭଉଣୀ ଜଳଖିଆ ନେଇ ଆସିଲା ଏବଂ ଖୁବ୍ ଖୁସିରେ ସେ ତାକୁ ଖାଇବାକୁ ଦେଲା । ଏହି ସମୟରେ ସୂତା ଗୁଣ୍ଡିରେ ତାର ଆଖି ପଡ଼ିଗଲା । ଦେଖିଲା, ଗୋଟାଏ ସୂତା ଗୁଣ୍ଡି ନାହିଁ । ଭଉଣୀକୁ କିଛି ନ ପଚାରି ସେ ଗୋଟାଏ ଉପାୟ ପାଞ୍ଚିଲା ।
ସେ କହିଲା, “ଭଉଣୀ, ବହୁତ ଦିନ ହେଲା ଆମେ ଏକାଠି ବସିନେ କି ମିଶିନେ । ଆଜି ବଡ଼ ଆନନ୍ଦର ଦିନ । ଭାରି ଇଚ୍ଛା ହେଉଚି, ଏକାଠି ହାତ ଉଠାଇ ନାଚିବା ।” ଭଉଣୀ କହିଲା “ହଁ, ମୋର ବି ସେଇ ଇଚ୍ଛା ।“
ଦୁଇ ଭଉଣୀ ନାଚିବାକୁ ଲାଗିଲେ । ଏ ଭଉଣୀ ଦେଖିଲା ଯେ ଆର ଭଉଣୀ ନାଚୁଚି ସତ, କିନ୍ତୁ ଦି ହାତ ଉଠାଇ ନାଚୁନାହିଁ । ଗୋଟିଏ ହାତକୁ ଅଣ୍ଟାରେ ରଖି ଆର ହାତଟିକୁ ଉଠାଇଚି । ଭଉଣୀ କହିଲା, “ଦେଖ, ମୁଁ ଦୁଇ ହାତ ଉଠାଇ ନାଚୁଚି । ଅଣ୍ଟାରେ ହାତ ରଖିନି । କେତେ ମଜା ଲାଗୁଚି । ତୁ ଦି ହାତ ଉଠାଇ ନାଚେ ।“
ଆର ଭଉଣୀ କହିଲା, “ମୋତେ ସେମିତି ନାଚି ଆସୁନାହିଁ, ଭଉଣୀ! ଯେ ଯେମିତି ଜାଣିଚି ନା ।“
ଲୋଭ ଛାଡ଼ିବା ସହଜ ନୁହେଁ ।