ବୀରସିଂହ ଯେତିକି ଯେତିକି ଅଧିକ ଅତ୍ୟାଚାର କରୁଥାଏ, ବସନ୍ତର ନେତୃତ୍ୱରେ ଦଳେ ଯୁବକ ସେତିକି ଦୃଢ ଭାବରେ ତା’ର ପ୍ରତିରୋଧ କରୁଥାନ୍ତି । ଏହା ଭିତରେ ଆତ୍ମଗୋପନ କରି ରହିଥିବା ରାଜା ଶାନ୍ତିଦେବ ତାଙ୍କ ଶିଶୁପୁତ୍ର ଜୀବିତ ଥିବା କଥା ଜାଣି ଯାଇଥିଲେ । ତା’ପରେ…
ଦିନ ଗଡି ଚାଲିଥାଏ । ଅମୃତପୁର ଏବଂ ତା’ପରେ ଅନ୍ୟାନ୍ୟ ରାଜ୍ୟ ଜୟ କରିବା ନିମନ୍ତେ ବୀରସିଂହର ସ୍ୱପ୍ନ ସ୍ୱପ୍ନରେହିଁ ରହିଥାଏ ।
ବୀରସିଂହ ଓ ତା’ ସେନାପତି କପାଳଚାନ୍ଦ ଯେତେ ଯାହା ଚେଷ୍ଟା କଲେ ବି ବିଦ୍ରୋହୀମାନଙ୍କ ଗୁପ୍ତ ଘାଟିର ସନ୍ଧାନ ଆଦୌ ପାଉ ନଥାନ୍ତି । ବିଦ୍ରୋହୀମାନେ ଏକା ସ୍ଥାନରେ ନରହି ବିସ୍ତୃତ ଅରଣ୍ୟର ଭିନ୍ନ ଭିନ୍ନ ଅଂଚଳରେ ରହୁଥାନ୍ତି । ତେବେ ସେମାନଙ୍କ ମୁଖ୍ୟ ଘାଟି ପର୍ବତ ପରିବେଷ୍ଟିତ ଖଣ୍ଡିଏ ଛୋଟ ଉପତ୍ୟକା । ତାକୁ ଉପତ୍ୟକା ନ କହି ପ୍ରଶସ୍ତ ରାସ୍ତା କହିଲେ ଠିକ୍ ହେବ । ସେ ରାସ୍ତା ମଣିଷଙ୍କ ଦ୍ୱାରା ତିଆରି ନୁହେଁ କି ବିଦ୍ରୋହୀମାନଙ୍କ ଛଡା ତା’ର ସନ୍ଧାନ ବେଶି କେହି ଜାଣି ନଥିଲେ । ଦୁଇ କଡରେ ଉଚ୍ଚ ପର୍ବତ ଗାତ୍ରରୁ କ୍ଷୀଣ ଝରଣାମାନ ଝରି ଆସୁଥାଏ । ବିଦ୍ରୋହୀମାନେ ସେ ସ୍ଥାନକୁ ବାଛିବାର ଅନେକ କାରଣ ଥିଲା । ପ୍ରଥମତଃ ତହିଁ ଭିତରେ ପଶିବା ପାଇଁ ବା ତହିଁ ଭିତରୁ ବାହାରି ଯିବା ପାଇଁ ଯେଉଁ ଦୁଇଟି ପଥ ଥିଲା, ତାହା ସୁଡଙ୍ଗ ଭଳି ଅପ୍ରଶସ୍ତା ଅନେକ ଗୁଡିକ ଗୁମ୍ଫା ଥିଲା । ବିପଦବେଳେ ବିଦ୍ରୋହୀମାନେ ଲୁଚିଯାଇ ପାରିବେ ।
ସପ୍ତାହରେ ଦିନେ ସମସ୍ତେ ସେଠାରେ ପହଁଚି ପରବର୍ତ୍ତୀ କାର୍ଯ୍ୟକଳାପ ସ୍ଥିର କରୁଥିଲେ । ଉପତ୍ୟକା ଭିତରେ ସେମାନେ ଲାଠିଖେଳ ଓ ଧନୁର୍ବିଦ୍ୟା ଅଭ୍ୟାସ କରୁଥିଲେ ।
ସବୁ କିଛି ଯେ ସୁରୁଖୁରୁରେ ଚାଲୁଥିଲା, ତାହା ନୁହେଁ । ଅଭାବ, ଅସୁବିଧା, ବିପଦଆପଦ ବି ଲାଗି ରହିଥାଏ । ସେମାନେ ସୁମେଧ ରାଜ୍ୟ ବ୍ୟାପି ଏବଂ ବିଶେଷତଃ ରାଜଧାନୀ ଶାନ୍ତିପୁର ନଗରୀରେ ବାବାଜୀ ବେଶରେ ବା ବେପାରୀ ବା ତୀର୍ଥଯାତ୍ରୀ ବେଶରେ ବୁଲୁଥାନ୍ତି । ଯଦି ବୀରସିଂହର ସୈନ୍ୟଦଳ କୌଣସି ଗ୍ରାମ ଲୁଣ୍ଠନ କରିବାର ଆଭାସ କେହି ପାଉଥାଏ, ତେବେ ସେ ତତ୍କ୍ଷଣାତ୍ ବଣ ଭିତରକୁ ଯାଇ ବସନ୍ତକୁ ସେ ସମ୍ବାଦ ଦେଉଥାଏ । କାଳ ବିଳମ୍ବ ନକରି ବିଦ୍ରୋହୀମାନେ ପ୍ରତିରୋଧ ପାଇଁ ଅଗ୍ରସର ହେଉଥାନ୍ତି । ଅଲଗା ଅଲଗା ରାସ୍ତାରେ ସେମାନେ ଛୋଟ ଛୋଟ ଦଳରେ ବିଭକ୍ତ ହୋଇ ଯଥା ସ୍ଥାନରେ ପହଁଚି ଅଚାନକ ବୀରସିଂହର ସୈନ୍ୟମାନଙ୍କୁ ଆକ୍ରମଣ କରୁଥାନ୍ତି ।
ଆହୁରି ଆଠବର୍ଷ ବିତିଗଲା । ସୁମେଧ ରାଜ୍ୟର ଲୋକଙ୍କ ଦୂରାବସ୍ଥାର କୌଣସି ଅନ୍ତ ନଥାଏ ।
ବୀରସିଂହର ଅନୁଚରମାନେ ଜାଣିଥାନ୍ତି କି ବିଦ୍ରୋହୀମାନେ ଛଦ୍ମବେଶରେ ବୁଲୁଛନ୍ତି । ଫଳରେ ସେମାନେ ଥରେ ଥରେ ନିରୀହ ପଥିକ, ତୀର୍ଥଯାତ୍ରୀ ଓ ସାଧୁସନ୍ଥଙ୍କୁ ବି ସନ୍ଦେହରେ ଧରିନେଇ ସେମାନଙ୍କୁ ବହୁତ ହଇରାଣ କରୁଥାନ୍ତି ।
କପାଳଚାନ୍ଦର ମୁଖ୍ୟ କାର୍ଯ୍ୟାଳୟ ଦୁଆରେ ଦିନେ ବସନ୍ତ ଯାଇ ବସିଥାଏ । ସେ ବାବାଜୀ ବେଶ ହୋଇଥାଏ ଓ ଲମ୍ବ ଲମ୍ବ ଦାଢି ଝୁଲାଇଥାଏ । ଜଣେ ବିଦ୍ରୋହୀ ଆସି ସେନାପତିଙ୍କ ମୁଖ୍ୟ କାର୍ଯ୍ୟାଳୟରେ ବସିବାର ସାହସ କରିବ, ଏକଥା କିଏ ବା କିପରି କଳ୍ପନା କରନ୍ତା?
ଜଣେ ସହକାରୀ ସେନାଧ୍ୟକ୍ଷ ହାଲୁକା ଭାବରେ ବସନ୍ତକୁ ପଚାରିଲା “ବାବାଜୀ, ତମକୁ ହାତ ଦେଖି ଆସେ?”
ବସନ୍ତ ଉତ୍ତର ଦେବାକୁ ଯାଇ କହିଲା “ଆସେ!”
ସେନାଧ୍ୟକ୍ଷ କୌତୁହଳୀ ଭାବରେ କହିଲା “ତେବେ ତମେ ମୋ କୋଠରୀ ଭିତରକୁ ଆସ । ମୁଁ ହାତ ଦେଖାଇବି ।”
ବସନ୍ତ ସେଥିରେ ଆନ୍ଦରେ ରାଜି ହେଲା । ଭିତରକୁ ଯାଇ କଥାବାର୍ତ୍ତା କରିବା ଭିତରେ ସେମାନଙ୍କର କାର୍ଯ୍ୟକଳାପ, ଭବିଷ୍ୟତ ଯୋଜନା ସମ୍ପର୍କରେ ହୁଏତ କିଛି ଖବର ପାଇଯିବ ।
କିନ୍ତୁ ବସନ୍ତ ଠିଆ ହୋଇ ପଡିବା ବେଳକୁ ତା’ ମୁଣ୍ଡ ଉପରେ ଝୁଲି ପଡିଥିବା ଗୋଟାଏ ବଙ୍କା କଂଟାରେ ତା’ ମୁଣ୍ଡର ନକଲି ଜଟା ଲଟକିଗଲା । ସେ ସେକଥା ବୁଝି ନପାରି ଉତ୍ସାହରେ ଚାଲିବାକୁ ଆରମ୍ଭ କରିବାରୁ ପରଚୁଳାଟି ପୁରାପୁରି ମୁଣ୍ଡରୁ ଅଲଗା ହୋଇଗଲା ।
ସେନାଧ୍ୟକ୍ଷ ଆଶ୍ଚର୍ଯ୍ୟ ହୋଇ ପ୍ରଶ୍ନ କଲା “ଆରେ, ଇଏ କ’ଣ? ତମେ ତେବେ ସତ ବାବାଜୀ ନୁହଁ? ତମେ କିଏ?”
ସେମାନଙ୍କୁ ଭୁଲାଇବା ଅସମ୍ଭବ ଜାଣି ବସନ୍ତ ଚଟକିନା ବୁଲିପଡି ସେଠୁ ଦୌଡିଲା ।
“ଧର ଧର । ସେ ଗୁପ୍ତଚରକୁ ଧରି ନିଅ!” ଏଭଳି ଚିତ୍କାର କରି ସେନାଧ୍ୟକ୍ଷ ତା’ ପଛେ ପଛେ ଦୌଡିଲା । ଦୁଇ ତିନିଜଣ ସୈନ୍ୟ ଚମକି ଉଠି ବସନ୍ତକୁ ଅନୁସରଣ କଲେ । ଘୋଡାଶାଳକୁ ଯାଇ ଘୋଡାଟିଏ ଆଣିବା ନିମନ୍ତେ ସମୟ ନଥିଲା । ବିନା ଘୋଡାରେ ବସନ୍ତ ସହିତ ଦୌଡି ତାକୁ ଧରିବା ଏତେ ସହଜ ନଥିଲା । କିନ୍ତୁ ସେହି ସେନାଧ୍ୟକ୍ଷ ଜଣକ ବୀରସିଂହର ସୈନ୍ୟଦଳ ଭିତରେ ସବୁଠାରୁ ଭଲ ଦୌଡିବାବାଲା ଥିଲା । ସେ ତା’ ପ୍ରାଣପଣେ ଦୌଡିଲା । ବସନ୍ତ ଓ ତା’ ଭିତରେ ଥିବା ବ୍ୟବଧାନ କ୍ରମେ କମି ଆସିଲା ।
ଠିକ୍ ସେତିକିବେଳେ ବିପରୀତ ଦିଗରୁ ଜଣେ ବ୍ୟକ୍ତି ଗୋଟିଏ ଘୋଡା ଚଢି ଆସୁଥାନ୍ତି । ତାଙ୍କ ଆଡେ ଲକ୍ଷ୍ୟ କରି ସେନାଧ୍ୟକ୍ଷ ପାଟି କରି କହିଲା “ଧର, ଧର, ସେ ପଳାତକ ଗୋଟାଏ ଗୁପ୍ତଚର । ତାକୁ ଶୀଘ୍ର ଧର । ପୁରସ୍କାର ପାଇବ ।” ସେନାଧ୍ୟକ୍ଷ ଧରି ନେଇଥାଏ ଯେ ସେ ଅଶ୍ୱାରୋହୀ ଜଣକ ସୁମେଧ ରାଜ୍ୟର କୌଣସି ସମ୍ଭ୍ରାନ୍ତ ପ୍ରଜା ।
କିନ୍ତ ଅଶ୍ୱାରୋହୀ ବସନ୍ତ ପାଖକୁ ଲାଗି ଆସି କହିଲେ, “ଶୀଘ୍ର ନଈ ସେପାରିକୁ ଚାଲିଯାଅ ।” ତା’ପରେ ସେ ସେନାଧ୍ୟକ୍ଷ ପାଖକୁ ଆସି ତା’କୁ ଚାବୁକରେ ପିଟିଦେଲେ । ଫଳରେ ସେ ସେନାଧ୍ୟକ୍ଷ ତଳେ ପଡିଗଲା । ଅନ୍ୟ ଦୁଇ ସୈନ୍ୟ ଆସି ସେନାଧ୍ୟକ୍ଷକୁ ଉଠାଇ ବସାଇବାରେ ମନ ଦେଲେ । ଅଶ୍ୱାରୋହୀ ଘୋଡା ବୁଲାଇ ଚାଲିଗଲେ । ଗୋଟିଏ ଲମ୍ପରେ ଘୋଡା ନନ୍ଦିନୀ ନଈ ପାରି ହୋଇ ଅନ୍ୟ କୂଳରେ ଯାଇ ପହଁଚିଗଲା । ସେତେବେଳକୁ ବସନ୍ତ ସନ୍ତରଣ କରି ସେ କୂଳ ପାଖରେ ପହଁଚିଥାଏ । ଅଶ୍ୱାରୋହୀ ହାତ ବଢାଇ ତାକୁ ଉପରକୁ ଉଠାଇ ଆଣିଲେ ।
ସେତେବେଳକୁ ଅଶ୍ୱାରୋହୀଙ୍କ ମୁହଁରୁ ତ ଆବରଣ ଖସି ପଡିଥାଏ । ବସନ୍ତ କୂଳକୁ ଉଠି ସଙ୍ଗେ ସଙ୍ଗେ ତାଙ୍କୁ ପ୍ରଣାମ କଲା ଓ କହିଲା, “ମହାରାଜ! ବିପଦ ବେଳେ ଯେଉଁ ରହସ୍ୟମୟ ବ୍ୟକ୍ତି ଜଣକ ବାରମ୍ବାର ଆମକୁ ରକ୍ଷା କରନ୍ତି, ସିଏ ଯେ ଆପଣ ବୋଲି ମୋର କେତେଦିନରୁ ଧାରଣା ହେଲାଣି । ଆଜି ମୋର ସୌଭାଗ୍ୟ, ଖାଲି ଯେ ଆପଣଙ୍କ ଯୋଗୁଁ ମୁଁ ଶତ୍ରୁ କବଳରୁ ଖସି ଆସିଲି, ତାହା ନୁହେଁ, ବରଂ ମୁଁ ମଧ୍ୟ ଆପଣଙ୍କୁ ଚିହ୍ନିଲି ।”
ସେ ରାଜା ଶାନ୍ତିଦେବଙ୍କୁ ପୁଣି ପ୍ରଣାମ କଲା ।
ରାଜା ଶାନ୍ତିଦେବ କହିଲେ “ବସନ୍ତ! ସୁମେଧ ରାଜ୍ୟର ନିର୍ଯ୍ୟାତିତ ପ୍ରଜାକୂଳଙ୍କ ପାଇଁ ତମେ କେତେ ଯେ ତ୍ୟାଗ ଓ କଷ୍ଟ କରୁଛ, ତାହା ମୁଁ ଜାଣେ । ତେଣୁ ତମ ପାଖରେ ଚିହ୍ନା ଦେବାକୁ ମୁଁ ଆଦୌ କୁଣ୍ଠିତ ନୁହେଁ । କିନ୍ତୁ ମୁଁ ଜୀବିତ, ଏକଥା ତମେ ପ୍ରଚାର କରିବ ନାହିଁ ।”
ବସନ୍ତ ପଚାରିଲା “ମହାରାଜ, ତାହା କଲେ କ୍ଷତି କ’ଣ?”
“ମୁଁ ବଂଚିଛି ବୋଲି ଜାଣିଲେ ପ୍ରଜାମାନେ ଅସ୍ଥିର ଓ ଉତ୍ତେଜିତ ହେବେ । ଦ୍ୱିତୀୟରେ ବୀରସିଂହ ମୋତେ ଖୋଜି ବାହାର କରିବା ନିମନ୍ତେ ଘରେ ଘରେ ଅନୁସନ୍ଧାନ ଆରମ୍ଭ କରିଦେବ । ସୈନ୍ୟମାନେ ମଧ୍ୟ ଆହୁରି ପ୍ରବଳ ଅତ୍ୟାଚାର କରିବେ ।”
ବସନ୍ତ ଆକୁଳ କଣ୍ଠରେ କହିଲା “ମହାରାଜ! ପ୍ରଜା ସାଧାରଣ ନ ଜାଣନ୍ତୁ, କିନ୍ତୁ ଯେଉଁ କେତେଜଣ ଦେଶପ୍ରେମୀ ଯୁବକ ନିଜ ଜୀବନକୁ ପାଣି ଛଡାଇ ଅତ୍ୟାଚାରୀ ବୀରସିଂହ ବିରୁଦ୍ଧରେ ଲଢେଇ କରିବାକୁ ପ୍ରସ୍ତୁତ, ସେମାନେ ଅନ୍ତତଃ ଆପଣ ଅଛନ୍ତି ବୋଲି ଜାଣିବା ଉଚିତ୍ ନୁହେଁ କି? ଏତକ ଜାଣିଲେ ସେମାନେ କେଡେ ଉତ୍ସାହ ଅନୁଭବ କରିବେ! ଆପଣଙ୍କ ପାଇଁ ଲଢେଇ କରିବାଠୁଁ ବଳି ଗୌରବମୟ କଥା ଆଉ ପୁଣି କ’ଣ ବା ଥାଇପାରେ? ଆପଣ ଦୟାକରି ବିଦ୍ରୋହୀମାନଙ୍କ ଆଗରେ ଦେଖା ଦେବାକୁ ସମ୍ମତ ହୁଅନ୍ତୁ । ଆପଣହିଁ ହେବେ ଆମ ଉତ୍ସାହର ଉତ୍ସ । ଆପଣହିଁ ହେବେ ଆମ ପ୍ରେରଣା । ବୀରସିଂହର ସୈନ୍ୟଦଳ ସହ ଆଉ କେତେକାଳ ଆମେ ଏମିତି ଛକାପଞ୍ଝା ଖେଳୁଥିବୁ? ସେଥିରେ ଅବସ୍ଥାରେ ମୋଟେ କୌଣସି ପରିବର୍ତ୍ତନ ହେବ ନାହିଁ । ଦିନ ପରେ ଦିନ ଲୋକଙ୍କ କଷ୍ଟ ବଢି ବଢି ଚାଲିଛି । ଏ ପରିସ୍ଥିତି ବଦଳିବା ଦରକାର । ଆମେ ଦୁର୍ବୁତ ବୀରସିଂହକୁ ହଟାଇଦେବା ଉଚିତ୍ ।”
ରାଜା କ୍ଷଣକ ପାଇଁ ଚିନ୍ତାମଗ୍ନ ଦେଖାଗଲେ । ତା’ପରେ ସେ କହିଲେ, “ବସନ୍ତ! ତମେ ଠିକ୍ କହୁଛ । ଆମେ ଆମ ରାଜ୍ୟର ଦେଶପ୍ରେମୀ ଲୋକଙ୍କୁ ଏକତ୍ର କରି, ଅମୃତପୁରର ସୈନ୍ୟବାହିନୀ ସାହାଯ୍ୟରେ ବୀରସିଂହର ଶାସନ ଉପରେ ଯବନିକା ଟାଣିବା ଏକାନ୍ତ ଆବଶ୍ୟକ ।”
ବସନ୍ତର ମୁହଁ ଉଜ୍ଜ୍ୱଳ ଦେଖାଗଲା । ସେ କୃତଜ୍ଞ ଭାବରେ ରାଜାଙ୍କୁ ଅଭିବାଦନ କଲା ।
ପୂର୍ଣ୍ଣିମା ରାତି । ବସନ୍ତର ଅନୁଚରମାନେ ଉପତ୍ୟକାରେ ସମବେତ ହୋଇଥାନ୍ତି । ପ୍ରବଳ ଆଶା ଓ ଉତ୍କଣ୍ଠା ଭରେ ସେମାନେ ରାଜା ଶାନ୍ତିଦେବଙ୍କ ଆଗମନକୁ ଅପେକ୍ଷା କରୁଥାନ୍ତି । ସେହି ସବଳ, ସାହସୀ ଯୁବଗଣଙ୍କ ସଂଖ୍ୟା ଶହେ ସରିକି ହେବ ।
“ବସନ୍ତ!”
ଖଣ୍ଡିଏ ଶିଳା ପଛପଟରୁ କେହି ଜଣେ ଚପା କଣ୍ଠରେ ଏପରି ଡାକିବାର ବସନ୍ତ ଶୁଣିଲା । ବସନ୍ତ ବୁଲିପଡି ଅନାଇଲା । ହଁ, ସେ ଆଗନ୍ତୁକ ଜଣକ ଆଉ କେହି ନୁହଁନ୍ତି, ରାଜା ଶାନ୍ତିଦେବ ।
“ମହାରାଜ!”
ବସନ୍ତ ତାଙ୍କର ଅଭିବାଦନ କଲା ।
ରାଜା ଆଦେଶ ଦେଲେ “ବସନ୍ତ! ଆମ ହାତରେ ଆଉ ଅଧିକ ସମୟ ନାହିଁ । ବୀରସିଂହର ସୈନ୍ୟଦଳ ଏହି ଉପତ୍ୟକା ଆଡେ ମାଡି ଆସୁଛନ୍ତି । ସେମାନେ ଏହାର ଦୁଇ ପ୍ରାନ୍ତ ଅବରୋଧ କରିବାର ଯୋଜନା କରିଛନ୍ତି । ସେମାନେ ପ୍ରାୟ ଦକ୍ଷୀଣ ପ୍ରାନ୍ତରେ ପହଁଚି ଗଲେଣି । ବିପରୀତ ପ୍ରାନ୍ତ ଅବରୋଧ କରିବାକୁ ଯେଉଁ ଦଳ ଯାଇଛି, ସେ ଦଳ ସେଠାରେ ପହଁଚିବାକୁ ଟିକିଏ ସମୟ ଲାଗିବ । ମୁଁ ଦକ୍ଷୀଣ ପ୍ରବେଶ ପଥରେ ଠିଆ ହୋଇ ସେମାନଙ୍କୁ ପ୍ରତିରୋଧ କରିବି । ତମେମାନେ ସମସ୍ତେ ଉତ୍ତର ପ୍ରାନ୍ତ ଦେଇ ଏହି ମୁହୂର୍ତ୍ତରେ ଖସି ଚାଲିଯାଅ ।”
ଅବସ୍ଥା କେତେ ଗୁରୁତର, ତାହା ବସନ୍ତ ବୁଝିପାରିଲା । ଏତେଦିନ ଚେଷ୍ଟା କରିବା ପରେ ବୀରସିଂହ ସେମାନଙ୍କ ଗତିବିଧି ବିଷୟରେ ସଠିକ୍ ଖବର ପାଇପାରିଛି! ଏ ଉପତ୍ୟକାର ଉଭୟ ପ୍ରାନ୍ତ ଅବରୋଧ କରି ଏ ଶହେ ବିଦ୍ରୋହୀଙ୍କୁ ଖତମ୍ କରିପାରିଲେ ବୀରସିଂହ ନିରାପଦ ହେବ । ନା, ତାକୁ ସେ ସୁଯୋଗ କଦାପି ମଧ୍ୟ ଦିଆଯିବ ନାହିଁ ।
ବସନ୍ତ ସେ ଯୁବକମାନଙ୍କୁ ତତ୍କ୍ଷଣାତ୍ ଉତ୍ତର ପ୍ରାନ୍ତ ଦେଇ ବଣ ଭିତରକୁ ଖସି ଯିବାକୁ ନିର୍ଦେଶ ଦେଲା । ସେମାନେ ତାଙ୍କର ସେ ନିର୍ଦେଶ ପାଳନ କଲେ । କିନ୍ତୁ ବସନ୍ତ ନିଜେ ଗଲାନାହିଁ ।
ରାଜା ଅଧୈର୍ଯ୍ୟ ଭାବରେ ପଚାରିଲେ “ବସନ୍ତ! ତମେ କାହିଁକି ଯାଉନା?”
ବସନ୍ତ କହିଲା “ମହାରାଜ! ଆପଣଙ୍କୁ ଏକାକୀ ଛାଡି ମୁଁ କେବେବି ଯାଇପାରିବି ନାହିଁ ।”
ବସନ୍ତର ଦୃଢ କଣ୍ଠରୁ ରାଜା ବୁଝିଲେ, ସେ ତା’ ନିଷ୍ପତିରେ ଅଟଳ । ଅଧିକ କଥାବାର୍ତ୍ତା ପାଇଁ ବେଳ ନଥିଲା । ବୀରସିଂହର ସେନାପତି କପାଳଚାନ୍ଦ ତା’ର ଦଳବଳ ନେଇ ଉପତ୍ୟକାର ପ୍ରାନ୍ତ ଦେଶରେ ପହଁଚି ଯାଇଥାଏ ।
ରାଜା ନିଜର ଅସୀ ଉନ୍ମୁକ୍ତ କରି ଦ୍ୱାର ଦେଶରେ ଠିଆ ହୋଇ ରହିଲେ । ବସନ୍ତ ତାଙ୍କ ପଶ୍ଚାତରେ ଠିଆ ହେଲା । ସେ ସୁଡଙ୍ଗ ପଥରେ ପାଖାପାଖି ଦୁଇଜଣ ଠିଆ ହୋଇ ଅସ୍ତ୍ର ଚାଳନା କଲାଭଳି ସ୍ଥାନ ନଥିଲା ।
କପାଳଚାନ୍ଦ ନିଜେ ଗୋଟାଏ କଡରେ ଠିଆ ହୋଇ ତା’ ସୈନ୍ୟମାନଙ୍କୁ ହୁକୁମ୍ ଦେଲା, “ଯାଅ, ଯାଅ! ଭିତରେ ପଶ!”
ପ୍ରଥମେ ଯେଉଁ ସୈନିକଟି ଭିତରେ ପଶିବାକୁ ଉଦ୍ୟତ ହେଲା, ରାଜା ତାକୁ ଗୋଟାଏ ଧକ୍କାରେ ତଳକୁ ସିଧା ଗଡାଇ ଦେଲେ । ରାଜାଙ୍କ ପଛରେ ଥାଇ ବସନ୍ତ ପାଟି କରି କହିଲା, “ସାବଧାନ୍! ଭିତରକୁ ଯିଏ ପଶିବାକୁ ଚେଷ୍ଟା କରିବ, ସିଏ ନିଶ୍ଚୟ ମରିବ ।” ରାଜା ନିଜେ ନୀରବ ରହିଥାନ୍ତି । ତାଙ୍କ କଣ୍ଠସ୍ୱରରୁ ତାଙ୍କୁ କେହି ଚିହ୍ନୁ ବୋଲି ସେ ଆଦୌ ଚାହୁଁ ନଥିଲେ ।
“ବସନ୍ତ! ଏହାହିଁ ତମର ଶେଷ ରଜନୀ!” ଏଭଳି ଚିତ୍କାର କରି କପାଳଚାନ୍ଦ ନିଜେ ଖେପି ଆସିଲା । ପ୍ରଥମ ସୈନ୍ୟଟି ଦେହରେ ତରବାରୀ ଚୋଟ ଲାଗିନଥିବାରୁ ବିଦ୍ରୋହୀମାନଙ୍କ ହାତରେ ତଲୁଆର ନାହିଁ ବୋଲି ସେ ଧରିନେଇଥିଲା । ବସନ୍ତକୁ ନିଜେ ମାରି ପକାଇବାର ଗୌରବ ନେବାକୁ ସେ ଉଦଗ୍ରୀବ ହୋଇ ଉଠିଥାଏ ।
ବସନ୍ତ କହିଲା “କପାଳଚାନ୍ଦ! ତମେ ହଟିଯାଅ । ଆମେ କାହାରିକୁ ମଧ୍ୟ ହତ୍ୟା କରିବାକୁ ଚାହୁଁ ନା!” କିନ୍ତୁ କପାଳଚାନ୍ଦ ହଠାତ୍ ସୁଡଙ୍ଗ ପଥକୁ ତା’ ବର୍ଚ୍ଛା ନିକ୍ଷେପ କଲା । ବର୍ଚ୍ଛା ଯାଇ ରାଜାଙ୍କ ଛାତିରେ ଲାଗିଲା । କପାଳଚାନ୍ଦ ରାଜାଙ୍କୁ ବସନ୍ତ ବୋଲି ଭାବି ପାଖକୁ ଦୌଡି ଆସିଲା ।
“ହେଇଟି, ନେ ତୋ’ର ପ୍ରାପ୍ୟ, ଦୁଷ୍ଟ ପିଶାଚ!” ବସନ୍ତର ତରବାରୀ ବିଦ୍ୟୁତ୍ ବେଗରେ ବୁଲି ଆସିଲା । କପାଳଚାନ୍ଦର ମୁଣ୍ଡ ଛିଟିକି ଯାଇ ତଳେ ଗଡି ପଡିଗଲା ।
ସୈନ୍ୟମାନଙ୍କ ଭିତରେ କୋଳାହଳ ପଡିଗଲା । “ସେନାପତି ମରିଗଲେ! ଆରେ! କପାଳଚାନ୍ଦ ତାଙ୍କ ମୁଣ୍ଡଟି ହରାଇଲେ!” ସୈନ୍ୟମାନେ ଏହିଭଳି ଅନେକ ଚିତ୍କାର କରି ଛତ୍ରଭଙ୍ଗ ଦେଲେ ।
ସେତେବେଳକୁ ଉପତ୍ୟକାର ଉତ୍ତର ପ୍ରାନ୍ତ ଦେଇ ପଶିଥିବା ସୈନ୍ୟମାନେ ସେଠାରେ ଆସି ପହଁଚିବା ଉପରେ । ବିଦ୍ରୋହୀ ଯୁବକମାନେ ଠିକ୍ ସମୟରେ ଖସି ଯାଇଥିଲେ । ତେଣୁ ସେମାନଙ୍କୁ କେହି ବି ଆଉ ବାଧା ଦେଇ ନଥିଲେ । ବସନ୍ତ ରାଜାଙ୍କୁ ଟେକିନେଇ ଗୋଟିଏ ପତଳା ଜଳପ୍ରପାତ ପଛରେ ଥିବା ଗୁମ୍ଫା ଭିତରକୁ ଚାଲିଗଲା । ପଛଦେଇ ପଶିଥିବା ସୈନ୍ୟମାନେ ଉପତ୍ୟକା ଭିତରେ କାହାକୁ ନଦେଖି ଦକ୍ଷୀଣ ପ୍ରାନ୍ତ ଦେଇ ସେଠୁ ବାହାରି ଚାଲିଗଲେ । ବାହାରି ଯାଇ ସେମାନେ ଅବଶ୍ୟ ନିଜ ସେନାପତିଙ୍କ ଦୁର୍ଦ୍ଦଶା ଦେଖିଥିବେ ।
ବସନ୍ତ ସେହି ଗୁମ୍ଫା ଭିତରେ ରାଜାଙ୍କୁ ଶୁଆଇ ଦେଲା । ପ୍ରପାତରୁ ଜଳ ଆଣି ତାଙ୍କୁ ସେ ଦେଲା । ସୈନ୍ୟମାନେ ସେଠାରୁ ଚାଲିଗଲେଣି ଏହା ଜାଣିବା ପରେ ସେ ଗୋଟିଏ ମଶାଲ୍ ଜାଳିଲା ।
“ବସନ୍ତ! ମୋର ଶେଷ ମୁହୂର୍ତ୍ତ ପ୍ରାୟ ଆସନ୍ନ । କିନ୍ତୁ ତମେମାନେ ତମ ସଂଗ୍ରାମ ଏମିତି ଚାଲୁରଖ । ସିଂହାସନ ଫେରି ପାଇବା ଦିଗରେ ମୋର ତ ଆଉ ତିଳେ ହେଲେ ବି କୌଣସି ପ୍ରକାର ଆଗ୍ରହ ନଥିଲା । କିନ୍ତୁ ପ୍ରଜାମାନଙ୍କ ଦୁର୍ଦ୍ଦଶା ଯୋଗୁଁ ମୁଁ ଭୀଷଣ ବ୍ୟଥିତ । ବୀରସିଂହ ଦିନେ ଯେ ଜଣେ ସୁଶାସକ ହେବ, ସେ ଆଶା ମୋର ନାହିଁ । ତେଣୁ ଲଢିଯାଅ ।”
ରାଜାଙ୍କ କଣ୍ଠସ୍ୱର ମୃଦୁ ହୋଇ ଆସୁଥାଏ । ଏଣେ ତାଙ୍କ ଛାତିରୁ ବି ଅବିରତ ରକ୍ତ ଝରୁଥାଏ । ଯେତେ ଯାହା ଚେଷ୍ଟା କଲେ ବି ସେ ଧାରା ଆଉ ବନ୍ଦ ହେଲା ନାହିଁ ।
“ମହାରାଜ! ଆପଣ ଆମକୁ ଛାଡି ଚାଲିଗଲେ ଲଢେଇ ପାଇଁ ଆମର ଆଉ ଉତ୍ସାହ କିପରି ରହିବ? କାହା ପାଇଁ ଆମେ ଲଢିବୁ? ରାଣୀ ଓ ରାଜପୁତ୍ର ବି ଯାଇଛନ୍ତି । ବୀରସିଂହକୁ ସିଂହାସନରୁ ହଟାଇଲେ ବି ସେଥିରେ କିଏ ବସିବ?” ଏତିକି କହି ବସନ୍ତ କାନ୍ଦି ପକାଇଲା ।
ରାଜା କ୍ଷୀଣ କଣ୍ଠରେ କହିଲେ “ବସନ୍ତ! ରାଣୀ ନାହାଁନ୍ତି ଠିକ୍ । କିନ୍ତୁ ରାଜପୁତ୍ରକୁ ସେ ନିରାପଦରେ ରଖି ଯାଇଛନ୍ତି । ସେ ନିର୍ଜନରେ ବଢୁଛି । ଦିନେ ସେ ତମ ଦଳରେ ଯୋଗଦେବ । ଆଜି ଜଣେ ମହାନ୍ ତପସ୍ୱୀ ତା’ର ଅଭିଭାବକ । ଯେତେବେଳେ ସମୟ ଆସିବ, ସେତେବେଳେ ତମେ ତା’ର ଅଭିଭାବକ ହେବ, ଏହାହିଁ ମୋର ଇଚ୍ଛା ।”
“ଆପଣ ଏସବୁ କ’ଣ କହୁଛନ୍ତି ମହାରାଜ! ରାଜପୁତ୍ର ଜୀବିତ ଅଛନ୍ତି? ତେବେ ତ ଆମେ ତାଙ୍କ ପାଇଁ ପ୍ରାଣମୂର୍ଚ୍ଛା ଲଢେଇ କରିଯିବୁ! ସେ ଆମ ପାଇଁ ଉଦୟସୂର୍ଯ୍ୟ ହେବେ । କହନ୍ତୁ ମହାରାଜ! ସେ ଏବେ କେଉଁଠି?” ଏହା କହି ବସନ୍ତ ଶିହରିତ ହୋଇ ଉଠିଲା ।
ରାଜା ତାକୁ ସଂକ୍ଷେପରେ ସବୁ କହିଦେଲେ । ରାତ୍ରିର ଶେଷ ପ୍ରହରବେଳକୁ ରାଜା ପ୍ରାଣତ୍ୟାଗ କଲେ ।