• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»Dasyu RajKumar
ଗଳ୍ପ

Dasyu RajKumar

Liza SBy Liza SSeptember 9, 2022No Comments7 Mins Read
Facebook Twitter Pinterest Reddit LinkedIn Tumblr Email
Odia Story Dasyu RajKumar
Odia Story Dasyu RajKumar
Share
Facebook Twitter Pinterest Reddit Email

ଦିନେ ଉତ୍ସବମୁଖର ରଜନୀରେ ସୁମେଧର ରାଜା ଶାନ୍ତିଦେବଙ୍କୁ ସବଂଶେ ନିପାତ କରିବାର ଚକ୍ରାନ୍ତ କରି ସେନାପତି ବୀରସିଂହ ପ୍ରାସାଦ ଭିତରେ ପ୍ରବେଶ କଲା । କିନ୍ତୁ ରାଜା ଗୋପନ ସୁଡଙ୍ଗ ପଥରେ ରାଣୀ ଓ ତାଙ୍କ ଶିଶୁ ରାଜପୁତ୍ରଙ୍କୁ ବଣ ଭିତରକୁ ପଠାଇ ଦେଇ ନିଜେ ବୀରତ୍ୱର ସହ ଯୁଦ୍ଧ କରି ନଈ ଭିତରକୁ ଲଂପ ଦେଲେ । ରାଣୀ ବଣ ଭିତରେ ପହଁଚି ଶିଶୁ ପୁତ୍ରକୁ ସନ୍ନ୍ୟାସୀ ଦୟାନନ୍ଦଙ୍କୁ ସମର୍ପି ଶେଷ ନିଃଶ୍ୱାସ ତ୍ୟାଗ କଲେ ।

ଦୟାନନ୍ଦ ରାଣୀଙ୍କ ମୃତଦେହ ପାଖରେ ବସିଥାନ୍ତି । ଗଛ ଡାଳରେ ମାଙ୍କଡଟିଏ କିଚିରି ମିଚିରି କଲା । ସନ୍ନ୍ୟାସୀ ସେହି ମାଙ୍କଡ ଆଡେ ଅନାଇ କହିଲେ “ଆରେ ମଙ୍କୁ, ତଳକୁ ଆ । ତୋର ଜଣେ ନୂଆ ବନ୍ଧୁ ଆସିଛି । ତା’ ସାଙ୍ଗରେ ଖେଳ ।” ମାଙ୍କଡଟି ତଳେ ପଥର ଉପରକୁ ଡେଇଁ ପଡିଲା । ସନ୍ନ୍ୟାସୀ ପୁଣି କହିଲେ, “ଆଚ୍ଛା, ତୁ ଆଗେ ଯାଇ ଭାଲୁକୀକୁ ଡାକି ଆଣିଲୁ! ସେ ଏହାର ଦାଇତ୍ତ୍ଵ ନେବ ।”

ମଙ୍କୁ ନାମକ ସେ ମାଙ୍କଡ ହର୍ଷଧ୍ୱନି ଦେଇ ପୁଣି ଗଛ ଚଢିଗଲା ଓ ଡାଳରୁ ଡାଳକୁ ବିଦ୍ୟୁତ୍ ଗତିରେ ଡେଇଁ ଡେଇଁ ଗଛ ପରେ ଗଛ ଅତିକ୍ରମ କରି ଅଦୃଶ୍ୟ ହୋଇଗଲା । ଶିଶୁଟି ଥରେ ତା’ ମା ମୁହଁ ଆଡେ ଓ ଥରେ ସନ୍ନ୍ୟାସୀଙ୍କ ଆଡେ ଅନାଉଥାଏ । ମା ଆଉ ଜୀବନରେ ନାହାଁନ୍ତି ବୋଲି ସେ ବା କାହୁଁ ବୁଝନ୍ତା?

ସନ୍ନ୍ୟାସୀ ତାକୁ କୋଳକୁ ନେଇ କହିଲେ “ତୁ ତ ଆମର ବାହାଦୁର୍ ପିଲା! ଜୀବନରେ ତୋତେ ବହୁତ କିଛି କରିବାକୁ ହେବ । ମାଙ୍କ ମୃତ୍ୟୁ ଯୋଗୁଁ କାନ୍ଦିବା ତୋତେ ମୋଟେ ଶୋଭା ପାଇବ ନାହିଁ । ବରଂ, ତାଙ୍କ ପ୍ରତି ହୋଇଥିବା ଅନ୍ୟାୟର ପ୍ରତିଶୋଧ ପାଇଁ ତୁ ପ୍ରସ୍ତୁତ ହେବା ଉଚିତ୍ ।”

କହିବା ବାହୁଲ୍ୟ, ଶିଶୁ କିଛି ହେଲେବି ବୁଝିଲା ନାହିଁ । କିନ୍ତୁ ସନ୍ନ୍ୟାସୀଙ୍କ କଥା ତାକୁ ନିଶ୍ଚୟ ଭଲ ଲାଗିଲା । ସେ ମଧୁର ଭାବରେ ହସିଲା ଓ ସେ ସନ୍ନ୍ୟାସୀଙ୍କ ଦାଢି ଟାଣିବାକୁ ଲାଗିଲା ।

ଶିଶୁକୁ କାଖେଇ ସନ୍ନ୍ୟାସୀ ଠିଆ ହେଲେ ଓ କହିଲେ, “ବାବା, ତୋ ହାର ଓ ପଦକ କିନ୍ତୁ ମୁଁ କାଢି ଦେବାକୁ ବାଧ୍ୟ । ଏହା ଦେଖିଲେ ସମସ୍ତେ ଜାଣିଯିବେ ଯେ ତୁ କିଏ । ସେଇଟା ନିରାପଦ ହେବ ନାହିଁ । ମୁଁ ଠିକ୍ କହୁଛିଟି?”

ସନ୍ନ୍ୟାସୀ ଧୀର ଭାବରେ ଶିଶୁ ବେକରୁ ହାରଟି ବାହାର କରିନେଲେ । ଇତିମଧ୍ୟରେ ମଙ୍କୁ ଫେରି ଆସିଥାଏ । ଗଛ ଡାଳରୁ ଓହଳି ପଡି ସେ ନାନା ପ୍ରକାର ଧ୍ୱନି କରି ଶିଶୁକୁ ଖୁସି କରିବାକୁ ଚେଷ୍ଟା କରୁଥାଏ ।

ଭାଲୁକୀ ବୁଦା ଭିତରୁ ବାହାରି ଆସିଲା । ସ୍ନେହପୂର୍ଣ୍ଣ ଦୃଷ୍ଟିରେ ଶିଶୁ ଆଡେ ଅନାଇ ସେ ସନ୍ନ୍ୟାସୀଙ୍କ ନିର୍ଦ୍ଧେଶକୁ ଅପେକ୍ଷା କଲା ।

ସନ୍ନ୍ୟାସୀ ଭାଲୁକୀକୁ ପ୍ରଶ୍ନ କଲେ “ଭାଲୁକୀ! ଏ ସୁନ୍ଦର ଶିଶୁକଥା ତୁ ବୁଝାବୁଝି ନକଲେ କେମିତି ଚଳିବ?” ଭାଲୁକୀ ତା’ ଆଗ ହାତ ଦୁଇଟି ବଢାଇଦେଲା । ଶିଶୁ ପ୍ରଥମେ ତା’ ପାଖକୁ ଯିବାକୁ ନାମଙ୍ଗ ହେଉଥିଲା । କିନ୍ତୁ ସନ୍ନ୍ୟାସୀ ତାକୁ କହିଲେ, “ସେ ଅତ୍ୟନ୍ତ ସ୍ନେହଶୀଳା । ସେ ପୃଥିବୀରେ ଏକମାତ୍ର ଭାଲୁକୀ ଯିଏ କି ସବୁଦିନେ ଝରଣାରେ ସ୍ନାନ କରି ସଫାସୁତୁରା ରହେ । ମୁଁ ଠିକ୍ କହୁଛିଟି?”

ଭାଲୁକୀ ମୁଣ୍ଡ ହଲାଇ ତାଙ୍କ କଥାକୁ ସମର୍ଥନ କଲା । ସତରେ କିନ୍ତୁ ସେ ସନ୍ନ୍ୟାସୀଙ୍କ କଥା ବୁଝୁଥିଲା । ଦୟାନନ୍ଦଙ୍କର ଏକ ଅଦ୍ଭୁତ ଶକ୍ତି ଥିଲା । ସେ ଯେ କୌଣସି ପଶୁ କଥା ବୁଝି ପାରୁଥିଲେ ଓ ନିଜ କଥା ମଧ୍ୟ ପଶୁକୁ ବୁଝାଇ ଦେଇ ପାରୁଥିଲେ । ଭୀଷଣ ବାଘକୁ ମଧ୍ୟ ସେ ଅନାୟାସରେ ବଶ କରିପାରୁଥିଲେ । ସନ୍ନ୍ୟାସୀଙ୍କର ଏଭଳି ଶକ୍ତି ସମ୍ପର୍କରେ ଅରଣ୍ୟ ବାହାରେ ଅତି ଅଳ୍ପ ଲୋକ ଉଣା ଅଧିକେ ଜାଣିଥିଲେ । ସନ୍ନ୍ୟାସୀ ସହଜରେ ନିଜ ଶକ୍ତି କଥା କାହାରିକୁ ମଧ୍ୟ ଜଣାଉ ନଥିଲେ । ତାଙ୍କ ସହ ମାତ୍ର ଦୁଇଜଣ ଚେଲା ରହୁଥିଲେ । ସେମାନେ ରାମୁ ଓ ଗୋବିନ୍ଦ । ସନ୍ନ୍ୟାସୀଙ୍କଠୁଁ ଧ୍ୟାନ ଓ ଯୋଗ ଇତ୍ୟାଦି ଶିଖିବା ସଙ୍ଗେ ସଙ୍ଗେ ସେ ଦୁହେଁ ଆନ୍ତରିକ ଭାବରେ ତାଙ୍କର ସେବା ବି କରୁଥିଲେ । ଅବଶ୍ୟ ସେ ସନ୍ନ୍ୟାସୀଙ୍କର ବିଶେଷ ସେବାଯତ୍ନ ଆବଶ୍ୟକ ନଥିଲା । ଏପରିକି ମଣିଷଙ୍କ ବିନା ସାହାଯ୍ୟରେ ବି ସେ ଚଳିଯାଇ ପାରନ୍ତେ । କାରଣ ବଣର ସବୁ ପଶୁପକ୍ଷୀ ତାଙ୍କ କଥା ମାନୁଥିଲେ । ଚେଲା ଦୁଇଜଣ ରାଜକୁମାରଙ୍କ ଜନ୍ମୋତ୍ସବ ଦେଖିବା ନିମନ୍ତେ ଶାନ୍ତିପୁର ଯାଇଥାନ୍ତି ।
ଶିଶୁ ରାଜକୁମାର ଟିକିଏ ଇତସ୍ତତଃ କରି ଭାଲୁକୀ ପାଖକୁ ଗଲେ । ରାଜପୁତ୍ରଙ୍କୁ କୋଳରେ ଧରି ଭାଲୁକୀ ନାଚି ନାଚି ଚାଲିଗଲା । ପଛେ ପଛେ ମଙ୍କୁ ଆନନ୍ଦରେ ଚାଲିଥାଏ । ସନ୍ନ୍ୟାସୀ ସନ୍ତୋଷ ସହକାରେ ଅନାଇ ରହିଥାନ୍ତି ।

କିନ୍ତୁ ଯେତେବେଳେ ତାଙ୍କ ଆଖି ରାଣୀଙ୍କ ଉପରକୁ ଫେରି ଆସିଲା, ସେ ସେତେବେଳେ ପୁଣି ଗମ୍ଭୀର ଦେଖାଗଲେ । ସେତିକିବେଳେ ରାମୁ ଓ ଗୋବିନ୍ଦ ଲେଉଟି ଆସିଲେ । ଦୁହେଁ ଖୁବ୍ ଉତ୍ୟକ୍ତ ଦିଶୁଥିଲେ । ସନ୍ନ୍ୟାସୀ ପଚାରିଲେ “କଥା କ’ଣ?”

ରାମୁ କହିଲା “ଆଜ୍ଞା, ଆମେ କିଛି ଭଲ ଖବର ଆଣିନାହୁଁ । ରାଜପରିବାର ଉପରେ କୌଣସି ଭୀଷଣ ବିପତ୍ତି ପଡିଛି । ରାଜାଙ୍କୁ ହତ୍ୟା କରାଯାଇଛି ବୋଲି ଜନରବ ।” ଗୋବିନ୍ଦ କହିଲା “ରାଣୀ କୁଆଡେ ଯେ ଗଲେ, ସେକଥା କେହିବି ଜାଣି ନାହାଁନ୍ତି ।”

ସନ୍ନ୍ୟାସୀ ଦୀର୍ଘଶ୍ୱାସ ଛାଡି ରାଣୀଙ୍କ ଆଡେ ଅଙ୍ଗୁଳି ନିର୍ଦ୍ଧେଶ କଲେ । ବିସ୍ମୟରେ ରାମୁ ଓ ଗୋବିନ୍ଦ ପ୍ରଥମେ ଦୁଇପାଦ ପଛକୁ ହଟିଗଲେ । ତା’ପରେ ସେମାନେ ପୁଣି ଆଗକୁ ଯାଇ ରାଣୀଙ୍କୁ ଭଲ ଭାବରେ ଲକ୍ଷ୍ୟ କଲେ ।

ରାମୁ ତା’ କଣ୍ଠସ୍ୱର ନିମ୍ନ କରି ପ୍ରଶ୍ନ କଲା “ଗୁରୁଦେବ! ରାଣୀ କ’ଣ ଆଉ ଜୀବନରେ ନାହାଁନ୍ତି?”

ସନ୍ନ୍ୟାସୀ କହିଲେ “ନାହାଁନ୍ତି । ସେ ଆତତାୟୀ କବଳରୁ ଖସି ଆସି ପାରିଲେ, କିନ୍ତୁ ରାଜପୁତ୍ରକୁ ଆମ ଜିମା ଦେଇ ଶେଷ ନିଃଶ୍ୱାସ ତ୍ୟାଗ କଲେ । ଭାଲୁକୀ ରାଜପୁତ୍ରକୁ ନେଇ ଯାଇଛି ।”

ଗୋବିନ୍ଦ ଦୀର୍ଘନିଃଶ୍ୱାସ ଛାଡି କହିଲା, “ମୁଁ ରାଣୀଙ୍କୁ ତାଙ୍କ ବିବାହ ଦିନ ଯାହା ଦେଖିଥିଲି । ଆଜି ବି ଠିକ୍ ସେହିଭଳି ସେ ସତେଜ୍ ଓ କମନୀୟ ଦିଶୁଛନ୍ତି । ଲୋକେ କହନ୍ତି, ସେ ଆମ ରାଜାଙ୍କଠୁଁ ଦାନ ଦୟା ଗୁଣରେ କୌଣସି ମତେ କମ୍ ନଥିଲେ । ରାଜ୍ୟର କେଡେ ଦୁର୍ଭାଗ୍ୟ ଯେ ଶେଷରେ ଏଭଳି ରାଜା ରାଣୀଙ୍କୁ ହରାଇବାକୁ ପଡିଲା । ଏପରି ହେଲେ ରାଜ୍ୟରେ ଅରାଜକତା ବ୍ୟାପିଯିବା ତ ନିଶ୍ଚିତ ।”

“ରାଣୀ ଯେପରି ବିଶ୍ୱାସରେ ଆମ ହାତରେ ଶିଶୁକୁ ସମର୍ପି ଦେଇଗଲେ, ସେ ବିଶ୍ୱାସ ପ୍ରତି ଆମେ ସମ୍ମାନ ଦେଖାଇବା ଲୋଡା । ଶିଶୁ ରାଜପୁତ୍ର ଯେପରି ଭଲରେ ରହିବେ ଓ ପଢିବେ, ସେ ଦାଇତ୍ତ୍ଵ ଆମର । କ’ଣ କହୁଛ?”

ରାମୁ ଓ ଗୋବିନ୍ଦ କହିଲେ “ଗୁରୁଦେବ! ଆମ ଦ୍ୱାରା ଯାହା କିଛିବି ସମ୍ଭବ, ତାହା ତ ଆମେ ନିଶ୍ଚୟ କରିବା ।”

ସନ୍ନ୍ୟାସୀ କହିଲେ “ବର୍ତ୍ତମାନ ରାଣୀଙ୍କ ଶେଷ କୃତ୍ୟ ସମାପନ କରିବାକୁ ହେବ । ଆମେ ରାଜା କେଉଁଠି, କିପରି ଅବସ୍ଥାରେ ଅଛନ୍ତି, ଜାଣୁନା । ରାଜପରିବାରର ଶତ୍ରୁ ପୁଣି କିଏ, ତା’ର ବଳ କେତେ, ସେକଥା ବି ଆମକୁ ଜଣା ନାହିଁ । ରାଣୀଙ୍କ ମୃତ୍ୟୁ ହୋଇଛି, ଏ ବିଷୟ ଆପାତତଃ କେହିବି ଜାଣିବା ଉଚିତ୍ ନୁହେଁ ।”

ଗୋବିନ୍ଦ ପ୍ରଶ୍ନ କଲା “ରାଣୀ ଆଉ ଇହ ଜୀବନରେ ନାହାଁନ୍ତି, ଏକଥା ଶତ୍ରୁ ଜାଣିଲେ କ୍ଷତି କ’ଣ? ସେମାନେ ରାଣୀଙ୍କର ଆଉ ଅଧିକ କ’ଣ ବା ଅନିଷ୍ଟ କରିବେ?”

ସନ୍ନ୍ୟାସୀ କହିଲେ “କେହି ସିନା ଆଉ ରାଣୀଙ୍କର କୌଣସି ଅନିଷ୍ଟ କରିପାରିବେ ନାହିଁ, କିନ୍ତୁ ରାଜପୁତ୍ରଙ୍କର ଅନିଷ୍ଟ ପାଇଁ ଶତ୍ରୁ କିଆଁ ଚେଷ୍ଟା ନ କରିବ? ରାଣୀ ଏଠି ଆସି ପହଁଚି ମୃତ୍ୟୁବରଣ କରିଥିବା କଥା ଜାଣିଗଲେ ସେମାନେ ବୁଝିଯିବେ ଯେ ଶିଶୁ ରାଜପୁତ୍ର ବି ଏଇଠି କେଉଁଠି ଅଛନ୍ତି । ରାଜବଂଶର ବିନାଶ ଯଦି ସେମାନଙ୍କର ଉଦ୍ଧେଶ୍ୟ ହୋଇଥିବ, ତେବେ ରାଜପୁତ୍ରଙ୍କୁ କିଏ ନିରାପଦ ରଖି ପାରିବ?”

ରାମୁ ଓ ଗୋବିନ୍ଦ ବର୍ତ୍ତମାନର ଅବସ୍ଥା ବୁଝିପାରିଲେ । ସେମାନେ ପଚାରିଲେ, “ଆଜ୍ଞା, ରାଣୀଙ୍କର କି ପ୍ରକାରେ ସତ୍କାର ହେବ? ଦେହ ଦାହ ହେବ ନା ସମାଧିସ୍ଥ ହେବ?”

ସନ୍ନ୍ୟାସୀ କହିଲେ “ରାଣୀଙ୍କ ଇଚ୍ଛା କ’ଣ, ସେକଥା ଜାଣିବାକୁ ହେବ ।” ତା’ପରେ ସେ ପାହାଡର ପାଦଦେଶରେ ଥିବା ଝରଣା ଭିତରକୁ ଯାଇ ସ୍ନାନ ସମାପନ କଲେ । ସ୍ନାନ ପରେ ସେ ରାଣୀଙ୍କ ମୃତ ଦେହ ପାଖରେ ବସି ଧ୍ୟାନସ୍ଥ ହେଲେ । ରାମୁ ଓ ଗୋବିନ୍ଦ ଜଗି ରହିଲେ । କ୍ରମେ ଦିବାଲୋକ ସ୍ପଷ୍ଟ ହେଉଥିଲା । ପକ୍ଷୀମାନେ ଗଛ ଉପରୁ ଉଡିବାକୁ ଓ କାକଳି ଛାଡିବାକୁ ଆରମ୍ଭ କରିଦେଇଥାନ୍ତି । ସେତିକି ଛଡା ଆଉ କିଛି ଶବ୍ଦ ନଥାଏ ।

କିଛି ସମୟ ପରେ, ସନ୍ନ୍ୟାସୀ ଆଖି ଖୋଲି କହିଲେ, “ରାଣୀଙ୍କ ଦେହ-ମୁକ୍ତ ଚେତନାର ଇଚ୍ଛା, ତାଙ୍କ ଦେହ ସମାଧିସ୍ଥ ହେବ । ଶିଶୁ ରାଜପୁତ୍ର ତାଙ୍କ ଉପରେ ଫୁଲ ଦେବେ – ସମାଧି ପୂର୍ବରୁ – ଏକଥା ବି ସେ ଚାହାଁନ୍ତି ।” ତା’ପରେ ସନ୍ନ୍ୟାସୀ ପୁଣି ଉଠିପଡି କହିଲେ, “ଚେତନା ଦେହ ଛାଡିବା ସଙ୍ଗେ ସଙ୍ଗେ ଦେହକୁ ଦାହ ବା ସମାଧିସ୍ଥ କରିବା ଠିକ୍ ନୁହେଁ । ଗୋଟିଏ ଅଦୃଶ୍ୟ ଶକ୍ତି ତରଙ୍ଗ ଦେହକୁ ବେଷ୍ଟନ କରିଥାଏ । ସେ ତରଙ୍ଗ ମିଳେଇ ଯିବା ପର୍ଯ୍ୟନ୍ତ ଆମେ ଅପେକ୍ଷା କରିବା ଆବଶ୍ୟକ । ଅର୍ଥାତ୍ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଦେହ ଏଇଠି ରହିଥିବ । ତୁମେ ଏହାକୁ ଜଗିବ ।”

ରାମୁ ଓ ଗୋବିନ୍ଦ ପଚାରିଲେ “କିନ୍ତୁ କୌଣସି କାଠୁରିଆ ବା ବଣ ସୀମାନ୍ତରେ ବସବାସ କରୁଥିବା ଭୀଲ୍ମାନେ ଯଦି ଏଆଡେ ଆସିବେ?”

“କାଠୁରିଆ ଓ ଭୀଲ୍ମାନେ ସରଳ ଓ ବିଶ୍ୱାସୀ । ଆମେ ସେମାନଙ୍କୁ କିଛି କଥା ଗୋପନ ରଖିବାକୁ କହିଲେ ସେମାନେ ସେଥିରେ କଦାପି ଅନ୍ୟଥା କରିବେ ନାହିଁ । ତଥାପି ଆମେ ସତର୍କ ହେବା ଆବଶ୍ୟକ ।” ଏହା କହି ସନ୍ନ୍ୟାସୀ ଗୋଟିଏ ମନ୍ତ୍ର ପଢି ଅପେକ୍ଷା କଲେ । କିଛିସମୟ ଭିତରେ ଦୂରରୁ ଗର୍ଜନ ଶୁଭିଲା । ସେ ଗର୍ଜନ କ୍ରମେ ନିକଟତର ହେଲା । ଚାହୁଁ ଚାହୁଁ ସେଠି ଗୋଟାଏ ମହାବଳ ବାଘ, ବାଘୁଣୀ ଓ ସେମାନଙ୍କର ତିନୋଟି ଶାବକ ପହଁଚିଗଲେ । ବାଘଶାବକମାନେ ସନ୍ନ୍ୟାସୀଙ୍କ ଗୋଡରେ ଯାଇ ଘଷି ହେଲେ । ସବୁ ଶାବକ ତାଙ୍କ ଉପରକୁ ଡେଇଁବା ପାଇଁ ଆଗ୍ରହୀ ଥାନ୍ତି । ସନ୍ନ୍ୟାସୀ ଦୁଇଜଣଙ୍କୁ ଦୁଇ କାଖରେ ଜାକି ଧରିଲେ । ତୃତୀୟଟି ତାଙ୍କ କାନ୍ଧ ଚଢି ବସିଲା ।

ସନ୍ନ୍ୟାସୀ ପ୍ରଶ୍ନ କଲେ “ବାଘ, ବାଘୀ, ଶୁଣ । ତମେ ଦୁହେଁ ଓ ତମ ଛୁଆମାନେ ସନ୍ଧ୍ୟାଯାଏଁ ଏହି ଅଂଚଳରେ ରହିବ । ମଧ୍ୟେ ମଧ୍ୟେ ଗର୍ଜନ ଛାଡୁଥିବ । ଆଜି ଏଠାକୁ କୌଣସି ବାହାର ଲୋକ ଆସିବା ଠିକ୍ ହେବ ନାହିଁ । ଏଠି ରାଣୀଙ୍କ ମୃତ ଦେହ ରହିଛି । ବାହାର ଲୋକେ ତାକୁ ଦେଖିବେ ନାହିଁ । ମୋ କଥା ବୁଝିଲଟି?”

ବାଘ ଓ ବାଘୁଣୀ ମୃଦୁ ଭାବରେ ଗର୍ଜନ କଲେ । ସେମାନେ ଯେ ସନ୍ନ୍ୟାସୀଙ୍କ ନିର୍ଦ୍ଧେଶ ମାନିନେଲେ, ଏତକ ସ୍ପଷ୍ଟ ହୋଇଗଲା ।

ସନ୍ନ୍ୟାସୀ ରାମୁ ଓ ଗୋବିନ୍ଦଙ୍କୁ କହିଲେ “ଏଥର ଉପଯୁକ୍ତ ସ୍ଥାନରେ ସମାଧି ପାଇଁ ମାଟି ଖୋଳିବା ଆବଶ୍ୟକ । କିନ୍ତୁ ପ୍ରଥମେ ରାଜକୁମାରଙ୍କୁ ଆଣ । ସେ ତାଙ୍କ ମା’ଙ୍କ ଦେହରେ ଫୁଲ ଦିଅନ୍ତୁ ।”

New odia story Odia Gapa Odia Story
Share. Facebook Twitter Pinterest LinkedIn Tumblr Reddit Email
Previous Articlekumudara sadguna
Next Article Bidhi nitddistha
Liza S

Related Posts

ଆତିଥ୍ୟ

March 31, 2023

ନିରକ୍ଷର ସେନାପତି

March 30, 2023

ନୂତନ ଦଣ୍ଡ

March 29, 2023

ମା’ର ଋଣ

March 28, 2023

କୁଶଳଙ୍କ କୌଶଳ

March 27, 2023

ବୀର ହନୁମାନ

March 26, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.