ଯଦୁପୁର ଗ୍ରାମରେ ଶିବରାଜ ନାମରେ ଜଣେ କୃଷକ ଥାଏ । ତା’ର ପାର୍ବତୀବାଈ ନାମରେ ସ୍ତ୍ରୀ ଓ ଜୟଦେବ ନାମରେ ପୁଅଟିଏ ଥାଏ । ଜୟଦେବକୁ ଭଲଭାବରେ ପଢାଇବା ପାଇଁ ତା’ ବାପାର ବହୁତ ଇଚ୍ଛା ଥାଏ । ପନ୍ଦରବର୍ଷ ବୟସରେ ସେ ଗ୍ରାମର ଶିକ୍ଷା ଶେଷ କରି ସହରକୁ ଉଚ୍ଚଶିକ୍ଷା ପାଇଁ ଗଲା ।
ପୁଅକୁ ଟଙ୍କା ଯୋଗାଇବାରେ କିଛି କଷ୍ଟ ହେଲା । ତଥାପି ମଧ୍ୟ ସେ ସ୍ୱାମୀସ୍ତ୍ରୀ ଦୁହେଁ ବଡ କଷ୍ଟରେ ଚଳି ପୁଅ ପାଇଁ ଟଙ୍କା ପଠାଉଥାନ୍ତି । ପୁଅର ଶିକ୍ଷା ଶେଷ ହେଲା । ଚାକିରୀ ଖୋଜୁ ଖୋଜୁ ତାର ଧନରାଜ ନାମକ ଏକ ଧନୀ ବ୍ୟକ୍ତିଙ୍କ ସହ ପରିଚୟ ହେଲା । ଧନରାଜ ଏମିତି ଜଣେ ଯୁବକକୁ ଚାହୁଁଥିଲେ, ଯିଏକି ପଢାପଢି ବ୍ୟତୀତ ବୁଦ୍ଧିମାନ ଓ ନମ୍ର ମଧ୍ୟ ହୋଇଥିବା ଦରକାର । ତେବେ ଯାଇ ସେ ତାଙ୍କ ଝିଅକୁ ତା ସହିତ ବିଭା ଦେଇ ତାକୁ ଘର ଜୋଇଁଆ କରି ରଖିବେ ।
ଧନରାଜ ଦିନେ ଜୟଦେବକୁ ନିଜ ଘରକୁ ନିମନ୍ତ୍ରଣ କଲେ । ଧନରାଜଙ୍କ ଝିଅ ଦୀପିକାକୁ ଜୟଦେବ ଦେଖିଲା । ଖିଆପିଆ ଶେଷହେବା ପରେ ଧନରାଜ ଜୟଦେକୁ କହିଲେ,”ଶୁଣ, ମୋର ଗୋଟିଏ ବୋଲି ଝିଅ ଅଛି । ମୋ ପାଇଁ ତ ସେ ହିଁ ସବୁକିଛି । ଈଶ୍ୱରଙ୍କ କୃପାରୁ ମୁଁ ଲକ୍ଷଲକ୍ଷ ଟଙ୍କା ରୋଜଗାର କରିଛି । ମୁଁ ତାକୁ ଜଣେ ଯୋଗ୍ୟ ଓ ସୁଶିକ୍ଷିତ ଯୁବକ ସହିତ ବିବାହ ଦେବାକୁ ଚାହେଁ । ତୁମେ ଯଦି ରାଜି ହୁଅନ୍ତ, ତେବେ ଏହାକୁ ମୁଁ ମୋର ସୌଭାଗ୍ୟ ବୋଲି ଭାବନ୍ତି ।”
ତାଙ୍କ କଥା ଶୁଣି ଜୟଦେବ ଟିକିଏ ଥତମତ ହୋଇଗଲା । ସେ କେବଳ ଏତିକି କହିଲା,”ଆପଣ ତ ବହୁତ ଧନୀ । କିନ୍ତୁ ମୁଁ ନିପଟ ଦରିଦ୍ର ।”
ଧନରାଜ ଅଳ୍ପ ହସି କହିଲେ,”ଏପରି ବିବାହରେ ସେସବୁ ସମସ୍ୟାର ପ୍ରଶ୍ନହିଁ ଉଠୁ ନାହିଁ । କେବଳ ଗୋଟିଏ କଥା ଯେ ତୁମକୁ ମୋ ଘରେ ଘରଜୋଇଁଆ ଭାବେ ରହିବାକୁ ହେବ ।”
“ଘରଜୋଇଁଆ? ଛାଡନ୍ତୁ, ମୋ ବାପମା ବହୁକଷ୍ଟ ସ୍ୱୀକାର କରି ମୋତେ ପଢାଇଛନ୍ତି । ମୋର ଚାକିରୀ କରିବାର ପ୍ରଥମ ଲକ୍ଷ୍ୟ ହେଉଛି ମୁଁ ସେମାନଙ୍କୁ ସୁଖୀ କରିବି ।”
ଧନରାଜ କହିଲେ”ମୁଁ ତୁମର ଅସୁବିଧା କଥା ବୁଝୁଛି । କିନ୍ତୁ ତୁମର ମା ବାପ ବି ତ ଏଇଠି ଆମ ସହିତ ରହିପାରନ୍ତେ ।” ଜୟଦେବ କୌଣସି ନିଷ୍ପତି ନେଇ ପାରିଲା ନାହିଁ । ଧନରାଜ ପୁଣି କହିଲେ,”ମୁଁ ନିଜେ ଯାଇ ତୁମ ବାପମା’ଙ୍କ ସହ ଏ ବିଷୟରେ କଥାବାର୍ତ୍ତା କରିବି । ସେମାନେ ରାଜି ହୋଇଗଲେ ତୁମର ତ ଆଉ ଅରାଜି ହେବାର ନାହିଁ ।”
ଜୟଦେବ ହସିଲା । ତା’ପରେ ସେ ଦୁହେଁ ଯାଇ ଗ୍ରାମରେ ପହଁଚିଲେ । ପ୍ରଥମେ ଧନରାଜ ଜୟଦେବଙ୍କ ବାପମା’ଙ୍କୁ ଦେଖା କରି କହିଲେ,”ଆପଣମାନଙ୍କର ଅର୍ଥାଭାବ ସତ୍ତ୍ୱେ ପୁଅକୁ ବହୁତ କଷ୍ଟ ସ୍ୱୀକାର କରି ପଢାଇଛନ୍ତି । ଏହା ତ ଖୁବ୍ ପ୍ରଶଂସନୀୟ, ଏଥିରେ କୌଣସି ସନ୍ଦେହ ନାହିଁ । ମୁଁ ଆପଣଙ୍କ ପୁଅକୁ ନିଜ ଜୁଆଇଁ କରିବାକୁ ଚାହୁଁଛି କିନ୍ତୁ ସେ ଘରଜୁଆଇଁ ହେବାକୁ ଆଦୌ ଚାହୁଁନାହିଁ । ଏବେ ଆପଣମାନେହିଁ ତାକୁ ଟିକିଏ ବୁଝାନ୍ତୁ ।”
ଧନରାଜଙ୍କ ଏଭଳି କଥା ଶୁଣି ଜୟଦେବର ବାପମା’ କହିଲେ”ପୁଅ, ଆମେ ତ ଆସି ବୁଢା ହେଲୁ । ଆମ ପାଇଁ ତୁ କାହିଁକି ତୋର ଉଜ୍ଜ୍ୱଳ ଭବିଷ୍ୟତ ନଷ୍ଟ କରିବୁ? ଏହାଙ୍କ ଝିଅକୁ ବିବାହ କରିବା ତୋ ପାଇଁ ସବୁ ଦିଗରୁ ମଙ୍ଗଳକର ହେବ ।”
ମାବାପଙ୍କ କଥା ଶୁଣି ଜୟଦେବ ହଠାତ୍ ରାଜି ହୋଇ ଗଲା । ବିବାହ ପରେ ବାପମା’ ଯାଇ ସହରରେ ରହିବେ ଏକଥା ମଧ୍ୟ ଧନରାଜ କହିଦେଲେ । ବିବାହ ହେବାର ଠିକ୍ ମାସକ ପରେ, ଧନରାଜ ଦିନେ ଜୟଦେବକୁ କହିଲା,”ପୁଅ, ମୁଁ ବହୁତ କରି କହିବା ପରେ ମଧ୍ୟ ତୋର ବାପମା’ ଏଠାକୁ ଆସିଲେ ନାହିଁ । ମୁଁ ତାଙ୍କୁ ପାଞ୍ଚହଜାର ଟଙ୍କା ଦେବାକୁ ଚାହେଁ ।””ତା’ପରେ ଜଣେ ଚାକର ହାତରେ ସେ ଟଙ୍କା ଦେଇ ପଠାଇଲେ, ଶ୍ୱଶୁରଙ୍କର ଏପରି ଉଦାରତା ଦେଖି ଜୟଦେବ ବହୁତ ଖୁସି ହେଲା ।”
ଦିନେ ଜୟଦେବର ପିଲାବେଳର ସାଥୀ ସୁଦାମ ସେଠାରେ ଆସି ପହଁଚିଲା । ସେତେବେଳେ ଧନରାଜ ତାଙ୍କ ଘରେ ନଥିଲେ । ସୁଦାମ ଜୟଦେବକୁ କହିଲା,”ଗାଁ ଲୋକମାନେ କହୁଛନ୍ତି ଯେ ଧନୀଘରେ ବାହାହୋଇ, ବାପମାଙ୍କ କଥା ତୁ ଏକାବେଳେକେ ପାଶୋରୀ ପକାଇଲୁଣି । ମଝିରେ ମଝିରେ ଘରକୁ ଯାଇ ତ ତୁ ଟିକେ ବୁଲି ଆସ ।”
ବନ୍ଧୁ ମୁହଁରୁ ଏପରି କଥା ଶୁଣି ଜୟଦେବର ମନ ଭୀଷଣ ଖରାପ ହେଲା । ସେ କହିଲା,”ମୁଁ ଥରେ ଗାଁକୁ ଯାଇ ସେଠାରେ କିଛି ଦିନ ରହିବାକୁ ଚାହେଁ । କିଛିଦିନ ପୂର୍ବେ ମୋ ଶ୍ୱଶୁର ମୋ ବାପମା’ଙ୍କ ପାଖକୁ ପାଞ୍ଚହଜାର ଟଙ୍କା ମଧ୍ୟ ପଠାଇଛନ୍ତି । ଏହା କ’ଣ ମୋ ଶ୍ୱଶୁରଙ୍କର ଉଦରତାର ପରିଚୟ ଦିଏ ନାହିଁକି?””ପାଞ୍ଚହଜାର ଟଙ୍କା?” ଏହା ଶୁଣି ସୁଦାମ ଚମକି ଉଠି କହିଲା,”ଆଶ୍ଚର୍ଯ୍ୟ, ଏତେଗୁଡାଏ ଟଙ୍କା ପାଇଲେ ମଧ୍ୟ ତୋ ବାପା ମୋତେ ସେ ବିଷୟରେ ତ କାହିଁ କିଛି ହେଲେବି କହିଲେ ନାହିଁ; ମୋର କାଇଁ ଏ କଥାରେ ମୋଟେ ବିଶ୍ୱାସ ହେଉନାହିଁ । ନିଶ୍ଚୟ ସେଥିରେ ଆଉ କିଛି ଗୋଳମାଳ ଅଛି ।”
ସୁଦାମ ଗ୍ରାମକୁ ଫେରିଗଲା ପରେ ଜୟଦେବ ଓ ଦୀପିକା ଚାକରକୁ ଡାକି ତାକୁ ପଚାରିଲେ । ଚାକର କହିଲା ଯେ ଜୟଦେବର ଉପସ୍ଥିତିରେ ଯେଉଁ ଟଙ୍କା ଶ୍ୱଶୁର ଘର ପାଇଁ ଦେଇଥିଲେ, କିଛି ସମୟ ପରେ ସେ ପୁଣି ସେତକ ଫେରାଇ ନେଲେ । ସତକଥା ଧରା ପଡିଲା । ଏସବୁ ଶୁଣି ଦୀପିକା ବହୁତ ଦୁଃଖିତ ହୋଇ କହିଲା,”ଟଙ୍କା ପଇସା କ୍ଷେତ୍ରରେ ମୋ ବାପା ବହୁତ କଞ୍ଜୁସ୍ । ତେଣୁ ତୁମେ କୁହ ଏବେ କ’ଣ କରିବା, ଯଦ୍ୱାରା ତାଙ୍କର ସ୍ୱଭାବରେ ପରିବର୍ତ୍ତନ କରାଯିବ ।”
ପରଦିନ ଦେଖାଗଲା ଦୀପିକାର ହାତ ପାଦ ଗଣ୍ଠି ସବୁରେ ଏତେ କଷ୍ଟ ହେଲା ଯେ ଶେଷରେ ସେ ଶଯ୍ୟାଶାୟୀ ହୋଇପଡିଲା, ଅବସ୍ଥା ଏତେ ଖରାପ ହୋଇ ପଡିଲା ଯେ ତାକୁ କଥା କହିବାକୁ ମଧ୍ୟ ଭାରି କଷ୍ଟ ହେଲା ।
ଧନରାଜ ବୈଦ୍ୟଙ୍କୁ ଡକାଇଲେ । ବୈଦ୍ୟ ଆସି ଔଷଧ ଦେଲେ । ଏକ ସପ୍ତାହ ପର୍ଯ୍ୟନ୍ତ ଚିକିତ୍ସା ଚାଲିଲେ ମଧ୍ୟ ଫଳ କିଛି ହେଲେବି ହେଲା ନାହିଁ । ଧନରାଜ ବଡ ବ୍ୟସ୍ତ ହୋଇ ପଡିଲେ ଜୟଦେବ କହିଲା,”ଆମ ଗ୍ରାମରେ ସୁଧାକର ନାମକ ଏକ ବଡ ବୈଦ୍ୟ ଅଛନ୍ତି । ସେ ଭଲ ଔଷଧ ଦେଇ ଜାଣନ୍ତି । ତାଙ୍କୁ ମୁଁ ଡାକି ଆଣେ ।”
ଧନରାଜ କହିଲେ”ନିଶ୍ଚୟ, ଏପରି ଅବସ୍ଥାରେ ତୁମେ କାହିଁକି ଡାକିନାହଁ?”
ଜୟଦେବ ଗୋଟିଏ ଚିଠିରେ ସବିସ୍ତାରେ ସବୁକିଛି ଲେଖି ସୁଦାମ ପାଖକୁ ତାହା ଏକ ବିଶ୍ୱସ୍ତ ଚାକର ଦ୍ୱାରା ପଠାଇଲେ । ତା’ପରେ ସୁଦାମ ବୈଦ୍ୟ ସୁଧାକର ହୋଇ ଆସିଲା । ସେ ଦୀପିକାର ନାଡି ପରୀକ୍ଷା କଲା ଓ ତା’ପରେ ତାକୁ କିଛି ଔଷଧ ଦେଇ କହିଲା,”ଏହି ରୋଗ କେବଳ ଔଷଧରେ ଭଲ ହେବ ନାହିଁ । ଆପଣଙ୍କ ଝିଅ ପକ୍ଷେ ଜଳବାୟୁ ବଦଳାଇବା ବହୁତ ଜରୁରୀ । ତାକୁ ଆପଣ ତା’ର ଶ୍ୱଶୁର ଘରକୁ ପଠାଇ ଦିଅନ୍ତୁ । ମୁଁ ମଧ୍ୟ ସେହି ଗ୍ରାମରେ ରହେ । ସେଠାକାର ଖୋଲା ପବନ ଓ ଝରଣା ପାଣିରେ ତାଙ୍କର ଦେହ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହୋଇଯିବ ।”
ଏ ପ୍ରସ୍ତାବ ଧନରାଜଙ୍କ ମନକୁ ଆଦୌ ପାଇଲା ନାହିଁ । କିନ୍ତୁ ଏଭଳି ପରିସ୍ଥିତିରେ ସେ ନିରୁପାୟ ଥିଲେ । ଏବେ ତାଙ୍କ ନିଜର ସହରରେ କିଛି ଜରୁରୀ କାମ ଅଛି । ତେଣୁ ବାଧ୍ୟ ହୋଇ ଜୟଦେବ ସହିତ ଦୀପିକାକୁ ସେ ପଠାଇଦେଲେ । ଏମାନଙ୍କୁ ଦେଖି ବାପମା ବହୁତ ଖୁସି ହେଲେ । ଦୀପିକା ଶାଶୁଶ୍ୱଶୁରଙ୍କର ସ୍ନେହ ପାଇ ବହୁତ ଖୁସି ହେଲା ସେ ଭାବୁଥିଲା ଏତେ ଦିନ ପର୍ଯ୍ୟନ୍ତ କାହିଁକି ତାକୁ ଏମାନଙ୍କ ଠାରୁ ଦୂରରେ ରଖା ହୋଇଥିଲା ।
ଏକ ସପ୍ତାହ ପରେ ଧନରାଜ ତାଙ୍କ ଝିଅକୁ ଦେଖିବାକୁ ଆସିଲେ । ଝିଅ ବାପକୁ କହିଲା ଯେ ଶାଶୁଶ୍ୱଶୁରଙ୍କ ସ୍ନେହ ଯୋଗୁଁ ଶାଶୁଘରେ ସେ ବହୁତ ଖୁସିରେ ଅଛି । ସେ କହିଲା,”ବାବା, ଆପଣଙ୍କର ଧନ ଦୌଲତ ତ କିଛି କମ୍ ନାହିଁ । ଆପଣ କାହିଁକି ଘରଜୋଇଁ ଚାହୁଁଛନ୍ତି । ସହରର ସେସବୁ ଆଡମ୍ବର ଛାଡି ଆପଣ ମଧ୍ୟ ମା’ ସହିତ ଏଠାକୁ ଚାଲି ଆସନ୍ତୁ । କି ଶାନ୍ତ ସୁନ୍ଦର ବାତାବରଣ, ଗଛଲତା, ପାଣିପବନ, ପକ୍ଷୀ, ଝରଣା, ଏସବୁ ତ ସହରରେ ଦୁର୍ଲଭ ।”
ଧନରାଜ ଏ ପ୍ରସ୍ତାବ ଶୁଣି ଅତ୍ୟନ୍ତ ବ୍ୟସ୍ତ ହୋଇ କହିଲେ,”ଝିଅ, ମୁଁ ଜାଣୁଛି ଯେ ତୋ ଶାଶୁଶ୍ୱଶୁର ତୋତେ ଠିକ୍ ତାଙ୍କ ନିଜ ଜନ୍ମିତ ଝିଅ ପରି ସ୍ନେହ ଶ୍ରଦ୍ଧା କରିଛନ୍ତି । ତୁ ପ୍ରକୃତରେ ବଡ ଭାଗ୍ୟବତୀ, ତୁ ତ ପିଲାଦିନୁ ସହରରେ ବଢିଥିଲୁ ତେଣୁ ମୁଁ ଭାବିଲି କି ଗ୍ରାମରେ ତୁ କାଳେ ଚଳି ପାରିବୁ ନାହିଁ, କେବଳ ସେଇଥିପାଇଁ ମୁଁ ଘରଜୁଆଇଁର ପ୍ରସ୍ତାବ ଦେଇଥିଲି । କିନ୍ତୁ ତୁ ଏସବୁ କଥା ଜୟଦେବକୁ କେବେବି କହିବୁ ନାହିଁ ନହେଲେ ତା’ମନ ଭାରି ଖରାପ ହେବ । ତାଛଡା ତୁ ତ ପୁଣି ଆମର ଏକମାତ୍ର ସନ୍ତାନ । ଆଖିରୁ ଟିକେ ଦୂରକୁ ଦେବାକୁ ମୁଁ ମଧ୍ୟ କେବେବି ଚାହୁଁ ନଥିଲି ।”
ଝିଅ ପଚାରିଲା”କିନ୍ତୁ ବାବା, ଆପଣ ତ କାହିଁ ଏହା କହିଲେ ନାହିଁ ଯେ ଆପଣ ଏଠାକୁ ଆସି ଆମ ସହିତ ରହିବେ ନା ନାହିଁ?”
ଧନରାଜ କହିଲେ”ଏଥିରେ ଆଉ ସନ୍ଦେହ ରହିଲା କେଉଁଠି? ଏଠାରେ ମୁଁ ଏକ ବଡ କୋଠା ବନାଇବି । ଆମେ ସମସ୍ତେ ଏଇଠି ରହିବା । ପୁଣି ସହରକୁ ଯିବାକୁ ଇଚ୍ଛା ହେଲେ ମଧ୍ୟ ସମସ୍ତେ ଯିବା । ତେଣୁ ଦୁଇଟା ଘର ସିନା ହେବ ମାତ୍ର ପରିବାର ତ ଗୋଟିଏ । ତୁମେ ଦୁହେଁ ଓ ତୁମ ଦୁହିଁଙ୍କର ଦୁଇହଳ ବାପମା’ । ଯେଉଁଠି ରହିବା ଏକାଠି ।”
ଦୀପିକାଠାରୁ ସବୁ କଥା ଶୁଣି ଜୟଦେବ ଓ ତା’ର ବାପ ମା’ ବହୁତ ଆନନ୍ଦିତ ହେଲେ ।