ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ମଧ୍ୟରୁ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ଶୁଭୁଥାଏ । ଘନଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ନ ହୋଇ ପୁନର୍ବାର ସେହି ପ୍ରାଚୀନ ବୃକ୍ଷଟି ନିକଟକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ସେହି ଶବଟିକୁ ଉତାରି ଆଣିଲେ । ତେବେ ସେ ତାକୁ ନିଜ କାନ୍ଧରେ ପକାଇ ସେହି ଶୂନ୍ଶାନ୍ ଶ୍ମଶାନ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ବେତାଳ କହିଲା, “ରାଜନ୍, ତୁମେ ଏକ ଦେଶର ସର୍ବୋଚ୍ଚ ଶାସନ କର୍ତ୍ତା । ତୁମ ଆଜ୍ଞାକୁ ଅବଜ୍ଞା କରିବା ଭଳି ସାହସ କାହାର ମଧ୍ୟ ନାହିଁ । ତୁମେ ଯାହା ଚାହିଁବ, ପର ମୁହୂର୍ତ୍ତରେ ତୁମ ପାଦ ନିକଟରେ ତାହା ଆସି ପହଁଚିଯିବ । ସେସବୁ ଛାଡି ତୁମେ ରହସ୍ୟଜନକ ଭାବରେ ଏହି ଭୟଙ୍କର ଶ୍ମଶାନରେ ଏଭଳି ଘୁରି ବୁଲୁଛ କାହିଁକି? ବିଳାସବ୍ୟସନ ମଧ୍ୟରେ ଅତି ସୁକୁମାର ଜୀବନ ବିତାଇଥିବା ରାଜା ହେଉଛ ତମେ । ଏହି ଶ୍ମଶାନରେ କାହିଁକି କଷ୍ଟପୂର୍ଣ୍ଣ ରାତ୍ରିସବୁ ବିତାଉଛ? ତୁମକୁ ଦେଖିଲେ ମୋର ଭାରି ଦୟା ହୁଏ । କିଏ ବୋଧହୁଏ ତୁମକୁ ଅଲୌକିକ କିଛି ଲାଭ କରିବାର ପ୍ରଲୋଭନ ଦେଖାଇ ଏପରି କରିଛି । ସେ ବୋଧହୁଏ ତୁମକୁ ଏହି ପୃଥିବୀ ଉପରୁ ନିଶ୍ଚିହ୍ନ କରିଦେବା ପାଇଁ ଏପରି କରିଛି । ତୁମେ ମଧ୍ୟ କିପରି ତା’ କଥାରେ ବିଶ୍ୱାସ କରି ନିଜ ଜୀବନକୁ ନର୍କରେ ପରିଣତ କରିସାରିଲଣି?
କେତେକ ଲୋକ ମିଠା କଥା କହି, ନିଜର ବାକ୍ଚାତୁରୀ ଦ୍ୱାରା ଅନ୍ୟକୁ ପ୍ରଭାବିତ କରି, ତାଙ୍କ ଉପରେ ଲାଭ ଉଠାନ୍ତି । ମୋର କାହିଁ ସନ୍ଦେହ ହେଉଛି ଯେ ତୁମେ ବି ବୋଧହୁଏ ଏହିପରି ଏକ ମାୟାଜାଲରେ ପଡିଛ । ଉଦାହରଣ ସ୍ୱରୂପ ମୁଁ ତୁମକୁ ଚିତ୍ରସେନ ନାମକ ଜଣେ ରାଜାଙ୍କ କାହାଣୀ ଶୁଣାଇବି, ମନ ଦେଇ ତାହା ଶୁଣ, ଶ୍ରମଭାର ଲାଘବ ହେବ ।” ଏହାପରେ ସେ ବେତାଳ ଗପିଲା –
– ମଗଧଦେଶରେ ଚିତ୍ରସେନ ନାମକ ଜଣେ ରାଜା ରାଜୁତି କରୁଥିଲେ; ସେ ବଡ ବିଳାସପ୍ରିୟ ଥିଲେ । ସଦାସର୍ବଦା ନୃତ୍ୟସଙ୍ଗୀତରେ ମଗ୍ନ ରହି ସୁଖମୟ ଜୀବନ ସେ ବିତାଉଥିଲେ; ତେଣୁ ଶାସନକ୍ଷେତ୍ରରେ ବଡ ବିଶୃଙ୍ଖଳା ଦେଖାଦେଲା । ପ୍ରଜାମାନେ ନାନା ପ୍ରକାରର କଷ୍ଟ ଭୋଗ କଲେ ।
ମହାମନ୍ତ୍ରୀ ସୁବୁଦ୍ଧି ଦିନେ ରାଜାଙ୍କ ପାଖକୁ ଯାଇ, ରାଜ୍ୟର ଅବ୍ୟବସ୍ଥା ଇତ୍ୟାଦି ବିଷୟ ବୁଝାଇ କହିଲେ, “ମହାରାଜ, ଶାସନର ପ୍ରାୟ ଅଚଳ ଅବସ୍ଥା ଆସିଲାଣି । ପ୍ରଜାମାନେ ଅତ୍ୟନ୍ତ ଦୁଃଖରେ କାଳାତିପାତ କରୁଛନ୍ତି । ଆପଣ ସେସବୁ ପ୍ରତି ଟିକିଏ ମନ ନଦେଲେ ସବୁ କ୍ଷେତ୍ରରେ ପତନ ଅନିର୍ବାଯ୍ୟ । ମୋ କଥା ସତ୍ୟ କି ନୁହେଁ, ଆପଣ ତାହା ଜାଣିବାକୁ ଚାହିଁଲେ ଛଦ୍ମବେଶ ଧାରଣ କରି ନିଜେ ବୁଲି ବୁଲି ଦେଖନ୍ତୁ ।”
ମନ୍ତ୍ରୀଙ୍କର ଏହି ମନ୍ତ୍ରଣା ରାଜାଙ୍କୁ ଖୁବ୍ ଭଲ ଲାଗିଲା । ସେହିଦିନହିଁ ସେ ବେଶ ବଦଳାଇ ରାଜ୍ୟରେ ଘୁରି ବୁଲିଲେ । ସେ ଦେଖିଲେ ଯେ ରାଜକର୍ମଚାରୀମାନେ ବହୁତ ଉତ୍କୋଚ ନେଉଛନ୍ତି; ପରଦିନ ସେମାନଙ୍କୁ ଏସବୁ ବିଷୟରେ ପ୍ରଶ୍ନ କରାଯିବାରୁ, ସେମାନେ କହିଲେ, “ମହାରାଜ, ମନେହୁଏ କେହି ବଦମାସ ଲୋକ ଆପଣଙ୍କୁ ମିଛ କହି ଆପଣଙ୍କ ମନକୁ ବିଷାକ୍ତ କରି ଦେଇଛି । ଆମ ବିଷୟରେ ଯାହା ତାହା କରି ସେ କହିଛି ।”
ରାଜା କହିଲେ “ତୁମମାନଙ୍କର ଅନୀତି ମୁଁ ମୋ ନିଜ ଆଖିରେ ଦେଖିଛି, ତୁମେମାନେ ମୋତେ ଛଦ୍ମବେଶରେ ଚିହ୍ନିପାରି ନାହଁ ।” ତା’ପରେ ସେହି ରାଜକର୍ମଚାରୀମାନେ ଅନନ୍ୟୋପାୟ ହୋଇ ତାଙ୍କ ପାଦ ଧରି କ୍ଷମା ଚାହିଁଲେ, ରାଜା ତାଙ୍କୁ ସାବଧାନ କରାଇ କହିଲେ କି ଭବିଷ୍ୟତରେ ଯେପରି ଏଭଳି ଘଟଣା ଆଉ କେବେବି ନହୁଏ । ସେମାନେ ସେହିଦିନଠାରୁ ବଡ ସାବଧାନତାର ସହିତ ଚଳିଲେ ।
ରାଜକର୍ମଚାରୀମାନେ କିଛିଦିନ ପାଇଁ ନୀତିବାନ୍ ହୋଇଗଲେ ଯେ ଶାସନ ଭଲରେ ଚଳିବ, ସେପରି କିଛିର କୌଣସି ଅର୍ଥ ନାହିଁ । ସେଥିପାଇଁ ସ୍ୱୟଂ ରାଜାହିଁ ସଚେତନ ହେବା ଉଚିତ୍ । କିଛିଦିନ ପାଇଁ କିଛିଟା ଉନ୍ନତି ହେଲା ସତ ପୁଣି ଯେଉଁ କଥାକୁ ସେହି କଥା । ମହାମନ୍ତ୍ରୀ ସୁବୁଦ୍ଧିଙ୍କର କିଂକର୍ତ୍ତବ୍ୟବିମୁଢ ଅବସ୍ଥା । ସେ ଦେଖିଲେ ଯେ ରାଜା ତାଙ୍କ କଥା ବେଶି ଆଉ ଶୁଣୁ ନାହାଁନ୍ତି । ତେଣୁ ସେ ବାଧ୍ୟ ହୋଇ ନିକଟସ୍ଥ ଜଙ୍ଗଲରେ ଥିବା ସାଧୁଙ୍କ ନିକଟକୁ ଯାଇ ତାଙ୍କୁ ସବୁ ଜଣାଇ ଏହାର କିଛି ପ୍ରତିକାର କରିବା ପାଇଁ ଅନୁରୋଧ କଲେ । ସାଧୁ ମନ୍ତ୍ରୀଙ୍କ ସହ ରାଜଧାନୀକୁ ଆସିଲେ ।
ସାଧୁ ବୃଦ୍ଧ ଥିଲେ । ସେ ମଗଧ ରାଜାଙ୍କର ବଂଶଜ । ସଂସାର ସୁଖରେ ବିରକ୍ତ ହୋଇ ଅରଣ୍ୟକୁ ଯାଇ ସେ ତପସ୍ୟା କରୁଥିଲେ । ତାଙ୍କ କଥା ମଗଧ ରାଜାମାନଙ୍କ ପାଇଁ ଅଟଳ ସତ୍ୟ ଥିଲା । ଚିତ୍ରସେନ ସାଧୁଙ୍କର ସ୍ୱାଗତ କଲେ । ତାଙ୍କୁ ପ୍ରଶଂସା କରି ସାଧୁ କହିଲେ, “ପୁତ୍ର, ତୁମେ ତ ସଦ୍ଗୁଣ ସମ୍ପନ୍ନ ମନେ ହେଉଛ । କିନ୍ତୁ ତୁମ ରାଜ୍ୟରେ ପ୍ରଜାମାନେ କାହିଁକି ସୁଖୀ ନାହାଁନ୍ତି । ତୁମେ ଏବିଷୟରେ କେବେବି କିଛି ଚିନ୍ତା କରିଛ କି?”
ସାଧୁଙ୍କ ଏଭଳି ପ୍ରଶ୍ନରେ ସେ ଅବଶ୍ୟ ଟିକିଏ ବ୍ୟସ୍ତ ହୋଇ ପଡିଲେ; ତା’ପରେ ସେ କହିଲେ, “ମୁଁ ବହୁରୂପୀ ହୋଇ ଛଦ୍ମବେଶରେ ରାଜକର୍ମଚାରୀମାନଙ୍କ ଅନୀତି ବିଷୟ ଜାଣିବାକୁ ଓ ସେସବୁ ସୁଧାରିବାକୁ ଚେଷ୍ଟା କରୁଛି । ଏହାଠାରୁ ଅଧିକ ଆଉ କ’ଣ ବା ମୁଁ କରିପାରିବି? ମୋର ମନ୍ତ୍ରୀ, ଅନୁଚର ଓ ଅଧିକାରୀମାନଙ୍କ ଉପରେ ମୋର ସନ୍ଦେହ ହେଉଛି । ଆପଣ ନିଜେ ସମସ୍ତିଙ୍କୁ ପରୀକ୍ଷା କରି ଯାହା ସ୍ଥିର କରିବେ ମୁଁ ତାହାକୁ ଆଦର୍ଶ ଜାଣି ଅନୁସରଣ କରିବି ।”
ସାଧୁ କହିଲେ, “ରାଜା ନିଜେ ସମର୍ଥ ଓ ଯୋଗ୍ୟ ହେଲେ, ଅନ୍ୟମାନେ ନିଜକୁ ସେହିମାର୍ଗରେ ଚଳାଇ ନେବେ । ତୁମେ ଯେତେବେଳେ ଛଦ୍ମବେଶରେ ଯିବ, ସେତେବେଳେ ଏହା ମନେରଖିବ କି ତୁମେ ପ୍ରଜାଙ୍କ କଲ୍ୟାଣ ପାଇଁ ସବୁକିଛି କରୁଛ । ଆଜିକୁ ଠିକ୍ ବର୍ଷକ ପରେ ମୁଁ ତୁମ ପାଖକୁ ପୁଣି ଆସିବି; ତୁମେ କେଉଁଠି, କେତେବେଳେ, କାହାପାଖରେ ହେଲେ ମୋର ଦେଖା ପାଇବ ।” ଏତିକି କହି ସେ ସାଧୁ ସେଠାରୁ ଚାଲିଗଲେ ।
ସେହିଦିନଠାରୁ ଚିତ୍ରସେନ ଛଦ୍ମବେଶରେ ସପ୍ତାହକୁ ଥରେ ଲୋକମାନଙ୍କ ମଧ୍ୟରେ ବୁଲୁଥା’ନ୍ତି । ଧୀରେ ଧୀରେ ସେ ତାଙ୍କ ପ୍ରଜାମାନଙ୍କର ଦୁଃଖକଷ୍ଟ ବିଷୟ ଜାଣିପାରିଲେ । ସେଥିରୁ ପ୍ରଜାମାନେ କିପରି ମୁକ୍ତି ପାଇବେ ସେଥିପାଇଁ ସେ କିଛିଟା ମାର୍ଗ ପ୍ରଦର୍ଶନ କରୁଥିଲେ । ଏସବୁ କରିବା ସତ୍ତ୍ୱେ ମଧ୍ୟ ସେ ବିଳାସବ୍ୟସନ ପୂର୍ଣ୍ଣ ଜୀବନ ଛାଡି ନଥିଲେ ।
ଦେଖୁ ଦେଖୁ ଏକ ବର୍ଷ ବିତିଗଲା । ଦିନେ ଚିତ୍ରସେନ ନିଜ କକ୍ଷରେ ବସି ନୃତ୍ୟ ଦେଖୁଥିଲେ, ନୃତ୍ୟ ସହିତ ବାଦ୍ୟ ଓ ସଙ୍ଗୀତ ସବୁ ଚାଲିଥାଏ । ରାଜା ସେଥିରେ ମଗ୍ନ ହୋଇ ମଝିରେ ମଝିରେ ତାଳି ମାରୁଥା’ନ୍ତି; ଏପରି ଏକ ସମୟରେ ସାଧୁ ସେଠାରେ ଆସି ପହଁଚିଲେ ।
ରାଜା ବଡ ଅସୁବିଧା ପରିସ୍ଥିତିରେ ପଡିଲେ । ସେ ତରବର ହୋଇ ଉଠି ତାଙ୍କୁ ପ୍ରଣାମ କଲେ । କିନ୍ତୁ ସାଧୁଙ୍କର ଦୃଷ୍ଟି ଅସନ୍ତୋଷପୂର୍ଣ୍ଣ । ସାଧୁ କହିଲେ, “ଏବର୍ଷ ମଧ୍ୟ ମୁଁ ଲକ୍ଷ୍ୟ କରି ଦେଖିଲି ପ୍ରଜାମାନଙ୍କ ମଧ୍ୟରେ ବିଶେଷ କିଛି ଉଲ୍ଲେଖଯୋଗ୍ୟ ପରିବର୍ତ୍ତନ ହୋଇ ନାହିଁ । ମୁଁ ତୁମକୁ ଯାହା କହିଯାଇଥିଲି, ତୁମେ କ’ଣ ଆନ୍ତରିକତାର ସହିତ ସେସବୁ ମାନି ଚଳୁଥିଲ?”
ଚିତ୍ରସେନ କହିଲେ “ଗତକାଲି ମଧ୍ୟ ମୁଁ ଛଦ୍ମବେଶରେ ଯାଇ ଜଣେ ଦରିଦ୍ରର ଚିକିତ୍ସା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିଦେଇ ଆସିଥିଲି ।”
ସାଧୁ କହିଲେ “ଠିକ୍ ଅଛି । ତେବେ ମୁଁ କହିଥିଲି ଯେ ଛଦ୍ମବେଶରେ ଯେତେବେଳେ ଯିବ ପ୍ରଜାଙ୍କ ସେବା ବ୍ୟତୀତ ମନମଧ୍ୟରେ ଆଉ କିଛିକୁ ବି ସ୍ଥାନ ଦେବ ନାହିଁ । ମନେ ହେଉଛି ତୁମେ ସେକଥା ମାନି ନାହଁ ।”
ଚିତ୍ରସେନ କହିଲେ, “ଜଣେ ପ୍ରଜାର ଅବସ୍ଥା ବହୁତ ଖରାପ ଥିଲା; ସେ ଅସୁସ୍ଥ ହୋଇ ପଡିଥିଲା । ମୁଁ ତାହାର ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା କରି ଦେଇ ଆସିଲି । ତଥାପି ଆପଣ କହୁଛନ୍ତି ମୁଁ ଆପଣଙ୍କ ଆଜ୍ଞା ପାଳନ କରୁନାହିଁ?”
ସାଧୁ କହିଲେ “ହଁ, ମୁଁ ଠିକ୍ ବୁଝିଛି । ମୁଁ ତୁମ ଛଦ୍ମବେଶ ବିଷୟରେ ପଚାରୁଛି ।”
ସେପରି ପ୍ରଶ୍ନ ଶୁଣି ରାଜା ଚକିତ ହୋଇ କହିଲେ, “ହଁ, ମୁଁ ସେତେବେଳେ ଛଦ୍ମବେଶରେ ଥିଲି ।”
ସାଧୁ ପଚାରିଲେ “କେଉଁ ବେଶରେ ଥିଲ?”
ରାଜା କହିଲେ “ଜଣେ ଗରୀବ ଚାଷୀର ବେଶରେ” ସାଧୁ ପଚାରିଲେ “ଗରିବ ଚାଷୀ ମଧ୍ୟ ପ୍ରଜାମାନଙ୍କ ମଧ୍ୟରୁ ଜଣେ । ସେଥିରେ ଛଦ୍ମବେଶର ତାତ୍ପର୍ଯ୍ୟ କ’ଣ?”
ରାଜା କହିଲେ, “ଗରିବ ଚାଷୀର ବେଶ କ’ଣ ମୋ ପାଇଁ ଛଦ୍ମବେଶ ନୁହେଁ କି? ତେବେ ଆପଣ କୁହନ୍ତୁ ମୁଁ କିପରି ଭାବରେ ଛଦ୍ମବେଶ ଧାରଣ କରିବି?”
ସାଧୁ ହସି ଦେଇ କହିଲେ, “ତୁମେ ମଗଧର ପ୍ରଜାମାନଙ୍କ ମଧ୍ୟରୁ ଅନ୍ୟତମ । ତେଣୁ ଜଣେ ପ୍ରଜାର ବେଶ ଧାରଣ କଲେ ତାହା ଛଦ୍ମବେଶ କିପରି ହେଲା? ଜଣେ ଗରିବ ଚାଷୀ, ଅନ୍ୟ ଜଣେ ଗରିବ ଚାଷୀକୁ ସାହାଯ୍ୟ କଲା । ଯିଏ ରାଜା ସେ ସମସ୍ତ ଦରିଦ୍ର ରୋଗୀଙ୍କର ଚିକିତ୍ସା ପାଇଁ ଚେଷ୍ଟା କରିବ । ଗୋଟିଏ ଗୋଟିଏ ସମସ୍ୟା ସମାଧାନ କଲେ, ତୁମେ ଜଣେ ସାଧାରଣ ବ୍ୟକ୍ତି ହୋଇ ରହିଯିବ । କିନ୍ତୁ ତୁମେ ଯଦି ସମସ୍ତ ପ୍ରଜାଙ୍କ ବିଷୟରେ ଚିନ୍ତା କରିବ, ତେବେ ଯାଇ ତୁମକୁ ଯଥାର୍ଥରେ ରାଜା ବୋଲି କୁହାଯିବ । କ’ଣ ଏବେ ବୁଝିଲ ତ?”
ରାଜା ସଙ୍ଗେ ସଙ୍ଗେ ନିଜ ତୃଟିକୁ ସ୍ୱୀକାର କରି କହିଲେ, “ଭବିଷ୍ୟତରେ ସମ୍ପୂର୍ଣ୍ଣ ଭାବରେ ପ୍ରଜାକଲ୍ୟାଣକୁ ଦୃଷ୍ଟିରେ ରଖି ମୁଁ ସମସ୍ୟାମାନ ସମାଧାନ କରିବି ।”
ବେତାଳ କାହାଣୀଟି ଶୁଣାଇ ସାରି କହିଲା, “ସୁଚାରୁ ରୂପେ ଶାସନ ଚଳାଇବା ହେଉଛି ରାଜାଙ୍କର ଆବଶ୍ୟକତା । କିନ୍ତୁ ଚିତ୍ରସେନ ସେସବୁ ନକରି ବିଳାସବ୍ୟସନରେ ଡୁବି ରହିଥିଲେ । ତା’ପରେ ତାଙ୍କ ମଧ୍ୟରେ ଘୋର୍ ପରିବର୍ତ୍ତନ ଆସିଲା । ସେସବୁ ସତ୍ତ୍ୱେ ମଧ୍ୟ ସାଧୁ ଯାହା କହିଲେ, ମୋର ମନେ ହୁଏ ତାହା ବାକ୍ ଚାତୁରୀ ମାତ୍ର, ସେ ଯାହା କହିଲେ, ତା’ର ଅର୍ଥ ରାଜା ଅନ୍ୟ ମଣିଷର ବେଶ ଧାରଣ କରିବେ ନାହିଁ । ତେଣୁ କେବଳ ଏକମାତ୍ର ସମ୍ଭାବନା, ହୁଏତ ଏକ ରାକ୍ଷସ ବା ଏକ ଦେବତାର ଛଦ୍ମବେଶରେ ସେ ଆସିବେ । ଏହା ଭୀଷଣ ହାସ୍ୟାସ୍ପଦ । ଏବିଷୟରେ ମୋର ସନ୍ଦେହ ମୋଚନ କର । ଉତ୍ତର ଜାଣି ମଧ୍ୟ କିଛି ନ କହିଲେ ତୁମର ଶିର ସ୍କନ୍ଧଚ୍ୟୁତ ହେବ ।”
ବିକ୍ରମାର୍କ କହିଲେ, “ଏତିକି ଭୂଲିଯାଅ ନାହିଁ ଯେ ସାଧୁ ଜଣେ ରାଜର୍ଷି । ତାଙ୍କର ନିଜସ୍ୱ ସ୍ତର ରହିଛି ଏବଂ ସେ ସେହି ଅନୁସାରେ କଥା କହୁଥିଲେ । ତାଙ୍କ କଥାକୁ ତୁମେ ଯେ ପରସ୍ପର ବିରୋଧି ବା ଚାତୁର୍ଯ୍ୟପୂର୍ଣ୍ଣ କହୁଛ ତାହା ତ ପୁରାପୁରି ଭୂଲ୍ କଥା । ସେ କେବଳ ଏହା ବୁଝାଇବାକୁ ଚାହୁଁଥିଲେ କି ଦେଶରେ ବହୁ ପ୍ରକାରର ନାଗରିକ ରହିଛନ୍ତି । କିନ୍ତୁ ସମସ୍ତିଙ୍କ ମଧ୍ୟରେ ଯିଏ ସମର୍ଥ ସେହିଁ ଯଥାର୍ଥରେ ରାଜା ।”
ରାଜାଙ୍କର ମୌନ ଭଙ୍ଗ ହୁଅନ୍ତେ, ପୂର୍ବ ସର୍ତ୍ତ ଅନୁସାରେ, ବେତାଳ ଶବ ସହିତ, ଖସି ପୂର୍ବୋକ୍ତ ବୃକ୍ଷରେ ଯାଇ ଝୁଲି ପଡିଲା ।