ଜାଲରେ ମାଛ ଧରୁଥିବା ବେଳେ ଦେଖିବ, କେତେକ ମାଛ ଜାଲରେ ପଡ଼ିରହନ୍ତି । ପଳାଇବାପାଇଁ ଚେଷ୍ଟା କରନ୍ତି ନାହିଁ । କେତେକ ମାଛ ଜାଲରେ ପଡ଼ି ଫଡ଼ ପଡ଼, ଛଟ ପଟ ହୁଅନ୍ତି । କିନ୍ତୁ ପଳାଇ ପାରନ୍ତି ନାହିଁ । ଆଉ ଏକ ଜାତୀୟ ମାଛ ଅଛନ୍ତି, ଯେଉଁମାନେ ଜାଲ ଛିଣ୍ଡାଇ ପଳାଇ ଯା’ନ୍ତି । ବାକି ଦି’ଚାରିଟା ମାଛ ଏତେ ଚାଲାକ ଯେ ଜାଲରେ ପଡ଼ନ୍ତି ନାହିଁ । ସେହିପରି ସମସ୍ତ ଜୀବ ସମାନ ହେଲେ ହେଁ ଅବସ୍ଥା ଭେଦରେ ସେମାନେ ଚାରି ରକମର । ବଦ୍ଧ ଜୀବ, ମୁମୂର୍ଷୁ ଜୀବ, ମୁକ୍ତ ଜୀବ ଓ ନିତ୍ୟ ଜୀବ ।
ବଦ୍ଧ ଜୀବ ଛଳ କପଟ ଭିତରେ ପଡ଼ି କାମିନୀ କାଞ୍ଚନର ଲୋଭ ଛାଡ଼ି ପାରେ ନାହିଁ । ଭଗବାନଙ୍କ ପାଖରେ ମନଦେବା ଦୂରର କଥା, ସେ ନିଜେ ହରିନାମ ନିଏ ନାହିଁ କି ପରକୁ ଶୁଣାଏ ନାହିଁ । ଧର୍ମସଂପ୍ରଦାୟ ଓ ଧାର୍ମିକମାନଙ୍କୁ ନିନ୍ଦା କରେ । ଶଙ୍ଖର ପାଣି ଯେପରି ଗୋଟିଏ ପଟୁ ଆସି ଆରପଟେ ଚାଲିଯାଏ, ବଦ୍ଧ ଜୀବ ସେହିପରି ଗୋଟିଏ କାନରେ ହରିନାମ ଶୁଣିଲେ ଆରକାନ ଦେଇ ତାହା ଚାଲିଯାଏ । ପାୱାର ମଟରକୁ ଚଳାଇଲେ ସେ ଯେପରି ଗଦ୍ ଗଦ୍ କରେ, ବଦ୍ଧ ଜୀବ ସହିତ କଥାଭାଷା କଲେ ଜଣାପଡେ଼, ତା ଭିତରେ ବିଷୟ ବାସନା ଗଦ୍ ଗଦ୍ ହେଉଚି ।
ମୁମୂର୍ଷୁ ବା ମୁକ୍ତିପାଇବାକୁ ଇଚ୍ଛା କରୁଥିବା ଜୀବ ବ୍ୟାକୁଳ ଭାବରେ ସଂସାର ଜାଲରୁ ମୁକ୍ତ ହେବା ପାଇଁ ଛଟ ପଟ ହୁଏ । ପ୍ରାଣପଣେ ଚେଷ୍ଟା କରେ ।
ଯେଉଁମାନେ ସଂସାରଜାଲରୁ ଖସି ପଳାନ୍ତି, ସେମାନେ ମୁକ୍ତ ଜୀବ । ପଙ୍କ ପୋଖରୀରେ ମାଛ ଥିଲେ ମଧ୍ୟ ତା ଦେହରେ ଯେପରି ପଙ୍କ ଲାଗେ ନାହିଁ, ମୁକ୍ତ ଜୀବ ସେହିପରି ।
ନାରଦ ଓ ଶୁକଦେବ ହେଲେ ମୁକ୍ତ ଜୀବ । ଏକ ଷ୍ଟିମ୍ ବୋଟ୍ ପରି । ଷ୍ଟିମ୍ ବୋଟ୍ ରେ ତ ନିଜେ ପାରି ହୋଇ ପାରିବ । ତା’ସହିତ ବଡ଼ ବଡ଼ ଜୀବଜନ୍ତୁ, ଏପରିକି ହାତୀକୁ ମଧ୍ୟ ପାର କରାଇ ନିଆଯାଇ ପାରିବ ।