“ଜଣେ ମଣିଷ ଭିତରେ ଥିବା ମହାନତାକୁ ତୁମେ ଯଦି ହତ୍ୟା କରିବାକୁ ଚାହୁଁଛ, ତେବେ ସେ ଆବଶ୍ୟକ କରୁଥିବା ଜିନିଷପତ୍ର ତାକୁ ଦେଇଚାଲ । ଖୁବ୍ ଶୀଘ୍ର ସେ ତୁମର କ୍ରୀତଦାସ ପାଲଟିଯିବ ।” ଉକ୍ତ ସଂଳାପଟି ଆଫ୍ରିକା ମହାଦେଶର ଏକ ଛୋଟିଆ ରାଷ୍ଟ୍ର ସେନେଗାଲ ଚଳଚ୍ଚିତ୍ର ‘ଗେଲ୍ୱାର’ର ନାୟକଦ୍ୱାରା କଥିତ । ଦୁର୍ଭିକ୍ଷ ପ୍ରପୀଡ଼ିତ ସ୍ୱାଧୀନ ରାଷ୍ଟ୍ର ସେନେଗାଲକୁ ଆମେରିକା, ଜାପାନ, ଫ୍ରାନ୍ସ ଆଦି ବିଦେଶୀରାଷ୍ଟ୍ର ଖାଦ୍ୟ ସହାୟତା ପ୍ରଦାନ ମାଧ୍ୟମରେ ଆଧିପତ୍ୟ ବିସ୍ତାର କରି କିପରି ନିଜ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ କରାଇ ସେନେଗାଲର ସାର୍ବଭୌମତ୍ୱକୁ ଧୀରେ ଧୀରେ ନଷ୍ଟ କରିଦେଉଛନ୍ତି, ତାହା ହିଁ ଏହି ଚଳଚ୍ଚିତ୍ରର ମୁଖ୍ୟ ବିଷୟ । ବିଦେଶୀ ସାହାଯ୍ୟକୁ ପ୍ରତ୍ୟାଖାନ କରି ନାୟକ ଗେଲ୍ୱାର କହିଛି- “ଆମର ମରୁଡ଼ି, ଦୁର୍ଭିକ୍ଷ, ଅସୁସ୍ଥିକୁ ବିଦେଶୀ ଅନୁଦାନ ଦୂର କରିପାରିବ ନାହିଁ । ଆମର ଯତ୍ନ ନେବାକୁ ଆମେ ଅନ୍ୟ ଏକ ସମାଜକୁ ଅନୁମତି ଦେଇପାରିବା ନାହିଁ…ଆମ ନେତାମାନେ ଭିକାରି ହୋଇଗଲେଣି… ଆମେ କ’ଣ ଆମ ପିଲାମାନଙ୍କୁ ଏହିପରି ଏକ ଆଫ୍ରିକାରେ ଛାଡ଼ି ଚାଲିଯିବା; ଯେଉଁମାନେ କେବଳ ନିଜ ପେଟ ପୋଷିବାପାଇଁ ଅନ୍ୟ ଉପରେ ନିର୍ଭର କରିବେ ?”
ଏହି ପରିପ୍ରେକ୍ଷୀରେ ଆମେ ଆମ ରାଜ୍ୟ ଓଡ଼ିଶା କଥା ଚିନ୍ତା କରିବା । ମୁଷ୍ଟିମେୟ ଧନୀକ ଶୃଗାଳଙ୍କୁ ନେଇ ବିକଶିତ ରାଷ୍ଟ୍ରଭାବେ ଠିଆହେବାକୁ ଚେଷ୍ଟା କରୁଥିବା ତଥା ଧର୍ମାନ୍ଧତା, ନିରକ୍ଷରତାରେ ପୂର୍ଣ୍ଣ ଏକ ବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତବର୍ଷର ଏକ ଛୋଟିଆ ରାଜ୍ୟ ହେଉଛି ଓଡ଼ିଶା । କେଉଁ ଅନାଦିକାଳରୁ ଏହା ଗଙ୍ଗାରୁ ଗୋାବରୀ ଏବଂ ନର୍ମଦା ଆଦି ନଦୀଦ୍ୱାରା ସୀମାବଦ୍ଧ ହୋଇଥିବାବେଳେ, ନିଜର ଅପାରଗ ବଂଶଧରଙ୍କ ଯୋଗୁଁ ପରବର୍ତ୍ତୀ କାଳରେ ପରାଧୀନ ହୋଇ ଖଣ୍ଡବିଖଣ୍ଡିତ ହେବାପରେ ବିଂଶ ଶତାବ୍ଦୀର ମଧ୍ୟ ଭାଗରେ ଓଡ଼ିଶା ଅଞ୍ଚଳ ପୁନର୍ଗଠନ ନାମରେ ଆମେ ଏକ ବୃହତ୍ ଲାଞ୍ଜ ଥାଇ ମୁହଁ ଖୋଲାଥିବା ଏକ ସମୁଦ୍ରଘୋଟକ ରୂପରେ ଓଡ଼ିଶା ନାମକ ରାଜ୍ୟକୁ ଫେରିପାଇଛୁ । ତଥାପି ଏହି ସୀମିତ ଅଞ୍ଚଳରେ ପ୍ରକୃତି ସବୁକିଛି ଭରିଦେଇଛି ତା’ର ଭବିଷ୍ୟତ ବଂଶଧରଙ୍କପାଇଁ । ଅଥଚ ଏହି ବଂଶଧରଙ୍କର ଶାସନରେ କୁପରିଚାଳନା ଯୋଗୁଁ ପୁଣି ଥରେ ନିଜର ନିଜତ୍ୱକୁ ହରାଇବାକୁ ବସିଛି ଆମର ଏହି ପବିତ୍ର ଓଡ଼ିଶାମାଟି- ଠିକ୍ ଆଫ୍ରିକାର ସେନେଗାଲ ରାଷ୍ଟ୍ରପରି । ଦୀର୍ଘ ତିନି ଦଶନ୍ଧି ଧରି ଦାରିଦ୍ର୍ୟର ପରିଚୟ ବହନ କରିଥିବା ଓଡ଼ିଶା ଆଜି ଅନ୍ୟ ରାଷ୍ଟ୍ରର ବୁଦ୍ଧି, ବିବେକ, ଶିଳ୍ପ ଉପରେ ନିର୍ଭର କରୁଥିବାବେଳେ, ଖାଦ୍ୟପାଇଁ ଧୀରେ ଧୀରେ ପଡ଼ୋଶୀ ରାଜ୍ୟମାନଙ୍କ ଉପରେ ନିର୍ଭରଶୀଳ ହୋଇପଡୁଛି । ଅର୍ଥାତ୍ ବିସ୍ତୀର୍ଣ୍ଣ ସମତଳ ଅଞ୍ଚଳ, ଜାଲଭଳି ବିଚ୍ଛୁରିତ ନଦୀନାଳପୂର୍ଣ୍ଣ ଜଳସଂପଦ ଏବଂ କଠୋର ପରିଶମ୍ରୀ ମାନବସମ୍ବଳ ସହିତ କୃଷି, ଶିଳ୍ପ, ବାଣିଜ୍ୟର ପ୍ରଚୁର ଭିତ୍ତିଭୂମି ଥିବାବେଳେ; ଏହାର ଉପଯୁକ୍ତ ବିନିଯୋଗ ହେବାରେ ଆନ୍ତରିକତା ନ ଥିବାରୁ ଆଜି ଓଡ଼ିଆପୁଅ ନିଜ ପେଟପୋଷିବାପାଇଁ ଭିକ୍ଷା ମାଗିବା ଭଳି ବିଭିନ୍ନ ଉପାୟ ଅବଲମ୍ବନ କରିବା ସହିତ; ଅତୀତର ଶୌର୍ଯ୍ୟାମୟୀ ଅବଗୁଣ୍ଠନବତୀ ଓଡ଼ିଆ କିଶୋରୀ ତରୁଣୀ ଆଜି ସହସ୍ରଶଯ୍ୟାର ନାୟିକା ପାଲଟିବାକୁ ତିଳେହେଲେ କୁଣ୍ଠାବୋଧ କରୁନାହିଁ ।
କାହିଁକି ଆଜି ଏଭଳି ସ୍ଥିତି ଉତ୍ପନ୍ନ ହୋଇଛି?
ପ୍ରକୃତି ରାଜ୍ୟର ଗନ୍ତାଘର ରୂପେ ପରିଚିତ ଓଡ଼ିଶା ନାମକ ଏହି ଭୂଖଣ୍ଡଟି ସ୍ୱତନ୍ତ୍ର ପ୍ରଦେଶ ଗଠନ ହେବା ପରଠାରୁ ଅନ୍ୟମାନଙ୍କ ନିକଟରେ ଯେକୌଣସି କାର୍ଯ୍ୟକାରଣପାଇଁ ହାତପାତି ଭିକ୍ଷା ମାଗୁଥିବାବେଳେ, ଏକବିଂଶ ଶତାବ୍ଦୀର ବିଶ୍ୱ ଅଧିବାସୀ ଯେତେବେଳେ ଅନ୍ତରୀକ୍ଷରେ ବାସ କରିବାର ପରିକଳ୍ପନା କରୁଛନ୍ତି, ସେତେବେଳେ ଏ ଭୂଖଣ୍ଡ ନିଜ ବକ୍ଷରେ ଧାରଣ କରିଥିବା ଅଯୋଗ୍ୟ ସନ୍ତାନଗଣଙ୍କ ଉଦର ପୂରଣପାଇଁ ବିଦେଶୀ ଶିଳ୍ପପତିଙ୍କ ନିକଟରେ ଦେହଦାନ କରିବାକୁ ବାଧ୍ୟ ହେଉଛି । ନିଜର ଅତଳ ଭୂଗର୍ଭରେ ଗଚ୍ଛିତ କରି ରଖିଥିବା ୬୯ ପ୍ରକାରର ଖଣିଜଦ୍ରବ୍ୟ ଲୋଭରେ ବିଶ୍ୱର ବୃହତ୍ ଶିଳ୍ପଗୋଷ୍ଠୀଗଣ ଏହି ଭୂଖଣ୍ଡରୁ କ୍ଷୁଧା, ଦାରିଦ୍ର୍ୟ, ନିରକ୍ଷରତା ଦୂର କରିବାର ଲୋଭନୀୟ ପ୍ରତିଶ୍ରୁତି ଦେଇ ଏହାକୁ ଲୁଣ୍ଠନ କରିବାର କଳା, କୌଶଳ ଆରମ୍ଭ କରିସାରିଲେଣି । ଆମର ଲୋକପ୍ରତିନିଧିଗଣ ଏମାନଙ୍କ ପ୍ରଦତ୍ତ ବିଭିନ୍ନ ଲୋଭନୀୟ ପ୍ରସ୍ତାବବ୍ୱାରା କବଳିତ ହୋଇସାରିଥିବାବେଳେ, ଏବେ ସାଧାରଣ ଜନତାଙ୍କୁ ପ୍ରଲୋଭିତ କରିବାକୁ ବିଭିନ୍ନ ଉପାୟ ଖଞ୍ଜିବାରେ ଏମାନେ ବ୍ୟସ୍ତ । ପ୍ରଗତିର ଚକ ଗଡ଼ାଇ ଏହି ରାଜ୍ୟ ଓ ରାଜ୍ୟବାସୀଙ୍କୁ ଧନୀ କରିବାର ସ୍ୱପ୍ନ ମଧ୍ୟରେ ଯେଉଁ ଶିଳ୍ପ ସ୍ଥାପନ କରାଯିବାର ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ନିଆଯାଉଛି, ତାହା କେତେକ ଦଲାଲ ଓ ଶିଳ୍ପପତିଙ୍କୁ ଧନୀ କରାଇବାରେ ସାହାଯ୍ୟ କରିପାରେ; ମାତ୍ର ଓଡ଼ିଶାବାସୀଙ୍କୁ ସ୍ୱାବଲମ୍ବୀ କରାଇବାର କୌଣସି ଭିତ୍ତିଭୂମି ପ୍ରସ୍ତୁତ କରାଇପାରିବନାହିଁ । ବରଂ ଅଭାବ ଅନଟନ ମଧ୍ୟରେ ବି ଶାନ୍ତିରେ ନିଶ୍ୱାସ ମାରିପାରୁଥିବା ସରଳ ଅଥଚ ନିରୀହ ଗ୍ରାମବାସୀଟି ଆଧୁନିକ ଅର୍ଥନୀତିର କୁଟିଳ ଚକ୍ରବ୍ୟୁହରେ ପେଶିହୋଇ ଜୀବନର ମୂଲ୍ୟବାନ ସମୟତକ ଅର୍ଥ ପଛରେ ଗୋଡ଼ାଇ ନଷ୍ଟ କରୁଛି ସିନା, ଅର୍ଥକୁ ନେଇ ପୂର୍ବର ସେହି ଶାନ୍ତିମୟ ଜୀବନଯାପନକୁ ଆଉ ପାଇପାରୁନାହିଁ । ଅନ୍ୟପକ୍ଷରେ ତାଳତମାଳ ଘେରା ଶାନ୍ତ ସବୁଜିମା ଗ୍ରାମ୍ୟ ସଂସ୍କୃତି ଲୋପପାଇ କାରଖାନାଭିତ୍ତିକ ଯେଉଁ ନୂଆ ସହର ଗଢ଼ି ଉଠିଛି, ସେହି ସହର ମଧ୍ୟରେ ବିଳସିତ ଜୀବନଚର୍ଯ୍ୟାକୁ କେବଳ ବାହାରୁ ଆସିଥିବା ଧନୀକବର୍ଗ ଉପଭୋଗ କରୁଥବାବେଳେ ସେହି ଅଞ୍ଚଳର ମୂଳ ଅଧିବାସୀ ବସ୍ତିଜୀବନକୁ ଆଦରିବାର ଆଉ ଏକ ଘୃଣ୍ୟ ପଦ୍ଧତିକୁ ଆପଣେଇ ନେବାକୁ ବାଧ୍ୟ ହେଉଛ’ନ୍ତି । ପୂର୍ବର ସେହି ଅଭାବ ଅନଟନ ସହିତ ଏବେ ଅସ୍ୱାସ୍ଥ୍ୟକର ପରିବେଶ, ଦୂଷିତ ପାଣି ଓ ପବନ ଯୋଗୁଁ ନୂଆ ନୂଆ ରୋଗ ଭଳି ଆଉ ଏକ ଦୁଃଖ ସମସ୍ୟାକୁ ଗ୍ରହଣ କରିବାକୁ ଏମାନେ ବାଧ୍ୟ ହେଉଛନ୍ତି । ଏଥିସହିତ ବାହାର ରାଜ୍ୟର କୁଶଳୀ ଓ ଅଣକୁଶଳୀ ବ୍ୟକ୍ତିଙ୍କ ଅବାରିତ ଆଗମନ ଯୋଗୁଁ ସେମାନଙ୍କର ସାମାଜିକ ଚଳଣୀ ଓ ଭାଷା ସଂସ୍କୃତିର ଆଗମନଦ୍ୱାରା ଏହି ଅଞ୍ଚଳରେ ପୂର୍ବରୁ ପ୍ରଚଳିତ ପରମ୍ପରା, ସଂସ୍କୃତି ଓ ଭାଷା ଲୋପପାଇ ଏଠାରେ ଏକ ମିଶ୍ର ସଂସ୍କୃତିର ଆବିର୍ଭାବ ଘଟି ସାମାଜିକ ସଂକଟ ସୃଷ୍ଟି କରୁଛି ।
ଦୃଷ୍ଟାନ୍ତ ରୂପେ ବର୍ତ୍ତମାନ ଓଡ଼ିଶାରେ ମହାସମାରୋହରେ ପାଳିତ ହେଉଥିବା ତିନିଟି ଉତ୍ସବ-କାଉଡ଼ିଙ୍କଦ୍ୱାରା ଜଳାଭିଷେକ, ଧନ୍ତରାସ ଓ ଛଟ୍ପୂଜାକୁ ନିଆଯାଇପାରେ । ପ୍ରଥମ ଦୁଇଟି ଉତ୍ସବ ଓଡ଼ିଶାର ବ୍ୟବସାୟକୁ ଏକଚାଟିଆ ଭାବରେ କବଳିତ କରିଥିବା ମାରୱାଡିମାନଙ୍କ ବାଣିଜ୍ୟିକ ମଗଜରୁ ବାହାରି ଧର୍ମ ଓ ଧନବୃଦ୍ଧି ନାମରେ ସରଳ, ନିରୀହ ଧର୍ମଭୀରୁ ଓଡ଼ିଆଙ୍କୁ ବୋକା ବନାଇ ନିଜର ଧନବୃଦ୍ଧି କରିବାରେ ଉଦ୍ଦିଷ୍ଟ ଥିବାବେଳେ; ଛଟ୍ପୂଜା ହେଉଛି ବିହାରୀ ସାମାଜିକ ପରମ୍ପରାର ଏକ ଅଂଶବିଶେଷ । ରାଉରକେଲାର ଲୌହ ଇସ୍ପାତ୍ କାରଖାନା ଗଠିତ ହେବାପରେ ଓଡ଼ିଶା ମାଟିକୁ ସଂଖ୍ୟାଧିକ ବିହାରୀଙ୍କ ଆଗମନ ଓ ଏହି ଭୂଖଣ୍ଡକୁ କବଳିତ କରିବାପରେ ଏହି ଉତ୍ସବ ବ୍ୟାପକ ରୂପେ ରାଉରକେଲା ସହର ମଧ୍ୟରେ ବିଗତ କିଛିବର୍ଷ ଧରି ସୀମାବଦ୍ଧ ହୋଇ ରହିଥିଲା । ମାତ୍ର ଏବେ ବିହାରର ଅପରାଧୀ, ବିହାରୀ ଶ୍ରମିକ ଓ ରେଳବାଇଦ୍ୱାରା ବିହାରୀଙ୍କୁ ବ୍ୟାପକ ନିଯୁକ୍ତି ପ୍ରଦାନ ଫଳରେ କଟକ-ଭୁବନେଶ୍ୱର ଭଳି ଓଡ଼ିଶାର କେନ୍ଦ୍ରସ୍ଥଳରେ ଏମାନଙ୍କର ଆଶାତୀତ ସଂଖ୍ୟାବୃଦ୍ଧି ଯୋଗୁଁ ଏ ବର୍ଷ ମହାନଦୀ, କାଠଯୋଡ଼ି, କୂଆଖାଇ ନଦୀକୂଳରେ ଛଟ୍ପୂଜାପାଇଁ ଯେଉଁ ବିପୁଳ ଜନସମାଗମ ହୋଇଥିଲା, ତାହା ଆମର କାର୍ତ୍ତକ ମାସର ଡଙ୍ଗାଭସା ଉତ୍ସବକୁ ମଧ୍ୟ ମଳିନ କରିଦେଇଛି ।
ଅନ୍ୟପକ୍ଷରେ ଓଡ଼ିଶା କୃଷି ସଭ୍ୟତାର ପାରମ୍ପରିକ ଓଷା ବା ପର୍ବପର୍ବାଣୀ ଯଥାପଣାସଂକ୍ରାନ୍ତି, ରଜ, ଅକ୍ଷୟତୃତୀୟା, ପ୍ରଥମାଷ୍ଟମୀ, ଦୂତୀଆ ଓଷା, କାର୍ତ୍ତିକ ପୂଣ୍ଣିମାର ଡଙ୍ଗାଭସା ଏବଂ କୁମାରପୂର୍ଣ୍ଣିମା ଭଳି ଓଡ଼ିଆ ଜନଜୀବନରେ ସର୍ବତ୍ର ପ୍ରଚଳିତ ଏହି ଉତ୍ସବ ପାଳନ ପ୍ରତି ଆଗଭଳି ଆଉ ଆମଠାରେ ଉତ୍ସାହ, ଉଦ୍ଦୀପନା ଓ ଆଗ୍ରହ ନାହିଁ । ଏହିସବୁ ଉତ୍ସବ କେବଳ ପରିବାରର ବୟସ୍କ ସଦସ୍ୟଙ୍କ ମଧ୍ୟରେ ସୀମିତ ହୋଇ ରହିଛି । ଏମାନଙ୍କ ଅନ୍ତେ ଏହି ପରମ୍ପରାର ମଙ୍ଗ ଧରିବାକୁ ଆଜିର ଓଡ଼ିଆଣୀ ନାରାଜ । ବାରମାସରେ ତେରପର୍ବ ପାଳନ କରୁଥିବା ଏ ଜାତି ଆଜି ନିଜ ପରମ୍ପରାକୁ ତ୍ୟାଗ କରି ଅନ୍ୟ ପରମ୍ପରା ପ୍ରତି ଆଗ୍ରହୀ ହେବା ପଛରେ ଯେଉଁ ମାନସିକତା ସୃଷ୍ଟି ହେଉଛି, ତାହା କେବଳ ନିଜ ଜାତିପ୍ରୀତି ନଥିବା ଯୋଗୁଁ, ନିଜ ଜାତିପ୍ରତି ହୀନମନ୍ୟତା ସୃଷ୍ଟି ହେବା ଯୋଗୁଁ, ତଥା ଅନ୍ୟ ଭାଷାଭାଷୀଙ୍କ ବିପୁଳ ଆଗମନ ଯୋଗୁଁ । ଆମ ଓଡ଼ିଆଣୀମାନେ ବୁଝିପାରୁନାହାନ୍ତି ଯେ, ସେମାନେ ସ୍ୱାମୀ, ସନ୍ତାନର ମଙ୍ଗଳକାମନାପାଇଁ ଭାଦ୍ରବ ମାସରେ ଯେଉଁ ଦୂତୀଆ ଓଷା ପାଳନ କରିଥାନ୍ତି, ତାହାର ଭିନ୍ନ ରୂପ ହିଁ ହେଉଛି ବିହାରୀ ଛଟ୍ପୂଜା ।
ଯେଉଁ ଓଡ଼ିଆ ଜାତିର ଇତିହାସ ଧଉଳି, ଜଉଗଡ଼, ହାତୀଗୁମ୍ଫା ଓ ପାକିସ୍ତାନର ସାହେବାଜଗଡ଼ି, ମାନସହେରାଠାରେ ଆବିଷ୍କୃତ ବିଶାଳ ପଥର ଦେହରେ ନିହାଣମୁନରେ ଖୋଦେଇ ହୋଇରହିଛି ମାନସପଟରୁ ଲିଭି ନ ଯିବାପାଇଁ; ଯେଉଁ ଜାତିର ସଂସ୍କୃତି ଓ ପରମ୍ପରା, ସାହିତ୍ୟ ମଧ୍ୟରେ ଲିପିବଦ୍ଧ ହୋଇ ଅନନ୍ତକାଳପାଇଁ ଜାତୀୟ ଜୀବନକୁ ପ୍ରଭାବିତ କରିବାରେ ସଫଳ ହୋଇଛି; ଆଜି ସେହି ଜାତିରେ ସୃଷ୍ଟି ହୋଇଛି ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ସଂକଟ । ଅର୍ଥନୈତିକ ସ୍ୱାଧୀନତା ନ ଥିବାରୁ ଏହି ଇତିହାସ ଚର୍ଚ୍ଚିତ ଜାତି ପାଲଟି ଯାଇଛି ଅନ୍ୟର ସାମାଜିକ ଓ ସାଂସ୍କୃତିକ କ୍ରୀତଦାସ । ପୁଣି ଅନ୍ୟପକ୍ଷରେ ସୁଦୃଢ଼ ଅର୍ଥନୈତିକ ଭିତ୍ତିଭୂମି ନ ଥିବାରୁ ଏଠାରେ ଯେଉଁ ଗରିବୀ ଦେଖାଦେଇଛି, ତାହା ଫଳରେ ଆଜି ଶିକ୍ଷିତ ଓଡ଼ିଆ ଝିଅଟିଏ ନିଜର ତଥା ପରିବାରର ଆର୍ଥିକ ବୋଝରୁ ସାମଗ୍ରିକ ମୁକ୍ତିପାଇଁ ନିଜ ଇଚ୍ଛା ବିରୁଦ୍ଧରେ ବାଧ୍ୟ ହେଉଛି କେଉଁ ଏକ ଅଜଣା ପୁରୁଷର ଶଯ୍ୟାସଙ୍ଗିନୀ ହେବାକୁ । ଅର୍ଥର ପ୍ରଲୋଭନରେ ଶିକାର ହେଉଥିବା ଏହି ଶିକ୍ଷିତା ଦୁହିତାଗଣଙ୍କ ଏଭଳି ନୀତିହୀନ କାର୍ଯ୍ୟକୁ ଆମର ଗଣମାଧ୍ୟମଗୁଡ଼ିକ ବହୁଳ ପ୍ରଚାର କରି କିଶୋରୀକନ୍ୟାଙ୍କ ଚାରିତ୍ରିକ ସ୍ଖଳନ ବୋଲି ସୂଚାଇବାକୁ ତିଳେହେଲେ ପଛଘୁଞ୍ଚା ଦିଅନ୍ତି ନାହିଁ । ଅଥଚ ଏହା ପଛରେ ଯେଉଁ ଅସହାୟତା ଭରି ରହିଛି, ତାହା ଅନ୍ୱେଷଣ କରିବାକୁ, ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଏକ ନିର୍ଦ୍ଧିଷ୍ଟ ବାଟ ଦେଖାଇବାକୁ ଏମାନଙ୍କ ନିକଟରେ ସମୟ ନାହିଁ । ଏହି ଗଣମାଧ୍ୟମଗୁଡ଼ିକ ଭୁଲି ଯାଉଛନ୍ତି ଯେ, ସେମାନଙ୍କଦ୍ୱାରା ବହୁଳ ଭାବରେ ବିଜ୍ଞାପିତ ବିଭିନ୍ନ ପ୍ରସାଧାନ ସାମଗ୍ରୀ ତଥା ବସ୍ତୁବାଦୀ ଉପଭୋଗ୍ୟ ଦୁନିଆଁର ଝିଲିମିଲି ଆଲୁଅରେ ଆକର୍ଷିତା ଏହି ଅନୁଢ଼ା କିଶୋରୀଗଣ ନିଜର ସାମୟିକ ଆବଶ୍ୟକ ମେଣ୍ଟାଇବାପାଇଁ ପିତାମାତାଙ୍କ ନିକଟରେ ହାତ ପତାଇବା ଅପେକ୍ଷା, ନିଜର ପୁରୁଷବନ୍ଧୁ କିମ୍ବା ଦେହ ବ୍ୟବସାୟ ଦଲାଲଙ୍କ ସହଯୋଗ ନେବାକୁ ଶ୍ରେୟ ମଣୁଛନ୍ତି । ପୁଣି ଅନ୍ୟ ପକ୍ଷରେ ଦାରିଦ୍ର୍ୟର କଷାଘାତରେ ଜର୍ଜରିତ ଅନେକ ପରିବାରର ଏହି କିଶୋରୀଗଣ କିଛି କାମଧନ୍ଦାରେ ନିଜକୁ ନିୟୋଜିତ କରିବାକୁ ଯାଇ ମଧ୍ୟ ପୁରୁଷ କାମନାର ଶିକାର ହେଉଛନ୍ତି । ବିଶେଷକରି ଆମ ରାଜ୍ୟର ଅର୍ଥନୈତିକ ଓ ଶିକ୍ଷା କ୍ଷେତ୍ରରେ ପଛୁଆ ଥିବା ଜିଲ୍ଲାରୁ ଦିଲ୍ଲୀ, କଲିକତା, ମୁମ୍ବାଇ, ବାଙ୍ଗାଲୁର ଆଦି ସହରରେ ଘରୋଇ କାମରେ ନିୟୋଜିତ ହେଉଥିବା କିଶୋରୀଗଣ ହେଉଛନ୍ତି ଏହି ଶ୍ରେଣୀର । ତେବେ ଆମ ଓଡ଼ିଶାର ଯେକୌଣସି ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଉଚ୍ଚଶିକ୍ଷିତା କିଶୋରୀଗଣ ଆଜି ଏହି ପରମ୍ପରାରେ ନିଜ ଅଲକ୍ଷ୍ୟରେ ସାମିଲ ହୋଇଯାଉଛନ୍ତି ।
ଠିକ୍ ସେହିଭଳି ଆଉ ଏକ କୁପରମ୍ପରା ଓଡ଼ିଆ ଜନଜୀବନରେ ଦେଖାଦେଇଛି ଆଜିକୁ ୧୪୦ ବର୍ଷ ପୂର୍ବେ ଓଡ଼ିଶାରେ ଘଟିଥିବା ନଅଙ୍କ ଦୁର୍ଭିକ୍ଷ ବେଳେ ଘରେ ଖାଇବାକୁ ନ ଥିଲେ ମଧ୍ୟ ନିଜ ସ୍ୱାଭିମାନକୁ ଜଗି କାହା ପାଖରେ ହାତ ପତାଇବା ଅପେକ୍ଷା ମୃତ୍ୟୁକୁ ଶ୍ରେୟସ୍କର ଭାବୁଥିବା ଏହି ଓଡ଼ିଆଜାତିର ବଂଶଧର; ଆଜି କୌଣସି କ୍ଷେତ୍ରରେ ଅଭାବ ନ ଥିଲେ ମଧ୍ୟ ଅନ୍ୟ ନିକଟରେ ହାତ ପତାଇବାକୁ ଏକ କର୍ତ୍ତର୍ବ୍ୟ ବା ସାମ୍ବିଧାନିକ ଅଧିକାର ବୋଲି ଭାବିନେଇଛି । ଅର୍ଥ, ପ୍ରତପତ୍ତିର ଉତ୍ତୁଙ୍ଗ ଶିଖର ଉପରେ ବସିଥିବା ପ୍ରଶାସକଙ୍କଠାରୁ ଆରମ୍ଭ କରି ସାଧାରଣ ପିଅନ ପର୍ଯ୍ୟନ୍ତ ସମସ୍ତେ ଆଜି ଜନସାଧାରଣଙ୍କ ନିକଟରେ ହାତ ପାତି କିଛି ମାଗିବାକୁ ଏକ ବୃତ୍ତି ବୋଲି ଗ୍ରହଣ କରିନେଲେଣି । ଏହି ମାଗିବାପଣିଆଟା ଭିକାରିମାନଙ୍କର ଆଉ ଏକଚାଟିଆ ଅଧିକାର ହୋଇ ରହିନାହିଁ । ବର୍ତ୍ତମାନ ଆମେ ଯେ କୌଣସି କାର୍ଯ୍ୟାଳୟକୁ ଗୋଟିଏ ସାଧାରଣ କାମପାଇଁ ଗଲେ, ପିଅନଠାରୁ ଉଚ୍ଚ ଅଧିକାରୀ ପର୍ଯ୍ୟନ୍ତ ନିଜ ନିଜର ପଦବୀ ଅନୁସାରେ ଅର୍ଥଦାବୀ କରିବା ଏକ ସାଧାରଣ ଘଟଣା ହୋଇଗଲାଣି । ସତେ ଯେପରି ବିନା ଅର୍ଥରେ ସରକାରୀ କାର୍ଯ୍ୟାଳୟର କର୍ମଚାରୀଗଣ କିଛି କରିବାକୁ ନାରାଜ, ଯଦିଓ ସେମାନେ ସାଧାରଣ ଜନତାଙ୍କ ଏହି କାର୍ଯ୍ୟପାଇଁ ସେହି ଜନସାଧାରଣଙ୍କ ଟିକସରୁ ସରକାରଙ୍କ ମାଧ୍ୟମରେ ପ୍ରଚୁର ଅର୍ଥ ପାଇଥା’ନ୍ତି । ହାତପାତି ମାଗିବାଭଳି କାର୍ଯ୍ୟଦ୍ୱାରା ଏହି କର୍ମଚାରୀଗଣ ଯେଉଁ ଅପସଂସ୍କୃତଟିଏ ତିଆରି କରୁଛନ୍ତି, ତଦ୍ୱାରା ସମାଜର ଏବଂ ସେମାନଙ୍କର କି ମଙ୍ଗଳ ହେଉଛି । ଏମାନେ ଏତିକି ବୁଝନ୍ତି ନାହିଁ ଯେ, ଅବସର ପରେ ଜଣେ ସାଧାରଣ ବ୍ୟକ୍ତି ଭାବରେ ଯେତେବେଳେ କୌଣସି କାର୍ଯ୍ୟପାଇଁ ଏହି ସରକାରୀ କାର୍ଯ୍ୟାଳୟକୁ ଯିବେ, ସେତେବେଳେ ଦାୟିତ୍ୱରେ ଥିବା ବ୍ୟକ୍ତିଗଣ ଏହାଙ୍କୁ କି ପ୍ରକାର ସାହାଯ୍ୟ କରିବେ? ଅଳ୍ପରେ ସନ୍ତୁଷ୍ଟ ଆମ ଓଡିଆ ଜାତି ଆଜି ନିଜର ସାମାନ୍ୟ ଅଭାବ ପୂରଣପାଇଁ ଅନ୍ୟ ନିକଟରେ ହାତ ପତାଇବାକୁ କିମ୍ବା ଦେହଦାନ କରିବାକୁ ବାଧ୍ୟ ହେଉଛନ୍ତି ।
କେବଳ ଧର୍ମ, ସଂସ୍କୃତି ତଥା ଅର୍ଥନୈତିକ ବିଚାରକ୍ଷେତ୍ରରେ ଓଡ଼ିଆ ଜାତି ଆଜି ମାଗିଖିଆର ପରିଚୟ ବହନ କରିନାହିଁ; ବରଂ ସାହିତ୍ୟ, କଳା କ୍ଷେତ୍ରରେ ମଧ୍ୟ ଏହି କଳଙ୍କର ଟୀକା ପିନ୍ଧି ନିଜକୁ ଗର୍ବିତ ମନେ କରୁଛି । ଆଜି ଓଡ଼ିଆ ପାଠକଟିଏ ଭଲ ଗପ, ଉପନ୍ୟାସ, କାବ୍ୟ କବିତାଟିଏ ପାଇପାରୁନାହିଁ ନିଜ ପଠନ ପିପାସାକୁ ପ୍ରଶମିତ କରିବାପାଇଁ । ଶିକ୍ଷାର ପାରାଚିହ୍ନ ଉପରକୁ ଉପରକୁ ଉଠି ଚାଲିଥିବାବେଳେ, ପାଠକ ମନଜାଣି ଗପ, କବିତାଟିଏ ଲେଖିବାକୁ ଆମ ଲେଖକଙ୍କ ନିକଟରେ ସମୟ ନାହିଁ କିମ୍ବା ବୋଧହୁଏ ଜ୍ଞାନ ନାହିଁ । ସତେ ଯେପରି ଫକୀରମୋହନ, ଫତୁରାନନ୍ଦ, ଲକ୍ଷ୍ମୀକାନ୍ତ, ଗୋପୀନାଥ, କୁନ୍ତଳା, ଶକୁନ୍ତଳା ଆଉ ସୃଷ୍ଟି ହୋଇପାରିବେ ନାହିଁ କିମ୍ବା ସୃଷ୍ଟି ହୋଇପାରିବ ନାହିଁ ଏମାନଙ୍କ କାଳଜୟୀ କୃତୀକୁ ଅତିକ୍ରମ କରି ଆଉ କିଛି ସାହିତ୍ୟ ପଦବାଚ୍ୟ କୃତିତ୍ୱ । ଅଥଚ ବର୍ତ୍ତମାନର ଗପ, କବିତା, ଉପନ୍ୟାସ ନାମରେ ଯାହାକିଛି ମୁଦ୍ରିତ ହେଉଛି, ତାହା ମଧ୍ୟ ଅନ୍ୟ ଭାଷାଭାଷୀକୁ ଚୋରେଇ କରି । ଓଡ଼ଆ ଜନଜୀବନର କାହାଣୀ ପରିବର୍ତ୍ତେ ଅନ୍ୟ ଭାଷା-ସାହିତ୍ୟର ଭାବନାକୁ ଓଡ଼ିଆ ମାଟିରେ ରୋପଣ କରି ଅମୂଲ୍ୟ ଫଳଲାଭ କରିବାର ବିଫଳ ଚେଷ୍ଟାରେ ବ୍ୟସ୍ତ ଅଛନ୍ତି ଆମ ଲେଖକଗଣ ।
ସେହିଭଳି ନାଟକ, ଚଳଚ୍ଚିତ୍ର ମଧ୍ୟ ମାଗିଖିଆ ସଂସ୍କୃତିର ଦାୟାଦ ଭାବେ ଆମ ଆଖି ଆଗରେ ଏକ ଜ୍ୱଳନ୍ତ ପ୍ରତୀକ ଭାବେ ଠିଆ ହୋଇଛି । ଓଡ଼ିଆ ଜୀବନ-ଜୀବିକା, ସଂସ୍କୃତି, ଚାଲିଚଳଣୀ ଓ ପାରିବାରିକ ବିଚାରକୁ ନେଇ ଆଉ ଓଡ଼ିଆ ନାଟକ ଅଭିନୀତ ହେଉନାହିଁ କିମ୍ବା ଚଳଚ୍ଚିତ୍ର ମଧ୍ୟ ନିର୍ମିତ ହେଉନାହିଁ । କେଉଁ ଆଦିମକାଳରୁ ଓଡ଼ିଆ ଜନଜୀବନକୁ ମନୋରଞ୍ଜନ କରିବା ସହିତ ସାମାଜିକ ପ୍ରତିବଦ୍ଧତାକୁ ଓଡ଼ିଆ ନାଟକ ବହନ କରିଆସୁଛି । ଏପରିକି ସ୍ୱାଧୀନତା କାଳରେ ଏହି ନାଟକ ହିଁ ହୋଇଯାଇଥିଲା ଜନଜାଗରଣର ମୁଖ୍ୟ ମାଧ୍ୟମ । ମାତ୍ର ଏସବୁ ମୌଳିକତାକୁ ଆଜିର ଓଡ଼ିଆ ନାଟକ ହରାଇ ବସିଛି । ପାଶ୍ଚାତ୍ୟ ନାଟକ ପ୍ରଭାବରେ ଏଗୁଡ଼ିକ ଗୁଡ଼ାଏ ଦୁର୍ବୋଧ୍ୟ, ଅବୋଧ୍ୟ ତଥା ଅପେରା ଜଗତରେ ଅଶ୍ଳୀଳତାକୁ ଗ୍ରହଣ କରି ହୋଇଯାଇଛି କଳୁଷିତ ।
ଚଳଚ୍ଚିତ୍ର ଅବସ୍ଥା ତ କହିଲେ ନ ସରେ । ଗତ ଦଶନ୍ଧିରୁ ଓଡ଼ିଆ ପ୍ରାଣ ହଜିଯାଇଛି ଚଳଚ୍ଚିତ୍ର ଜଗତରୁ । ତେଲୁଗୁ, ତାମିଲ, ବଙ୍ଗଳା ଭାଷାରୁ ଗୀତ, ନାଚ, ସଂଳାପ, ଏପରିକି ବିଷୟବସ୍ତୁ ମାଗିଆଣି ଯେଉଁ ଓଡ଼ିଆ ଚଳଚ୍ଚିତ୍ର ସବୁ ନିର୍ମାଣ କରାଯାଉଛି, ତାହା ଆମ ଦର୍ଶକଙ୍କ ମନକୁ ଛୁଇଁ ପାରୁ ନ ଥିବାରୁ ବାଧ୍ୟ ହୋଇ ସେମାନେ ଏ ଦିଗରୁ ମୁହଁ ଫେରାଇ ନେଉଛନ୍ତି । ଯାହା ଫଳରେ ଓଡ଼ିଶାର ବହୁ ପ୍ରେକ୍ଷାଗୃହ ବନ୍ଦ ହୋଇସାରିଥିବା ବେଳେ, ନୂଆ ଓଡ଼ଆ ଚଳଚ୍ଚିତ୍ର କେବଳ ଉପକୂଳ ଅଞ୍ଚଳର ହାତଗଣତି କେତେକ ପ୍ରେକ୍ଷାଳୟରେ ଅଳ୍ପ କେତୋଟି ଦିନପାଇଁ ଚାଲୁଛି ।
ଆଜି ଆମର ଜମି, ଜଳ, ଜଙ୍ଗଲ, ଭାଷା, ସାହିତ୍ୟ, ସଂସ୍କୃତି ଓ ସର୍ବୋପରି ଜୀବନ- ସବୁକଛି ଅନ୍ୟମାନଙ୍କ ଇଙ୍ଗିତରେ ପରିଚାଳିତ । ଆମେ କେବଳ ଚାବିଦିଆ କଣ୍ଢେଇ ଭଳି ଅଣଓଡ଼ିଆଙ୍କ ନିର୍ଦ୍ଦେଶରେ ଝାଳବୁହା ପରିଶ୍ରମ କରି ସେମାନଙ୍କୁ ଧନୀ କରୁଛୁ । ସେମାନଙ୍କୁ ସୁଖ ସ୍ୱାଚ୍ଛନ୍ଦ୍ୟରେ ରଖୁଛୁ । ଅଥଚ ନିଜେ ଆମେ ଭୋକିଲା ରହିଛୁ । ରୋଗପାଇଁ ଔଷଧ ଟିକେ ପାଉନାହୁଁ । ପେଟ ପୂରଣପାଇଁ ଆମେ ଭିକ ମାଗୁଛୁ, ନ ହେଲେ ବେଶ୍ୟା ପାଲଟୁଛୁ । ଏଭଳି ଅନ୍ୟାୟ ବିରୁଦ୍ଧରେ ପ୍ରତିବାଦ କରିବାର ସାମାନ୍ୟ ମାତ୍ର ଉଦ୍ୟମ କରୁନାହୁଁ । ଅନ୍ୟର ଅପମାନକୁ, ଅତ୍ୟାଚାରକୁ ଅନିଚ୍ଛା ସତ୍ତ୍ୱେ ଗ୍ରହଣ କରିନେଉଛୁ । ପେଟ ପୋଷିବା ବାହାନାରେ ଆମେ କେବଳ ଆମ ବ୍ୟକ୍ତିତ୍ୱକୁ ହତ୍ୟା କରିବାରେ ଲାଗି ପଡିଛୁ ।
ଏଥର ଫେରିବା ସେନେଗାଲ ଚଳଚ୍ଚିତ୍ର ‘ଗେଲ୍ୱାର’ ନିକଟକୁ । ସେନେଗାଲକୁ ଖାଦ୍ୟ ସହାୟତା ଯୋଗାଇ ଦେଉଥିବା ପାଶ୍ଚାତ୍ୟ ରାଷ୍ଟ୍ରକୁ ଧନ୍ୟବାଦ ଦେବା ଉଦ୍ଦେଶ୍ୟରେ ସରକାରଙ୍କଦ୍ୱାରା ଆୟୋଜିତ ଉତ୍ସବକୁ ଗେଲ୍ୱାର ଭଣ୍ଡୁର କରିଦେଇଛି । ଫଳରେ ସରକାର କୌଶଳ କରି ଏହି ବିଦ୍ରୋହୀ ବ୍ୟକ୍ତିକୁ ହତ୍ୟା କରିଦେଇଛନ୍ତି । ଦାରିଦ୍ର୍ୟରେ ଜର୍ଜରିତ ଗେଲ୍ୱାର ପରିବାର ଖାଦ୍ୟପାଇଁ ସମାଜ ସହ ସଂଗ୍ରାମ କରିଛନ୍ତି । ଗେଲ୍ୱାରର ପୁଅ ଦାଦନଶ୍ରମିକ ପାଲଟିଛି । ଆର୍ଥିକ ଅଭାବର ସୁଯୋଗ ନେଇ ଗେଲ୍ୱାରର ଝିଅକୁ ତଥାକଥିତ ପୁରୁଷ ସମାଜ ବାରମ୍ବାର ଧର୍ଷଣ କରିବାପରେ ସେ ପାଲଟି ଯାଇଛି ବେଶ୍ୟା । ମାତ୍ର ଉଭୟ ପୁତ୍ର ଓ କନ୍ୟା ନିଜର ପିତାର ଗୌରବକୁ ତଳେ ପକାଇ ଦେଇନାହାନ୍ତି ।
ଚଳଚ୍ଚିତ୍ରର ଶେଷ ଦୃଶ୍ୟ: ବର୍ଷା ଆସିଛି, ଗେଲ୍ୱାର ପରିବାରର ପିଲାଟିଏ ଆଗକୁ ଦୌଡ଼ି ଯାଉଛି, ସେ କହୁଛି- ‘ଯେଉଁ ପରିବାର ଭିକ ମାଗେ, ସେ ପରିବାରର ମୁଖ୍ୟ ହେବାକୁ ମୁଁ ଚାହେଁନା ।’ ଏହି ସମୟରେ ତା’ର ଭଉଣୀ କହିଛି-‘ମୋ ପରିବାରର ପେଟ ପୋଷିବାକୁ ମୁଁ ବେଶ୍ୟା ହେବାକୁ ଚାହେଁନା ।’ ଆମେ କ’ଣ ଏହି ପିଲା ଦୁଇଟିର ଭାବନାରୁ କିଛି ଶିଖିପାରିବା ନାହିଁ ?