• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»‘ବୁଲି ବୁଲି ଖଦଡ଼ଲୁଗା ବିକୁ’
ଗଳ୍ପ

‘ବୁଲି ବୁଲି ଖଦଡ଼ଲୁଗା ବିକୁ’

ସୌମ୍ୟ ରଞ୍ଜନ ପଟ୍ଟନାୟକBy ସୌମ୍ୟ ରଞ୍ଜନ ପଟ୍ଟନାୟକFebruary 23, 2020No Comments6 Mins Read
Facebook Twitter Pinterest Reddit LinkedIn Tumblr Email
Share
Facebook Twitter Pinterest Reddit Email

ଆମ ବଂଶରେ ଏକୋଇଶିଆ ହୁଏ ନାହିଁ । ତେଣୁ ନାମକରଣ ଓ ଅନ୍ନପ୍ରାଶନ ଏକା ସାଙ୍ଗରେ ହୁଏ । ମୋର ନାଆଁଟି ମୋର ଜେଜେବାପା ଓ ଜେଜେମାଆ ବାଛିଥିବେ ବୋଲି ଅନୁମାନ କରେ । ମୋର ବଡ଼ବାପାମାନଙ୍କର ପୁଅମାନଙ୍କ ନାମ ଆଗରୁ ପ୍ରଭାକର, ନିରାକାର, ବଂଶୀଧର ହୋଇଥିଲା । ଶ୍ରଦ୍ଧାକର ନାମଟି ଖାଣ୍ଟି ସମ୍ୱଲପୁରିଆ ନାମ । ଯେପରି ଦିବ୍ୟସିଂହ ନାମଟି ଖାଣ୍ଟି ପୁରିଆ ନାଆଁ, ଦଣ୍ଡପାଣି ଖାଣ୍ଟି ଗଞ୍ଜାମୀ ଓ ଲଡ଼ୁକେଶ୍ୱର ନାମ ନୟାଗଡ଼ ନିବାସୀର; ସେହିପରି ସମ୍ୱଲପୁରିଆ ନାମଟି ଶ୍ରଦ୍ଧାକର ବୋଲି ଚିହ୍ନେଇ ଦିଏ । ଏପରି ନାମ ସମ୍ୱଲପୁର ଜିଲ୍ଲା ବାହାରେ ପ୍ରାୟ ଚଳେ ନାହିଁ । ପୂର୍ବକାଳରେ ନାମକରଣ, ଅନ୍ନପ୍ରାଶନ ଆଦି ସଂସ୍କାରମାନଙ୍କରେ ଯେଉଁ ମର୍ଯ୍ୟାଦା ବା ମୂଲ୍ୟ ଥିଲା, ଆଜିକାଲି ଆଉ ତାହା ନାହିଁ । ଶୁଭଲଗ୍ନ ଦେଖି ପିଲାଙ୍କୁ ନବବସ୍ତ୍ର ପିନ୍ଧାଇ ପୁରୋହିତଙ୍କର ମନ୍ତ୍ରପାଠ ସହ ବନ୍ଧୁବାନ୍ଧବମାନଙ୍କ ଉପସ୍ଥିତିରେ ଭାତ ଖୁଆ ଓ ନାଆଁ ଦିଆ ହେଉଥିଲା । ଏହା ପରେ ଦେବମନ୍ଦିରକୁ ଯାଇ ଶିଶୁକୁ ଦେବ ଦର୍ଶନ କରାଇବା ଓ ପରେ ବ୍ରାହ୍ମଣମାନଙ୍କୁ ଭୋଜନରେ ଆପ୍ୟାୟିତ କରାଇବା ସାଙ୍ଗକୁ ସଂଧ୍ୟା ସମୟରେ ସତ୍ୟନାରାୟଣ ପୂଜା ଅନ୍ନପ୍ରାଶନର ଅପରିହାର୍ଯ୍ୟ ଅଙ୍ଗ ଥିଲା ।

ପିଲା ମାନଙ୍କର ପେଟ ଗୋଳମାଳ ନ ହେବାପାଇଁ ଓ ସେମାନଙ୍କର ସାଧାରଣ ସ୍ୱାସ୍ଥ୍ୟର ଉନ୍ନତିପାଇଁ ଆଜିକାଲି ‘ଗ୍ରାଇପ୍‍ ମିକ୍‍ଶ୍ଚର’ ଆଦି ଔଷଧ ବ୍ୟବହୃତ ହେଉଛି । ମାତ୍ର ସେ ଯୁଗରେ ସେପରି ଔଷଧ ନଥିଲା । ପ୍ରତ୍ୟେକ ଶିଶୁର ବୟସ ବର୍ଷେ, ଦେଢ଼ ବର୍ଷ ହେବା ପର୍ଯ୍ୟନ୍ତ ତାକୁ ଅତି ଅଳ୍ପ ମାତ୍ରାରେ ଅଫିମ ଖାଇବାକୁ ଦିଆଯାଉଥିଲା । ସକାଳେ ଓ ସଂଧ୍ୟାରେ ପିଲାଙ୍କୁ ସେକି ଗାଧୋଇ ଦେଲା ପରେ ସେଇ ଅଫିମରୁ ସାମାନ୍ୟ ଟିକିଏ ଖୁଆଇ ଦେଲେ ପିଲାଏ ବେଶୀ କାନ୍ଦିବେ ନାହିଁ ଓ ସେମାନଙ୍କର ସାଧାରଣ ସ୍ୱାସ୍ଥ୍ୟ ଭଲ ରହିବ ବୋଲି ବିଶ୍ୱାସ କରାଯାଉଥିଲା । ତେଣୁ ମୁଁ ପିଲା ଦିନେ ବର୍ଷେ ଦେଢ଼ ବର୍ଷ ମଧ୍ୟରେ ପ୍ରାୟ ତୋଳାଏ ଅଫିମ ସେବନ କରିଥିବି ବୋଲି ଅନୁମାନ କରୁଛି । ଏହି ଅଫିମ ମୋର ପରବର୍ତ୍ତୀ ଜୀବନର ଆଳସ୍ୟପରାୟଣତାପାଇଁ କେତେଦୂର ଦାୟୀ, ତାହା ବିଚାର୍ଯ୍ୟ । ଅବଶ୍ୟ ଆଜିକାଲିର ଅଧିକାଂଶ ଔଷଧରେ ଆଲ୍‍କୋହଲ୍‍ କିଛି କିଛି ଥାଏ ଓ ତାହା ଆଳସ୍ୟପାଇଁ ଦାୟୀ ନୁହେଁ ବୋଲି କୁହାଯାଇପାରେ ।

ସେ ଯୁଗରେ ଛୋଟ ଛୋଟ ପିଲାଙ୍କୁ ଖୁଆଇବାପାଇଁ ଅଧିକାଂଶ ଘରେ ଅଫିମ ରଖାଯାଉଥିଲା ଓ ଏହା ଫଳରେ କେବେ କେବେ ଦୁର୍ଘଟଣା ଘଟିବାର ଦେଖା ଯାଉଥିଲା । ଯଦି ମାଆର ଅସାବଧାନତାଯୋଗୁଁ ଓ ଅନୁପସ୍ଥିତିରେ ଅଫିମ ଫରୁଆ ଛୋଟ ପିଲା ହାତରେ ପଡ଼ିଲା ଓ ସେ ତାହାକୁ ଫିଟାଇ ତହିଁରୁ କିଛି ଖାଇଦେଲା, ତାହାହେଲେ ତାହାର ଜୀବନ ନାଶ ହେବାର ଭୟ । ଏହିପରି ଗୋଟିଏ ଦୁଇଟି ଦୁର୍ଘଟଣା ଘଟିିବାର ମୋର ମନେପଡ଼ୁଛି । ସେ ଯୁଗରେ ବୟସ୍କ ଅଫିମଖୋରଙ୍କ ସଂଖ୍ୟା ସମାଜରେ ଅଧିକ ଥିଲା । ଜଣେ ଅଫିମଖୋର ବୁଢ଼ାକୁ ସାପ କାମୁଡ଼ି ଦେବାରୁ ସାପଟି ମରିଗଲା ଅଥଚ ଲୋକଟିର କୌଣସି କ୍ଷତି ହେଲାନାହିଁ ବୋଲି ମଧ୍ୟ ଶୁଣାଗଲା ।

ସେ ଯୁଗରେ ଛୋଟ ବୟସରୁ ପୁଅମାନଙ୍କୁ ମଧ୍ୟ ଅନେକ ଅଳଙ୍କାର ପିନ୍ଧିବାକୁ ହେଉଥିଲା । ମୁଁ ଶୈଶବକାଳରେ ହାତରେ ରୂପାର ବଳା ଯୋଡ଼ିଏ ପିନ୍ଧୁଥିଲି, ଅଣ୍ଟାରେ ରୂପାର ଅଣ୍ଟାସୂତା ବା ଘୁନସ ପିନ୍ଧୁଥିଲି । ସେହି ଅଣ୍ଟାସୂତାଯୋଗୁଁ ବୋଧହୁଏ ମୋର ଅଣ୍ଟାରେ ଘାଆ ହୋଇଥିଲା ଓ ତହିଁର ଚିହ୍ନ ଆଜି ପର୍ଯ୍ୟନ୍ତ ରହିଛି ।

ମୁଁ ମାଆ ବାପାଙ୍କର ଦ୍ୱିତୀୟ ସନ୍ତାନ ଓ ଏକମାତ୍ର ପୁତ୍ର । ଶୈଶବରେ ମାଆଙ୍କର ସ୍ନେହ କେବଳ କଳ୍ପନାର ବିଷୟ ହୋଇପାରେ । ମାଆ ଅତି ସ୍ନେହମୟୀ ପ୍ରକୃତିର ଥିଲେ । ସେ କେବେ ମୋତେ ତିରସ୍କାର କରି ନାହାନ୍ତି । ମୋର ଦଶ ବର୍ଷ ବୟସରେ ମାଆଙ୍କର କାଳ ହେଲା । ଏଗାର ବର୍ଷରେ ପାଞ୍ଚଟି ସନ୍ତାନ ପ୍ରସବ କରି ବୋଧହୁଏ ତାଙ୍କର ସ୍ୱାସ୍ଥ୍ୟ ଭାଙ୍ଗିପଡ଼ିଲା । ସେଥିପାଇଁ ୧୯୨୪ ମସିହାରୁ ସେ ରୋଗଶଯ୍ୟାରେ ପଡ଼ିଲେ ଓ ୧୯୨୫ ମସିହା ବୈଶାଖ ମାସ ଦ୍ୱିତୀୟା ଦିନ ତାଙ୍କର ମୃତ୍ୟୁ ହେଲା । ମାଆ ଓଷା ବ୍ରତ କରୁଥିଲେ । ମାର୍ଗଶିର ଗୁରବାର ଦିନ ଏକ ଓଳି ଓପାସ କରୁଥିଲେ । ସେ ଅବସର ସମୟରେ ପୁରାଣମାନ ଗାଆନ୍ତି । ସେ ‘ଚିତ୍ତବୋଧ’ ଓ ‘ହରିବଂଶ’ ଆଦି ଗ୍ରନ୍ଥମାନ ଓ ମାର୍ଗଶିର ମାସରେ ‘ଲକ୍ଷ୍ମୀପୁରାଣ’ ଗାଉଥିଲେ- ଏ ସବୁ ମୋର ଏବେ ସୁଦ୍ଧା ମନେଅଛି ।

ସେ ସମୟରେ ଘରେ ଘରେ ଚରଖା ଚଳାଇବାପାଇଁ ଆନ୍ଦୋଳନ ହେଉଥାଏ । ସମ୍ୱଲପୁର ଜିଲ୍ଲାରେ ପୂର୍ବରୁ ଚାଲି ଆସୁଥିବା ପୁରୁଣାକାଳିଆ କାଠ ରହଁଟା ଅନେକ ବିକ୍ରି ହେଉଥାଏ । ବାପା କିନ୍ତୁ ସାଇକେଲ୍‍ ରିମ୍‍, ଲୁହା ତାକୁଡ଼ି ଓ କାଠ ସାହାଯ୍ୟରେ ଗୋଟିଏ ବଡ଼ ଚରଖା ତିଆରି କରିିଥିଲେ ଓ ମୁଁ ସେହି ଚରଖାରେ ସୂତା କାଟିବାର ଅଭ୍ୟାସ କଲି । ଜାତୀୟ ବିଦ୍ୟାଳୟରେ ସୂତାକଟା ଓ ଲୁଗାବୁଣା ଶିଖାଯାଉଥାଏ । ସେ ବିଷୟରେ ଗଣେଶ ପ୍ରସାଦ ପାଢ଼ୀ (ଯେ କି ତହିଁ ପୂର୍ବରୁ ଓଭରସିଓର ଥିଲେ ଓ ଇସ୍ତଫା ଦେଇ ଜାତୀୟ ବିଦ୍ୟାଳୟରେ ଯୋଗ ଦେଲେ) ଉତ୍ସାହର ସହିତ ତହିଁର ସଂଗଠନ କରି ଥିଲେ । ଧନ୍ଦାମୂଳକ ଶିକ୍ଷାଦାନ ଜାତୀୟ ବିଦ୍ୟାଳୟର ଏକ ମୁଖ୍ୟ ଉଦ୍ଦେଶ୍ୟ ଥିଲା ।

ଜାତୀୟ ବିଦ୍ୟାଳୟର ଛାତ୍ରମାନେ ରବିବାର ଓ ଛୁଟିଦିନମାନଙ୍କରେ ସହରର ବିଭିନ୍ନ ରାସ୍ତାରେ ଓ ଗଳିମାନଙ୍କରେ ବୁଲି ଖଦଡ଼ କପଡ଼ା ବିକ୍ରି କରିବାକୁ ବାହାରନ୍ତି । ମୁଁ ମଧ୍ୟ ଆମ ଘର ଛାତ୍ରମାନଙ୍କ ସହିତ ଲୁଗା ବିକ୍ରି କରିବାକୁ ବାହାରେ । କାନ୍ଧରେ ଥାନେ, ଦୁଇଥାନ ଖଦି ଲୁଗା ଧରି ସେମାନଙ୍କ ସଂଗେ ବୁଲାବିକାଳିଙ୍କ ପରି ‘ସ୍ୱଦେଶୀ କପଡ଼ା’ ବୋଲି ଡାକି ଡାକି ଯାଏ । ଆମର ଲୁଗା ବିକ୍ରି ହୁଏ । ମୋର ମନେଅଛି, ଥରେ ଲୁଗା ବିକିବାପାଇଁ ସହରର ଚାରିଆଡେ଼ ବୁଲି ବୁଲି ଭୁଲିଆ ପଡ଼ାରେ ଲିଙ୍ଗରାଜ ମେହେରଙ୍କ ଦୋକାନ ପାଖରେ ପହଞ୍ଚିଲୁ । ଲିଙ୍ଗରାଜବାବୁ ମୋର ବାପାଙ୍କର ବନ୍ଧୁ । ସେ ମୋର ପରିଚୟ ପାଇ ପଚାରିଲେ ‘ଗଜକ କେତେ ଗିରା ?’ ତୁମେ କପଡ଼ା ଗିରାକୁ କେତେ ଦରରେ ଦେବ ? ମୁଁ ସେତେବେଳକୁ ନିମ୍ନ ପ୍ରାଥମିକ ଶ୍ରେଣୀର ଛାତ୍ର, ସ୍କୁଲ୍‍ରେ ପଢ଼ା ହେଉଥିବା ଗଜ, ଫୁଟ, ଇଞ୍ଚ ହିସାବରେ ମୁଁ ଓସ୍ତାଦ୍‍ । କିନ୍ତୁ ଏ ଲୁଗା ମାପ ଗଜ ବିଷୟରେ ମୋର ବିଲ୍‍କୁଲ୍‍ ଧାରଣା ନିଥିବାରୁ ମୁଁ ତାଙ୍କର ପ୍ରଶ୍ନର ଉତ୍ତର ଦେଇ ପାରିଲି ନାହିଁ । ଏହି କଥାଟି ମୋର ସ୍ପଷ୍ଟ ମନେଅଛି । ମୁଁ ଯେତେ ସୂତା କାଟିିଥିଲି, ତାହାକୁ ନେଇ ଗୋଟିଏ ଆଠ ନଅ ହାତ ସମ୍ୱଲପୁର ଶାଢ଼ି ବୁଣା ହୋଇଥିଲା, ମୋର ଛାତ୍ରାବସ୍ଥାରେ ।

ମାଆଙ୍କର ଜୀବନଦୀପ ଧୀରେ ଧୀରେ ଲିଭି ଆସୁଥିଲା । ସେ ରାତିର ଜାଗ୍ରତ ସମୟରେ ମୁଁ ପ୍ରାର୍ଥନା କରି ଚାଲିଥାଏ । ତହିଁ ଆରଦିନ ସକାଳ ନଅଟାରେ ମାଆଙ୍କର ପରଲୋକ ହେଲା । ସେତେବେଳେ ତାଙ୍କର ବୟସ ଥିଲା ମାତ୍ର ୩୦ବର୍ଷ ।

ସେ ଦିନରୁ ଅର୍ଦ୍ଧ ଶତାବ୍ଦୀରୁୁ ଅଧିକ ବର୍ଷ ବିତି ଯାଇଛି । ମାତୃ ସ୍ନେହର ସ୍ମୃତିଚିହ୍ନ କ୍ଷୀଣ ହୋଇ ଆସିଛି । କିନ୍ତୁ ସେହି ସ୍ନେହର ଅଭାବ ମନରେ ଚିରସ୍ଥାୟୀ ଛାପ ଆଙ୍କି ଯାଇଛି । ପାଖପଡ଼ିଶା ପିଲାମାନେ ଯେତେବେଳେ ନିଜ ନିଜ ମାଆମାନଙ୍କଠାରୁ ଆଦର ଯତ୍ନ ପାଉଥିଲେ, ତାହା ଦେଖି ମନେ ହୋଇଛି- ମୁଁ କେତେ ଗରିବ ! ମାଆ ବଞ୍ଚିିବା ବେଳେ ମୁଁ ସ୍କୁଲ୍‍ରୁ ଫେରିବା ବେଳକୁ ତାଙ୍କର ପ୍ରତୀକ୍ଷା, ତାଙ୍କର କୋଳରେ ମୁଣ୍ଡଦେଇ କାନ୍ଦିବାର, ହସିବାର, କଥା କହିବାର ସ୍ମତିକୁ ଦରିଦ୍ରର ସମ୍ୱଳ ପରି ସାଇତି ରଖିଛି ମନର ଗମ୍ଭୀରାରେ । ଅଭାବକୁ ସ୍ୱୀକାର କରିବାକୁ କୁଣ୍ଠାବୋଧ କରି ବହୁବାର ଶିଶୁ ସୁଲଭ କଳ୍ପନା କରିଛି, ଯଦି କେଉଁ ଋଷି, ମୁନି ବା ଭଗବାନ ମାଆଙ୍କର ଶ୍ମଶାନ ଭସ୍ମକୁ ନେଇ ମନ୍ତ୍ରବଳରେ ଜୀବନ୍ୟାସ କରନ୍ତେ, ମାଆଛେଉଣ୍ଡ ପିଲା ସହଜରେ ମୃତ୍ୟୁକୁ ସ୍ୱୀକାର କରନ୍ତା ନାହିଁ ।

ମୁଁ ଦଶ ବର୍ଷର ପିଲା ଥିବାରୁ ମୁଖାଗ୍ନି ଦେବାପାଇଁ ଶ୍ମଶାନକୁ ଯାଇନାହିଁ । କିନ୍ତୁ ଶୁଦ୍ଧ ଶ୍ରାଦ୍ଧ ମୋଦ୍ୱାରା କରାଇବାପାଇଁ ସମାଜର ଗୁରୁଜନମାନେ ପରାମର୍ଶ ଦେଲେ । ମୁଁ ସେହି ଦାୟିତ୍ୱ ତୁଲାଇବାକୁ ରାଜି ହେଲି । ଦଶ ଦିନ ପର୍ଯ୍ୟନ୍ତ ତଳେ ଶୋଇବା, ଦିନକୁ ବେଳାଏଁ ଲେଖାଏଁ ପଖାଳ ଖାଇବା, ପ୍ରତିଦିନ ନଦୀ ଘାଟରେ ପିଣ୍ଡ ଦେବା ଆଦି କାର୍ଯ୍ୟ ମୋ ପକ୍ଷରେ କଷ୍ଟକର ହେଲେ ମଧ୍ୟ ଅସାଧ୍ୟ ନଥିଲା । ଅନ୍ଧାର ଓ ପ୍ରେତଭୟ ଦୂର କରିବାପାଇଁ ଯେତେଦୂର ସମ୍ଭବ ଅଧିକ ଗାୟତ୍ରୀ ମନ୍ତ୍ର ଜପ କରିବାକୁ ବାପାଙ୍କର କାକା ଅନନ୍ତରାମ ସୁଆର ମୋତେ ପରାମର୍ଶ ଦେଲେ ଓ ମୁଁ ସେହି ପରାମର୍ଶ ଯଥାସାଧ୍ୟ ପାଳନ କଲି । ପୁଷ୍କରଦୋଷ ଖଣ୍ଡନପାଇଁ ଏକାଦଶାହ ରାତିରେ ହୋମ କରିବା ଓ ଅଧ ରାତିରେ ନଦୀଘାଟରେ ପିଣ୍ଡ ଦେବା କଥା ଆଜି ଯାଏ ମନେଅଛି । ଦ୍ୱାଦଶ ଦିନ ଶ୍ରାଦ୍ଧ ଶେଷ ହେବା ପର୍ଯ୍ୟନ୍ତ ଏହି କାର୍ଯ୍ୟବ୍ୟସ୍ତତା ଶୋକର ତୀବ୍ରତାକୁ ଆଂଶିକ ଭାବରେ ଉପଶମ କରିବାରେ ସାହାଯ୍ୟ କରେ । ଏଥିପାଇଁ ମୋ ପରି ଅଳ୍ପବୟସ୍କ ପିଲାଦ୍ୱାରା ଶୁଦ୍ଧ ଶ୍ରାଦ୍ଧକ୍ରିୟା କରାଇବା ଯଥାଯଥ ହୋଇଥିଲା ।

ଆମ ପଡ଼ାରେ ରହୁଥିବା ଗୋକୁଳ ଚନ୍ଦ୍ର ପୂଜାରୀଙ୍କ ଝିଅ ମନୋରମାଙ୍କ ସହିତ ମୋର ବିବାହ ସଂପର୍କ ପକ୍‍କା ହୋଇଗଲା । ସେତେବେଳେ ମୋର ବୟସ ଆଠ ବା ନଅ ବର୍ଷ । ମୋର ଭବିଷ୍ୟତ ପତ୍ନୀଙ୍କର ବୟସ ତିନି ବର୍ଷ । ଆମ ଶାସ୍ତ୍ରକାରମାନେ ଯେଉଁଦିନ ଲେଖିଦେଲେ ‘ନଗ୍ନିକାମୁଦ୍‍ବହେତ୍‍ ସ୍ତ୍ରିୟମ୍‍’ ‘ଅଷ୍ଟବର୍ଷାତ୍‍ ଭବେତ୍‍ ଗୌରୀ’ ଆଦି ସେ ସମୟରୁ ହୁଏତ ବିବାହିତା ସ୍ତ୍ରୀର ସତୀତ୍ୱ ସଂରକ୍ଷିିତ ହେବା ଉଦ୍ଦେଶ୍ୟରେ ଏ ବିଧାନ କରାଯାଇଥିଲା । ମାତ୍ର ଜାତିର ପୌରୁଷ ଉପରେ ଏହାର ପ୍ରଭାବ ବିଷୟରେ ଶାସ୍ତ୍ରକାରମାନେ ହୁଏତ ଯଥେଷ୍ଟ ଚିନ୍ତା କରି ନଥିଲେ ।

ବିବାହ ପ୍ରସ୍ତାବ ଦିନଠାରୁ ରାସ୍ତାରେ ଶିଶୁ କନିଆଁ ସାଙ୍ଗରେ କେଉଁଠି ଦେଖାହେଲେ ମୋର ମୁହଁ ବୋଧହୁଏ ଲାଜରେ ଲାଲ୍‍ ହୋଇ ଯାଉଥିଲା ଓ ସେ ମୋତେ ବର ବୋଲି ମୋଠାରୁ ଲୁଚିବାକୁ ଶିଖୁଥିଲା ତିନି ଚାରି ବର୍ଷ ବୟସରେ । ସେ ଯୁଗର ପିଲା ବର କନିଆଙ୍କର ସଂପର୍କ ଓ ପରସ୍ପର ପ୍ରତି ଲାଜ ଓ ସଙ୍କୋଚ ଥିଲା ଅତି ଗୁରୁତର କଥା । ଆଜି ଏତେ ବର୍ଷ ପରେ ଏପରି ଘଟନା ଅତି ହାସ୍ୟାସ୍ପଦ ମନେ ହେଉଛି, କିନ୍ତୁ ସେ ଯୁଗରେ ତାହା ଥିଲା ସ୍ୱାଭାବିକ ।

ଓଡ଼ିଶାର ଶିକ୍ଷା, ସଂସ୍କୃତି ଓ ରାଜନୀତି କ୍ଷେତ୍ରର ସୁଖ୍ୟାତ ବ୍ୟକ୍ତିତ୍ୱ ଡକ୍ଟର ଶ୍ରଦ୍ଧାକର ସୂପକାରଙ୍କ ଆତ୍ମଜୀବନୀ ‘ମଧ୍ୟମ ପୁରୁଷ’ରୁ ଉଦ୍ଧୃତ ।

Odia Story Soumya Ranjan Patnaik Books Soumya Ranjan Patnaik Odia Story
Share. Facebook Twitter Pinterest LinkedIn Tumblr Reddit Email
Previous Article‘ଶୀତଦିନେ ହେଁସ ଘୋଡ଼ିହେଉ’
Next Article ଆପଣ ଭାତ ଖାଆନ୍ତି ନା ସୁନା ?
ସୌମ୍ୟ ରଞ୍ଜନ ପଟ୍ଟନାୟକ

Related Posts

ମା’ର ଋଣ

March 28, 2023

କୁଶଳଙ୍କ କୌଶଳ

March 27, 2023

ବୀର ହନୁମାନ

March 26, 2023

ବନ୍ଧୁମିଳନ

March 25, 2023

ବୀଣାର ବିବାହ

March 24, 2023

ପଦବୀର ବଳ

March 23, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.