ଆସାମ ରାଜ୍ୟ ନିକଟେଇ ଆସିଲା । ଗୁଆଗଛମାନ ଦେଖି ଗୁଆହାଟୀ କଥା ମନେପଡ଼ିଲା । ଗୁଆର ହାଟରୁ ଗୁହାଟି ନାମକରଣ ହୋଇଛି । ଗୋଟିଏ ଗାଁ ପାଖ ଛୋଟ ଷ୍ଟେସନରେ ଗାଡ଼ି ବହୁତ ସମୟ ପକେଇରଖିଲା । ପାଣିଟୋପେ ବି ନାହିଁ । ଟ୍ୟୁବ୍ୱେଲ୍ରୁ ପାଣି ବାହାରୁ ନାହିଁ । ଗାଁ ଲୋକେ ଏହାକୁ ଏକ ସୁଯୋଗ ବୋଲି ଭାବିନେଲେ । ବାଡ଼ିର ଦରପାଚିଲା ପଣସ, ପିଜୁଳି, ସପୂରୀ, କଦଳୀ ଆଦି ନେଇ ଆସିଲେ । ସନ୍ଧ୍ୟା ବେଶୀ ଦୂର ନାହିଁ । ତେଣୁ ଯାତ୍ରୀମାନେ ଯେ ଯାହା ପାଇଲେ କିଣି ଖାଇଲେ ।
ସେଇ ଡବାରେ ୮/୧୦ ଜଣ ଅଧ୍ୟାପକ ଯାଉଥିଲେ । ସେମାନେ ଓଡ଼ିଶାରୁ ଯାଇ ଆସାମରେ ବିଭିନ୍ନ କଲେଜରେ ଅଧ୍ୟାପନା କରୁଛନ୍ତି । ବାରିପଦାର ଜଣେ ଇଂରେଜୀ ଅଧ୍ୟାପକ ଶ୍ରୀ ସୁମନ ପାଣିଗ୍ରାହୀଙ୍କ ସହିତ କଥା ହେଲି । ସେ ପଟ୍ଟାମୁଣ୍ଡାଇ କଲେଜରେ ବର୍ଷେ ଦେଢ଼ବର୍ଷ ଅଧ୍ୟାପକ ଥିଲେ । ମାତ୍ର ଦରମା କମ୍ ମିଳିବାରୁ ସେଠାରୁ ଚାଲିଗଲେ । ଗୌହାଟୀ ପୂର୍ବରୁ ସେ ଓହ୍ଲାଇବେ । ମୋତେ ସେ ପରାମର୍ଶ ଦେଲେ– ଗୌହାଟୀ ଷ୍ଟେସନରୁ ଓହ୍ଲାଇ ଆପଣ ପାନ ବଜାରକୁ ଯିବେ । ସେଠାରୁ ରିକ୍ସାଟିଏ କରି ହାଇକୋର୍ଟ ପାଖକୁ ଯିବେ । ଅଟୋରେ ଗଲେ ୫୦ ଟଙ୍କା ନେବ । ମାତ୍ର ଏ ପ୍ରକାର ଗଲେ ଆପଣଙ୍କର ୪/ ୫ ଟଙ୍କା ଖର୍ଚ୍ଚ ହେବ ।
ସେଠାରେ ଗାଡ଼ି ଏତେ ସମୟ ପଡ଼ି ରହିବାର କାରଣ ବୁଝାଇ ସୁମନବାବୁ କହିଲେ – ଆସାମ ଗଣ୍ଡଗୋଳ ଯୋଗୁ ଆଜିକାଲି ରାତିରେ ଟ୍ରେନ ଚାଲୁ ନାହିଁ । ବିଶେଷ କରି ବୋଡ଼ୋ ଅଞ୍ଚଳ ପଡ଼ିବ ଗୌହାଟୀ ପୂର୍ବରୁ । ସେଥିପାଇଁ ସନ୍ଧ୍ୟାରେ କୁଚବିହାର ଷ୍ଟେସନରେ ଗାଡ଼ି ଅଟକିବ । ଭୋରରୁ ପୁଣି ଗାଡ଼ି ଚାଲିବ । ଗୋଟିଏ ସ୍ଥାନରେ ଦେଖିଲି ମସ୍ତବଡ଼ ଆମ୍ବ ତୋଟା ପରି ଏକ ଜଙ୍ଗଲ । ଉପରକୁ ମୁଣ୍ଡ ଟେକି ରହିଛି ବଡ଼ ବଡ଼ ଗଛ । ତଳେ ତା‘ର ସବୁ ଘଞ୍ଚ ବୁଦୁ ବୁଦିକିଆ ଗଛ । ସେଇ ସବୁ ଗଛ କେହି ଲଗାଇଲା ପରି ଲାଗିଲା । ପଚାରିବାରୁ ସାହୁବାବୁ କହିଲେ – ଏହା ଚା’ ବଗିଚା । ବଡ଼ ବଡ଼ ଗଛ ତଳେ ବୁଦୁ ବୁଦିକିଆ ଜଙ୍ଗଲ ପରି ଦିଶୁଛି । ତାକୁ ଛାଇ ଦେବାକୁ ଉପରେ ଏଇ ଡେଙ୍ଗା ଡେଙ୍ଗା ଗଛ । ମୁଁ ଏବେ ବୁଝିଲି, ପିଲାଦିନେ ଚା’ ଚାଷ ବିଷୟରେ ପଢ଼ିଥିବା ପାଠ ମନେ ପଡ଼ିଲା ।
ସତକୁ ସତ କୁଚବିହାର ଷ୍ଟେସନରେ ଗାଡ଼ି ଅଟକି ରହିଥିଲା । ଷ୍ଟେସନରେ ଖାଦ୍ୟର ଉତ୍କଟ ଅଭାବ । ବାସି ଶୁଖିଲା ଖାଦ୍ୟ ମିଳିଲା, ସେଥିରୁ ଖାଇ ପେଟକୁ ଥୟ କରାଗଲା । ଯାତ୍ରୀମାନେ ରାତିଟି ସେଠାରେ ଗାଡିର ବଗି ମଧ୍ୟରେ କଟାଇଲେ । ପୋଲିସ ଫୋର୍ସ ଆଦି ଅବଶ୍ୟ ଏପଟ ସେପଟ ହେଉଥା‘ନ୍ତି ।