• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»କାବ୍ୟ ଓ କବିତା»ପ୍ରସିଦ୍ଧ କବିତା»ବିତଳକୁ ଆଲିଙ୍ଗନ କରି ଜାହ୍ନବୀ ଶୋଭନ
ପ୍ରସିଦ୍ଧ କବିତା

ବିତଳକୁ ଆଲିଙ୍ଗନ କରି ଜାହ୍ନବୀ ଶୋଭନ

ଉପେନ୍ଦ୍ର ଭଞ୍ଜBy ଉପେନ୍ଦ୍ର ଭଞ୍ଜFebruary 22, 2020No Comments7 Mins Read
Facebook Twitter Pinterest Reddit LinkedIn Tumblr Email
Share
Facebook Twitter Pinterest Reddit Email

ନବମ ଛାନ୍ଦ:

(ରାଗ-ଚୋଖି)
ବିତଳକୁ ଆଲିଙ୍ଗନ କରି ଜାହ୍ନବୀ ଶୋଭନ, ହରେ ସୁରବର ତାପ ଚାରୁ ଧାରା ସେ।
ବହେ ମକର କେତନ ଉଚ୍ଛନ୍ନ ରତି ସମାନ, ପୂରିତ ହୋଇଛି ପୁଣି ଅଶେଷ ରସେ।
ବିଦ୍ୟ ହୈମବତୀ ପଦରେ,
ବିଷକଣ୍ଠ ତୋଷ ଦାନୀ ବେନି ମତରେ।୧।
ବିଷ୍ଣୁପଦୀ ବିଷ୍ଣୁପଦ ଈ କାର ଭେଦ ଶବଦ, ତରଣି(ଣୀ)ରେ ଗତାଗତ ତହୁଁ ଉଚିତ।
ବିଶାରଦ ସେ ସାମନ୍ତ ମତରେ ଦାସ ସେବିତ, ଡାକୁ ନ ଶୁଣନ୍ତେ ରଘୁନାଥ କଥିତ।
ବିଷଧର ପ୍ରାୟେକ ତୁହି,
ବେଳେ ନେତ୍ର ଢାଳି ଶୁଣ ଉଦାର ନୋହି।୨।
ବଧୀର ନୁହଇ ବୀର ବୋଇଲା ତହୁଁ ଧୀବର, ଶୁଣିଲିଣି ପଥରେ ପଥର ଅବଳା।
ବାଲି ପଡ଼ି ତୋ ଚରଣୁ ଆଶଙ୍କା ଉପୁଜେ ଏଣୁ, ନଉକା ନାୟିକା ହେଲେ ବୁଡ଼ିବ ଭେଳା।
ବୃତ୍ତିଏ ମୋ ପୋଷେ କୁଟୁମ୍ବ,
ବସାଇ ନ ଦେବି ପାଦ ନ ଧୋଇ ନାବ।୩।
ବଢ଼ାଇ ଦେଲେ ପୟର, ଭାବଗ୍ରାହୀ ରଘୁବୀର, ପୟରେ କ୍ଷାଳିତ କରି ବସନେ ପୋଛି।
ବ୍ରହ୍ମାରେ ଧୌତ ଯେ ପାଦ ନୋହିଛି ଶିବ ବିଷାଦ ନ ପାଇ ଚରଣାମୃତ ପାନକୁ ଇଛି।
ବିଜ୍ଞାନୀ କୈବର୍ତ୍ତ ଧୋଇଲା,
ବିଶ୍ବେ ପତିତପାବନ ନାମ ରହିଲା।୪।
ବିଞ୍ଚି ପଲ୍ଲବ ନାବରେ ପଦ ବିକଳ୍ପ ମନରେ ପ୍ରତିହାରି କରିରେ ମଣାଇ ବସାଇ।
ବିଶ୍ବାମିତ୍ରଙ୍କୁ ଶ୍ରୀରାମ ପଚାରିଲେ ଗଙ୍ଗାନାମ ଭାଗିରଥୀ କିମ୍ପା ହେଲା କହ ଗୋସାଇଁ।
ବିଷ୍ଣୁ ନଖ କୋଣେ ଏ ଥିଲା,
ବାମନାବତାରେ ଭଗିରଥ ଆଣିଲା।୫।
ବିଧିପୂର୍ବ କରି ଋଷି ସମସ୍ତ ଚରିତ ଭାଷି ତରୀ ତ ତ୍ୱରିତ ଯାଇ ଲାଗେ କୂଳରେ।
ବିହାରି ହେଲେ ମାର୍ଗର ମାର୍ଗଣ କମାଣଧର ମାର୍ଗଣ ଶୋଭା ଲେଶକୁ କନ୍ଦର୍ପ ଯାର।
ବିଦେହମଣ୍ଡଳେ ପ୍ରବେଶ।
ବାରବେନି ପୁର ସାର ମୋହନ ପୁଂସ।୬।
ବିପଣିରେ ଥିଲ ଜନେ ଭାବନା କଲେ ଦଶନେ ଆଗତ କି ଧାତା ହର ମଧ୍ୟରେ ହରି।
ବିଭଞ୍ଜନ ଶିବଧନୁ କରି ମରକତ ତନୁ ବିଭା ହେବେ ସୀତା ନିଶ୍ଚେଁ ଜନ୍ମିଛି ଶିରୀ।
ବଶ ଏ ରମ୍ୟରେ ମାନସ।
ବିଜେ ରାସ ଅଦଭୁତେ ଶୁଭେ ଏ ଘୋଷ।୭।
ବିଭ୍ରମୁ ଏ ଶବ୍ଦ ଚିତ୍ତେ ରା କା ହୋଇଗଲା ଶ୍ରୁତେ ନାରୀଏ ଭାଳିଲେ କେହି ସେ ରୂପବନ୍ତ।
ବଳର କବି ମାନସ ନାମ ପଛେ ତ ପ୍ରକାଶ ଅଖଣ୍ଡଚନ୍ଦ୍ର ଏ ହୋଇବାର ଉଚିତ।
ବୋଧିବେ ନୟନ ଚକୋରୀ।
ବିଶେଷେ ଶୋଭା ପୀୟୂଷ ପାନ ବିସ୍ତାରି।୮।
ବିଷୟ କରି ଅନ୍ତର ସେ ପ୍ରାନ୍ତ ହତ ପ୍ରକାର ମଣି ରମଣୀ ବାହାର ଛନ୍ନ ଦ୍ୱିଗୁଣ।
ବିନାଶି ଗୁରୁ ଗୌରବ ତାହାଙ୍କରି ସେହି ଭାବ ଉଦିତରୁ କରି ନ ପାରିଲେ ବାରଣ।
ବେଶେ ଥିଲେ ଯେତେକ ନାରୀ।
ବିହେ କେ ନେତ୍ରେ କଜ୍ଜ୍ୱଳ ଛଳେ କସ୍ତୁରୀ।୯।
ବକ୍ଷସ୍ଥଳେ କେଉଁ ବାଳା କିଙ୍କିଣୀକି ନମ୍ବାଇଲା ଚାପସରିକି ଖଞ୍ଜିଲା ମଧ୍ୟଦେଶରେ।
ବେଶକାରୀ କେ କାହାର ସିନ୍ଦୂର ଦେଲା ପୟର ଚିତା ଲଲାଟରେ ଲେଖେ ଲାକ୍ଷାରସରେ।
ବିଗନ୍ଧ କରି କେ ଚିକୁର।
ବେଗେ କଙ୍କତିକାରେ ଶାମଳେ ଚାମର।୧୦।
ବସିଥିଲା ପତିକୋଳେ କେ ଘେନି ପତିତ ମେଳେ ଗତି କରି ଯୁବା ଦେଖା ଗତି ସେ କରି।
ବିପରୀତ କାହା ସାଇଁ ମାଗୁଁ ଦେଖିବା ଆଶାୟୀ ରୀତି ଦୁଇ ପୁଂସେ ଭାଷେ ପୁଷ୍ପେ ସଞ୍ଚରି।
ବଳା ଖଞ୍ଜୁ କେ ମାନୀ ଭାଷି।
ବଲ୍ଲଭେ ଭୁଲାଇ କେବେ ନୁହଇ ଦୋଷୀ।୧୧।
ବୟସୀଏ ଗୀତ ଗାଇ କେ ରାମା ବୀଣା ବଜାଇ ଥୋଇଅଛି ଭାବି ଚାହିଁ କୁଚ ରୋମାଳୀ।
ବାଜିତ କିଙ୍କିଣୀ ସ୍ୱର ମଣିତ ଧାଉଁ ପ୍ରଚାର ଅମ୍ଭଠାରେ ଦେଲା ଭାଳି ଗମିଲା ଆଳୀ।
ବିସୋର ସେ ରାଗରେ ରାଗ।
ବୋଲୁଥିଲେ ରାମକେରୀର ଳ ସଂଯୋଗ।୧୨।
ବାନ୍ଧବ ବାନ୍ଧବୀ ରଞ୍ଜି ପରସ୍ପରେ ଭୁଞ୍ଜାଭୁଞ୍ଜି ପାନ ତୁଚ୍ଛା କର ଦିଆଦେଇ ହୋଇଲେ।
ବାହୁ ବାହୁ ଆଲିଙ୍ଗନ ଲତିକା ତରୁ ସମାନ ତରୁଣ ତରୁଣୀ ଥିଲେ ତେଜି ଧାଇଁଲେ।
ବାମା କେହି ହରିଦ୍ରା ଘେନେ।
ବିଚ୍ଛିତି ଦେଖାଇ ଗଲା ନ ପୋଛି ସ୍ନାନେ।୧୩।
ବଧୂ ପାତ୍ର ସାମନ୍ତଙ୍କ ଷ୍ରବଣେ ଅତି ଉତ୍ସୁକ ଜଗତୀ ଗତିକି ଦେଖି ସଖୀଏ ଭାଷେ।
ବଡଭି ଲଭିଲ ନାହିଁ ବଡଭୀ ଲଭିବ ଚାହିଁ ଜଗତି ଗତି ଦାତାଙ୍କୁ ଅନଙ୍ଗ ବଶେ।
ବାଟି ଶ୍ରମିହେବୁଁ ଉଶୀର।
ବାଧିବ ସରିବ ବେନି ଶିଶିରକର।୧୪।
ବିଗ୍ରହ ତ୍ୱରା ଆରମ୍ଭେ ସୁନ୍ଦର ଦର୍ଶନ ଲୋଭେ ପ୍ରଭଞ୍ଜନ-ପଥ ପ୍ରଭଞ୍ଜନ ହୋଇବ।
ବିଶ୍ୱସ୍ତେ ଜାତ ଏତେକ ଲାଭ ହୃଦ ସମ୍ପୂଟକ ମଧ୍ୟରେ ସେ ମନୋରମ-ମଣି ଥୋଇବ।
ବୋଲେ ସେ ତୁମ୍ଭର ନୋହିବ?
ବଞ୍ଚନା କଲାଣି କେତେ କାଳୁ ଦଇବ।୧୫।
ବିବୁଧାଳୟ ଜଗତୀ ସ୍ଥିତି ନାରୀ ସୁରୀଭ୍ର୍।ନ୍ତି ସୁମନା ମନ ମୋହନ ଛବି ଯାହାର।
ବିଳୁଁ ବାହାରିଲା ପରି ନାଗ-ନାଗରୀ ଚାତୁରୀ ମଣି-ଭୂଷଣୀ ମଧ୍ୟରୁ ଯେତେ ବାହାର।
ବେଭାରେ ତମାନବୀ ସର୍ବେ।
ବିଶୁଦ୍ଧ ତ୍ରିପୁର ଲୀଳା ତହିଁ ସମ୍ଭୁବେ।୧୬।
ବାମା କାଳ ଭାନୁ ବାମା ପ୍ରସବ ସୂନୁ ସୁଷମା ଲକ୍ଷିତ ହୁଅନ୍ତା ଆନ ଆନନ ପ୍ରଭା।
ବରନ ବସନ ଧରେ ନୀଳ ପୀତ ପରସ୍ପରେ ସ୍ମର ମଧୁ ଆଲିଙ୍ଗନ ବିହିଲା ଶୋଭା।
ବିହ୍ୱଳିତ ଦମ୍ଭ ଅନାଇ।
ବାସ କଲା ଚିତ୍ତ ରାମ ଲକ୍ଷ୍ମଣେ ଯାଇଁ।୧୭।
ବାଡେ ଯେ ଆଉଜି ରହି ଚିତ୍ର ପ୍ରତିମା କି ସେହି ନିରବଲମ୍ବିନୀ କି ଇନ୍ଧନ ପିତୁଳା।
ବନ୍ଧକୀ ସ୍ୱଭାବ ଲିଟି ପତିବ୍ରତା କଲେ ହଟି ସ୍ତମ୍ଭଟି ମହତ ସୃଷ୍ଟି ତାଙ୍କ ରଖିଲା।
ବୋଲନ୍ତି କି କାହା ଶୁଣନ୍ତି।
ବିଜ୍ଞାତ ନୋହେ ମାଦକୀ ଚେତା ଆକୃତି।୧୮।
ବୈଦେହୀ ବିମଳଦେହୀ କମଳ ବେଶରେ ନାହିଁ ସହୀ ସହିତରେ ଥିଲେ ମଣ୍ଡି ଅଟ୍ଟାଳୀ।
ବିହି ଲୋକନେ ପ୍ରଶଂସା କଳାଙ୍ଗେ କଲେ ଲାଲସା ଗଉରେ ଗଉରବତା ନେତ୍ର ନ ଢାଳି।
ବର ଦେବରେ ଯେ ମନାସେ।
ବରଦେବର ହେବାକୁ ମାନସେ ଘୋଷେ।୧୯।
ବାମଲୋଚନ ସ୍ଫୁରିତା ବାମମୋଚନ ବିଧାତା ପାଞ୍ଚୁ ପୁଲକ ପୁଲକ କପୋଳେ ଦିଶି।
ବୃଦ୍ଧବୟଃ ସଙ୍ଗୀବାର ଭାଙ୍ଗିବ ଏ ଧନୁବର ମନରେ ଏମନ୍ତ କର ତା ଜାଣି ଭାଷି।
ବ୍ୟକତ ଏମନ୍ତ ବଚନ।
ବିଶ୍ୱାସ ନିଃଶ୍ୱାସ ହାସ ନାଶା ଆନନ।୨୦।
ବିପ୍ରଳାସ ଥାଇ ଭାଷେ ମନମାୟା ଯେ ରଭସେ ଏ ଯୋଗ ତୋର କର୍ମରେ ଅଛି ଘେନ ରେ।
ବ୍ୟଳୀକ ଏ କି? ଜନକ ନାରୀକେଳ ସଦୃଶକ ଧନୁ ସ୍ୱୟମ୍ବର କୃତ ତୋଷଦାନରେ।
ବିଦଗ୍ଧତା ଚିତ୍ତେ ଘେନିଲେ।
ବୟସୀଗଣ ପ୍ରମାଣ ପ୍ରମାଣ ବୋଲେ।୨୧।
ବୃକୋଦର ବାସବର ଦିଗଦନ୍ତୀ ମନୋହର ବିହରି ମଖଶାଳାରେ ପ୍ରବେଶବେଳେ।
ବଂଶିକ ରାଜା ମାନସେ ମଧ୍ୟରୁ ଧୈର୍ଯ୍ୟ ସାରସ ଅସ୍ପରଶେ ଦରଶନେ ଉତ୍ପାଟି ନେଲେ।
ବିଚିତ୍ର-କର୍ମାଙ୍କ ଆଲୋକେ।
ବିଦେହରାଜ କୌଶିକେ ପୁଚ୍ଛିଲେ ଏ କେ?୨୨।
ବଲଗିଲେ ମୁନି ତ୍ୱରିତ ଦଶରଥ ବେନିସୁତ ବନେ ତାଡକା ବିନାଶି ରଖି ମୋ ଯାଗ।
ବିନ୍ୟସ୍ତ କରି ଚରଣ ଗୌତମ-ନାରୀ ତାରଣ ଶିବ ଚାପ ଦେଖିବାକୁ ଏବେ ଉଦ୍ବେଗ।
ବୋଇଲେ ଦେଖିଲେ ଦେଖନ୍ତୁ।
ବାଳ କୁମାରେ କି ହେବ ଏହାଙ୍କ ହେତୁ?୨୩।
ବାଳି ବଳିଷ୍ଠରେ ସାର ବଳ କୋଟିଏ ସିଂହର ଭଞ୍ଜିବା ଥାଉ ଭାଜିଲା ଶୁଣି ଛଳିତ।
ବିଷ୍କିରେ ଗଣ୍ଡଭେରଣ୍ଡେ ଗଜକୁ ଘେନିଣ ଉଡେ ଡାଳେ ବସେ, ଭାରତୀରେ ଭର ବିହିତ।
ବୋଲେ ପର୍ଶୁରାମ ପୂଜିଲେ।
ବ୍ୟଭିଚାର କ୍ଷତ୍ରି ଧର୍ମ ବିପ୍ର ବୋଇଲେ।୨୪।
ବାଣାସୁର କାର୍ତ୍ତବୀର୍ଯ୍ୟ ସହସ୍ର ଭୁଜରେ ହେଜ ଟେକି ନ ପାରିଲେ ତହୁଁ କଲେ ଉତ୍ତର।
ବୃଶ୍ଚିକ କର୍କଟପରି ସିନା ତାହାଙ୍କ ମାଧୁରୀ ନାଗ ବ୍ୟତ୍ରକେ କେ ଆନ ଧରଣୀ ଧର।
ବିଂଶକର କହିବା ନୋହୁ।
ବାଳି ଅର୍ଜୁନରେ ଧରାଯାଇଛି ଯେହୁ।୨୫।
ବିଘ୍ନରାଜ ମହାସେନ ଲବଣ ଆଦି ରାଜନ ପ୍ରଭା ଦେଖାଇ ମଲିନ ଭାବ ଭାଷିଲେ।
ବିଞ୍ଚକ ପରାୟେ ତେବେ ମୁଖରେ ଅନଳେ ଜବେ ଦେଖାଇ ନାଶି ଭୀରୁକ ହେଲେ ଦୁଷିଲେ।
ବିବୋଧ ନୁହ ହେ ଜନକ!
ବିଭୀତେ ଦେଖିବେ ଏ ଅଣାଅ ପିନାକ।୨୬।
ବିତପନ କଲେ ନେଇ ତପନବଂଶିକ ତହିଁ ସଭାରେ ଲୋଭା ଅନାଇ ନୃପ ସକଳ।
ବିଦର୍ଭ, କର୍ଣ୍ଣାଟ, ଭୋଟ, ସଉରାଷ୍ଟ୍ର, ମରହଟ୍ଟ, କୁନ୍ତଳ, କେରଳା, ଚୋଳ, ସିନ୍ଧୁ, ଉତ୍କଳ।
ବହ୍ନିକ, ତୁରଷ୍କ, ନିଷେଧ।
ବଙ୍ଗ, ଅଙ୍ଗ, କଳିଙ୍ଗ, ଚୋଡଙ୍ଗ, ମଗଧ।୨୭।
ବେଦି, ଚେରି, ମଘ, ମତ୍ସ, ଦ୍ରାବୀଡ, ଗଉଡ, ମ୍ଳେଚ୍ଛ, ଆରବ, ମାଳବ, କଚ୍ଛ, କୁରୁ, ସଞ୍ଚାଳ।
ବନାଉଜ, କନାଉଜ, କାଶ୍ମୀର, କାମେରୀ, କୁଞ୍ଜ, ଗଳ, ଡାହାଳ, ଲୋମଶ, ପୁଣ୍ଡ୍ର, କୋଶଳ।
ବେଲାଉଳ ଆଦି ଏ ଠିକ।
ବିଶେଷି କହିବା କେତେ କହେ ଜନକ।୨୮।
ବିନିନ୍ଦ୍ୟ ଭୁପତିମାନେ ବହୁଦିନୁ ଅଭିମାନେ ବସ କି କାରଣେ ଧନୁ ଆଣ ନ କହ।
ବ୍ୟାଜ ଦମ୍ଭ ପରା ପ୍ରତେ ଏବେ ଦଶରଥ ସୁତେ ଆସିଛନ୍ତି ଦେଖିବାକୁ ବଳାଇ ସ୍ନେହ।
ବୋଇଲେ ଆଣିବା ସେ ଚାପ।
ବଦନ୍ତେ ଅଣାଅ କହେ ନୃପକଳାପ।୨୯।
ବଳବନ୍ତ ଏକୁଁ ଏକ ଆଜ୍ଞାକୁ ମଲ୍ଲ ଅନେକ ଯନ୍ତ୍ରେ ଓଟାରି ଆଣିଲେ ମଞ୍ଜୁଷଗୋଟି।
ବ୍ରହ୍ମାଣ୍ଡଯାକ ଧଇଲେ ଚଳନ୍ତା ନାହିଁ ଯେ ତିଳେ ଚକ୍ର କଟ୍ କଟ୍ ହୁଁକାର ନଭେ ପ୍ରକଟି।
ବାକ୍ ଚାତୁରୀ ମଇଥିଳର।
ବାଣାସନ ଆସିଲା ବିଳମ୍ବ ନ କର।୩୦।
ବଳବାନେ ଅଧିକ କେ ଜାଣୁ କଷଟୀ କାର୍ମୁକେ ସମୂଳେ ହୋଇଲେ ସିନା ସୁବର୍ଣ୍ଣ ସର୍ବେ।
ବଇଦେହିକ ଯେ ଆମ୍ଭେ ଭୂଷଣ କର୍ମ ଆରମ୍ଭେ କନ୍ୟାରତ୍ନ ସଙ୍ଗେ ଯୋଗ କରିବୁଁ ତେବେ।
ବଚ ଶ୍ରୋତେ ଗଲେ ସମସ୍ତ।
ବ୍ୟାଘ୍ର ପତନ ଯନ୍ତାକୁ ଚାହିଁଲା ମତ।୩୧।
ବିଭାବସୁ ବିଭାବସୁ ଏକସ୍ଥାନେ ଏ କି ବସୁଁ ଭାବି ନେତ୍ର ବୁଜି ମୁଖ ପଛକୁ କଲେ।
ବିଳେ ନିଦ୍ରା ହରି ବୃଷ ବିଳେ ନିଦ୍ରା ହରି ବୃଷ ଦେଖି ଯଥା ପଳାୟିତ ତଥା ହୋଇଲେ।
ବାସେ ଯାଇ କେତକୀ ପାଶେ।
ବସେ ପଲାଶେ ଭୃଙ୍ଗାଳି କି ସ୍ୱଭାବୁଁ ସେ।୩୨।
ବୈରାଗ୍ୟ ଆକୁଳ କୂଳେ ଭାସିଲେ ଭୁମିପବୁଳେ ଭାଷିଲେ ଜନକ ଗମ ଶ୍ରୀରାମ ବେଗେ।
ବତାଇ ସୁମିତ୍ରା ବତ୍ସ ନାହିଁ ସୁମିତ୍ରାରି ସ୍ୱଚ୍ଛ ନମ୍ରେ ଧଇଲେ ବାଛିବେ ଚାପେ ଓଳଗେ।
ବିଶ୍ୱାମିତ୍ର ନେତ୍ରରୁ ଜାଣି।
ବାହାରିଲେ ଶସ୍ତ୍ର ଦେଇ ଲକ୍ଷ୍ମଣ ପାଣି।୩୩।
ବିକ୍ରମ ଗତିକି ବିହି ଶରଧା ଚାପକୁ ଚାହିଁ କେଶରୀ ଗିରି ମଧ୍ୟରୁ ସେହି ସ୍ୱଭାବେ।
ବିରାଜି ମୂର୍ତ୍ତି ଯେ ଧୃତ ମଞ୍ଜୁ ମଞ୍ଜୁଷରୁ ସତ ଧନୁ ଆକର୍ଷି ଆଣିଲେ ପନ୍ନଗ ଭାବେ।
ବକପୁଷ୍ପ ମାଳା ମାଳିକା।
ବିକ୍ରୟକୁ ଚାଙ୍ଗଡା଼ରୁ ଟେକିଲା ଦୃକ।୩୪।
ବକ୍ତ୍ରେ ଗଳି ରାଜନ୍ୟଙ୍କ ବକ୍ତ୍ରେ ଜନକ ଜନକ ଏହି ଗିରି ଶରଭେଦ ହୃଦୟ କରେ।
ବିଜୟୀ ଏ ତ୍ରିପୁରର ବିଜୟୀ ଏ ତ୍ରିପୁରର ଧଇଲା ଧଇଲା ଧନୁ ଅନାୟାସରେ।
ବିଦ୍ରାବକୁ ଲଜ୍ଜାରେ ଭାଳି।
ବିପଲକେ ଅନାଇଲେ ନ ପାରି ଚଳି।୩୫।
ବରାକାବରାଙ୍ଗୀ ସୀତା ବରାକ କର ଇ ଚିନ୍ତା ଜୀବନ ଯାଉ ନୋହିଲେ ହେଲେ ଏ ବର।
ବିମିଳିତ ନେତ୍ର ଫିଟେ ମୁଦ୍ରିତ କଞ୍ଜ କି ଫୁଟେ ପ୍ରମୋଦଦାୟକ ପରଭୃତଙ୍କ ସ୍ୱର।
ବ୍ୟଲୀକତା କେ ବୋଲୁଥିଲା।
ମଧୁର ସେ ଦି(ଦୀ)ନବନ୍ଧୁ ଦର୍ଶନେ ହେଲା।୩୬।
ବୃନ୍ଦାରକ-ବୃନ୍ଦାରକେ ସେ ଯେ ପୁଚ୍ଛିଲେ ଜନକେ ଦେବା ଶିଞ୍ଜିନୀ ଉତ୍ତମ ବୋଲି ସେ କହି।
ବୀର୍ଯ୍ୟ ଦମ୍ଭ ବେନି ଯୋଗେ ଅଷ୍ଟନାଗେ ଅଷ୍ଟନାଗେ ଧର ଧରଣୀକି ବୋଲେ ଲକ୍ଷ୍ମଣ ତହିଁ।
ବିକଳିତେ ପୃଥିବୀ ଭାଳେ।
ବସୁ ହୁଳ ପାଦଅନ୍ତେ ପଡି଼ବି ତଳେ।୩୭।
ବୃଦ୍ଧାଙ୍ଗୁଳି ପରେ ପଦେ ରାମ ରଖିଲେ ସମଦେ ଜାଣିଲେ ତା ଅତ୍ୟନ୍ତ ଅଧୈର୍ଯ୍ୟ ହେବାର।
ବାସୁକି କି ବହେ କୂର୍ମ ବହିଲା ସେ ମନୋରମ ଗୁଣବନ୍ତ ଗୁଣ ଦତ୍ତ କଲେ ସତ୍ୱର।
ବୈନାଶିକ ନାଡୀ ମୋ ହେଲା।
ବାମେ ରହି ଅଜଗବ ବିଚାର କଲା।୩୮।
ବିଗୂଢ଼ବଶେ ଓଟାରେ ପ୍ରଚଣ୍ଡ ମଲ୍ଲ ହସ୍ତରେ ଏରଣ୍ଡ ଦଣ୍ଡ ପଡି଼ଲା ପରି ଭାଜିଲା।
ବ୍ରହ୍ମାଣ୍ଦ ଭାଣ୍ଡ ପୂରିତ ପ୍ରଳୟକାଳେ ଏକତ୍ୱ ଚାରିମେଘ ଗର୍ଜିଲା ଶବଦ ଗଞ୍ଜିଲା।
ବିବୁଧେ ମୂର୍ଚ୍ଛିତ ଚେତାରେ।
ବେଳେ ପ୍ରାଣ ଅମୃତ ରଖିଲା ବିଚାରେ।୩୯।
ବସୁଧାଭୃତେ ଟଳିଲେ ବସୁଧାଭୃତେ ଚଳିଲେ ସେହି ତରଳିତ ଧାତୁ ଧାରା ହେଲାଟି।
ବଳି-ବର-ବଳୀ ବର ଆନ କି ହୋଇବ ମୋର ଭାବେ ଶତକୋଟି ଶତକୋଟି ତ ବୃଷ୍ଟି।
ବିଚିତ୍ର କି ନରେ କିନ୍ନରେ?
ବିଚେତନ ହେଲେ ଯହିଁ ନାରକି ନରେ।୪୦।
ବିଭ୍ରଷ୍ଟ ଯେ ବ୍ରହ୍ମଚାରୀ ଧ୍ୟାନ ତହିଁକି ବିଚାରି ବିଭ୍ରଷ୍ଟ ଯେ ବ୍ରହ୍ମ ଚାରିମୁଖୁଁ ବେଦହିଁ।
ବିଖଣ୍ଡନ ଚଣ୍ଡିମାନ ଈଶରେ ସ୍ନେହୀ ନ ଘେନ ବିଖଣ୍ଡନ ଚଣ୍ଡୀମାନ ଈଶରେ ସ୍ନେହୀ।
ବାହାରନ୍ତେ ବ୍ରହ୍ମାଣ୍ଡ ଫୁଟି।
ବିରବ ସମସ୍ତଙ୍କର ଜ୍ଞାନ ପ୍ରକଟି।୪୧।
ବୀରେଶ୍ୱର କରି ପୂଜା କଲା ସେ ମିଥିଳା ରାଜା ବସାଇ ରଘୁତ୍ତମଙ୍କୁ ସିଂହାସନରେ।
ବିହାୟସେ ଦେବେ ଆସେ ରାମ ଦର୍ଶନ ଲାଳସେ ଶବ୍ଦ ଶୁଣି ରାବଣ ମିଳିଲା ସେଠାରେ।
ବୀର ସେ ବାହୁଡେ଼ ବିରସେ।
ବୟାଳିଶ ପଦେ ଛାନ୍ଦ ଉପେନ୍ଦ୍ର ଭାଷେ।୪୨।

Odia Poetry Upendra Bhanj Books Upendra Bhanj Odia Poetry
Share. Facebook Twitter Pinterest LinkedIn Tumblr Reddit Email
Previous Articleବିଜୟୀବୀର ! ବିଜୟ କର
Next Article ବିଭୂଷଣ ପୁଷ୍ପେ ଯା କାନ୍ତି ଜାଣ
ଉପେନ୍ଦ୍ର ଭଞ୍ଜ

Related Posts

ଛ ଚମ୍ପୂ

February 26, 2020

ଏଥୁଅନ୍ତେ ଶୁଣ ରସିକ ଜନେ

February 22, 2020

ଶୁଣ ହେ ସୁଜନେ ରସ କର୍ଣ୍ଣ ମନଲୋଭା

February 22, 2020

ଜୟ ଜୟ ଜୟ ରାମ ଜନକସୁଖଦ

February 22, 2020

ବିଶ୍ରବାନନ୍ଦନ ତପ ଉଦିତ ପର୍ବତ ରୂପ

February 22, 2020

ବକେ ବସିଥିଲା ଧ୍ରୁବ ଉପରେ

February 22, 2020
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.