ବିଷ୍ଣୁ ତ ଶ୍ରୀମତୀଙ୍କୁ ନେଇ ବୈକୁଣ୍ଠ ଚାଲିଗଲେ । ନାରଦ ବା ପର୍ବତ ଋଷି ବୁଝିପାରିଲେ ନାହିଁ ଘଟଣାଟା କାହିଁକି ଏପରି ଘଟିଲା । ଦୁହେଁ ଯେତେବେଳେ ଉପଲବ୍ଧି କଲେ ଯେ ପରସ୍ପର ପ୍ରତି ଈର୍ଷ୍ୟା ଭାବ ଯୋଗୁଁ ଦୁହିଁଙ୍କର ମୁଖ ବିକୃତ ରୂପ ଧାରଣ କରିଛି, ସେମାନେ ଲଜ୍ଜାରେ ଓ କ୍ରୋଧରେ ହତଜ୍ଞାନ ହୋଇଗଲେ ।
ଦୁହେଁ ଯାଇ ବୈକୁଣ୍ଠରେ ପହଁଚିଲେ ଓ ଶ୍ରୀମତୀଙ୍କୁ ସେଠାରେ ଦେଖି ଆହୁରି ରାଗିଗଲେ । ତେଣୁ ନାରଦ ଶ୍ରୀବିଷ୍ଣୁଙ୍କୁ ଅଭିଶାପ ଦେଇ କହିଲେ, “ଯେଉଁ ଶ୍ରୀମତୀଙ୍କୁ ଆପଣ କୌଶଳ କରି ଅନ୍ୟ ମାନଙ୍କୁ ଠକାଇ ପାଇଲେ ସେ ଅପହୃତା ହୋଇଯିବେ ଓ ଆପଣ ପତ୍ନୀ ବିଚ୍ଛେଦରେ ବହୁ କଷ୍ଟ ଭୋଗିବେ । ମୋତେ ଯେଉଁ ମର୍କଟ ରୂପ ଦେଇ ଅପମାନିତ କରିଛନ୍ତି ସେଇ ମର୍କଟ ମାନଙ୍କର ସାହାଯ୍ୟ ନେଇ ଆପଣ ସ୍ତ୍ରୀଙ୍କୁ ଉଦ୍ଧାର କରିବେ ।”
ନାରଦଙ୍କ ଅଭିଶାପ ଶୁଣି ଶ୍ରୀବିଷ୍ଣୁ ଖାଲି ହସିବାକୁ ଲାଗିଲେ । ଶ୍ରୀମତୀ ନିଜର ରୂପ ଅର୍ଥାତ୍ ଲକ୍ଷ୍ମୀରୂପ ନେଇ ଦେଖାଦେଲେ ଓ ଶ୍ରୀବିଷ୍ଣୁ ନାରଦ ଓ ପର୍ବତ ଋଷିଙ୍କ ଚକ୍ଷୁମଧ୍ୟରୁ ମାନୁଷୀମାୟା ଅପସାରିତ କରିଦେଲେ । ଦୁହେଁ ଶ୍ରୀବିଷ୍ଣୁ ଓ ଶ୍ରୀଲକ୍ଷ୍ମୀଙ୍କ ଚରଣରେ ପ୍ରଣାମ କରି ତାଙ୍କଠାରୁ କ୍ଷମା ପ୍ରାର୍ଥନା କଲେ ।
ନାରଦଙ୍କ ମନରେ ଗ୍ଳାନିବୋଧ ଆସିବାରୁ ସେ କାନ୍ଦି କାନ୍ଦି ବହୁତ ପଶ୍ଚାତାପ କଲେ । ଶ୍ରୀବିଷ୍ଣୁ ତାଙ୍କୁ ସାନ୍ତ୍ୱନା ଦେଇ କହିଲେ, “ତମେ ତ ତ୍ରିକାଳଦର୍ଶୀ, ତମେ ଜାଣ ଭବିଷ୍ୟତରେ କ’ଣ ହେବ । ତେଣୁ ଏତେ ଦୁଃଖ କରିବାର କ’ଣ ଅଛି? ତୁମର ଅଭିଶାପ ମୋର ସଂକଳ୍ପରୁହିଁ ଉତ୍ପନ୍ନ । ତୁମର ଅଭିଶାପ ରାମ ଅବତାରରେ କାମ କରିବ ଏବଂ ତଦ୍ୱାରା ପୃଥିବୀର ଲୋକମାନଙ୍କର କଲ୍ୟାଣ ସାଧନ ହେବ ।”
ଏସବୁ ପରେ ସୂତମୁନି ସେଇ ଇକ୍ଷ୍ୱାକୁ ବଂଶର ଭକ୍ତ ରାଜା ଅମ୍ବରୀଷ ଓ ଦୁର୍ବାସା ଋଷିଙ୍କ କାହାଣୀ କହିବାକୁ ଆରମ୍ଭ କଲେ ।
ଦିନେ ଦୁର୍ବାସା ଋଷିଙ୍କ ଆଶ୍ରମରେ ଦେବର୍ଷି ନାରଦ ଆସି ପହଁଚିଲେ । ଦୁର୍ବାସା ଥଟ୍ଟା କରି କହିଲେ, “ଆଜି ତ ମୁଖ ବଡ ପ୍ରସନ୍ନ ଦିଶୁଛି । କ’ଣ କଳହରେ ପେଟ ପୂର୍ଣ୍ଣ ହୋଇ ଯାଇଛି କି?”
ନାରଦ ଋଷିଙ୍କୁ ଅଭିବାଦନ କରି କହିଲେ, “ଏପରି ଭୋଜନ ତ ଏବେ ମିଳିନାହିଁ, ସେଥିପାଇଁ ବହୁତ ଭୋକ ଲାଗୁଛି । କିନ୍ତୁ ଏବେ ପରମଭକ୍ତ ରାଜା ଅମ୍ବରୀଷଙ୍କ ପାଖରୁ ଆସିଲି । ସତରେ ତାଙ୍କ ଭକ୍ତି ଦେଖି ମୋର ମନ, ପ୍ରାଣ ଅତି ଆନନ୍ଦରେ ପୁରି ଉଠୁଛି ।”
ଅମ୍ବରୀଷଙ୍କ ପ୍ରଶଂସା ଶୁଣି ଦୁର୍ବାସା ଟିକିଏ ଗମ୍ଭୀର ଦେଖାଗଲେ । ତା’ପରେ ସେ ପଚାରିଲେ, “କ’ଣ ଅମ୍ବରୀଷ ଏତେ ବଡ ଭକ୍ତ ଯେ ତାକୁ ଦେଖିବା ମାତ୍ରେ ତୁମ ମନ ଆନନ୍ଦରେ ପୁରି ଉଠିଲା?”
“ନିଃସନ୍ଦେହରେ କହିପାରେ ଯେ ଭଗବାନ୍ ବିଷ୍ଣୁଙ୍କର ବିଶେଷ କୃପା ନ ଥିଲେ ଏଭଳି ଭକ୍ତ ସେ କେବେବି ହୋଇ ପାରନ୍ତେ ନାହିଁ । ଅଦ୍ୱିତୀୟ ଭକ୍ତ । ସେ ରାଜା ହୋଇ ବି ମହାନ୍ ଋଷି । ତାଙ୍କୁ ଦର୍ଶନ କଲେ ଆପଣ ମଧ୍ୟ ମୋ କଥାର ସତ୍ୟତା ଠିକ୍ ଉପଲବ୍ଧି କରିପାରିବେ । ସେ ଜଣେ ମହାନ ବ୍ୟକ୍ତି ଓ ଶ୍ରୀବିଷ୍ଣୁଙ୍କର ପରମପ୍ରିୟ ଭକ୍ତ । ଆପଣଙ୍କୁ ଦର୍ଶନ କଲେ ସେ ନିଜକୁ କୃତାର୍ଥ ମନେ କରିବେ ।” ଏତିକି କହି “ନାରାୟଣ” “ନାରାୟଣ” ଜପୁ ଜପୁ ନାରଦ ହଠାତ୍ ସେଠାରୁ କୁଆଡେ ଅନ୍ତର୍ଦ୍ଧାନ ହୋଇଗଲେ ।
ନାରଦଙ୍କ କଥା ଦୁର୍ବାସାଙ୍କ ମନରୁ ଆଉ ଯାଉନାହିଁ । ସେ ଭାବିଲେ, “ଦେଖିବି ସେ କେତେ ବଡ ଭକ୍ତ । ମୁଁ ତାକୁ ପରୀକ୍ଷା କରିବି ।” ତା’ପରେ ସେ ରାଜା ଅମ୍ବରୀଷଙ୍କୁ ଦେଖିବା ପାଇଁ ଚାଲିଲେ ।
ରାଜା ଏକାଦଶୀ ଓ ଦ୍ୱାଦଶୀ ବ୍ରତ ଖୁବ୍ ନିୟମ ସହକାରେ ପାଳନ୍ତି । ବ୍ରତ ପାରଣା ପୂର୍ବରୁ ସେ ଶୁଣିଲେ ଦୁର୍ବାସା ଋଷି ଆସୁଛନ୍ତି । ଦୁର୍ବାସା ସେଠାରେ ପହଁଚିବା ମାତ୍ରେ ସେ ତାଙ୍କୁ ପାଦ୍ୟ ଓ ଅର୍ଘ୍ୟ ନେଇ ପୂଜା କଲେ ଓ ପ୍ରସାଦ ସେବନ କରିବାକୁ ଅନୁରୋଧ କଲେ ।
ଦୁର୍ବାସା ପ୍ରସାଦ ସେବନର ନିମନ୍ତ୍ରଣ ସ୍ୱୀକାର କରି ସ୍ନାନ କରିବାକୁ ଗଲେ । ସେଇ ଯେ ଗଲେ ଆଉ ଫେରୁ ନାହାଁନ୍ତି । ଅମ୍ବରୀଷ ତାଙ୍କ ପାଇଁ ଅପେକ୍ଷା କରି କରି ଦେଖିଲେ ବ୍ରତ ଉଦ୍ୟାପନର ସମୟ ହୋଇ ଯାଉଛି ଆଉ ସେ ଯଦି ପାରଣା ନ କରନ୍ତି ତେବେ ପାପ ହେବ । ଏଣେ ଦୁର୍ବାସା ମଧ୍ୟ ରାଗିବେ । ସେ କିଂକର୍ତ୍ତବ୍ୟବିମୂଢ ହୋଇ ବ୍ରାହ୍ମଣ, ପୁରୋହିତ ଓ କୂଳଗୁରୁ ପ୍ରଭୃତିଙ୍କୁ ପଚାରିଲେ । ଆଉ ଅପେକ୍ଷା ନ କରି ପ୍ରସାଦ ସେବନ କହିବାକୁ ସମସ୍ତେ ସମସ୍ୱରରେ କହିଲେ, ରାଜା ପ୍ରସାଦ ସେବନ ନ କରି କେବଳ ପୂଜାଜଳ ମାତ୍ର ମୁଖରେ ଦେଇଛନ୍ତି ଠିକ୍ ଏଇ ସମୟରେ ଦୁର୍ବାସା ସ୍ନାନ କରି ସେଠାରେ ଆସି ପହଁଚିଗଲେ ।
ସେ ତାଙ୍କୁ ଏପରି ଅବସ୍ଥାରେ ଦେଖି କ୍ରୋଧରେ ଜଳିଗଲେ ଓ ତିରସ୍କାର ପୂର୍ବକ କହିଲେ, “ଆରେ ନୀଚ, ପାପୀ, ଅଧର୍ମୀ ରାଜା, ତୁ ତୋ ନିଜକୁ ବିଷ୍ଣୁଙ୍କର ପରମ ଭକ୍ତ ବୋଲାଉଛୁ? ତୁ ମୋତେ ନିମନ୍ତ୍ରଣ କରି ନିଜେ ଭୋଜନ କଲୁ । ତୁ ମୋତେ ଏପରି ଅପମାନ କରିବାକୁ କିପରି ବା ସାହସ କଲୁ? ମୋର ନାମ ପଡିଲେ ତିନିଲୋକ ଓ ଦେବତାମାନେ ମଧ୍ୟ ଭୟରେ ଥରହର ହୋଇଯାଆନ୍ତି । ଏବେ କାଳରୂପୀ ମୋର ଅଭିଶାପଠାରୁ ତୋତେ କେହବି ରକ୍ଷା କରିପାରିବେ ନାହିଁ ।”
ଦୁର୍ବାସାଙ୍କର କ୍ରୋଧାଗ୍ନିରେ ଅମ୍ବରୀଷ ଆଦୌ ବିଚଳିତ ନ ହୋଇ ତାଙ୍କ ସମ୍ମୁଖରେ ମଥା ନତ କରି କହିଲେ, “ପଣ୍ଡିତମାନଙ୍କ ପରାମର୍ଶ ଅନୁସାରେ, ବ୍ରତଭଙ୍ଗ ଭୟରେ ବେଦର ନିୟମାନୁଯାୟୀ କେବଳ ଜଳପାରଣା ମାତ୍ର କରିଛି । ମୁଁ ଏବେ ମଧ୍ୟ ଭୋଜନ ନକରି ଆପଣଙ୍କ ପ୍ରତୀକ୍ଷାରେହିଁ ରହିଛି । ଭୁଲ୍ ଥିଲେ କ୍ଷମା କରନ୍ତୁ ।”
ଦୁର୍ବାସା ଗର୍ଜି ଗର୍ଜି କହିଲେ “କ୍ଷମା? ଦୁର୍ବାସା ତ କ୍ଷମା କରିବା କେବେବି ତା’ ଜୀବନରେ ଶିଖିନାହିଁ । ତୁ ତୋର ପାପର ଫଳ ଅଚିରେ ଭୋଗ କରିବୁ ଏବଂ ତା’ ପରେ ତୁ ଉପଲବ୍ଧି କରିବୁ ତପସ୍ୟା ବଡ ନା ଭକ୍ତି ବଡ ।” କୁହାଯାଏ ଦୁର୍ବାସାଙ୍କର ତପଃଶକ୍ତି ତାଙ୍କ ଜଟାରେ ଥାଏ । ସେ ଯେତେବେଳେ କ୍ରୋଧବଶତଃ ଜଟା ଟାଣନ୍ତି ସେତେବେଳେ ତପସ୍ୟା ଶକ୍ତିଗୁଡିକ କ୍ରମେ କ୍ରିୟାଶୀଳ ହୋଇ ଉଠନ୍ତି ଓ ତାଙ୍କର ଇଚ୍ଛା ଅନୁସାରେ କାର୍ଯ୍ୟ କରନ୍ତି ।
ସେ କ୍ରୋଧର ଆବେଗରେ ନିଜର ଏକ ଲମ୍ବା ଜଟାକୁ ଜୋର୍ରେ ଝାଡୁ ଝାଡୁ ଯୋଗଦଣ୍ଡକୁ ସ୍ପର୍ଶ କଲେ । ବାସ୍ । ଆଖି ପିଛୁଳାକେ ଆକାଶରୁ ଅଗ୍ନିକଣା ବର୍ଷିବାକୁ ଲାଗିଲା ଓ ଆକାଶ କଳା ଧୂଆଁରେ ଭରିଗଲା । ସେଇ କଳାଧୂଆଁ ଭିତରୁ ଏକ ବିକଟାଳ ରାକ୍ଷସ ରୂପ ନେଲା; ତା’ର ନାମ କୃତ୍ୟ ଥିଲା ।
ପ୍ରକଟ ହେବା ମାତ୍ରେହିଁ କୃତ୍ୟ ଅମ୍ବରୀଷଙ୍କୁ ମାରିବାକୁ ଉଠିଲା । ତା’ ପୂର୍ବରୁ ଶ୍ରୀବିଷ୍ଣୁଙ୍କର ସୁଦର୍ଶନ ଚକ୍ର ଆସି ଅଗ୍ନିବର୍ଷଣ କରି କୃତ୍ୟକୁ ସମ୍ପୂର୍ଣ୍ଣ ରୂପେ ଭସ୍ମ କରିଦେଲା । ଏ ଦୃଶ୍ୟ ଦେଖି ଦୁର୍ବାସା ଖୁବ୍ ଆଶ୍ଚର୍ଯ୍ୟ ହୋଇଗଲେ । ସୁଦର୍ଶନ ଚକ୍ର କୃତ୍ୟକୁ ମାରିବା ପରେ ଦୁର୍ବାସାଙ୍କ ଆଡେ ସେ ସିଧା ଦୌଡିଲା । ଦୁର୍ବାସା ଆହୁରି ଗୋଟିଏ ଜଟା ଛିଡାଇ ସେହି ସୁଦର୍ଶନଚକ୍ର ଉପରକୁ ତାକୁ ଫୋପାଡିଲେ । ତାହା ସୁଦର୍ଶନ ଚକ୍ରକୁ ନିଜ ରାସ୍ତାରେ ଯିବାପାଇଁ ବାଧା ସୃଷ୍ଟି କଲା । କିନ୍ତୁ ପରେ ସେ ବାଧା ଛିନ୍ନଛତ୍ର ହୋଇ ପଡିବାରୁ ପୁଣି ଦୁର୍ବାସା ତାଙ୍କର ଅନ୍ୟ ଏକ ଜଟା ଛଡାଇ ଚକ୍ର ଉପରକୁ ପକାଇଲେ । ସେଥିରେ ଆକାଶ ଘୋର୍ ଅନ୍ଧକାରରେ ଆଚ୍ଛନ୍ନ ହେଲା । ମନେହେଲା ଚକ୍ର ଯେପରି କେଉଁଠି ହଜିଗଲା । କିନ୍ତୁ ପରକ୍ଷଣରେହିଁ ଚକ୍ର ନିଜର କିରଣ ଦ୍ୱାରା ସେହି ପ୍ରଳୟ ଅନ୍ଧକାରକୁ ନିବାରିତ କରି ଝଲମଲ କରି ଉଠିଲା ଓ ପୁଣି ତାହା ଦୁର୍ବାସାଙ୍କୁ ଗୋଡାଇଲା । ଚକ୍ର ନିକଟତର ହୁଅନ୍ତେ ତାଙ୍କର ଜଟାଗୁଡିକ ସବୁ ଜଳିଗଲା ଓ ତତ୍ସହିତ ତାଙ୍କର ସମସ୍ତ ତପୋବଳ ମଧ୍ୟ ନଷ୍ଟ ହୋଇଗଲା ।
ଚକ୍ର ସେମିତି ଗୋଡାଇଥାଏ । ସେ ତିନିଲୋକ ଦୌଡି ଦୌଡି ଶେଷରେ ଯାଇ ବ୍ରହ୍ମଲୋକରେ ପହଁଚିଲେ । ସେଠି ନାରଦଙ୍କ ସହିତ ପୁଣି ତାଙ୍କର ଦେଖା ହେଲା । ଦୁର୍ବାସା ଦୌଡି ପଳାଇବାର ଦେଖି ସେ ଅଳ୍ପ ହସି ପଚାରିଲେ, “ଏତେ ତରବର ହୋଇ ଆପଣ କୁଆଡେ ଯାଉଛନ୍ତି?” କିନ୍ତୁ ତାଙ୍କ ପ୍ରଶ୍ନର ଉତ୍ତର ଦେବାକୁ ମଧ୍ୟ ଦୁର୍ବାସାଙ୍କ ନିକଟରେ ଆଉ ଅବସର ନଥିଲା । ସେ ପଛରେ ଅନୁଧାବନ କରୁଥିବା ଚକ୍ରକୁ ଶଙ୍କିତ ଚିତରେ ଚାହିଁ ଆହୁରି ଜୋର୍ରେ ଯାଇ ସିଧା ବ୍ରହ୍ମାଙ୍କ ଚରଣରେ ପଡି ରହିଲେ ।
“ମୋତେ ରକ୍ଷା କରନ୍ତୁ ବ୍ରହ୍ମଦେବ । ସୁଦର୍ଶନଚକ୍ର ମୋ ପଛରେ ଗୋଡାଇଛି ।”
ବ୍ରହ୍ମା ନିଜର ଅସହାୟତା ପ୍ରକାଶ କରି କହିଲେ, “ଋଷିବର, ତମେ ତ ଜାଣିଛ ଯେ ମୁଁ ନିଜେହିଁ ଶ୍ରୀବିଷ୍ଣୁଙ୍କ ନାଭିକମଳରୁ ସୃଷ୍ଟ । ମୁଁ ବା କିପରି ତାଙ୍କ ଚକ୍ରକୁ ରୋକି ପାରିବି?”
ଦୁର୍ବାସା ସେଠୁ ଯାଇ ଶିବଙ୍କ ପାଖରେ ପହଁଚିଲେ ଓ ତାଙ୍କ ଚରଣରେ ପତିତ ହୋଇ ତାଙ୍କୁ ରକ୍ଷା କରିବା ପାଇଁ ପ୍ରାର୍ଥନା କଲେ ।
ଶିବଙ୍କର ଧ୍ୟାନ ଭଙ୍ଗ ହେଲା ଓ ସେ ଦେଖିଲେ ଦୁର୍ବାସାଙ୍କ ପଛରେ ସୁଦର୍ଶନ ଚକ୍ର ଆସୁଛି । ସେ କହିଲେ, “ଇଏ ତ ବିଷ୍ଣୁଙ୍କ ଚକ୍ର, ସେ ବୋଧହୁଏ ତୁମକୁ ମାରିବାକୁ ଆସୁଛି । ତାଙ୍କ ଚକ୍ରକୁ ତାଙ୍କ ବ୍ୟତୀତ ଆଉ କିଏ ବା ରୋକି ପାରିବ? ଏବେ କେବଳ ଶ୍ରୀବିଷ୍ଣୁହିଁ ତୁମକୁ ରକ୍ଷା କରି ପାରିବେ ।”
ଏଣେ ଦୁର୍ବାସାଙ୍କର ଅହଂକାର ଭାଙ୍ଗି ପଡୁଥାଏ । ତାଙ୍କ ତପସ୍ୟାର ସମସ୍ତ ଶକ୍ତି ନଷ୍ଟ ହୋଇ ସାରିଥାଏ । ଏବେ ସେ ତାଙ୍କ ନିଜକୁ ନିହାତି ଦୁର୍ବଳ ଓ ଅସହାୟ ମନେ କରୁଥା’ନ୍ତି । ଯେତେବେଳେ ବ୍ରହ୍ମା ଓ ଶିବ ତାଙ୍କୁ ରକ୍ଷା କରିପାରିଲେ ନାହିଁ ସେ ସେତେବେଳେ ଶ୍ରୀବିଷ୍ଣୁଙ୍କର ଶରଣ ପଶିଲେ ।
ତାଙ୍କୁ ଦେଖି ବିଷ୍ଣୁ କହିଲେ, “ମୁଁ ଅନେକ ଦିନ ପୂର୍ବରୁହିଁ ମୋର ଚକ୍ରକୁ ଅମ୍ବରୀଷଙ୍କୁ ରକ୍ଷା କରିବା ପାଇଁ ନିଯୁକ୍ତ କରିଥିଲି । ଏବେ ତ ମୋ ଚକ୍ର କେବଳ ତାଙ୍କରି ଆଜ୍ଞାହିଁ ପାଳନ କରିବ । ମୁଁ ତୁମମାନଙ୍କ ଝଗଡା ମଝିରେ ପଶିବାକୁ ଆଦୌ ଚାହୁଁନାହିଁ, ତମେ ଶୀଘ୍ର ଯାଇ ଅମ୍ବରୀଷଙ୍କୁହିଁ ପ୍ରାର୍ଥନା କର । ସେ ତୁମର ଜୀବନ ରକ୍ଷା କରିବେ ।” ବିଷ୍ଣୁ ମଧ୍ୟ ତାଙ୍କୁ ରକ୍ଷା କରିପାରିବେ ନାହିଁ ବୋଲି କହିଲେ ।
ବହୁତ ସାହସ ସଞ୍ଚୟ କରି ଦୁର୍ବାସା ବିଷ୍ଣୁଙ୍କ ନିକଟକୁ ଆସିଥିଲେ । କିନ୍ତୁ ସେଠାରେ ନିରାଶ ହେବା ପରେ ଆଉ କେଉଁ ମୁହଁ ନେଇ ସେ ପୁଣି ରାଜା ଅମ୍ବରୀଷଙ୍କ ପାଖକୁ ଯିବେ? କିନ୍ତୁ ପ୍ରାଣରକ୍ଷା କରିବାକୁ ଆଉ କୌଣସି ଉପାୟ ନଥିଲା । ଚକ୍ର ତାଙ୍କ ପଛେ ପଛେ ଘୁରୁଥାଏ । ତିନିଲୋକର କର୍ତ୍ତା ମଧ୍ୟ ତାଙ୍କୁ ରକ୍ଷା କରିବାରେ ଅସମର୍ଥ ହେଲେ । ଏସବୁ ଭାବିବା ମାତ୍ରେ ତାଙ୍କର ସମସ୍ତ ଅହଂକାର ଚୂର୍ଣ୍ଣ ହେଲା ଓ ସେ ନିଜକୁ କ୍ଷୁଦ୍ରାଦପି କ୍ଷୁଦ୍ର ଏକ ପ୍ରାଣୀ ବୋଲି ଜ୍ଞାନ କଲେ ।
ଗର୍ବ ଭାଙ୍ଗି ଯିବାରୁ ଦୁର୍ବାସା ଅମ୍ବରୀଷଙ୍କ ଶରଣ ନେବାରେ ଆଉ କିଛିବି ବାଧା ରହିଲା ନାହିଁ । ସେ ଅମ୍ବରୀଷଙ୍କ ପାଖକୁ ଯାଇ ନିଜର ପ୍ରାଣରକ୍ଷା କଲେ । ଏହାପରେ ସୁଦର୍ଶନ ଚକ୍ର ଆପେ ଆପେ କୁଆଡେ ଅଦୃଶ୍ୟ ହୋଇଗଲା । ଏହି ଘଟଣା ପରେ ଅମ୍ବରୀଷଙ୍କୁ ବିଷ୍ଣୁଙ୍କର ପରମ ଭକ୍ତ ବୋଲି ସମସ୍ତେ ଜାଣିଲେ ।
ଅମ୍ବରୀଷ ଉପାଖ୍ୟାନ ପରେ ସୂତମୁନି ସୂର୍ଯ୍ୟବଂଶୀ ରାଜାମାନଙ୍କ ଗୁଣ ବର୍ଣ୍ଣନା କରୁଥା’ନ୍ତି । ସେ କହିଲେ ସେମାନଙ୍କ ମଧ୍ୟରେ ଗାଧି ଜଣେ ପ୍ରତାପଶାଳୀ ରାଜା ଥିଲେ । ବିଶ୍ୱାମିତ୍ର ତାଙ୍କର ପୁତ୍ର ଥିଲେ । ସେ କୃତାଶ୍ୱଙ୍କଠାରୁ ଧନୁର୍ବିଦ୍ୟା ଶିଖିଥିଲେ ଓ ନିଜ ତପସ୍ୟା ବଳରେ ଅନେକ ଦିବ୍ୟାସ୍ତ୍ରଙ୍କୁ ସେ ତାଙ୍କ ଆୟତ୍ତରେ ରଖିଥିଲେ । ଅସ୍ତ୍ରବିଦ୍ୟାରେ ସେ ପ୍ରବୀଣ ଥିଲେ ।
ରାଜା ହେବା ପରେ ସେ ଥରେ ତାଙ୍କର ସୈନ୍ୟସାମନ୍ତ ନେଇ ପାରିଧିକୁ ଯାଇଥା’ନ୍ତି । ଫେରିବା ବାଟରେ ସେ ବଶିଷ୍ଠଙ୍କ ଆଶ୍ରମକୁ ଗଲେ । ସେଠାରେ ବଶିଷ୍ଠ ତାଙ୍କ କାମଧେନୁ ଦ୍ୱାରା ରାଜା ଓ ତାଙ୍କ ଲୋକମାନଙ୍କ ପାଇଁ ନାନା ପ୍ରକାର ଖାଦ୍ୟ ସୃଷ୍ଟି କରାଇ ସେମାନଙ୍କୁ ଅତିଥି ସତ୍କାର କଲେ । କାମଧେନୁର ସେହି ଅଦ୍ଭୁତ ଶକ୍ତି ଦେଖି ବିଶ୍ୱାମିତ୍ର ବଶିଷ୍ଠଙ୍କୁ ଅନୁରୋଧ କରି କହିଲେ, “ଏଇଟି ଆପଣ ମୋତେ ଦେଇ ଦିଅନ୍ତୁ, ପରିବର୍ତ୍ତରେ ମୁଁ ଦଶଲକ୍ଷ ଗାଈ ଆପଣଙ୍କୁ ଦେବି ।”
କିନ୍ତୁ ବଶିଷ୍ଠ ତାଙ୍କର ସେ ଅନୁରୋଧକୁ ଅସ୍ୱୀକାର କଲେ । ବିଶ୍ୱାମିତ୍ର ଏଥିରେ କ୍ରୋଧାନ୍ୱିତ ହୋଇ ନିଜ ସୈନ୍ୟମାନଙ୍କୁ ସେ କାମଧେନୁକୁ ବଳ ପ୍ରୟୋଗ କରି ନେଇ ଯିବାକୁ ଆଦେଶ ଦେଲେ ।
ସେତେବେଳେ ଆଉ ଏକ ବିଚିତ୍ର ଘଟଣା ଘଟିଲା । କାମଧେନୁର ଶରୀରରୁ ଅସଂଖ୍ୟ ସୈନିକ ସୃଷ୍ଟି ହେଲା । ସେମାନେ ସବୁ ବିଶ୍ୱାମିତ୍ରଙ୍କ ସୈନ୍ୟମାନଙ୍କୁ ମାରିଦେଲେ । ବିଶ୍ୱାମିତ୍ର ଆହୁରି ଆଶ୍ଚର୍ଯ୍ୟ ହୋଇ ଭାବିଲେ ଯେ ଯୋଗଶକ୍ତି ତୁଳନାରେ ରାଜାର ଶକ୍ତି କେତେ ତୁଚ୍ଛ । ଏକଥା ଉପଲବ୍ଧି କରି ସେ ତାଙ୍କ ରାଜ୍ୟ ତ୍ୟାଗ କରି ଘୋର୍ ତପସ୍ୟା କଲେ ଓ ଅବଶେଷରେ ବଶିଷ୍ଠଙ୍କ ପରି ବ୍ରହ୍ମର୍ଷି ମଧ୍ୟ ହେଲେ ।
ଥରେ ସେ ତାଙ୍କ ଆଶ୍ରମରେ ଯଜ୍ଞ କରୁଥା’ନ୍ତି । ସେତେବେଳେ ରାବଣର ପ୍ରରୋଚନାରେ ପଡି ଅନେକ ରାକ୍ଷସ ଆସି ତାଙ୍କର ଯଜ୍ଞ ଓ ତପସ୍ୟାରେ ବାଧା ସୃଷ୍ଟି କରୁଥା’ନ୍ତି । ସେ ଯଜ୍ଞରେ ଦୀକ୍ଷିତ ହୋଇଥିବାରୁ ବ୍ରହ୍ମଶକ୍ତି ରାକ୍ଷସମାନଙ୍କ ଉପରେ ପ୍ରୟୋଗ କରିପାରୁ ନଥା’ନ୍ତି । ପରେ ଯୋଗବଳରେ ସେ ଜାଣି ପାରିଲେ ରାକ୍ଷସମାନଙ୍କୁ ସଂହାର କରିବାକୁ ଶ୍ରୀବିଷ୍ଣୁ ରାମ ରୂପରେ ଅଯୋଧ୍ୟାର ସୂର୍ଯ୍ୟ ବଂଶରେ ଜନ୍ମ ନେଇଛନ୍ତି । ଏକଥା ଜାଣି ସେ ଅତ୍ୟନ୍ତ ଆନନ୍ଦିତ ହୋଇ ଅଯୋଧ୍ୟା ଅଭିମୁଖରେ ଚାଲିଲେ । ତାଙ୍କର ସମସ୍ତ ଅସ୍ତ୍ରଶସ୍ତ୍ର ସମ୍ପର୍କୀୟ ବିଦ୍ୟା ସେ ରାମଙ୍କୁ ଓ ଲକ୍ଷ୍ମଣଙ୍କୁ ଶିକ୍ଷା ଦେଇଥିଲେ । ସେ ରାମ ଓ ଲକ୍ଷ୍ମଣଙ୍କର ଅସ୍ତ୍ରଗୁରୁ ଥିଲେ । ପରେ ତାଙ୍କ ସହିତ ରାମ ଲକ୍ଷ୍ମଣ ବଣକୁ ଆସି ଅନେକ ଅସୁରଙ୍କୁ ନିହତ କରିଥିଲେ ।
ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ ମନଗଢା ବା କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। କିଛି କାହାଣୀରେ କିଛି ମାତ୍ରାରେ ସତ୍ୟତା ଥିଲେ ମଧ୍ୟ ତାହା ମନଗଢା କଥା ଦ୍ୱାରା ବର୍ଣ୍ଣିତ ଏବଂ ବଢ଼େଇ ଚଢେଇ ଲିଖିତ । ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ ମାନିବା ଅନୁଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ ଏବଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।