ଅଷ୍ଟାଦଶ ଶତାଦ୍ଦୀଋ ଶେଷ ସମୟ । ଇଂରେଜମାନେ ଭାରତର ବିଭିନ୍ନ ରାଜ୍ୟରେ ରାଜୁତି ଆଋମ୍ଭ କରି ଦେଇଥିଲେ । ସେମାନେ ଆସ୍ତେ ଆସ୍ତେ ସେମାନଙ୍କ କ୍ଷମତା ବିସ୍ତାର କରୁଥାନ୍ତି । କଳେ, ବଳେ ଆଉ କୌଶଳେ । ଭାରତର ଛୋଟ ଛୋଟ ରାଜ୍ୟର ରାଜା ଜମିଦାରମାନେ ନିଜ ନିଜ ଭିତରେ ବାଦବିବାଦ, କଳି ତଳରାଳରେ ଲାଗିଥାନ୍ତି । କେଉଁ ରାଜ୍ୟରେ ରାଜା ଓ ତାଙ୍କ ପୁଅ ଭିତରେ ତ, ଆଉ କେଉଁଠି ରାଜା ଓ ସେନାପତି ମଧ୍ୟରେ ଅପଡ଼ ଓ ଅଶାନ୍ତି । କେଉଁଠି ଜମିଦାର କୃଷକଙ୍କ ମଧ୍ୟରେ ଭୁଲ ବୁଝାମଣା ତ କେଉଁଠି ରାଜା ପ୍ରଜାମାନଙ୍କ ଉପରେ ଅତ୍ୟାଚାର ଚଳାଇଥିଲେ । କେଉଁଠି ରାଜା ଆଉ ଜମିଦାରଙ୍କ ଦୁର୍ବଳତାର ସୁଯୋଗ ନେଇ କର୍ମଚାରୀ କିମ୍ବା ଭାଇ ବିରାଦରଙ୍କର ଶୋଷଣ ଚାଲିଥିଲା ।
ଇଂରେମାନେ ଏଇସବୁ ଗଣ୍ଡଗୋଳ ଆଉ ଅଶାନ୍ତିର ସୁଯୋଗ ନେଉଥିଲେ । କଙ୍କଡ଼ାକୁ ଗୋଳିପାଣି ସୁହାଏ । ସେମାନେ ଏଘର ମାଊସୀ ତ ସେଘର ସେଘର ପିଉସୀ ହୋଇ ନିଜର ଘର ଉଠାଉଥିଲେ । ଦୀପ ତେଜିଲେ ହାତ ଚିକ୍କଣ । ଦୁହିଁଙ୍କ ଭିତରେ ଅଶାନ୍ତିର ନିଆଁଜାଳି ନିଜର ସୁବିଧା କରୁଥିଲେ । ଆଖି ଦେଖାଇ ନିଜ ବଳରେ ଡ଼ରାଇ ଏଇ ରାଜା ଜମିଦାରମାନଙ୍କଠାରୁ କର ଆଦାୟ କରୁଥିଲେ । ଏଇ କରକୁ ପୁଣି ବର୍ଷକୁ ବର୍ଷ ବଢ଼ାଇ ଚାଲିଥିଲେ । ଫଳରେ ଲୋକଙ୍କ ଉପରେ କର ବୋଝ ବଢ଼ି ବଢ଼ି ଚାଲିଥିଲା । ରାଜା ଜମିଦାର ମାନେ ପ୍ରଜାମାନଙ୍କୁ ଧମକାଇ ଚମକାଇ ଏଇ କର ଆଦାୟ କରୁଥିଲେ । କେଉଁଠି ଅବସ୍ଥା ଅସମ୍ଭାଳ ହେଲେ ଲୋକେ ବିଦ୍ରୋହ କରୁଥିଲେ ବା କେଉଁଠି ରାଜା ଜମିଦାରମାନେ ଇଂରେଜମାନଙ୍କ ବିରୁଦ୍ଧରେ ବିଦ୍ରୋହ କରୁଥିଲେ ।
ସମୟରେ ତାଙ୍କ ପୁଅ ଧନଞ୍ଜୟ ଭଞ୍ଜ ରାଜୁତି କଲେ । କିନ୍ତୁ ତାଙ୍କର ଅତ୍ୟାଚାର ଓ ଦୁନୀତି ଖୁବ୍ ପ୍ରବଳ ହେଲା । ଲୋକମାନେ ବି ଅତିଷ୍ଠ ହୋଇ ପଡ଼ିଲେ। ରାଜ୍ୟର ଋଣଭାର ବଢ଼ିବାରେ ଲାଗିଲା ।
ଶ୍ରୀକର ଭଞ୍ଜ ୧୭୯୫ ଖ୍ରୀଷ୍ଟାବ୍ଦରେ ତୀର୍ଥରୁ ଫେରି ପୁଣି ରାଜ୍ୟଭାର ନିଜ ହାତକୁ ନେଲେ । କିନ୍ତୁ ରାଜ୍ୟର ଋଣ ବୋଝ ଓ ଇଂରେଜ ସରକାରଙ୍କ ପାଊଣା ଏତେ ଅଧିକ ବଢ଼ିବାରେ ଲାଗିଲା ଯେ ଶାସନ ଚଳାଇବାକୁ ଅକ୍ଷମ ହୋଇ ପଡ଼ିଲେ । କିନ୍ତୁ ଘୋଷଣା କଲେ ଯେ ଜିଲ୍ଲା କଲେକ୍ଟରଙ୍କ ନିଯୁକ୍ତ ଏଜେଣ୍ଟଙ୍କ ଖରାପ ବ୍ୟବହାର ଓ ଜାଲିଆତି ଯୋଗୁଁ ସେ ରାଜ୍ୟ ଶାସନରୁ ଇସ୍ତଫା ଦେଲେ । ଏଇ ସମୟରେ ପାରଳାଖେମୁଣ୍ତିର ରାଜା ଜଗନ୍ନାଥ ଦେଓ ଓ ବିଜୟନଗରମ୍ର ରାଜା ମଣିଦେଓ ଇଂରେଜ ସରକାରଙ୍କ ଉପରେ ବିରକ୍ତ ହୋଇ ତାଙ୍କ ବିରୁଦ୍ଧରେ ବିଦ୍ରୋହ ଘୋଷଣା କରିଥିଲେ ।
ଶ୍ରୀକର ଭଞ୍ଜ ଘୁମୁସୁର ପାଇକମାନଙ୍କୁ ଧରି ଇଂରେଜମାନଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲେ । ୧୮୦୧ମସିହାରେ ପାରଳାଖେମୁଣ୍ଡି ଓ ବିଜୟନଗରମ୍ ସୈନ୍ୟମାନେ ମଧ୍ୟ ଇଂରେଜ ଫଉଜଙ୍କ ଉପରେ ଆକ୍ରମଣ ଆରମ୍ଭ କରିଦେଲେ । ଇଂରେଜମାନେ ଏମିତି ଷଣ୍ଢୁଆସି ଆକ୍ରମଣର ଆଶଙ୍କା କରି ନଥିଲେ । ହେଲେ ସୁଦ୍ଧା ଫିରିଙ୍ଗ ସରକାରଙ୍କ ଶକ୍ତିଶାଳୀ ହାତ ହତିଆର ଓ ଆଧୁନିକ ଯୁଦ୍ଧ କୌଶଳମାନ ଯୋଗୁ୍ଁ ଏଇ ବିଦ୍ରୋହକୁ ଦମନ କରିଦେଲେ।
ଫିରିଙ୍ଗ ସରକାର ପକ୍ଷରୁ ଘୋଷଣା କରାଗଲା ୟେ ଶ୍ରୀକର ଭଞ୍ଜ ଘୁମୁସର ରାଜଗାଦିରୁ ତଡା ଖାଇଲେ ଏବଂ ତାଙ୍କ ପୁଅ ଧନଞ୍ଜୟ ଭଞ୍ଜ ଘୁମୁସର ରାଜା ହେଲେ । କିନ୍ତୁ ଶ୍ରୀକର ଭଞ୍ଜ ଲୁଚିଛପି ରାଜ୍ୟଭିତରେ ନାନାପ୍ରକାର ଗୋଳମାଳ ସୃଷ୍ଟି କରୁଥିଲେ । କିନ୍ତୁ ୧୮୦୭ ବା ୧୮୦୮ ବେଳକୁ ଘୁମୁସର କନ୍ଧମାନଙ୍କ ସହିତ ଶ୍ରୀକର ଭଞ୍ଜଙ୍କର ଅପଡ଼ ହେଲା, ନିଜ ପୁଅ ଧନଞ୍ଜୟ ଭଞ୍ଜ ମଧ୍ୟ ତାଙ୍କ ବିରୁଦ୍ଧରେ ଷଡଯନ୍ତ୍ର କରି ରାଜ୍ୟରୁ ତାଙ୍କୁ ତଡ଼ିବାର ବ୍ୟବସ୍ଥା କଲେ। ଫଳରେ ଶ୍ରୀକର ଭଞ୍ଜ ଜଣେ ସନ୍ନ୍ୟାସୀ ଭାବରେ ସାତବର୍ଷ କାଳ ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣ କଲେ।
ଏଣେ ୧୮୧୪ ମସିହା ବେଳକୁ ଧନଞ୍ଜୟ ଭଞ୍ଜଙ୍କ ବିରୁଦ୍ଧରେ ମାତୃହତ୍ୟା ଓ ଅନ୍ୟାନ୍ୟ ଅପରାଧର ଅଭିଯୋଗ ହେଲା । ମାଲିମକଦ୍ଦମା ମଧ୍ୟ ଚାଲିଲା । ସେ କିନ୍ତୁ ଏହାର ପ୍ରତିବାଦ କଲେ । ଶେଷରେ ୧୮୧୫ ଖ୍ରୀଷ୍ଟାବ୍ଦରେ ତାଙ୍କର ଜମିଦାରୀ ଫିରିଙ୍ଗ ସରକାରଙ୍କ ଦ୍ୱାରା ବାଜ୍ୟାପ୍ତ କରାଗଲା । ଧନଞ୍ଜୟ ଭଞ୍ଜ ଏହାର ପ୍ରତିରୋଧ କରିବାରୁ ଫ୍ଲେଚର ସାହେବଙ୍କୁ ତାଙ୍କୁ ଦମନ କରିବାକୁ ପଠାଗଲା । ରାଜାଙ୍କର କୁଲାଡ଼ ଗଡ଼କୁ ଫିରିଙ୍ଗ ଫଉଜ ଦଖଲ କରିନେଲେ । ଧନଞ୍ଜୟ ଭଞ୍ଜ ମଧ୍ୟ କଲେକ୍ଟରଙ୍କ ନିକଟରେ ଆତ୍ମସମର୍ପଣ କଲେ । ସର୍କିଟ କୋର୍ଟରେ ତାଙ୍କର ବିଚାର ହେଲା । ମାତ୍ର ଶେଷରେ ତାଙ୍କୁ ଛାଡ଼ିଦିଆଗଲା ଏବଂ ଚିଙ୍ଗେଲପୁର ଜେଲକୁ ଜଣେ ସରକାରୀ ବନ୍ଦୀ ଭାବରେ ପଠାଇ ଦିଆଗଲା ।
ଏଇ ସମୟରେ ଦୋରା ବିଶୋଇ ନାମକ ଜଣେ କନ୍ଧ ସର୍ଦ୍ଦାର ଘୁମୁସର ରାଜ୍ୟରେ ପ୍ରଭୁତ୍ୱ ବିସ୍ତାର କରିଥିଲେ । ତାଙ୍କ ପ୍ରେରଣାରେ ପାରଳାଖେମୁଣ୍ଡି, ଘୁମୁସର, ଶେରଗଡ଼ ପ୍ରଭୃତି ଅଞ୍ଚଳରେ ବାରମ୍ବାର ବିଦ୍ରୋହ ମୁଣ୍ଡ ଟେକୁଥିଲା । ଗଞ୍ଜାମର ଜମିଦାର, ବିଶୋଇ ଓ ପାଇକମାନେ ଖୁବ୍ ସ୍ୱାଧୀନତାପ୍ରେମୀ ଥିବାରୁ ସେମାନେ ଫିରିଙ୍ଗ ସରକାରଙ୍କୁ ମାନିନେଲେ ନାହିଁ । ଯୁଗ ଯୁଗ ଧରି ସେମାନେ ଯେଉଁ ସ୍ୱାଧୀନତାର ସ୍ୱାଦ ଚାଖିଥିଲେ, ଫିରିଙ୍ଗ ସରକାରଙ୍କ କାଇଦା କଟକଣା ସେଥିରେ ବାଧାଦେଲା । ସେମାନେ ଇଂରେଜମାନଙ୍କର ପ୍ରଭୁତ୍ୱକୁ ଘୃଣା କଲେ । ୧୭୫୩ରୁ ଗଞ୍ଜାମ ଫିରିଙ୍ଗ ସରକାରଙ୍କର ସୈନ୍ୟବଳ ଓ ଅସ୍ତ୍ରଶସ୍ତ୍ର ପାଖରେ ଗଞ୍ଜାମର ପାଇକ ଏବଂ ବିଶୋଇମାନଙ୍କର ଦୃଢ ମନୋବଳ, ସ୍ୱାଧୀନପ୍ରୀତି ଓ ଅପୂର୍ବ ସାହସ ଶେଷରେ ହାର ମାନିବାକୁ ବାଧ୍ୟ ହେଲା ।
ଯେଉଁ ବୀର ସର୍ଦ୍ଦାରମାନେ ଇଂରେଜ ସରକାରଙ୍କୁ ଅତ୍ୟନ୍ତ ହନ୍ତସନ୍ତ କରି ପକାଇଥିଲେ, ସେମାନଙ୍କ ମଧ୍ୟରେ ଦୋରା ବିଶୋଇ ପ୍ରଧାନ । ସେ ୧୭୮୦ ଖ୍ରୀଷ୍ଟାବ୍ଦରେ କୁଲାଡ଼ ନିକଟରେ ଥିବା ବିଞ୍ଜଗିରି ଗ୍ରାମରେ ଜନ୍ମ ହୋଇଥିଲେ। ସେ ଜାତିରେ ବେଣିଆ କନ୍ଧ ଥିଲେ ହେଁ ପିଲାଦିନୁ ଯୁଦ୍ଧବିଦ୍ୟା ଶିକ୍ଷା କରିଥିଲା । ଗାଁର ଆଖଡାଘରେ ସେ କୁସ୍ତିକସରତ, ବାଡିଖେଳ, ଖଣ୍ଡାଖେଳ ଓ ମଲ୍ଲଯୁଦ୍ଧ ପ୍ରଭୃତି ଅଭ୍ୟାସ କରୁଥିଲେ । ଅଳ୍ପ ବୟସରେ ସେ ଧନୁଶର, ଖଣ୍ଡାଖେଳ ଓ ମଲ୍ଲଯୁଦ୍ଧରେ ସମସ୍ତଙ୍କୁ ଟପି ଯାଇଥିଲେ ।ଚାରିଆଡେ ଦୋରା ବିଶୋଇଙ୍କର ବୀରତ୍ୱ ପ୍ରଚାରିତ ହୋଇଗଲା ।
ଧନଞ୍ଜୟ ଭଞ୍ଜ ପୁଣି ଘୁମୁସରର ରାଜଗାଦିରେ ବସିଥିଲେ । କିନ୍ତୁ ଇଂରେଜ ସରକାରଙ୍କୁ ରାଜସ୍ୱ ନ ଦେବା ଫଳରେ ୧୮୩୫ରେ କଲେକ୍ଟର ଷ୍ଟିଫେନସନ ତାଙ୍କୁ ଧମକ ଦେଲେ । ଏକ ମାସ ମଧ୍ୟରେ ରାଜସ୍ୱ ବକେୟା ସବୁ ଦାଖଲ ନ କଲେ ତାଙ୍କର ଜମିଦାରୀ ବାଜ୍ୟାପ୍ତି ହୋଇଯିବ ବୋଲି ଜଣାଇଦେଲେ । ସେତେବେଳେ ଧନଞ୍ଜୟ ଦୋରା ବିଶୋଇଙ୍କୁ ତାଙ୍କ ସୈନ୍ୟ ବାହିନୀର ପ୍ରଧାନ ସେନାପତି ଭାବରେ ନିଯୁକ୍ତ କରିଥିଲେ । ତାଙ୍କର ବୀରତ୍ୱ ଓ ସାହସରେ ମୁଗ୍ଧ ହୋଇ ତାଙ୍କୁ “ବୀରବର ପାତ୍ର” ଉପାଧି ଦେଇଥିଲେ । ଇଂରେଜ ସରକାରଙ୍କ ଧମକରେ ଡରି ନଯାଇ ତାଙ୍କୁ ମୁକାବିଲା କରିବା- ପାଇଁ ଦୋରା ରାଜାଙ୍କୁ ପରାମର୍ଶ ଦେଲେ । ୧୮୩୫ ମସିହାରେ ଫିରିଙ୍ଗ ଫଉଜ କୁଲାଡ଼ ଗଡ଼କୁ ଆନ୍ରମଣ କଲେ । ଭୟଙ୍କର ଯୁଦ୍ଧ ହେଲା । ଶେଷରେ ଘୁମୁସରର ସୈନ୍ୟମାନେ ପରାସ୍ତ ହେଲେ । କୁଲାଡ଼ ଗଡ଼କୁ ଇଂରେଜମାନେ ଦଖଲ କରିନେଲେ ।
ଧନଞ୍ଜୟ ଭଞ୍ଜ ଘଞ୍ଚ ଜଙ୍ଗଲକୁ ପଳାୟନ କଲେ ଏବଂ ସେଠାରେ ମୃତ୍ୟୁବରଣ କଲେ । ଦୋରା ବିଶୋଇ କିନ୍ତୁ ତାଙ୍କର ସୈନ୍ୟମାନଙ୍କୁ ଇଂରେଜମାନଙ୍କର ମୁକାବିଲା କରିବାକୁ ପ୍ରସ୍ତୁତ କଲେ । ଘୁମୁସର ଛାଡ଼ି ସେ ତୋରାବାଡ଼ି ଗାଁରେ ରହିଲେ । ସେଠାରେ ସେ ଏକ ଯୁଦ୍ଧଶିକ୍ଷାକେନ୍ଦ୍ର ଗଢ଼ିଲେ । ନାନାସ୍ଥାନରୁ ଯୁବକମାନେ ଆସି ସେଠାରେ ଯୁଦ୍ଧବିଦ୍ୟା ଶିକ୍ଷା କଲେ । ସେମାନଙ୍କ ମଧ୍ୟରେ ଅଧିକାଂଶ କନ୍ଧ ସଂପ୍ରଦାୟର ଥିଲେ ଏବଂ ସେମାନଙ୍କ ସାହସ ଓ ସ୍ୱାଧିନତା ପ୍ରେମ ସମସ୍ତଙ୍କଠାରୁ ବଳିଯାଇଥିଲା ।
୧୮୧୭ ମସିହାରେ ଖୋର୍ଦ୍ଧାର ପାଇକ ବିଦ୍ରୋହ ଚାଲିଥିଲା ବେଳେ, ଦୋରା ପାଞ୍ଚଶହ କନ୍ଧ ସୈନ୍ୟଙ୍କୁ ଫିରିଙ୍ଗ ସରକାର ବିରୁଦ୍ଧରେ ଲଢ଼ିବାକୁ ପଠାଇଥିଲେ । ସେମାନେ ଖୋର୍ଦ୍ଧାରେ ଫଞ୍ଚିବା ମାତ୍ରେ ବିଦ୍ରୋହର ନିଆଁ ହୁତ୍ ହୁତ୍ ହୋଇ ଜଳି ଉଠିଥିଲା ।
ଏଣେ ଘୁମୁସର ରାଜ୍ୟରେ ଇଂରେଜ ସୈନ୍ୟମାନେ ଆଗକୁ ଆଗକୁ ମାଡ଼ିଚାଲିଥାନ୍ତି । ମାନ୍ଦ୍ରାଜରୁ ନୂଆ ନୂଆ ସୈନ୍ୟଦଳ ଆଉ ଶକ୍ତିଶାଳୀ ହାତ ହତିଆର ଆଣି ବିଦ୍ରୋହୀମାନଙ୍କୁ ଦମନ କରିବାକୁ ଇଂରେଜ ସରକାର ପ୍ରାଣମୁର୍ଚ୍ଛା ଲାଗିଥାନ୍ତି । ଦୋରା ପାହାଡ଼ିଆ ଘାଟୀ ସ୍ଥାନମାନଙ୍କରେ ଜଗିରହି ଫିରିଙ୍ଗ ଫଉଜଙ୍କ ଉପରେ ପ୍ରବଳ ଆକ୍ରମଣ କରୁଥାନ୍ତି । ଅନେକ ଇଂରେଜ ସୈନ୍ୟ ମରୁଥାନ୍ତି ବା ଆହତ ହେଉଥାନ୍ତି । ଦୋରା ନିଜର ସୈନ୍ୟମାନଙ୍କ ସହ ଆଲୋଚନା କରି ନୁଆ ନୁଆ କୌଶଳ ଠିକ୍ କରୁଥାନ୍ତି । ତାଙ୍କ ପରାମର୍ଶରେ ସହକର୍ମୀ ବଳୀୟାର ସିଂହ, ଛଞ୍ଛାଣ ସିଂହ, ପାଲଟା ସିଂହ ପ୍ରଭୃତି ଲୁଚିଛପି ଫିରିଙ୍ଗ ଫଉଜଙ୍କ ଉପରେ ଆକ୍ରମଣ କରୁଥାନ୍ତି । ଇଂରେଜ ସେନାପତି ଖୁବ ବ୍ୟସ୍ତ ହୋଇ ପଡ଼ିଲେ । ଫିରିଙ୍ଗ ଫଉଜଙ୍କ ମଧ୍ୟରେ ଖାଦ୍ୟର ଅଭାବ ପଡ଼ିଲା ।
ଇଂରେଜମାନେ ବିଦ୍ରୋହ ଦମନ କରିବାକୁ ଏକ ନୂଆ ଉପାୟ ପାଞ୍ଚିଲେ । ସେମାନେ ଗାଁ ମୁଖିଆମାନଙ୍କୁ ନିଜ ଅକ୍ତିୟାରରେ ରଖିବା ପାଇଁ ଧୁଆଁପତ୍ର, ଦର୍ପଣ, ଛିଟକନା, କାଚମାଳୀ, ପୋହଳା ଆଦି ବାଣ୍ଟିଲେ । ଦୋରା ଓ ତାଙ୍କର ସହକର୍ମୀମାନଙ୍କୁ ଧରାଇ ଦେଲେ ପୁରସ୍କାଋ ଦେବେ ବୋଲି ଘୋଷଣା କଲେ । ଧନ ଲୋଭରେ କେତେକ ଦେଶଦ୍ରୋହୀ ଇଂରେଜମାନଙ୍କୁ ସାହାଯ୍ୟ କଲେ । ଘରଢିଙ୍କି କୁମ୍ଭୀର ହେଲା ।
ସେଇ ଦେଶଦ୍ରୋହୀଙ୍କ ମଧ୍ୟରେ ଶ୍ୟାମ ବିଶୋଇ ପ୍ରଧାନ । ସେ ବିଶ୍ୱାସରେ ବିଷ ଦେଇ ଅନେକ ବିଦ୍ରୋହୀଙ୍କୁ ଧରାଇ ଦେଇଥିଲେ । ଅନେକ କନ୍ଧବୀର ଇଂରେଜ ସୈନ୍ୟଙ୍କ ଗୁଳିରେ ମୃତ୍ୟୁମୁଖରେ ପଡ଼ିଲେ । କେତେକ ଜେଲ୍ରେ ଅଟକ ହୋଇ ରହିଲେ । ଏହା ଛଡ଼ା ପଡ଼ିଶା ରାଜ୍ୟ ଗୁଡ଼ିକର ରାଜା, ଜମିଦାରମାନେ ଇଂରେଜମାନଙ୍କର ପ୍ରିୟପାତ୍ର ହେବାପାଇଁ ବିଦ୍ରୋହୀମାନଙ୍କୁ ଧରେଇ ଦେବାରେ ସାହାଯ୍ୟ କଲେ । ଆପଣା ସୁନାଭେଣ୍ଡି ! କାହାକୁ ଆଉ କହିବା ?
ଫଳରେ ଦୋରାଙ୍କ ଦଳ ଭାଙ୍ଗି ଯିବାରେ ଲାଗିଲା । ଯେଉଁ ମନୋବଳ, ସାହସ ଓ ଦେଶପ୍ରେମର ଜଳନ୍ତା ନିଆଁ ନେଇ ସେ ସାରା ଇଂରେଜ ଶାସନକୁ ଜାଳି ପୋଡ଼ି ପାଉଁଶ କରିବାକୁ ପଣ କରିଥିଲେ, ଆମରି ଦେଶର ଲୋକମାନଙ୍କ ସଂକୀର୍ଣ୍ଣ ସ୍ୱାର୍ଥ ଓ ଈର୍ଷାଦ୍ୱେଷ ଯୋଗୁଁ ସେସବୁ ଲଭିଯିବାକୁ ବସିଲା । ସେ ଶେଷରେ ନୟାଗଡ଼ ଓ ଦଶପଲ୍ଲାର ଘନ ଜଙ୍ଗଲରେ ଘୁରି ବୁଲିଲେ କେତେ ବର୍ଷପାଇଁ ।
ଦୋରା ବିଶୋଇ କନ୍ଧ ସମାଜରେ ସେତେବେଳେ ଚଳୁଥିବା ମେରିଆ ପୁଜା ଯେଉଥିରେ ମଣିଷଙ୍କୁ ବଳି ଦିଆଯାଉଥିଲା, ତାକୁ ବନ୍ଦ କରି ଦେଇଥିଲେ । କନ୍ଧମାନଙ୍କୁ ମେଳି କରି ସେ ସେମାନଙ୍କ ସମାଜରୁ ସବୁ ଅନ୍ୟାୟ ଅତ୍ୟାଚାର ଲୋପ କରିବାକୁ ଶିକ୍ଷା ଦେଉଥିଲେ । ସେଥିପାଇଁ ସେ ଅନେକ କାର୍ଯ୍ୟ ମଧ୍ୟ କରିଥିଲେ ।
୧୮୫୭ରେ ସିପାହୀ ବିଦ୍ରୋହର ନିଆଁ ଜଳି ଉଠିଲା । ତାକୁ ଭାରତର ପ୍ରଥମ ସ୍ୱାଧୀନତା ଆନ୍ଦୋଳନ ବୋଲି କୁହାଗଲା । ତାହା ସାରା ଉତ୍ତର ଭାରତରେ ବିପ୍ଳବର ନିଆଁ ଜାଳି ଫିରିଙ୍ଗ ସରକାରଙ୍କ ମନରେ ଛନକା ପୂରାଇ ଦେଇଥିଲେ । କୁହାଯାଏ, ବୀର ସେନାପତି ଦୋରା ବିଶୋଇ ସେଇ ଆନ୍ଦୋଳନରେ ମଧ୍ୟ ଯୋଗ ଦେଇଥିଲେ ।
ତାଙ୍କର ଶେଷ ଜୀବନ କିପରି କଟିଲା ଏବଂ କିପରି କେଉଁଠି ସେ ଶହୀଦ ହେଲେ ଜାଣିବା ଏ ପର୍ଯ୍ୟନ୍ତ ସମ୍ଭବ ହୋଇ ନାହିଁ । ତେବେ ସେ ଏଇ ଦେଶର ଜଣେ ବୀରପୁତ୍ର ଏବଂ ସାହସୀ ସେନାପତି, ଏକଥା ଏଇ ଜାତି କେବେ ଭୁଲି ପାରିବ ନାହିଁ ।