• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଅନ୍ୟାନ୍ୟ»ବୀର ଶହୀଦ ବାଜିରାଉତ
ଅନ୍ୟାନ୍ୟ

ବୀର ଶହୀଦ ବାଜିରାଉତ

ଜଗନ୍ନାଥ ମହାନ୍ତିBy ଜଗନ୍ନାଥ ମହାନ୍ତିFebruary 17, 2020No Comments9 Mins Read
Facebook Twitter Pinterest Reddit LinkedIn Tumblr Email
Share
Facebook Twitter Pinterest Reddit Email

ଛତିଶ ବର୍ଷ ଆଗରୁ ଆମରି ଏଇ ରାଜ୍ୟ ଓଡ଼ିଶାର ଆକାର ଥିଲା ଅଲଗା । ଏବେ ସିନା ତେରଟି ଜିଲାକୁ ନେଇ ଏହା ଗଢା, ସେତେବେଲେ ଏଠାରେ ଥିଲା ମାତ୍ର ଛଅଟି ଜିଲା । ଆଉ ଛତିଶଟି ଛୋଟ ଛୋଟ ଗଡ଼ଜାତ । ଏଇ ଗଡ଼ଜାତଗୁଡ଼ିକୁ ଦେଶୀୟ ରାଜ୍ୟ ଆଉ ଜିଲାଗୁଡ଼ିକୁ ମୋଗଲବନ୍ଦୀ କୁହାଯାଉଥିଲା । ମୋଗଲବନ୍ଦୀ ଜିଲାଗୁଡ଼ିକ ଥିଲା ଇଂରେଜ ସରକାରଙ୍କ ଖୋଦ ଅଧୀନରେ ।

ଅଳ୍ପ କେତୋଟିକୁ ଛାଡ଼ିଦେଲେ ଅଧିକାଂଶ ଗଡ଼ଜାତର ଲୋକେ ଥିଲେ ଭାରି ଦୁଃଖରେ । ରାଜାମାନେ ଇଂରେଜ ସରକାରଙ୍କ ବାହୁଛତ୍ରତଳେ ରହି ଚଳାଇଥିଲେ ମନମୁଖୀ ଶାସନ । ପ୍ରଜାମାନଙ୍କୁ ମନଇଚ୍ଛା ବେଠି-ବେଗାରିରେ ଖଟାଉଥିଲେ । ରାଜାଙ୍କର ନଅର, ବାଡ଼ିବଗିଚା, ରାସ୍ତାଘାଟ ତିଆରି ଆଉ କୂଅପୋଖରୀ ଖୋଳାରେ ସେମାନେ ବିନା ମଜୁରୀରେ ଖଟୁଥିଲେ । ପ୍ରଜାମାନେ ତାଳୁଝାଳ ତଳିପାରେ ମାରି ଯାହା ରୋଜଗାର କରୁଥିଲେ, ସେଥିରୁ ବେଶି ଭାଗ ଯାଉଥିଲା ରାଜାଙ୍କ ଆଡ଼ମ୍ବର ଆଉ ମଜଲିସ ପାଇଁ । ସେଥିରେ ପୁଣି ଲୋକମାନଙ୍କୁ ପଶୁଠାରୁ ବଳି ହଇରାଣ ହରକତ ହେବାକୁ ଆଉ କଠିନ ଶାସ୍ତି ଭୋଗିବାକୁ ହେଉଥିଲା ।

ଏମିତି ଗୋଟିଏ ରାଜ୍ୟ ଥିଲା ଢେଙ୍କାନାଳ । ସେଠାରେ ଜଣେ ରାଜାଙ୍କର ଅତ୍ୟାଚାର ସୀମା ଟପିଲା । ପ୍ରଜାମାନେ ତାଙ୍କର ନଅର ତୋଳିବାରେ ଲାଗି ପୋକମାଛି ପରି ମରୁଥିଲେ । ଟିକିଏ ଦୋଷ ପାଇଁ ଆଖିବୁଜା ଦଣ୍ଡ ଭୋଗୁଥିଲେ । ନିଶ ଉପାଡ଼ି ମାଡ଼ ଦେବା, ଗଛ ଡାଳରେ ବାନ୍ଧି ତଳମୁହାଁ ଝୁଲାଇ ଦେବା, ବଳଦଙ୍କ ପରି ଯୋଚି ଗାଡ଼ି ଟାଣିବା ଆଦି ଦଣ୍ଡ ଥିଲା ଅତି ମାମୁଲି । ସେଥିରେ ପୁଣି ଝିଅବୋହୂଙ୍କର ଇଜ୍ଜତ ଦିକଡ଼ାର ହେଉଥିଲା । ଦିନ ଦିପ‌ହରେ ମଧ୍ୟ କବାଟ କିଳି ସେମାନେ ଚାରିକାନ୍ଥ ଭିତରେ ଲୁଚି ରହୁଥିଲେ। ସେଥିପାଇଁ ଏମିତି ରାଜାଙ୍କର ରାଜୁତିକୁ କୁହାଯାଉଥିଲା ଅନ୍ଧାରି ଶାସନ ।

କିନ୍ତୁ ସବୁଦିନ ସମାନ ଯାଏନାହିଁ । ଚୋର ଘର ସଦାବେଳେ ଅନ୍ଧାର ନଥାଏ । ପୁଣି ସୂର୍ଯ୍ୟ ହସେ, ଆଲୁଅ ଆସେ । ଏମିତି ଆଲୁଅ ଆଣିଥିଲା ଭାରତର ସ୍ୱାଧିନତାର ସୂର୍ଯ୍ୟ । ସକାଳ ହୋଇ ନଥାଏ । କିନ୍ତୁ ସିନ୍ଦୁରା ଫାଟି ଆସୁଥାଏ ।

୧୯୪୨ର ଭାରତ ଛାଡ଼ ଆନ୍ଦୋଳନ । ମହାତ୍ମା ଗାନ୍ଧିଙ୍କର ଡାକରା । ସ୍ୱାଧୀନତା ପାଇବା ପାଇଁ ଲଢ଼େଇ କରିବାକୁ ହେବ । ଏଇ ଲଢ଼େଇ ପୁଣି ଗୁଳିଗୁଳା, ଠେଙ୍ଗାବାଡ଼ିରେ ନୁହେଁ । ଏହା ଚାଲିବ ସତ୍ୟ ଆଉ ଅହିଂସାରେ । ହରତାଳ ଆଉ ଧର୍ମଘଟ ଚାଲିବ । ମାଡ଼ ଖାଇବ ପଛେ ମାଡ଼ ଦେବ ନାହିଁ ।

ଏଇ ସ୍ୱାଧୀନତା ଖାଲି ଫିରିଙ୍ଗ ସକାରକୁ ତଡ଼ିବା ନୁହେଁ । ଦେଶରୁ ସବୁ ଅନୀତି, ଅତ୍ୟାଚାରକୁ ଦୂରକରିବା, ଅଭାବ ଅସୁବିଧାର ଅନ୍ଧାରକୁ ପୋଛି ଦବା । ସମସ୍ତେ ସମାନ ହେବେ । ରାଜାପ୍ରଜା, ଧନୀଦରିଦ୍ର, ହିନ୍ଦୁମୁସଲମାନ, ବ୍ରାହ୍ମଣ, କରଣ ସବୁ ସମାନ । ଏଥିରେ ପୁଣି ଦୋଷୀକୁ ନିନ୍ଦା ନ କରି ଦୋଷକୁ ନିନ୍ଦା କରିବାକୁ ହେବ; ପାପୀକୁ ଘୃଣା ନ କରି ପାପକୁ ଘୃଣା କରିବା ଉଚିତ।

ଏଇ ମନ ଛୁଆଁ କଥା, ଅମୃତର ବାଣୀ ଆଉ ସତ୍ୟ ଅହିଂସାର ନୀତି ଢ଼େଙ୍କାନାଳର ଅନ୍ଧାରି ମୂଲକର ବଣପାହାଡ଼ ଡେଇଁ ପହ‌ଞ୍ଚିଲା ଗାଁରେ ଗାଁରେ ଆଉ ଘରେ ଘରେ । ଅପନ୍ତରା ଅଞ୍ଚଳର କେଉଁ ଅଜଣା ଅଶୁଣା ଗାଁରେ ସ୍ୱାଧିନତାର ଝଲକ ଖେଲିଗଲା । ନୀଳକଣ୍ଠପୁର ଢ଼େଙ୍କାନାଳର ସେମିତି ଏକ ଗାଁ । ବ୍ରାହ୍ମଣୀ ନଈକୂଳ । ଅତ୍ୟାଚାରୀ ରାଜାଙ୍କ ବିରୁଦ୍ଧରେ ପ୍ରଜାମାନଙ୍କ ମେଳି ମାଡ଼ି ଚାଲିଲା ଉଚ୍ଛୁଳା ନଈପରି। ସେଇ ଗାଁରେ ଅନ୍ୟ ଜାତିଙ୍କ ସ‌ହିତ କେଉଟ କେତେ ଘର ଅଛନ୍ତି । ଅନ୍ୟ ପିଲାଙ୍କ ପରି ମାଆ କୋଳରେ ବଢ଼ିଥିଲା ଅତି ଅଲିଅଳରେ ଗୋଟିଏ ବାପଛେଉଣ୍ତ ପିଲା । ନାଁ ତାର ବାଜିରାଉତ । ଗରିବ ଘର । ଦାଣ୍ତରୁ ଆସେ ହାଣ୍ତିରେ ପଶେ । ମାଛ ଧରି, ଡଙ୍ଗାବାହି ସେ ପେଟ ପୋଷେ ଆଉ ଘର ଚଳାଏ । ମାଆ ପୁଅ ସୁଖଦୁଃଖରେ ଚଳିଯା’ନ୍ତି।

ବାଜି ପିଲାଟିଏ ହେଲେ କ’ଣ ହେଲା ବୁଦ୍ଧି ତାର କମ୍ ନୁହେଁ । ନିଜର ସୁଖ ଦୁଃଖ ସାଥୀରେ ସେ ନିଜ ସାଇପଡ଼ିଶା, ଗାଁଗଣ୍ତା, ଦେଶମାଟିର ସୁଖ ଦୁଃଖ କଥା ଭାବେ। ଲୋକେ ରାଜାଙ୍କ ଅତ୍ୟାଚାରରୁ ରକ୍ଷା ପାଇବେ କେମିତି ? ପ୍ରଜାମାନେ ପଶୁପରି ଚଳିପାରିବେ କିମିତି ? ଏଇ ପ୍ରଶ୍ନଗୁଡ଼ିକ ତାର ସାନ ମଥାକୁ ବଥା କରାଏ । ପ୍ରଜାମାନଙ୍କ ମେଳିକଥା ଶୁଣି ମନରେ ତାର କେତେ ଆଶା ଗୁମୁରି ଉଠେ । ମେଳରେ ବଳ ଥାଏ, ଏକଥା ସେ ଜାଣିଛି । ଏଥର ଡ଼େଙ୍କାନାଳର ବ‌ହୁ ଗାଁରେ ଏମିତି ମେଳି ମୁଣ୍ଡଟେକିଛି । ରାଜାଙ୍କର ଅତ୍ୟାଚାର ଆଉ ଅନ୍ୟାୟ ଆଦେଶ ବିରୁଦ୍ଧରେ ଲୋକମାନେ ପ୍ରତିବାଦ କରୁଥିଲେ । ପ୍ରଜାମଣ୍ଡଳ ବୋଲି ଗୋଟିଏ ଦଳ ଗଢ଼ିଲେ ।ଯେଉଁମାନେ ଏଥିରେ ସଭ୍ୟ ହେଲେ ସେମାନେ ରାଇଜ ସାରା ବୁଲି ଗାନ୍ଧିଜୀଙ୍କର ସତ୍ୟ ଅହିଂସା ନୀତି, ସ୍ୱାଧୀନତାର ଡାକରା ପ୍ରଚାର କଲେ । ଖଜଣା ନ ଦେବାକୁ, ବେଠି ନ ଖଟିବାକୁ, ରାଜା ଆଉ ତାଙ୍କ ଲୋକଙ୍କର ଅନ୍ୟାୟ ଅଦେଶ ନ ମାନିବାକୁ ସେମାନେ ସମସ୍ତଙ୍କୁ କହିଲେ । ସେମାନଙ୍କୁ ଜବତ କରିବାକୁ ଆଉ ଦଣ୍ଡ ଦେବାକୁ ରାଜାଙ୍କ ତରଫରୁ ବାରମ୍ବାର ଚେଷ୍ଟା ଚାଲିଲା । ଗାଏଁ ଗାଏଁ ଡେଙ୍ଗୁରା ପିଟି ଜଣାଇ ଦିଆଗଲା- ପ୍ରଜାମଣ୍ଡଳ ବେଆଇନ । ସେଥିରେ କେହି ମିଶିଲେ କି ତା ପାଇଁ କାମ କଲେ କଠିନ ଶାସ୍ତି ପାଇବେ ।

କିନ୍ତୁ ପ୍ରଜାମଣ୍ଡଳର କାମ କମିବା ବଦଳରେ ବଢ଼ିବାରେ ଲାଗିଲା । ଦିନକୁ ଦିନ ତାର ସଭ୍ୟ ସଂଖ୍ୟା ବଢ଼ିଗଲା ନଈବଢ଼ି ପରି । ଅସ‌ହଯୋଗ ଆନ୍ଦୋଳନ ଚାରିଆଡ଼େ ବ୍ୟାପିଗଲା ବଣନିଆଁ ପରି । ଏଇ ଖବର ପାଇ ରାଜା ଛାନିଆ ହେଲେ ଆଉ ତାଙ୍କର ଖୋସାମତିଅ ଲୋକେ ପ୍ରମାଦ ଗଣିଲେ।

ରାଜା ଭାବିଲେ ପିରିଙ୍ଗ ଫଉଜ ଆଣି ପ୍ରଜାମଣ୍ଡଳକୁ ଦବାଇ ଦେବେ । ପୋଲିସମାନେ ଗାଁ ଗଣ୍ଡା, ଦୋକାନ ବଜାର, ରାସ୍ତାଘାଟରେ ପଇଁତରା ମାରିଲେ । ଯାହାକୁ ଚାହିଁଲେ ତାକୁ ହାତକଡ଼ି ପକାଇଲେ, ବାନ୍ଧିନେଲେ ଆଉ ଯେତେ ପାରିଲେ ସେତେ ଦଣ୍ଡ ଦେଲେ । ସେଥିରେ ବେପାରବଣିଜ ମାନ୍ଦା ପଡ଼ିଲା । ଲୋକଙ୍କୁ ତେଲ‌ଲୁଣ ଟିକେ ବି ମିଳିଲା ନାହିଁ । ଚାରିଆଡ଼େ ହାହାକାର ପଡ଼ିଗଲା ।

ଅନେକ ଜାଗାରେ ପ୍ରଜାମଣ୍ଡଳ ତରଫରୁ ସଭା ହେଲା । ଲୋକମାନଙ୍କୁ ବଳ ସାହସ ଦିଆଗଲା । ମଇଁଷି ଶିଙ୍ଗ ଫଟା, ଯୁଝିଲା ବେଳକୁ ଗୋଟା । ସତ୍ୟ ସବୁଦିନ ଲୁଚି ରହିବ ନାହିଁ । ଅନ୍ୟାୟ, ଅତ୍ୟାଚାର ଦିନେ ଲୋପ ପାଇବ ଆଉ ଅନ୍ଧାରି ଶାସନ ଭୁଷୁଡ଼ି ପଡ଼ିବ । ଏହା ସବୁରି ମନରେ ଆଶା ଆଉ ଆନନ୍ଦର ଆଲୁଅ ଖେଳାଇ ଦେଲା । ଗାଏଁ ଗାଏଁ ଶୁଣାଗଲା-ପ୍ରଜାମଣ୍ଡଳର ଜୟ, ମହାତ୍ମା ଗାନ୍ଧୀଙ୍କର ଜୟ !

ପୋଲିସ ଜୁଲମ ବି ବଢ଼ିବାରେ ଲାଗିଲା । କେତେ ଜାଗାରେ ଗୁଳି ଚାଲିଲା । ଲାଠିମାଡ଼ ହେଲା । ଅନେକ ମଲେ । ଖଣ୍ଡିଆଖାବରା ବି ହେଲେ । ହେଲେ, ଲୋକେ ଦବିଗଲେ ନାହିଁ । ଆଉରି ତାତିଗଲେ, ଅଧିକ ମାଡ଼ିଗଲେ ।

ବାଜିଆ କି ଏଥିରେ ଚୁପ୍ ରହେ ? ବାରବରଷର ବାଳୁତ ପିଲା ସେ । ହେଲେ ସେ ପ୍ରଜାମଣ୍ଡଳର ସଭ୍ୟ ହେଲା । ଅନ୍ୟାୟ ବିରୁଦ୍ଧରେ ଲଢ଼ିଲା । ଜାତିପାଇଁ ଜୀବନ ଦେବାକୁ ଶପଥ ନେଲା ।

ଦିନେ ପ୍ରଜାମାନଙ୍କର ମେଳି ପ୍ରବଳ ହେଲା । ରାଜା ଫିରିଙ୍ଗ ଫଉଜ ମଗାଇଲେ ଏଇ ମେଳିକୁ ଦଳିଦେବାକୁ । କିନ୍ତୁ ସେମାନେ ବ୍ରାହ୍ନଣୀ ନଈ ପାରିହେଲେତ ଆସିବେ ? ସେମାନଙ୍କୁ ନାଆରେ ପାରି କରିବାକୁ ମନାହେଲା । କିନ୍ତୁ ରାଜାଙ୍କର ଆଦେଶକୁ ନ ମାନିବ କିଏ ? ଫିରିଙ୍ଗ ଫ‌ଉଜକୁ ବାଘ ବାଘୁଣୀ ବାଟ ଛାଡ଼ି ଦେବେ, ସାମାନ୍ୟ ନାଉରୀପୁଅ ବା କି ଛାର ? ସେ ପୁଣି ନିଜ ଜୀବକୁ ପାଣି ଛଡ଼ାଇ ଫ‌ଉଜଙ୍କ ସାମନା କରିବ ?

ବଜିଆ ଦମ୍ଭର ସହିତ ଏଇ କାମ କରିବାକୁ ଆପେ ଆପେ ବାହାରିପଡ଼ିଲା । କିନ୍ତୁ ପିଲାଟା ଇଂରେଜ ଫଉଜ ଆଗରେ ଠିଆ ହୋଇ ପରିବ ତ ?ସେମାନଙ୍କର ଟାଣ ଟାଣ କଥା, ମାଡ଼, ଗାଳି ଶେଷରେ ଗୁଳି ମାଡ଼ ସହି ପାରିବ ତ ?ଏଇ ହେଲା ସବୁରି ମନରେ ପ୍ରଶ୍ନ ।

ବାଜିଆ ସେଦିନ ବ୍ରାହ୍ମଣୀ ନଈର ପ୍ରଚଣ୍ଡ ଘାଟରେ ଜଗି ରହିଲା ପ୍ରଜାମଣ୍ଡଳର ଲୋକ ଛଡ଼ା ଆଉ କାହାକୁ ତା ନାଆରେ ପାରି କରିଦେଲା ନାହିଁ । ବର୍ଷାଦିନେ, ଥରକୁ ଥର ମେଘ ଉଠାଇ ଆସୁଛି । ବିଜୁଳି ଚକ୍‌ଚକ୍ କରୁଛି । ପଶ୍ଚିମ ଆକାଶରେ ଲାଲ୍ ରଙ୍ଗ ବୋଳିହୋଇ ରହିଛି । ପୂର୍ବଦିଗରୁ କଳା ଅନ୍ଧାର ମାଡ଼ି ଆସୁଛି । ଶିରିଶିରି ଶୀତୁଆ ବାଆ ବହୁଛି ।

ଏତିକିବେଳେ ସେଇ ଘାଟରେ ପ‌ହୁଞ୍ଚିଲେ ଫିରିଙ୍ଗ ଫଉଜ । କଡ଼ା ସ୍ୱରରେ କ‌ହିଲେ- ହେ ପିଲା, ଆମକୁ ଚଞ୍ଚଳ ନଈ ପାରି କରିଦେ । ଜୋର ବର୍ଷା ଆସିଲାଣି । ଆମେ ଶୀଘ୍ର ଆରପାରିକୁ ଯିବୁ ।
ବାଜିଆ ସେମିତି ଟାଣ ସ୍ୱରରେ ଉତ୍ତର ଦେଲା- ମୁଁ ତମକୁ ପାରିକରି ପାରିବି ନାହିଁ । ମୋ ନାଆରେ ତୁମର ବସିବା ମନା ।
ଫଉଜ ଭିତରୁ ଜଣେ କ‌ହିଲା- ମନା ! କାହାର ମନା ? ଆମର ଜରୁରୀ କାମ ଅଛି । ଆମେ ଯିବୁ । କ’ଣ ତୁଚ୍ଛାକଥା କ‌ହୁଛୁ ?
ବାଜିଆ ସାହସ ଭରି ଉତ୍ତର ଦେଲା- ମୁଁ ପରା କ‌ହୁଛି, ତମକୁ ପାରି କରିବା ମନା । ପ୍ରଜାମଣ୍ଡଳର ହୁକୁମ ।
ଜଣେ ଇଂରେଜ ସୈନ୍ୟ କ‌ହିଲା- ତୋର ତ ଭାରି ଦିମାକ୍ ? ପ୍ରଜାମଣ୍ଡଳ ତୋ ପିଠିରେ ପଡ଼ିବ କି ? ତୋର ଜୀବନ‌କୁ ଯଦି ଲୋଭ ଅଛି, ଶୀଘ୍ର ପାରି କରିଦେ ।
ବାଜିଆ କ‌ହିଲା- ଜୀବନ‌କୁ ମୋର ଡର ନାହିଁ । ରାଜାର ଅତ୍ୟାଚାରକୁ ଆମେ ଆଉ ବରଦାସ୍ତ କରିବୁ ନାହିଁ । ତୁମ‌ପରି ବୋଲକରା ଗୋଲାମ ଦଳକୁ ଆମେ ଉଚିତ ଶାସ୍ତି ଦେବୁ ।
ଫଉଜ ଭିତରୁ ପୁଣି ଜଣେ କ‌ହିଲା- ଆରେ ଇଏତ ଓଳିଆରୁ ପଡ଼ି ଗଜା । ଭାରି ବଡ଼ ବଡ଼ କଥା କ‌ହୁଛି । ଜୀବନ ତୋତେ ପିତା ଲାଗିଲାଣି କିରେ ? ଶେଷଥର ପାଇଁ ସାବଧାନ କରାଇଦେଉଚୁ ତୋତେ । ଆଉ ଆମର ଦୋଷ ରହିବ ନାହିଁ ।
ବାଜିଆ ଜୋରରେ ଉତ୍ତର ଦେଲା- ମୋତେ ଆଉ ସେଗୁଡ଼ାକ ଶୁଣାଅ ନାହିଁ । ପ୍ରଜାମଣ୍ଡଳର କଥା ମୁଁ ମାନିବ, ମାନିବି, ମାନିବି । ତୁମଙ୍କୁ ପାରି କରିବି ନାହିଁ, ନାହିଁ, ନାହିଁ ।
ଫିରିଙ୍ଗ ଫଉଜ ଗର୍ଜି ଉଠିଲେ । ଏ ମେଞ୍ଚଡ଼ ଟୋକାର ବ‌ହପ ଦେଖ । ତାକୁ ଉଚିତ ଶାସ୍ତି ଦେବାକୁ ହେବ । ଗୁଳି ଦିଟା ଖିଲେ ପିଲାର ଚେତା ପଶିବ ।

 

ବାଜି ସେମିତି ଟାଣ ଟାଣ କରି ବତାଇ ଦେଲା- ଆଉ ଏତେ ଧମକ ଦିଅନା ।ମୁଁ କାହାକୁ ଡରିନି । ଗୁଳିମାଡ ଖାଇବାକୁ ମୁଁ ତିଅରି । ମୁଁ ସିନା ମରିବି, ମୋ,ପରି ଅନେକ ଜାଗି ଉଠିବେ ।
ଫଉଜରୁ ଜଣେ ପୁଣି କ ହିଲା -ଆରେ ତୁ ତ ମରିବୁ ।କିଏ ଜାଗିଲେ ତୋର କ’ଣ ହେବ ? ଆମାର ବା ସେ କ’ଣ କରି ?
ବାଜି ଚେତାଇଦେଲା -ତମର ସବୁ ଚେରମୂଲ ଉପାଡିଦେବେ । ତମର ଜୋରଜୁଲମ; ଅତ୍ଯାଚାର ସବୁ ଲୋପ ପାଇବ ।
ପଉଜ ଭିତରୁ ଜଣେ ଗୁମୁରିଉଠି କ ହିଲା-ଆଉ ସମ୍ୟ ନଷ୍ଟକର ନାହିଁ । ଦିଅ ଗୁଲିମାର । ଉଡାଅ ଟୋକାର ଖପୁରି ।
ଫଉଜ ଗୁଲିମାରିବାକୁ ସଜ ହୋଇଗଲେ ।ବାଜିଅ ପାଟିକରି କହିଲା -ମାର’ ମୁଁ ମରିବାକୁ ଡରିନାହିଁ । ଦେଶପାଇଁ ମୁଁ ଜୀବନ୍ ଦେବି । ପ୍ରଜାମଣ୍ଡଲର କଥା ରଖିବି । ତୁମେ ରାଜାର ଗୋଲାମ ଦଳ ଗୁଲି ମାର- ମ-ର ।
ସେତିକି ବେଳେ ଆବାଜ ଆସିଲା -ଢୁ ଢୁ ଢୁ । ବାଜିଆଉର ଛାତିରୁ ଝର ଝର ହୋଇ ଝରିଆଲା ରକ୍ତର ଧାର ।ପାତି ତର ଖନି ମାରି ଆସିଲ। ହାତରୁ ତାର ଖସିଆସିଲା ନାଆର କାତ । ଫଉଜ ଦଳ ନିଜେ କାତ ମାରି ଆର ପାରିକୁ ନାଆ ବାହିନେଲେ ।

ଗୁଲି ଶବ୍ଦ ଶୁଣି ପ୍ରଜାମଣ୍ଡଳର ସଭାପତି ଆଉ ସଭ୍ଯ ମାନେ ନିଁ କୂଳକୁ ଧାଇଁ ଆସିଲେ ।ବାଜିଆ ,ବାଜିଅ ବୋଲି ଡାକ ପକାଇଲେ । କିନ୍ତୁ ବାଜିଆ ସେତେବେଲକୁ ଶେଷ ନିଃଶ୍ୱାସ ଛାଡି ଆରପାରିକୁ ଚାଲି ଗଲାଣି ।

ନିଇଁକୂଳ ଆଖପାଖ ଗାଁ ଗଣ୍ଡାର ଲୋକରେ ଭିଡ ହୋଇଗଲା ।ସବୁରି ମୁହଁରେ ଗୋଟିଏ କଥା -ଆହା ପିଲାଟି ଚାଲିଗଲା ।କେତେ ତାର ସାହସ, କତେ ତାର ଦମ୍ଭ ! !!!!।

ପ୍ରଜାମଣ୍ଡଳର ସଭାପାତି କହି ଉଠିଲେ- ଭାଇମାନେ, ବାଜିଆ ଆଜି ଦେଶ ପାଇଁ ,ଆମ ପାଇଁ ପ୍ରଣବଳି ଦେଲା । ସେ ଚାଲିଗଲା କିନ୍ତୁ ଯେଉଁ ଦାୟିତ୍ୱ ଆମଙ୍କୁ ସେ ଦେଇଗଲା, ତାକୁ ଆମେ ଠିକ୍ ତୁଲାଇବା ଦରକାର । ଦେଶକୁ ସ୍ୱାଧୀନ କାରିବା, ସବୁ ଅନ୍ୟାୟ ଅତ୍ୟାଚାର ପୋଛି ଦେବା ଆମରି କାମ । ସେଥିପାଇଁ ଆମେ ଆଜି ଶପଥ ନେବା ।

ଏବେ ଭାଇମାନେ ଏକସ୍ୱରରେ କୁହ‌‌-
ଶହୀଦ ବାଜିରାଉତ କୀ ଜୟ‌‌‌‌‌‌‌
ପ୍ରଜାମଣ୍ଡଳ କୀ ଜୟ,
ବନ୍ଦେ ମାତରମ୍ ।

ସେଦିନ ୧୯୪୪ ଅକ୍ଟୋବର ୧୧ତାରିଖ । ଏଇ ଖବର ବିଜୁଳି ବେଗରେ ଚଉଦିଗକୁ ଖେଳିଗଲା । ସ୍ୱାଧୀନତା ଲଢ଼େଇରେ ଝାସ ଦେଇଥିବା ନେତା ଆଉ କର୍ମୀମାନେ ଧାଇଁଲେ ଢ଼େଙ୍କାନାଳ । ବାଜିଆର ଶବ ଅଣାଗଲା କଟକକୁ । ବଡ଼ ବଡ଼ ରାସ୍ତାରେ ଚାଲିଲା ଶୋଭାଯାତ୍ରା । ନ‌ଈକୂଳରେ ଶବ ସତ୍କାର କରାଗଲା । ଦପ୍ ଦପ୍ ହୋଇ ବାଜିଆର ଚିତା ଜଳିଉଠିଲା । ସବୁରି ଆଖିରୁ ଝରିଲା ଲୁହର ଧାର । ନେତାମାନେ ପୁଷ୍ପାଞଳି ଦେଲେ । ତୁହାକୁ ତୁହା ଲୋକଙ୍କ ଭିତରୁ ଶୁଣାଗଲା-

ଶହିଦ ବାଜିରାଉତ କୀ ଜୟ

ଭାରତ ମାତା କୀ ଜୟ

ବନ୍ଦେ ମାତାରମ୍

ସାନ ପିଲାଟିଏ ହେଲେ ବି ବଡ଼କଥା ସେ କରିଗଲା । ମରି ମଧ୍ୟ ସେ ହେଲା ଅମର । ଦେଶର ସ୍ୱାଧୀନତା ପାଇଁ ସେ ହେଲା ଶହିଦ । ଜାତିକୁ ଦେଇଗଲା ନୂଆମନ୍ତ୍ର – କର ବା ମର । କବି ସଚ୍ଚି ରାଉତରାୟ ତେଣୁ ଗାଇଥିଲେ-

ଏଡିକି ସେ ଅମାନିଆ ପିଲା
ଫଉଜର ଗୁଳିଗୁଳା, ରଜା ଝଡ କିଛି ନ ମାନିଲା
ଧୂଲିଖେଳ ଛାଡ଼ି
ଗୁଳି ଆଗେ ଜୀବନକୁ ହସି ହସି ଦେଲା ସିନା ବାଢ଼ି,
ଛୋଟ ପୁଣି ଏଡେ ସେ ବିରାଟ ।
ଜୀବନ ପାରିଲା ନାହିଁ ରଖି ତାକୁ
ମୃତ୍ୟୁ ତାରେ ଛାଡିଦେଲା ବାଟ ।

ସବୁ ଆଡେ ଖେଲିଗଲା ବାଜିରାଉତର ଅପୂର୍ବ ସାହସ ଓ ବୀରତ୍ୱର କାହାଣୀ । ଏ ଜାତିକୁ ତାହା ମତାଇଦେଲା, ତତାଇଦେଲା ଆଉ ସ୍ୱାଧିନତାର ସୁଆଦ ଚଖାଇ ଦେଲା ।
ସାରା ଦେଶ ଜାଗି ଉଠିଲା । ଇଂରେଜ ଶାସନ ହଟାଇବାକୁ ସବୁରି ମନରେ ନୂଆ ଦମ୍ଭ ଚେଇଁ ଉଠିଲା । ସାନଠାରୁ ବଡ଼ଯାଏ ଶପଥ ନେଲେ । ଏଦେଶକୁ ସ୍ୱାଧୀନ କରିବେ । ଅସମ୍ଭବ କଥା ସମ୍ଭବ କରିବେ । ତାହାହିଁ ହେଲା । ସ୍ୱପ୍ୱ ସତ୍ୟ ହେଲା । ଆମ ଦେଶ ସ୍ୱାଧୀନ ହେଲା । ଫିରିଙ୍ଗ ଶାସନ ସବୁଦିନ ପାଇଁ ଲୋପ ହେଲା ।

ସେଇ ଶହୀଦ ବାଳକ ନାଁରେ ଗଢିଉଠିଛି ଅନୁଗୋଳରେ ବାଜିରାଉତ ଛାତ୍ରାବାସ । ସେଠାରେ ସମସ୍ତ ଛାତ୍ରଛାତ୍ରୀ ଗାଉଥିବା ଗୋଟିଏ ସରସ ସଂଗୀତ ସେଦିନର ଅଭୁଲା କଥାକୁ ମନେ ପକାଇ ଦିଏ । ଅନ୍ୟାୟ ବିରୁଦ୍ଧରେ ଲଢିବା ପାଇଁ ଆମକୁ ତାହା ଚେତାଇ ଦିଏ, ମତାଇ ଦିଏ । ସେଇ ଗୀତରୁ କେଇ ପଦ ହେଲା-

ମାଦଲ ବାଜିଲା ରେ ଘୁମୁରା ବାଜିଲା
ଭାଇ ଘୁମୁରା ବାଜିଲା ।
ଆମେ ସବୁ ଅଟୁ ଭାଇ ବାଜିରାଉତ ଚେଲା ରେ,
ଗୁଳି ଚୋଟେ ପ୍ରାଣ ଯେହୁ ଦେଲା ।।
ଅନ୍ଧାରୀ ମୁଲକ ମଧ୍ୟେ ଦିହୁଡି ଜାଳିଲା ରେ
ବାର ବରଷର ମାଝି ପିଲା
ଅନ୍ଧାରୀ ମୁଲକରେ, ଅନ୍ଧାରୀ ମୁଲକେ,
ଗୁଳି ଆବାଜରେ ବୀର ବାଜି ଆସି ଡାକେ ରେ
ଜାଗି ଉଠ ଗଢ଼ଜାତୀ ଲୋକେ ।।
ସେଇ ରାଇଜ ପିଲାରେ ଆମେ,
ସେଇ ରାଇଜ ପିଲା ।
ଯେଉଁ ରାଇଜ ପିଲା ହସି ହସି ପ୍ରାଣ ଦେଲା ରେ
ଦେଶ ଆଗେ କୀର୍ତ୍ତି ରଖିଗଲା ।
ମାବଲ ବାଜିଲା ରେ, ଘୁମୁରା ବଜିଲା

Jaganath Mohanty Books Jaganath Mohanty odia Story Odia Story
Share. Facebook Twitter Pinterest LinkedIn Tumblr Reddit Email
Previous Articleଧନ୍ୟ ତୁମେ ଦଳବେହେରା
Next Article ଆରମ୍ଭରୁ ଅସୁବିଧା
ଜଗନ୍ନାଥ ମହାନ୍ତି

Related Posts

ଅଭିନବ ବିବାହ

March 16, 2023

ବୋକା ନା ବିବେକୀ?

March 1, 2023

ଘୋରକର ଉଦାରତା

February 1, 2023

ମହାଭାରତ

January 26, 2023

ମହାରାଜାଙ୍କ କଳା

December 21, 2022

ଶକରକନ୍ଦ

December 12, 2022
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.