କୋଶଳ ଦେଶରେ ଅବସ୍ଥିତ ଗୋଟିଏ ଅରଣ୍ୟ ଭିତରେ ବିମଳାନନ୍ଦ ନାମକ ଜଣେ ଆଚାର୍ଯ୍ୟ ରହୁଥିଲେ । ତାଙ୍କ ଆଶ୍ରମରେ ଯୋଗଠୁଁ ଆରମ୍ଭ କରି ଆୟୁର୍ବେଦ ପର୍ଯ୍ୟନ୍ତ ନାନା ବିଦ୍ୟା ଶିକ୍ଷା ଦେବା ନିମନ୍ତେ ଉପଯୁକ୍ତ ଶିକ୍ଷକମାନେ ରହିଥିଲେ । ବଣ ଭିତରେ ଗୋଟିଏ ବିଶାଳ ଅଂଚଳ ବ୍ୟାପୀ ତାଙ୍କ ଆଶ୍ରମର ଭିନ୍ନ ଭିନ୍ନ ବିଭାଗ ପ୍ରସାରିତ ହୋଇ ରହିଥିଲା ।
ସୁଦାସ ଓ ମୋହନ ନାମକ ଦୁଇ ବାଳକ ଦିନେ ସହରରୁ ଯାଇ ଆଚାର୍ଯ୍ୟ ବିମଳାନନ୍ଦଙ୍କୁ ଭେଟିଲେ । ତାଙ୍କୁ ପ୍ରଣାମ କରି ଦୁହେଁ ବିଦ୍ୟାଲାଭ ନିମନ୍ତେ ସେମାନଙ୍କ ଆଗ୍ରହ ବିଷୟ ତାଙ୍କୁ ଜଣାଇଲେ ।
“ଭଲ କଥା । କିନ୍ତୁ କେଉଁ ବିଦ୍ୟା ଶିକ୍ଷା ସକାଶେ ତୁମର ଯୋଗ୍ୟତା ଅଛି, ପ୍ରଥମେ ତାହା ନିରୂପଣ କରିବାକୁ ପଡିବ । ସେଥିପାଇଁ ତମେ ଦୁହେଁ କିଛିଦିନ ଆଶ୍ରମରେ ରହିବା ଦରକାର । ରହଣି ସମୟତକ ଆଶ୍ରମର ନିୟମ ମାନି ଚଳିବାକୁ ହେବ । ଏଥିରେ ରାଜି ଅଛ ତ?”
ସୁଦାସ ଓ ମୋହନ କହିଲେ “ମହାଶୟ, ଆମେ ଏଥିରେ ସମ୍ପୂର୍ଣ୍ଣ ରାଜି ।”
“ବେଶ୍, ବେଶ୍ ।” ଏହା କହି ଆଚାର୍ଯ୍ୟ ସେମାନେ କେଉଁ କୁଟୀରରେ ରହିବେ ତାହା ସେମାନଙ୍କୁ ଦେଖାଇ ଦେଲେ । ଆଶ୍ରମର ନିୟମ ଶୃଙ୍ଖଳା କ’ଣ, ତାହା ସେ ଦୁହିଁଙ୍କୁ ବୁଝାଇ ଦେବାକୁ ଜଣେ ଶିକ୍ଷକଙ୍କୁ ସେ ନିର୍ଦେଶ ଦେଲେ ।
ଦୁଇଜଣଙ୍କୁ ପ୍ରତ୍ୟେକ ଦିନ ଅନ୍ୟ ଆଶ୍ରମବାସୀଙ୍କ ଭଳି କିଛି ନା କିଛି କାମ କରିବାକୁ ପଡୁଥାଏ । ଦିନେ ସେ ଦୁହିଁଙ୍କ ଉପରେ ଜାଳେଣି କାଠ ଆଣିବାର ଭାର ପଡିଲା । ଜାଳେଣି କାଠର ଅଭାବ ନଥାଏ । ଦୁଇ ବନ୍ଧୁ ଅଦୂରରେ ଗୋଟାଏ ଶୁଖିଲା ଗଛ ଦେଖି ତାକୁ କାଟି ପକାଇଲେ ।
ସୁଦାସ କାଠକୁ ଛୋଟ ଛୋଟ କରି କାଟିବାରେ ବ୍ୟସ୍ତ ଥାଏ, ଏଣେ ମୋହନର ଦୃଷ୍ଟି ସେ ଶୁଖିଲା ଗଛର ତଳ ଅଂଶରେ ଥିବା କିଛି ବସ୍ତୁ ଉପରେ ଯାଇ ପଡିଲା । ସେ ଦେଖିଲା, ପୁଳାଏ ସୁନା ମୋହର ।
“ଆରେ! ” ସେ ଆନନ୍ଦ ଓ ବିସ୍ମୟରେ ପାଟିକରି ଉଠିଲା ।
ସୁଦାସ କୌତୁହଳୀ ହୋଇ ଆସି ମୋହରତକ ଦେଖିଲା ।
ମୋହନ କହିଲା “ସୁଦାସ! ଆଉ ଚିନ୍ତା କ’ଣ? ଏ ସୁନାତକ ଭାଗ କରି ନେବା । ବେପାର ବଣିଜ କରି ଆରାମରେ ଚଳିବା ।”
ସୁଦାସ କହିଲା “ଆମେ ପରା ବିଦ୍ୟା ପାଇଁ ଆସିଛୁ?”
“ଆରେ, ଏତେ ଧନ ପାଇବା ପରେ ଆଉ ବିଦ୍ୟା କ’ଣ ପାଇଁ ଦରକାର?” ମୋହନ ଏହା କହି ସୁନାତକ ଦୁଇଭାଗ କରି ତହିଁରୁ ଭାଗେ ସୁଦାସକୁ ସେ ଦେଲା ଓ ଅନ୍ୟ ଭାଗଟି ସେ ତା’ ନିଜ ପକେଟରେ ପୁରାଇଲା ।
ସୁଦାସ କହିଲା “ମୋହନ, ତୁ ଭୁଲିଯାଇଛୁ ଯେ ଆଶ୍ରମର ଶୃଙ୍ଖଳା ଅନୁସାରେ ଆମେ ହଠାତ୍ କିଛି ପାଇଗଲେ ତାହା ନେଇ ଆଚାର୍ଯ୍ୟଙ୍କୁ ଦେବା କଥା!”
“ଆଶ୍ରମରେ ରହିଲେ ତ ଯାଇ ଶୃଙ୍ଖଳା ମାନିବା କଥା ଉଠିବ ନା? ତୁ ପଛେ ଏଠି ରହିଲେ ରହ । ମୁଁ କିନ୍ତୁ ଏବେ ଏଠାରୁ ଚାଲିଲି ।” ଏତିକି କହି ମୋହନ ବାସ୍ତବିକ ସେଠାରୁ ଚାଲିଗଲା ।
ମୋହନ ଉତ୍ସାହରେ ବାଟ ଚାଲୁଥାଏ । ବାଟରେ ନଈଟିଏ ପଡିଲା । ସେଥିରେ ସାମାନ୍ୟ ପାଣି ଥାଏ ବୋଲି ବୁଝି ହେଉଥାଏ । ସେ ପାଣି ଭିତରଦେଇ ଚାଲିଛି, ହଠାତ୍ ତା’ ଡାହାଣ ଗୋଡରେ କିଛି ଗୋଟାଏ ଗୁଡେଇ ହୋଇଗଲା । ସେ ଗୋଡ ଟେକି ଦେଖିବାବେଳକୁ ସାପ!
ସେ ଯେତେଶୀଘ୍ର ସମ୍ଭବ ଗୋଡ ଛିଂଚାଡି ଦେଲା । ସାପ କୁଳରେ ଛିଟିକି ପଡି ବୁଦା ଭିତରକୁ ଚାଲିଗଲା । କିନ୍ତୁ ମୋହନ ତା’ର ଗୋଡକୁ ଭଲଭାବେ ପରୀକ୍ଷା କରି ଦେଖେ ତ ସାପଦାନ୍ତ ବସିବା ଭଳି ଚିହ୍ନ ରହିଛି । ଏସବୁ ଦେଖି ତା’ ହାଲୁକ ଶୁଖିଗଲା । ସେ “କିଏ ଅଛ!” ବୋଲି ଚିତ୍କାର କରି ନଈ କୂଳେ କୂଳେ ଦୌଡିଲା ।
ହଠାତ୍ ଜଣେ ବନବାସୀ ସର୍ଦ୍ଦାର ଉପରେ ତା’ ଆଖି ପଡିଲା । ସେ ବ୍ୟାକୁଳ ଭାବରେ ପଚାରିଲା, “ସାପ କାମୁଡି ଦେଇଛି । ଏଠାରେ କେହି ବିଷ ହରଣ କଲାଭଳି ମଣିଷ ଅଛନ୍ତି?”
ବନବାସୀ ସର୍ଦ୍ଦାର ପଚାରିଲା “ମୁଁ ଅଛି । ଚିନ୍ତା କ’ଣ? ସଙ୍ଗେ ସଙ୍ଗେ ଭଲ କରିଦେବି । କିନ୍ତୁ, ବାବୁ, ତମ ପାଖରେ ଯାହା ଯେତେ ଧନଦୌଲତ ଅଛି ସେସବୁକୁ ତମକୁ ମୋତେ ଦେଇ ଦେବାକୁ ହେବ । ରାଜି?”
ସେତେବେଳକୁ ଯନ୍ତ୍ରଣାରେ ସେ ଭାରି କାତର ହେଲାଣି । ବିନା ଚିକିତ୍ସାରେ ବଂଚିବାର ଆଶା ଆଉ ତା’ର ନାହିଁ । ତେଣୁ ପକେଟରେ ଥିବା ସୁନାରୁ ମୁଠାଏ ବାହାର କରି ସେ ସେହି ସର୍ଦ୍ଦାରକୁ ଦେଲା ।
ସର୍ଦ୍ଦାର କହିଲା “ନା, ବଂଚିବାର ଆଶାଥିଲେ ସବୁ ଦେବାକୁ ପଡିବ!”
ଅଗତ୍ୟା ମୋହନ ସବୁ ବାହାର କରିଦେଲା । ସର୍ଦ୍ଦାର ତାକୁ ଖଣ୍ଡିଏ ଚେର ଖୁଆଇ ଦେଇ ଝାଡଫୁଙ୍କ କଲା । ଫଳରେ ମୋହନ ଦଶମିନିଟ୍ ଭିତରେ ନିଜକୁ ପୁରା ସୁସ୍ଥ ଅନୁଭବ କଲା ।
ସର୍ଦ୍ଦାର ଚାଲିଗଲା । ମୋହନ କିଛି ସମୟ ବିଶ୍ରାମ କରି ପୁଣି ଆଶ୍ରମ ଆଡେ ସେ ଚାଲିଲା ।
ଆଚାର୍ଯ୍ୟ ପଚାରିଲେ, “କ’ଣ ହେଲା? କୁଆଡେ ଆସିଲ?”
ମୋହନ କହିଲା “ମହାଶୟ ମୋତେ ଆଶ୍ରମରେ ଗ୍ରହଣ କରନ୍ତୁ ଓ ଶିକ୍ଷା ଦିଅନ୍ତୁ ।”
ଆଚାର୍ଯ୍ୟ ଦୀର୍ଘନିଃଶ୍ୱାସ ଛାଡି କହିଲେ, “ନା ବାପା, ଶିକ୍ଷା ପ୍ରତି ତମର ମୋଟେ ଆଗ୍ରହ ନାହିଁ । ତମେ ଖାଲି ଶିକ୍ଷାକୁ ଉପାର୍ଜନର ପନ୍ଥା ହିସାବରେ ବିଚାରୁଛ । କିନ୍ତୁ ଜଣେ ତ ଶହେ ଉପାୟରେ ମଧ୍ୟ ଧନ ଉପାର୍ଜନ କରିପାରେ । ଶିକ୍ଷା କ’ଣ ଦରକାର? ଯାହାର ଜ୍ଞାନ ପାଇଁ ତୃଷ୍ଣା ଅଛି, ଶିକ୍ଷା ଲାଭ ଦିଗରେ କେବଳ ତାହାରି ହିଁ ସର୍ବନିମ୍ନ ଯୋଗ୍ୟତା ଅଛି ବୋଲି ଆମେ ବିଚାର କରୁ । ଯାହାର ସତ୍ୟ କ’ଣ ଜାଣିବା ପାଇଁ ଆଗ୍ରହ ଅଛି, ତାହାର ଶିକ୍ଷା ପାଇଁ ବିଶେଷ ଯୋଗ୍ୟତା ଅଛି ବୋଲି ଆମର ମତ । ତମର ତ ସର୍ବନିମ୍ନ ଯୋଗ୍ୟତା ବି ନାହିଁ ।”
ମୋହନ ପଚାରିଲା “ଆଜ୍ଞା, ଆପଣ ମୋତେ ଥରେ ପରୀକ୍ଷା କରୁନାହାଁନ୍ତି?”
ତା’କଥାରେ ଆଚାର୍ଯ୍ୟ ହସିଲେ । “ପରୀକ୍ଷା ହୋଇ ସାରିଛି!” ବୋଲି ସେ କହିଲେ ।
ମୋହନ ଚାଲିଗଲା । ଆଶ୍ରମ ବାହାରେ ସେହି ସର୍ଦ୍ଦାର ଉପରେ ହଠାତ୍ ତା’ର ଆଖି ପଡିଗଲା । ଜଣେ ଆଶ୍ରମବାସୀଙ୍କୁ ସେ ପଚାରିଲା, “କିଏ ଇଏ?”
“ସେ ଏଠାରେ ଆମ ଇନ୍ଦ୍ରଜାଲ ବିଦ୍ୟାର ଶିକ୍ଷକ । କୌଣସି କାରଣରୁ ସେ ଆଜି ବନବାସୀ ସର୍ଦ୍ଦାର ବେଶ ଧାରଣ କରିଛନ୍ତି ।”
ମୋହନ ଏଥର ବୁଝିଲା, କିପରି ଭାବରେ ତା’ର ପରୀକ୍ଷା ନିଆ ଯାଇଛି । ବିତ ଥିଲା, ପୁଣି ଚାଲିଗଲା । କିନ୍ତୁ ସେ ବିଦ୍ୟା ଅର୍ଜନ କରିଥିଲେ ତାହା ଆଉ ଚାଲିଯାଉ ନଥାନ୍ତା! ବଡ ଭୁଲ୍ ହୋଇଗଲା!