• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»କାବ୍ୟ ଓ କବିତା»ପ୍ରସିଦ୍ଧ କବିତା»ବିଦେହ ରାଜନ ଭୋଜି ସମ୍ଭାର ଭିଆଇ
ପ୍ରସିଦ୍ଧ କବିତା

ବିଦେହ ରାଜନ ଭୋଜି ସମ୍ଭାର ଭିଆଇ

ଉପେନ୍ଦ୍ର ଭଞ୍ଜBy ଉପେନ୍ଦ୍ର ଭଞ୍ଜFebruary 22, 2020No Comments7 Mins Read
Facebook Twitter Pinterest Reddit LinkedIn Tumblr Email
Share
Facebook Twitter Pinterest Reddit Email

ରାଗ-ନଳିନୀଗୌଡା଼

ବିଦେହରାଜନ ଭୋଜି ସମ୍ଭାର ଭିଆଇ ।
ବିଳୋହିଲେ ଦଶରଥ ବନ୍ଧୁବର୍ଗ ନେଇ ଯେ । ୧ ।
ବସନ ରତ୍ନ ଭୂଷଣ କୁସୁମ ଚନ୍ଦନେ ।
ବନ୍ଦିଲେ ସତ୍ୱରେ ଅତି ଆନନ୍ଦିତ ମନେ ଯେ । ୨ ।
ବସାପୁରେ ବରକନ୍ୟା ଘେନି ଗଲାବେଳେ ।
ବସାଇ କୋଳେ ଜନନୀମାନେ ତିଆରିଲେ ଯେ । ୩ ।
ବୀରସୂ ସନ୍ନିଧେ ହେଉଁ ବଧୂ ଆଲୋକରେ ।
ବିରସୁଁ ଉଦ୍ଧରି ହେଲେ ଥିଲେ ଏ ଲୋକରେ ଯେ । ୪ ।
ବରଙ୍କ ସୁଷମା ସମା କନ୍ୟା ଥିବେ କାହିଁ ।
ବିଚାରୁଥିଲାଇଁ ବିହି ଭଲା ଥିଲା ବିହି ଯେ । ୫ ।
ବର୍ତ୍ତମାନ ଭୂତ ଭବିଷ୍ୟତରେ ଶୋଭାସାର ।
ବୋଲିବାର ସମ୍ଭବିଲା ଏହାଙ୍କ ଠାବର ଯେ । ୬ ।
ବସୁମତୀ ଗର୍ଭୁଁ ଗ୍ରହ ଦୈତ୍ୟ ଜାତ ହୋଇ ।
ବିଭୃତି ତା ଗର୍ଭେ ସୀତା ହୋଇଥିଲା କେହି ଯେ । ୭ ।
ବାରୁଣୀ ବିଷ ଅମୃତ ଯଥା ସିନ୍ଧୁଜାତ ।
ବିଶ୍ୱମ୍ଭରାରୁ ଜାନକୀ ଜନିତ ତେମନ୍ତ ଯେ । ୮ ।
ବିଧି ଭଲା ବିଧି ଭଲା ଏ ଜାତ ହେବାକୁ ।
ବୋଲିଥିଲା ଗନ୍ଧବତୀ ରତ୍ନଗର୍ଭା ତାକୁ ଯେ । ୯ ।
ବରବର୍ଣ୍ଣିନୀ ବରଙ୍କ ଚଉଠି ଉତ୍ସବ ।
ବରବର୍ଣ୍ଣିନୀ କ୍ରୀଡା଼କୁ ରଚିଲେ ବାନ୍ଧବ ଯେ । ୧୦ ।
ବନକ ହରିତାଳେ କି ପ୍ରଳୟ ହୋଇଲା ।
ବର୍ଣ୍ଣାଞ୍ଜନ ଜନ ହେଲେ ସୁବର୍ଣ୍ଣପିତୁଳା ଯେ । ୧୧ ।
ବିଶିଖଘରାଦି ବିଧି ପାଇଲେ ପର୍ଣ୍ଣକୁ ।
ବୋଲାଇଲେ ଅଜସୁତ ପୁର ଗମନକୁ ଯେ । ୧୨ ।
ବିଭରଣ କରି ଆଣି ବୁହାଇ ଜନକ ।
ବଚନୀୟ ନୋହେ ଯେତେ ଦେଲେ ଯଉତୁକ ଯେ । ୧୩ ।
ବାତାୟୂଲୋମଜ କଉଶେୟ ଜରିବସ୍ତ୍ର ।
ବ୍ରହ୍ମାସ୍ତ୍ର ସମାନ କରି ସମର୍ପିଲେ ଅସ୍ତ୍ର ଯେ । ୧୪ ।
ବୃଷାହୟ ପରି ହୟଚୟ, କରୀ ତହିଁ ।
ବାସବ-ଗଜ-ତନୟ ନୟ ଉପୁଜଇ ଯେ । ୧୫ ।
ବାରାଂନିଧି ଶୂନ୍ୟ କଲା ପରି ରତ୍ନ ଦିଏ ।
ବେଳବୁଝା ପାରାବତ ଜ୍ୟୋତିର୍ବିଦ ପ୍ରାୟେ ଯେ । ୧୬ ।
ବିହଙ୍ଗେ ଶୁକ ସରିକା ଶ୍ଳୋକ ପଢା଼ ହୋଇ ।
ବିଦ୍ୟାଧରୀ ବିଜିତା ଦାସୀ ତ ଥିଲେ ଦେଇ ଯେ । ୧୭ ।
ବାହାରିଲେ ଛାଡି଼ ଯେ ମିଥିଳା ନରେଶ୍ୱର ।
ବିଜୟେ ସୁଖାସନରେ ଚାରି କନ୍ୟା ବର ଯେ । ୧୮ ।
ବଳ ସାଜି ଗମନ ବାଜନ୍ତେ ବାଦ୍ୟମାନ ।
ବଳପର ଆଦି ଦେବେ କରନ୍ତି ଲୋକନ ଯେ । ୧୯ ।
ବିଶାଳ ଭୂପାଳ ମେଳ ହୋଇଲେ ପଥର ।
ବଂଶେ ମିତ୍ରର ଯେ ଜାତ କେ ହୋଇବ ପର ଯେ । ୨୦ ।
ବୀରବାହୁ ଭୃଗୁପତି ତ୍ରାସ ଦେବାପାଇଁ ।
ବାସ କଲା ଗିରି ଭୃଗୁ ଚମକନ୍ତେ ତହିଁ ଯେ । ୨୧ ।
ବୀତିହୋତ୍ର ପରାୟେ ସ୍ୱଭାବେ ତେଜୋବନ୍ତ ।
ବୀରତୂର ଘୃତାହୁତି ଲାଗି ପ୍ରଜ୍ଜ୍ୱଳିତ ଯେ । ୨୨ ।
ବିଦିତ କାଷ୍ଠାବଳିରେ ଲାଗି ପାଁଶୁ ବର୍ଷେ ।
ବ୍ୟାକୁଳିତ ଦଶରଥ ହେଲେ ସେହି ତ୍ରାସେ ଯେ । ୨୩ ।
ବୋଇଲେ ପ୍ରଚଣ୍ଡ ନଳ ଆସୁଅଛି ଜଳି ।
ବୁଦ୍ଧି ନ ଦିଶେ କୁମରେ ହେଲେ ତୃଣାବଳି ଯେ । ୨୪ ।
ବିଶ୍ୱାମିତ୍ର ଶ୍ରବଣରେ କଲେ ପ୍ରତିଭାଷ ।
ବିନାଶ ତହିଁ ଉତ୍ପତ୍ତି ଯହିଁରୁ ନ ଘୋଷ ଯେ । ୨୫ ।
ବ୍ୟୋମ ଅଯୋଧ୍ୟାରେ ଉଦେ ମୁଦିର ସୁନ୍ଦର ।
ବହ୍ନି ତପନ କେମନ୍ତେ ରହିବ ତାହାର ଯେ । ୨୬ ।
ବାମଦେବ ବୋଇଲେ କରିଛି ତୋତେ ରକ୍ଷା ।
ବାଞ୍ଛି ପୁତ୍ରଙ୍କ କଲ୍ୟାଣେ ଆସୁଅଛି ଦକ୍ଷା ଯେ । ୨୭ ।
ବଶିଷ୍ଠ ବୋଇଲେ ଗ୍ରହ ମଙ୍ଗଳ ବୋଲାଇ ।
ବିନା ଦାନେ ଶାନ୍ତି ନୋହେ ଅମଙ୍ଗଳଦାୟୀ ଯେ । ୨୮ ।
ବୀରଶାର୍ଦ୍ଦୂଳ ଲୋକନେ ଭାଜେ ସୈନ୍ୟମୃଗ ।
ବିନୟୀ ହେଲେ ନୃପତି ଅତ୍ୟନ୍ତ ଉଦ୍ୱେଗ ଯେ । ୨୯ ।
ବୃଦ୍ଧକାଳେ ପୁତ୍ରଦାନ କଲେ ଋଷ୍ୟଶୃଙ୍ଗ ।
ବିବାହ ଉତ୍ସବ କରି ବାହୁଡୁ଼ଛି ନଗ୍ର ଯେ । ୩୦ ।
ବିଜେ କଲ କୃପାରେ ଏଠାକୁ ଭୃଗୁରାଜ ।
ବୃଦ୍ଧି ହେବ ଆୟୁ ତାଙ୍କୁ ଦିଅ ପାଦରଜ ହେ । ୩୧ ।
ବିଷ୍ଣୁର ଆବେଶ ଅବତାର ହୋଇ ତବ ।
ବିଜ୍ଜ୍ୱଳିତ କୋପେ ଭକ୍ତ ଭକ୍ତି ନ ଘେନିବ ହେ । ୩୨ ।
ବୋଲୁଁ ବୋଲେ ଯେଉଁ ରାମ ବଡା଼ଇ ପ୍ରକଟେ ।
ବୀରବାଦ୍ୟ ବଜାଇ ଯାଉଛି ମୋ ନିକଟେ ଯେ । ୩୩ ।
ବିଶ୍ୱେ ନ ଜାଣେ କ୍ଷତ୍ରିୟବିମର୍ଦ୍ଦନବାନା ।
ବସୁଧାରେ ତାର ଶିର ଲୋଟାଇବି ସିନା ଯେ । ୩୪ ।
ବୋଲେ ନୃପ କ୍ଷୀରକଣ୍ଠ ମାରି କେଉଁ ଯଶ ।
ବିକ୍ରମିଣ ଗଲା ସେ ନ ଶୁଣି ରାଜା ଭାଷ ଯେ । ୩୫ ।
ବକ୍ତା ଲକ୍ଷ୍ମଣ କାହାକୁ ପଚାରିଲେ ପ୍ରାୟେ ।
ବାଚାଳେ କାହୁ ପ୍ରବେଶ ଆମ୍ଭ ସୈନ୍ୟେ ହୁଏ ଯେ । ୩୬ ।
ବ୍ୟାଳେ ଲୋଷ୍ଟ୍ର ପ୍ରହାରିଲା ପ୍ରାୟେ ରହି କହି ।
ବିଷକଣ୍ଠେ କ୍ଷୀରକଣ୍ଠ ବୋଲୁଥିଲା କେହି ଯେ । ୩୭ ।
ବିଷକଣ୍ଠ ଯେବେ ତବ ଗୁରୁ ହେବା, ସ୍ତବ ।
ବିରଚି କି ଆସିଅଛ କହୁଁ କହେ ଜବ ଯେ । ୩୮ ।
ବଂଶଧନୁ କୀଟଭେଦ ଥୋଉଁ ଥିଲା ହୋଇ ।
ବିଭଞ୍ଜନେ ତାହା ମହାବୀର ଯେ ବୋଲାଇ ଯେ । ୩୯ ।
ବଧ ଆଗ ତାକୁ ବିଚାରିବା ପଛେ ତୁହି ।
ବୋଲେ ଅନ୍ଧମତେ ଚନ୍ଦ୍ର ସୂର୍ଯ୍ୟ ଯଥା ନାହିଁ ଯେ । ୪୦ ।
ବିଭ୍ରାଜି ପରଶୁରାମ ଶ୍ରୀରାମ ଭେଟିଲା ।
ବିବାଦୀ ତାହାଙ୍କୁ ସେହି ସେକାଳେ ଘୋଟିଲା ଯେ । ୪୧ ।
ବିଷମସମସ୍ୟା ଦେବା ପୂରଣ ଏଠାରେ ।
ବିଦିତ ଖଣ୍ଡେନ୍ଦୁ କିବା ପୂର୍ଣ୍ଣେନ୍ଦୁ ଆଗରେ ଯେ । ୪୨ ।
ବିଧୁ ଅବତାର ଦୁହିଙ୍କର ସେହିପରି ।
ବିନ୍ୟସ୍ତ ଦ୍ୱିତୀୟା ଆଗେ ପଛେ ରାକା କରି ଯେ । ୪୩ ।
ବୋଇଲେ ରଘୁନନ୍ଦନ ଆହେ ବିପ୍ରବର ।
ବାହୁଜ ବୃତ୍ତିରେ କିପାଁ ଅଇଲ ଏଠାର ଯେ । ୪୪ ।
ବ୍ୟାଜ ଏ ଶବର ପ୍ରାୟେ କୁଠାରେ ତ ବହ ।
ବୃତ୍ତି କରିଛ ସମିଧ ବିକ୍ରୟ କି କହ ହେ ? ୪୫ ।
ବିଷ୍ଟର କରକ ପାତ୍ରୀ ବହିବାକୁ ଦେବା ।
ବ୍ରାହ୍ମଣ୍ୟ ! ଆମ୍ଭେ ତୁମ୍ଭଙ୍କୁ ପୂଜନ କରିବା ହେ । ୪୬ ।
ବାଲ୍ମୀକି ଖଣ୍ଟବୃତ୍ତିକି ଆଶ୍ରେ କରିଥିଲେ ।
ବନ୍ଦ୍ୟ ଜଗତେ ସେ ସାଧୁ ଦର୍ଶନେ ହୋଇଲେ ଯେ । ୪୭ ।
ବିଚାରି ଏମନ୍ତ ଆସିଥିଲେ ଭଲ କଥା ।
ବ୍ୟଥା ଲଭି ରୈଣୁକେୟ ବୋଇଲେ ଏ ବୃଥା ଯେ । ୪୮ ।
ବନେ ପଶି ସ୍ତିରୀଏ ତାଡ଼କି ନାମେ ହାଣି ।
ବହୁତକାଳରୁ ଥୁଆ ଧନୁ ଭାଙ୍ଗି ପୁଣି ଯେ । ୪୯ ।
ବୀରଧୃ ପ୍ରକାଶିଅଛୁ ମୋର ଧନୁ ଧର ।
ବିଗ୍ରହ କି ଆରମ୍ଭିବା ଦାଶରଥିଠାରେ ଯେ । ୫୦ ।
ବାମକର ବଢା଼ଇଲେ ରାମ ଶୁଣିକରି ।
ବଢା଼ଇ ଦେଉଁ ସେ ଧନୁ ବିଷ୍ଣୁ ତେଜ ହରି ଯେ । ୫୧ ।
ବିମନା ଜାନକୀ ଯେ ସପତ୍ନୀ ଭଯ ଗୁଣି ।
ବିଭଞ୍ଜାଇ ଋଷି ଏତ ପୁଣି ଚାପେ ଆଣି ଯେ । ୫୨ ।
ବୋଧିଲେ ବଲ୍ଲଭୀ କାନ୍ତ କର୍ଣ୍ଣପାଶେ କହି ।
ବଳ କଷେ ବିବାହକାର୍ଯ୍ୟ ଏ ନୋହେ ସହି ଗୋ । ୫୩ ।
ବସିବାଠାବରେ ଗୁଣ ଦେଇ ସନ୍ଧି ଶର ।
ବିନ୍ଧିବା କାହିଁକି ବୋଲି ପଚାରିଲେ ବୀର ଯେ । ୫୪ ।
ବୋଲେ ପରଶୁରାମ ମୋ ପାପଭାର ଛେଦ ।
ବିଚ୍ଛେଦିଲେ ରାମଚନ୍ଦ୍ର ସେ ହେଲେ ପ୍ରମୋଦ ଯେ । ୫୫ ।
ବାହୁଡ଼ନ୍ତେ ପ୍ରଦକ୍ଷିଣ କରି ଦେବବୁଦ୍ଧି ।
ବାଜିଲା ବିବିଧ ବାଦ୍ୟ ବିଜେ କୃପାନିଧି ଯେ । ୫୬ ।
ବଳଗଣ୍ଡିଠାରେ ରହି ଯଥା ଜଗନ୍ନାଥ ।
ବିଜେ ପୁଣି ଜନକ ସନ୍ତୋଷେ ଚାଳି ରଥ ଯେ । ୫୭ ।
ବିସ୍ତାରି ତ ଜୟ ଶବ୍ଦ ହେଲା ଦଶଦିଶ ।
ବଡ଼ ଦେଉଳ ସାକେତେ ହେଲେ ପରବେଶ ଯେ । ୫୮ ।
ବିଧିରେତ ବେନି ମହୋତ୍ସବ ଅବଲୋକ ।
ବୃନ୍ଦାରକେ ଏକା ମିତ୍ରକରଣେ ବିବେକ ଯେ । ୫୯ ।
ବଚନ ନାହିଁ ଯହିଁ କି ଉପମା ତାକୁ ସେ ।
ବଇକୁଣ୍ଠ ମର୍ତ୍ତ୍ୟେ ସେହି ଯେ ପୁରେ ବିଳସେ ଯେ । ୬୦ ।
ବଳେ ଛଡା଼ଇ ଚନ୍ଦ୍ରୁ ସେ ସୁଧାକର ପଦ ।
ବିଶଦ ହାସେ ଉଡା଼ଇ ରଖେ ବିଷ୍ଣୁପଦ ଯେ । ୬୧ ।
ବିଷ୍ଣୁପଦ ସମ୍ପଦ ଲୁଟିରୁ ରତ୍ନମୟେ ।
ଚଢା଼ଇ ପତାକା କର ଆଣିଲାର ପ୍ରାୟେ ଯେ । ୬୨ ।
ବାଟିକା ଯହିଁର କରେ ନନ୍ଦନ ନିନ୍ଦନ ।
ବଲ୍ଲିକା କୁସୁମ ପାରିଜାତକ ବନ୍ଦନ ଯେ । ୬୩ ।
ବଦେ ଜିଣେ କଳ୍ପଦ୍ରୁମ ଯହିଁ ବୃକ୍ଷପନ୍ତି ।
ବିଦୃଶ୍ୟ ଫଳ ସେ ଦୃଶ୍ୟ ଭଳେ ଏ ରାଜନ୍ତି ଯେ । ୬୪ ।
ବିପୁଳ କ୍ଳେଶ ଲଭ୍ୟ ସେ ଏ ଲଭ୍ୟ ଅକ୍ଳେଶେ ।
ବିଦ୍ୟାଧରୁ ଚଳି ପିକ ସପ୍ତସ୍ୱର ଘୋଷେ ଯେ ୬୫ ।
ବୀଣା ତେଜିବେ ନାରଦ ଶୁକପଢା଼ ଶୁଣି ।
ବିହରନ୍ତି ତହିଁ ସୀତା ଘେନି ରଘୁମଣି ଯେ । ୬୬ ।
ବିଷ୍ଣୁଆଣୀକି ଆଣନ୍ତି ଜାନୁରେ ବସାଇ ।
ବାର୍ଦ୍ଧିଗଙ୍ଗାଛବି ଲଭେ କୋଳାକୋଳି ହୋଇ ଯେ । ୬୭ ।
ବତ୍ସେ ଉତ୍ସୁକଭାବରେ କରାଉଁ ଶୟନ ।
ବିଦ୍ୟୁତକେଳି ଉଜ୍ଜ୍ୱଳ ଜଳଦ କୁଣ୍ଠନ ଯେ । ୬୮ ।
ବନ୍ଧୁକ ଭୃଙ୍ଗ ବନ୍ଧୁତା ଓଷ୍ଠପାନବେଳେ ।
ବୃଷଧ୍ୱଜ ପୂଜନ ଉରଜେ କର ଦେଲେ ଯେ । ୬୯ ।
ବନଜେ ନୀଳଉତ୍ପଳ ପବନେ କି ଢଳେ ।
ବିମଳ ଗଣ୍ଡ ଚୁମ୍ବନେ ସେ ରୀତି ବହିଲେ ଯେ । ୭୦ ।
ବାହୁ କରେ ଧରି ହେଉଁ ଆରାମପ୍ରବେଶୀ ।
ବାରିଦେ ପଶିଲା ପ୍ରାୟେ ଏକ ତାରା ଶଶୀ ଯେ । ୭୧ ।
ବାଗ୍ଦେବୀ ଗଣେଶ କବିତ୍ୱରେ ବାଦକୃତ ।
ବ୍ରତତୀରେ ଉକ୍ତି ପ୍ରତିଉକ୍ତିରେ ତେମନ୍ତ ଯେ । ୭୨ ।
ବିଧାତା ବଶରେ ପିତୃଦିବସ ପ୍ରବେଶ ।
ବନେ ମୃଗୟା ଗମନ ଜନକ ଆଦେଶ ଯେ । ୭୩ ।
ବଣା ସେ ଖଡ୍ଗୀନ ହୋଇ ଖଡ୍ଗୀନ ସଙ୍ଗତ ।
ବନ୍ଧାଇଲେ ଗୁଲ ଶବରେଶ ସଙ୍ଗେ ମିତ ଯେ । ୭୪ ।
ବାହୁଡି଼ ନଗରେ ଜୀବେ ଜୀବେଶ ହୋଇ ସେ ।
ବିଦେହ ଗମନ କଲେ ଜନକ ଏ ଶେଷେ ଯେ । ୭୫ ।
ବିଲୋକନ ଅର୍ଥରେ ଭରତ ଶତ୍ରୁଘନ ।
ବପ୍ତା କୈକେୟୀର ନିଆକେ ତୋଷମନ ଯେ । ୭୬ ।
ବାସିତା-ସୀତାଙ୍କୁ ଘେନି ତ୍ରିକାଳ ବଞ୍ଚନ ।
ବିଭରତି ଦିଗନ୍ତରେ କଳକଣ୍ଠ ସ୍ୱନ ଯେ । ୭୭ ।
ବିରୋଚନ ସୁଖ ଦାନ ଦରଶନ କରେ ।
ବନେ କେଳିକୃତ ଚିତ୍ତ ଆଦର ନିଶାରେ ଯେ । ୭୮ ।
ବିଗ୍ରହୁ ସୀତାର ଜାତ ହିମ ଜଡେ଼ ଉଷ୍ମ ।
ବସନ୍ତ ଗ୍ରୀଷମେ ଅତିଅ ଶୀତଳ ତ ବର୍ଷ୍ମ ଯେ । ୭୯ ।
ବରଷା ଶରଦେ ଦୁଇ ମତ ଥାଇ ବହି ।
ବିଦଗ୍ଧହେମାଙ୍ଗୀ ଗନ୍ଧସାରବାସୀ ସେହି ଯେ । ୮୦ ।
ବ୍ୟାପାର ଋତୁମାନଙ୍କେ ଲୋଡା଼ ନ କରଇ ।
ବିମୋହିତ ଋତୁରେ କେବଳ ତାଙ୍କୁ ଦେଇ ଯେ । ୮୧ ।
ବୀରବର ଉପଇନ୍ଦ୍ର ଭଞ୍ଜ କହେ ରସ ।
ବୟାଶୀପଦେ ପଣ୍ଡିତେ ଏ ସ୍ୱାଦୁରେ ରସ ହେ । ୮୨ ।

Odia Poetry Upendra Bhanj Books Upendra Bhanj Odia Poetry
Share. Facebook Twitter Pinterest LinkedIn Tumblr Reddit Email
Previous Articleବିଚିତ୍ରିତ ଚିତ୍ରରେ ହୋଇଥିଲେ
Next Article ବସି ବଶିଷ୍ଠ ଜାବାଳି ବାମଦେବ
ଉପେନ୍ଦ୍ର ଭଞ୍ଜ

Related Posts

ଛ ଚମ୍ପୂ

February 26, 2020

ଏଥୁଅନ୍ତେ ଶୁଣ ରସିକ ଜନେ

February 22, 2020

ଶୁଣ ହେ ସୁଜନେ ରସ କର୍ଣ୍ଣ ମନଲୋଭା

February 22, 2020

ଜୟ ଜୟ ଜୟ ରାମ ଜନକସୁଖଦ

February 22, 2020

ବିଶ୍ରବାନନ୍ଦନ ତପ ଉଦିତ ପର୍ବତ ରୂପ

February 22, 2020

ବକେ ବସିଥିଲା ଧ୍ରୁବ ଉପରେ

February 22, 2020
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.