ବାପା ତ ସରକାରୀ ଚାକିରି କରୁଥିଲେ । ସେତେବେଳେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ହୋଇ ନଥିଲା । ବଙ୍ଗଳା ଓ ବିହାର ସାଙ୍ଗରେ ରହୁଥିଲା । ବାପା ଯେଉଁଠି ଥିଲେ ବି ସେ ବେମାର ହେବା ଖବର ପାଇଲେ ବଡ଼ବାପା ତାଙ୍କୁ ପାଖକୁ ନେଇ ଆସନ୍ତି– ଚିକିତ୍ସା କରାଇ ଭଲ ହେଲେ ଛାଡ଼ନ୍ତି । ବାପାଙ୍କ ସାଙ୍ଗରେ ଆମେ ମଧ୍ୟ ଆସି ବଡ଼ବାପାଙ୍କ ଘରେ ରହୁ । ବର୍ତ୍ତମାନ ଯେ ଶୈଳବାଳା ମହିଳା କଲେଜ ହୋଇଛି, ସେଇଟା ବଡ଼ବାପାଙ୍କର ବାସଗୃହ ଥିଲା । ବାପା, ମା ଓ ଆମେ ଦୁଇ ଭଉଣୀ ସେଇଠି ରହୁ । ବଡ଼ବାପାଙ୍କ ଘରେ ମିସ୍ ଦାସ୍, ମିସ୍ ହାଜରା ଓ ଚନ୍ଦ୍ର ପ୍ରଭୃତି ଥାଆନ୍ତି । ବଡ଼ବାପାଙ୍କ ଘରେ ରହିଲାବେଳେ ମିସ୍ ଦାସ୍ ଆମ ଉପରେ ମୁରବିପଣିଆ କରନ୍ତି । ବାଥ୍ରୁମ୍ କିପରି ବ୍ୟବହାର କରିବାକୁ ହୁଏ, ଟେବୁଲ୍ରେ ଖାଇବା କାଇଦା ସବୁ ଶିଖାନ୍ତି । ସଣ୍ଠଣାର ଟିକିଏ ବ୍ୟତିକ୍ରମ ହେଲେ ମିସ୍ ଦାସ ଆକଟ କରନ୍ତି । ସେ ଆକଟ ବଡ଼ବାପାଙ୍କୁ ଭଲ ନ ଲାଗିଲା ପରି ଜଣାପଡେ଼ । ସେ କହି ପକାନ୍ତି,’ଶୈଳ ! ପିଲାଗୁଡ଼ାଙ୍କୁ କେତେ ଶାସନ କରୁଛୁ ? ଛାଡ଼ିଦେ, ବଡ଼ ହେଲେ ସେମାନେ ଆପେ କରିବେ ।‘
ବଡ଼ବାପାଙ୍କ ସଂଗେ ମୋ ମା‘ର ସଂପର୍କ ଦେଢ଼ଶୁର ଭାଇବୋହୂ ପରି ନଥିଲା– ବାପ ଝିଅ ଭଳି ଥିଲା । ସେଥିପାଇଁ କେତେ ଲୋକ ମା‘କୁ ଥଟ୍ଟାରେ କହନ୍ତି– ତମେ ଆର ଜନ୍ମରେ ପେଚା ହୋଇ ଜନ୍ମହେବ । ବଡ଼ବାପା ମା‘କୁ ‘ପାଲି‘ ଡାକନ୍ତି । ମା‘ର ଡାକ ନାମ ଥିଲା ‘ପାଲ‘ । ବଡ଼ବାପାଙ୍କ ଘରେ ଖାନସାମା ରୋଷେଇ କରନ୍ତି । କିନ୍ତୁ ବଡ଼ବାପା ଖାଇବା ବେଳେ ‘ପାଲ‘ ହାତରନ୍ଧା ତରକାରି ଥିଲେ ଖୁସିରେ ଖାଇବେ । ଏଥିପାଇଁ ମା‘ ଦୋମହଲା ଛାତ ଉପରେ ଗୋଟିଏ ଉଠା ଚୁଲିରେ ପ୍ରତିଦିନ ତରକାରି, ପିଠା ଓ ଅନ୍ୟ ଜଳଖିଆ ତିଆରି କରେ । ପରଷିବା ବେଳେ ବଡ଼ବାପା କହନ୍ତି– ‘ପାଲି ! ତୁ ଯଦି ଖୁସି ହେବୁ ମୋ ପେଟ ପୂରିଲେ ମଧ୍ୟ ମୁଁ ଗୋଟିଏ ସନ୍ଦେଶ ଖାଇବି ।‘ ବଡ଼ବାପା କାକରା ପିଠାକୁ ଭଲ ପାଆନ୍ତି । ମା‘ ସେ ପିଠା କରେ, ସେ ଖୁସିରେ ତାହାକୁ ଖାଆନ୍ତି । କିନ୍ତୁ ବରାବର କହନ୍ତି ମୋ ବୋଉ ହାତରନ୍ଧା ପିଠା ପରି ଲାଗୁନାହିଁ । ମିସ୍ ଦାସ ଦିନେ ଦିନେ ମା‘କୁ ପଚାରନ୍ତି ଏ ତରକାରି କେମିତି ରାନ୍ଧିଲ ? ଏ ମିଠା କାହିଁରେ ତିଆରି ଇତ୍ୟାଦି । ଦିନେ ଦିନେ ବଡ଼ବାପା ଥଟ୍ଟାରେ କହନ୍ତି– କ‘ଣ ତେଲ ମସଲାରେ ତରକାରି ସୁଆଦ ହୁଏ କି ? ଖୁଆଇବାର ଶରଧା ବା ସଉକ ସୁଆଦ କରେ ।
ଆମେ ପ୍ରାୟ ପ୍ରତିଦିନ ଚାରିଟା ବେଳେ ବଡ଼ବାପାଙ୍କ ସାଙ୍ଗରେ ଗାଡ଼ିରେ ବୁଲିଯାଉ । କେହି ଜଣେ ବଡ଼ ମଣିଷ ଆମ ସାଙ୍ଗରେ ଯାଆନ୍ତି । ଅଧିକାଂଶ ଦିନ ବଡ଼ବାପାଙ୍କ ସହିତ ଟ୍ୟାନେରୀ ଯାଉ । ସେ ତାଙ୍କ କାମ କରନ୍ତି । ଆମକୁ ଜଣେ ବୁଲେଇ କେଉଁଠି କି କାମ ହେଉଥାଏ ବୁଝାଇ କହିଦିଏ । ଦିନେ ଗୋଟାଏ କେଉଁଠିକି ଭଲ ଜାଗାକୁ ଯିବାର ଥାଏ । ଆମେ ଲୁଗାପଟା ପିନ୍ଧାରେ ବ୍ୟସ୍ତ ଥାଉ । ଶିିଡ଼ିରେ ବଡବାପାଙ୍କ ଜୋତା ଶବ୍ଦ ହେଲା । ସଂଗେ ସଂଗେ ଡାକ ଶୁଣିଲୁ– ‘କିରେ, କ‘ଣ କରୁଛ ? ମୁଁ ଆସିଲିଣି, ଆସ ।‘ ସେ ତାଙ୍କ ବସିବା ଘରେ ଯାଇ ବସିଲେ । ଅଳ୍ପ ସମୟ ପରେ କୁଆଡେ଼ ଚାଲିଗଲେ । ବାପା ଆମକୁ ଡାକି କହିଲେ, ‘ବଡ଼ବାପା ଡାକିଲେ, କାହିଁକି ଆସିଲ ନାହିଁ? ଭାରି ଭୁଲ୍ କଲ । ଆଉ ଦିନେ ଏପରି କରିବ ନାହିଁ । ବଡ଼ବାପା ନ ଆସିବା ଯାଏ ତୁମେ ବୁଲିଯିବ ନାହିଁ । ସେ ଆସିବା ସଂଗେସଂଗେ ତାଙ୍କ ପାଖକୁ ଆସିବ ଓ ଏ ଭୁଲପାଇଁ କ୍ଷମା ମାଗିବ ।‘
କିଛି ସମୟ ପରେ ବଡ଼ବାପା ଆସିଲେ । ସେ ଆସିବା କ୍ଷଣି ପଚାରିଲେ– ‘ମାଙ୍କଡ଼ ଦି‘ଟା ଗଲେ କୁଆଡେ଼ ?’ ମା କହିଲା , ‘ଆପଣ ଡାକିଲେ, ସେମାନେ ଆସିଲେ ନାହିଁ ବୋଲି ଗାଳି ଖାଇ କାନ୍ଦୁଛନ୍ତି ।‘ ସଂଗେ ସଂଗେ ବଡ଼ବାପା ଆମ ପାଖକୁ ଗଲେ ଏବଂ ମୋତେ ଟେକିଦେଇ ଉପରକୁ ଫୋପାଡ଼ିଦେଇ ଧରିନେଲେ । ଖୁବ୍ ଗେଲ କରି କହିଲେ, ‘ଯେ କେହି ଡାକିଲେ ତାକୁ ସାଙ୍ଗେ ସାଙ୍ଗେ ଜବାବ ଦେବ ଓ ତା‘ ପାଖକୁ ଆସିବ । ସେପରି ନକଲେ ଅଭ୍ୟାସ ଭାରି ଖରାପ ହୋଇଯିବ । ‘ବାପାଙ୍କୁ ଡାକି କହିଲେ, ‘ଗୋପାଳ, ତୋ ଝିଅମାନେ ଶାସ୍ତି ପାଇଲେଣି । ତୁ ଅନୁମତି ଦେ, ବୁଲିଯିବେ ।‘ ଏହା କହି ସାଙ୍ଗରେ ତାଙ୍କ ଗାଡ଼ିରେ ବୁଲାଇ ନେଇଗଲେ ।
ମୁଁ ସାତ ଆଠ ବର୍ଷର ହୋଇଥାଏ । ଧୋବଣୀ ଲୁଗା ନେଇ ଆସିଲା । ମୁଁ ତାକୁ ପଚାରିଲି– ‘ତୁ କି ଜାତି‘ ? ମୋର ଏତିକି କଥା ବାପା ଶୁଣି ପାରିଲେ । ସଂଗେସଂଗେ ମୋ ପାଖକୁ ଚାଲିଆସି କହିଲେ, ‘ଶାଶୂଖାଇ ! ଜାତିକଥା କାହାକୁ ପଚାରନ୍ତି ନାହିଁ । ତୁ ଆଉ ଦିନେ କାହାକୁ କେବେ କେଉଁ ଜାତି ବୋଲି ପଚାରିବୁ ନାହିଁ ।‘ ସେ କଥା ଆଜି ପର୍ଯ୍ୟନ୍ତ ମୋ ମନରେ ରହିଛି । ଆଉ କେବେ କାହାକୁ ଜାତି କଥା ପଚାରିନାହିଁ ।
ବଡ଼ ପୂଜାରୀଙ୍କଠାରୁ ରୋଷେଇ ଶିଖିବାପାଇଁ ଆମ ଘରେ ଛୋଟ ଛୋଟ ପୂଜାରୀ ରହୁଥିଲେ । ଦିନେ କ‘ଣ ଗୋଟିଏ କାମ ବତାଇଲି । ସେ ନମାନିବାରୁ ମୁଁ କହିଲି, ‘ତମେ ଚାକିରି କରିଛ, କଥା କାହିଁକି ମାନିବ ନାହିଁ ?’ ଏ କଥା ବାପା ଶୁଣିପାରିଲେ । ସେ ସଙ୍ଗେ ସଙ୍ଗେ ମୋ ପାଖକୁ ଆସି କହିଲେ, ‘ସେ ଆମ ପାଖରେ ଚାକିରି କରିଛି ସତ, ସେ କଥା ଜାଣୁଥିଲେ ବି ଆମେ ତାକୁ କହିବା ଉଚିତ ନୁହେଁ– ତା‘ ମନକୁ ବାଧିବ । ଗରିବ ଲୋକ ବୋଲି ସାନ ପିଲାଟିକୁ ଚାକିରି କରିବାକୁ ପଠାଇଛି । ତା‘ ମୁହଁରେ ସେପରି କହିଲେ ତା‘ ମନରେ କେତେ କଷ୍ଟ ହେବ ! କଥା କହିଲା ବେଳେ ଭାବିବ, ଆମ କଥା ତା‘ ମନରେ କଷ୍ଟ ଦେବକି ନାହିଁ ।‘
ମୋ ପିଉସୀଙ୍କଠାରୁ ଶୁଣିଛି, ମୋ ଉପର ଭଉଣୀକୁ ବାପା ପୂଜାରୀ ସାଙ୍ଗରେ ଦେବୀ ଦେଖିବାକୁ ପଠାଇଲେ । ସେ ଦେବୀ ଦେଖି ଫେରିଲେ । ବାପା ପଚାରିଲେ– ‘ମା ! ତୁ କ‘ଣ ଦେଖିଲୁ କହିଲୁ ?’ ଅପା ସେ କଥା ନଶୁଣି କହିବାକୁ ଲାଗିଲା, ‘ବାପା ! ନନା ମୋତେ ଦେଲେ ନାଲି ନାଲି ମିଠା, ଖାଇଦେଲି, ପାଣିପରି ବୋହିଗଲା । ବାପା କଥାର ତାତ୍ପର୍ଯ୍ୟ ବୁଝି ପୂଜାରୀଙ୍କୁ ଗୋଟିଏ ଚାପୁଡ଼ା ପକାଇଲେ । ଅପା କାନ୍ଦି ଉଠି କହିଲା– ‘ବାପା ! ତମେ ଆମ ନନାକୁ ମାରିଲ । ତାକୁ କାଟିଥିବ । ତାକୁ କାଇଁକି ମାଇଲ ?’ ବାପା କୁଆଡେ଼ ତା‘ପରେ ଆଉ କେବେ ଚାକର ପୂଜାରୀଙ୍କୁ ମାରି ନଥିଲେ । ଜେଲ୍ ବିଷୟରେ ଆମର ଧାରଣା ଥାଏ– କାରଣ ବାପା ମଝିରେ ମଝିରେ ଜେଲ୍ ପରିଦର୍ଶନରେ ଯା‘ନ୍ତି । ଆମ ଦି‘ ଭଉଣୀଙ୍କୁ ସାଙ୍ଗରେ ନିଅନ୍ତି । ବାପା ଅଫିସ୍ରେ ରହନ୍ତି । ଅଫିସ୍ରୁ ଲୋକ ଆମକୁ ନେଇ ଜେଲ ଭିତର ଦେଖାନ୍ତି । ଖୁଦିରାମଙ୍କୁ ମୁଁ ଜେଲ୍ରେ ଦେଖିନାହିଁ । ଖୁଦିରାମଙ୍କ ମା‘ ଆସିଲେ ପୁଅକୁ ଦେଖିବାପାଇଁ । ସମସ୍ତଙ୍କ ମୁହଁରେ ସେହି କଥା । ଖୁଦିରାମଙ୍କ ପ୍ରତି କିମିତି ଗୋଟିଏ ମାୟା ଜମିଯାଇଥାଏ । ସେ ଫାଶୀ ପାଇବେ ଶୁଣି ମନେ ମନେ ଭାରି ଦୁଃଖୀ ହେଲି । ବାପାଙ୍କୁ ଅତି ଡରି ଡରି କହିଲି, ‘ଆମେ ଖୁଦିରାମଙ୍କୁ ଦେଖନ୍ତେ !’ ବାପା ଗୋଟିଏ ଭୁରୁଡ଼ି ପକାଇ କହିଲେ, ‘ଦୁର୍ ଶାଶୂଖାଇ ! ତମକୁ ଦେଖିବାପାଇଁ ଛାଡ଼ିବେ ନାହିଁ ।‘ କେହି ଲୋକ ଫାଶୀ ପାଇଲେ ବାପା ଫାଶୀ ପାଇବା ସ୍ଥାନରେ ଉପସ୍ଥିତ ରହିବାପାଇଁ ଯାଆନ୍ତି । ତାଙ୍କ ଉପରେ ସେ ଦାୟିତ୍ୱ ଥାଏ । ଭୋର୍ ତିନିଟାରୁ ଉଠି ପୋଷାକ ପିନ୍ଧି ଜେଲ୍ଖାନାକୁ ଯାଆନ୍ତି । ଖୁଦିରାମଙ୍କ ଫାଶୀ ଦିନ ନିକଟ ହେଲା । ଆମେ ତାଙ୍କରି କଥାରୁ ଜାଣିଲୁ, ଫାଶୀ ପୂର୍ବ ଦିନ ଲୋକକୁ ତା‘ ଶେଷ ଇଚ୍ଛା କ‘ଣ ପଚରାଯାଏ ଓ ସେ ଯାହା କହେ ତାହା ଆଇନସଂଗତ ହୋଇଥିଲେ ପୂରଣ କରାଯାଏ । ଆଜି ରାତି ପାଆନ୍ତାରେ ଖୁଦିରାମଙ୍କ ଫାଶୀ ହେବ, ଏ କଥା ମୁହୂର୍ତ୍ତକପାଇଁ ମନରୁ ଯାଇ ନଥାଏ । ମନ କ‘ଣ ହେଇଯାଉଥାଏ । କାନ୍ଦ ମାଡ଼ୁଥାଏ । ମା‘କୁ ଯାଇ କହିଲୁ– ସେ ବାପାଙ୍କୁ ମନାକରୁ, ବାପା ଫାଶୀ ବେଳେ ହାଜର ରହିବାକୁ ନ ଯାଆନ୍ତୁ । ମା‘ କହିଲା– ‘ତମେ କୁହ‘ । ଅତି ଡରି ଡରି ବାପାଙ୍କ ଟେବୁଲ୍ ପାଖରେ ଠିଆହେଲୁ । ଅପା ମୋତେ ଠାରୁଥାଏ ଯେ କଥାଟା ମୁଁ କହେ । କେତେ ସମୟ ଠିଆ ହୋଇ ରହିଲାରୁ ବାପା ପଚାରିଲେ, ‘କ‘ଣ କହିବାକୁ ଆସିଛ କହୁନା ।‘ ସାହସ କରି ମୁଁ ହଠାତ୍ କହିଦେଲି, ‘ଖୁଦିରାମ ଫାଶୀ ବେଳକୁ ତମେ ଯାଅନା ।‘ ବାପା କହିଲେ, ‘ଆଉ କିଏ ଯିବ ?’ ତା‘ର ଜବାବ ଆମ ପାଖରେ ନଥିଲା । ବାପା ଆମ ମୁଣ୍ଡରେ ହାତ ବୁଲେଇ ଦେଇ କହିଲେ, ‘ମୁଁ ଯିବି ନାହିଁ ।‘ ବାପା ଭାରି ଗମ୍ଭୀର ଦେଖାଯାଉଥାନ୍ତି । ସେ ଅଧିକାଂଶ ଦିନ ରାତିରେ ମୋକଦ୍ଦମା ରାୟ ଲେଖନ୍ତି, ସେଦିନ ବି ଲେଖୁିଥିଲେ । ଯଥା ସମୟରେ ଖୁଦିରାମଙ୍କର ଫାଶୀ ହେଲା ।
ଆମେ ପିଲାଦିନରୁ ବରାବର ଦେଖିଲୁ ଯେ, ଚାକର, ପୂଜାରୀ, ଚପରାସୀ କିଛି ଦୋଷ କଲେ ସେମାନେ ଗାଳି ଖାଇବେ । ମା‘ ଏହି ଭୟରେ କଥା ଲୁଚାଇ ବାପା ଯେପରି ନ ରାଗିବେ ସେହିପରି କହେ । କ୍ରମେ କ୍ରମେ ଆମେ ବି ସେଥିରେ ଅଭ୍ୟସ୍ତ ହେଲୁ ଏବଂ ଚାକର, ପୂଜାରୀ ତା‘ର ସୁବିଧା ନେଲେ । ରୋଷେଇ କିଛି ଖରାପ ହେଲେ ବାପା ଯଦି ପଚାରିବେ ‘ଏପରି କାହିଁକି ହୋଇଛି ?’ ପୂଜାରୀ କହିବେ, ‘ଦେଈ ଭଲପାଆନ୍ତି ବୋଲି ସେପରି କରିଛି ।‘ ପୂଜାରୀ ଆମ ମୁହଁ ଉପରେ କୁହନ୍ତି, ଆମେ କିଛି କହୁନାହିଁ । ଚାକର ଯଦି ଠିକ୍ କାମ ନ କରିଛନ୍ତି ତ ବାପା ପଚାରନ୍ତି– ‘ଏ କାମ କାହିଁକି ହୋଇନାହିଁ ?’ ଚାକର କହିବେ, “ଦେଈ ଆଉ ଗୋଟିଏ କାମ କହିବାରୁ ଏଇଟା କରିନାହିଁ ।‘ ଏହିପରି ମିଛ କହି ସେମାନେ ଗାଳିରୁ ରକ୍ଷା ପାଆନ୍ତି ।
ପିଲାଦିନେ ମୁଁ ଭାରି ଖେଳପ୍ରିୟ ଥିଲି । କିନ୍ତୁ ଖେଳରେ ହାରିଲେ କାନ୍ଦି ପକାଏ । ବାପା ଛୁଟିଦିନେ ତାସ୍, ସତରଞ୍ଜ ବା କଉଡ଼ି ଖେଳିବାକୁ ବସିବେ । ବାପାଙ୍କ ସାଙ୍ଗରେ ଅପା ଓ ମା‘ ସାଙ୍ଗରେ ମୁଁ ରହେ । ଖେଳ ବେଳେ ଗୋଟିଏ ପାଛିଆରେ କମଳା, ଅଙ୍ଗୁର ପ୍ରଭୃତି ଫଳ ରଖାଯାଇଥିବ । ହାରିବା ଜିତିବା ତ ବାପାଙ୍କ ହାତରେ । ଦିନେ ଦିନେ ସେ ମୋତେ ହରାଇଦେଇ କହିବେ– ‘ତୁ ଯଦି ନ କାନ୍ଦିବୁ ତେବେ ଫଳ ତୁ ଖାଇବୁ, ଯଦି କାନ୍ଦିବୁ ତେବେ ମୁଁ ଖାଇବି ।‘ ଦିନେ ଦିନେ ସେ ଜିତନ୍ତି ତ ମୋତେ ନ ଦେଇ ଫଳକୁ ଦେଖେଇ ଦେଖେଇ ବାପା ଓ ଅପା ଖାଆନ୍ତି । ଏମିତି କରି କରି ମୋ କାନ୍ଦିବା ଛଡ଼ାଇ ଦେଲେ ।
ମା‘ ରମାଦେବୀ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ସାନଭାଇ ଗୋପାଳ ବଲ୍ଲଭ ଦାସଙ୍କ ଝିଅ । ତାଙ୍କ ଆତ୍ମଜୀବନୀ ‘ଜୀବନ ପଥେ‘ରୁ ଏହି ଅଧ୍ୟାୟ ଉଦ୍ଧୃତ ।