(ମୋହନ ଭୁବନସୁନ୍ଦରୀଙ୍କୁ ନେଇ ଯାଇଥିଲେ । ଏଥିପାଇଁ ଯୁଦ୍ଧ ଲାଗୁ ବୋଲି ଗ୍ରୀକ୍ ରାଜା ତ ଆଦୌ ଚାହୁଁ ନଥିଲେ । ସେ ତାଙ୍କୁ ଫେରାଇ ଦେବା ପାଇଁ ଦୂତ ପଠାଇଲେ । ଭୁବନସୁନ୍ଦରୀଙ୍କ ସ୍ୱାମୀ ପ୍ରତାପ ଗ୍ରୀକ୍ ରାଜକୁମାରମାନଙ୍କୁ ଯୁଦ୍ଧ କରିବାକୁ ଯିବା ପାଇଁ ନିମନ୍ତ୍ରଣ କଲେ । ସମସ୍ତିଙ୍କୁ ବହୁ କଷ୍ଟରେ ଏକତ୍ରିତ କରି ପ୍ରତାପ ଟ୍ରୟ ନଗରୀକୁ ଆକ୍ରମଣ କରିବାକୁ ଚାଲିଲେ । ନାନା ସୁବିଧା ଅସୁବିଧାର ସମ୍ମୁଖୀନ ହେବା ପରେ ସେମାନେ ଟ୍ରୟ ନଗରୀରେ ଯାଇ ପହଁଚିଲେ ।)
ଜ୍ୟୋତିଷମାନେ ଭବିଷ୍ୟତବାଣୀ କରିଥିଲେ କି ଯିଏ ପ୍ରଥମେ ଟ୍ରୟ ନଗରୀରେ ପାଦ ରଖିବ, ତାହାର ମୃତ୍ୟୁ ଅନିବାର୍ଯ୍ୟ । ଚନ୍ଦ୍ରପ୍ରଭୂ ସେହି ଜ୍ୟୋତିଷ-ବାଣୀକୁ ମୋଟେ ଖାତିର୍ ନକରି ପ୍ରଥମେ ଜାହାଜରୁ ଭୂମି ଉପରକୁ ଡେଇଁ ପଡିଲେ । ତାଙ୍କ ପରେ ବଜ୍ରକାୟ ଓ ଅନ୍ୟ ସୈନ୍ୟମାନେ ଜାହାଜରୁ ଓହ୍ଲାଇଲେ ।
ଟ୍ରୋଜାନ୍ ମଧ୍ୟରେ ମରାଳ ନାମକ ଏକ ଯୋଦ୍ଧା ଥିଲେ । କୌଣସି ଅସ୍ତ୍ରଶସ୍ତ୍ର ତାଙ୍କର କିଛିବି କ୍ଷତି କରିପାରୁ ନଥିଲା । ସେ ଅନେକ ଗ୍ରୀକ୍ ସୈନ୍ୟଙ୍କୁ ମାରିଲେ । ବଜ୍ରକାୟ ଆସି ମରାଳ ସହିତ ଲଢିଲେ । ଫଳରେ ଘମାଘୋଟ ଯୁଦ୍ଧ ହେଲା । ବହୁସମୟ ଧରି ସେମାନେ କେହି କାହାରିକୁ ମଧ୍ୟ ପରାଜିତ କରିପାରୁ ନଥିଲେ । କିନ୍ତୁ ହଠାତ୍ ମରାଳର ମୁଣ୍ଡରେ କିଛି ଅସ୍ତ୍ର ବାଜିବାରୁ ସେ ପଡିଗଲେ ସେହି ସୁଯୋଗ ଦେଖି ବଜ୍ରକାୟ ଡେଇଁ ପଡି ତାଙ୍କ ଛାତି ଉପରେ ବସି ତାଙ୍କୁ ତଂଟି ଚିପି ମାରିଦେଲେ ।
ମରାଳଙ୍କର ମୃତ୍ୟୁ ହେବା ପରେ ଟ୍ରୋଜାନ୍ର ସେନାମାନେ ଛାନିଆରେ କିଏ କୁଆଡେ ଦୌଡି ପଳାଇଲେ । ତା’ପରେ ଗ୍ରୀକ୍ ସୈନ୍ୟମାନେ ସେମାନଙ୍କ ଜାହାଜ ଏକ ନିରାପଦ ସ୍ଥାନରେ ନେଇ ରଖିଲେ ଏବଂ ସେଥିରୁ ବାହାରି ଟ୍ରୟର ଦୁର୍ଗକୁ ଘେରିଗଲେ । ସେମାନେ ପ୍ରାୟ ଦଶବର୍ଷ ପର୍ଯ୍ୟନ୍ତ ସେହିପରି ଦୁର୍ଗକୁ ଘେରାଉ କରି ରଖିଲେ । ନବବର୍ଷ ପର୍ଯ୍ୟନ୍ତ ଛୋଟ ଛୋଟ ଯୁଦ୍ଧ ଚାଲୁଥାଏ ।
ଟ୍ରୟ ନଗରୀର ରାଜା ବର୍ଦ୍ଧନଙ୍କର ଦୁଇଟି ସ୍ତ୍ରୀ ଥିଲେ । ମୋହନର ମା’ ତାଙ୍କର ଦ୍ୱିତୀୟ ପତ୍ନୀ ଥିଲେ । ରାଜାଙ୍କର ପଚାଶ ଜଣ ରାଜକୁମାରଙ୍କ ମଧ୍ୟରେ ଉଣେଇଶ ଜଣେ ସେହି ଦ୍ୱିତୀୟ ପତ୍ନୀଙ୍କ ପୁତ୍ର ଥିଲେ । ସେମାନଙ୍କ ମଧ୍ୟରେ ବୀରସିଂହ ଜ୍ୟେଷ୍ଠ ଥିଲେ । ଇଲିୟ ସେମାନଙ୍କର ଅନ୍ୟତମ ପୁତ୍ର ଥିଲେ । ଜ୍ୟୋତିଷମାନେ କହିଥିଲେ ଯେ ଯେତେବେଳେ ଇଲିୟଙ୍କୁ କୋଡିଏ ବର୍ଷ ପୂରିବ, ତା’ପରେ ଟ୍ରୟ ନଗରୀର କେହି କିଛିବି କ୍ଷତି କରିପାରିବେ ନାହିଁ । ତାଙ୍କର ସେ ପୁଅ ପାଇଁ ବର୍ଦ୍ଧନ ଖୁବ୍ ଗର୍ବିତ ଥିଲେ । ପିଲାଦିନରୁହିଁ ରାଜା ତାଙ୍କୁ ନାନା ପ୍ରକାରର ଯୁଦ୍ଧବିଦ୍ୟାରେ ପାରଙ୍ଗମ କରାଇଥିଲେ । ବଜ୍ରକାୟ ଭାବୁଥିଲେ ଯେ କୌଣସି ରୂପେ ଇଲିୟକୁ ଯେପରି ମାରି ଦିଆଯିବ । ଦିନେ ଇଲିୟ ମନ୍ଦିରର ପ୍ରାଙ୍ଗଣରେ ଘୋଡା ଚଢି ବୁଲୁଥିଲେ । ବଜ୍ରକାୟ ସେଠାକୁ ଯାଇ ପଛରୁ ତାଙ୍କୁ ବର୍ଚ୍ଛା ମାରି ମାରି ପକାଇଲେ । ଇଲିୟଙ୍କର ମୃତ୍ୟୁରେ ଟ୍ରୟର ନାଗରିକମାନେ ବହୁତ ଦୁଃଖିତ ହେଲେ । ଇଲିୟଙ୍କ ଉପରେ ସେମାନେ ବହୁତ ଆଶା ରଖିଥିଲେ । ଅଚାନକ ଏପରି ଏକ ଘଟଣାରେ ସମସ୍ତେ ବ୍ୟଥିତ ହେଲେ ।
ବୃକାକ୍ଷ ବର୍ଦ୍ଧନଙ୍କର ଅନ୍ୟ ଏକ ପୁତ୍ର ଥିଲେ, ସେ ତାଙ୍କ ବଗିଚାରେ ଗଛ କାଟି ରଥ ତିଆରି କରିବା ପାଇଁ କାଠ ହାଣି ଏକତ୍ରିତ କରୁଥିଲେ । ବଜ୍ରକାୟ ଲୁଚି ଲୁଚି ବଗିଚା ଭିତରେ ପଶି ବୃକାକ୍ଷଙ୍କୁ ନେଇ ତାଙ୍କ ଶିବିରକୁ ପଳାଇଲେ । ଗ୍ରୀକ୍ ନେତାମାନେ ତାଙ୍କୁ ନେଇ କ’ଣ କରିବେ କିଛିବି ଠିକ୍ କରି ପାରିଲେ ନାହିଁ । ତା’ପରେ ସେମାନେ ଜଣେ ରାଜାଙ୍କୁ ବୃକାକ୍ଷଙ୍କୁ କ୍ରୀତଦାସ ଭାବରେ ବିକ୍ରି କରି ଦେଲେ । ଅନ୍ୟଜଣେ ରାଜକର୍ମଚାରୀ ତାଙ୍କୁ ପୁଣି ରାଜାଙ୍କ ପାଖରୁ କିଣି ତାଙ୍କୁ ଏହି ଦାସତ୍ୱରୁ ମୁକ୍ତ କଲେ । ତା’ପରେ ସେ ଘରକୁ ଫେରୁଥିବା ବେଳେ ବଜ୍ରକାୟ ତାଙ୍କୁ ରାସ୍ତାରେ ଦେଖି, ସେଇଠି ତାଙ୍କୁ ମାରି ପକାଇଲେ ।
ଯୁଦ୍ଧ ତ ଚାଲୁ ନଥିଲା । ଗ୍ରୀକ୍ ସୈନ୍ୟମାନେ କିଛି କାମ ନଥାଇ ବସିଥା’ନ୍ତି । ବଜ୍ରକାୟ ମଝିରେ ମଝିରେ ଏହିପରି କିଛି କାମ କରିପକାଉ ଥା’ନ୍ତି । ତା’ପରେ ସେ ଲୁଟିବାରେ ଲାଗିଲେ । ଏହିପରି ଭାବେ ଯାଉ ଯାଉ ସେ ଏଡା ପର୍ବତରେ ପହଁଚିଲେ ଓ ସେଠାରେ ପ୍ରଶଂସନ ନାମକ ବ୍ୟକ୍ତି ସହିତ ତାଙ୍କର ଦେଖା ହେଲା । ସେ ମୋହନଙ୍କ ବଂଶର ଲୋକ ଥିଲେ । ମୋହନ ଯେତେବେଳେ ଭୁବନସୁନ୍ଦରୀଙ୍କୁ ନେବାକୁ ସ୍ପାର୍ଟା ନଗରୀକୁ ଯାଇଥିଲେ, ସେତେବେଳେ ସେହିଁ ତାଙ୍କ ସହିତ ଥିଲେ ଓ ସେଦିଗରେ ତାଙ୍କୁ ସେ ବହୁତ ସାହାଯ୍ୟ ବି କରିଥିଲେ । କିନ୍ତୁ ଏବେ ଯୁଦ୍ଧ ଲାଗିବା ପରେ ସେ ନିଜକୁ ଦୂରେଇ ରଖିଛନ୍ତି ।
ପ୍ରଶଂସନ ଏଡା ପର୍ବତ ଉପରେ ମେଣ୍ଢା ଜଗୁଆଳଙ୍କ ସହିତ ଥିଲେ । ବଜ୍ରକାୟ ଓ ତାଙ୍କ ସୈନ୍ୟମାନେ ସେଠାକୁ ଆସିଲେ । ତାଙ୍କର ପରାକ୍ରମ ଦେଖି ସେ ପର୍ବତ ଛାଡି ପଳାଇଲେ । ବଜ୍ରକାୟ ପୂର୍ବରୁ ତାଙ୍କର ପରାକ୍ରମ କଥା ଶୁଣିଥିଲେ ।
ସେ ଜାଣିଥିଲେ ଯେ ଭବିଷ୍ୟତରେ ସେ ତାଙ୍କ ପାଇଁ ବଡ ଶତ୍ରୁ ହେବ । ସେ ଜାଣିଲେ ଯେ ପ୍ରଶଂସନ ଜଣେ ଶାନ୍ତ ସ୍ୱଭାବର ବ୍ୟକ୍ତି । ତାଙ୍କ ସହିତ ଲାଗିଲେ ସେ କିନ୍ତୁ ଜୋର୍ରେ ପ୍ରତିଶୋଧ ନେବେ । ତେଣୁ ସେ ତାଙ୍କୁ ଚିରଦିନ ପାଇଁ ଶେଷ କରି ଦେବାକୁ ଚାହିଁଲେ । ସେଥିପାଇଁ ସେ ଆକ୍ରମଣ କଲେ, ପ୍ରଶଂସନ ପଳାଇଲେ । ଅନ୍ୟ ମେଣ୍ଢାରଖୁଆଳମାନଙ୍କୁ ସେମାନେ ମାରି ପକାଇ ମେଣ୍ଢାମାନଙ୍କୁ ନେଇ ପଳାଇଲେ ।
ଏହି ଘଟଣା ପରେ ପ୍ରଶଂସନ ଆଉ ଚୁପ୍ ହୋଇ ରହିଲେ ନାହିଁ । ସେ ତାଙ୍କର ସୈନ୍ୟମାନଙ୍କୁ ଏକତ୍ରିତ କରି ଟ୍ରୟ ନଗରୀକୁ ଗଲେ ଓ ଯୁଦ୍ଧ କରିବା ପାଇଁ ମନସ୍ଥ କଲେ । ସେ ବଡ ବୀର ଥିଲେ । ଟ୍ରୋଜାନ୍ ଯୋଦ୍ଧାମାନଙ୍କୁ ବଜ୍ରକାୟ ଆଦୌ ଖାତିର୍ କରୁ ନଥିଲେ ମଧ୍ୟ ପ୍ରଶଂସନଙ୍କ ପାଇଁ ତାଙ୍କର ଭୟ ଥିଲା । ଟ୍ରୋଜନ୍ ବୀରମାନେ ରାଜକୁମାର ବୀରସିଂହକୁ ଯେପରି ସମ୍ମାନ ଓ ଶ୍ରଦ୍ଧା କରୁଥିଲେ, ପ୍ରଶଂସନକୁ ମଧ୍ୟ ସେହିପରି ଶ୍ରଦ୍ଧା ଓ ସମ୍ମାନ କରୁଥିଲେ । ସେ ଯୁଦ୍ଧରେ ଅନେକ ଥର ମରୁ ମରୁ ବଂଚିଯାଇଥିଲେ । ସେହି ଯୁଦ୍ଧରେ ମୃତ୍ୟୁ ବରଣ କରିବା ତାଙ୍କ ନିୟତିରେ ଯେମିତି ନଥିଲା । କାରଣ ତାଙ୍କ ବଂଶଧରହିଁ ଭବିଷ୍ୟତରେ ଟ୍ରୟ ନଗରୀର ଶାସକ ହେବା ନିୟତିର ବିଧି ଥିଲା ।
ଅନେକ ଛୋଟ ଛୋଟ ମିତ୍ର ରାଜ୍ୟ ସବୁ ଟ୍ରୟ ନଗରୀର ଆଖ ପାଖରେ ଥିଲେ । ସେ ସମସ୍ତ ରାଜ୍ୟକୁ ବଜ୍ରକାୟ ଗ୍ରୀକ୍ ସୈନ୍ୟମାନଙ୍କୁ ନେଇ ଆକ୍ରମଣ କରି, ତାଙ୍କୁ ପରାସ୍ତ କରି ନିଜ ଅଧିନରେ ରଖିଲେ । ସେଥିମଧ୍ୟରେ ବୀରସିଂହଙ୍କ ଶ୍ୱଶୁରଙ୍କର ଏକ ରାଜ୍ୟ ବି ଥିଲା । ସେ ଓ ତାଙ୍କର ସାତଜଣ ପୁତ୍ର ଯୁଦ୍ଧରେ ନିହତ ହୋଇଥିଲେ ।
ଗ୍ରୀକ୍ମାନଙ୍କ ଶିବିରରେ କୌଣସି ଭୟାନକ ଘଟଣା ଘଟି ନଥିଲା । ଥରେ ଯାହା ଘଟିଲା ତାହା ଏପରି ଭୟାନକ ଯେ ଶୁଣିବା ଲୋକର ଲୋମ ଟାଙ୍କୁରି ଉଠିବ । ଥରେ ରାଜା ରୂପଧରଙ୍କୁ ଡାକି କହିଲେ, “ଯାଇ ଜାହାଜରୁ ଧାନ ନେଇ ଆସ ।” ରାଜାଙ୍କ ଆଜ୍ଞାନୁସାରେ ସେ ଧାନ ଆଣିବାକୁ ଗଲେ ଓ ଖାଲି ହାତରେ ଲେଉଟି ଆସିଲେ । ସେ ଜାହାଜ ପର୍ଯ୍ୟନ୍ତ ବି ଯାଇ ପାରିଲେ ନାହିଁ । ବାଟରେ ଶତ୍ରୁପକ୍ଷର ସୈନ୍ୟମାନେ ତାଙ୍କୁ ଘେରି ଯାଇଥିଲେ । ମରୁ ମରୁ କୌଣସିମତେ ନିଜକୁ ବଂଚାଇ ସେ ଚାଲିଆସିଲେ । ଏପରି ସ୍ଥଳେ ଗ୍ରୀକ୍ ସୈନ୍ୟମାନଙ୍କ ମଧ୍ୟରୁ ପ୍ରବୋଧ ବୋଲି ଜଣେ ବୀର ତାଙ୍କୁ କହିଲେ, “ଭୀରୁ କେଉଁଠିକାର, ନିଜର ଜୀବନକୁ ବଡ ସୁରକ୍ଷିତ ରଖିବାକୁ ଚାହଁ ନା?”
ଏ କଥାରେ ପ୍ରବୋଧ ଭୀଷଣ ରାଗିଗଲେ ଓ ଗୋଟିଏ ନୌକା ନେଇ ଏକଲା ଜାହାଜ ପାଖକୁ ଗଲେ ଓ ଧାନ ନେଇ ଫେରି ଆସିଲେ । ରୂପଧରଙ୍କୁ ଏହା ବଡ ଅପମାନ ହେଲା । ଏହି ଅପମାନର ପ୍ରତିଶୋଧ ନେବା ପାଇଁ ସେ ଦିନେ ରାଜାଙ୍କୁ କହିଲେ, “କାଲି ରାତିରେ ସ୍ୱପ୍ନରେ ଦେବୀ ପ୍ରତ୍ୟକ୍ଷ ହୋଇ ମୋତେ କହିଲେ କି ଆମ ଶିବିରରେ ବିଦ୍ରୋହ ହେବାକୁ ଯାଉଛି । ତେଣୁ ଗୋଟିଏ ଦିନ ଓ ଗୋଟିଏ ରାତି ପାଇଁ ଆମେ ନିଜର ଶିବିର ବଦଳାଇ ଦେବା ।”
ରୂପଧରଙ୍କର ଏଭଳି କଥା ଶୁଣି ରାଜା ବିଶ୍ୱାସ କଲେ ଓ ସମସ୍ତ ଗ୍ରୀକ୍ ବୀର ଓ ସୈନ୍ୟମାନଙ୍କୁ ଦିନକ ପାଇଁ ଶିବିର ଛାଡି ବାହାରେ ରହିବାକୁ ମଧ୍ୟ କହିଲେ । ସେମାନେ ବି ଠିକ୍ ସେହିପରି କଲେ । ଇତିମଧ୍ୟରେ ରୂପଧର ପ୍ରବୋଧଙ୍କ ଖାଲି ଶିବିରରେ ପଶି ସୁନାର ମୁଦ୍ରାଥିବା ଏକ ଥଳୀ ରଖି ଆସିଲେ ।
ତା’ପରେ ଜଣେ ଯୁଦ୍ଧବନ୍ଦୀଙ୍କୁ ଧରି ବଳପୂର୍ବକ ତା’ଦ୍ୱାରା ସେ ଏକ ଚିଠି ଲେଖାଇଲେ । ଯେପରି ସେହି ଚିଠି ବର୍ଦ୍ଧନ ପ୍ରବୋଧଙ୍କୁ ଲେଖିଛନ୍ତି । ସେଥିରେ ଲେଖା ଥିଲା, ‘ଗ୍ରୀକ୍ମାନଙ୍କ ବିରୁଦ୍ଧରେ ବିଦ୍ରୋହ କରିବା ପାଇଁ ତୁମେ ଯେଉଁ ସୁନା ମାଗିଥିଲ, ତାହା ଏବେ ମୁଁ ପଠାଇଲି । ରୂପଧର ସେହି ଯୁଦ୍ଧବନ୍ଦୀକୁ କହିଲେ କି ଏହି ଚିଠି ନେଇ ଯାଇ ପ୍ରବୋଧଙ୍କୁ ଦିଅ ।’ ସେ ପ୍ରବୋଧଙ୍କୁ ଚିଠିଟି ଦେବା ପୂର୍ବରୁ ରୂପଧର ଓ ଅନ୍ୟସୈନ୍ୟମାନେ ତାକୁ ମାରି ପକାଇଲେ ।
ପରଦିନ ସକାଳେ ଗ୍ରୀକ୍ମାନେ ନିଜ ନିଜର ଶିବିରକୁ ଫେରିବା ବେଳେ ଯୁଦ୍ଧବନ୍ଦୀର ମୃତ ଦେହ ଦେଖି ସେମାନେ ପରିସ୍ଥିତି ଜଟିଳ ଦେଖି ରାଜାଙ୍କୁ ନେଇ ଚିଠିଟି ଦେଲେ । ରାଜା ସଙ୍ଗେ ସଙ୍ଗେ ପ୍ରବୋଧଙ୍କୁ ଡାକି ପଠାଇଲେ ଓ ପଚାରିଲେ, “ଏହି ଚିଠି ବର୍ଦ୍ଧନଙ୍କ ପାଖରୁ ତୁମ ପାଖକୁ ଆସିଲା କିପରି?”
ସେ କହିଲେ, “ମୁଁ ତ ଏ ବିଷୟରେ କିଛି ଜାଣେ ନାହିଁ । ମୁଁ କେବେ ହେଲେ ଦେଶଦ୍ରୋହୀ ନୁହେଁ । ବର୍ଦ୍ଧନ ମୋତେ କେବେ ବି ସୁନା ଦେଇ ନାହାଁନ୍ତି ।” ରୂପଧର ସଙ୍ଗେ ସଙ୍ଗେ କହିଲେ, “ଚାଲ ତାଙ୍କର ଶିବିର ଖୋଜିବା, ସତ୍ୟ କ’ଣ ତାହା ଏବେହିଁ ଧରାପଡିଯିବ ।”
ରାତିରେ ଖୋଜିବାରେ ସୁନା ମିଳିଲା ଓ ପ୍ରବୋଧକୁ ଦେଶଦ୍ରୋହୀ ବୋଲି ଘୋଷଣା କରାଗଲା । ସମସ୍ତେ ଦୃଢକଣ୍ଠରେ ଏହା ଘୋଷଣା କଲେ କି “ଏହି ଦେଶଦ୍ରୋହୀକୁ ପଥର ମାରି ମାରି ବଧ କରିବା ଉଚିତ୍ ।” ମରିବା ପୂର୍ବରୁ ପ୍ରବୋଧ ଖାଲି କହି ଚାଲିଥାଏ, “ହେ ସତ୍ୟ, ମୋରି ଆଖି ଆଗରେହିଁ ତୁମର ମୃତ୍ୟୁ ହେଲା ।”
ପ୍ରବୋଧଙ୍କୁ ଯେଉଁ ଦଣ୍ଡ ଦିଆଗଲା ତାହା ଅତ୍ୟନ୍ତ କଠୋର ଓ ଅବାଂଛିତ ଥିଲା । ସେ ନିର୍ଦୋଷ ଥିଲେ ।
ଗ୍ରୀସ୍ରେ ରହୁଥିବା ପ୍ରବୋଧ ପିତାଙ୍କୁ ପୁତ୍ରର ମୃତ୍ୟୁ ସମ୍ବାଦ ମିଳିଲା । ସେ ତତ୍କ୍ଷଣାତ୍ ନିଜ ରାଜ୍ୟରୁ ବାହାରି ଆସି ରାଜାଙ୍କ ପାଖରେ ପହଁଚି ପଚାରିଲେ, “ମୋର ପୁତ୍ର କାହିଁକି ମରିଲା? ତା’ ବିରୁଦ୍ଧରେ ହୋଇଥିବା ଅଭିଯୋଗ କ’ଣ ସତ୍ୟ?”
ରାଜା ତାଙ୍କୁ କୌଣସି କୈଫିୟତ ଦେବାକୁ ମନା କରିଦେଲେ । ସେ ପୁଣି ନିଜ ରାଜ୍ୟକୁ ଫେରି ଆସିଲେ । ଗ୍ରୀକ୍ ବୀରମାନଙ୍କ ପତ୍ନୀମାନଙ୍କୁ ଡାକି ସେ କହିଲେ, “ତୁମ ପତିମାନେ ଟ୍ରୟ ନଗରୀର କନ୍ୟାମାନଙ୍କୁ ବିବାହ କରି ଫେରୁଛନ୍ତି । ସେମାନେହିଁ ଭବିଷ୍ୟତର ରାଣୀ ହେବେ ।” ଏକଥାରେ କୌଣସି ସତ୍ୟତା ନଥିଲା । ତଥାପି ସେମାନଙ୍କ ମଧ୍ୟରୁ କେତେକ ଆତ୍ମହତ୍ୟା କଲେ । ଅନ୍ୟମାନେ ପତିମାନଙ୍କ ଆଗମନକୁ ବଡ ଦୁଃଖର ସହିତ ଅପେକ୍ଷା କରି ରହିଲେ । ସେମାନେ କ’ଣ ଜାଣିଥିଲେ ଯେ ପୁତ୍ରକୁ ହରାଇ ପ୍ରବୋଧଙ୍କର ପିତା ଦୁଃଖ ଓ ହତାଶାରେ ଭାଙ୍ଗିପଡି, ଏପରି ଏକ ମିଥ୍ୟା ରଟାଇଛନ୍ତି ଓ ତଦ୍ୱାରା ସେ ପ୍ରତିଶୋଧ ନେଉଛନ୍ତି ବୋଲି!