• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଅନ୍ୟାନ୍ୟ»ଜାତି ଜାଗୃତି ଓ ପ୍ରଗତି»ଭାଷା ପ୍ରତିଷ୍ଠାନର ଗତି କୁଆଡ଼େ?
ଜାତି ଜାଗୃତି ଓ ପ୍ରଗତି

ଭାଷା ପ୍ରତିଷ୍ଠାନର ଗତି କୁଆଡ଼େ?

Subrat Kumar PrustyBy Subrat Kumar PrustyFebruary 13, 2020No Comments9 Mins Read
Facebook Twitter Pinterest Reddit LinkedIn Tumblr Email
Share
Facebook Twitter Pinterest Reddit Email

ନିକଟରେ ‘ଓଡ଼ିଆ ଭାଷା ପ୍ରତିଷ୍ଠାନ’ର ଏକ କର୍ମଶାଳାକୁ ଉଦ୍‌ଘାଟନ କରି ମାନ୍ୟବର ସଂସ୍କୃତି ମନ୍ତ୍ରୀ ଓଡ଼ିଆ ଭାଷାକୁ କମ୍ପ୍ୟୁଟରୀକରଣ କରିବା ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ । ବୋଧହୁଏ ସେ ଜାଣି ନ ଥିଲେ ଯେ, ଏହି କାର୍ଯ୍ୟପାଇଁ ପ୍ରାୟ ୬ବର୍ଷ ତଳୁ କେନ୍ଦ୍ର ସରକାର ପ୍ରତ୍ୟେକ ରାଜ୍ୟକୁ ପ୍ରଚୁର ଅର୍ଥ ଦେଇଥିଲେ । ଓଡ଼ିଶା ଭାଗରେ ପଡିଥିବା ଅର୍ଥକୁ ଉତ୍କଳ ବିଶ୍ୱବିଦ୍ୟାଳୟର ଏମ୍.ସି.ଏ ବିଭାଗ ମୁଖ୍ୟ ଓ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର (ଓକାକ୍) ମିଳିତ ଭାବେ ଲୁଟ୍ କରିସାରିଥିବାରୁ, ଭାରତର ଅନ୍ୟାନ୍ୟ ଆଞ୍ଚଳିକ ଭାଷାକୁ ଯେପରି ଇଣ୍ଟରନେଟ୍, ଗୁଗୁଲ ଓ ୟାହୁ ସର୍ଚ୍ଚ ମାଧ୍ୟମରେ ବ୍ୟବହାର କରାଯାଇପାରୁଛି, ଆମେ ସେପରି ବ୍ୟବହାର କରିପାରୁନୁ । ‘ମାରି ନେଲେ ମହାପାତ୍ରେ ଆମେ ଚାହିଁଛୁରେ ଜଳକା’ ପରି ଆମେ କେବଳ ନୀରବରେ ବସି ରହିଛେ । ଏ ସୁବିଧା ଆମ ଓଡ଼ିଆଙ୍କୁ କେବେ ଯେ ମିଳିବ, ତାହାର ମଧ୍ୟ ଠିକଣା ନାହିଁ ।

ଠିକ୍ ସେହିପରି ଆଉ ଏକ ଲଜ୍ଜାକର ଘଟଣା ନିକଟରେ ଚର୍ଚ୍ଚା ପରିସରକୁ ଆସିଛି । ଭାଷାକୁ ନେଇ ଭାରତ ଭୂଇଁରେ ସର୍ବ ପ୍ରଥମେ ସ୍ୱତନ୍ତ୍ର ରାଜ୍ୟ ଗଠନ କରି, ନିଜର ସ୍ୱତନ୍ତ୍ରତା ପ୍ରତିଷ୍ଠା କରିଥିବା ଓଡ଼ିଆ ଭାଷା, ମାତ୍ର ୭୦ବର୍ଷ ମଧ୍ୟରେ ନିଜ ମାଟିରୁ ସତ୍ତା ହରାଇ ବସୁଥିବାରୁ ଅନ୍ୟାନ୍ୟ ଭାରତୀୟ ଭାଷା ସମକକ୍ଷ କରିବା ଉଦ୍ଦେଶ୍ୟରେ ଏହାର ବିକାଶପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏକ ‘ଓଡ଼ିଆ ଭାଷା ପ୍ରତିଷ୍ଠାନ’ ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଗଣଶିକ୍ଷା ବିଭାଗକୁ । ମାତ୍ର ବିଭାଗର କେତେକ ଗୋତ୍ରମାରୁ ଓଡ଼ିଆ ବିରୋଧୀ ଅଧିକାରୀଙ୍କ ଚକ୍ରାନ୍ତ ଏବଂ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶକ, କେତେକ ସଦସ୍ୟ, ଅସାଧୁ କର୍ମଚାରୀଙ୍କ ଅର୍ଥଲୋଭ ଯୋଗୁଁ ଏହି ସଂସ୍ଥା ଓଡ଼ିଆ ଭାଷା ବିକାଶ କରିବା ବଳରେ ବିନାଶ ଦିଗକୁ ଦୃତ ଭାବେ ଆଗେଇ ନେଇଚାଲିଛି ।

ସବୁଠାରୁ ଦୁଃଖର ବିଷୟ ଆମ ବୁଦ୍ଧିଜୀବୀ, ବିଧାନସଭାର ମାନ୍ୟବର ସଦସ୍ୟବୃନ୍ଦ ତଥା ନିଜକୁ ଓଡ଼ିଆ ଭାଷା ଓ ସଂସ୍କୃତିର ତ୍ରାଣକର୍ତ୍ତା ବୋଲାଉଥିବା ବିରୋଧୀ ଦଳର ନେତାଙ୍କର ଏପରି ସମ୍ବେଦନଶୀଳ ବିଷୟପ୍ରତି ନୀରବତା; ଏହି ଲୁଟେରା ନପୁଂସକ ଗୋଷ୍ଠୀଙ୍କୁ ଅଧିକ ଉତ୍ସାହିତ କରୁଛି ।

ଭାଷା ପ୍ରତିଷ୍ଠାନର ଉଦ୍ଦେଶ୍ୟ :

ଭାଷା ପ୍ରତିଷ୍ଠାନ ଗଠନର ଉଦ୍ଦେଶ୍ୟ ହେଲା ଓଡ଼ିଆ ଭାଷାର ବିକାଶ, ପ୍ରସାର ତଥା ଅନ୍ୟାନ୍ୟ ସର୍ବଭାରତୀୟ ସ୍ତରରେ ଥିବା ଆଞ୍ଚଳିକ ଭାଷାର ସମକକ୍ଷ କରାଇବା । ଏଥିପାଇଁ ଜଣେ ନିର୍ଦ୍ଦେଶକ, ୬୭ ଜଣ ସଦସ୍ୟ, ଯୁଗ୍ମ ସଚିବ ପାହ୍ୟାଭୁକ୍ତ ଗଣଶିକ୍ଷା ବିଭାଗର ଜଣେ ଅଧିକାରୀଙ୍କୁ ନିଯୁକ୍ତି କରାଯାଇଥିଲା । ବିଭିନ୍ନ ସମୟରେ ସଂସ୍ଥାକୁ ଗତିଶୀଳ କରିବାପାଇଁ ଅନେକ ବୈଠକମାନ ମଧ୍ୟ ବସିଛି । ମାତ୍ର ସରକାରଙ୍କ ପାରମ୍ପରିକ କାର୍ଯ୍ୟଧାରା ପରି ଅନେକ ‘ଭୋଜନ ଓ ଭଜନ’ ପରେ ନିଷ୍ପତ୍ତି ନିଆଗଲା ଯେ, ଗୋଟିଏ ଅଭିଧାନ ଓ ଗୋଟିଏ ନିର୍ଭୁଲ ବ୍ୟାକରଣ ପୁସ୍ତକ ପ୍ରସ୍ତୁତି କରିବା, ଇଣ୍ଟରନେଟରେ ପ୍ରମୁଖ ପୁସ୍ତକଗୁଡ଼କ କମ୍ପ୍ୟୁଟରୀକରଣ କରିବା, ତଥା ଓଡ଼ିଶାର ବିଭିନ୍ନ ବିଦ୍ୟାଳୟଗୁଡ଼ିକୁ ଶିକ୍ଷା ଉପଯୋଗୀ ଓଡ଼ିଆ ପୁସ୍ତକମାନ ବଣ୍ଟନ କରିବା ଇତ୍ୟାଦି ଅନେକ କାର୍ଯ୍ୟ । ଏସବୁ କାର୍ଯ୍ୟ କରିବ କିଏ? କରୁଥିବା ବ୍ୟକ୍ତିର ଯୋଗ୍ୟତା କ’ଣ ହେବ ଏବଂ ଏ ପର୍ଯ୍ୟନ୍ତ ହୋଇଥିବା କାର୍ଯ୍ୟ କେତେ ଗୁଣାତ୍ମକ ହୋଇଛି, ତାହାର ମୂଲ୍ୟାଙ୍କନ କରାଯାଇଛି କି ନାହିଁ, ଏସବୁ ପ୍ରଶ୍ନର ଉତ୍ତର କେବଳ ସମିତି ସଦସ୍ୟମାନେ ହିଁ କହିପାରିବେ । କାରଣ ଏ ବିଷୟରେ ଗଣମାଧ୍ୟମକୁ ଜଣାଇ ଦିଆଗଲା ନାହିଁ । ଏପରିକି ମାତ୍ର ୩ ବର୍ଷ ମଧ୍ୟରେ ଗଠିତ ଏହି ସଂସ୍ଥା ବହୁ ଦୁର୍ନୀତିରେ ଜଡ଼ିତ ଥିଲେ ମଧ୍ୟ ଏ ବିଷୟରେ କେହି କହିବାକୁ ନାହାନ୍ତି । ବିଦ୍ୟାଳୟଗୁଡ଼ିକପାଇଁ କିଣାଯାଇଥିବା ପୁସ୍ତିକା ତାଲିକାରେ ପ୍ରମୁଖ ପ୍ରକାଶନ ସଂସ୍ଥା ଓ ପ୍ରତିଷ୍ଠିତ ଲେଖକଙ୍କ ନାମ ନ ଥିବାରୁ ଏହି ସଂସ୍ଥା ରୂପକ ଢୋଲ ଭିତରେ ଯେ ବହୁତ ବଡ଼ ମୂଷା ରହିଛନ୍ତି, ଏଥିରେ ସନ୍ଦେହ ନାହିଁ ।

ଦୁର୍ନୀତି ଓ ଅନୀତିର ଗନ୍ତାଘର :

ଭାଷା ପ୍ରତିଷ୍ଠାନ ଗଠନ ହେବା ସମୟରୁ ହିଁ ଦୁର୍ନୀତିକୁ ପ୍ରଶ୍ରୟ ଦିଆଯାଇଛି । ସଂସ୍ଥାର ପ୍ରଥମ ନିର୍ଦ୍ଦେଶକ ପଦବୀପାଇଁ ସବୁଠାରୁ ଯୋଗ୍ୟ ବିଚାରବନ୍ତ ତଥା ବରିଷ୍ଠ ଭାଷାବିତ୍ ଭାବେ ରେଭେନ୍ସା ବିଶ୍ୱବିଦ୍ୟାଳୟର ତ‌ତ୍କାଳୀନ ବିଭାଗୀୟ ମୁଖ୍ୟଙ୍କ ନାମ ସର୍ବାଗ୍ରେ ଥିଲା । ମାତ୍ର ୬ ମାସ ପରେ ତାଙ୍କର ଅବସର ସମୟ ଉପସ୍ଥିତଥିବା ଆଳ ଦେଖାଇ, ବିଧାନସଭାର ଦୁଇଜଣ ଛାମୁଆ ନେତା ଗୁରୁଦକ୍ଷିଣା ଦେବାକୁ ଯାଇ ଭାଷା ସହିତ ସଂପର୍କ ନ ଥିବା ତଥା ଭାଷା ସୁରକ୍ଷାପାଇଁ କେବେ ଚିନ୍ତା ମଧ୍ୟ କରି ନ ଥିବା ଜଣେ ରିଡରକୁ ନିର୍ଦ୍ଦେଶକ ପଦ ଭେଟି ଦେଲେ । ତେଣୁ ଯୋଗ୍ୟତା ନ ଥାଇ ପଛ ଦର୍ଜାରେ ଆସିଥିବା ବ୍ୟକ୍ତି ମୁହଁ ଖୋଲି କିଛି କହିବାର ସମ୍ଭାବନା ନ ଥିବାରୁ, କାର୍ଯ୍ୟକାରୀ ପରିଷଦର ୬୭ ଜଣ ସଦସ୍ୟଙ୍କ ମଧ୍ୟରେ ୫୦ରୁ ଅଧିକ ପ୍ରଶାସନିକ ଅଫିସର ଓ କିଛି ଯୋଗାଡ଼ିଆ ଅଧ୍ୟାପକ ନିଜ ନିଜ ମଧ୍ୟରେ ଅନୁଷ୍ଠାନ କାର୍ଯ୍ୟ ବାଣ୍ଟି ନେଇ ସରକାର ଧନକୁ ଆତ୍ମସାତ କରିବାର ରାସ୍ତା ଫିଟାଇ ଦେଲେ । ନିର୍ଦ୍ଦେଶକଙ୍କ ଅବସର ପରେ ଏହି ପଦବୀରେ ପୁନଃ ସ୍ଥାପିତ କରିବାପାଇଁ ଚେଲାଦ୍ୱୟ ଆଗଭର ହୋଇ ସରକାରଙ୍କଦ୍ୱାରା ଯେଉଁ ନିଯୁକ୍ତି ବିଜ୍ଞାପନ ସେପ୍ଟେମ୍ବର ୨୦୦୭ରେ ପ୍ରକାଶ କରାଇଥିଲେ, ସେଥିରେ ପ୍ରାର୍ଥୀର ବୟସ ୬୧ ବର୍ଷ ସୂଚୀତ ହୋଇଥିଲା । ଅର୍ଥାତ୍ ଉକ୍ତ ବ୍ୟକ୍ତିଙ୍କୁ ଆହୁରି ୩ବର୍ଷ ରଖିବାପାଇଁ ସ୍ଥିର ନିଷ୍ପତ୍ତି ହୋଇସାରିଥିଲା । ତେବେ ଅସମୟରେ ଭୂକମ୍ପ ଆସି ସବୁଠାରୁ କରିତ୍‌କର୍ମା ଚେଲାର ମୁଣ୍ଡ ନେଇଯିବାରୁ ଭକ୍ତଙ୍କ ଗୁରୁଙ୍କୁ ସ୍ଥାୟୀ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇ ପାରିଲାନାହିଁ ।

ଏହି ବିଜ୍ଞାପନ ଆଧାରରେ ବହୁ ଆବେଦନକାରୀଙ୍କ ମଧ୍ୟରୁ ଆବଶ୍ୟକ ଯୋଗ୍ୟତା ମାତ୍ର ୩ଜଣ ବ୍ୟକ୍ତିଙ୍କର ଥିବାବେଳେ, ହଠାତ୍ ଭିତିରିଆ ଖବର ପ୍ରକାଶ ପାଇଲା ଯେ ଏମାନଙ୍କ ମଧ୍ୟରୁ ଯାହାର ପ୍ରଶାସନିକ ଅଭିଜ୍ଞତା ଥିବ, ତାଙ୍କୁ ଏହି ପଦବୀ ଦିଆଯିବ । ଏଥିପାଇଁ ମଧ୍ୟ ଉପକୂଳ ବନ୍ଦର ଅଞ୍ଚଳରୁ ଜଣେ ଗୁରୁଙ୍କୁ ଗୁରୁ ଦକ୍ଷିଣା ଦେବାପାଇଁ ଆଉ ଜଣେ ଚେଲା ଆଗେଇ ଆସିଲେ । ତେବେ “ପୁଅପାଇଁ ପ୍ରାଣଗଲା” ନ୍ୟାୟରେ ଏହାଙ୍କ ମୁଣ୍ଡ ଗଡ଼ିବାରୁ ପୁଣି ନିର୍ଦ୍ଦେଶକ ପଦବୀ ପୂରଣ ହୋଇ ପାରିଲାନାହିଁ । ତେଣୁ ଗୋଳିଆ ପାଣିରୁ ଫାଇଦା ଉଠାଇବାପାଇଁ ଲାଗି ପଡ଼ିଲେ ଅନୁଷ୍ଠାନର ବୃହତ କାର୍ଯ୍ୟକାରିଣୀ ପରିଷଦ ଓ ଏମାନଙ୍କ ସାହାଯ୍ୟକାରୀ କିରାଣୀଗଣ । ଫଳରେ ଓଡ଼ିଆ ଭାଷା ଓ ସାହିତ୍ୟ ସହ ସଂପୃକ୍ତ ନ ଥିବା ତଥା ଅନ୍ୟ ଦୁଇଟି ବୃହତ ପଦବୀରେ ଅଧିଷ୍ଠିତ ଥିବା ଶିକ୍ଷାବିଭାଗର ପ୍ରଫେସର ସେବକ ତ୍ରିପାଠୀଙ୍କୁ ଅସ୍ଥାୟୀ ଭାବେ ଏହି ପଦବୀ ଦିଆଗଲା । ୩ଟି ନାଆରେ ଗୋଡ଼ ଦେଇଥିବା ବ୍ୟକ୍ତି ଅନ୍ତିମ ନାଆକୁ ଅଣଦେଖା କଲାପରି ଓଡ଼ିଆ ଭାଷା ଓ ସାହିତ୍ୟ ଦୃଷ୍ଟିରୁ ଅନଭିଜ୍ଞ ଡଃ ତ୍ରିପାଠୀ କେବଳ ମିଟିଂ ଇଟିଂ ଓ ଦସ୍ତଖତଦ୍ୱାରା ଏହି ସଂସ୍ଥାକୁ ଆଗକୁ ନେଇଚାଲିଲେ । ମାତ୍ର “ମାଣ ପୁରି ସାରିବା ପରେ ଧାନ ତଳେ ପଡିବା” ପରି ଯେତେବେଳେ ଦୁର୍ନୀତିର ସୀମା ଅତିକ୍ରମ କଲା, ତାହା ଦାଣ୍ଡରେ ପଡି ହାଟରେ ଗଡ଼ିଲା । ଫଳରେ କିଛି ଦୁର୍ନୀତିଆଙ୍କ ମୁଖା ଖୋଲିଗଲା । ଆଉ କେତେ ରହିଛନ୍ତି, ଅଧିକ ଅନୁସନ୍ଧାନ ପରେ କିମ୍ବା କ୍ରାଇମବ୍ରାଞ୍ଚ ତଦନ୍ତ କଲେ ସବୁକଥା ବାହାରି ପଡିବ ।

ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଧୋକା :

ସ୍ୱାଭିମାନୀ ଓଡ଼ିଆଙ୍କୁ ସମ୍ମାନ ଜଣାଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ସଂସ୍ଥାର ବିଭିନ୍ନ କାର୍ଯ୍ୟକ୍ରମପାଇଁ ପ୍ରଚୁର ଅର୍ଥ ମୁକ୍ତ ହସ୍ତରେ ଅନୁମୋଦନ କରିଥିଲେ । ସେହି ଅନୁସାରେ ସଦସ୍ୟଗଣ ଭିତରେ ଭିତରେ ଅର୍ଥ ଭାଗ ବାଣ୍ଟ କରି ଚାଲିଥିଲେ । ମାତ୍ର ଯେତେବେଳେ ବିଦ୍ୟାଳୟଗୁଡ଼ିକୁ ବହି ବଣ୍ଟନ କରିବା ନିଷ୍ପତ୍ତି ନିଆଗଲା, ସେଥିରେ ନିଜର ସ୍ୱଚ୍ଛତା ପରିପ୍ରକାଶ କରିବାପାଇଁ ଏକ ‘ପୁସ୍ତକ ଚୟନ କମିଟି’ ଗଠନ କରିଦେଲେ । ଏହି କମିଟି ସଦସ୍ୟଗଣ କେବଳ ଅନଭିଜ୍ଞ ନୁହନ୍ତି, ଏମାନେ ଗୋଟିଏ ଗୋଟିଏ ସଖି କଣ୍ଢେଇ ମଧ୍ୟ । ତାହା ନ ହୋଇଥିଲେ ଏହି କମିଟି ୧୬ ପୃଷ୍ଟାର ଯେଉଁ ପୁସ୍ତକ ତାଲିକା ଦେଇଛନ୍ତି, ସେହି ତାଲିକା ଭିତରୁ କେବଳ ୨୦୦୬-୦୭ ମସିହାପାଇଁ ସରକାର ଦେଇଥିବା ୧କୋଟି ୪୦ଲକ୍ଷ ଟଙ୍କାର ବହି କିଣା ହେବ ନାହିଁ, ବରଂ ଆଗାମୀ ଦଶବର୍ଷପାଇଁ ବହି କିଣିବା ଉଦ୍ଦେଶ୍ୟରେ ସରକାର ଯେତେ ଅର୍ଥ ପ୍ରଦାନ କରିବେ, ସେହି ଅର୍ଥରେ ଉକ୍ତ ତାଲିକାଭୁକ୍ତ ବହି କେବଳ ହିଁ କିଣାଯିବ । ଅର୍ଥାତ୍ ଏହି ୧୦ବର୍ଷ ମଧ୍ୟରେ ଉଚ୍ଚକୋଟୀର ପୁସ୍ତକ ରଚନା କରାଯାଇଥିଲେ ମଧ୍ୟ ତାହା ଗ୍ରହଣ କରାଯିବ ନାହିଁ । କେବଳ ନିଷ୍ପତ୍ତିଟି ଏତିକିରେ ରହିଥିଲେ ହୁଏତ ପଖାଳଖାଇ ଶୋଇ ପଡୁଥିବା ଓଡ଼ିଆଏ ଚେତି ନ ଥାନ୍ତେ, ଯଦି ଭଲ ଭଲ ପ୍ରକାଶନ ସଂସ୍ଥାର ଓଡ଼ିଆ ପୁସ୍ତକକୁ ଉପେକ୍ଷା କରାଯାଇ; ନିଜ କର୍ମଚାରୀ, ନିଜ ପରିବାର ସଦସ୍ୟଙ୍କ ନାମରେ ବିଭିନ୍ନ ଅନାମଧ୍ୟେୟ ପ୍ରକାଶନ ସଂସ୍ଥା ଗଠନ କରି, କଟକର ଏକ ପ୍ରତିଷ୍ଠିତ ପ୍ରକାଶନ ସଂସ୍ଥାର ସର୍ବାଧିକ ଅନାମଧ୍ୟେୟ ଓ ଛାତ୍ର ଅରୁଚି ପୁସ୍ତକ ମନୋନୀତ ହୋଇ ନ ଥା’ନ୍ତା ।

ଏହି ବହି କାହା ପାଇଁ? :

ରାଜ୍ୟର ୩୫୦୦ ବିଦ୍ୟାଳୟକୁ ଓଡ଼ିଆ ବହି କିଣି ପ୍ରଦାନ କରିବା ପଛରେ ସରକାରଙ୍କର ମହତ ଉଦ୍ଦେଶ୍ୟ ଥିଲା ଯେ, ବିଦ୍ୟାଳୟରେ ପୂର୍ବରୁ ଥିବା ପାଠାଗାର ଆନ୍ଦୋଳନକୁ ସକ୍ରିୟ କରିବା, ପିଲାଙ୍କ ମଧ୍ୟରେ ପଢ଼ିବା ପିପାସା ବୃଦ୍ଧି କରାଇବା ତଥା ଓଡ଼ିଆ ଲେଖା ଓ ଲେଖକଙ୍କ ସହ ପରିଚିତ ହେବା । ମାତ୍ର ବିଭାଗୀୟ ଅଧିକାରୀଙ୍କ ପ୍ରତ୍ୟକ୍ଷ ହେଉ ବା ପରୋକ୍ଷରେ ହେଉ, ସାମାନ୍ୟ ଅବହେଳାର ସୁଯୋଗ ନେବାକୁ ଭୁଲିଲେ ନାହିଁ ଏଠି ଛକି ବସିଥିବା ଗୋତ୍ରମାରୁ ଓଡ଼ିଆ କଙ୍କଡ଼ା ଦଳ । ସେମାନେ ଓଡ଼ିଶାର କେତେକ କଳୁଷିତ ପ୍ରକାଶନ ସଂସ୍ଥାଙ୍କ ପ୍ରଲୋଭନକୁ ଗ୍ରହଣ କରି ବିକ୍ରି ହୋଇପାରୁ ନ ଥିବା ଗୁଡ଼ିଏ ଅବୋଧ୍ୟ ପୁସ୍ତକ ତାଲିକା କରି ପକାଇଲେ । ପୁସ୍ତକ ମନୋନୟନ ବେଳେ ଏମାନେ କୋମଳମତି ପିଲାଙ୍କ ମାନସିକତାକୁ, କିମ୍ବା ବିଦ୍ୟାଳୟଗୁଡ଼ିକର ଭୌଗୋଳିକ ସ୍ଥିତିକୁ ଦୃଷ୍ଟି ଦେଇନାହାନ୍ତି । ଦୃଷ୍ଟାନ୍ତରୂପେ କୁହାଯାଇପାରେ ଯେ, ଜଣେ ଷଷ୍ଠରୁ ଦଶମ ଶ୍ରେଣୀ ମଧ୍ୟରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କପାଇଁ “ଅର୍ଥ ସହ ଶତ୍ରୁତା”, “ସ୍ୱରୋଦୟ”, “ପ୍ରତିନିୟତ”, “ଜଣେ କେହି ବର୍ଷାରେ ଭିଜୁଥାଇ ପାରେ” “ବର୍ଷାର ପ୍ରଥମ ନୁପୂର”, “କଳାହାଣ୍ଡିର କାବ୍ୟ”, “ମହୁମୁହାଣ”, “ମଧୁଶାଳା”, “ଉଜ୍ଜୟିନୀ” ଇତ୍ୟାଦି ଅସଂଖ୍ୟ କବିତା ପୁସ୍ତକ ତଥା ନାଟ୍ୟକାର ମନୋରଂଜନ ଦାସ, ବିଜୟ ମିଶ୍ର, ପ୍ରଫୁଲ୍ଲ ରାୟ, ରତି ମିଶ୍ରଙ୍କ ରଚିତ ଭଲ ନାଟକଗୁଡ଼ିକ ଛାଡ଼ି ଅବୁଝା ନାଟକ ଏବଂ ‘ଶ୍ରୀରାଧା’, ‘ନୂଆ ସକାଳ’, ‘ସମୟାନ୍ତର’ ଇତ୍ୟାଦି ଉପନ୍ୟାସ ଏହି କୋମଳମତି ପିଲାମାନଙ୍କୁ କି ପ୍ରକାରର ନୈତିକ ଶିକ୍ଷା ଦେଇପାରିବ ବୋଲି ଚୟନକର୍ତ୍ତାଗଣ ଭାବିଛନ୍ତି ! ଏଥିସହିତ ଓଡ଼ିଶାର ବିଦ୍ୟାଳୟଗୁଡ଼ିକ ଅବସ୍ଥିତି ଦୃଷ୍ଟିରୁ ଗ୍ରାମୀଣ, ନିପଟ ମଫସଲି, ସହର, ସହର ଉପକଣ୍ଠ, ଆଦିବାସୀ ଅଞ୍ଚଳ ଭାବରେ ବିଭକ୍ତ କରି ଏଠାରେ ପଢ଼ୁଥିବା ପିଲାଙ୍କ ମାନସିକତା ଓ ଗ୍ରହଣ କରିବାର ଦକ୍ଷତାକୁ ଆଧାର କରି ପୁସ୍ତକ ମନୋନୟନ କରାଯାଇନାହିଁ । କେବଳ ସେତିକି ନୁହେଁ, ପୁସ୍ତକ ଚୟନ ସମିତିର ଯେ ଏଥିପାଇଁ କାଣିଚାଏ ମାତ୍ର ଯୋଗ୍ୟତା ନାହିଁ, ତାହା ପ୍ରମାଣ କରିଛନ୍ତି ପ୍ରଜ୍ଞା ପ୍ରକାଶନୀଦ୍ୱାରା ମୁଦ୍ରିତ “ଜ୍ଞାନବିଜ୍ଞାନ”ନାମକ ଏକ ଉଚ୍ଚକୋଟୀର ପୁସ୍ତକକୁ ବିଜ୍ଞାନ ବିଭାଗରେ ସ୍ଥାନୀତ ନ କରି, କରିଛନ୍ତି ଗ୍ରନ୍ଥାବଳୀ ବିଭାଗରେ ।

ଏ ଭ୍ରମରବର କିଏ ?

ଓଡ଼ିଆ ଭାଷାର ଉତ୍ପତ୍ତି ତଥା ଓଡ଼ିଆ ସାହିତ୍ୟର ଉତ୍ପତ୍ତି ଓ ଏହାକୁ ପୂଣ୍ଣବିକଶିତ କରିଥିବା ଅମର ସ୍ରଷ୍ଟାମାନଙ୍କ ବିଷୟରେ ଏପର୍ଯ୍ୟନ୍ତ ଆମ ଓଡ଼ିଶାବାସୀ ଜାଣିପାରିଲେ ନାହିଁ । ଏ ସମ୍ପର୍କରେ ଯେତିକି ତଥ୍ୟ ଅଛି, ତାହା ଆମ ଛାତ୍ରଛାତ୍ରୀମାନେ ଜାଣିବା ଉଚିତ୍ । ଏହାକୁ ଲକ୍ଷ୍ୟ ରଖି ଜୀବନୀ, ଆତ୍ମଜୀବନୀ ଓ ଗ୍ରନ୍ଥାବଳୀ ପୁସ୍ତକ ମନୋନୀତ କରିବାର ଥିଲା । ମାତ୍ର ଏଠି ମଧ୍ୟ ଜାଲିଆତି ହୋଇଛି । “ମିଡିଆ ପ୍ରେସ” ଦ୍ୱାରା ମୁଦ୍ରିତ ଭ୍ରମରବର ଗ୍ରନ୍ଥାବଳୀ (ମୂଲ୍ୟ-ଟ୪୦୦ଙ୍କା) ଏବଂ ଶିକ୍ଷଣୀୟ ପୁସ୍ତକ ବିଭାଗରେ ସ୍ଥାନୀତ “ଓଡ଼ିଆ ବୈଷ୍ଣବ ସାହିତ୍ୟ ଓ ବୈଷ୍ଣବକବି ଭ୍ରମରବର” (ମୂଲ୍ୟ-ଟ୧୦୦ଙ୍କା) ପୁସ୍ତକ ମନୋନୀତ କରି ଚୟନକର୍ତ୍ତା ପାଠକଙ୍କୁ କି ପ୍ରକାର ବାର୍ତ୍ତା ଦେବାକୁ ଚାହୁଁଛନ୍ତି? ଯଦିଓ ଆମେ ସାହିତ୍ୟିକ ଓ ସାହିତ୍ୟକୁ ସମ୍ମାନ ଜଣାଉଛୁ, ମାତ୍ର ଏଠାରେ ଆମ ବିବେକ ବାରମ୍ବାର ପ୍ରଶ୍ନ ପଚାରୁଛି ଯେ, ପ୍ରାଚୀନ କବି ସାରଳା, ପଞ୍ଚସଖା, ତଥା ମଧ୍ୟଯୁଗୀୟ ଅସଂଖ୍ୟ ବୈଷ୍ଣବକବିଙ୍କ ମେଳରେ କବି ଭ୍ରମରବରଙ୍କ ସ୍ଥିତି କ’ଣ? ବୋଧହୁଏ ଏହା ଉପରେ ଗବେଷଣା କରି ଉପାଧି ପାଇଥିବା ଓଡ଼ିଶା କୃଷି ବିଶ୍ୱବିଦ୍ୟାଳୟର ପୂର୍ବତନ କିରାଣୀ ତଥା ଭାଷା ପ୍ରତିଷ୍ଠାନର ସର୍ବେସର୍ବା ବୋଲାଉଥିବା ଜନୈକ କିରାଣୀଙ୍କର ନିକଟ ସମ୍ପର୍କୀୟ ହେବେ ନିଶ୍ଚୟ । ତେବେ ପୂର୍ବ ପୁରୁଷଙ୍କୁ ସମ୍ମାନ ଜଣାଇ ନିଜେ ଏବେ କେତେ ଅସମ୍ମାନିତ ହେଉଛନ୍ତି, ତାହା ଏହି ଗୁପ୍ତ ଯୋଜନା ପଦାରେ ପଡ଼ିବା ପରେ ଅନୁଭବ କରିପାରୁଥିବେ ।

ବିଖ୍ୟାତ ଲେଖକଙ୍କ ବହି କାହିଁ?

ପିଲାଙ୍କ ମନ ମୋହିଲା ଭଳି ସରଳ ଭାଷାରେ ଅସଂଖ୍ୟ କବିତା, ଗପ, ଉପନ୍ୟାସ, ନାଟକ ଆଦି ରଚିତ ହୋଇଛି, ସାରଳା ଦାସଙ୍କଠାରୁ ଆରମ୍ଭ କରି ବର୍ତ୍ତମାନର ଅସଂଖ୍ୟ ଯୋଗ୍ୟ ଓଡ଼ିଆ କବି-ଲେଖକଙ୍କ ପର୍ଯ୍ୟନ୍ତ । ଏପରିକି ବହୁ ମହାନ୍ ବ୍ୟକ୍ତିଙ୍କ ଜୀବନୀ ମଧ୍ୟ ପିଲାଙ୍କ ପ୍ରେରଣାପ୍ରଦ ପୁସ୍ତକ ଭାବେ ମନୋନୀତ କରାଯାଇପାରିଥାନ୍ତା । ମାତ୍ର ଏହା ନ କରି ବର୍ତ୍ତମାନର ଶାସନ କ୍ଷମତା ଜାବୁଡ଼ି ଧରିଥିବା କେତେକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଉଚ୍ଚ ମୂଲ୍ୟରେ ମୁଦ୍ରିତ ଅସାହିତ୍ୟ ପୁସ୍ତକଗୁଡ଼ିକୁ ମନୋନୀତ କରାଯାଇଛି । ଏପରିକି ଭାଷା ପ୍ରତିଷ୍ଠାନର ଜନୈକ କର୍ମଚାରୀ ଅରବିନ୍ଦ ରାୟଙ୍କ ଗବେଷଣା ସନ୍ଦର୍ଭ ତାଙ୍କ ସଂପର୍କୀୟା ଶୈଳବାଳା ଦାସଙ୍କ ନାମରେ ମୁଦ୍ରିତ କରି ପ୍ରାୟ ୨୬ ଲକ୍ଷ ୯୫ ହଜାର ଟଙ୍କା ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ଜଣେ କର୍ମଚାରୀ ନିଜ ସଂପର୍କୀୟଙ୍କ ନାମରେ ଭିନ୍ନ ଭିନ୍ନ ପ୍ରକାଶନ ସଂସ୍ଥା ଗଠନ କରି (ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏଭଳି ନାମକୁମାତ୍ର ପ୍ରକାଶନ ସଂସ୍ଥା କେବଳ ବିଭିନ୍ନ ସରକାରୀ ଯୋଜନାରେ ଧରାଧରି କରି ବହି ବିକିବା ଛଡ଼ା ଅନ୍ୟ କୌଣସିଠାରେ ଖଣ୍ଡିଏ ହେଲେ ବହି ବିକ୍ରୟ କରିବାର ବ୍ୟବସ୍ଥା ନାହିଁ) ବିଭିନ୍ନ ପୁସ୍ତକ ମନୋନୀତ କରାଇ ପ୍ରାୟ ୪୦ ଲକ୍ଷ ଟଙ୍କା ଖାଇବାପାଇଁ ପ୍ରସ୍ତୁତ ହେଲେଣି ବୋଲି ଖବରକାଗଜରେ ପ୍ରକାଶିତ ହେବା ସହ, ଏମାନଙ୍କ ବିରୋଧରେ କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କଠାରେ ଦୃଢ଼ ଦାବି କରାଯାଇଥିବାର ଶୁଣାଯାଉଛି ।

ଫ୍ରେଣ୍ଡସ୍ ସହ ବନ୍ଧୁତା କାହିଁକି?

ପ୍ରକାଶନ ସଂସ୍ଥାପାଇଁ ସରକାରଙ୍କର କୌଣସି ନିର୍ଦ୍ଧିଷ୍ଟ ନିୟମ ନାହିଁ । ଯାହାର ସୁଯୋଗ ନେଉଛନ୍ତି ଅସଂଖ୍ୟ ଠକ ପ୍ରକାଶନ ସଂସ୍ଥା । ନିଜ ସ୍ତ୍ରୀ, ପିଲା, ଶଳା, ଶାଳୀ କିମ୍ବା ପରିବାରର ଅନ୍ୟାନ୍ୟ ସଦସ୍ୟ, ଏପରିକି ଦୋକାନ କର୍ମଚାରୀଙ୍କ ନାମରେ ଗୋଟିଏ ଗୋଟିଏ ଛଦ୍ମ ପ୍ରକାଶନ ସଂସ୍ଥା ଗଠନ କରି ଓଡ଼ିଶାର ବିଭିନ୍ନ ବହିଦୋକାନକୁ ପୁସ୍ତକ ପଠାଇବା ବଳରେ; ରାଜା ରାମମୋହନ ରାୟ ଫାଉଣ୍ଡେସନ୍, ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟକୁ ପୁସ୍ତକ ବିକ୍ରି କରୁଥିବା କେତେକ ଘୃଣ୍ୟ ବ୍ୟବସାୟୀଙ୍କ ଯୋଗୁଁ ଭଲ ବହିଟିଏ ପାଠକ ନିକଟରେ ପହଞ୍ଚିପାରୁନାହିଁ । ଏହିସବୁ ସଂସ୍ଥା କେବଳ ଧନୀ ଓ ପ୍ରଭାବଶାଳୀ ସରକାରୀ କ୍ଷମତାସୀନ ବ୍ୟକ୍ତିଙ୍କ ଅବାନ୍ତର ଲେଖାକୁ ପୁସ୍ତକ ରୂପ ଦେଇ ବଡ଼ ବାଳିଆ ମାରିବା ଆଶାରେ ଅପେକ୍ଷା କରି ରହିଥାନ୍ତି । ଯେମିତି ବସି ରହିଛି ‘ଫ୍ରେଣ୍ଡସ୍’ । ଏହି ତାଲିକାରେ ସର୍ବାଧିକ ୨୩ଟି ପୁସ୍ତକ ଓ ଏହାଦ୍ୱାରା ସୃଷ୍ଟ ଛଦ୍ମ ସଂସ୍ଥା ଯଥା, ‘ବିଦ୍ୟା ପ୍ରକାଶନ’ରୁ ୧୧ ଖଣ୍ଡ, ‘ସୁଧା ପ୍ରକାଶନ’ରୁ ୧୦ ଖଣ୍ଡ, ‘ସାହିତ୍ୟ ସଂଗ୍ରହ’ରୁ ୪ ଖଣ୍ଡ, ‘ମିଡିଆ’ରୁ ୪ ଖଣ୍ଡ-ଏମିତି ଜାଣନ୍ତରେ ୫୨ଖଣ୍ଡ ପୁସ୍ତକ ଗୋଟିଏ ସଂସ୍ଥାରୁ ମନୋନୀତ ହୋଇଥିବା ବେଳେ ଅନ୍ୟ ସଂସ୍ଥାମାନଙ୍କରୁ ୨/୪ ଖଣ୍ଡ ଲେଖାଏଁ ମନୋନୀତ ହୋଇଛି । ସବୁଠାରୁ ମଜାର କଥା ହେଲା ଯେ, ଫ୍ରେଣ୍ଡସଦ୍ୱାରା ପିଲାଙ୍କପାଇଁ ମୁଦ୍ରିତ ଗୋଟିଏ ହେଲେ ପୁସ୍ତକ ମନୋନୀତ ହୋଇ ନ ଥିବା ବେଳେ, ସେହି ସଂସ୍ଥାଠାରୁ ପିଲାମାନଙ୍କର ଜ୍ଞାନ ଓ ଦକ୍ଷତା ବୃଦ୍ଧିପାଇଁ ଅନ୍ୟ ଧରଣର ଅବୋଧ୍ୟ ପୁସ୍ତକ ମନୋନୀତ କରାଯାଉଛି ।

ସରକାର କ’ଣ ସ୍ଥାଣୁ?

ଏ ଭିତରେ କଥାଟା ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ କାନକୁ ଯାଇ ସାରିଲାଣି । ବୋଧହୁଏ ନବୀନ ରାଜନୀତିରେ ଯେମିତି ଦୋଷୀ ପ୍ରତି କଠୋର ଦଣ୍ଡ ଦେଉଛନ୍ତି, ଏଥିରେ ମଧ୍ୟ ସେହିପରି କିଛି କରିବେ ବୋଲି ଓଡ଼ିଶାବାସୀ ତାଙ୍କଠାରୁ ଆଶା କରିଛନ୍ତି । ତାଙ୍କର ସ୍ୱଚ୍ଛ ଶାସନର ଦୃଷ୍ଟାନ୍ତ ସ୍ୱରୂପ, ଭାଷା ପ୍ରତିଷ୍ଠାନରେ ସ୍ୱଚ୍ଛତା ଆଣି, ଓଡ଼ିଆ ଭାଷା ବିଶେଷଜ୍ଞ ସୁଦକ୍ଷ ବ୍ୟକ୍ତିଙ୍କୁ ନିର୍ଦ୍ଦେଶକ ପଦବୀରେ ସ୍ଥାୟୀ ଭାବେ ନିଯୁକ୍ତି କରିବା ଏକ ପ୍ରାଥମିକ କାର୍ଯ୍ୟ ହେବ । ଭାଷା ଓ ସାହିତ୍ୟ ପ୍ରତି ଆନ୍ତରିକତା ନ ଥିବା ବିଶାଳ କାର୍ଯ୍ୟକାରୀ ସମିତିକୁ ଭାଙ୍ଗି ଓଡ଼ିଶାର ବିଦ୍ୱାନ ଅଧ୍ୟାପକ, ବୁଦ୍ଧିଜୀବୀ ଓ ଲେଖକଗଣଙ୍କୁ ନେଇ ନୂଆ ପରିଷଦ ଗଠନ କରିବା ସହିତ, ଭାଷା ପ୍ରତିଷ୍ଠାନର ମୌଳିକ ଲକ୍ଷ୍ୟକୁ କାର୍ଯ୍ୟକାରୀ କରାଇବାକୁ ସୁଯୋଗ ଦେବା ଏବଂ ବ୍ୟାସକବି ଫକୀରମୋହନଙ୍କ କଟକର ବାଖରାବାସ୍ଥିତ ବାସଭବନକୁ ଅବାଞ୍ଛିତ ଭାବେ ମାଡ଼ି ବସିଥିବା ତଥା ବହି ଦୋକାନରେ ବହି ନ ପହଞ୍ଚାଇ ବିଭିନ୍ନ ଫନ୍ଦି ଫିକର କରି ବହି ବିକ୍ରି କରୁଥିବା କେତେକ ଜାତିଦ୍ରୋହୀ ପ୍ରକାଶନ ସଂସ୍ଥା ପ୍ରତି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ କେବଳ ଯେ ଓଡ଼ିଆ ଭାଷା ତା’ର ପୂର୍ବଗୌରବ ଫେରି ପାଇବ, ତା’ ନୁହେଁ, ବରଂ ବହୁଦିନ ପରେ ଓଡ଼ିଆ ଜାତି ଆମ ମୁଖ୍ୟମନ୍ତ୍ରୀଙ୍କୁ ଆଉ ଜଣେ ଉକ୍ରଳ ଗୌରବ ମଧୁସୂଦନ ଭାବରେ ପାଇଲା ପରି ଅନୁଭବ କରିବ ।

Odia Story Subrat Kumar Prusty Books Subrat Odia Story
Share. Facebook Twitter Pinterest LinkedIn Tumblr Reddit Email
Previous Articleରାଜ୍ୟର ପରିବେଶ ପ୍ରତି ବିପଦ ବଢୁଛି
Next Article ଆଉ କେତେଦିନ ଭୋକିଲା ରହିବା
Subrat Kumar Prusty

Related Posts

ଅଭିନବ ବିବାହ

March 16, 2023

ବୋକା ନା ବିବେକୀ?

March 1, 2023

ଘୋରକର ଉଦାରତା

February 1, 2023

ମହାଭାରତ

January 26, 2023

ମହାରାଜାଙ୍କ କଳା

December 21, 2022

ଶକରକନ୍ଦ

December 12, 2022
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.