• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»କାବ୍ୟ ଓ କବିତା»ବେଣୀ ସଂହାର
କାବ୍ୟ ଓ କବିତା

ବେଣୀ ସଂହାର

ରାଧାନାଥ ରାୟBy ରାଧାନାଥ ରାୟFebruary 17, 2020No Comments11 Mins Read
Facebook Twitter Pinterest Reddit LinkedIn Tumblr Email
Share
Facebook Twitter Pinterest Reddit Email
ପ୍ରଭାତିଲା ବିଭାବରୀ, ହସିଲେ ଉଜ୍ଜ୍ୱଳେ, ପଙ୍କଜବରଣୀ ଉଷା ଉଦୟ ଅଚଳେ ।
ନବୋଦିତ ଦିନମଣି ଆରକ୍ତକିରଣ, କାଞ୍ଚନ-ଶିବିର-ଚୂଡ଼ା ଚୂମ୍ବିଲା ବ‌ହନ ।
ଝର ଝର ଝରେ ନିଶିପତିତ ତୁଷାର, ଦୁଇ ଦଳେ ରଣସଜ୍ଜା କଲେ ଯେ ଯାହାର ।
ବାଜିଲା ବିବିଧ ବାଦ୍ୟ, ମାତି ବୀରରସେ, ଆୟୁଧ ଆସ୍ଫାଳି ବୀରେ ଧାଇଁଲେ ସାହସେ ।
ବୀରମଦେ କେହି ବୀର କାର୍ମୁକ ଟଙ୍କାରେ, କେ ଅବା ଆସ୍ଫାଳି ଆସି ଭୀଷଣ ହୁଙ୍କାରେ ।
ଦୋଳେ ଝକ ଝକ ପୃଷ୍ଠେ ଫଳକ ବର୍ତ୍ତୁଳ, କେ ଅବା ଉନ୍ମାଦ ଶୂନ୍ୟେ ଭୁଷଇ ତ୍ରିଶୂଳ ।
ଭାବି ପ୍ରତିପକ୍ଷ ବକ୍ଷ ଲକ୍ଷି କେହି ବୀର, ଧାଆନ୍ତେ କବଚେ ବାଜି ବାଜଇ ତୂଣୀର ।
ଗମ୍ଭୀର ସମର ବାଦ୍ୟ, ଅସ୍ତ୍ରର ଝନ୍ ଝନି, ସିଂହନାଦ ଶଙ୍ଖନାଦ ବ୍ୟାପଇ ଅବନୀ ।
ପ୍ରଚଣ୍ଡ ପାଣ୍ଡବ-ଯୋଧେ ଆୟୁଧ ଭାସ୍ୱର, ଧରି କ୍ରୋଧେ ମହାଯୁଦ୍ଧେ ଧାଇଁଲେ ସତ୍ୱର ।
ଯେସନେ ଭୀଷଣ‌ଘୋଷୀ ପଶ୍ଚିମ ଅନିଳ- ଆଘାତେ ସଂଘାତେ ଧାଏଁ ତରଙ୍ଗ ଫେନିଳ ।
ଆଗେ ସିନ୍ଧୁ ନୀଳବକ୍ଷେ ଉଚ୍ଛୁଳି ଉଚ୍ଛ୍ୱାସେ, ହଲାଇ ଖେଳାଇ ଚୂଡ଼ା ଟେକଇ ଆକାଶେ ।
ଦମ୍ଭୋଳି ଆରବେ ପୁଣି ଗରଜି ଗମ୍ଭୀର, ସ୍ତରେ ସ୍ତରେ ତଟେ ଲାଗି ପିଟେ ତ‌ହିଁ ଶିର ।
ଉତ୍ତୁଙ୍ଗ ମଳୟ ଗିରି ଚରଣେ ଆଶ୍ରତ, ଇତର ଶିଖରିକୁଳ କରେ କବଳିତ ।
ତେସନେ ମୁଖରି କ୍ଷେତ୍ର ଭୈରବ ଆରବେ, କ୍ଷତ୍ରିୟହର୍ଯ୍ୟକ୍ଷ ଶୂରେ ଧାଇଁଲେ ଆହବେ ।
ଦେବାକୃତି ସୂରବୃନ୍ଦ ସର୍ବେ ବୀର୍ଯ୍ୟଶାଳୀ, ତେଜସ୍ୱୀ ମଧ୍ୟାହ୍ନେ ଯେହ୍ନେ ଦେବ ଅଂଶୁମାଳି ।
ଧର୍ମ୍ମଙ୍କ ଛାମୁରୁ ପାର୍ଥ ଘେନିଣ ମେଲାଣି, କପିଧ୍ୱଜେ ବିଜେ କଲେ ସଙ୍ଗେ ଚକ୍ରପାଣି ।
ବିଶୋକ ସାରଥି ପ୍ରତି କ‌ହେ ଭୀମ‌ବୀର, ରଖ ରଥେ ସୂତ ! ବ‌ହୁ ଖାରଶାଣ ତୀର ।
ଆଜି ଧୃତରାଷ୍ଟ୍ର ହେବ ପୁତ୍ରପୌତ୍ରହୀନ, ଆଜି ବସୁନ୍ଧରା ହେବ ଧର୍ମଙ୍କ ଅଧୀନ ।
ଆଜି ଦୁର୍ଯ୍ୟୋଧନ ରାଜା ଶୋଇବ ଭୂତଳ, କପଟ ପାଶାର ଆଜି ଦେବି ପ୍ରତିଫଳ ।
ଯାବତ ନମିଳେ ଆସି ପାର୍ଥ ମହାରଥି, ସସଜ୍ଜ ମୋ ରଥ ବେଗେ କର, ତୁ ସାରଥି ।
ଏ ସମୟେ ଉତ୍ତରେ ଶୁଭିଲା କୋଳାହଳ, ଆବରେ ଅର୍ଜୁନ ବାଣ ଗ‌ଗନ ମଣ୍ଡଳ ।
କପିଧ୍ୱଜ ଅଶ୍ୱହ୍ରେସା, ଦେବଦତ୍ତ ସ୍ୱନ, ଶୁଭିଲା, ସିଶିଲା ଦୂରେ ବାନର-କେତନ ।
ଦୁଇ ଦଳେ ମହାରୋଷେ ମିଳିଲେ ସମରେ, ଶନ ଶନ ଶରକୁଳ ଚାଲିଲା ଅମ୍ବରେ ।
ଖଡ଼ଗେ କଡ଼ଗ ବାଜେ, ଫଳକେ ଫଳକ, ଶୂଳେ ଶୂଳ, ଭଲ୍ଲେ ଭଲ୍ଲ, ସାୟକେ ସାୟକ ।
ଆର୍ତ୍ତନାଦ ସିଂହନାଦ ଉଠଇ ଅମ୍ବରେ, ଘାତକ ଆହାର ପରେ ନାଦେ ଦମ୍ଭଭରେ ।
ଘୋଟକ-ଝପଟ-ଧୂଳି ଘୋଟେ ନଭସ୍ଥଳ, ଘର୍ଘରି ଘୂରଇ ଚକ୍ର ଉଗାରି ଅନଳ ।
ତୂରୀ ଭେରୀ ଆଦି ବାଦ୍ୟ ବାଜେ ଅଗଣନ, ଘନ‌ଘଟା-ଘୋରଧ୍ୱନି ବଧିର ଶ୍ରବଣ ।
ପଡ଼ିଲେ କିରୀଟି-ଶରେ କୁରୁ-ଚତୁରଙ୍ଗ, ଭୟେ କୁରୁବୀରବୃନ୍ଦ ରଣେ ଦେଲେ ଭଙ୍ଗ ।

 

ଦେଖିଣ ସୌବଳ କ‌ହେ ରାଜାର ଛାମୁର, “ଦେଖ ରାଏ ! ସୈନ୍ୟକ୍ଷୟ କଲା ପାର୍ଥଶୂର ।
ମୁଁ ଯାଇ କରିବି ଆଗ ଭୀମକୁ ସଂହାର, ନୋହିଲେ କୁରୁଙ୍କୁ ଆଜି ନାହିଁ ଯେ ନିସ୍ତାର” ।
ମହାବଳ ସୌବଳ ଧାଇଁଲେ ଭୀମ‌ପ୍ରତି, ଯୁଝନ୍ତି କେଶରୀ ପ୍ରାୟେ ବେନି ସେନାପତି ।
ପ୍ରହାରଇ ଶକ୍ତି ଭୀମ ସଉବଳ ମାଥେ, ହୁଞ୍ଚୁଡ଼ି ସେ ଶକ୍ତି ବୀର ନେଲା ବାମହାତେ ।
ସେହି ଶକ୍ତି ଘେନି ପୁଣି ଭୀମକୁ ପ୍ରହାରେ, ମୂର୍ଚ୍ଛିତ ହୋଇଣ ଭୀମ ପଡ଼ିଲେ ଧରାରେ ।
ମୂର୍ଚ୍ଛାଭଙ୍ଗେ ରଣଭଙ୍ଗେ ମାତିଲେ ମାରୁତି, ବାଣେ କୁରୁବୀରକୁ ସେ ପକାଇଲେ ପୋତି ।
କ୍ରୋଧାନ୍ଧେ ବିନ୍ଧିଲା ବୀର-ସୌବଳ-ଶରୀର, ଭେଟିଲା ସୌବଳ-କର୍ଣ୍ଣମୂଳେ ଭୀମତୀର ।
ମୂର୍ଚ୍ଛିତ ହୋଇଣ ବୀର ହେଲା ରଥଶାୟୀ, ବେଗେଣ ସାରଥୀ ରଥ ନେଲା ବାହୁଡ଼ାଇ ।
ଧନୁ ଏଡ଼ି ଗଦା ନେଲେ ପବନ‌କୁ‌ମାର, ଗଦାଘାତେ ଅରାତିଙ୍କୁ କଲେ ସେ ଜର୍ଜ୍ଜର ।
ଧୂମକେତୁ ଭୀମ‌-ପୁଚ୍ଛ ସଞ୍ଚାଳି ବ‌ହନ, ନିଶୀଥେ ଆକାଶେ ଥାଇ ବୁଲଇ ଯେସନ ।
ଦୁର୍ଭିକ୍ଷ ମଡ଼କ ରାଷ୍ଟ୍ରେ, ସୁବର୍ଣ୍ଣ ମଣ୍ଡିତ, ପ୍ରଚଣ୍ଡ ଆୟସୀ ଗଦା ବୁଲାଇ ତ୍ୱରିତ ।
ବିପକ୍ଷଙ୍କୁ ତେସନ ପ୍ରରଇ ପ୍ରେତପୁର, କୁରୁକୁଳ-ଧୁମକେତୁ ଭୀମ ମହାଶୂର ।
ମାତଙ୍ଗେ ମାହୁନ୍ତ ପଡ଼େ ତୁରଙ୍ଗେ ରାଉତ, ପଡ଼ନ୍ତି ପଦାତି ରଣେ ଅୟୁତ ଅୟୁତ ।
ବେଗେ କୁରୁବଳେ ନେଲେ କର୍ଣ୍ଣଙ୍କ ଶରଣ, କର୍ଣ୍ଣଙ୍କୁ କାତରେ କ‌ହେ ରାଜା ଦୁର୍ଯ୍ୟୋଧନ ।
“ଦେଖ ଅଙ୍ଗରାଜ ! ବେଗେ ଆସେ ପାର୍ଥବୀର, ଶୁରାଶୁର ଯୁଦ୍ଧେ ଯାର ନିର୍ଭୟ ଶରୀର ।
ତୂଳାରାଶି ମହାବାତେ ଉଡ଼ଇ ଯେସନ, ତେସନ ପଳାନ୍ତି ତ୍ରାସେ କୁରୁସୈନ୍ୟଗଣ ।
ତୁମ୍ଭେ ସାହା ଥାଉ ସଖା ଘଟେ ଏ ଦୁର୍ଗତି ! ଶୁଣିଣ ରୁଷିଲା ବୀର କର୍ଣ୍ଣମହାମତି ।
ଶଲ୍ୟଙ୍କୁ ଆଦେଶେ ବୀର, ବେଗେ ନିର ରଥ, ଆଜି ନିଶ୍ଚେ ପାର୍ଥକୁ କରିବି ରଣେ ହତ ।”
ଅଶ୍ୱଙ୍କୁ ସାରଥୀ କଲେ ଛାଟଣି ପ୍ରହାର, ଗଲା ଗଜଧ୍ୱଜ ବେଗେ ନକ୍ଷତ୍ର ଆକାର ।
ହ୍ରେସାରବେ ଦୃତଗତି ଧାଇଁଲେ ଘୋଟକ, ଘର୍ଘରି ଘୁରଇ ଚକ୍ର ଉଗାରି ପାବକ ।
ମହାବୀର୍ଯ୍ୟ ବୀର ସୂର୍ଯ୍ୟଙ୍କ କୁମର, ଧୈର୍ଯ୍ୟ ବିର୍ଯ୍ୟ ମହୀତଳେ ନାହିଁ ପଟାନ୍ତର ।
ଗ‌ହନ ବିପିନେ ଯେହ୍ନେ ଅନଳ ଦୁର୍ବାର, ତେସନେ ପାଣ୍ଡବବଳ କଲା ନାରଖାର ।
ମସ୍ତକେ ଉଜ୍ଜ୍ୱଳ ଶୋହେ ସୁବର୍ଣ୍ଣ ମୁକୁଟ, ମେରୁ ମହୀଧରେ ଯେହ୍ନେ ଶୋହେ ହେମକୂଟ ।
ଗଜଧ୍ୱଜ-ରଥେ ବିଜେ ବୀରଚୂଡ଼ାମଣି, କୋଦଣ୍ଡ ଟଙ୍କାରେ ମୁହୁଃ କମ୍ପଇ ଅବନୀ ।
ଶ୍ରବଣେ କୁଣ୍ଡଳ ଦୋଳେ, ଶରଦେ ଯେମନ୍ତ, ପ୍ରାଚୀମୂଳେ ନିଶା ଅନ୍ତେ ତାରା ଦୀପ୍ତିମନ୍ତ ।
ଯେବେ ମହୋଦ‌ଧି-ଜଳେ ଦେହ ଅବଗାହି, ହସେ ପ୍ରାଚୀ-ଶିରେ ଧନୀ ଉଷାକୁ ଅନାଇ ।
ସଦ୍ୟ ସିନ୍ଧୁସ୍ନାନେ ତନୁ ଦ୍ୱିଗୁଣ ଝଟକେ, ଶିରୋମଣି ରୂପେ ରାଜେ ରଜନୀ-ଅଳକେ ।
ଦୈତ୍ୟଯୁଦ୍ଧେ ଚଣ୍ଡତେଜା ଶିଖଣ୍ଡି-ବାହକ, ନର୍ତ୍ତିତ-କିରୀଟ ଦେବ କାର୍ତ୍ତିକ ଯେସନ ।
କୌରବ-ଗୌରବ-ରବି ଦେବଙ୍କ ନନ୍ଦନ, କୁରୁଯୁଦ୍ଧେ ଧନୁର୍ଦ୍ଧର ଦୁର୍ଦ୍ଧର୍ଷ ଯେସନ ।
କର୍ଣ୍ଣ ଦେଖି କୁରୁବଳ କଲେ ସିଂହନାଦ, ଆତଙ୍କେ ପାଣ୍ଡବବଳ ଗଣିଲେ ପ୍ରମାଦ ।
କର୍ଣ୍ଣ ଦେଖି ଭୀମସେନ ହେଲେ ଅଗ୍ରସର, ବେଗେଣ ବିନ୍ଧଇ ବୀର ଖରଶାଣ ଶର ।
ଭୀମଙ୍କ ସ‌ହାୟ ହେଲେ ପାଣ୍ଡୁ ଯୋଦ୍ଧାଗଣ, ସ‌ହଦେବ, ଧୃଷ୍ଟଦ୍ୟୁମ୍ନ, ଦୃପଦ-ନନ୍ଦନ ।

 

ଶିଖଣ୍ଡି, ନ‌କୁଳ ଆସି ମିଳିଲେ ସତ୍ୱର, ସମସ୍ତଙ୍କୁ ନିବାରିଲା କର୍ଣ୍ଣ ଏକେଶ୍ୱର ।
ବେନି ଶରେ ନ‌କୁଳକୁ କଲା ଅଚେତନ, କଟାକ୍ଷେ ଛେଦିଲା ସ‌ହଦେବ ଶରାସନ ।
ଚାରି ବାଣେ ଧୃଷ୍ଟଦ୍ୟୁମ୍ନ ହୋଇଲେ ବିରଥ, ହେଳେ ସଂହାରିଲା ପାଣ୍ଡୁ-ସୈନ୍ୟ ଶତଶତ ।
ଏକଶରେ କାଟିଲା ଭୀମ ଧନୁର୍ଗୁଣ, ସୈନ୍ୟଭଙ୍ଗ ଦେଖି ଦୂରେ ଗର୍ଜିଲେ ଅର୍ଜୁନ ।
ସଂଶପ୍ତକ ରଣେ ରତ ପାର୍ଥ ଧନୁର୍ଦ୍ଧର, ଏଣେ ଆସିବାକୁ ତିଳେ ନାହିଁ ଅବସର ।
ସଂସପ୍ତକ-ସେନାପତି କୃପ ମହାଶୟ, ଯଝନ୍ତି ଅର୍ଜୁନ ସଙ୍ଗେ ନିର୍ଭୟ ହୃଦୟ ।
ମହାରୋଷେ ବିନ୍ଧେ ବାଣ ପାର୍ଥ ମହାଶୂର, ଶତ ଶତ ସଂଶପ୍ତକ ଗଲେ ପ୍ରେତପୁର ।
କୃପଙ୍କୁ ବିନ୍ଧିଲେ ବକ୍ଷେ ତୀକ୍ଷ୍‌ଣତର ଶରେ, ଶୋଣିତ ଉଗାରେ କୃପ ପଡ଼ି ରଥପରେ ।
କଟାକ୍ଷ ପୁଣ୍ଡରୀକାକ୍ଷ ନେଲେ କପିଧ୍ୱଜ, ଜୁଝଇ ଦୁର୍ଦ୍ଧର୍ଷ ତ‌ହିଁ ଭାସ୍କର-ଆତ୍ମଜ ।
କର୍ଣ୍ଣକୁ ଦେଖିଣ ଗର୍ଜେ ପାର୍ଥ ବୀରମଣି, ପକ୍ଷୀନ୍ଦ୍ର ଗରୁଡ଼ ଯେହ୍ନେ ଦେଖି ଭକ୍ଷ ଫଣୀ ।
କର୍ଣ୍ଣାର୍ଜୁନ-ମହାରଣ ନାହିଁ ପଟାନ୍ତର, ଅନ୍ତରୀକ୍ଷେ କୁତୂହଳେ ଦେଖନ୍ତି ଅମର ।
କଳିଙ୍ଗ ସଙ୍ଗତେ ଯୁଝେ ଦ୍ରୁପଦ କୁମର, ଉଭୟ ଯୁଝନ୍ତି ଯେହ୍ନେ ମତ୍ତ କରିବର ।
ଧୃଷ୍ଟଦ୍ୟୁମ୍ନ ବିଶିଖେ କଳିଙ୍ଗ ହେଲେ ନାଶ, ନିକାଶି ଦେବାକୁ ଗଲେ ସମନ ସକାଶ ।
ମହୋଦ‌ଧୀ ତୀରେ ରମ୍ୟ ପ୍ରାସାଦେ ସେ ଥିଲେ, ରଣ ନିମନ୍ତ୍ରଣ ରାଏ କୁକ୍ଷଣେ ଘେନିଲେ ।
ସିକ୍ଷୁ-ବାୟୁ-ବିଧୂନିତ ରମ୍ୟ ଉପବନ, ସୁରମ୍ୟ ରମଣୀ ଛାଡ଼ି କଲେ ଆଗମନ ।
ଆସିଥିଲେ ବୀରପଣ ଦେଖାଇବା ଆଶେ, କୁରୁକ୍ଷେତ୍ରେ ପଡ଼ିଲେ ସେ ଗୋମାୟୁ ଗରାସେ ।
କର୍ଣ୍ଣ ଏଡ଼ି କୃତବର୍ମା ସଙ୍ଗେ ଯୁଝେ ଭୀମ, ପ୍ରତାପେ ଅନନ୍ତ ସମ ରଣେ ଅପ୍ରତିମ ।
କୃତବର୍ମା ସ‌ହାୟ ହୋଇଲେ ଦୁର୍ଯ୍ୟୋଧନ, ଉଗ୍ରାୟୁଧ ଦୁଃଶାସନ ବୀର ବିରୋଚନ ।
ସମସ୍ତଙ୍କୁ ନିବାରଇ ଭୀମ ଅବ‌ହେଳେ, ମତ୍ତ ମତଙ୍ଗଜ ଯେହ୍ନେ ନଳବନେ ଖେଳେ ।
ଗଦାଘାତେ ଦୁର୍ଯ୍ୟୋଧନ ରଥ ହେଲା ଚୂର୍ଣ୍ଣ, ଶୋଣିତେ ସମର ସ୍ଥଳୀ ହେଲା ସେ ପିଶୁନ ।
ସାରଥି ସ‌ହିତେ କୃତବର୍ମା ରଥ ହୟ, ଉଗ୍ରାୟୁଧ ବିରୋଚନ ଗଲେ ଯମାଳୟ ।
ରଥୁଁ ଖସି ବେନି ଭାଇ ପଡ଼ିଲେ ଧରାରେ, ପୁଷ୍ପିତ ଶାଳ୍ମଳୀ ଯେହ୍ନେ ପଡ଼ଇ କାନ୍ତାରେ ।
ଚଡ଼ ଚଡ଼ ଉଡ଼େ ଯେବେ ପଡ଼ଇ ଚଡ଼କ, ଉପୁଜାଇ ବିଶ୍ୱବାସୀ ହୃଦୟେ ଦମକ ।
ପତନେ କବଚ ଗାତ୍ରେ ବାଜଇ ଝନ୍ ଝନ୍, ଇଷ୍ଟଦେବ ସ୍ମରି ଶୂରେ ମୁଦିଲେ ନୟନ ।
ବଡ଼ ପ୍ରିୟ ବେନି ଏହୁ ଥିଲେଟି ରାଜାର, ଦୁରନ୍ତ କୃତାନ୍ତ କିଛି ନ‌କଲା ବିଚାର ।
କୋମଳ ଶ‌ୟନେ ଦୁହେଁ ନିତ୍ୟ ଶୋଉଥିଲେ, କୁରୁକ୍ଷେତ୍ରେ ଏବେ ମହାନିଦ୍ରାକୁ ଭଜିଲେ ।
ଭ୍ରାତୃଶୋକେ ଦୁଃଶାସନ ନେତୃ ଜଳ ଝରେ, ମହାକ୍ରୋଧେ ଅଗ୍ରସର ହେଲେ ସେ ସମରେ ।
ଦେଖି କ୍ଷେତ୍ରେ କ୍ଷତ୍ରଗ୍ଳନି ଦୁଷ୍ଟ ଦୁଃଶାସନ, ବଜ୍ରନାଦେ ଗର୍ଜି ଭୀମ ଧାଇଁଲେ ତକ୍ଷଣ ।
ରୌଦ୍ରରୂପୀ ମହାବୀର ଧାଇଁଲେ ସରୋଷେ, ବାଜିଲେ ଉରୁରେ ଅସି ଗୁରୁ ଆସି କୋଷେ ।
‘ଏତେଦିନେ’ କ‌ହେ ଭୀମ ଗର୍ଜିଣ ନିର୍ଘାତେ, ଏତେଦିନେ ଆରେ ଦୁଷ୍ଟ ପଡ଼ିଲୁ ମୋ ହାତେ ।
କ୍ଷତ୍ରିକୁଳ-କୁଳାଙ୍ଗାର ଆରେ ରେ ନିର୍ବୋଧ, ପୂର୍ବ‌ଋଣ ଆଜି ରେ କରିବି ପରିଶୋଧ ।

 

ପ୍ରଚଣ୍ଡେ ଆୟସ ଗଦା ଆସ୍ଫାଳି ଭିଷଣେ, ଧାଏଁ ଭୀମ ଧକ ଧକେ ଅନଳ ଲୋଚନେ ।
ତ୍ରାସେ ଦୁଃଶାସନ ବୀର ବେଗେ କ୍ଷେପେ ଶର, ନିବାରେ ବୁଲାଇ ଗଦା ଭୀମ ଗଦାଧର ।
ତ୍ରସ୍ତେ ବ୍ୟସ୍ତେ ଦୁଃଶାସନ ଅନ୍ୟ ଅସ୍ତ୍ର ମାରେ, ସେହିରୂପେ ବୃକୋଦର ସେ ଅସ୍ତ୍ର ନିବାରେ ।
ଗଦାଘାତେ ଦୁଃଶାସନ ରଥ ଭୀମ ନାଶେ, ଲଜ୍ଜା ଏଡ଼ି ଦୁଃଶାସନ ପଳାନ୍ତି ତରାସେ ।
ଅନ୍ତରୀକ୍ଷେ କପୋତକୁ ଦେଖିଣ ସଞ୍ଚାଣ, ବଜ୍ରନଖ ଧାଏଁ ଯେହ୍ନେ ବିଜୁଳି ସମାନ ।
ଇତର ପକ୍ଷେ କରୁଥାନ୍ତି କୋଳାହଳ, ଏଣେତେଣେ ନିଜ ପ୍ରାଣ ଆତଙ୍କେ ବିକଳ ।
କପୋତ ସଞ୍ଚାଣ ମୁଖ ଏଡ଼ାଇବା ଆଶେ, ଆତଙ୍କେ ବିବିଧ ରଙ୍ଗେ ଉଡ଼ଇ ଆକାଶେ ।
କ୍ଷଣେ ଉଠେ, କ୍ଷଣେ ପଡ଼େ, କ୍ଷଣେ ଉଲଟଇ, କିଛି ଦୂରେ ଯାଇ ପୁଣି ଖରେ ଲେଉଟଇ ।
ଅନ୍ତରୀକ୍ଷେ ବ୍ୟଗ୍ର ନେତ୍ରେ ଆଶା ଲେଡୁଥାଏ, ଜୀବନ ବିକଳେ ମୁହୁଃ ସଞ୍ଚାଣକୁ ଚାହେଁ ।
ତେସନେ ପଳାଏ ରଣେ ଦୁଷ୍ଟ ଦୁଃଶାସନ, କ୍ଷଣେ ରହେ କ୍ଷଣେ ଧାଏଁ, ଭୟେ ଉଚ୍ଚାଟନ ।
ଆକୁଳେ କୌରବ ଦଳ କଲେ ହାହାକାର, ଧାଏଁ ଭୀମସେନ ବେଗେ ନକ୍ଷତ୍ର ଆକାର ।
କାଞ୍ଚନ-କିରୀଟ-ଚୂଡ଼ା ଦୋଳଇ ମସ୍ତକେ, କାଞ୍ଚନ କଞ୍ଚୁକ ଦେହେ ଉଜ୍ଜ୍ୱଳ ଝଟକେ।
କଟାକ୍ଷେ ଧରିଲା ଯାଇ ଦୁଃଶାସନ ବାଳ, ଗର୍ଜ୍ଜଇ ବିକ୍ରମେ ମୁଖ କରି ବିକଟାଳ ।
ଆତଙ୍କେ କମ୍ପଇ ମୁହୁଃ ଦୁଃଶାସନ ଅଙ୍ଗ, କେଶରୀ କବଳେ ଯେହ୍ନେ ପଡ଼ିଲା କୁରଙ୍ଗ ।
କହେ ଦୁଃଶାସନ ବୀର ବିନୟ ବଚନ, ”ଆହେ ବିରାମଣି ! ରଖ ରଖ ଏ ଜୀବନ !
ପଳାୟକ ମୁଁ ଅଟଇ ନିରସ୍ତ୍ର ଆବର, ବୀରଧର୍ମୀ ଅବିଦିତ ନୁହଇ ତୁମ୍ଭର ।
କ‌ହେ ଭୀମ ମହାବାହୁ ‘ଆରେ ରେ ପାମାର’ମ ବିପଦେ ପଡ଼ିଣ ଏବେ ଧର୍ମକୁ ସୁମର ।
କାହିଁ ଥିଲା ଧର୍ମରେ କପଟପାଶା ବେଳେ, କୃଷ୍ଣାକୁ ବିବସ୍ତ୍ର ଯେବେ କଲୁ ଅବ‌ହେଳେ ।
ଅଧର୍ମୀ ସ‌ହିତେ ଧର୍ମ ନୁହେଁ ପାଳିବାର, କପଟି ସ‌ହିତେ ଯୁକ୍ତ କପଟ ବେଭାର ।
ମୃଗ ସଙ୍ଗେ ଯେଉଁ ଧର୍ମ ଆଗରେ ଶାର୍ଦ୍ଦୁଳ, ଭେକ ସଙ୍ଗେ ଭୁଜଙ୍ଗମ, ଭୁଜଙ୍ଗେ ନ‌କୁଳ ।
କରୀ ସଙ୍ଗେ ଯେଉଁ ଧର୍ମ ଆଚରେ କେଶରୀ, ଶତୃ ସଙ୍ଗେ ଶତୃ ପଣେ ସେହି ଧର୍ମ ଧରି ।
ନୁହଇ ମୁଁ କାପୁରୁଶ, ଅସ୍ତ୍ର ନ ଧରିବି, ବିନା ଅସ୍ତ୍ରେ ପାମର ତୋ ପରାଣ ହରିବି ।
ବାନ୍ଧ ତୁ ସାହସ ହୃଦେ ଆରେ ଦୁରାଶୟ, ଏକାଳେ ସାହସ ତୋର ଲୋଡ଼ା ଅତିଶୟ ।
ଏହା ବୋଲି ଗଦା ଫିଙ୍ଗିଦେଲା ବୃକୋଦର, ନିରାଶେ ସାହସ ଦୁଃଶା ବାନ୍ଧିଲା ମନର ।
ମହାବଳେ ଭୀମକୁ ସେ ଧଇଲା ଆକଟି, ବିନି ଭୁଜେ ଭିଡ଼ି ଧରେ ବୃକୋଦର କଟି ।
ପଡ଼ିଲେ ଭୁତଳେ ଭୀମ ଗର୍ଜି ଭୀମନାଦେ, ମାଡ଼ିବସି ଦୁଃଶାସନ ବୈରୀଶୋଧସାଧେ ।
ନିର୍ଘାତେ ପ୍ରହାରେ ମୁଷ୍ଟି ଭୀମଙ୍କ ମସ୍ତକେ, କୁରୁବଳ ସାଧୁବାଦ ହେଲେ ସେ ପୁଲକେ ।
ଭୟେ ପାଣ୍ଡୁବଳେ ପଡ଼ିଗଲା ହାହାକାର, ଆକୁଳେ ନ‌କୁଳ ନେତ୍ରୁ ବରଷେ ଅସାର ।
ଆକୁଳେ ଅର୍ଜୁନ ନେତ୍ରୁ ଝରେ ଅଶ୍ରୁଜଳ, ବିକଳେ ପାଣ୍ଡବବଳ କାନ୍ଦିଲେ ସକଳ ।
ଶ୍ରୀଭୁଜେ ବାନର ଧ୍ୱଜେ ପୋଛି ଅଶ୍ରୁନୀର, କାନ୍ଦନ୍ତି ନୀରବେ ବସି ପ୍ରଭୁ ଯଦୁବୀର ।
ଯେସନେ ବରଷାଗମେ ମାନସରୋବର, ଅସଂଖ୍ୟ ମରଳ ରବେ ହୁଅଇ ମୁଖର ।
ତେସନେ ମୁଖରି କ୍ଷେତ୍ରେ ଦୁଃଖ-କଳରବେ, ସୋଦର ବିପଦ ଦେଖି କାନ୍ଦିଲେ ପାଣ୍ଡବେ ।

 

ମହାବୀର ସ‌ହଦେବ ବଦନ ସ‌ହାସ, ବିଷ୍ମୟେ ପୁଛନ୍ତି ତାଙ୍କୁ ପ୍ରଭୁ ଶ୍ରୀନିବାସ ।
“କ‌ହ ବୀର କିମ୍ପା ତୋର ହରଷ ବଦନ, ଅଗ୍ରଜ ବିପଦେ ହର୍ଷ ନୁହଇ ଶୋଭନ ।”
ଶୁଣି ବାସୁଦେବ ବାଣୀ କ‌ହେ ମାଦ୍ରୀସୁତ, “କାହିଁ କି କାତର ଏଡ଼େ ହେଉ ତୁ ଅଚ୍ୟୁତ ।
କି ଅବା ନ ଜାଣୁ ନାତ ଜଗତର ସ୍ୱାମୀ, ଜାଣୁ ଜାଣୁ କାନ୍ଦୁ ନାଥ ଅଟୁ ଅନ୍ତର୍ଯ୍ୟାମୀ ।
ବାଲ୍ୟେ ଲଭିଥିଲେ ଭୀମ ଶତଶୃଙ୍ଗ ଶାପ, ତ‌ହୁଁ ଆଦ୍ୟ ରଣେ ପାଉଛନ୍ତି ମନସ୍ତାପ ।
ତୁ ନାଥ ଭୀମକୁ ବେଗେ କରାଅ ଚେତନ, ଶତଶୃଙ୍ଗ ଗିରିଙ୍କୁ ସେ କରନ୍ତୁ ସ୍ମରଣ ।
କାହିଁ ଭୀମ ରଣସିଂହ, କାହିଁ ଦୁଃଶାସନ, ଶାପ ଯୋଗୁ ଉପୁଜିଲା ଦୁର୍ଗତ ଏସନ ।
ପଞ୍ଚଜନ୍ୟ ଶଙ୍ଖନାଦ କଲେ ନାରାୟଣ, ନିଜ ତେଜ ଭୀମକୁ ସେ ଦେଲେ ସେହକ୍ଷଣ ।
‘ଶତଶୃଙ୍ଗ’ ‘ଶତଶୃଙ୍ଗ’ ଘୋଷେ ଶଙ୍ଖବର, ପଶିଲା ଶବଦ ଯାଇ ଭୀମଙ୍କ କର୍ଣ୍ଣର ।
ଚେତନା ଲଭିଣ ବୀର କଟାକ୍ଷେ ଉଠିଲା, ଲେଉଟାଇ ଦୁଃଶାକୁ ସେ ମାଡ଼ିଣ ବସିଲା ।
ରଣରଙ୍ଗେ ସିଂହସମ ଅଟେ ବାୟୁସୁତ ମହାବୀର୍ଯ୍ୟବନ୍ତ ସେହୁ ବିକ୍ରମେ ଅଦ୍ଭୁତ ।
ମହାବିଷ୍ଣୁ ତେଜେ ବୀର ତେଜସ୍ୱୀ ଆବର, ହେଲା ସେ ବିରାଟ ମୂର୍ତ୍ତି ମହାଭୟଙ୍କର ।
ମହାଶବ୍‌ଦେ ଭୁତଳେ ପଡ଼ିଲା ଦୁଃଶାସନ, ବଜ୍ରଘାତେ ଶାଳତରୁ ପଡ଼ଇ ଯେସନ ।
ବିନ୍ଧ୍ୟାଚଳ-ତୁଙ୍ଗ-ଶୃଙ୍ଗେ, କୁରୁପାଣ୍ଡୁ ବଳ, ଆତଙ୍କେ ଅବଶ ଚକ୍ଷୁ ବୁଜିଲେ ସକଳ ।
ପର୍ବତ ଆକାରେ ପଡ଼ିଅଛି ଦୁଃଶାସନ, ବସିଅଛି ତା ଉପରେ ପବନ ନ‌ନ୍ଦନ ।
ଭୟଙ୍କର ହୁଙ୍କାରେ ଅଧରେ ଦନ୍ତ ଚାପି, ରେରେକାର କରିଣ ଗର୍ଜଇ କାଳରୂପୀ ।
ଗ‌ଗନ ମାର୍ଗକୁ ତୋଳୁଅଛି ବଜ୍ରମୁଷ୍ଟି, କି ଅବା ମଧରଗିରି ପଡ଼ୁଅଛି ତୁଟି ।
କାଳ ଚକ୍ର ପ୍ରାୟେକ ବୁଲାଇ ବେନି ଡୋଳା, ଚରଣେ ଚାପଇ ଭୀମ ଦୁଃଶାସନ ଗଳା ।
“ଆରେ ଆରେ ଦୁଃଶାସନ, ଦୁରନ୍ତ କୌରବ, ଏବେ ତୋ ଗରବ ରଣେ ହେଲା ପରାଭବ ।
ଶତ ପୁତ୍ରା ଜାତକଲା ତୋହର ଜନନୀ, ସମସ୍ତେ ମୋ ଅସ୍ତ୍ରାଘାତେ ଶୋଇବେ ଅବନୀ ।
ଧାତାର ଲେଖନ ଏହୁ କେ କରିବ ଆନ, ଆରେ ଦୁଷ୍ଟ !ଆଜି ତୋର ନାହିଁ ପରିତ୍ରାଣ ।
କାଲିରେ ସମରେ ପଳାଇଲୁ ମୋ ଆଗରୁ ଆଜିରେ ପାଇଲି ଭେଟ ଦଇବ ଯୋଗରୁ ।
ଆରେ ମୂର୍ଖ ଆଜି ତୋତେ କରିଣ ସଂହାର, କରିବି ଦ୍ରୌପଦୀ-ଚିର-ଦୁଃଖ ଆଜି ପାର ।
ଆରେ ଦୁଷ୍ଟ କେ ରଖିବ ଆଜି ରବି ତଳେ, ଦୁରନ୍ତ ପଡ଼ିଲୁ ନିଶ୍ଚେ କୃତାନ୍ତ କବଳେ ।”
ତରଟି ଚାହିଁଲା ଭୀମ ବିରାଟ ମୂରତି, ତରାଟି ଚାହିଁଲା ରୋଷେ ଅନ୍ତରୀକ୍ଷ ପ୍ରତି ।
ଗର୍ଜିଣ କ‌ହିଲା, “ଆହେ ଆହେ ଶୁରଗଣ ! ଆହେ ସୁରନାଥ ଇନ୍ଦ୍ର, ଶୈଳ ବିଦାରଣ !
ପବନ, ତପନ, ଯମ, ବ୍ରହ୍ମା ଆଦିକରି, ମିଳି ଏ ସମରେ ଆସି କରେ ଶସ୍ତ୍ର ଧରି ।
ଆସ କେ ରଖିବ ରଖ କୌରବ ପାମର, ଆସ ଆସ ବେଗ କରି ବିଳମ୍ବ ନ କର ।
ଭୀମର ଭୀଷଣ ବାଣୀ ଶୁଣି ସୁରଗଣେ, ତ୍ରାସିଲେ ଦାନବ ତ୍ରାସ ବାସବ ଆପଣେ ।
ଥର ଥର କମ୍ପିଲା ସୁବର୍ଣ୍ଣ ନିକେତନ, ମଣିଚୂଡ଼ ଥରହର କମ୍ପିଲା ଆସନ ।
ମହାପ୍ରଳୟର ଯେସନ ପ୍ରଭୁ ଦିଗମ୍ବର, ଭୀଷଣ ବିଷାଣ ନାଦେ କମ୍ପେ ଥରଥର ।
ତିନିପୁର ଭୀମସେନ ଭୟଙ୍କର ନାଦ, ଶୁଣି ମରାମର ଜୀବ ଗଣିଲେ ପ୍ରମାଦ ।

 

ମହାଭୟେ ପାଣ୍ଡୁ ଗଣ୍ଡ ହେଲେ ଆଖଣ୍ଡଳ, ମହାଭୟେ ପାଣ୍ଡୁ ଗଣ୍ଡ ହେଲେ ଦେବଦଳ ।
କେହି ଅଗ୍ରସର ଯେହୁଁ ନ ହେଲେ ତରାସେ, ଦୁଃଶାସନେ ଚାହିଁ ଭୀମ କ‌ହିଲେ ସ‌ହାସେ ।
ସେ ବିକଟ ହାସ୍ୟ ଦେଖି ଡରିଲା ସଂସାର, ଗର୍ଜିଣ କ‌ହନ୍ତି ଭୀମ, “ଆରେ କୁଳାଙ୍ଗାର ! ।
ଆରେ ଦୁଃଶାସନ କେହି ରଖି ନ ପାରିଲେ”, ପାତାଳ ପୁରକୁ ଭୀମ ପୁଣି ସେ ଚାହିଁଲେ ।
ଆହେ ନାଗଲୋକ ହେ ଅନନ୍ତ ଧରାଧର, ଧରଣୀ ଧାରଣ ତୁମେ କର ମସ୍ତକର ।
ସପ୍ତଲୋକେ ଶ୍ରେଷ୍ଠ ଅଟ ତୁମ୍ଭେ ନାଗେଶ୍ୱର, ପାରିଲେ ରଖ ହେ ଆସି କୌରବ ପାମର ।
କାମରୂପେ ବୃକୋଦର ଚାହାନ୍ତେ କରାଳ, ଥର ଥର କମ୍ପିଲା ସେ ସପତ ପାତାଳ ।
ନାଗଲୋକେ ତ୍ରାସିଲେ ଭୀମର ମୂର୍ତ୍ତି ଚାହିଁ, ଆତଙ୍କେ ଅସ୍ଥିର ହେଲେ ନାଗଲୋକ ସାଇଁ ।
କେହି ନ ଆସିଲେ ଯହୁଁ ଭୀମଙ୍କର କରି, ସରୋଷେ ଚାହିଁଲେ ଭୀମ କୁରୁଥାଟ ପ୍ରତି ।
କୁରୁବଳ ପାଣ୍ଡୁବଳ ହେଲେ ସ୍ତମ୍ଭୀଭୁତ, ଗମ୍ଭୀର ଅମ୍ବରେ ଯେହ୍ନେ ହୁଙ୍କାରେ ଜୀମୁତ ।
ଗର୍ଜିଣ କ‌ହଇ ଭୀମ ଭୀମ‌ପରାକ୍ରମ, କୌରବ ସଂହାରେ ଯେହ୍ନେ କାଳାନ୍ତକ ଯମ ।
ଦୁଇ ଦଳ ଅନାଇ ସେ ରହିଲେ ସ୍ତମ୍ଭିତେ, ଭୈରବ ହୁଙ୍କାରେ ଭୟ ଉପୁଜିଲା ଚିତ୍ତେ ।
“ଆରେ ଦୁର୍ଯ୍ୟୋଧନ, ଆରେ କୁରୁ-ଦୁରାଚାର, ଆରେ କର୍ଣ୍ଣ ଅବିନୟ-ତରୀ-କର୍ଣ୍ଣଧାର ।
ଆହେ କୁରୁ ସେନାପତି ମହାଧନୁର୍ଦ୍ଧର, ହେ ସୌବଳ ଦ୍ୟୁତଜୟୀ, ହେ ଦ୍ରୋଣକୁମର ।
ଆହେ ମହାବୀର, ଏହା କେମନ୍ତ ସ‌ହିବ, ତୁମ୍ଭେ ଥାଉଁ ଥାଉଁ ଦୁଃଶାସନ ନାଶ‌ଯିବ !
ବଡ଼ ପ୍ରିୟ ଦୁଃଶାସନ ଅଟଇ ତୁମ୍ଭର, ଆସ ରକ୍ଷା କର ବେଗେ ପ୍ରିୟ ସ‌ହୋଦର ।
ସମ୍ପଦ କାଳକୁ ସଖା ସମସ୍ତେ ତ ଥିଲ, ବିପଦ କାଳରେ କେହି କତି ନ ପଶିଲ ।”
ପୁଣି କୁରୁଯୋଦ୍ଧାଙ୍କୁ ସମ୍ବୋଧି ବୃକୋଦର, ସବର୍ପେ କ‌ହଇ, “ଆହେ ଆହେ ଅସ୍ତ୍ରଧର ।
ଶୂରେ !ଭଲା ଆସି ରଖ ଦୁଃଶାସନ ଜୀବ, ଏତେ ସଖା ଥାଉ ଦୁଃଶାସନ ନାଶ ଯିବ ।
କୁରୁ ନୃପତିର ଧନ ଭଣ୍ଡାର ଖାଇଲ, ବିପଦ କାଳକୁ ଦେହି ସାହା ନହୋଇଲ ।
କେହି ନ ଆସିଲେ ଯହୁଁ ଗର୍ଜି ବୃକୋଦର, ଦୁଃଶାସନ ମୁଖ ଚାହିଁ କ‌ହିଲେ ବର୍ବର,
ଆରେ ତେ ଦୁରନ୍ତ, କେହି ନ ଆସିଲେ କତି, ଯାର ଆଜ୍ଞା ବଳେ ଯାଜ୍ଞସେନୀଙ୍କ ଦୁର୍ଗତି ।
କଲୁ ଦୁଷ୍ଟ ! ନୋହିଲା ସେ ଏତେବେଳେ ସାହା, ରଖି ନପାରିଲା ତୋର ଶିର କୁରୁନାହା ।”
ପୁଣି ସେ ଚାହିଁଲା ବୀର ନିଜ ଥାଟ ପ୍ରତି, “ଆସି ସାହା ହୁଅ ଯାର ଅଛଇ ଶକତି ।
କେହି ଆସ, ବେଗେ ଆସ ରଖ ଦୁଃଶାସନ, ଦେଖାଅ ଯାହାର ଯେତେ ଅଛି ବୀରପଣ ।
‘ହେ କିରଟି ! ଧର ତୁମ୍ଭ କୋଦଣ୍ଡ ଗାଣ୍ଡିବ, ପାରିଲେ ରଖ ହେ ବୀର ଦୁଃଶାସନ ଜୀବ ।
ତ୍ରିଭୁବନେ ମହାବୀର ବୋଲାଉ ଅର୍ଜୁନ, ଅଛି ତୋର ଅକ୍ଷୟ ସେ ଶରପୂର୍ଣ୍ଣତୂଣ ।
ଧ୍ୱଜେ ବିରାଜଇ ତୋର ବୀର ହନୁମାନ, ସାରଥି ଅଟନ୍ତି ତୋର ପ୍ରଭୁ ଭଗବାନ ।
ପାଶୁପତ ଅସ୍ତ୍ର ସିଦ୍ଧ ଅଟଇ ତୋହର, ତୁ ପାରିଲେ ରଖ ବୀର ! କୌରବ ପାମର ।
ହେ ମୁରାରି ! ସୁଦର୍ଶନ‌ଧାରୀ ଯଦୁବୀର, ତୁ ପାରିଲେ ରଖ ଦୁଃଷ୍ଟ ଦୁଃଶାସନ ଶିର ।
ନିଜ ନିନ୍ଦା ଶୁଣି ପାର୍ଥ ଥିଲେ ନିରୁତ୍ତର, ବାସୁଦେବ ନିନ୍ଦା ଶୁଣି ରୁଷିଲେ ଆବର ।
ବିଜୟ ଗାଣ୍ଡୀବେ ବୀର ଖଞ୍ଜିଲେ ସାୟକ, ଧରିଲେ କିରୀଟି-କର ରୁକ୍ମିଣୀ ନାୟକ ।

 

Odia Poetry Radhanath Ray Odia Poetry
Share. Facebook Twitter Pinterest LinkedIn Tumblr Reddit Email
Previous Articleପାର୍ବତୀ
Next Article ତିନିବନ୍ଧୁ
ରାଧାନାଥ ରାୟ

Related Posts

କ୍ଷ ଚମ୍ପୂ

February 26, 2020

ହ ଚମ୍ପୂ

February 26, 2020

ଷ ଚମ୍ପୂ

February 26, 2020

ସ ଚମ୍ପୂ

February 26, 2020

ଶ ଚମ୍ପୂ

February 26, 2020

ବ ଚମ୍ପୂ

February 26, 2020
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.