ଆପଣ ପଞ୍ଚଷଠି ବର୍ଷ ବୟସର ଯୁବକ କେବେ ଦେଖିଛନ୍ତି? ବୁଢ଼ା ହେଲେ ବି ସେ ବେକାର ନୁହନ୍ତି । ବୟସ ବେଶୀ ହୋଇଥିଲେ ବି ଯୌବନର ଆଗ୍ରହ ଉତ୍ସାହ ଖସି ନାହିଁ। ହସି ହସି ସେ କାମ କରିଯାଆନ୍ତି। ତାଙ୍କର ଏଗାରଟି ପିଲା। ୧୧୦ ବିଘା ଜମି । ତାଙ୍କ କ୍ଷେତରେ ଦୁଇଟି କଳ ଲଙ୍ଗଳ କାମ କରେ। ତାଙ୍କର ଜାତିଆ ଗୋରୁଗାଈଙ୍କ ସଂଖ୍ୟା ତିରିଶରୁ କମ୍ ନୁହେଁ। କ୍ଷେତରେ ସେ ପ୍ରାୟ ଏକ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି। କିନ୍ତୁ ସେ କେଉଁ ପରି ଘରେ ରହନ୍ତି ଜାଣିଛନ୍ତି? ଛୋଟଘର। ଚାଳ ଛପର। ବାଉଁଶ ତିଆରି କାନ୍ଥ। କଷ୍ଟେ ମଷ୍ଟେ ଏତେ ବଡ଼ ପରିବାରଟି ସେଥିର ଚଳିଯା’ନ୍ତି। ଅବଶ୍ୟ ଘରଟି ଦେଖିବାକୁ ସଫା ସୁତୁରା। ଆପଣ ନିଶ୍ଚୟ ଭାବୁଥିବେ ଲୋକଟା ନିପଟ ଲୋଭୀ। ନ ହେଲେ ଏତେ ଧନ ସମ୍ପତ୍ତିର ମାଲିକ ହୋଇ ଏମିତି ଘରେ ଚଳନ୍ତେ କିପରି ? ଏପରି କେତେ କଥା ଆପଣଙ୍କ ମନରେ ଖେଳି ଯିବ | ତେଣୁ ତାଙ୍କର ପରିଚୟଟା ଆପଣଙ୍କୁ ଦେବା ନିତାନ୍ତ ଦରକାର | ଆପଣ ସତେ ତାଙ୍କ ବିଷୟରେ କେତେ ଭୁଲ ଧାରଣା କରି ଦେଉଛନ୍ତି |
ତାଙ୍କ ନାମ ଯତୀନ୍ଦ୍ର ନାଥ ଘୋଷ ତାଙ୍କର ଗାଁ ନାଁ ମାଣିକତୋଳା କଲିକତାଠାରୁ ପ୍ରାୟ ୨୦ମାଇଲ୍ ଦୂର ଏମିତି ଅସୁବିଧା ଭିତରେ କାହିଁକି ଚଳୁଛନ୍ତି ବୋଲି ପଚାରିଲେ ସେ ହସି ହସି ଉତ୍ତର ଦିଅନ୍ତି “ଯେତେ ବେଳଯାଏ ମୁଁ ଏଠାରେ ଗୋଟିଏ ଆଦର୍ଶ କ୍ଷେତ ଆଉ ଖୁଆଡେ ଭଲ ଗାଈ ରଖିନାହିଁ. ସେଯା ମୋର ସୁଖଶାନ୍ତିକୁ କିଏ ପଚାରେ ?” ତାଙ୍କ ସ୍ତ୍ରୀ ମଧ୍ୟ ବଡ ପରିଶ୍ରମୀ ସେ ସ୍ୱାମୀଙ୍କ କଥାରେ ମୁଣ୍ଡ ଟୁଙ୍ଗାରି ଦିଅନ୍ତି ଉଭୟଙ୍କର ଟାଣ ମନବଳ ଦେଖିଲେ ଯେ କୌଣସି ଲୋକ ଅବାକ୍ ହେବ ତାଙ୍କର ମଫସଲି ଚାଲିଚଳନ ଆଉ ଗାଉଁଲି ପୋଷାକ ଦେଖିଲେ କିଏ ଭାବିବ ଯେ ସେ ବି.ଏସସି. ପର୍ଯ୍ୟନ୍ତ କଲେଜରେ ପାଠ ପଢିଛନ୍ତି ! ତାଙ୍କ କଲେଜ୍ ପଢା ପୁଣି ୧୯୨୫ମସିହାର କଥା ! ପୂର୍ବ ପାକିସ୍ଥାନର ଖୁଲନା ସହର ତାଙ୍କର ଜନ୍ମସ୍ଥାନ ସେଇଠି ସେ ଜଣେ ନାମଜାଦା କଣ୍ଟ୍ରାକ୍ଟର ଥିଲେ ୧୯୫୦ମସିହାରେ ପଶ୍ଚିମ ବଙ୍ଗଳାକୁ ତାଙ୍କର ବଡଭାଇ ସହିତ ଚାଲି ଆସିଥିଲେ ଏଠାରେ ସେ ୧୪୦ ବିଘା ଜମି କିଣିଲେ ସେଥିରୁ ୪୦ ବିଘା ଖାଲି ସନ୍ତସନ୍ତିଆ ଖାଲ ଜାଗା ଜମିର ଅବସ୍ଥା ଦେଖି ସେ ବିଚାର କଲେ ଯେ ମାଛଚାଷ କରିବା. କୁକୁଡା ପାଳିବା, ଗାଈଗୋରୁ ରଖିବାପାଇଁ ଆଉ ଚାଷବାସ କରିବା ପାଇଁ ସୁବିଧା ହେବ। ଏହା ଖାଲି ତାଙ୍କରି ମିଛ କଳ୍ପନା ନ ଥିଲା। ଅଳ୍ପ ଦିନ ଭିତରେ ଏହି ଚିନ୍ତା ହେଲା ତାଙ୍କର ବାସ୍ତବ ସତ୍ଯ। ଅବଶ୍ଯ ସେ ଏ ସବୁ କାମରେ ସମାନ ଭାବରେ ସଫଳତା ଲାଭ କରି ନଥିଲା।
ସେ ସନ୍ତସନ୍ତିଆ ଖାଲ ଜାଗାରେ ତିନୋଟି ପୋଖରୀ ଖୋଳାଇ ଥିଲେ ଏହି ପୋଖରୀରେ ମାଛ ଚାଷ ହେଲା ଏହା ହେଲା ତାଙ୍କ ରୋଜଗାରର ପହିଲି ଉପାୟ ସେ ପ୍ରାୟ ଆଠ ହଜାର କିଲୋଗ୍ରାମ୍ ମାଛ ବିକିଥାନ୍ତି ସବୁ ଖର୍ଚ୍ଚ ପାଇ ସେ ଦଶହଜାର ଟଙ୍କା ନୋଟ୍ ଆୟ କରନ୍ତି ୧୯୬୨ରେ ସେ ୩୦ଟି ଗାଈ ରଖିଥିଲେ ସେଥିରୁ ୧୯ଟି ହେଲେ ଦୁହାଁଳିଆ ଗାଈ ତାଙ୍କର ଗାଈ ରଖିବାରେ ଆଗରୁ ଭଲ ଅଭିଜ୍ଞତା ଥିଲା ସେ ଜାଣିଛନ୍ତି ଯେ ଅଂଶ ରଜ୍ଯରୁ ଭଲ ଦୁଧ ଦେଉଥିବା ଗାଈଗୁଡିଏ କିଣି କିଛି ଲାଭ ହୁଏ ନାହିଁ। ଫଲରେ ସେମାନେ ଝଡିଯା’ନ୍ତି ଆଉ କ୍ଷୀର ଛାଡ଼ି ଦିଅନ୍ତି । ଶେଷରେ ସେମାନଙ୍କୁ କଂସେଇକୁ ବିକିବା ସାର ହୁଏ ।
ତେଣୁ କ’ଣ କଲେ ଭଲ ହେବ ପଚାରିଲେ ସେ କହନ୍ତି – ମୋର ଦୃଢ଼ ଧାରଣା ଯେ ଯଦି କେହି ଭଲ ଗୋରୁ ଗାଈ ରଖି ଲାଭବାନ ହେବାକୁ ଇଚ୍ଛା କରିବ, ସେ ଅନ୍ୟ ଭଲ ଜାତିଆ ଦେଶୀ ଗାଈ କିଛି ରଖିବେ । ସରକାରୀ ଗାଈ ଫାର୍ମରୁ କେତୋଟି ଜାତିଆ ଦେଶୀ ଗାଈ ବା ଛଡ଼ା କିଣିଲେ ଭଲ । ସେମାନେ ବଢ଼ିଗଲେ ହରିଆନା ଷଣ୍ଢ ଲଗାଇ କିମ୍ବା ଇଞ୍ଜେକ୍ସନ ଦେଇ ସେମାନଙ୍କଠାରୁ ଭଲ ବାଛୁରୀ ମିଳି ପାରିବ । ସେମାନଙ୍କୁ ନେଇ ଭଲ ଖୁଆଡ଼େ ଗାଈ କରିହେବ । ସେମାନଙ୍କଠାରୁ ବହୁତ କ୍ଷୀର ମଧ୍ୟ ମିଳିବ । ଏ ଭଳି ଦୋମିଶା ଗାଈ ଦିନକୁ ପ୍ରାୟ ୨୦।୩୦ ଲିଟର କ୍ଷୀର ଦେବେ । ଯତୀନ୍ଦ୍ର ନାଥ ହିସାବ କରି ଦେଖିଛନ୍ତି ଯେ ଦଶମାସ ଧରି କ୍ଷୀର ଦେଲେ ଗୋଟିଏ ଗାଈଠାରୁ ପ୍ରାୟ ତିନିହଜାର ଟଙ୍କା ମିଳିବ । ଗାଈଗୁଡ଼ିକର ଭଲ ଯତ୍ନ ନେଲେ ସେମାନଙ୍କୁ ଉପଯୁକ୍ତ ଭାବରେ ଖାଦ୍ୟ ପାନୀୟ ଯୋଗାଇଲେ ସ୍ୱାସ୍ଥ୍ୟକର ସ୍ଥାନରେ ରଖିଲେ ଆଉ ବେମାରରେ ପଡ଼ିଲେ ସେମାନଙ୍କର ଚିକିତ୍ସା କଲେ ଆମେ ନିଶ୍ଚୟ ଲାଭବାନ ହେବା । ମୁଁ ଏଇପରି ୧୦୦ଟି ଜାତିଆ ଗାଈ ରଖିବାକୁ ପ୍ରସ୍ତାବ କରିଛି ।
ଯତୀନ୍ଦ୍ରନାଥ ଜଣେ ପ୍ରକୃତ ଚାଷୀ । ଜମିକୁ ଚାହିଁ ସେ ଯାହା ଚାଷ କରିବା ଠିକ୍ ତାହା କରିଥାନ୍ତି । ପ୍ରଥମେ ସେ ତାଙ୍କ ଗୋରୁଙ୍କ ଖାଦ୍ୟ ପାଇଁ ଯାହା ଦରକାର ତାହା କରୁଥିଲେ ।
ଏବେ ସେ ଧାନ, ଗହମ, ପନିପରିବା ଆଦି ଫସଲ କଲେଣି । ଜାପାନୀ ପ୍ରଣାଳୀରେ ଧାନଚାଷଠାରୁ ଆରମ୍ଭ କରି ଆଜିକାଲିକା ତାଇରୁଙ୍ଗ ଧାନ ଚାଷ ଯାଏ ସବୁରକମ କରନ୍ତି । ଯେତେ ପ୍ରକାର ସାର ଅଛି ସେ ନିଜ କ୍ଷେତରେ ପ୍ରୟୋଗ କରନ୍ତି । ତାଙ୍କର ନିଜର ମଞ୍ଜି ବୁଣିବା, କୀଟାଣୁନାଶକ ଔଷଧ ବିଞ୍ଚିବା, ହଳ କରିବା ପ୍ରଭୃତି ପ୍ରାୟ ପ୍ରତ୍ୟେକ କାମ ପାଇଁ ଯନ୍ତ୍ରପାତି, କଳସବୁ ରଖିଛନ୍ତି । ତାଙ୍କ କ୍ଷେତରେ ସେ ଏଗାର ପ୍ରକାର ନୂଆ ଢ଼ଙ୍ଗରେ ଚାଷ କରିବାର ପରୀକ୍ଷା ଓ ପ୍ରୟୋଗ କରିଛନ୍ତି ।
ଯତୀନ୍ଦ୍ରନାଥ କହନ୍ତି ଯେ, ସରକାର ଛୋଟ ଛୋଟ ଚାଷୀମାନଙ୍କୁ ଏସବୁ ପ୍ରକାର ଜିନିଷ ଶସ୍ତା ଓ ସୁବିଧାରେ ଯୋଗାଇ ଦେବା ଦରକାର । ତା ସଙ୍ଗେ ସଙ୍ଗେ ସେମାନଙ୍କୁ ଏଥିପାଇଁ ଆର୍ଥିକ ସାହାଯ୍ୟ ଓ ଋଣ ଦେବା ଉଚିତ । ବର୍ତ୍ତମାନ ଏହା ଯେପରି ହେଉଛି ତାହା ସନ୍ତୋଷଜନକ ନୁହେଁ । ମରୁଭୂମିରେ ବର୍ଷା ହେଲେ ଯେମିତି ତାର କିଛି ମୂଲ୍ୟ ରହେ ନାହିଁ, ସେମିତି ଏହା ହେଉଛି । ସେଥିପାଇଁ ଚାଷୀର ପ୍ରକୃତ ଆବଶ୍ୟକତା ଓ କାର୍ଯ୍ୟ ଦକ୍ଷତା ଦେଖି ସରକାର ଏ ସବୁ ସାହାଯ୍ୟ ଓ ଋଣ ଆଦି ଦେବା ଉଚିତ । ଯତୀନ୍ଦ୍ର ନାଥ ସେଇ ଅଞ୍ଚଳରେ ଜଣେ ସଂପ୍ରସାରଣ କର୍ମୀ ଭାବରେ ସମସ୍ତଙ୍କୁ ସାହାଯ୍ୟ ଓ ପରାମର୍ଶ ଦିଅନ୍ତି । ଏଦିଗରେ ତେଣୁ ତାଙ୍କର ଅନୁଭୂତି ଅଛି ଆଉ ଆନ୍ତରିକତା ଅଛି । ବର୍ତ୍ତମାନ ଦେଶର ଖାଦ୍ୟ ଅଭାବ ଦୂର କରିବା ପାଇଁ ତାଙ୍କ ବ୍ୟାକୁଳତାର ସୀମା ନାହିଁ । ସେ କହନ୍ତି, ଦେଶର ଶିକ୍ଷିତ ଯୁବକମାନଙ୍କୁ ଚାଷ ପ୍ରତି ଆକୃଷ୍ଟ ନକଲେ ଚଳିବ ନାହିଁ । ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ଓ ଉତ୍ସାହ ଦେଇ ସରକାର ଯେତେଶୀଘ୍ର ଜାତିର ଯୁବକମାନଙ୍କୁ ବୈଜ୍ଞାନିକ ପ୍ରଣାଳୀରେ ଚାଷ କରିବାରେ ଅଭ୍ୟସ୍ତ ଓ ଆଗ୍ରହୀ ନକରିଛନ୍ତି, ସେପର୍ଯ୍ୟନ୍ତ ଦେଶର ମୁକ୍ତି ନାହିଁ କି ଶାନ୍ତି ନାହିଁ । ଏହା କେଡ଼େ ନିରାଟ ସତକଥା !
ଉଚ୍ଚ ଶିକ୍ଷିତ ହୋଇ ସେ କେବଳ ନିଜେ ମାଟିର ମଣିଷ ହୋଇ ନାହାନ୍ତି ନିଜର ପିଲାମାନଙ୍କୁ ମଧ୍ୟ ସେମିତି ଗଢ଼ି ପାରିଛନ୍ତି । ତାଙ୍କର ଚାରୋଟି ପୁଅଙ୍କ ମଧ୍ୟରୁ ବଡ଼ ଜଣଙ୍କ ପଶୁବିଜ୍ଞାନରେ ବି ଏ ପାସ୍ କରି କଲିକତାରେ ଗୋଟିଏ ମ୍ୟୁନିସିପାଲଟିରେ କାମ କରନ୍ତି । ଦ୍ୱିତୀୟ ପୁଅ ବିଜ୍ଞାନରେ ବି ଏ ପାସ୍ କରି ନିଜର ଚାଷ କାମ ଦେଖନ୍ତି । ତୃତୀୟ ପୁଅ ଗୋରୁମାନଙ୍କ ଲାଳନ ପାଳନ ସମ୍ପର୍କରେ ଉଚ୍ଚଶିକ୍ଷା ଲାଭକରି ଭଲ ସରକାରୀ ଚାକିରୀଟିଏ କରିଥିଲେ । ମାତ୍ର ଆଧୁନିକ ବୈଜ୍ଞାନିକ ରୀତିରେ ନିଜର ଗୋଶାଳାକୁ ଉନ୍ନତ କରି ଗଢ଼ିବା ପାଇଁ ସେ ସେଇ ଚାକିରୀରିରୁ ଇସ୍ତଫା ଦେଲେ। ଏଇ ପୁଅ ମନପ୍ରାଣ ଦେଇ ଗୋ–ଶାଳାର ଉନ୍ନତିରେ ଲାଗି ପଡ଼ିଛଚନ୍ତି। ଚତୁର୍ଥ ପୁଅ ବର୍ତ୍ତମାନ ମାଟ୍ରିକ୍ ଛାତ୍ର। ତାର ରୁଚି ଅନୁସାରେ ସେ କୃଷି,ପଶୁ ବିଜ୍ଞାନ,କିମ୍ବା ଗୋ-ଶାଳାର ପରିଚାଳନା ମଧ୍ୟରୁ ଯେଊଁଥିରେ ବି٠ଏ٠ପାସ୍ କରି ନିଜର କ୍ଷେତ ବାଡ଼ିର ଦାୟିତ୍ୱରେ ରହିବ। ଯତୀନ୍ଦ୍ର ନାଥ ତାଙ୍କ ଗୋଶାଳାର ଊନ୍ନତି ପାଇଁ ସରକାରଙ୍କଠାରୁ ଦଶହଜାର ଟଙ୍କାର ରଣ ପାଇଛନ୍ତି। ଯଦିଓ ତାଙ୍କର ଆବଶ୍ଯକତାକୁ ଚାହିଁ ଏହା ଅତି କମ୍, ତେବେ ସୁଦ୍ଧା ଏହି ଊଣ ତାଙ୍କୁ ଭାରି ସାହାଯ୍ଯ କରିଥିଲା। ସେ ଶୀଘ୍ର ଗୋ–ଶାଳାଟିକୁ ବଢାଇ ଦେବାକୁ ମନ କରିଛନ୍ତି। ଏଥିପାଇଁ ୨୫ ହଜାର ଟଙ୍କାର ଛଡ଼ା(ମାଈ ବାଛୁରୀ) କିଣି ସାରିଲେଣି। ସେମାନଙ୍କ ପାଇଁ ପୁଣି ଘରହାର,ଖାଦ୍ଯ ପାନୀୟର ସୁବିଧା କରିବାକୁ ତ ପଡ଼ିବ ? ସେଥିରେ ସେ ନିଜର ସୁବିଧା କ ‘ଣ ଦେଖିବେ ? ଆମ ଦେଶ ଆଜି ଏମିତି କର୍ମବୀରମାନଙ୍କୁ ଦରକାର କରୁଛି। ଯେତେ ଏଠାର ସ୍ବାଧୀନ ଆଉ କୁଶଳ କୃଷକ ଓ ଗୋରଷକ ବାହାରିବେ, ଆମ ଅବସ୍ଥା ସେତେ ସ୍ବଚ୍ଛଳ ଓ ଭଲହେବ। ବେଶୀ ପାଠପଢି ଏମିତି ବେଉସା କରିପାରିଲେ କେଡ଼େ ମଜା ସତେ।