• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଅନ୍ୟାନ୍ୟ»ଜାତି ଜାଗୃତି ଓ ପ୍ରଗତି»ବଙ୍ଗଳା ହେଉ ଓଡ଼ିଶାର ମାତୃଭାଷା !
ଜାତି ଜାଗୃତି ଓ ପ୍ରଗତି

ବଙ୍ଗଳା ହେଉ ଓଡ଼ିଶାର ମାତୃଭାଷା !

Subrat Kumar PrustyBy Subrat Kumar PrustyFebruary 13, 2020No Comments10 Mins Read
Facebook Twitter Pinterest Reddit LinkedIn Tumblr Email
Share
Facebook Twitter Pinterest Reddit Email

ଉକ୍ରଳ ବିଶ୍ୱବିଦ୍ୟାଳୟର ନୀଳକଣ୍ଠ ଛାତ୍ରାବାସ । ଏଠାରେ କେବଳ ଏମ୍.ଫିଲ୍ ନୁହଁ, ବିଭିନ୍ନ ବିଭାଗର ମେଧାବୀ ଛାତ୍ରମାନେ ଜାତୀୟସ୍ତରରେ ବୃତ୍ତି ପାଇ ଗବେଷଣା କାର୍ଯ୍ୟରେ ମଗ୍ନ ରହିବା ସହିତ, ଭବିଷ୍ୟତରେ ସ୍ଥିର ଜୀବିକାପାଇଁ ରାଜ୍ୟ ଓ ରାଷ୍ଟ୍ରସ୍ତରୀୟ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ନିମନ୍ତେ ପ୍ରସ୍ତୁତି କରିଥାନ୍ତି । ଏଥିପାଇଁ ଏହାର ପରିବେଶ ବେଶ ଅନୁକୂଳ ହୋଇଥିବାରୁ ପ୍ରତିବର୍ଷ ଶତପ୍ରତିଶତ ଛାତ୍ର କୃତକାର୍ଯ୍ୟ ମଧ୍ୟ ହୋଇଥାନ୍ତି ।

କିଛି ଦିନ ପୂର୍ବରୁ କୌଣସି ଏକ କାର୍ଯ୍ୟରେ ଯାଇଥିଲି ଏହି ଛାତ୍ରାବାସକୁ । ଉଦ୍ଦେଶ୍ୟ ଥିଲା ମୋର ବନ୍ଧୁମାନଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ ତଥା ଗବେଷଣା କାର୍ଯ୍ୟର ଅଗ୍ରଗତି ସମ୍ବନ୍ଧରେ ଜାଣିବାକୁ । ଦେଖିଲି ସେମାନଙ୍କ ଟେବୁଲ ଉପରେ ବିଭିନ୍ନ ବହି ଓ ପତ୍ରପତ୍ରିକା ସହ ବଙ୍ଗଳା ବହିର ମିଶ୍ରିତ ଥାକ । ଆଶ୍ଚର୍ଯ୍ୟ ହୋଇଗଲି । କାରଣ ଏମାନଙ୍କ ପାଠ୍ୟ ସହିତ ବଙ୍ଗଳା ବହିର କୌଣସି ସଂପର୍କ ନାହିଁ । ବିଶେଷକରି ଇଂରେଜୀ ବ୍ୟତୀତ ନିଜ ମାତୃଭାଷାକୁ ଭଲ ପାଉ ନ ଥିବା ଏହି ଗବେଷକଙ୍କ କାହିଁକି ଏ ବଙ୍ଗଳା ଭାଷାପ୍ରୀତି, କିଛି ବୁଝିପାରି ନ ଥିଲି । କାହାକୁ ମଧ୍ୟ ପଚାରି ପାରୁ ନ ଥିଲି । କାରଣ ମୁଁ ଥିଲି ଓଡ଼ିଆ ଭାଷା ଓ ସାହିତ୍ୟର ଛାତ୍ର ତଥା ଗବେଷକ । ଯଦି କିଛି ପଚାରିବି, ତେବେ ସଂକୀର୍ଣ୍ଣମନା ବୋଲି ଉପହାସିତ ହେବାର ସମ୍ଭାବନା ମଧ୍ୟ ରହିଛି । ତେଣୁ ନୀରବ ରହି ଅଧିକା କିଛି ଜାଣିବାପାଇଁ ଅନ୍ୟ ବନ୍ଧୁମାନଙ୍କ ନିକଟକୁ ଗଲି । ସେଠାରେ ମଧ୍ୟ ସେହି ପୂର୍ବ ଦୃଶ୍ୟ । କିଏ ଆଣ୍ଠେଇ, ପେଟେଇ ବଙ୍ଗଳା ଅକ୍ଷର ଶିଖୁଛି ତ କିଏ ବଙ୍ଗଳା ଶବ୍ଦ ପଠନ କରିବାରେ ବ୍ୟସ୍ତ; ଆଉ କେହି ଡଗଡଗ କରି ବଙ୍ଗଳା ଶବ୍ଦ ଉଚ୍ଚାରଣ କରିପକାଉଛି । କେତେକ ମଧ୍ୟ ନିଜ ନିଜ ବିଷୟ ଯଥା ଇତିହାସ, ଦର୍ଶନ, ବାଣିଜ୍ୟ, ମ୍ୟାନେଜମେଣ୍ଟ, ରାଜନୀତି ବିଜ୍ଞାନ, ଭୂଗୋଳ, ଜୀବବିଜ୍ଞାନ, ଉଦ୍ଭିଦ ବିଜ୍ଞାନ, ସମାଜ ବିଜ୍ଞାନ, ମନସ୍ତତ୍ତ୍ୱ ଇତ୍ୟାଦିର ବିଷୟଗୁଡ଼ିକୁ ଇଂରାଜୀ ବଦଳରେ ବଙ୍ଗଳାବହି ପଢ଼ିବାରେ ବ୍ୟସ୍ତ ଅଛନ୍ତି । ଆଶ୍ଚର୍ଯ୍ୟ ଲାଗିଲା । ଆଉ ନିଜର କୌତୁହଳ ଚାପି ନ ରଖି ପଚାରିଲି-“କାହିଁକି ହଠାତ୍ ଏ ବଙ୍ଗପ୍ରୀତି?” ଉତ୍ତର ଯାହା ମିଳିଲା ଶୁଣି ମୁଁ କେବଳ ଚକିତ ହୋଇ ନ ଥିଲି, ବରଂ ଯଦି ଆପଣଙ୍କ ଦେହରେ ଓଡ଼ିଆ ରକ୍ତ ପ୍ରବାହିତ ହେଉଥିବ, ତେବେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଓଡ଼ିଆ ଜାତିର ଅଧୋଗତିକୁ ଅନୁଭବ କରିପାରିବେ ।

ଉଚ୍ଚଶିକ୍ଷାକୁ ଇଂରାଜୀ ଭାଷାର ମାନ‌ଦଣ୍ଡରେ ପରଖୁଥିବା ଆମର ଏହି ଉଚ୍ଚଶିକ୍ଷିତ ଗବେଷକ ଦଳ ବଙ୍ଗଳା ଭାଷା ଶିକ୍ଷା କରିବାର ମୂଳ ଉଦ୍ଦେଶ୍ୟ ହେଲା – ନିକଟରେ ପଶ୍ଚିମବଙ୍ଗ ସରକାର ବିଭିନ୍ନ ବିଭାଗର ୧୮୦୦ ଅଧ୍ୟାପକ ପଦବୀପାଇଁ ବିଜ୍ଞପ୍ତି ବାହାର କରିଛନ୍ତି । ଏଥିପାଇଁ ସର୍ବନିମ୍ନ ଯୋଗ୍ୟତା ଏମ୍.ଏ ସହିତ N.E.T କିମ୍ବା S.L.E.T. ପରୀକ୍ଷା ଉତ୍ତୀର୍ଣ୍ଣ ହେବା ଆବଶ୍ୟକ । ଆମର ଏହି ଗବେଷକ ଦଳ ନିଜ ଯୋଗ୍ୟତା ବଳରେ ଏହି UGC-NET-JRF ଭଳି ସର୍ବ ଭାରତୀୟସ୍ତରୀୟ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇ ଗବେଷକ ବୃତ୍ତି ପାଇ ଗବେଷଣା କାର୍ଯ୍ୟରେ ନିୟୋଜିତ ହୋଇଥିଲେ ମଧ୍ୟ ଆମ ରାଜ୍ୟର ଅଧ୍ୟାପକ ନିଯକ୍ତି ଗତ ୧୦ ବର୍ଷ ଧରି ହୋଇ ନ ଥିବାରୁ ବଙ୍ଗଳାର ଏହି ବିଜ୍ଞାପନକୁ ଏକ ସୁଯୋଗ ଭାବରେ ଗ୍ରହଣ କରିଛନ୍ତି । ମାତ୍ର ସେଠାରେ ମହାବିଦ୍ୟାଳୟ ସ୍ତରରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ, ପ୍ରତ୍ୟେକ ଶ୍ରେଣୀରେ ବଙ୍ଗଳା ଭାଷା ମାଧ୍ୟମରେ ଶିକ୍ଷା ପ୍ରଦାନ ବ୍ୟବସ୍ଥା ରହିଛି । ତେଣୁ ଅଧ୍ୟାପକ ନିଯୁକ୍ତିର ସାକ୍ଷାତକାର ସମୟରେ ବଙ୍ଗଳା-ଭାଷା ଦକ୍ଷତାର ପ୍ରମାଣ ବାଧ୍ୟତାମୂଳକ । ଏହି ପରୀକ୍ଷାରେ ସଫଳ ହେବାପାଇଁ ଓଡ଼ିଶାର ଏହି ମେଧାବୀ ଗଳଦ୍‌ଘର୍ମ ହୋଇ ବଙ୍ଗଳା ଭାଷା ଶିକ୍ଷା କରିବାରେ ବ୍ୟସ୍ତ । ଅନୁସନ୍ଧାନରୁ ଜାଣିଲି, କେବଳ ଏହି ଛାତ୍ରାବାସ ନୁହେଁ, ଓଡ଼ିଆ ଭାଷାର ସୁରକ୍ଷାପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା କୃତି ସନ୍ତାନମାନଙ୍କ ନାମରେ ନାମିତ ସମସ୍ତ ଛାତ୍ରାବାସରେ ଅଧ୍ୟାପନାକୁ ବୃତ୍ତି ଭାବେ ଗ୍ରହଣ କରିବାରେ ଆଗ୍ରହୀଥିବା ଏହିଭଳି ଅନେକ ଛାତ୍ର ବଙ୍ଗଭାଷା ଶିକ୍ଷା କରିବାରେ ବ୍ୟସ୍ତ ରହିଛନ୍ତି ।

ବହୁତ ଅଶ୍ୱସ୍ତିକର ଲାଗିଲା ସେମାନଙ୍କ ଅସହାୟତା ଦେଖି । ଯେଉଁ ବନ୍ଧୁଗଣ ମୋତେ ଓଡ଼ିଆ ଭାଷା ସାହିତ୍ୟର ଛାତ୍ର ବୋଲି ପରିହାସ କରୁଥିଲେ, ମୋର ଯୋଗ୍ୟତା, ପାରିଲାପଣିଆ ସୀମାରେଖା ଅଙ୍କନ କରୁଥିଲେ, ବିଶେଷକରି ଭଲ ଇଂରାଜୀ କହିପାରୁଥିବାରୁ ନିଜକୁ ଗର୍ବିତ ମନେ କରୁଥିଲେ; ସେହିମାନଙ୍କର ନିଜ ଭାଷା ପ୍ରତି ବିମୁଖତା ଏବଂ ପଡୋଶୀ ଭାଷା ପ୍ରତି ଅସରନ୍ତି ଆବେଗ ଦେଖି ମୁଁ ମଧ୍ୟ ଏକପ୍ରକାର ପ୍ରତିଶୋଧପରାୟଣ ହୋଇ ପରିହାସ କରିବାକୁ ଭୁଲି ନ ଥିଲି । ଅବଶ୍ୟ ଏଥିସହିତ ମାତ୍ର ପର ମୁହୁର୍ତ୍ତରେ ଲାଜ ଲାଗିଲା ବର୍ତ୍ତମାନ କାଳରେ ଓଡ଼ଶାର ମେଧାବୀ ଛାତ୍ରମାନଙ୍କ ଅସହାୟତାକୁ ଦେଖି । କାରଣ ଓଡ଼ିଆ ଭଳି ଏକ ସୁସଂହତ, ସମୃଦ୍ଧିଶାଳୀ, ଐତିହ୍ୟସଂପନ୍ନ ପ୍ରାଚୀନ ଭାଷାକୁ ମାତୃଭାଷା ରୂପରେ ପାଇଥିଲେ ମଧ୍ୟ, ଦୂରରୃଷ୍ଟି ଅଭାବରୁ ଏହି ଗବେଷକଗଣ ଓଡ଼ିଆ ଭାଷାଦ୍ୱାରା ପ୍ରଭାବିତ ହୋଇ ନିଜ ମୂଳଦୂଆ ଟାଣ କରିଥିବା ଅନ୍ୟ ଏକ ଭାଷାକୁ ବିକଳ ହୋଇ ଅଭ୍ୟାସ କରିବା ପଛରେ ଓଡ଼ିଶା ସରକାରଙ୍କ ଉଉାସୀନତା ମୁଖ୍ୟତଃଦାୟୀ । ଆଉ ଏହି ଉଦାସୀନତା ହିଁ ଦିନେ ଓଡ଼ିଶାକୁ ନିଶ୍ଚିତ ମେଧାଶୂନ୍ୟ କରିିବ । ଓଡ଼ିଶାରେ ଜନସଂଖ୍ୟା କମ୍ ନୁହେଁ, ଶିକ୍ଷାହାର ମଧ୍ୟ କମ୍ ନୁହେଁ । ପ୍ରତିବର୍ଷ ପ୍ରାୟ ଦୁଇ ଲକ୍ଷ ଛାତ୍ରଛାତ୍ରୀ ମହାବିଦ୍ୟାଳୟ ସ୍ତରରେ ଅଧ୍ୟୟନ କରିଥାନ୍ତି । ଏଥିପାଇଁ ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଏଠାରେ ଯଥେଷ୍ଟ ମହାବିଦ୍ୟାଳୟ ନାହିଁ । ଅଧ୍ୟାପକଙ୍କ ସଂଖ୍ୟା ବହୁତ କମ୍ । ତଥାପି ପଠନ ସ୍ପୃହା କମୁନାହିଁ ଛାତ୍ରଛାତ୍ରୀଙ୍କଠାରେ କି ପଠନ ସ୍ପୃହା ନାହିଁ ଅଧ୍ୟାପକଙ୍କଠାରେ । ଗବେଷଣା, ପଠନ ଓ ଶିକ୍ଷା ପ୍ରଦାନ ଏହି ତ୍ରିଧାରାର ସମଷ୍ଟି ହେଉଛି ଅଧ୍ୟାପକ ଜୀବନ । କିନ୍ତୁ ଏଠାରେ ପାଞ୍ଚ ଦଶଜଣ ଅଧ୍ୟାପକଙ୍କ ସ୍ଥାନରେ ଜଣେ ମାତ୍ର ଅଧ୍ୟାପକଙ୍କୁ ଏହି କାର୍ଯ୍ୟ ସଂପାଦନ କରିବାକୁ ପଡୁଥିବାରୁ ପଠନ ଓ ଗବେଷଣା କଥା ଛାଡ଼, ଖାଲି ଉପସ୍ଥାପନ କିମ୍ବା ଅଭ୍ୟସ୍ତପାଠର ଚର୍ବିତ ଚର୍ବଣ ମଧ୍ୟରେ ମାସିକ ପାରିତୋଷିକ ନେବାକୁ ଶ୍ରେୟ ବୋଲି ମଣିଥାନ୍ତି ଆମର ଅଧ୍ୟାପକଗଣ । ଏହିଭଳି ସମସ୍ୟା ଭିତରେ ପ୍ରାୟ ୧୦ ବର୍ଷ ହେଲା ନୂତନ ନିଯୁକ୍ତି ନାହିଁ, ଅଥଚ ଶହ ଶହ ଅଧ୍ୟାପକ ଅବସର ନେଇ ସାରିଲେଣି । ବିଶେଷକରି ଓଡ଼ିଶାର ବିଭିନ୍ମ ବିଶ୍ୱବିଦ୍ୟାଳୟର ଛାତ୍ରାବାସରେ ଥିବା ସମଗ୍ର ଭାରତ ବର୍ଷର ଏହି କୃତୀ ସନ୍ତାନ, ଯେଉଁମାନେ କେବଳ ଅଧ୍ୟାପନାକୁ ବୃତ୍ତି ଭାବରେ ଗ୍ରହଣ କରିବାର ମନୋବୃତ୍ତି ନେଇ ଗବେଷଣା କାର୍ଯ୍ୟରେ ନିୟୋଜିତ ଅଛନ୍ତି, ସେମାନଙ୍କ ଉତ୍ତର ବୟସ ବେଳକୁ ଯଦି ଓଡ଼ିଶା ବଦଳରେ ପଶ୍ଚିମବଙ୍ଗ ସରକାର ଖଣ୍ଡିଏ ନିଯୁକ୍ତି ପତ୍ର ପ୍ରଦାନ କରନ୍ତି, ତେବେ ସେଥିପାଇଁ ବଙ୍ଗଳାଭାଷା ଶିକ୍ଷା କରିବାକୁ ପଛେଇବେ କାହିଁକି ? ସେମାନଙ୍କ ମତରେ-ଓଡ଼ିଆ ଆମର ମାତୃଭାଷା ହୋଇଥିବା ବେଳେ ଇଂରେଜୀ ଗରଜ ଗୁଜୁରାଣର ଭାଷା ହୋଇ ଯଦି ତାହା ମଧ୍ୟ ଯୋଗାଇ ନ ପାରିଲା, ତେବେ ବଙ୍ଗଳା ଶିଖିଲେ କ୍ଷତି କ’ଣ ?

ଯୁକ୍ତି ଥିଲା ଅକାଟ୍ୟ । ଅନ୍ୟାନ୍ୟ ଆଞ୍ଚଳିକ ଭାଷାର ଛାତ୍ରଛାତ୍ରୀମାନେ ଆଜି ନିଜ ସରକାରଙ୍କ ଉଦ୍ୟମରେ ବିଭନ୍ନ ସୁବିଧା ପାଇପାରୁଛି । ଆଜିର ଦୁନିଆରେ କମ୍ପ୍ୟୁଟରର ଗୁରତ୍ୱ ବୁଝି କେନ୍ଦ୍ର ସରକାର ଆଞ୍ଚଳିକ ଭାଷାକୁ କମ୍ପ୍ୟୁଟର ଭାଷାରେ ପରିବର୍ତ୍ତନ କରିବାପାଇଁ ସବୁ ରାଜ୍ୟକୁ ପ୍ରାୟ ୫ ବର୍ଷ ତଳେ ୩ କୋଟି ଟଙ୍କା ଲେଖାଏଁ ପ୍ରଦାନ କରିଥିଲେ । ଅନ୍ୟାନ୍ୟ ଭାରତୀୟ ଭାଷା ଏ ଦିଗରେ ସଫଳତା ପାଇ ବିନା ମୂଲ୍ୟରେ ନିଜର ରାଜ୍ୟବାସୀଙ୍କୁ ମାଗଣାରେ ସଫ୍ଟୱେୟାର ବଣ୍ଟନ କରିସାରିଥବା ବେଳେ, ଆମ ଓଡ଼ଶାର କମ୍ପ୍ୟୁଟର ବିଜ୍ଞାନୀ କମ୍ପ୍ୟୁଟରର ଓଡ଼ିଆ ଅନୁବାଦ ‘ସଂଗଣକ’ କରିବା ଭିତରେ ସବୁ ଅର୍ଥ ସାରିଦେଇଛନ୍ତି । କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ୧୨ ଜୁଲାଇ ୨୦୦୬ ସୁଦ୍ଧା ପ୍ରତ୍ୟେକ ରାଜ୍ୟ / ଅନୁଷ୍ଠାନକୁ ନିର୍ଦ୍ଦେଶ ଦେଇଛନ୍ତି ପୂର୍ବ ପ୍ରଦତ୍ତ ଅର୍ଥରେ ନିର୍ମିତ ସଫ୍ଟୱେର ପ୍ରଦାନ କରିବାକୁ । କାରଣ ଏହା ସମଗ୍ର ଦେଶରେ ବିନା ମୂଲ୍ୟରେ ବଣ୍ଟନ କରାଯିବ । ତେଣୁ ଆମ କରିତ୍‌କର୍ମା ପଣ୍ଡିତେ ବଙ୍ଗଳା ସଫ୍ଟୱେୟାରକୁ ନକଲ କରିବାରେ ବ୍ୟସ୍ତ ଅଛନ୍ତି ନିଜ ଇଜ୍ଜତକୁ ଜଗି । ସଫଳ କେତେଦୂର ହେବେ ସମୟ କହିବ । ମାତ୍ର ଏହି ସମୟରେ ଓଡ଼ିଶାର ଭିଜଲାନ୍ସ ବାଲାଙ୍କ ଦୃଷ୍ଟି କେଉଁ ଦିଗକୁ ନିବଦ୍ଧ, ତାହା ଜାଣି ହେଉନାହିଁ ।

ଅଥଚ ବଙ୍ଗଳା ଛାତ୍ରର ହାତ ପାଆନ୍ତାରେ ଏହି ସୁବିଧା ବିଦ୍ୟମାନ । କମ୍ପ୍ୟୁଟର ଖୋଲିଲେ ଇଂରେଜୀ ବଦଳରେ ବଙ୍ଗଳାଭାଷା, ମୋବାଇଲରେ ବଙ୍ଗଳାଭାଷା, ଇମେଲ୍, ଏସ୍.ଏମ୍.ଏସ୍ ମଧ୍ୟ ବଙ୍ଗଳା ଭାଷାରେ କରି ହେଉଛି । ଗୁଗୁଲ ଓ ୟାହୁ ସର୍ଚ୍ଚ ବଙ୍ଗଳା ଭାଷାରେ ଇଣ୍ଟରନେଟ୍ ସୁବିଧାରେ ଦେଇସାରିଲାଣି ବଙ୍ଗବାସୀଙ୍କୁ । ସରକାର ମଧ୍ୟ ପ୍ରାଥମିକଠାରୁ ବିଶ୍ୱବିଦ୍ୟାଳୟ ଶିକ୍ଷା ପର୍ଯ୍ୟନ୍ତ ବଙ୍ଗଳାଭାଷା ଶିକ୍ଷାଦାନର ମହତ୍ତ୍ୱ ବୁଝପାରିଛନ୍ତି । କାରଣ ଆଞ୍ଚଳିକ ଭାଷାରେ I.A.S. ଓ S.S.C. ସହିତ ମ୍ୟାନେଜମେଣ୍ଟ ଭଳି କେତୋଟି ବୃତ୍ତିଭିତ୍ତିକ ସର୍ବଭାରତୀୟ ପରୀକ୍ଷା ଦେବାର ସୁବିଧା ଥିବାରୁ ଇଂରେଜୀ ସହିତ ନିଜ ମାତୃଭାଷାରେ ଦକ୍ଷ ଗୁଜୁରାଟୀ, ମରାଠୀ, ତେଲୁଗୁ, ତାମିଲ, କନ୍ନଡ଼, ହିନ୍ଦୀ, ମାଲାୟଲମ, ପଞ୍ଜାବୀ ସହିତ ସମତାଳରେ ଗତି କରିବାକୁ ଅଣ୍ଟା ଭିଡ଼ି ବାହାରିଛନ୍ତି ବଙ୍ଗାଳୀ ଜାତି ଓ ବଙ୍ଗଳା ସରକାର । ମାତୃଭାଷାରେ ପରୀକ୍ଷା ଦେବାଦ୍ୱାରା ବଙ୍ଗାଳୀ ଛାତ୍ରଟିଏ I.A.S. ହେଲେ ନିଜ ରାଜ୍ୟର ବିକାଶ ଘଟାଇବ । ଆଉ ଅଣବଙ୍ଗାଳୀ ହାତରେ ବଙ୍ଗଳାର ଭାଗ୍ୟ ନିର୍ଣ୍ଣିତ ହେବନାହିଁ । ପିଲାଙ୍କ ମଧ୍ୟରେ ପ୍ରତିଯୋଗିତା ବୃଦ୍ଧି ପାଇବ । ଭାଷାର ଗତି ତୀବ୍ର ଓ ଜୀବନ୍ତ ହେବ । ସର୍ବୋପରି ବେକାରୀ ସମସ୍ୟାର ମଧ୍ୟ ସମାଧାନ ଘଟିବ । ଏହିସବୁ ସର୍ବଭାରତୀୟ ପରୀକ୍ଷାର ନିରୀକ୍ଷକଗଣ ସ୍ୱଭାଷୀ ହୋଇଥିବାରୁ ଅନୁକମ୍ପାମୂଳକ ନିଷ୍ପତ୍ତି ପ୍ରଦାନ‌ଦ୍ୱାରା ସାଧାରଣ ବଙ୍ଗଳା ଭାଷା ଜାଣିଥିବା ଛାତ୍ରଟିଏ ମଧ୍ୟ ପରୀକ୍ଷାରେ ସଫଳ ହୋଇ ଉଚ୍ଚ ପଦବୀରେ ରହିପାରିବ । ଯେମିତି ଆମର ଅନ୍ୟାନ୍ୟ ଭାଷାର ପ୍ରାର୍ଥୀମାନେ ପାଉଥିଲେ ଓ ପାଉଛନ୍ତି । ଆଉ ଏହିପରି I.A.S.-୨୦୦୫ ମସିହା ପରୀକ୍ଷାରେ ବଙ୍ଗଳା ଭାଷାରେ ସମସ୍ତ ପରୀକ୍ଷା ଓ ସାକ୍ଷାତ‌କାର ଦେଇ ୨୪ ତମ ସ୍ଥାନ ଅଧିକାର କରିଥିବା ତନ୍ମୟ ଚକ୍ରବର୍ତ୍ତୀ ବଙ୍ଗଳା ଭାଷାର ଗୌରବ ବୃଦ୍ଧି କରିଛନ୍ତି ।

 

ଅଥଚ ଆମ ଓଡ଼ିଶାରେ ରାଜ୍ୟ ପ୍ରଶାସନିକ ପରୀକ୍ଷା ମଧ୍ୟ ରାଜ୍ୟ ଭାଷାରେ ହୁଏ ନାହିଁ । ଯଦି ଏ ବିଷୟରେ କାହାକୁ କିଛି କୁହାଯାଏ, ତେବେ ନାକ ଟେକିବେ । କାରଣ ଏମାନେ ଏ ପର୍ଯ୍ୟନ୍ତ ସେହି ଇଂରେଜୀ ଅମଳର ନୀତି ଜାବୁଡ଼ି ଧରି କୁହନ୍ତି ଯେ, ପ୍ରଶାସକର ଭାଷା ହେଉଛି ଇଂରେଜୀ । ତେଣୁ I.A.S. ହୁଅ ବା O.A.S., ଇଂରେଜୀ ଭାଷାର ଦକ୍ଷତା ଅତ୍ୟନ୍ତ ଜରୁରୀ । କିନ୍ତୁ ସର୍ବଭାରତୀୟ ସ୍ତରରେ ଏହି ଦକ୍ଷତାର ପ୍ରମାଣ ଓଡ଼ିଆ ଛାତ୍ରମାନେ ଦେଖାଉଥିବାବେଳେ, ତେଣେ ଆଞ୍ଚଳିକ ଭାଷାରେ ଦକ୍ଷ ହୋଇ ଅନ୍ୟମାନେ ଯେ ପ୍ରମୁଖ ପଦପଦବୀରେ ମଣ୍ଡନ କରି ବସିଥିବେ; ତାହା ଏହି ଶୁଭଚିନ୍ତକଙ୍କ ମଗଜରେ ପଶିନାହିଁ କି ପଶୁନାହିଁ ।  ନିକଟରେ କେତେଜଣ ଇତିହାସ ପ୍ରଫେସରଙ୍କୁ ପଚାରିଲି – “ସାର୍ I.A.S ମୁଖ୍ୟ ପରୀକ୍ଷାର ଉତ୍ତର ଓଡ଼ିଆ ଭାଷାରେ ଲେଖିଲେ କିଭଳି ନମ୍ବର ମିଳବ ?” ସେ ସଙ୍ଗେ ସଙ୍ଗେ ଉତ୍ତର ଦେଲେ – କିଛି ମିଳିବ ନାହିଁ । ମୁଁ କହିଲି – କାହିଁକି ? ସେ ଉତ୍ତର ଦେଲେ “ସେ ପରୀକ୍ଷା ତ ଇଂରେଜୀ ବ୍ୟତୀତ ଅନ୍ୟ ଭାଷାରେ ଦେଇହେବ ନାହିଁ । ଯଦି ବା ଭୁଲରେ ସେ ଖାତା ଦେଖାଯାଏ, ତେବେ ଇତିହାସର କଥା କ’ଣ ଓଡ଼ିଆ ଭାଷାରେ ଠିକ୍ ଭାବରେ ଉପସ୍ଥାପିତ କରିହେବ!”

ସ୍ତବ୍ଧ ପାଲଟିଗଲି ଓଡ଼ଶାର ସର୍ବ ପ୍ରଥମ ତଥା ସୁନାମଧନ୍ୟ ବିଶ୍ୱବିଦ୍ୟାଳୟର ଇତିହାସ ପ୍ରଫେସରଙ୍କ ଏହିଭଳି ଅକାଟ୍ୟ ନିର୍ବୋଧ ଯୁକ୍ତି ଶୁଣି, ମୋର ବାକ୍‌ସ୍ଫୁର୍ତ୍ତି ଘଟି ନ ଥିଲା, ଏମାନଙ୍କ ଜ୍ଞାନର କୂପମଣ୍ଡୁକ ନୀତି ଦେଖି । କାରଣ ଏମାନେ ଏପର୍ଯ୍ୟନ୍ତ ଜାଣି ନାହାନ୍ତି ଯେ, ଏହି ପରୀକ୍ଷାପାଇଁ କେନ୍ଦ୍ର ଲୋକସେବା ଆୟୋଗ ସମ୍ବିଧାନ ନିର୍ଦ୍ଦେଶିତ ଅଷ୍ଟମ ଅନୁସୂଚୀ ଅନ୍ତର୍ଭୁକ୍ତ ୨୨ଟି ଭାଷାର ଛାତ୍ରଛାତ୍ରୀଙ୍କୁ ନିଜ ଭାଷାରେ ଲିଖିତ ଓ ମୌଖିକ ପରୀକ୍ଷା ଦେବାର ସୁଯୋଗ ଦେଇଛି ବୋଲି । ଫଳସ୍ୱରୂପ ଅନେକ ରାଜ୍ୟର ପ୍ରାର୍ଥୀମାନେ ଏବର୍ଷ ଭଳି ପ୍ରତିବର୍ଷ ସଫଳତା ହାସଲ କରୁଛନ୍ତି । ଏହା ବ୍ୟତୀତ ନିଜ ଜାତିର ଇତିହାସ, କଳା ସ୍ଥାପତ୍ୟ, ସମାଜ ଜୀବନକୁ ଅନ୍ୟ ଭାଷାରେ ଯେ ପ୍ରାଞ୍ଜଳ ଭାବରେ ଉପସ୍ଥାପିତ କରିହେବ, ତାହା ପ୍ରଥମ କରି ଆମର ଏହି ବିଜ୍ଞ ପ୍ରଫେସରଙ୍କଠାରୁ ଶୁଣଲି । କାରଣ ନିଜ କଥା ନିଜ ଭାଷାରେ ଯେ ସ୍ପଷ୍ଟ ପ୍ରତିଫଳିତ ହୁଏ, ତାହା ବୋଧହୁଏ ତାଙ୍କୁ ଜଣା ନ ଥିଲା । ବୋଧହୁଏ ପ୍ରେମ କଲାବେଳେ ସେ ତାଙ୍କ ପତ୍ନୀଙ୍କୁ ମଧ୍ୟ ଇଂରେଜୀ ଭାଷା କହିଥାନ୍ତି । ନଚେତ୍ ତାଙ୍କ ଶିକ୍ଷାଦାନ ଭଳି ଦାମ୍ପତ୍ୟ ଜୀବନ ମଧ୍ୟ ଏଭଳି ସରସ ରହି ନ ଥାନ୍ତା । ପରେ ଜାଣିଲି, ଏହିଭଳି ଅନେକ ବିଦ୍ୱାନ ଓଡ଼ଶାର ବିଶ୍ୱବିଦ୍ୟାଳୟମାନଙ୍କରେ ବିଦ୍ୟାଦାନରେ ନିୟୋଜିତ ଅଛନ୍ତି, ଯେଉଁମାନଙ୍କର ଜ୍ଞାନ ସାଧାରଣ ପ୍ରାଥମିକ ଶିକ୍ଷକଙ୍କଠାରୁ ମଧ୍ୟ ହୀନ । ବୋଧହୁଏ ସେଇଥିପାଇଁ ନୀଳବର୍ଣ୍ଣ ଶୃଗାଳ ପରି ନିଜ ଜାତିଭାଇଙ୍କଠାରୁ ସେମାନଙ୍କ ପଦପଦବୀ, ପ୍ରତଷ୍ଠାର ସୁରକ୍ଷାପାଇଁ ଇଂରେଜୀ ଭାଷାକୁ ଢାଲ ରୂପେ ଧରି ରଖିବାକୁ ବାଧ୍ୟ ହେଉଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଆମ ନେତାଠାରୁ ଜନତା ପର୍ଯ୍ୟନ୍ତ ସମସ୍ତେ ଚିତ୍କାର କରନ୍ତି – କାଳେ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ, ଯିଏ ଭାଷାଭିତ୍ତିରେ ଗଠିତ ।

ଜାତୀୟତା ଓ ସ୍ୱାଭିମାନ ହେଉଛି ଓଡ଼ିଆଙ୍କର ପ୍ରାଣ । ସେଥିପାଇଁ ପରାକ୍ରମୀ ଇଂରେଜୀ ଜାତିକୁ ପରାଭୂତ କରି, ନିଜପାଇଁ ସ୍ୱତନ୍ତ୍ର ସ୍ଥାନଟିଏ ପ୍ରସ୍ତୁତ କରିପାରିଛନ୍ତି । କିନ୍ତୁ ଏହାର ସତ୍ୟତା ପ୍ରତି ଆଜିର ପିଢ଼ି ନିଶ୍ଚିତ ସନ୍ଦିହାନ ହେବ । କାରଣ ଗୋଟିଏ ଲଢ଼ୁଆ ଜାତି ଯିଏ ଭାଷାଭିତ୍ତିରେ ଗୋଟିଏ ରାଜ୍ୟ ଗଠନ କରିପାରିଲା, ତେବେ ସେ ଜାତିର ମାତୃଭାଷା କାହିଁକି ରାଜ୍ୟ-ଭାଷାର ମାନ୍ୟତା ଏପର୍ଯ୍ୟନ୍ତ ପାଇପାରୁ ନାହିଁ ! କାହିଁକି କୋଟି କୋଟି ଟଙ୍କାର ଓଡ଼ିଆ ଟାଇପ୍ ମେସିନ୍ ଖତ ଖାଇଗଲା? କମ୍ପ୍ୟୁଟର ଭାଷା କାହିଁକି ଓଡ଼ିଆ ହୋଇନାହିଁ ? କାହିଁକି ମେଧାବୀ ପ୍ରାର୍ଥୀଟିଏ ରାଜ୍ୟସ୍ତରୀୟ ପ୍ରଶାସନିକ, ଆଇନ୍ ଓ ପୁଲିସ ସେବା ପରୀକ୍ଷା ନିଜ ମାତୃଭାଷାରେ ଦେଇପାରିବ ନାହିଁ ? ଓଡ଼ିଆ ମାଧ୍ୟମରେ I.A.S ପରୀକ୍ଷା ଦେଲେ ଓଡ଼ିଆ ଛାତ୍ରଟିଏ କାହିଁକି ନିରୀକ୍ଷକଙ୍କ ହୀନ ଦୃଷ୍ଟିର ଶିକାର ହେବ ? ଏହି ଅସଂଖ୍ୟ କାହିଁକିର ଶେଷ ଉତ୍ତର ହେଉଛି ଆମ ନେତୃତ୍ୱ ଅପାରଗ ନୁହେଁ, ବରଂ ଆମେ ହେଉଛୁ ଅପାରଗ ।

ନଅଙ୍କ ଦୁର୍ଭିକ୍ଷରେ ଆମ ପିତୃତ୍ୱର ପରିଚୟ ହଜିଯାଇଛି । ହଜିଯାଇଛି ଆମର ସ୍ୱାଭିମାନ । ପ୍ରତିବଦଳରେ ଗୋଡ଼ାଣିଆ ମନୋବୃତ୍ତି ଆମ ଭିତରେ ପଶିଯାଇଥିବାରୁ ଆମେ ଯଦି ଏଠାରେ ଓଡ଼ିଆତ୍ୱକୁ ଖୋଜିବା ତେବେ ମଧୁସୂଦନଙ୍କ ପରି ନିରାଶ ହିଁ ହେବା । ମଧୁସୂଦନ ସିନା ବିଖଣ୍ଡିତ ଓଡ଼ିଶାର ଏକତ୍ରୀକରଣପାଇଁ ରାଜନୀତି କରୁଥିଲେ । ମାତ୍ର ବର୍ତ୍ତମାନର ଓଡ଼ିଆଏ ରାଜନୀତି କରୁଛନ୍ତି ଓଡ଼ିଶାକୁ ବିଖଣ୍ଡିତ କରିବାପାଇଁ । ଉପାନ୍ତ ଅଞ୍ଚଳର ମାତୃଭାଷା ସୁଦୃଢ଼ପାଇଁ ସରକାର ଚେଷ୍ଟା ନ କରି ଏବେ ଆଦିବାସୀ ଭାଷାରେ ପାଠ୍ୟକ୍ରମ ପ୍ରଚଳନ କରୁଛନ୍ତି । ଯାହା ପରବର୍ତ୍ତୀ କାଳରେ ଏହି ଛୋଟିଆ ପ୍ରଚେଷ୍ଟା ବିଶାଳ ଅବୟବ ଧରି ଓଡ଼ଶା ବିଖଣ୍ଡିତ ହେବାପାଇଁ ବାଟ ଫିଟେଇବ । ଯେମିତି ବର୍ତ୍ତମାନ ପଶ୍ଚିମ ଓଡ଼ିଶାରେ ଘଟୁଛି । ଏଭଳି ଉଦ୍ଭଟ ବା ପାଗଳାମୀ ଚିନ୍ତାଧାରା ଅନ୍ୟ ଆଦିବାସୀ ବହୁଳ ରାଜ୍ୟମାନଙ୍କରେ ମଧ୍ୟ ଦେଖିବାକୁ ମିଳେନାହିଁ । ସେହିଭଳି ଗତବର୍ଷ ମାତୃଭାଷାକୁ ନେଇ ସରକାରଙ୍କ ହେୟ ମନୋଭାବ ଗଣମାଧ୍ୟମଗୁଡ଼ିକଦ୍ୱାରା ମୁଖରିତ ହେବା ପରେ, ତ‌ତ୍ପର ହୋଇ ସରକାର ଓଡ଼ିଆ ଭାଷା ପ୍ରତିଷ୍ଠାନ ଗଠନ କରି, ଦୁର୍ବଳ ଅପାରଗ ବ୍ୟକ୍ତିତ୍ୱ ହାତରେ ନାଲିବତୀ ଗାଡ଼ି ଚାବି ଧରେଇ ଦେଇ, ଅସଲ ଚାବିତକ ଅମଲା ବା ସଚିବ ହାତରେ ରଖୁଥିବାରୁ ଏହାର କାର୍ଯ୍ୟଦକ୍ଷତା ଏ ପର୍ଯ୍ୟନ୍ତ ଜନସାଧାରଣ ଜାଣି ପାରିଲେ ନାହିଁ । ଏବର୍ଷ ମଧ୍ୟ ଭାଷାପ୍ରୀତିର ପ୍ରମାଣ ଦେବାପାଇଁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ନେତୃତ୍ୱରେ ଏକ ଦଳ ଝାଡ଼ଖଣ୍ଡ ଯାଇଛନ୍ତି ସେଠିକାର ଓଡ଼ିଆ ମୁହଁରେ ମାତୃଭାଷା ଫେରାଇ ଆଣିବାକୁ । ଏଣେ ଯେ ଇସ୍ପାତ୍‌ ନଗରୀ ରାଉରକେଲାର ଭାଷା ହିନ୍ଦୀ ହୋଇସାରିଲାଣି, ତାହା ତାଙ୍କୁ ଜଣାନାହିଁ । ନିଜ ମାଟିରେ ଭାଷା ମରି-ମରି ଯାଉଥିବା ବେଳେ ଏହାର ସୁରକ୍ଷାପାଇଁ ସରକାର କିମ୍ବା ବୁଦ୍ଧିଜୀବୀ କେହି ମଧ୍ୟ ଚିନ୍ତିତ ନୁହନ୍ତି କିମ୍ବା ଏଥିପାଇଁ ପ୍ରଶାସନ ନ୍ୟାୟ ଓ ଶିକ୍ଷାନୁଷ୍ଠାନର ଭୂମିକା ସଂପର୍କରେ ସଚେତନ ହେଉନାହାନ୍ତି । ସାଧାରଣ ଓଡ଼ିଆ ତ ସେହି ଓଲୁ ହୋଇ ରହିଛନ୍ତି । ଅସାଧାରଣ ପଣ୍ଡିତ ଓଡ଼ିଆଏ କାହିଁକି ମୁହଁରେ ତୁଣ୍ଡିମାରି ବସିଛନ୍ତି ? ସରକାର ମଧ୍ୟ ତଦୃପ । ଅନ୍ୟ ରାଜ୍ୟରେ ଓଡ଼ିଆ ଭାଷାକୁ ବଞ୍ଚାଇବାର ବୃଥା ଆସ୍ଫାଳନ କରି କେତୋଟି ଟାଉଟରଙ୍କୁ ନ ପୋଷି ବରଂ ଉଚ୍ଚଶିକ୍ଷାମନ୍ତ୍ରୀଙ୍କୁ ନିଜ ଜାତିଭାଇଙ୍କ ନିକଟକୁ ଓଡ଼ିଶା ସରକାର ପଠାନ୍ତୁ । ଅନ୍ତତଃ ସେହିମାନଙ୍କଠାରୁ ସେ ଶିକ୍ଷା କରି ଆସିବେ ଯେ, ଗୋଟିଏ ମାତୃଭାଷାର ଉନ୍ନତି ଓ ବିକାଶ କିଭଳି ଭାବରେ କରାଯାଇପାରିବ । କାରଣ କଥା କହି ଶିଖିଲେ ହିଁ ମନର ଭାବନା ବ୍ୟକ୍ତ କରିହେବ । ତେଣୁ ମନର ଭାଷା ଓ ପାଟିର ଭାଷା ଏକ ହେବା ଜରୁରୀ । ଯାହା ଆଜି ଅନ୍ୟ ରାଜ୍ୟରେ ହେଉଛି, ତାହା ମଧ୍ୟ ଆମ ରାଜ୍ୟରେ ହେଉ ।

କିଛିି ଦିନ ପରେ ପୁଣି ସୁଯୋଗ ମିଳିଲା ସେହି ପବିତ୍ର ଛାତ୍ରାବାସକୁ ଯିବାପାଇଁ । ଇଚ୍ଛା ହେଲା ସେହି ବନ୍ଧୁଙ୍କ ନିଯୁକ୍ତି ସଂପର୍କରେ ଜାଣିବାକୁ । ଦେଖିଲି ପ୍ରାୟ ସମସ୍ତେ ମୁହଁ ଶୁଖାଇ ବସିଛନ୍ତି । ବଙ୍ଗଳା ଲବି, ତଥା ଜାତିପ୍ରୀତି ଓ ଭାଷାପ୍ରୀତି ପାଖରେ ବଙ୍ଗଳା ଭାଷାର ପ୍ରାଞ୍ଜଳତା କାମ କଲା ନାହିଁ । ସମସ୍ତ ଛାତ୍ର ବିଫଳ । ଏପରିକି ଈଶ୍ୱରଚନ୍ଦ୍ର ବିଦ୍ୟାସାଗର ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗ ୨୦ଟି ପଦବୀପାଇଁ ମୋଟ୍ ୮ ଜଣ ଯାଇଥିଲେ ମଧ୍ୟ ସବୁଥିରେ ପାରଙ୍ଗମ ଥିବା ୬ ଜଣ ଓଡ଼ିଆପ୍ରାର୍ଥୀଙ୍କୁ ବାଦ ଦେଇ ୨ ଜଣ ସାଧାରଣ ଯୋଗ୍ୟତା ଥିବା ବଙ୍ଗାଳୀଙ୍କୁ ନିଯୁକ୍ତ କରାଯାଇଛି । ବାକି ସବୁ ଶୂନ୍ୟ ରହିଛି । ତଥାପି ଏମାନେ ଆଶା ହରାଇ ନାହାନ୍ତି । ଆସନ୍ତା ବର୍ଷପାଇଁ ବଙ୍ଗଳା ପଢ଼ା ଜାରି ରଖିଛନ୍ତି । ଅଥଚ ଓଡ଼ିଶା ସରକାରଠାରୁ ଏହି ମେଧାବୀ ଛାତ୍ରଗଣ ଆଶା ହରାଇଛନ୍ତି ।

ଏକଥା ଶୁଣିବା ପରେ କାହିଁକି କେଜାଣି ମୋ ପାଟିରୁ ହଠାତ୍ ବାହାରି ପଡ଼ିଲା ହେ କାନ୍ତିଚନ୍ଦ୍ର ଭଟ୍ଟାଚାର୍ଯ୍ୟ ତୁମେ ଆଉଥରେ ଜନ୍ମ ନେଇ ଶିକ୍ଷକ ରୂପରେ ଓଡ଼ିଶାକୁ ଆସ । ଆଉଥରେ ପୁଣି ଲେଖ “ଉଡ଼ିୟା ଏକ୍‌ଟା ସ୍ୱତନ୍ତ୍ର ଭାଷା ନଏ” । ଯଦି କେହି ଫକୀରମୋହନ, ଗୌରୀଶଙ୍କର ଭଳି ବାହାଦୁରୀ ନେବାକୁ ଏହାର ପ୍ରତିବାଦ କରନ୍ତି, ତେବେ ଓଡ଼ଶାର ଅସଂଖ୍ୟ ମେଧାବୀ ସେମାନଙ୍କ ତଣ୍ଟି କଣା କରି ଦୂଷିତି ରକ୍ତ ନିଶ୍ଚିତ ବାହାର କରିଦେବେ । କାରଣ ତୁମେ ହିଁ ଏକମାତ୍ର ବ୍ୟକ୍ତି, ଯିଏ ଏହି ଓଡ଼ିଆ ମେଧାବୀଙ୍କ ଦରଦକୁ ବୁଝିପାରି ଓଡ଼ିଆ ମାଟିରେ ବଙ୍ଗ ଭାଷାର ଚାରା ବୁଣି ଏ ଜାତିର ମେଧାବୀମାନଙ୍କୁ, କମ୍ପ୍ୟୁଟର ବିଜ୍ଞାନୀଗଣଙ୍କୁ, ପୁରୀ, ବାଲେଶ୍ୱରର ବେପାରୀଗଣଙ୍କୁ ଅଯଥା ବଙ୍ଗଭାଷା ଶିକ୍ଷା କରିବା କଷ୍ଟରୁ ମୁକ୍ତି ଦେବ । ଓଡ଼ିଆ ବେଙ୍ଗଲୀ ସମାନ ହୋଇଗଲେ ବିଜ୍ଞାନ ଗବେଷଣାଗାର କିମ୍ବା ତୈଳ ବିଶୋଧନାଗାର ଆଉ ବଙ୍ଗଳାକୁ ଉଠିଯିବ ନାହିଁ, କିମ୍ବା ଦକ୍ଷିଣରେ ତେଲେଙ୍ଗାଏ ମଧ୍ୟ ଉପଦ୍ରବ କରିବାକୁ ସାହସ କରିବେ ନାହିଁ ।

Odia Story Subrat Kumar Prusty Books Subrat Odia Story
Share. Facebook Twitter Pinterest LinkedIn Tumblr Reddit Email
Previous Articleନ୍ୟାୟର ଭାଷା
Next Article ଓଡ଼ିଆଙ୍କପାଇଁ ଇଂରେଜୀ ଓ ହିନ୍ଦୀ ଭାଷା ଶିକ୍ଷାର ଆବଶ୍ୟକତା
Subrat Kumar Prusty

Related Posts

ଅଭିନବ ବିବାହ

March 16, 2023

ବୋକା ନା ବିବେକୀ?

March 1, 2023

ଘୋରକର ଉଦାରତା

February 1, 2023

ମହାଭାରତ

January 26, 2023

ମହାରାଜାଙ୍କ କଳା

December 21, 2022

ଶକରକନ୍ଦ

December 12, 2022
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.